କୁକୁର
କୁକୁର
ଆମ ଗାଁ ଆଡେ ହଉ କି ଆମ ପୁରୀ,କଟକ ଆଡେ ହଉ ଖଣ୍ଡେ ଶୁଖିଲା ବାସିରୁଟି ହାତରେ ଦିଶିଲା ପରି ଧରି ଯଦି ତମେ ଦାଣ୍ଡକୁ ବାହାରିଲ ଦୌଡ ଲଗେଇଲା ପରି ଅନ୍ୟୁନ ଗଣ୍ଡାଏ କି ପାଞ୍ଚୋଟି ଲହଲହ ଜିଭ ଲାଞ୍ଜ ସହ ଉଭା ହେବେ ଏମାନେ ।ଏମିତି ଚାହିଁବେ ଯେମିତି କହୁଛନ୍ତି, " ହେ ମାଆ ଅନ୍ନପୂର୍ଣ୍ଣା, ହେ ଲୋକ ମାତା, ହେ କଲ୍ୟାଣୀ ଆମ୍ଭକୁ ସେଇ ଅମୂଲ୍ୟ ରୁଟି ଟୁକୁଡା କେତୋଟି ଦେଇ ସତୀର୍ଥ କର ।ଆମ ଉଦରଟି ମାନ କୃତାର୍ଥ ହେଉ ।"
ଆଉ ନିଜ ନିଜ ଭିତରେ ଏମିତି ଚହାଁ ଚୁହିଁ, ଘିଡିର୍ ଘିଡିର୍ ନାଳଗଳା,ଆଖି ତରଟା କରୁଥିବେ ଯେ ସାତଶତ୍ରୁ ବି କହିବ,"ବୋଉ ଲୋ ! " । ଏଇଲେକୁ ଏଇଲେ ମହିବିଦାରଣ, ଯୁଦ୍ଧଂ ଦେହୀ ଚାହାଣୀ ।
ତମେ ରୁଟିଟି ଛିଣ୍ଡେଇ କୁଟୁରା କୁଟୁରା କରି ପକେଇ ଦେଲ ମାନେ ହରିବୋଲ ।ମନୋରଞ୍ଜନର ସମୟ ।କିଏ ଜିତିଲା, କିଏ ଲାଗିଗଲା ଆଉ ପୁଣି କିଏ ପଛେଇଲା କି ଗଳିଗଲା ... ଖୋରାକ ମସ୍ତିଷ୍କର ।ପୁରା ଅଧଘଣ୍ଟିଆ ଟାଇମ୍ ପାସ୍ ।
ହେଲେ ଏଠି,ଏ ମହାନଗରରେ ......
କାଲି ରାତିରେ ପିଲେ ସାଙ୍ଗ ଜନ୍ମ ଦିନକୁ ଗଲେ ।ଆଡୁସାଡୁ ବହେ ଗଳସ୍ଥ କରି ଫେରିଲେ ଆଉ ମୁଁ ଏଡେ ସରାଗରେ ଜହ୍ନ ମାମୁଁ ପରି ଗୋଲେଇକି ବେଲିଥିବା ରୁଟି ତକକୁ ଆଡେଇଦେଲେ ।
ଆଜି ସକାଳକୁ ଥାକେ ରୁଟି ଡବାରେ ହସୁଥିଲେ ।ଗହଳି ଘର ହେଲେ ଆମର ବାସିରୁଟି କୋଉ ବଳକା ରହେ ଯେ ।ତରକାରୀ ଝୋଳ ଟୋପେରେ ସକାଳ ଜଳଖିଆ ଘରଣୀଗଣଙ୍କର ଏକାଠି ଖିଲଖିଲିଆ ହସ ସହ,ଆହା କି ମଧୁର ।
ଏଠି ତ କୁଆକାଉ ନାହିଁ ।ପେଟ ବୋଲି ଚାଖଣ୍ଡେ ।ହାଜମା ବେମାରୀ ତହିଁକୁ ଦାଉ ।କିଏ ଖାଇବ ?
ହେଲା ମନେ ପଡିଲା ଆମ ସାହିର ସେଇ ପୁରୁଣା ଦିଗବିଜୟୀ ଧ୍ୱଜା ଫରଫର ଦୃଶ୍ୟ ।ହେଲେ ଥାକଥାକ ଆକାଶେ ଥାକ ଘର ସବୁରେ ତଳେ କୋଉଠି ଯୁଟିବେ ସେମାନେ ଭଲା ! ଆଉ ଚେନ୍ ବନ୍ଧା ମାଲିକିଆଣିମାନଙ୍କ ପୃଥୁଳତା କମେଇବାକୁ ଯୋଉମାନେ ନିଯୁକ୍ତ ସେମାନେ ତ ଅତରମଖା ଜୀବ ।ମଠରେ ଖାଇ ପଲଙ୍କେ ଗଡନ୍ତି ।
ଅଗତ୍ୟା ରୁଟି ଆଠ ପଟ ଧରି ଦାଣ୍ଡକୁ ଓହ୍ଲାଇଗଲି ।କି ଯୋଗ ଦେଖ ହୋ .... ଗେଟ୍ ଠିକ୍ ସାମ୍ନାରେ ରଜାଠାଣିରେ ବସିଛି ଗୋଟିଏ ମାତ୍ର ବୁଲାକୁକୁର ।ରାଜଯୋଗ ଜାଣ !
ଓଃ ମନଟା ପ୍ରଫୁଲ୍ଲିତ ହେଲା । ପୂଣ୍ୟ ମୁଠାଏ ଗୋଟେଇ ଆଣିବାକୁ ପାହୁଣ୍ଡ ବାଢିଲି ।ବଡ ଦାନୀପଣଟେ ସହ ଆଗେଇଲି ।ଭାବୁଥିଲି କୃତଜ୍ଞତାରେ ଭରିଯିବ ଆଉ ମହାଦେବୀ ଦର୍ଶନ ପରି ମଥାନତ କରିବ ଏ ଇତର ଜୀବ ନିଶ୍ଚିତ, ଏତେ ସକାଳୁ ଭୁରି ଭୋଜନେ ଆପ୍ୟାୟିତ କରିବାକୁ ସ୍ୱୟଂ ପଦାର୍ପି ଥିବା ମତେ ଦେଖି ।
ମୁଁ ବୀରଦର୍ପରେ ତା'ଠି ପହଞ୍ଚି ଦଣ୍ଡେ ଠିଆ ହେଲି ।ସିଏ ମତେ ମୁଣ୍ଡ ଟେକି ଅଜଣା ଦୃଷ୍ଟିଟେ ଫିଙ୍ଗିଲା ।ମୁଁ ଆଶ୍ଚର୍ଯ୍ୟ ହେଲି କ୍ଷଣିକେ ।ତୁରନ୍ତ ଲୋଭ ଦେଖେଇଲି ......" ହେଇ ଦେଖ ଘିଅ ଦିଆ ଗରମ ରୁଟି ।" ସିଏ ଖାତିରି ପକେଇଲାନି ।ମୋ ଭିତରର ଦର୍ପଟା ଚହଲି ଗଲା ।ବାଜି ହାରିଗଲା ପରି ।
ସେପଟୁ ଆମ ଫାଟକ ଜଗୁଆଳି ପିଲାଟି କୌତୁହଳି ଆଖି ନେଇ ଚାହିଁଥାଏ ।ମୋର ପୁଣି ଗୋଟେ ଇଜ୍ଜତ ଅଛି କି ନାହିଁ କିଓ !
ମୋ ଅହଂକୁ ବାଧା ହେଲା ।ମୁଁ ଭାବିଲି, ହଇରେ ସାଧାରଣ ଜୀବ, ତୋର ଏଡେ ବହପ ! ହୁଁ ।ତଥାପି ଜ୍ଞାନୀମାନୀ ଜନ ନା ! କ୍ରୋଧ ଦେଖାଇବା ସୁନ୍ଦର ହେବନି ଭାବି,ଚୁ ଚୁ ଚୁ କରି ତାର ଦୃଷ୍ଟି ଆକର୍ଷଣ କରିବାର ଅପଚେଷ୍ଟା କଲି ।ସିଏ କାଇଁ ହଲିବ ! ଓଲଟି ଏକ ବକ୍ର, ଉଦାର, କ୍ଷମାଶୀଳ ଚାହାଣୀ ଜାଚିଦେଇ ମୁହଁ ବୁଲେଇ ନିଜ କୋଡ ଭିତରେ ଶୋଇଗଲା ।ସିଏ ବି ଆଖି ମୁଦି ।ମୁଁ ରୁଟି ତକ ଛିଣ୍ଡେଇ ତା' ସାମ୍ନା ଚଟାଣରେ ରଖିଦେଲି ।ଭାବିଲି ଘ୍ରାଣେନ୍ଦ୍ରିୟ ତାର କମାଲ ଦେଖେଇବ ଆଉ ମୋ ଇଚ୍ଛାର ସମ୍ମାନ ରହିଯିବ ।ହେଲେ ......
ତାର ଚାହାଣୀ କିନ୍ତୁ ଜଣେଇଦେଲା, "ଉଠ ହେ ! ଯାଅ ଏଠୁ ।କାଇଁ ମାଗଣାଟାରେ ଏ ଶୁଖିଲାମୁଖିଲା ଝଡା ବଳକା ଧରି ବିଜେ କଲ ? ଆମର ଏ ସବୁ ଚଳେନି । ପୋଷାଏନି ।ରଖ ତମ ଅଦିନିଆ ସୋହାଗପଣିଆ ।ସୁଖନିଦ୍ରାରେ ଆଉ ବିଘ୍ନ ନକରି ନିଜ ମଣିଷପଣିଆ ଧରି ଲେଉଟିଯାଅ ।ହଟା ସାବନ କି ଘଟା ।"
ମୁଁ କୋଉ ଛାଡିବା ଜନ୍ତୁ ।ସେତବେଳକୁ ଆଉ ଚାରିହଳ ଆଖି ମୋ ଉପରେ ନିବନ୍ଧ ହେଲାଣି ।ମୁଁ ଯୋଉ ବିରାଟ ଦର୍ପିଳ ଛାତିନେଇ ଓହ୍ଲାଇ ଥିଲି ସେଇଟି ସିକୁଡିକାଙ୍କୁଡି ଚାରିଣି ଠା ହେଇଗଲାଣି ।ମୋ ଆକାର ସେଇ ଜୀବଟି ଆଗରେ ତୁଚ୍ଛ ମଳିନ ଦିଶିଲାଣି ।କେମିତି ଫେରିଯିବି ଭଲା ! ଏଥର ସମ୍ଭବତଃ ଅତ୍ୟଧିକ ବିନମ୍ର, କୋମଳ ଓ ଧିର ଅନୁନୟ ସ୍ୱରରେ ମୁଁ କେବଳ ତାରି ଝୁଲାଲହକା କାନକୁ ଶୁଭିଲା ପରି କହିଲି, "ଖାଇଦେ ଧନ,କିଛି ନହେଲେ ଶୁଘିଂଦେଇ ଖାଲି ଟୁକୁଡାଏ ଚାଟିଦେ ।ହଉ ରେ ! କୁଆଡେ କି ଭାବନାରେ ହଜିଛୁ ଯେ ତତେ ଅନ୍ନ ରୁଚୁନି ।ମୋ ଇଜ୍ଜତ କଥା ତିଳେ ଭାବେ ।"
ବ୍ୟସ୍ତ ବିରକ୍ତ ମିଶା ଚାହାଣୀରେ ଦୟାଳୁ ଜୀବଟି ଉତ୍ତର ରଖିଲା,
"ମୋର ଇଚ୍ଛା ହେଲା ମୁଁ ହଜିଗଲି,
ମୋର ପୁଣି ଇଚ୍ଛା ବୋଲି କିଛି ଗୋଟେ ଅଛି କି ନା ।ଯାଅ ଅଯଥା ମତେ ମୋର ଦନ୍ତପ୍ରୟୋଗେ ବାଧ୍ୟ କରନା ।ଶୋଇବାକୁ ଦିଅ । "
ମୋ ଭିତରୁ ଶୁଭୁଥିଲା, " କୁଁ, କୁଁ,କୁଁ "
କୁକୁର ପାଦରେ ସାଇକେଲ ଚକ ମାଡିଚଡିଗଲା ପରି ।
କୋଉପଟିଆ ବୁଲିଲି ଆଉ କେମିତି ଘରେ ପହଞ୍ଚିଲି ଭାବୁଛି ।
