Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Bismita Sahoo

Inspirational

5.0  

Bismita Sahoo

Inspirational

କୁଆଁର ପୁନେଇଁ ଜହ୍ନ ଗୋ ------

କୁଆଁର ପୁନେଇଁ ଜହ୍ନ ଗୋ ------

7 mins
470


ଲିଜା, ପିଜା ଦୁଇ ଭଉଣୀ। କଣ କହିଲେ ପିଜା କଣ କାହାର ନାଁ ଥାଏ। ହଁ ଆପଣ ଠିକ୍ କହିଛନ୍ତି। ଆମ ଲିଜା, ସେ ମିଶ୍ର ବାବୁଙ୍କ ବଡ଼ ଝିଅ ମ। ସେ ଛୋଟ ଥିଲାବେଳେ ତା ବାପା ଶରତ ମିଶ୍ର ଓ ତା ମା ରାଧା ଦେବୀ ଉଭୟ ଆଉ ଛୁଆ କରିବେନି ବୋଲି ନିଷ୍ପତ୍ତି ନେଇଥିଲେ। ଏଇ ଗୋଟିଏ ଛୁଆରେ ହିଁ ସେମାନେ ଖୁସି। ଏଇ ଗୋଟିକୁ ମଣିଷ କରିବେ। କ୍ଲର୍କ ଚାକିରୀ। ଅଳପ ଧନ, ବିକଳ ମନ। 

   ହେଲେ ଏ ଲିଜା ଖଣ୍ଡିକ କଣ ରଖେଇ ଦେଲା। ରାକ୍ଷୀ ଆସିଲେ କହିବ ମୋ ଭାଇ କାଇଁ? ମୁଁ କାହା ହାତରେ ରାକ୍ଷୀ ବାନ୍ଧିବି? ଜହ୍ନି ଓଷାରେ କହିବ ମୋ ଭଉଣୀ କାହିଁ? ମୁଁ କାହା ସହ ମିଶି ଓଷା କରିବି, ଚାନ୍ଦ ଖାଇବି? ଖୁଦୁରୁକୁଣୀରେ କହିବ, ମୋର ଭାଇ- ଭଉଣୀ ଉଭୟ ଦରକାର। ଭାଇ ପାଇଁ ମୁଁ ଓଷା କରିବି ଆଉ ମୋ ସାନ ଭଉଣୀ ଓ ମୁଁ ଦୁହେଁ ମିଶି ଭାଲୁକୁଣି ପୂଜା କରିବୁ। ରାତିରୁ ଉଠି ଫୁଲ ତୋଳିବୁ, ଭୋଗ ସଜାଡ଼ିବୁ, ପୂଜା କରିବୁ,ଦୁହୁଡ଼ି ଜାଳିବୁ।

      ଇଏ କି ଆଚମ୍ବିତ କଥା? ଭାଇ ଭଉଣୀ ଦି ଟା ଯାକ କିପରି ମିଳିବ? ସେଠୁ ପୁନର୍ବାର ନିଷ୍ପତ୍ତି ନିଆଗଲା ଭାଇ ବା ଭଉଣୀ ଯାହା ବି ଗୋଟିଏ ଆସୁ। ଠିକ୍ ବର୍ଷେ ପରେ ଲିଜା ପିଜା ଖାଉଥିଲା ବେଳେ ଘରୁ କୁଆଁ କୁଆଁ ଶବ୍ଦ ଶୁଣି ସେ ଦୌଡ଼ି ଗଲା। ଛୋଟ କଅଁଳା ଛୁଆ ପାଟିରେ ପିଜା ଦେଇ ତା ନାଁ ପିଜା ରଖିଲା। 


    ପିଜା ଲିଜା ବିନା କୁଆଡ଼େ ଯାଏନା। ସତେ ଯେମିତି ଦୁଇଟି ଶରୀର, ଗୋଟିଏ ଆତ୍ମା। ଦୁଇ ଭଉଣୀ ଭିତରେ ପିଜା ଭାରି ଫୁଲେଇ। ଖାଲି ଡଗଡଗ ହେଇ କଥା କୁହେ। ଲିଜା ଯେତିକି ବଡ଼ ହେଲା ତା ଭିତରେ ପିଜା ପାଇଁ ସେତିକି ସ୍ନେହ, ସରାଗ ଖୁନ୍ଦି ହେଇଗଲା। ପିଜା ର ସେ ଗୋଟିଏ କୁନି ମା ପାଲଟି ଯାଇଥିଲା। ଯେତେବେଳେ ଦେଖିବ ଲିଜାର ପିଜା କଣ ଖାଇବ, କଣ ପିନ୍ଧିବ ସେଥିରେ ନିଘା।

      ସମୟର ଚକ ଆଗକୁ ଆଗକୁ ଗଡ଼ି ଚାଲୁଥାଏ। ପିଜାକୁ ପଢେଇବାକୁ ଜଣେ ଟ୍ୟୁସନ ସାର୍ ଆସିଲେ। ସେ ଖୁବ୍ ସୁନ୍ଦର ଗଣିତ ପଢ଼ାନ୍ତି। ପିଜା ଗଣିତରେ ଅତି ମାତ୍ରାରେ ଦୁର୍ବଳ। ସେଥିପାଇଁ ଲିଜା ଖୋଜି ଖୋଜି ଆର ସାହିର ପ୍ରଧାନ ବାବୁଙ୍କ ପୁଅ ଯିଏ କି ପାଖ କଲେଜରେ ଗଣିତ ଅଧ୍ୟାପକ ଅଛି ତାକୁ ନେଇ ଆସିଛି। ପିଜା ଭାଷାରେ ଗଣିତ ପାଠ ହେଉଛି ଏକ ଡ୍ରାଏ ସବଜେକ୍ଟ। ଯେଉଁଥିରେ ସାହିତ୍ୟ ପରି ରସ ଅଛି ନା ବିଜ୍ଞାନ ପରି ନୂଆ ନୂଆ ଜିନିଷ ଜାଣିବାର ତଥ୍ୟ ଭରି ରହିଛି। ଏଇଟା ଏମିତି ଏକ ଶୁଖିଲା ପାଠ ତାକୁ ଯିଏ ପଢ଼େ ବା ପଢାଏ ସିଏ କେବେ ବି ହସେନି। ତା ଆଖିରୁ ଖାଲି ନିଆଁ ଝୁଲ ବାହାରେ। ତାଙ୍କ ସ୍କୁଲ ସାର କୁହନ୍ତି 'ପୁଟ୍ ଦ ଫର୍ମୁଲା ଆଣ୍ଡ ଗେଟ୍ ଦ ଆନ୍ସର' . ଯଦି ଏହା ଏତେ ସହଜ ହେଇଥାନ୍ତା ତେବେ ତାକୁ ଏତେ ବଡ଼ ବଡ଼ ଥିଓରମ, ଡେରିଭେସନ ସବୁ ମନେ ରଖିବାକୁ ପଡ଼ନ୍ତାନି। ତେଣୁ ଗଣିତ ପ୍ରତି ପିଜାର ଖୁବ ଘୃଣା। ଲିଜା ଶତ ଚେଷ୍ଟା କରି ବି ଏ ବିଷୟ ପ୍ରତି ପିଜା ମନରେ ଉତ୍ସାହ ସୃଷ୍ଟି କରି ପାରିଲାନି। 


   କିନ୍ତୁ ଏବେ ଯେଉଁ ଗଣିତ ସାର ପିଜାକୁ ଘରେ ପଢ଼ାଉଛନ୍ତି ସେ ପିଜା ଯେତେ ଭୁଲ କଲେ ବି ତା ଉପରେ ରାଗନ୍ତିନି କି ତାକୁ ମାରନ୍ତିନି। ବରଂ ହସି ହସି କୁହନ୍ତି


- ବାଃ ଲିଜା! ତୁମେ ତ କୋଉ ମାଥମେଟିସିଆନରୁ କମ୍ ନୁହେଁ। ନିଜେ ନିଜେ ନିଜର ଗୋଟିଏ ଫର୍ମୁଲା ବନେଇ ଦେଉଛ। ହେଲେ ସେମିତି ନ କରି ଏମିତି କର।


 ଗଣିତ ସାର ହିସାବରେ ନା କେବେ ନାଲି ଆଖି ଦେଖାନ୍ତି, ନା କେବେ ତାକୁ କୁହନ୍ତି ତୋ ଦେଇ ପାଠ ହେବନି। ବରଂ ପ୍ରତିଟି ମୁହୂର୍ତ୍ତ ତୁ କରି ପାରିବୁ କହି ଉତ୍ସାହିତ କରନ୍ତି। ଧୀରେ ଧୀରେ ପିଜାର ଗଣିତ ପ୍ରତି ଭଲ ପାଇବା ଆସି ଗଲାଣି। ଗଲା ପରୀକ୍ଷାରେ ସେ ୧୦୦ରୁ ୬୭ ରଖିଥିଲା। ମୋହନସାର ଆସିବା ପୂର୍ବରୁ ସେ ସବୁ ପାଠ କରି ରଖିଥାଏ।ଯେଉଁ ପ୍ରଶ୍ନର ଉତ୍ତର ଆସେନି ତାକୁ ମୁଣ୍ଡୁଳି ବୁଲେଇ ରଖିଥାଏ। ସାର ଆସିଲା ମାନେ ତୁରନ୍ତ ପଚାରେ।


  ମିଶ୍ରବାବୁ ଝିଅର ପରିବର୍ତ୍ତନରେ ପୁରା ଖୁସି। ପିଜା ଦଶମ ବୋର୍ଡ ପରୀକ୍ଷା ଦେଇଛି। ଆଜି ତାର ଫଳ ବାହାରିବ। ସେ ଡରରେ ଭିତରୁ କବାଟ ବନ୍ଦ କରି ଶୋଇଛି। ଯିଏ ଯେତେ ଡାକିଲେ ଶୁଣୁନି। ତାର ଏକ ମାତ୍ର ଜିଦ୍। ତା ମୋହନ ସାର ଆସିଲେ ସେ ରେଜଲ୍ଟ ଦେଖିବ। ଲିଜା ଖବର ଦେବାରୁ ମୋହନ ସାର୍ ହାଜର ହେଲେ ଓ ହସି ହସି କହିଲେ ଯେ ପିଜା ୮୭% ମାର୍କ ଆଣିଛି। ପିଜା ଏହା ଶୁଣି କବାଟ ଖୋଲି ସାରଙ୍କ କାନ୍ଧରେ ଓହଳି ସାରଙ୍କୁ ଗେଲ କରି କହିଲା


- ମୋହନ, ତୁମ ଲାଗି ଏତେସବୁ ସମ୍ଭବ ହେଲା। ନଚେତ ମୋ ପରି ଗଧ ପିଲା କଣ କେବେ ଏତେ ମାର୍କ ରଖିପାରିଥାନ୍ତା? ଏହା କହି ସାରଙ୍କ ଗାଲରେ ଗୋଟାଏ ଚୁମା ଦେଇଦେଲା। 


    ଅଚାନକ ବିନା ଝଡ଼ ତୋଫାନରେ ସତେ ଯେମିତି ପ୍ରଳୟ ଆସିଗଲା। ସଭିଏଁ ସ୍ତବ୍ଧ। କେହି ନିଜ ଆଖି ଓ କାନକୁ ବିଶ୍ୱାସ କରିପାରୁନଥାନ୍ତି। ବିଶେଷ କରି ଲିଜା। ତା ଗେହ୍ଲି ଭଉଣୀ , ତା ନୟନର ପିତୁଳି, ତା ଅନ୍ଧ ଲଉଡ଼ି, ତା ଜୀବନଧନ ଯେ ତା ସହିତ ଏପରି ଦାଉ ସାଧିବ ସେ କେବେ ଭାବି ନଥିଲା। ଲିଜାର ପାଦ ତଳୁ ମାଟି ଖସିଗଲା। ତାର ହିଁ ସବୁ ଭୁଲ। ସେ ମୋହନକୁ ଜବରଦସ୍ତି ପିଜାକୁ ପଢେଇବା ପାଇଁ ନେଇ ଆସିଥିଲା। ମୋହନ କେତେ ନାଇଁ ନାଇଁ କରୁଥିଲେ। ସେ କିନ୍ତୁ ଶୁଣି ନଥିଲା। ନିଜେ ଜାଣିଶୁଣି କୁରାଢ଼ୀରେ ନିଜକୁ ଚୋଟ ମାରିଛି। 

    ମୋହନ ଓ ଲିଜା ପରସ୍ପରକୁ ଅନାବିଳ ଭାବେ ଭଲ ପାଆନ୍ତି। ଏବେ କଣ ହେବ ସେମାନଙ୍କ ଭବିଷ୍ୟତ? ସେମାନଙ୍କ ଭଲ ପାଇବା ବିଷୟରେ ଘରେ କହିବା ପୂର୍ବରୁ ସେ ଚାହୁଁଥିଲା ସମସ୍ତେ ମୋହନଙ୍କୁ ଚିହ୍ନନ୍ତୁ। ତାଙ୍କୁ ପସନ୍ଦ କରନ୍ତୁ, ଯେପରିକି ପରେ ତାଙ୍କ ବିବାହ ପାଇଁ କେହି ଆପତ୍ତି କରିବେନି। ବିଶେଷ କରି ତା ହୃଦୟ ଟୁକଡା ପିଜା। ପିଜା ଯଦି ମୋହନଙ୍କୁ ପସନ୍ଦ କରିନିଏ ତେବେ ସୁବିଧା ଦେଖି ସେ ତା ମନ କଥା ବାପା ମାଙ୍କୁ ଜଣେଇଦେଵ। ଏମିତିରେ  ତା ମା ବାପା ମୋହନଙ୍କୁ ଖୁବ ଭଲ ପାଆନ୍ତି। ପୁଅ ପରି ସ୍ନେହ କରନ୍ତି। ସେ ଦୁହେଁ ମୋହନ ଉପରେ ଖୁବ୍ ପ୍ରୀତ। ସବୁ ଠିକ ଚାଲିଥିଲା, କିନ୍ତୁ ହଠାତ୍ ଏସବୁ କଣ ହେଇଗଲା। 


    ଲିଜାର ବାହାଘର ଦେଖା ଚାଲିଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ ଜଣେ ଇଂଜିନିୟରଙ୍କ ସହିତ ଲିଜାର ବାହାଘର କରିବାକୁ ଶରତବାବୁ ମନସ୍ଥ କରିଛନ୍ତି। ଆଗାମୀ କୁମାର ପୂର୍ଣ୍ଣିମା ଦିନ ମୁଦି ପିନ୍ଧା କାମଟି ସାରି ଦେଇଥାନ୍ତେ। ହେଲେ ସାନ ଝିଅର ଏପରି ବାଚଳାମି ଦେଖି ତାଙ୍କ ମୁଣ୍ଡ କାମ କରୁନଥିଲା। 

    ସେ ଢୋ କିନା ପିଜା ଗାଲକୁ ଚଟକଣି ଟିଏ କଷି ଦେଲେ। ପିଜା ରାଗିଯାଇ ଚିଲ୍ଲେଇ ଚିଲ୍ଲେଇ ମୋହନଙ୍କୁ କହିଲା


- ଆଇ ଲଭ୍ ୟୁ ମୋହନ। ସତରେ କଣ ତୁମେ ମୋତେ ଭଲ ପାଅନି? ଯଦି ଭଲ ନ ପାଅ ତେବେ ଦି ଦିନ ତଳେ ମୋତେ ନାଲି ଗୋଲାପଟିଏ କାହିଁକି ଦେଇଥିଲ? ମୁଁ ଗଧ ବୋଲି ଜାଣି ମୋତେ କେହି ପଢେଇବାକୁ ରାଜି ହେଉ ନଥିଲେ ତୁମେ କେମିତି ଜଣେ ଅଧ୍ୟାପକ ହେଇ ଏ ଗଧକୁ ପଢେଇଲ? ମୋହନ ଡରନି। ସତ କୁହ।

ଏହା କହି ପିଜା ମୋହନକୁ କୁଣ୍ଢେଇ ପକେଇଲା। ମୋହନ ପିଜାକୁ ନିଜଠାରୁ ଛିଞ୍ଚାଡି ଦେଇ କହିଲେ 


- ମୁଁ ତୁମକୁ ମୋ ସାନ ଭଉଣୀ ପରି ଦେଖେ। ମୋର ଯଦି କୌଣସି ବ୍ୟବହାର ପାଇଁ ତୁମ ମନରେ ଏପରି ଆଶା ସଞ୍ଚାର ହେଇଛି ତେବେ ମୁଁ କାନ ଧରି ଭୁଲ ମାଗୁଛି। ସେ ନାଲି ଗୋଲାପ ମୁଁ ପ୍ରକୃତରେ ତୁମ ପାଇଁ ଆଣିନଥିଲି। ତୁମେ ମାଗିଲ ବୋଲି ଦେଇଦେଲି। ମୋତେ କ୍ଷମା କରିଦିଅ।


  ଯିଏ ଯେତେ ବୁଝେଇଲେ ବି ପିଜା ମାନିବାକୁ ନାରାଜ। ସେ ମୋହନଙ୍କୁ ପ୍ରେମ କରେ। ତାଙ୍କୁ ବାହା ହେବାକୁ ଚାହେଁ। ମୋହନ ଯଦି ତା କଥାରେ ରାଜି ନ ହୁଅନ୍ତି ତେବେ ସେ ଆତ୍ମହତ୍ୟା କରିଦେବ। ସେ ଜାଣେ ତା ବାପା ମା ତା ବାଟରେ ପ୍ରତିବନ୍ଧକ ସାଜି ପାରନ୍ତି କିନ୍ତୁ ତା ଲିଜା ଦିଦି ତା କଥାରେ ନିଶ୍ଚୟ ଏକମତ ହେବ। ସେ ଲିଜାଦିଦିଠାରୁ ଉତ୍ତର ଚାହୁଁଥିଲା।

  

   ହେଲେ ଲିଜା ବାକ୍ ଶୁନ୍ୟ ଥିଲା। ସେ ଜୀବନର ଦୋ ଛକିରେ ଛିଡ଼ା ହେଇଥିଲା। ଏପଟେ ମୋହନ, ଯାହାକୁ ସେ ଅନ୍ତର ଦେଇ ଭଲ ପାଏ, ସେ ପଟେ ପିଜା ଯିଏକି ତାର ମନ, ଶରୀର, ଆତ୍ମା ସବୁକିଛି। ଶରତବାବୁ ଓ ତାଙ୍କ ପତ୍ନୀ ପ୍ରସ୍ତରମୂର୍ତ୍ତି ପରି ଠିଆ ହେଇଥାନ୍ତି। ଏଡ଼ିକିଟେ ଛୁଆ। ପନ୍ଦର ବର୍ଷ ବି ପୁରିନି , କହୁଛି ମୋହନକୁ ବାହା ନହେଲେ ଜୀବନ ହାରି ଦେବି। ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ଆଖିରୁ ଅବାରିତ ଅଶ୍ରୁ ବହି ଚାଲିଥାଏ।


 ଲିଜା ଥରେ ମୋହନକୁ ଓ ଥରେ ପିଜାକୁ ଚାହିଁଲା। ପିଜାର ପ୍ରତ୍ୟେକଟି ଚାହିଦା ସେ ପିଲାଦିନୁ ପୂରଣ କରି ଆସିଛି। ସେ ହିଁ ଜିଦ୍ଦି କରି ପିଜାକୁ ଏ ଦୁନିଆକୁ ଆଣିଛି। ପିଜାର ପ୍ରତ୍ୟେକଟି ଆବଶ୍ୟକତା ପୂରଣ କରିବା ପାଇଁ ଆଜି ଯାଏ ଅହରହ ଚେଷ୍ଟା କରିଛି। ତା ସହିତ କୁଆଁର ପୁନେଇଁରେ ଚାନ୍ଦ ଖାଇଲା ବେଳେ ସେ ଜହ୍ନକୁ ଦେଖି ତା ପିଜା ପାଇଁ ଏମିତିଆ ସୁନ୍ଦରିଆ ବରଟିଏ ଖୋଜି ଆଣିବ ବୋଲି ମନକୁ ମନ ପ୍ରତିଜ୍ଞା ନେଇଛି। ଆଜି ଯେତେବେଳେ ପିଜା ତା ପାଇଁ ବର ଖୋଜିଛି, ମନରେ ଆଶା ରଖିଛି ଦିଦି ନିଶ୍ଚୟ ତା କଥାକୁ ସମର୍ଥନ କରିବ ତେବେ ସେ କାହିଁକି ପଛଘୁଞ୍ଚା ଦେବ। ସେ ପିଜାକୁ ଛାତି ଉପରକୁ ଭିଡ଼ି ନେଇ କହିଲା


- ଆରେ ପାଗେଳୀ, ଆଗ ପାଠ ପଢ଼ି ନିଜ ଗୋଡ଼ରେ ନିଜେ ଠିଆ ହୁଅ। ମୁଁ କଥା ଦେଉଛି ତୋ ବାହାଘର ବୟସ ହେଲେ ମୁଁ ନିଶ୍ଚୟ ତୋ ବାହାଘର ମୋହନ ସହିତ କରିଦେବି।


- କୁଆଁର ପୁନେଇଁ ତିଥିରେ ମୋ ବାହାଘର ଦିଦି ତୁ କରିବୁ। ସେଦିନ ଭଲ ବର ପାଇବା ପାଇଁ ଅଭିଆଡ଼ି ମାନେ ଜହ୍ନକୁ ପୂଜା କରନ୍ତି। 


ଉତ୍ଫୁଲ୍ଲିତ ହେଇ ପିଜା କହିଲା।


- ଆରେ ହଁ। ମୁଁ କଥା ଦେଲି ପରା ତୁ ଯାହା କହିବୁ ସେୟା ହିଁ ହେବ। 


  ଲିଜା ମୁହଁରୁ ଏପରି ଶୁଣି ମୋହନ ନିଜକୁ ସମ୍ଭାଳି ପାରିଲାନି। ସେ ମିଶ୍ରବାବୁଙ୍କ ଗୋଡ଼ ତଳେ ପଡ଼ି କହିଲା


- ଆଜ୍ଞା ମୋତେ ବଞ୍ଚାନ୍ତୁ। ମୁଁ ପିଜାକୁ ବିବାହ କରି ପାରିବିନି। 


- ତୁମେ ଏପରି ବ୍ୟସ୍ତ ବିବ୍ରତ ହୁଅନି । ଲିଜା ଠିକ୍ କହିଛି। ପିଜା ଟିକେ ବଡ଼ ହେଇଯାଉ, ତା ପରେ ତୁମ ଦୁହିଁଙ୍କ ବାହାଘର କଥା ବୁଝିବା।


ମିଶ୍ରବାବୁଙ୍କ ଠାରୁ ଏପରି କଥା ଶୁଣି ମୋହନ ନିଜକୁ ଆଉ ରୋକି ପାରିଲାନି। ଲିଜା ହାତକୁ ଟାଣି ଆଣି କହିଲା

- ଲିଜା ତୁମେ ତୁମ ମା ବାପାଙ୍କୁ ସବୁ ସତ କହିବ ନା ମୁଁ ମୋ ଜୀବନ ହାରିଦେବି। 


- ଆରେ ଲିଜା ପୁଣି ଆମଠୁ କିଛି ଲୁଚେଇଛି ନା କଣ ? ଏ ଦୁଇ ଭଉଣୀ ମୋତେ ବାୟା କରିଦେବେ।


ଏହା କହି ଧଡମ କରି ମିଶ୍ରବାବୁ ତଳେ ବସି ପଡିଲେ। ଲିଜା ମୁହଁ ତଳକୁ କରି ଧୀର ଭାବରେ କହିଲା


- ବାପା, ମୁଁ ଓ ମୋହନ ପରସ୍ପରକୁ ଖୁବ୍ ଭଲ ପାଉ। 


  ଶରତ ବାବୁଙ୍କର ମୁଣ୍ଡ କିଛି କାମ କରୁନଥିଲା। ସେ ଅତି ବିକଳରେ ଲିଜା ମୁହଁକୁ ଚାହିଁ ରହିଲେ। ଗୋଟାଯାକ ଆକାଶ ଯେମିତି ତାଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା। ସେ ବଡ଼ ଝିଅକୁ ସମର୍ଥନ କରିବେ ନା ସାନ ଝିଅ କଥାରେ ରାଜି ହେବେ ଭାବି ପାରୁନଥିଲେ। ତାଙ୍କ ସ୍ତ୍ରୀ ପାଟିରେ କାନି ଗୁଞ୍ଜି ରାହା ଧରି କାନ୍ଦୁଥାନ୍ତି।


ପିଜା ଲିଜାର ହାତ ଟାଣି ଆଣି ମୋହନ ହାତରେ ଦେଇ କହିଲା


- ବାବା ଦେଖିଲ, ପୁରା ସୀତାରାମ ଯୋଡ଼ି ନା? 


- ଆରେ ଏ କି ନାଟକ ପୁଣି ତୋର ଆରମ୍ଭ ହେଲାଣି? 


ମିଶ୍ରବାବୁଙ୍କ କଥା ଶୁଣି ପିଜା କହିଲା


- ବାବା, ମୁଁ ଜାଣେ ମୋ ଲିଜା ଦିଦି ଖୁବ୍ ମହାନ। ଛୋଟ ବେଳୁ ମୋ ସହିତ ଖେଳନା ଭାଗ କରୁ କରୁ ଏବେ ନିଜ ଜୀବନସାଥିକୁ ବି ମୋ ସହିତ ଭାଗ କରିବାକୁ ବସିଲାଣି। ଲିଜାଦିଦି ଓ ମୋହନ ଭାଇଙ୍କ ଭଲ ପାଇବା କଥା ମୁଁ ଆଗରୁ ଜାଣିଛି। ସେମାନେ ଲୁଚିକି କଥା ହେଲାବେଳେ ମୁଁ ଶୁଣି ଦେଇଛି। ସେ ନାଲି ଗୋଲାପଟି ମୋହନ ଭାଇ ଲିଜା ଦିଦି ପାଇଁ ଆଣିଥିଲେ। ମୋତେ ଦେଖି ଡରରେ ମୋ ହାତରେ ଦେଇ ଦେଇଥିଲେ। ତୁମେ ଦିଦି ବାହାଘର ଠିକ୍ କରୁଛ ବୋଲି ଜାଣି ସେ ପ୍ରତିଦିନ ଅଧରାତିରେ ଉଠି ବହୁତ କାନ୍ଦୁଛି। ହେଲେ ତୁମକୁ ସାହସ କରି କିଛି କହି ପାରୁନି। ତା ଆଗରେ ତା ପରିବାର ସମସ୍ତଙ୍କଠୁ ବଡ଼। ସେ ତୁମ ଆଖିରେ ଦୁଃଖ ଦେବନି ବୋଲି ତୁମକୁ ତା ଭଲ ପାଇବା କଥା ଜଣେଇ ପାରୁନି। ଆଉ ଆମ ମୋହନ ଭାଇ ସେ ତ ଆହୁରି ଡରକୁରା। ଦିଦି କଥାରେ ଉଠ ବସ ହୁଅନ୍ତି। କାହାକୁ ତ ସାହସ କରି ସବୁ କଥା କହବାକୁ ପଡ଼ିବ। ମୁଁ ଚାହିଁଥିଲେ ତମକୁ ସବୁ ଆଗରୁ କହି ପାରିଥାନ୍ତି। ହେଲେ ମୁଁ ଚାହୁଁଥିଲି ଦିଦି ଓ ମୋହନ ଭାଇ ନିଜ ଭଲ ପାଇବା କଥା ନିଜେ ସ୍ୱୀକାର କରନ୍ତୁ। ସେଥିପାଇଁ ମୁଁ ଏ ନାଟକ କଲି। ଏଥର କୁମାର ପୂର୍ଣ୍ଣିମା ଆସିଲେ ଦିଦିର ନିର୍ବନ୍ଧ ନୁହେଁ ସିଧା ବାହାଘର କରିଦେବା। ଆମେ ଦୁଇ ଭଉଣୀ ଶେଷ ଥର ପାଇଁ ଗାଇବୁ କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ। 


 ପିଜାର କଥା ଶୁଣି ଶରତବାବୁଙ୍କ ପରିବାର ହସି ଉଠିଲା। ମୋହନ ପିଜା ଗାଲ ଥାପୁଡ଼େଇ ଦେଇ କହିଲେ ଶାଳୀ ସାହିବା ଏବେଠାରୁ ଭିଣୋଇଙ୍କ ସହ ଥଟ୍ଟା ମଜା ଆରମ୍ଭ କରିଦେଲେଣି।

ଶରତବାବୁ ଓ ତାଙ୍କ ପତ୍ନୀଙ୍କ ଆଖିରୁ ବହୁଥିଲା ଆନନ୍ଦାଶ୍ରୁ। ଦୁଇ ଝିଅ ଓ ଭାବି ଜ୍ୱାଇଁକୁ ଦୁହେଁ କୁଣ୍ଢେଇ ପକେଇଲେ।



Rate this content
Log in

More oriya story from Bismita Sahoo

Similar oriya story from Inspirational