Lipi Sahoo

Inspirational

4.5  

Lipi Sahoo

Inspirational

କଟିଂ ଚା

କଟିଂ ଚା

8 mins
265


ବସ୍ ଠିକ୍ ଭୋର ଚାରିଟା ବେଳେ ଫୁଲବାଣୀ ବସଷ୍ଟାଣ୍ଡ ରେ ପହଞ୍ଚିଗଲା । ଚାରିଆଡ଼େ କିଟାକିଟ ଅନ୍ଧାର । ଡିସେମ୍ବର ମାସର ହାଡ଼ଭଙ୍ଗା ଶୀତ । ସମ୍ବିତ ସାଲ୍ କୁ ଭଲକି ଘୋଡେ଼ଇ ହେଇ ଆଟାଚି ଓ ବେଡିଂ ଧରି ତଳକୁ ଓହ୍ଲେଇଲା । ଓଃ !! କି ଶୀତ , ଦେହ ପୂରା କାଲୁଆ ମାରିଗଲା । ଗାଡି ଭିତରେ ଏତେ ଜଣା ପଡୁ ନଥିଲା । ଚାରିଆଡକୁ ଅନେଇଲା । କିଛି ଦୂରରେ ଗୋଟିଏ ଗୁମୁଟି ଦୋକାନ । ତା'ରି ଆଗରେ ନିଆଁ ଜଳେଇ କିଛି ଲୋକ ବସି ନିଆଁପୁଉଁ ଥାଆନ୍ତି ଆଉ ଚା ପିଉଥାଆନ୍ତି । ସେ ସେଇ ଆଡେ ମୁହେଁଇଲା ।

                     ସତରେ ସେ ବହୁତ ଖୁସିଥିଲା । ନୂଆ ସରକାରି ଚାକିରୀ ପାଇ । ଘରେ ଟେକେ ଅସନ୍ତୁଷ୍ଟ ଥିଲେ , ଏତେ ଦୂରରେ ପୋଷ୍ଟିଂ ନେଇ । ହେଲେ ସମ୍ବିତ ବହୁତ ଖୁସି ଥିଲା । ଫୁଲବାଣୀ ର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ବହୁତ ଶୁଣିଥିଲି ହେଲେ କେବେ ଦେଖିବାର ସୁଯୋଗ ପାଇ ନଥିଲି । ତେଣୁ ବହୁତ ଉତ୍ସାହିତ ଥିଲି । ହଁ ଘରକୁ ଯିବା ଆସିବାରେ ଟିକେ କଷ୍ଟ ପଡ଼ିବ ହେଲେ ଏମିତି ଏକ ଯାଗାରେ ରହିବାକୁ ତା'ର ବହୁତ ଇଚ୍ଛା ଥିଲା । ଆଜି ପର୍ଯ୍ୟନ୍ତ ଧୂଳିଧୂଆଁ ଭର୍ତ୍ତି କଂକ୍ରିଟ ସହରରେ ରହି ରହି ସହର ପ୍ରତି ତା'ର ମୋହ କମି ଯାଇଥିଲା । ସେ କିଛି ଦିନ ଏମିତି ନିରୋଳା ପ୍ରକୃତି କୋଳରେ କଟେଇବାକୁ ଚାହୁଁଥିଲା । ଶାନ୍ତ ସବୁଜ ବନାନୀ , ଧ୍ୟାନରତ ନଭଶ୍ଚୁମ୍ବି ପର୍ବତମାଳା ସହ ସହଜ ସରଳ ମଣିଷ ଆଜିକାଲି ଖୁବ୍ ଦୁର୍ଲଭ । 

                 ଧୀରେଧୀରେ ଆଗକୁ ବଢିଲା । ନିଆଁପୁଁ ଥିବା ଲୋକମାନେ ତାକୁ ବୁଲି ଅନେଇଲେ । ବାବୁ ଏଇଠି ବସ , ସବୁ ଟିକେ ଟେକେ ଘୁଞ୍ଚିଗଲେ । ଗୁମୁଟି ଭିତରକୁ ଯାଇ ସେ ତା'ର ଜିନିଷ ସବୁ ଗୋଟିଏ କୋଣରେ ରଖିଦେଲା । ଗୁମୁଟି ଭିତରେ ବସିଥିବା ୨୨/୨୩ ବର୍ଷ ର ଯୁବକ ଟିଏ ଫାକକିନା ହସି ପକେଇଲା । ଓଃ !! କି ସରଳ ହସ ଆଉ କେତେ ଆତ୍ମୀୟତା ତା ଭାବରେ । କାହିଁକି କେଜାଣି ଖୁବ୍ ନିଜର ନିଜର ମନେ ହେଲା ।

                ବାବୁ କି ଚା ପିଇବେ ? କ୍ୟାଟ୍ରିନା .. ନା କରୀନା ...ନା ମାଧୁରୀ କଟିଂ ଚା ? ୟେ ସବୁ ମସଲାଦାର ଚା । ଗୋଲମରିଚ , ଅଳେଇଚ , ଲବଙ୍ଗ , ଗୁଜୁରାତି , ତେଜପତ୍ର ଆଦି ଗୁଣ୍ଡ ଆଉ ଅଦା ଛେଚା ପଡ଼ି ହୁଏ । ହରେକୃଷ୍ଣ ଚା ବି ଅଛି ତୁଳସୀ ପତ୍ର ପକେଇ କି ହେବ ।                 

                ଚା ର ଏମିତି ନାଁ ସବୁ ଶୁଣି ଖୁବ୍ ହସ ମାଡ଼ିଲା । ଆପଣ ତ ଏଠି ନୂଆଁ ବୋଧେ । ୟେ ସବୁ ଜାଣି ନଥିବେ । ମୁଁ ମୋର ସ୍ପେଶାଲ ମସଲା ଚା ଦେଉଚି ପିଅନ୍ତୁ । ଶୀତ ଯୋଗୁଁ ଦୋକାନ ଭିତରେ ଆଉ ବେଶୀ ସମୟ ଠିଆ ହେଇ ରହି ପାରିଲାନି । ନିଆଁ ପାଖରେ ଆସି ବସିଲା । ସମସ୍ତ ଙ୍କ ମୁହଁ ମଫଲରରେ ଘୋଡେଇ ହେଇ ରହିଥାଏ , ତେଣୁ ଭଲରେ ଦିଶୁ ନଥାଏ ।

                

        ଜଣେ ପଚାରିଲେ ଆଜ୍ଞା ! କୋଉଠୁ ଆସିଲେ ? ଏଠିକି ବୁଲାବୁଲି କରିବାକୁ ଆସିଛନ୍ତି ନା କାମରେ ?

                 ମୋର ଏଠି ପୋଷ୍ଟଂ ହେଇଛି । ପିଏଚଡ଼ି ଅଫିସ୍ ରେ ଜୁନିଅର ଇଂଜିନିୟର ଭାବେ ।                

       ଚା ଟା ମୋ ହାତକୁ ବଢ଼େଇ ଦେଇ ଦୋକାନୀ କହିଲା । ଏଇଠି ଅପେକ୍ଷା କରନ୍ତୁ , ଆଉ ଅଳ୍ପ ସମୟ ପରେ ବୋଧିଆ ତା'ର ରିକ୍ସା ନେଇ ଆସିବ । ସେ ଆପଣଙ୍କୁ ଅଫିସ୍ ରେ ଛାଡ଼ିଦେବ । ବେଶୀ ଦୂର ନୁହେଁ ।

               ମୁଁ ଆଗ ଆଇ.ବି କୁ ଯିବି ସେଠି ରହି । ପରେ ଅଫିସ୍ ଯିବି ।

               ଆଇ. ବି ସେଇ ପାଖରେ ଅଫିସ୍ ରୁ ଅଳ୍ପ ବାଟ । ସେ ସେଇଠି ଆପଣଙ୍କୁ ଛାଡି ଦେବ ।

                ଓଃ !! ଚା ଟା ଖୁବ୍ ଭଲ ହେଇଛି । ଏମିତି ଆଗରୁ କେବେ ପିଇନି । ଆଜି ଯାଏଁ ଜାଣିଥିଲି ମୋ ମାଁ ହିଁ ସବୁଠୁ ଭଲ ଚା ବନାନ୍ତି । 

              ବସିଥିବା ଲୋକଙ୍କ ଭିତରୁ ଜଣେ କହିଲେ , ଯେ ଚନ୍ଦୁର ହାତ ତିଆରି ଚା ଥରେ ପିଇଚି ତାକୁ ସବୁ ଚା ଫିକା ଲାଗିବ । ସକାଳ ହେଲେ ଦେଖିବେ ଏଠି କେତେ ଭିଡ଼ ଲାଗିବ । ଚନ୍ଦୁ ଟିକେ ମୁଣ୍ଡ କୁଣ୍ଡେଇ ହସିଦେଇ ଦୋକାନ ଭିତରକୁ ଗଲା । ଏଥର ସେ ବଡ଼ ଚୂଲିରେ ଆଞ୍ଚ ଧରେଇଲା ।


                ଧୀରେଧୀରେ ସିନ୍ଦୂରା ଫାଟି ଆସୁଥାଏ । ଗହଳ ଅନ୍ଧାର ଫିକା ପଡି ଆସିଲା । ଅନେକ ଚଢେଇ ମାନଙ୍କ କିଚିମିଚିରି ସ୍ୱର ସୁନ୍ଦର ଝଙ୍କାର ତୋଳୁଥାଏ । ଲମ୍ବା ଚଉଡା ରାସ୍ତା କଡରେ ଥିବା ବଡ଼ବଡ଼ ଗହଳିଆ ଗଛ ସବୁର ସବୁଜିମା ସହ ପତଳା କୁହୁଡି ଏକ ଅନନ୍ୟ କାନଭାସ୍ ପରି ଦୃଶ୍ୟମାନ ହେଉ ଥାଆନ୍ତି । ସମ୍ବିତକୁ ଲାଗୁଥିଲା ସେ ଯେମିତି ଏକ ସ୍ୱପ୍ନ ରାଇଜରେ ପହଞ୍ଚି ଯାଇଛି ଆଉ ସେଠି ସବୁ କିଛି ନିଆରା ।


              ଆଜ୍ଞା !! ଚନ୍ଦୁ ର ଡାକରେ ସେ ଚମକି ପଡ଼ିଲା । ବୋଧିଆ ରିକ୍ସା ନେଇ ଆସିଲାଣି । ଆପଣ ତା ସହ ଯାଆନ୍ତୁ । ସେ ଆପଣଙ୍କୁ ଆଇ.ବିରେ ଛାଡ଼ିଦେବ । ଏତିକି କହି ସେ ସମ୍ବିତ ର ଆଟାଚି ଆଉ ବେଡିଂ ନିଜେ ଉଠେଇ ରିକ୍ସା ରେ ରଖିଦେଲା । ସତ ଯେମିତି ନିହାତି ଆପଣାର । ସମ୍ବିତ କୁ ବହୁତ ଭଲ ଲାଗିଲା । ଜଙ୍ଗଲି ଲୋକମାନେ ଖୁବ୍ ଜଲଦି ଆପଣାର କରି ନିଅନ୍ତି । ଚା ପଇସା ବଢେଲା , ହେଲେ ସେ ମନା କରିଦେଲା । ଅତିଥି ଙ୍କ ଠାରୁ କ'ଣ ପଇସା ନିଆଯାଏ ?


                 ୟା ଭିତରେ କିଛି ଦିନ କଟିଗଲା କାର୍ଯ୍ୟ ରେ ବ୍ୟସ୍ତ ରହି ସେ ଚନ୍ଦୁ କଥା ପୂରାପୂରି ଭୂଲି ଯାଇଥାଏ । ସେ ସରକାରୀ କ୍ୱଟର ରେ ରହୁଥିଲା । ଦିନ ତମାମ କାମ ଆଉ କାମ ସେଥିରେ ପୁଣି ଟ୍ୟୁର ଏଇ ଭିତରେ ତା'ର ଜୀବନ ବନ୍ଧା ହେଇ ଯାଇଥାଏ । ତା'ପରେ ଫୁଲବାଣୀର ଯୋଉ ହାଡ଼ଭଙ୍ଗା ଶୀତ ସେଥିରେ ବୁଲାବୁଲି କରିବାକୁ ବି ସାହାସ ହୁଏନି । ହେଲେ ଦିନେ ରବିବାର ସକାଳୁ ଚାଲିଚାଲି ଯାଇ ଚନ୍ଦୁ ଦୋକାନ ରେ ପହଞ୍ଚିଲା । ଚନ୍ଦୁ ତାକୁ ଦେଖି ଭାରି ଖୁସି ହେଇଗଲା ।


               ଆଜ୍ଞା !! ଆପଣ ଏତେ ଦିନ ପରେ । ମୁଁ ତ ଭାବିଥିଲି ଆପଣ ମୋତେ ପୂରାପୂରି ଭୂଲି ଗଲେ ବୋଲି । ବସନ୍ତୁ !! ମୁଁ ଆପଣଙ୍କୁ ମାଧୁରୀ ଚା ପିଆଇବି । ଯୋଗକୁ ଆଉ କେହି ନଥିଲେ ସେଠି । ତା ସହ ଗପସପ କରିବାକୁ ସୁଯୋଗ ମିଳିଗଲା ।

               ମହମହ ଗୁଜୁରାତି ବାସ୍ନାବାଲା ଚା ଗିଲାସ ବଢେଇ ଦେଲା । ତା ବିଷୟରେ ଅଧିକ ଜାଣିବାର ଉତ୍କଣ୍ଠା କୁ ଆହୁରି ଦୁଇଗୁଣ କରିଦେଲା ସେଇ ଚା । 


              ଟିକେ ହାକିମୀଭରା କଣ୍ଠରେ ସମ୍ବିତ କହିଲା ଏଥର କିନ୍ତୁ ଚା ପଇସା ନେବ । ନହେଲେ ମାଗଣା ପିଇବା ଅଭ୍ୟାସ ରେ ପଡ଼ିଯିବ ।


              ସେଇ ମିଠାହସ । ଏଥର ନେବି ଆଜ୍ଞା । ମୁଁ ଏବେ ଆଳୁଚପ ପକଉଚି । ମୋ ଆଳୁଚପ ଚାଖନ୍ତୁ । କହି ଗରମ ତେଲରେ ଗଢା ଆଳୁଚପ ମେଞେ ପକେଇଲା । 


               ନିଶ୍ଚୟ ଖାଇବି । ମୋତେ ତୁମ ବିଷୟରେ କୁହ । କେବେଠୁ କେମିତି ଏ ଦୋକାନ କଲ ?


                 ସେ ଗୋଟେ ଇତିହାସ । ୟେ ଦୋକାନ ମୋ ବାପାଙ୍କର । ପ୍ରାୟ ପଚିଶଧ ବର୍ଷ ହେବ ଏଇ ଦୋକାନ କୁ । ମୋ ବାପାଙ୍କ ନାମ ରାଘବ ସାହୁ । ମୋ ଜେଜେ ଏଇଠି ଗୋଟେ ଛୋଟିଆ ସରକାରୀ ଚାକିରୀ କରିଥିଲେ । ତାଙ୍କର ତିନି ପୁଅଝିଅ । ଦୁଇ ଝିଅ ଗୋଟେ ପୁଅ । ମୋ ବାପା ବଡ଼ । ଯୋଗକୁ ମୋ ବାପା +୨ରେ ଫେଲ ହେଇଗଲେ । ଜେଜେ ବାପା ଙ୍କୁ ଖୁବ୍ ଗାଳିମନ୍ଦ କଲେ । ଶେଷରେ ଗୋଟେ ଚା ଦୋକାନ କରିବୁ । ମୋ ନାଁ ତଳେ ପକେଇ ଦେଲୁ । ଏମିତି ବହୁତ କଥା । ଜେଜେଙ୍କୁ ୟେ ଘଟଣା ଏତେ ବାଧିଲା ଯେ ସେ ଅନ୍ୟ ଯାଗାକୁ ଟ୍ରାନ୍ସଫର ହେଇ ପଳେଇଗଲେ । ହେଲେ ବାପା ଗଲେନି । ସେ ଏଇଠି ଜିଦ୍ କରି ରହି ଏଇ ଚା ଦୋକାନ ଆରମ୍ଭ କଲେ । ବାପାଙ୍କ ପାଖରେ ଏକ ଖାସ୍ ଗୁଣଥିଲା ସହଜରେ ଲୋକଙ୍କୁ ଆପଣାର କରି ପାରୁଥିଲେ । ନିଜ କଥାରେ ବ୍ୟବହାର ରେ ସମସ୍ତ ଙ୍କ ମନ କିଣି ନେଉଥିଲେ । ଖାଲି ଚା ଦୋକାନ ରୁ ଧୀରେଧୀରେ ଜଳଖିଆ ବି ବିକିଲେ । ବେପାର ବହୁତ ଭଲ ହେଲା । ସେ ମୋ ମା'ଙ୍କୁ ଭଲପାଇ ବାହା ହେଲେ । ମା ଆସିବା ପରେ ବେପାର ଆହୁରି ବଢିଲା । ଜଳଖିଆ ବନେଇବାରେ ସେ ସାହାଯ୍ୟ କଲେ । ସକାଳେ ସନ୍ଧ୍ୟା ରେ ଭିଡ ଜମିଲା । ସେ ଚାହିଁ ଥିଲେ ଗୋଟେ ଭଲ ହୋଟେଲ କରି ପାରିଥାଆନ୍ତେ ହେଲେ ସେ ଏଇ ଗୁମୁଟିର ମୋହ ଏଡେଇ ପାରି ନଥିଲେ । ଆମେ ଦୁଇ ଭାଇ ଭଉଣୀ । ମୁଁ ଖୁବ୍ ଭଲ ପଢ଼ୁଥିଲି । ବିଏ ପାସ୍ କଲି । ଶେଷରେ ଗୋଟେ ଭଲ ସରକାରୀ ଚାକିରୀ ମିଳିଗଲା । ବାପା ବହୁତ ଖୁସି ଥିଲେ । ଜେଜେଙ୍କ ସ୍ୱପ୍ନ ସାକାର କରିଥିବାରୁ । ପ୍ରାୟ ୨୨/୨୩ ବର୍ଷ ହେବ ତାଙ୍କର ଜେଜେଙ୍କ ସହ କୌଣସି ସମ୍ପର୍କ ନଥିଲା । ହେଲେ ୟେ ଖବର ସେ ଆଗ ଜେଜେଙ୍କୁ ଫୋନ୍ କରି ଜଣେଇଲେ । ସେ ଭୁବନେଶ୍ୱର ରେ ଘର କରି ରହୁଥିଲେ । ମୋର ବି ପୋଷ୍ଟିଂ ଭୁବନେଶ୍ୱର ସଚ୍ଚିବାଳୟରେ ହେଇଥିଲା । ହେଲେ ୟେ ଖବର ଜେଜେଙ୍କ ମନକୁ ତରଳେଇ ପାରିନଥିଲା । ସେ ବହୁତ ଅଭିମାନୀ ଥିଲେ । ଆଭିଜାତ୍ୟର ଅହଂକାର ଏତେ ସହଜରେ କ'ଣ ଭାଙ୍ଗେ ?ବାପାଙ୍କୁ ଏଇ କଥା ଖୁବ୍ ବାଧିଲା ..... ।

                  

             ଏତିକି କହି ଗରମ ଗରମ ଆଳୁଚପ୍ ସମ୍ବିତ ହାତକୁ ବଢ଼େଇ ଦେଲା । ଚାଖନ୍ତୁ ଆଜ୍ଞା !ଏଇ ଆଳୁପୂର ମୋ ମାଁ ଙ୍କ ହାତ ତିଆରି । ସତରେ ଖୁବ୍ ସ୍ୱାଦିଷ୍ଟ ଥିଲା ଆଳୁଚପ୍ ।


        ସମ୍ବିତ ପଚାରିଲା ପୁଣି ଆଗକୁ କ'ଣ ହେଲା ?

        

              ଚନ୍ଦୁ ପୁଣି ଆରମ୍ଭ କଲା ଯୋଉଠୁ ଛାଡିଥିଲା । ସବୁବେଳେ ହସୁଥିବା ଆଉ ହସଉଥିବା ମଣିଷ ଟି ମନ ମାରି ବସିଲା । ସେ ନିଜ ଭିତରେ ଯେ ଏତେ ବଡ଼ ଦୁଃଖ କୁ ବର୍ଷ ବର୍ଷ ଧରି ଚାପି ରଖିଥିଲେ । ସେ ବିଷୟରେ ଆମକୁ କେବେବି ଜାଣିବାର ସୁଯୋଗ ଦେଇ ନଥିଲେ । ଜେଜେଙ୍କ ର ଦ୍ୱିତୀୟ ବାର ପ୍ରତ୍ୟାଖାନକୁ ସେ ଆଉ ସମ୍ଭାଳି ପାରି ନଥିଲେ । ବାପାଙ୍କ ର ହଠାତ୍ ହାର୍ଟଆଟାକ୍ ହେଲା । ସେ ସେଇଠି ଟଳି ପଡିଲେ । ସେଇଦିନ ହିଁ ମୋର ଯିବାର ଥିଲା ଜଏନିଂ ପାଇଁ । ଆପଣ ବିଶ୍ୱାସ କରିବେନି । ତାଙ୍କ ଚାଲିଯିବା ଖବର ନିଆଁ ପରି ଚାରିଆଡ଼େ ବ୍ୟାପୀ ଗଲା , ପୂରା ଫୁଲବାଣୀବାସୀଙ୍କ ଆଖିରେ ଲୁହ । ତାଙ୍କ ଶବାଧାରରେ ଶହଶହ ଲୋକ ଚାଲିଥିଲେ । କେବଳ ଆଭିଜାତ୍ୟ ନୁହଁ ଭଲ ପାଇବାର ବି ମୂଲ୍ୟ ଅଛି ବୋଲି ସେଇଦିନ ମୁଁ ଜାଣିଲି ।

               ୟେ ଖବର ପାଇ ଜେଜେବାପା ବି ଧାଇଁ ଆସିଥିଲେ । ପୁତ୍ରହରା ପିତୃତ୍ୱ ଆଗରେ ଆଭିଜାତ୍ୟର ଅହଂକାର ସାମାନ୍ୟ ଏକ ବାଲିସ୍ତୁପ ପରି ଭାଙ୍ଗି ପଡ଼ିଥିଲା । ଚାଲିଗଲା ପରେ ହିଁ ମଣିଷ ତା'ର ମୂଲ୍ୟ ବୁଝେ । ଖୁବ୍ ପଶ୍ଚାତାପ ବି କଲେ । ଗୋଟିଏ ମାତ୍ର ପୁତ୍ର କୁ ହରେଇବାର ଦୁଃଖ କେତେ ଆପଣ ବୁଝି ପାରୁଥିବେ । ମୋତେ ଧରି ଖୁବ୍ କାନ୍ଦିଲେ । ବର୍ଷ ବର୍ଷ ଧରି ଜମାଟ ବାନ୍ଧିଥିବା ଅଭିମାନ ଆଉ କୋହ ସବୁ ମୋରି କାନ୍ଧରେ ବୁହାଇ ଦେଲେ । ଜିଦ୍ ଧରିଲେ ଆମ ସମସ୍ତଙ୍କୁ ତାଙ୍କ ସହ ନେଇଯିବା ପାଇଁ ।

               ଆଜ୍ଞା !! ଗୋଟେ ବଡ କଥା କ'ଣ ଜାଣନ୍ତି ?? ଭାବିବା ଆଉ କରିବା ଭିତର ର ବ୍ୟବଧାନ ଯଦି ବହୁତ ଲମ୍ବା ହେଇଯାଏ ତେବେ ସେ ଯୋଉ ଶୂନ୍ୟସ୍ଥାନ ସୃଷ୍ଟି କରେ ତାହା ଭବିଷ୍ୟତରେ ବହୁତ ପୀଡ଼ା ଦେଇଥାଏ । ଠିକ୍ ସେଇଆ ଘଟିଥିଲା ଜେଜେଙ୍କ କ୍ଷେତ୍ରରେ ।


      ହେଲେ ଏଠି ସମସ୍ତେ ତାଙ୍କୁ ଆଉ ତାଙ୍କ ହାତ ତିଆରି ଚା ଜଳଖିଆ କୁ ଝୁରିହେଲେ । ଆପଣ ବିଶ୍ୱାସ କରିବେନି ବାପା ଚାଲିଗଲା ପରେ ମୋର ବି ଗୋଟେ ବିରାଟ ପରିବର୍ତ୍ତନ ହେଲା । ମୁଁ ଲୋକଙ୍କ ସହ ବେଶୀ ମିଳାମିଶା କି କଥାବାର୍ତ୍ତା କରିପାରେ ନି । ମୋ ପାଠ ଭଲ ତ ମୁଁ ଭଲ । ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ଲୋକଙ୍କୁ ସହଜ ଭାବରେ ବାପାଙ୍କ ପରି ଆପଣେଇ ନେବା ଆରମ୍ଭ କଲି । ସେ ବୋଧେ ତାଙ୍କର ସେଇ ସହଜଭାବକୁ ଯିବା ପୂର୍ବରୁ ମୋ ଭିତରେ ସଞ୍ଚାରିତ କରିଦେଇ ଗଲେ ଉତ୍ତରାଧିକାରୀ ସୂତ୍ରରେ । 

       

      ସମସ୍ତେ କହିବାକୁ ଲାଗିଲେ ଚନ୍ଦୁ ଠିକ୍ ତା'ର ବାପା ପରି ହେଇଚି । କାହିଁକି କେଜାଣି ମୋର ବି ଆଉ ଚାକିରୀ ପାଇଁ ଆଉ ଆଗ୍ରହ ନଥିଲା । ମୁଁ ମନସ୍ଥ କଲି ଆଉ ଚାକିରୀ କରିବିନି । ବାପାଙ୍କ ଦୋକାନ ସମ୍ଭାଳିବି । ବାପା ସେଇଥି ପାଇଁ ବୋଧେ ଯିବା ସମୟରେ ତାଙ୍କର ସେଇ ଦୁର୍ଲଭ ଗୁଣଟି ମୋତେ ଦେଇ ଯାଇଛନ୍ତି । ଜେଜେଙ୍କୁ ବହୁତ ବୁଝାସୁଝା କରି ଭୁବନେଶ୍ୱର ପଠେଇଲି । ମଝିରେ ମଝିରେ ଯାଇ ତାଙ୍କ କଥା ବୁଝି ଆସିବି ବୋଲି କଥା ଦେଲି । ପରେ ଭଉଣୀକୁ ପଠେଇଲି ଭୁବନେଶ୍ୱର । ସେଠି ପାଠପଢିବା ସହ ସେମାନଙ୍କ ପାଖରେ ରହିବ ବୋଲି । ଜେଜେ ଆଉ ଜେଜେମା ଖୁବ୍ ଖୁସି ହେଲେ ନାତୁଣୀ କୁ ପାଖରେ ପାଇ ।

               


             ଯୋଉ କେତେଦିନ ଦୋକାନ ବନ୍ଦ ରହିଲା , ସମସ୍ତଙ୍କ ଭିତରେ ଏକ ବିଶାଦ ଥିଲା ରଘୁକୁ ହରେଇବାର । ଆଉ ଯୋଉ ଦିନ ମୁଁ ଦୋକାନ ଖୋଲିଲି ଆଉ ଚା ବିକିଲି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଆଉ କହିଲେ ପୂରାପୂରି ରଘୁ ଚା ପରି ଲାଗୁଚି । ମୁଁ ବି ସମସ୍ତଙ୍କ ସହ ହସେଇ ମଜେଇ କଥା କହିବା ଆରମ୍ଭ କରିଦେଲି । ଆଉ ବାପାଙ୍କ ଶୂନ୍ୟସ୍ଥାନ କୁ ମୁଁ ପୂରଣ କରିଦେଲି । ବାପା ଙ୍କର ଏଇଟା ଶେଷ ସନ୍ତକ ଭାବରେ ମୁଁ ବି ଏଇ ଗୁମୁଟିରେ ବସୁଛି । ବଡ଼ ହୋଟେଲ କରିବାକୁ ଇଚ୍ଛା ନାଇଁ ।

              

       ଭଲ ପାଇବା ବାଣ୍ଟିବା ଆଉ ସାଉଁଟିବା ଗୋଟେ କଳା । କିଛି ସ୍ୱତନ୍ତ୍ର ସୌଭାଗ୍ୟବନ୍ତ ଲୋକଙ୍କ ପାଖରେ ଏଇ କଳା ଥାଏ । ଏହା ସଂପୂର୍ଣ୍ଣ ଈଶ୍ୱର ପ୍ରଦତ୍ତ । ଆଉ କ'ଣ କହିବି , ଏଇ ମୋର ଜୀବନ କାହାଣୀ । ଚନ୍ଦନ ସାହୁ ଉର୍ଫ ଚନ୍ଦୁ । ଏତିକି କହି ଫିକ୍ କରି ହସି ପକେଇଲା । 


                   ସମ୍ବିତ ମନେମନେ ଭାବିଲା ଚନ୍ଦୁ ନିଜେ ବି ଉପଲ୍ଭଧି କରିପାରିନି , ସେ ଯୋଉ ସହଜଭାବ କଥା କହୁଛି ତାକୁ ପାଇବା ବଦଳରେ କେତେ ବଡ଼ ତ୍ୟାଗ କରିବାକୁ ପଡିଚି ତାକୁ । ନିଜର ଚାକିରୀ , ଉଚ୍ଚାଭିଳାଷ ଆଉ ଭବିଷ୍ୟତ ପାଇଁ ଥିବା ତା'ର ସମସ୍ତ ଯୋଜନାକୁ ଜଳାଞ୍ଜଳି ଦେଇଛି । ସତରେ ବହୁତ ମୂଲ୍ୟବାନ ଜିନିଷ ଏଇଟା ।

                   

         କଟିଂ ଚା ର ଭୂମିକା ଏଠି ଏକ ଚୁମ୍ବକ ଭଳି । ବାରବାର ସମସ୍ତ ଙ୍କୁ ଟାଣିଆଣୁଚି ଏଇ ଗୁମୁଟି ପାଖକୁ .....।।

              

               


                 


Rate this content
Log in

Similar oriya story from Inspirational