କ୍ଷୁଧା
କ୍ଷୁଧା
(ଇତିହାସ ପୃଷ୍ଠଭୂମିରେ ଲେଖାଯାଇଥିଲେ ବି ଗଳ୍ପଟି ସମ୍ପୂର୍ଣ୍ଣ କାଳ୍ପନିକ )
ଜୀବନ ଗୋଟେ ଭସା ବାଦଲ ପରି କେତେବେଳେ ଜଳରେ ପରିପୂର୍ଣ୍ଣ ତ କେତେବେଳେ ଜଳହୀନ ଧଳା ଛବିଟିଏ | କେତେବେଳେ ମଧୁଭରା ତ କେତେବେଳେ ନୈରାଶ୍ୟର ତିକ୍ତ ଅନୁଭବ | ଜୀବନର ଗତାନୁଗତିରେ ବାଜେ କେତେବେଳେ ଶୁଭଶଙ୍ଖ ତ କେତେବେଳେ ହୃଦୟ ବିଦାରକ ଆର୍ତ୍ତନାଦ | ପ୍ରୀତିଫୁଲର ସେଜରେ ସବୁଦିନ ଶୋଇ ହୁଏନା, ବେଳେ ବେଳେ ତୀକ୍ଷ୍ଣ କଣ୍ଟକିତ ଶଯ୍ୟା ଅପେକ୍ଷା କରି ଥାଏ | ସମୟର ସ୍ରୋତରେ ଭାସିଯିବାକୁ ବାଧ୍ୟ ସିଏ ଯେମିତି | କହି ପାରେନା କି ସହି ବି ହୁଏନା | ପରିସ୍ଥିତିର ଦାସ ହୋଇ କିଛି ଅକର୍ମ କରିଦିଏ ସିନା, ହେଲେ ଗଭୀର କ୍ଷତାକ୍ତ ସିଏ |
ସେଦିନ ହତାଶ ଆଖିରେ ଶ୍ରାବଣ ଆକାଶକୁ ଚାହିଁଥିଲା ଭଗିଆ | ଆକାଶରେ ମେଘର ବାଦଲଟିଏ ବି ନାହିଁ, ଅପରାହ୍ନ ଗଡିଯାଇଥିଲେବି ବୈଶାଖ ମାସର ଖରାପରି ଅତି ଟାଣଖରା | ଭାବୁଥିଲା ଭଗିଆ, ଏମିତି ତ କେବେ ହୁଏନି | ଶ୍ରାବଣ ମାସରେ ବର୍ଷାର ଧlରା ଛୁଟେ, ଘରୁ ପାଞ୍ଚସାତ ଦିନ ପଦାକୁ ବାହାରି ହୁଏନି | ବର୍ଷା ହୋଇଥିଲେ, ଧାନ ବେଉଷଣ ସାରନ୍ତାଣି ସେ, ଖରାରେ ଜମି ସବୁ ଫାଟି ଆଁ କଲାଣି, ଧାନ ସବୁ ଠିଆ ମଲାଣି | ଏ ବର୍ଷ କେମିତି ଯେ ଲୋକେ ବଞ୍ଚିବେ, କିଛି ଭାବି ପାରୁନଥିଲା ଭଗିଆ | ଛୋଟ ସଂସାର ତାର, ସ୍ତ୍ରୀ ରୂପେଇ ଆଉ ଛଅ ମାସର ପୁଅଟିଏ, କାଳିଆ | ଏବେ ଠାରୁ ଘରେ ଧାନ ଚାଉଳ ନାହିଁ, ଆଉ ଏ ବର୍ଷ ତ ଧାନ ସବୁ ମଲାଣି, ମରୁଡି ହେବ ନିଶ୍ଚୟ | କେମିତି ବଞ୍ଚିବେ ସେମାନେ, ଖାଇବେ କଣ ? ହତାଶ ଆଖିରେ କେବଳ ଆକାଶକୁ ଚାହିଁଥିଲା ଭଗିଆ | ମନଟା ତାର ଭିତରେ ଭିତରେ କାନ୍ଦୁଥିଲା |
ଅଠର ଶହ ଛଅଷଠି ମସିହା, ମୁଲକ ଯାକ ମରୁଡି, ଅତି ଭୟଙ୍କର ପରିସ୍ଥିତି | ନଅଙ୍କ ଦୁର୍ଭିକ୍ଷ | କୌଣସି ଚାଷୀ ମୁଠିଏ ବି ଧାନ ଅମଳ କରି ପାରିଲେନି | ଯାହା ଘରେ ଯାହା ଧlନଚାଉଳ
ଥିଲା, ଦିନ କେଇଟାରେ ସରିଲା | ମହାଜନ, ସାହୁକାରମlନେ ଆଉ ଧାନ କରଜ ଦେଲେନାହିଁ | ଏକ ହାହାକାରମୟ ପରିସ୍ଥିତି | ଭୋକ ଉପାସରେ କେତେ ଦିନ ବା ରହିବେ | ଲୋକମାନେ ଖାଦ୍ୟ ଖୋଜିବୁଲୁଥିଲେ, ଭୋକର ଦାଉରେ ମାଗିବାର ଲଜ୍ଜା ବି ନଥିଲା କାହାପାଖରେ | କୁଅ ପୋଖରୀ ସବୁ ଧିରେ ଧିରେ ଶୁଖିଆସୁଥିଲା | ବଡ଼ବଡ଼ ଗଛ ଗୁଡ଼ିକରୁ ପତ୍ର ସବୁ ଶୁଖି ଝଡିଲାଣି | ଯେଉଁ ଗଛରେ କିଛି ପତ୍ର ଥିଲା, ଲୋକେ ସବୁ ଖାଇ ସାରିଲେଣି | ଦିନ କେଇଟାରେ ଭୋକ ଉପାସରେ ରହି କଙ୍କାଳ ଭଳି ଦେଖାଗଲେଣି ଲୋକମାନେ | ଘରଦ୍ୱାର, ଗାଆଁ ଗଣ୍ଡା ଛାଡି କିଏ କୁଆଡେ ଖାଦ୍ୟ ଅନ୍ୱେଷଣରେ ଚାଲିଗଲେଣି ବାହାରକୁ |
ଭଗିଆ କିନ୍ତୁ ଘର ଛାଡି ନଥିଲା | କଅଁଳା ଛୁଆଟାକୁ ନେଇ କୁଆଡେ ବା ଯାଇପାରିବ ସିଏ | ରୂପେଇ ବି ଭିଟାମାଟି ଛାଡି ଯିବାପାଇଁ ମନାକଲା | ବିଭିନ୍ନ ଗଛର ପତ୍ର ସଂଗ୍ରହ କରି ଆଣେ ଭଗିଆ, ସେଇଆକୁ ଦୁଇପ୍ରାଣୀ ଖାଇ ବଞ୍ଚିଥିଲେ | ସେ ଏକା ନୁହେଁ, ସବୁଲୋକ ହିଁ କେବଳ ଗଛର ପତ୍ର ଉପରେ ନିର୍ଭର କରୁଥିଲେ | ତେନ୍ତୁଳି ଗଛର ପତ୍ର ପାଇଁ ଲୋକଙ୍କର ଭିଡ଼ | ଏମିତି ଅଖାଦ୍ୟ ସବୁଦିନ ଖାଇ ଅଜୀର୍ଣ୍ଣ ଝାଡା ବାନ୍ତି ଓ ବିଭିନ୍ନ ରୋଗରେ ଳୋକମାନେ ପୋକମାଛି ପରି ପଡି କେତେ ଯେ ମଲେ, ସେ ହିସାବ କାହା ପାଖରେ ବି ନାହିଁ, ସାହାଯ୍ୟର ହାତ ବି ମିଳୁନଥିଲା କାହାଠାରୁ | ସମସ୍ତଙ୍କର କେବଳ ଅନ୍ନ ଚିନ୍ତା | ବିଭିନ୍ନ ଜୀବଜନ୍ତୁ ଖାଦ୍ୟ ଜଳ ଅଭାବରୁ ଅକାଳରେ ମରି ପଡିଲେ କିଏ କେଉଁଠାରେ | ଗାଆଁ ବାହାରେ ସେଇ ମଢ଼ ସବୁକୁ ନେଇ ଫିଙ୍ଗିବା କାର୍ଯ୍ୟ ବି ହୋଇ ପାରେନା | ଏକ ଶବପଚା ଦୁର୍ଗନ୍ଧମୟ ପରିବେଶ ଚାରିଆଡେ |
ଭଗିଆକୁ ବୁଦ୍ଧିବାଟ ଦିଶୁନଥାଏ | ତା ସାହିପଡିଶା, ଗାଆଁ ଲୋକମାନେ କିଏ କେଉଁଆଡେ ଘର ଛାଡି ପେଟ ବିକଳରେ ଚାଲିଗଲେଣି | ସେ ବି ଭାବୁଥିଲା, ତା ସ୍ତ୍ରୀ ପିଲାଙ୍କୁ ନେଇ କେଉଁ ସହରକୁ ଚାଲିଯିବ, ହେଲେ ଯାଇପାରୁନି, ରୂପେଇ କହିଲା, କୁଆଡେ ଯିବlନି, ଏଇ ଆମ ଭିଟାମାଟିରେ ହିଁ ମରିବା ଆମେ | ଭଗିଆ ଆଉ ଦେଖିପାରୁନଥିଲା ରୂପେଇକୁ, କଂକlଳସାର ହୋଇ ଗଲାଣି, ଗୋରା ତାକତକ ଦେହଟା କଳାପଡ଼ିଗଲାଣି ପୁରା, ଆଖିଦୁଇଟା ପଶିଗଲାଣି ଭିତରକୁ, ଶୁଷ୍କ ଓଠରେ ହସ ନାହିଁ, ଆଉ ପିଲାଟା ତା ଭୋକ ସହିନପାରି ଦିନରାତି କାନ୍ଦୁଚି | ତା ମାଆ ଛାତିରୁ ଆଉ ଅମୃତ ଝରୁନି, ତଥାପି ପିଲାଟା ଦିନରାତି ଝୁଣୁଛି ତାକୁ | ଭଗିଆ ଦେଖେ, ରୂପେଇ ବି ବୁଝେ, ଦୁଃଖରେ ବିଦାରି ହୋଇଯାଏ ଛାତିଭିତର | ଶୁଷ୍କ ଆଖିରୁ ଲୁହ ଝରେନା, ସବୁ ଶୁଖିଯାଇଛି ଯେମିତି |
ଦିନେ ସକାଳୁ ସକାଳୁ ପତ୍ର ସଂଗ୍ରହ କରିବାକୁ ବାହାରକୁ ବାହାରିଯାଇଛି ଭଗିଆ | ଗାଆଁ ପାଖ ଗଛଗୁଡିକରେ ଆଉ ପତ୍ରଟିଏ ବି ନାହିଁ କେଉଁଠାରେ | ଦୂରକୁ ଜଙ୍ଗଲ ଭିତରକୁ ଯିବାକୁ ପଡୁଛି | ଯିବା ରାସ୍ତାରେ ଭଗିଆ ଦେଖିଲା, ଚାରିପାଞ୍ଚ ଜଣ ଲୋକ ଏକାଠି ବସି କଣ ଖାଉଛନ୍ତି, ସେମାନଙ୍କ ପାଖକୁ ଗଲା,, ଓଃ କି ବିକଟାଳ ଦୃଶ୍ୟ, ଏକ ମୃତ ବାଛୁରୀର କଞ୍ଚା ମାଂସକୁ ଟାଣି ଟାଣି ଖାଉଛନ୍ତି, ଗୋଟେ ଦୁଇଟା କୁକୁର ବି ସେମାନଙ୍କ ସହିତ | ଭଗିଆ କଣ ଭାବିଲା କେଜାଣି, ସେ ବାଛୁରୀର ମାଂସରୁ କିଛି ଟାଣି ଘରକୁ ଆଣି ଆସିଲା, ବୋଧହୁଏ ଭାବିଲା, ଘରେ ସ୍ୱାମୀ ସ୍ତ୍ରୀ ମିଶି ଖାଇବେ | ଘରେ ପହଞ୍ଚି ଯାହା ଦେଖିଲା, ବିଶ୍ୱାସ କରିପାରିଲାନି ନିଜକୁ, ରୂପେଇ ପଡିଛି ଚିତ ହୋଇ ତା କଅଁଳା ଛୁଆଟା ତା ମାଆର ଫୁଙ୍ଗୁଳା ଛାତିକୁ ଝୁଣି ଚାଲିଛି | ଭଗିଆ ରୂପେଇକୁ ଡାକିଲା, କୌଣସି ଉତ୍ତର ନଥିଲା, ତାକୁ ହଲେଇଦେଇ ଚମକିପଡ଼ିଲା ଭଗିଆ, ସେତେବେଳକୁ ମରି ସାରିଥିଲା ରୂପେଇ | କାନ୍ଦିବାକୁ ବି ଶକ୍ତି ନଥିଲା ଭଗିଆର | କାନ୍ଦୁଥିବା ଛୁଆଟାକୁ ଟେକିଆଣିଲା କୋଳକୁ | ଭୋକରେ ପେଟ ଭିତର କୋରି ହୋଇଯାଉଛି, ଆଣିଥିବା କଞ୍ଚା ମାଂସରୁ ଖଣ୍ଡେ ଖଣ୍ଡେ ଟାଣି ତା ପୁଅକୁ ଚୁଚୁମେଇ ଦେଲା ଭଗିଆ, କଞ୍ଚା ମାଂସର କିଛି ରକ୍ତମିଶା ରସ ଚାଟିଯାଉଥିଲା ଛୁଆଟା | ଭଗିଆ ବି ଖାଇଗଲା ସେଇ କଞ୍ଚାମାଂସତକ | ରୁପେଇର ଶବଟା ସେଇଠି ପଡିଛି ସେମିତି, ସଂସ୍କାର କରିବାର ମାନସିକତା ବି ନଥିଲା ଭଗିଆର | ଆଉ ଏଠି ରହିହେବନି ଚାଲିଯିବ କେଉଁ ସହର ବଜାର ଜାଗାକୁ | ପୁଅକୁ କାଖେଇ ଘର ଛାଡିବାକୁ ବାହାରିଲା ସିଏ ଛୁଆଟା ତା ମାଆ ପାଖକୁ ଯିବା ପାଇଁ ତା କାଖରେ ଥାଇ ଛାଟିପିଟି ହେଉଥାଏ | ରୂପେଇକୁ ଆଉ ଅନେଇ ପାରିଲାନି ଭଗିଆ | ଘର, ଗାଆଁ ଛାଡି ଚାଲିଗଲା ଭଗିଆ, ପଛକୁ ମଝିରେ ମଝିରେ ଚାହୁଁଥାଏ, ତା ରୂପେଇ ତା ଗାଆଁ ରହିଗଲାଣି ଅନେକ ପଛରେ |
ଭାଦ୍ରବ ମାସର ଖରା | ସୂର୍ଯ୍ୟ ମୁଣ୍ଡଉପରକୁ ଆସିଲେଣି | ସେଇ ଖରାଭିତରେ ଦୁର୍ବଳ ଶରୀରରେ ପୁଅକୁ କାନ୍ଧରେ ପକାଇ ଚାଲିଥିଲା ଭଗିଆ | ଛୁଆଟା କାନ୍ଦିକାନ୍ଦି ନିସ୍ତେଜ ହୋଇ ଶୋଇ ପଡ଼ିଲାଣି ତା କାନ୍ଧ ଉପରେ କେତେବେଳୁ | ଆଉ ଚାଲିହେବନି, ଗୋଡ ବି ଠିକରେ ପଡୁନି, ଗୋଟେ ପତ୍ରହୀନ ଗଛମୂଳରେ ବସିପଡ଼ିଲା ସିଏ | ପୁଅକୁ କୋଳକୁ ଆଣିବା ବେଳକୁ ହଲଚଲ ହେଉନଥିଲା ତା ଛୁଆଟା ଆଉ | ଭଗିଆ ତାକୁ ହଲେଇ ହଲେଇ କାଳିଆ କାଳିଆ ବୋଲି କେତେ ଡାକିଲା | ହେଲେ ସେ ମରିସାରିଥିଲା କେତେବେଳୁ | ହତାଶ ଆଖିରେ ଛୁଆକୁ କୋଳରେ ଧରି ନିରବରେ ବସିରହିଲା ଭଗିଆ | ଭାବନା ଶୂନ୍ୟ | ହତାଶ ଆଖି ଦିଇଟା କେବଳ ଜୁଳୁଜୁଳୁ ହେଉଥିଲା | ସେମିତି କାଠ ଭଳି ବସିଥାଏ ସିଏ | ସନ୍ଧ୍ୟା ହେଲା | ଭୋକରେ ଆଉଟୁ ପାଉଟୁ ହେଉଥାଏ ଭଗିଆ, ଯାହା ସକାଳୁ ସେଇ କଞ୍ଚା ମାଂସତକ ଖାଇଥିଲା | କଣ କରିବ ନ କରିବ, କିଛି ଭାବିପାରୁନଥିଲା ସେ | ମଲା ଛୁଆଟା ସେମିତି ତା କୋଳରେ ପଡିଛି | ଭୋକର ଜ୍ୱାଳାରେ ପେଟ ଭିତରେ ଅପରିସୀମ ଯନ୍ତ୍ରଣା | ତା କଅଁଳା ଛୁଆଟାକୁ ଚାହିଁଲା, ବିଚାରଶୂନ୍ୟ ଭlବେ କାମୁଡି କାମୁଡି ନିଜ କଅଁଳା ଛୁଆଟାର ମାଂସକୁ ଖାଇଗଲା ଭଗିଆ | ସିଠୁଆ ସିଠୁଆ ନିଜ ପୁଅର କଞ୍ଚା ମାଂସରେ ପେଟ ଭରିହୋଇଗଲା ତାର |
ଅନ୍ଧାର ଘନେଇ ଆସୁଥିଲା ଧିରେ ଧିରେ | ସେଇ ଗଛକୁ ଆଉଜି ଶୋଇପଡ଼ିଲା ଭଗିଆ | ନିସ୍ତବ୍ଧ ରାତ୍ରିର ନିଶାଚରର ସୁସୁ ଶବ୍ଦ ଭୟଙ୍କର ହୋଇଚାଲିଥିଲା |
