Bismita Sahoo

Tragedy

5.0  

Bismita Sahoo

Tragedy

କ୍ଷୀର

କ୍ଷୀର

3 mins
458


 

ସହରର ଏକ ଗଳିରେ ପଲା ବାନ୍ଧି ରହୁଛି ଲକ୍ଷ୍ମୀ। ଅତ୍ୟନ୍ତ କଦର୍ଯ୍ୟ କଦାକାର ପରିବେଶ । ପୁଅ ଝିଅ ମିଶି ନଅ ଜଣ। କାହା ନାକରୁ ସିଙ୍ଗାଣି ବାହାରିଲାଣିତ କାହା ମୁଣ୍ଡ ଉକୁଣୀରେ ଭରଭର ହେଲାଣି। ଖାଦ୍ୟସାର ଅଭାବରୁ କାହା ପେଟ ଢୋଲ ପରି ବାହାରକୁ ବାହାରିଲାଣି ତ କାହାର ଗୋଡ଼ ଧନୁ ପରି ବଙ୍କା ହେଲାଣି। କିଏ ଭୋକ ବିକଳରେ ଅନ୍ୟକୁ ରାମ୍ପୁଡ଼ିଲାଣି ତ ଆଉ କିଏ ରାହା ଧରି ପୃଥିବୀ ଫଟେଇଲାଣି। 

  

      ଯେତେବେଳେ ନଅ ନଅଟା ଛୁଆଙ୍କର ପାଟି ଲକ୍ଷ୍ମୀ ସମ୍ଭାଳି ପାରେନି, ସେ କଂସାରେ କଂସେ ମୁଢ଼ି଼ ଓ ଦି ଗିଲାସ ନାଲି ଚା ରଖିଦିଏ। ବଗ ମାଛ ଟକ୍ ଟକ୍ ଖାଇଲା ପରି ସଭିଏଁ କୁଦି ପଡନ୍ତି ସେ ମୁଢ଼ି଼ କଂସାରେ। 'ଯୋର ଯାର ମୂଲକ ତାର' ନ୍ୟାୟରେ ଯିଏ ପାରିଲା ସିଏ ଖାଏ ଆଉ ଯିଏ ପଛେଇ ଯାଏ ସେମିତି ଭୋକିଲା ରହେ। 


ଘରର ସବୁଠାରୁ ସାନ ଛୁଆ ନଥିଲେ ମଧ୍ୟ ବିନୟର ନମ୍ବର ଥିଲା ସାତ। କାଉଁରୀ କାଠି ଠାରୁ ଆହୁରି ନହ ନହକା ଦେହରେ ଜୋର ପାଏନି ଭାଇ ଭଉଣିଙ୍କ ସହିତ ଝଗଡ଼ା କରିବାକୁ। ସବୁଠୁ ସାନ ଅଭୟର ବଳ ବହୁତ। ସେ ନିଜେ ଖାଇ ଦି, ତିନି ମୁଠା ତା ପ୍ୟାଣ୍ଟ ପକେଟରେ ଲୁଚେଇ ଆଣେ। ବିନୟ ଯେତେବେଳେ ଖାଇବା ନ ପାଇ ଶୁନ୍ୟକୁ ଚାହିଁ ରହେ , ସେ ପଛ ପଟୁ ଆସି ତା ଆଖି ବନ୍ଦ କରି ବିନୟ ପାଟିରେ ମୁଢ଼ି଼ ଦି ମୁଠା ପକେଇ ଦିଏ।ଯଦି ଦୈବାତ କିଛି ମୁଢ଼ି଼ ତଳେ ପଡ଼ିଗଲା ସେ ଡ଼ାହାଣା କୁକୁର ପରି ତଳୁ ଗୋଟାଇ କଡ କଡ଼ କରି ଚୋବାଇ ପକାଏ। 


   ସନ୍ଧ୍ୟା ହେଲେ ଲକ୍ଷ୍ମୀର ସ୍ୱାମୀ ବାନା  ଟାଙ୍କେ ମଦ ପିଇ ହାତରେ ଗୋଟେ ଧଳା ବୋତଲ ଧରି ହଲି ହଲି ଘରକୁ ଫେରେ। ବାନା ଆସିବା ପୂର୍ବରୁ ଲକ୍ଷ୍ମୀ ପିତା ଶୁଖୁଆ ଦିଟା ପୋଡ଼ି ରଖିଥାଏ। ବାନା ବଡ଼ ଆରାମ ରେ ସେ ଧଳା ବୋତଲରୁ କଣ ସବୁ ଗିଲାସକୁ ଢାଳି ଢକ ଢକ ପିଇ ଯାଏ ଓ ମଝିରେ ମଝିରେ ଶୁଖୁଆ ଗୁଡିକୁ କଡ଼ କଡ଼ କରି ଚୋବାଇ ପକାଏ। କିଏ ଖାଇଲା ନ ଖାଇଲା କିଛି ବୁଝେନି। ନିଜ ପେଟ ପୁରିଗଲେ ବାହାର ଦଉଡି଼ଆ ଖଟରେ ଚାରି କାତ ମେଲେଇ ଶୋଇଯାଏ।


    ଚୁପଚାପ ବିନୟ ଏସବୁ ଦୂରରୁ ନିରୀକ୍ଷଣ କରେ। ଧୀରେ ଧୀରେ ବିନୟ ମନରେ ବିଦ୍ରୋହର ନିଆଁ କୁହୁଳିଲାଣି। ତା ମନକୁ ଭାବନା ଆସେ କି ବାଜ୍ୟେ ଲୋକ ଏମାନେ। ଗୋଟିଏ ଛୁଆକୁ ପାଳିବାକୁ ବଳ ନାହିଁ, ନଅଟା ଛୁଆର ଭିଡ଼ ଲଗେଇଛନ୍ତି। ସକାଳ ପାଇଲେ ଲକ୍ଷ୍ମୀ ତୋରାଣି ମୁନ୍ଦେ ପିଇ ଦୌଡ଼ିଯାଏ ଦାସ ବାବୁଙ୍କ ଘରକୁ ପାଇଟି କରିବାକୁ। ଫେରିଲା ବେଳକୁ ଦିନେ ଦିନେ ରୁଟି, ଭଜା ଆଣେ। ବେଳେ ବେଳେ ସୁଆଦିଆ ତରକାରି ବି ଆଣେ। ଆଃ କି ସୁଆଦ! ସତେ ଯେମିତି ଅମୃତ। ବିନୟକୁ ତା' ମା ଉପରେ ଭାରି ଈର୍ଷା ହୁଏ। ମା ନିଶ୍ଚୟ ଦାସ ବାବୁଙ୍କ ଘରେ ପେଟେ ଖାଇ ଯାହା ବଳୁଛି ତାଙ୍କ ପାଇଁ ଆଣୁଛି। ନଚେତ ମା କେବେ ବି ଭୋକ ବିକଳରେ ପେଟକୁ ଧରି କାନ୍ଦୁନି କେମିତି? ତାର କୋଉଠୁ ବଳ ଆସେ ମାଲିକ ଘରେ ଯାବତୀୟ କାମ କରି ପୁଣି ନିଜ ଘରେ ଏତେ ଜଞ୍ଜାଳ ତୁଲେଇବାକୁ? 


ବିନୟ ଦିନେ ଜିଦି କରି ମା ସହିତ ବାବୁଙ୍କ ଘରକୁ ଗଲା। ମା ବାସନ ମାଜିଲା ବେଳେ ମାଲିକାଣି ତାକୁ ରୁଟି ,ତରକାରି ଖାଇବାକୁ ଦେଲେ। ସେ ନିଜେ ନ ଖାଇ ସେସବୁ ଜରିରେ ପୁଡ଼ିଆ କରି ରଖିଲା। ବିନୟ ମା କୁ କେତେ ଭୁଲ ବୁଝିଥିଲା। ସେ ଦୌଡ଼ି ଯାଇ ମା'କୁ ଗେଲ କରି ପକେଇଲା। 


ବାବୁଆଣୀଙ୍କ ପୁଅଟା ଦେଖିବାକୁ ଭାରି ସୁନ୍ଦର। ଗୋରା ତକ ତକ, ଡ଼ଉଲ ଡାଉଲ। ତା ସାର୍ଟ ପ୍ୟାଣ୍ଟ କେଡ଼େ ସୁନ୍ଦର। ଏତେ ସଫା ଯେ ଖାଲି ଚିକ୍ ଚିକ୍ କରୁଛି। ମାଲିକାଣି କାଚ ଗିଲାସରେ ଧଳା ଧଳା ଦିଶୁଥିବା କଣ ଗୁଡ଼ାଏ ଆଣି, ନେ କ୍ଷୀର ଜଲଦି ପିଇ ଦେ , ବଳ ଆସିଯିବ କହି ତାଙ୍କ ପୁଅ ହାତରେ ଧରେଇ ଦେଲେ।


 ବିନୟ ବଡ଼ ବଡ଼ ପାହୁଣ୍ଡ ପକେଇ ଘର ମୁହାଁ ହେଲା। ବାପା ଆସିବା ସମୟ ହେଲାଣି। ସେ ଦେଖିଲା ବାପା ସବୁଦିନ ପରି କାଚ ବୋତଲଟିକୁ ଆଣି ଘର କଣରେ ରଖିଦେଲେ। ସେ କାଳ ବିଳମ୍ବ ନକରି ବୋତଲଟିକୁ ତା ପାଟିରେ ଲଗେଇ ଦେଲା। କୋଉଠି ଥିଲା ତା ମା , ବୋତଲଟିକୁ ଛଡେଇ ନେଇ ରଣ ଚଣ୍ଡୀଙ୍କ ପରି ତାକୁ ବିଧା ଗୋଇଠା ମାରି ରାଗରେ ଗର୍ଜିଲା।


 - ବିନୁ ତୋତେ ଲାଜ ଲାଗୁନି । ଏଡିକି ବକଟେ ଛୁଆ ହେଇ ହାଣ୍ଡିଆ ପିଉଛୁ?


- ହାଣ୍ଡିଆ- ଫାଣ୍ଡିଆ ମୁଁ କଣ ଜାଣିନି। ଆଜି ତ ତୋ ବାବୁଆଣୀ ଏମିତି ଧଳା ଧଳା ଦିଶୁଥିବା ଜିନିଷ ତାଙ୍କ ପୁଅକୁ ପିଇବାକୁ ଦେଇ କହିଲେ ନେ ପିଇଦେ। ବଳ ଆସିବ। ପୁଣି ବାପା ତ ସବୁଦିନେ ୟାକୁ ପିଇକି ବଳବାନ ହେଇ ତୋତେ ମାରୁଛନ୍ତି। ତୋ କାନିରୁ ପଇସା ଟାଣି ନେଇ ଯାଉଛନ୍ତି। ତେଣୁ ଭାବିଲି ବାପା ପିଇବା ପୂର୍ବରୁ ମୁଁ ସବୁ ପିଇ ବଳୁଆ ହେଇଯିବି ଓ ତୋତେ ବାପାଙ୍କ ମାଡ଼ରୁ ରକ୍ଷା କରିବି।


ଏହା କହି ବିନୟ ଭେଁ ଭେଁ ରଡ଼ିବାକୁ ଲାଗିଲା। ଲକ୍ଷ୍ମୀ ବିନୟକୁ କୋଳକୁ ଟାଣି ନେଇ ଗେଲ କରି କହିଲା


- ବାବୁରେ ତୁ କ୍ଷୀର ଓ ହାଣ୍ଡିଆ ଭିତରେ ଫରକ କଣ ଜାଣିଲୁନି । ହଁ କେମିତି ଜାଣିବୁ? ଜନ୍ମ ହେଲା ଦିନୁ ତୁମ ମାନଙ୍କୁ ମା ହେଇ କ୍ଷୀର ଟୋପାଏ ପିଇବାକୁ ଦେଇପାରିଲିନି। ମୋ ଜୀବନ ଶତ ଧିକ୍।


ଲକ୍ଷ୍ମୀ ଖୁବ୍ ଜୋରରେ କାନ୍ଦିଲା। ତା ଆଖିରୁ ଲୁହ ଶୁଖିବାର ନା ଧରୁନଥାଏ।ସେ ନିଜକୁ ଓ ନିଜ ଭାଗ୍ୟକୁ କୋଡ଼ୁଥାଏ। ବିନୟ ମା ର ଏପରି ଦୟନୀୟ ଅବସ୍ଥା ଦେଖି ଆଉ ସମ୍ଭାଳି ପାରିଲାନି। ନିଜ ଗାଲକୁ ଢାଇ ଢାଇ ଚାପୁଡ଼ା ମାରି , କାନ ଧରି ଅପରାଧୀଙ୍କ ପରି କହିଲା


- ତୁ କାନ୍ଦେନା ମା। ମୁଁ କ୍ଷୀର ପିଇବାକୁ ଜିଦ କରିବିନି। ବଡ଼ ହେଲେ ବହୁତ ପଇସା ରୋଜଗାର କରିବି , ସବୁ ପଇସା ତୋ ହାତରେ ଦେବି। ତୁ ନିଜେ କ୍ଷୀର କିଣି ଆମ ସମସ୍ତଙ୍କୁ ପିଇବାକୁ ଦେବୁ।


ଲକ୍ଷ୍ମୀ ଆଖିରୁ ବହି ଯାଉଥିଲା ଆନନ୍ଦାଶ୍ରୁ । ସେ ଲୁଗା କାନିରେ ବିନୟର ଲୁହ ପୋଛି ତା ମଥାକୁ ଚୁମିବାକୁ ଲାଗିଲା। 



Rate this content
Log in

Similar oriya story from Tragedy