ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

କୃଷ୍ଣପ୍ରାପ୍ତି ରହସ୍ୟ

କୃଷ୍ଣପ୍ରାପ୍ତି ରହସ୍ୟ

3 mins
7.4K


ସବ୍ୟସାଚୀ ରାଉତରାୟ

ଉପସ୍ଥିତ ବୁଦ୍ଧି ଓ ଚତୁରତା ଦ୍ଵାରା ମହାରାଜା କୃଷ୍ଣଚନ୍ଦ୍ରଙ୍କୁ ଅନେକ ସମସ୍ୟାରୁ ରକ୍ଷା କରିଛି ଗୋପାଳ l ସେଥିପାଇଁ ଯଥେଷ୍ଟ ପୁରସ୍କାର ମଧ୍ୟ ପାଇଛି l ମାଟି ଘର ଭାଙ୍ଗି କୋଠା ଘର ତିଆରି କରିବାକୁ ଇଚ୍ଛା ହେଲା ଗୋପାଳର l କିନ୍ତୁ ସେତେବେଳେ ତା’ର ଆର୍ଥିକ ସମସ୍ୟା ଜଟିଳ l ଅନେକ ସମୟ ଚିନ୍ତା କଲା ପରେ ଗୋଟାଏ ଉପାୟ ସ୍ଥିର କଲା ସେ l ସେଦିନ ପୁଅକୁ ପାଖକୁ ଡ଼ାକି ସବୁକଥା ବୁଝେଇ ତାକୁ ରାଜବାଟୀକୁ ପଠେଇ ଦେଲା ଗୋପାଳ l

ଗୋପାଳ ପରି ତା’ର ପୁଅଟି ମଧ୍ୟ ବେଶ୍ ବୁଦ୍ଧିମାନ, ଚତୁର l ରାଜବାଟିରେ ପହଞ୍ଚି କାନ୍ଦ କାନ୍ଦ ହୋଇ ମହାରାଜାଙ୍କୁ ଜଣାଇଲା – ହଜୁର ମୋର ବାପା କାଲି କୃଷ୍ଣ ପ୍ରାପ୍ତି ହେଲା l ଆପଣ ଆସନ୍ତୁ ନିଜ ଆଖିରେ ଦେଖି ଆସିବେ l

‘କୃଷ୍ଣପ୍ରାପ୍ତି’ ର ଅର୍ଥ ମୃତୁ l

ଗୋପାଳର ପରଲୋକ ଗମନ କଥା ଶୁଣି ମହାରାଜା ଖୁବ୍ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଲେ l ମନେ ମନେ ଭାବିଲେ, ବର୍ତ୍ତମାନ ଗୋପାଳର ଘରକୁ ଗଲେ କନ୍ଦାକଟା ଆହୁରି ବଢିଯିବ l ବରଂ କିଛିଦିନ ପରେ ଯାଇ ତା’ର ପରିବାରର ସମସ୍ୟା ବୁଝି ପ୍ରତିକାର କରିବାକୁ ହେବ l ବର୍ତ୍ତମାନ କିଛି ଆର୍ଥିକ ସାହାର୍ଯ୍ୟ ଦେଲେ ଶୁଦ୍ଧିକ୍ରିୟା ଠିକ୍ ଭାବରେ ହୋଇ ପାରିବ l

ଏହିସବୁ କଥା ଚିନ୍ତା କରି ମହାରାଜା ତତ୍ କ୍ଷଣାତ ଖାଯାଞ୍ଚିକୁ ଦୁଇହଜାର ଟଙ୍କା ଦେବା ପାଇଁ ଆଦେଶ ଦେଲେ l ଆଦେଶ ମାତ୍ରେ ଖାଜାଞ୍ଚି ଦୁଇ ହଜାର ଟଙ୍କାର ଥଳୀଟିଏ ଆଣି ରାଜାଙ୍କ ଆଗରେ ରଖିଲା l ମହାରାଜା ଥଳିଟିକୁ ଗୋପାଳ ପୁଅ ହାତରେ ଦେଇ କହିଲେ-ତୁମ ବାପା ଥିଲେ ମୋ ଅତ୍ୟନ୍ତ ପ୍ରିୟ l ବର୍ତ୍ତମାନ ମୋର ମନ ଖୁବ୍ ଅସ୍ଥିର l ତେଣୁ ମୁଁ ବର୍ତ୍ତମାନ ନୁହେଁ, ପରେ ତୁମ ଘରକୁ ଯିବି l ବର୍ତ୍ତମାନ ଦୁଇ ହଜାର ନିଅ l ଦଶାହ କର୍ମ ବେଳକୁ ଆସି ଆଉ ପାଞ୍ଚ ହଜାର ନେଇଯିବ l

ଗୋପାଳର ପୁଅ ମନେମନେ ଖୁବ୍ ଖୁସିହେଲେ ମଧ୍ୟ ମନକୁ ଦୁଃଖ କରି ଘରକୁ ଫେରିଲା l ସବୁ କଥା ଶୁଣି ଗୋପାଳ ମନେମନେ ଭବିଲା, ‘ ବାପ୍ ସେ ବେଟା ଜ୍ୟାଦା ‘ କଥାଟିକୁ ତା’ର ପୁଅ ଅକ୍ଷରେ ଅକ୍ଷରେ ପ୍ରମାଣ କରି ଦେଇଛି l ଏହିପରି ଗୋପାଳର ତଥାକଥିତ ଦଶାହ, ଏକଦଶାହ ସମୟ ଅତିବାହିତ ହୋଇଗଲା l

କିଛିଦିନ ପରେ ମହାରାଜା ଗୁପ୍ତ ଚରଠାରୁ ଅବଗତ ହେଲେ, ଗୋପାଳର ମୃତ୍ୟୁଖବର ସମ୍ପୂର୍ଣ ମିଥ୍ୟା l ବରଂ ଗୋପାଳ ସିଧାସଳଖ ମହାରାଜାଙ୍କୁ ପ୍ରତାରିତ କରି ସାତ ହଜାର ଠକି ନେଇଛି l ଖବର ପାଇ କୃଷ୍ଣଚନ୍ଦ୍ର ଖୁବ୍ ରାଗିଗଲେ l ସେହି ମୁହୁର୍ତ୍ତରେ ଦୁଇଜଣ ପିଆଦାକୁ ପଠେଇ ଗୋପାଳକୁ ବନ୍ଦୀ କରି ଆଣିବାକୁ ଆଦେଶ ଦେଲେ l

ଯେକୌଣସି ମୁହୁର୍ତ୍ତରେ ଏପରି ଘଟିପାରେ ବୋଲି ଗୋପାଳ ପୂର୍ବରୁ ଅନୁମାନ କରିସାରିଥିଲା l ତେଣୁ ସେ ସବୁବେଳେ ଗୋଟାଏ ଧଳା ଚାଦର ଘୋଡ଼ି ହୋଇ ରହୁଥିଲା l ଦୂତମାନେ ଗୋପାଳ ଓ ତା’ର ପୁଅକୁ ବନ୍ଦୀ କରି ରାଜାଙ୍କ ସମ୍ମୁଖରେ ହାଜର କରାଇଲେ l ମହାରାଜା କ୍ରୋଧ ଜର୍ଜରିତ କଣ୍ଠରେ କହିଲେ –ଗୋପାଳ, ମୁଁ ଜାଣେ, ତୁମେ ଏହା ପୂର୍ବରୁ ଅନେକ ଲୋକଙ୍କୁ ଠକିଛ l ଶେଷରେ ମୋ ସହିତ ପ୍ରତାରଣା କରିବାର ଦୁଃସାହସ କଲ କିପରି ? ଏ ପ୍ରକାର ଆସ୍ପର୍ଦ୍ଧା ସୀମାତୀତ l ବର୍ତ୍ତମାନ ତୁମକୁ ଶୂଳୀ ମଧ୍ୟ ଦିଆ ଯାଇପାରେ l ରାଜ ପାରିଷଦସମସ୍ତେ ଗୋପାଳକୁ ଶ୍ରଦ୍ଧା କରନ୍ତି ଅବଶ୍ୟ, କିନ୍ତୁ ମହରାଜାଙ୍କର କ୍ରୋଧ ଦେଖି ସେମାନଙ୍କର ମନେହେଲା, ଏଥର ଗୋପାଳର ନିସ୍ତାର ନାହିଁ l

ଗୋପାଳ କିନ୍ତୁ ନିର୍ବିକାର ଏତେବଡ଼ ଘଟଣା ପରେ ମଧ୍ୟ ବେଶ୍ ଶାନ୍ତ ସତେ ଯେପରି କିଛି ଘଟିନି l ଗୋପାଳର ନୀରବତା ଦେଖି ରାଜା ବିରକ୍ତ ହୋଇ ପୁଣିଥରେ କହିଲେ-ନଜାଣିଲା ପରି ଚୁପ୍ ରହିଗଲେ, ତୁମେ କ୍ଷମା ପାଇପାରିବନି l ମୋ ପ୍ରଶ୍ନର ଉତ୍ତର ଦିଅ l ଗୋପାଳ ଘୋଡ଼ି ହୋଇଥିବା ଚଦର ଭିତରୁ ଡାହାଣ ହାତତି ବାହାର କଲା l ଦେଖାଗଲା ଗୋପାଳର ହାତରେ ପଥରରେ ନିର୍ମିତ ଏକ ସୁନ୍ଦର କୃଷ୍ଣ ମୂର୍ତ୍ତି l କହିଲା-ମୁଁ କିମ୍ବା ମୋର ପୁଅ, କେହିହେଲେ ଆପଣଙ୍କ ସହ ପ୍ରତାରଣା କରିନାହୁଁ l ସେ ପ୍ରକାର ଦୁଃସାହସ କରି ବିପଦକୁ ବରଣ କଳା ଭଳି ମୂର୍ଖତା କରେ କିଏ l

ମହାରାଜା- ତେବେ ପ୍ରକୃତ ସତକଥା କୁହ l

ଗୋପାଳ –ମୁଁ ସେଦିନ ବାଡ଼ି ଖୋଳୁ ଖୋଳୁ ଏଇ ସୁନ୍ଦର କୃଷ୍ଣ ମୂର୍ତ୍ତିଟିକୁ ପାଇଲି l ସେହି ସମ୍ବାଦ ଜଣେଇବା ପାଇଁ ମୁଁ ସଙ୍ଗେସଙ୍ଗେ ପୁଅକୁ ଆପଣଙ୍କ ଦରବାରକୁ ପଠାଇଥିଲି l ମହାରାଜା –ସୁସମ୍ବାଦ ଆଣି ମଧ୍ୟ ସେ ଏପରି କାନ୍ଦ କାନ୍ଦ ହେଲା କାହିଁକି ? ଗୋପାଳ-କ୍ଷମା କରିବେ ଛାମୁ l ପିଲାଟି ଜନ୍ମରୁ କୃଷ୍ଣ ପ୍ରାପ୍ତିରେ ଭାବ ଗଦ୍ ଗଦ୍ କଣ୍ଠରେ ହୁଏତ ....ଭଗବାନ ବେଳେ ବେଳେ ମୋତେ ଦର୍ଶନ ଦେଇ ଯଦି ରାଜଦଣ୍ଡ ଦିଆଇବେ, ମୋର ଆଉ କ’ଣ କହିବାର ଅଛି ! ଏତିକି କହି ସେ ମୂର୍ତ୍ତିଟିକୁ ନିଜ କପାଳରେ ଛୁଆଁଇଲା l

ମହାରାଜା କୃଷ୍ଣଚନ୍ଦ୍ରଦେବ ଜଣେ ପର୍ମ କୃଷ୍ଣଭକ୍ତ l ହଠା୍ତ କିଛି ସମୟ ଖୁବ୍ ଗମ୍ଭୀର ହୋଇ ବସିବା ପରେ କହିଲେ-‘ଏବେ ମୂର୍ତ୍ତିଟି କ’ଣ କରିବ ବୋଲି ଭାବୁଛ ?’ ଗୋପାଳ – ଆପଣ ପ୍ରଭୁଙ୍କୁ ଆପଣଙ୍କ ମନ୍ଦିରରେ ରଖନ୍ତୁ l ନିଜ ଇଚ୍ଛାରେ ଆବିର୍ଭାବ ହୋଇଥିବା ଠାକୁରଙ୍କୁ ମୁଁ ମୋ ଘରେ ରଖି ଠିକ୍ ଭାବରେ ପୂଜାର୍ଚ୍ଚନା କରିପାରିବି ନାହିଁ l ପ୍ରଭୁଙ୍କର ଉପଯୁକ୍ତ ସ୍ଥାନ ରାଜବାଟୀର ବିଷ୍ଣୁ ମନ୍ଦିର l

ବେଶ୍ ଖୁସି ମନରେ ମହାରାଜା ଗୋପାଳଠାରୁ ମୂର୍ତ୍ତିଟି ଗ୍ରହଣ କରି ମନ୍ଦିରର ପ୍ରତିଷ୍ଠା କରାଇବାର ବ୍ୟବସ୍ଥା କାଲେ ଓ ଗୋପାଳକୁ କିଛି ପୁରସ୍କାର ମଧ୍ୟ ଦେଲେ l


Rate this content
Log in

Similar oriya story from Children