STORYMIRROR

Avaya Kumar Panda

Drama Classics

3  

Avaya Kumar Panda

Drama Classics

କରୋନାର କାରନାମା

କରୋନାର କାରନାମା

5 mins
33


କରୋନା ଭୂତାଣୁ ଚାଇନାର ଉହାନ ସହରରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ଯେପରି ବ୍ୟାପିଗଲା ଏବଂ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏହି ଭୂତାଣୁ ଦ୍ୱାରା ଯେଭଳି ସଂକ୍ରମିତ ହେଲେ ଏବଂ ମୃତ୍ୟୁ ବରଣ କଲେ ,ତା ପୂର୍ବରୁ ,କେହି କେବେ ବି ଭାବିନଥିଲେ ଏକ ଭୂତାଣୁ ମଣିଷର ଜୀବନ ଓ ଜୀବିକାକୁ ଏପରି ବିପର୍ଯ୍ୟସ୍ତ କରି ପକାଇବ। ମଣିଷର ଜୀବନ ଧାରଣର ଶୈଳୀରେ ଏକ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଦେବ। ମଣିଷକୁ ଘରର ଚାରିକାନ୍ଥ ଭିତରେ ବନ୍ଦୀ କରି ରଖିଦେବ। ମଣିଷ ପରି ଏକ ସାମାଜିକ ପ୍ରାଣୀକୁ ନିଜ ନିଜ ଭିତରେ ଦୂରତା ରଖିବାକୁ ବିବଶ କରିଦେବ। 

କରୋନା ଭୂତାଣୁ ମଣିଷକୁ କେତେକ ଶିକ୍ଷା ଦେଲା। ମଣିଷର ଆଶା ଓ ଆକାଙ୍କ୍ଷାକୁ ଏହି ଭୂତାଣୁ ବହୁଳ ମାତ୍ରାରେ ପ୍ରଭାବିତ କଲା। ସବୁକିଛି ଓଲଟ ପାଲଟ କରି ରଖିଦେଲା।ଜଣେ ମଣିଷ ଅନ୍ୟ ଜଣଙ୍କର ସଂସ୍ପର୍ଶରେ ଆସିଲେ ଏହି ଭୂତାଣୁ ବ୍ୟାପୁଥିଲା। ଜର, କାଶ, ଥଣ୍ଡା ,ତଣ୍ଟି ଦରଜ ଆଦି ପ୍ରାରମ୍ଭିକ ଲକ୍ଷଣ ମାଧ୍ୟମରେ ଏହି ଭୂତାଣୁ ନିଜକୁ ପରିପ୍ରକାଶ କରୁଥିଲା, ମଣିଷ ଦେହରେ ପ୍ରବେଶ କରି ଧିରେ ଧିରେ ମଣିଷକୁ ସମ୍ପୂର୍ଣ୍ଣ ଅକାମୀ କରିଦେଉଥିଲା ଓ ମୃତ୍ୟୁ ମୁଖକୁ ଟାଣି ନେଉଥିଲା। ଲୋକେ ଆତଙ୍କିତ ଓ ଭୟଭୀତ ହେବାକୁ ଲାଗିଲେ। ସରକାର କରୋନାର ସଂକ୍ରମଣକୁ ରୋକିବାକୁ ଯାଇ ଲକଡାଉନ ଓ ସଟଡାଉନ ରୂପକ ଅସ୍ତ୍ରକୁ ବ୍ୟବହାର କଲେ। ସାରା ଦେଶରେ ପାଖାପାଖି ଦୁଇ ମାସ ଲକଡାଉନ ଓ ସଟଡାଉନ ଲାଗୁହେଲା। ଏହି ଲକଡାଉନ ଓ ସଟଡାଉନ ସମୟରେ ଲୋକମାନଙ୍କ ଚଳିବା କଷ୍ଟକର ହୋଇଗଲା। 


ସୁବୁଦ୍ଧି ବାବୁଙ୍କ ଦୁଇ ପୁଅ କବିର ଓ ସବିର ଓ ଝିଅ ବର୍ଷା ।ସମସ୍ତେ ଉଚ୍ଚ ଶିକ୍ଷିତ। କବିର ଦୁବାଇରେ ଇଞ୍ଜିନିୟର ଭାବରେ ଚାକିରି କରୁଥିଲା। ଭାରତ ଅପେକ୍ଷା ସେଠି ବହୁତ ଟଙ୍କା ମିଳେ। ପ୍ରାୟ ପାଞ୍ଚ ବର୍ଷରୁ ଅଧିକ ହେବ ସେ ଘରକୁ ଆସୁନଥିଲା। କହିବାକୁ ଗଲେ ଧନ ଲୋଭରେ ସେ ପରିବାରକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲା ।ଟଙ୍କା ପଇସା ହିଁ ଥିଲା ତା ପାଇଁ ସବୁକିଛି, ସ୍ନେହ, ସମ୍ପର୍କର ମୂଲ୍ୟ ତା ପାଇଁ କିଛି ନଥିଲା। ଭାରତ ପରି ଦୁବାଇରେ ମଧ୍ୟ କରୋନା ଭୂତାଣୁର ସଂକ୍ରମଣ ହୁ ହୁ ହୋଇ ବଢୁଥିଲା। ଦୁବାଇ ଏକ କସମୋପଲିଟାନ ସିଟି। ସେଠାରେ ବହୁ ଦେଶର, ବହୁ ଧର୍ମର ଲୋକେ ବସବାସ କରନ୍ତି। କବିର ସେଠି ତାର ପରିବାର ସହ ସେଟଲ ହୋଇଯାଇଛି କହିଲେ ଚଳେ। ବେଳେବେଳେ ସେମିତି ଆବଶ୍ୟକ ହେଲେ ଘରକୁ ଫୋନ୍ ଫାନ ଟିକେ କରେ ସିନା ହେଲେ ପରିବାର ଲୋକଙ୍କୁ ଦେଖାକରିବାକୁ ଘରକୁ ଆସେନି। 

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁବାଇରେ ସେଠାକାର ସରକାର ମଧ୍ୟ ଲକଡାଉନ ଓ ସଟଡାଉନ ଘୋଷଣା କଲେ। ଫଳସ୍ୱରୂପ କବିର କାମ କରୁଥିବା କମ୍ପାନୀ ମଧ୍ୟ କେତେଦିନ ପାଇଁ ବନ୍ଦ ହୋଇଗଲା। ସେଠାକାର ସୁଉଚ୍ଚ ମଲ, ମନଲୋଭା ପାର୍କ ,ଗାର୍ଡେନ,ହୋଟେଲ,ରେସ୍ତୋରାଁ ଇତ୍ୟାଦି ବିଳାସ , ବ୍ୟସନ କରିବାର ସ୍ଥାନଗୁଡ଼ିକ ମଧ୍ୟ ବନ୍ଦ ହୋଇଗଲା। ଏଭଳି ପରିସ୍ଥିତିରେ କବିର ଭାବୁଥିଲା ଆହା ଆଜି ଆମେମାନେ ଗାଁରେ ଥିଲେ କେତେ ଭଲ ହୋଇଥାନ୍ତା। ସେଠି ତ ଆରାମରେ ଖାଇ ପିଇ ଗଣ୍ଡେ ରହିଥାନ୍ତେ। ଦୁବାଇରେ ଯେତେବେଳେ କରୋନା ସଂକ୍ରମଣ ଅଣାୟତ ହେଲା ସେତେବେଳେ କବିର ମଧ୍ୟ ଚାହିଁଲା କିପରି ଭାରତ ଫେରି ଆସିବ। ହେଲେ ଆସିବ କେମିତି? କରୋନାର କାରନାମାରେ ସବୁ ବିମାନ ସେବା ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇ ଯାଇଛି। ସେ ଅପେକ୍ଷା କରିଥିଲା ଭାରତ ସରକାରଙ୍କ ତରଫରୁ କେବେ ପ୍ରବାସୀମାନଙ୍କୁ ନିଜ ଦେଶକୁ ଫେରାଇ ଅଣାଯିବ। ଦିନ ଆସିଲା ଓ ଭାରତ ସରକାର ପ୍ରବାସୀ ଭାରତୀୟଙ୍କୁ ବିଦେଶରୁ ସ୍ୱତନ୍ତ୍ର ବିମାନ ଯୋଗେ କିପରି ଭାରତ ଅଣାଯିବ ତାର ବ୍ୟବସ୍ଥା କଲେ। କୋଭିଡ୍ ଗାଇଡଲାଇନ ମାନି କବିର ତା ସ୍ତ୍ରୀ ଓ ପିଲାକୁ ଧରି ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଲା ।ଭୁବନେଶ୍ବରରେ ଆସି ପହଞ୍ଚିଲା ପରେ ତାକୁ ଲାଗୁଥିଲା ସତେ ଯେପରି ସେ ଆସି ତାର ଗାଁରେ ପହଞ୍ଚିଲା ।


ସରକାରଙ୍କ ନିୟମାନୁସାରେ ବାହାର ରାଜ୍ୟରୁ କିମ୍ବା ଦେଶରୁ ଆସୁଥିବା ପ୍ରବାସୀମାନଙ୍କୁ ଚଉଦ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ। ସରକାରୀ କ୍ୱାରେଣ୍ଟାଇନରେ ହେଉଥିବା ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ହାଟରେ ପଡ଼ି ବାଟରେ ଗଡୁଥିଲା। ବିଭିନ୍ନ ଅସୁବିଧାରେ କେତେକ କ୍ୱାରେଣ୍ଟାଇନରେ ପ୍ରବାସୀ ଶ୍ରମିକମାନେ ଦିନ କାଟୁଥିଲେ। କବିର ପଇସା ବାଲା ଥିଲା। ଏଣେ ଏ ସବୁ ଅସୁବିଧାକୁ ଦୃଷ୍ଟିରେ ରଖି କବିର ପେଡ୍ କ୍ୱାରେଣ୍ଟାଇନରେ ରହିବା ପାଇଁ ସ୍ଥିର କଲା।କ୍ୱାରେଣ୍ଟାଇନରେ ନିର୍ଧାରିତ ସମୟ ପର୍ଯ୍ୟନ୍ତ ରହିବା ପରେ ଶେଷରେ ସେ ଘରକୁ ଫେରିଲା। ଘରକୁ ଫେରିବା ପରେ ସେ ଘରଲୋକଙ୍କ ସ୍ନେହ, ଶ୍ରଦ୍ଧା ପାଇ ନିଜକୁ ଆଶ୍ୱସ୍ତ ଅନୁଭବ କଲା। 


ସେପଟେ ସୁବୁଦ୍ଧି ବାବୁଙ୍କ ସାନପୁଅ ସବିରର ଦୁଇ ହଜାର କୋଡିଏ ମସିହା ଜାନୁଆରୀ ମାସରେ ନିର୍ବନ୍ଧ ହୋଇଥିଲା। ତାର ମାସ ଚାର

ିଟା ପରେ ବାହାଘର ହେବାର ଥିଲା ହେଲେ ଏ କରୋନା ସବୁକିଛି ବିଗାଡିଦେଲା। କରୋନାର କଟକଣା ଯୋଗୁଁ ସୁବୁଦ୍ଧି ବାବୁ ଏହା ଭିତରେ ବାହାଘର କ୍ୟାନସେଲ କରିସାରିଲେଣି ଏବଂ ସବୁ ପ୍ରକାର କଟକଣା ଉଠିଲେ ବାହାଘର ହେବ ବୋଲି କହିଲେଣି। ସବିରର ମନ ମାନୁନଥିଲା। ଏଇ କରୋନା କଟକଣା କାରଣରୁ ତାର ବାହାଘର କ୍ୟାନସେଲ ହେବ ବୋଲି ସେ କେବେ କଳ୍ପନା କରିନଥିଲା। ନିର୍ବନ୍ଧ ପରେ ତାର ଭାବି ପତ୍ନୀ ସହିତ ସମ୍ପର୍କ ନିବିଡ଼ ହେବାକୁ ବସିଲା ବେଳକୁ ଏ କରୋନାର କାରନାମା ତାକୁ ବହୁତ କଷ୍ଟ ଦେଉଥିଲା। ଏତେ ଦିନ ପରେ ଭଗବାନଙ୍କ କୃପାରୁ ବାହାଘରଟା ସ୍ଥିର ହୋଇଥିଲା ହେଲେ ଏ ଲକଡାଉନ ଓ ସଟଡାଉନ ତାର ଭାବି ସ୍ତ୍ରୀ ସହିତ ତାର ମିଳାମିଶା ବି କରାଇ ଦେଉନଥିଲା ।କେବଳ ସବିର ନୁହେଁ, ସବିର ଭଳି କେତେ ପୁଅଝିଅଙ୍କ ବିବାହ ଅଟକିଗଲା ।ସବିରର ଏଥିପାଇଁ ବହୁତ ମନଦୁଖ ହେଉଥିଲା ହେଲେ କଣ ବା କରିପାରିବ, ସମୟର ଏ କଠୋରାଘାତ ଆଗରେ ସେ ନିରୁପାୟ ଥିଲା। 

ଏଣେ ସୁବୁଦ୍ଧି ବାବୁଙ୍କ ଝିଅ ବର୍ଷା ତାର କଲେଜମେଟ ନିହାରକୁ ଭଲପାଉଥିଲା। ବର୍ଷାର ଏବର୍ଷ ଗ୍ରାଜୁଏସନର ଫାଇନାଲ ୟିଅର। ସେ ନିହାରକୁ ଭଲପାଉଥିଲା ବୋଲି ଘର ଲୋକେ ଜାଣିନଥିଲେ। କଲେଜ ବାହାନାରେ ପ୍ରାୟ ପ୍ରତିଦିନ ସେମାନଙ୍କର ବୁଲାବୁଲି ଓ ମିଳାମିଶା ହେଉଥିଲା ।ପାର୍କରୁ ସିନେମା ହଲ ପର୍ଯ୍ୟନ୍ତ ସବୁଆଡେ ବୁଲାବୁଲି କରି ସେ ମସ୍ତି କରୁଥିଲା।କରୋନାର କାରନାମାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯିବା ସହିତ ତାର କଲେଜ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇଗଲା।ବର୍ଷା ଲୁଚିଛପି ସିନା ନିହାର ସହିତ ଫୋନରେ ଟିକେ କଥା ହେଉଥିଲା ହେଲେ ମିଳାମିଶା କରିବାର ସୁଯୋଗ ଆଦୌ ପାଉନଥିଲା।ପ୍ରେମପକ୍ଷୀ ହୋଇ କଲେଜ, ପାର୍କ ,ବଜାର ରୂପକ ମୁକ୍ତାକାଶରେ ଉଡି ବୁଲୁଥିବା ବର୍ଷା ଆଜି ଘର ରୂପକ ଚାରିକାନ୍ଥର ପଞ୍ଜୁରି ଭିତରେ ବନ୍ଦୀ ହୋଇଯାଇଥିଲା ।ବର୍ଷା ଯେଉଁ ପ୍ରେମର ସାଗରରେ ପହଁରୁଥିଲା ସେ ସାଗରରେ ଏବେ ତାର ପ୍ରବେଶ ମନା ହୋଇଗଲା। ବର୍ଷା ବିନା ପାଣିରେ ମାଛ ରହିଲା ଭଳି ପ୍ରେମ ବିରହରେ ଖାଲି ଛଟପଟ ହେଉଥିଲା। ହାଏରେ କରୋନା କଲୁ କି କାରନାମା ଦୁଇ ପ୍ରେମୀଙ୍କୁ ମିଶାଇ ଦେଲୁନି ଜମା। 


ଏଣେ ବର୍ଷାର ମାମୁଁ ପୁଅ ଭାଈ ରାକେଶ ଲକଡାଉନ ପୂର୍ବରୁ ବାଙ୍ଗାଲୋରରୁ ଘରକୁ ଆସିଥିଲା। ପ୍ରାୟ ସାତ, ଆଠ ମାସ ହେବ ସେ ଘରକୁ ଆସିନଥିଲା। ରାକେଶ ବାଙ୍ଗାଲୋରର ଏକ ପ୍ରାଇଭେଟ୍ କମ୍ପାନୀରେ ଚାକିରି କରେ। ଲକଡାଉନ ଓ ସଟଡାଉନ ହୋଇଯିବା ପରେ ସେ ଆଉ ବାଙ୍ଗାଲୋର ଯାଇପାରିଲା ନାହିଁ କାରଣ ସେତେବେଳକୁ ସମସ୍ତ ରେଳ ଓ ବିମାନ ସେବା ବନ୍ଦ ହୋଇସାରିଥିଲା। ସେପଟେ ଡ୍ୟୁଟିରେ ଯୋଗଦେବାର ଅସୁବିଧାକୁ ସେ ଇ- ମେଲ କରି ଜଣାଇଦେଇଥିଲା ହେଲେ ତାର କମ୍ପାନୀରେ ଚାକିରି ରହିବ ନା ନାହିଁ ସେ ଅନିଶ୍ଚିତତା ଲାଗିରହିଥିଲା।ସେ କ'ଣ କରିବ କିଛି ଭାବିପାରୁନଥିଲା। କେବେ ପୁଣି ରେଳ ଓ ବିମାନ ଯାତାୟତ କରିବ ତାକୁ ଅପେକ୍ଷା କରିବା ବ୍ୟତୀତ ତା ପାଖରେ ଆଉ କିଛି ଚାରା ନଥିଲା। 


ସେପଟେ ବର୍ଷାର ମଉସା,ମାଉସୀ ଭୁବନେଶ୍ୱରରେ ସେମାନଙ୍କ ଘରେ ଏକୁଟିଆ ରହୁଛନ୍ତି। ସେମାନଙ୍କ ପୁଅ ଝିଅ ମାନେ ସବୁ ବାହାରେ। ବୁଢ଼ାବୁଢ଼ୀ ଏକୁଟିଆ ରହୁଥିବାରୁ ନା ଏ ଲକଡାଉନ ଓ ସଟଡାଉନ ସମୟରେ ବାହାରକୁ ବାହାରିପାରୁଛନ୍ତି ସେମାନଙ୍କର ଜରୁରୀ ଜିନିଷ ଆଣିବା ପାଇଁ ନା ସେମାନଙ୍କ ପାଖରେ ଜିନିଷପତ୍ର ସବୁ ଠିକ୍ ସମୟରେ ମିଳୁଛି। ଭାରି ଦହଗଂଜ ହେବାକୁ ପଡୁଛି ଦୁଇ ପ୍ରାଣୀଙ୍କୁ ।ପାଖରେ କିଏ ନିଜର ଲୋକ ଥିଲେ ବା କଣ ସାହାଯ୍ୟ କରନ୍ତେ। ସହରରେ କିଏ କାହାକୁ ପଚାରେ, ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ସହରରେ ପଡିଶା ଘରେ କଣ ହେଉଛି ତାହା ବି ଲୋକଙ୍କୁ ଜଣାନଥାଏ ।ଗାଁରେ ଥିଲେ କଥା ଅଲଗା ଆଉ ସହରରେ ଅଲଗା। 


ଇଏ ତ ଗଲା ସୁବୁଦ୍ଧି ବାବୁଙ୍କ ପରିବାର ଓ ତାଙ୍କ ସଂପର୍କୀୟଙ୍କ କଥା। ସୁବୁଦ୍ଧି ବାବୁଙ୍କ ପରି ହଜାର ହଜାର ପରିବାର ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଜାର ହଜାର ଲୋକଙ୍କ ବେପାର ବଣିଜ, ଜୀବନ ଜୀବିକା ଆଜି କରୋନାର କାରନାମାରେ ବିପର୍ଯ୍ୟସ୍ତ। ଲୋକେ ସିନା ପାଞ୍ଚ କେଜି ଲେଖାଏଁ ଚାଉଳ, ଗହମ ପାଇଗଲେ ହେଲେ ଅନ୍ୟ ଖର୍ଚ୍ଚ ପୁଣି ଅଛି ନା, ମାସ ମାସ ଧରି ଜୀବନ ଜୀବିକା ଠପ୍ ହୋଇଯିବା ପରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ଏଇ କରୋନାର କାରନାମାରେ କିଛି ଲୋକ ଅତିଷ୍ଠ ହୋଇଗଲେଣି ।ଆଉ କେତେ ଦିନ ଏମିତି ଏଇ ମହାମାରୀ ଭୂତାଣୁ ସହ ଲୋକଙ୍କୁ ଲଢିବାକୁ ହେବ ତାହା କାହାକୁ ଜଣା ନାହିଁ କାରଣ ଏହାର ପ୍ରତିଷେଧକ ଟୀକା ଏପର୍ଯ୍ୟନ୍ତ ବାହାରି ନାହିଁ। କୋଉଠି ବାପା, ମା, ପୁଅଝିଅଙ୍କୁ ହରାଇଲେଣି ତ କୋଉଠି ପୁଅଝିଅ ନିଜର ବାପାମାଙ୍କୁ ହରାଇଲେଣି। ନିଜର ଲୋକେ ବି ନିଜ ପାଖ ମାଡିବାକୁ ଡରୁଛନ୍ତି ।ଏଭଳି ପରିସ୍ଥିତିରେ ସତର୍କତା ଓ ସାବଧାନତା ହିଁ ମଣିଷର ଏହି ଭୂତାଣୁ ବିରୋଧରେ ସର୍ବଶ୍ରେଷ୍ଠ ଅସ୍ତ୍ର ।



Rate this content
Log in

Similar oriya story from Drama