ଦୁସହ୍ୟ ଦାଦନ
ଦୁସହ୍ୟ ଦାଦନ


ସପନା ସୁରତର ଏକ ସୁତାକଳରେ ଶ୍ରମିକ ଭାବେ କାମ କରେ। ସପନାର ଆଖିରେ ଆଖିଏ ସ୍ୱପ୍ନ। ଏଇ ସୁତାକଳରେ ସେ କାମ କରି କେତେ କଣ କରିବା ପାଇଁ ଭାବିଛି ତାର ସ୍ତ୍ରୀ, ପରିବାର ଓ ପିଲାଛୁଆଙ୍କ ପାଇଁ।
ଏଇ ସୁତାକଳରେ କାମ କରି ସେ ତାର ପରିବାର ଭରଣପୋଷଣ କରୁଛି। ଯଦିବା ଏଇ ସ୍ୱଳ୍ପ ରୋଜଗାର ତାକୁ ସୁଖ ସ୍ୱଛନ୍ଦରେ ଚଳିବା ପାଇଁ ବାରଣ କରୁଛି ତଥାପି ସେ ଦୁଖେସୁଖେ ଚଳୁଛି। ଗାଁରେ ତାର ସ୍ତ୍ରୀ, ପୁଅ ଝିଅ ଦୁଇଟି ଓ ବୁଢ଼ା ବାପା, ମା ଅଛନ୍ତି। ଧାନ ଜମି ବୋଲେ ସର୍ବ ମୋଟ ଚାରି ଭରଣ ଅଛି। ସେଥିରେ ଯାହା ଧାନ ହେଉଛି ବର୍ଷ ଯାକ ଖାଇବାକୁ ବି ନିଅଣ୍ଟ। ଚାଉଳ, ଡାଲି ପନିପରିବା ସବୁକିଛି କିଣିବାକୁ ପଡୁଛି।
ସପନା ମାସକୁ ମାସ ପଇସା ପଠାଇଲେ ତାର ଘର ଚଳେ। ଯୋଉ ମାସରେ କମ୍ପାନୀରୁ ଠିକ୍ ସମୟରେ ପଇସା ମିଳି ନଥାଏ, ଧାର କରଜ କରି ହେଉ ପଛେ ସେ ଘରକୁ ପଇସା ପଠାଏ। ସପନା ଭାବେ ସେ ଭୋକରେ ରହିଗଲେ ଚଳିବ କିନ୍ତୁ ତାର ପିଲାଛୁଆ, ବାପା, ମା ଭୋକର ଦାଉରେ ଉପାସ ନରୁହନ୍ତୁ। ସେ ଯେପରି ପାଠଶାଠ ନପଢି ଦାଦନ ଶ୍ରମିକ ଭାବେ କାମ କରୁଛି ତା ପିଲାଛୁଆ ସେମିତି ନ କରନ୍ତୁ, ତା ପିଲାଛୁଆ ଟିକେ ଭଲ ପାଠ ପଢନ୍ତୁ, ଆଉ ତା ଭଳି ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ନଯାଆନ୍ତୁ।
ସପନା ଭାବିଥିଲା ଏଥର ହୋଲିକୁ ଗାଁକୁ ଆସିବ ବୋଲି। ଏଇ ସ୍ୱଳ୍ପ ରୋଜଗାରରେ ସବୁବେଳେ କ'ଣ ଗାଁକୁ ଆସି ପାରୁଛି! ଗାଁକୁ ବାରମ୍ବାର ଆସିଲେ ପଇସା କୋଉଠି ରହିବ? ପୁଣି ଏତେ ଦୂର! ଅତି ହେଲେ ବର୍ଷକୁ ଥରେ ନହେଲେ ଦୁଇଥର ଟ୍ରେନରେ ଆସେ। ଏଥର ହୋଲିକୁ ସେ ଆସିପାରିଲା ନାହିଁ ,କାରଣ ବସ୍, ଟ୍ରେନ୍ ସବୁ ବନ୍ଦ ହୋଇ ସାରିଥିଲା କରୋନା ମହାମାରୀ ପାଇଁ। କରୋନା ଭୂତାଣୁ କାରଣରୁ ସାରା ଦେଶରେ କଟକଣା ଆରମ୍ଭ ହୋଇ ଯାଇଥିଲା। ମାର୍ଚ୍ଚ ଚବିଶ ତାରିଖରୁ ଦେଶବ୍ୟାପୀ ଲକଡାଉନ ଆରମ୍ଭ ହୋଇଗଲା।
ବୋଝ ଉପରେ ନଳିତା ବିଡା। ଇଆଡେ ଲକଡାଉନ ସିଆଡେ ସେ କାମ କରୁଥିବା ସୁତାକଳ ବନ୍ଦ ହୋଇଗଲା ଲକଡାଉନ ନିର୍ଦ୍ଦେଶନାମାରେ। ଇଆଡେ ଖାଇବା ପିଇବା ପାଇଁ ଘୋର ଅସୁବିଧା ସିଆଡେ କାମ ଅଭାବରୁ ପକେଟରେ ପଇସା ନାହିଁ। ପ୍ରାୟ ସବୁ ଶ୍ରମିକମାନଙ୍କର ସମ ଦଶା ,ଏଭଳି ପରିସ୍ଥିତିରେ କାହାକୁ ମାଗିବ କିଏ ଦେବ।ଏଭଳି ପରିସ୍ଥିତିରେ କଣ କରିବ କଣ ନାଇଁ ଭାବି ଭାବି ତାର ଅକଲ ଗୁଡୁମ ହୋଇଯାଉଥିଲା। ଦେଖିଲା ବ୍ୟାଙ୍କ ପାସବୁକରେ କଣ ଟଙ୍କା ଛ, ସାତ ହଜାର ଅଛି।କେବେଠୁ ସେ ଏଇ ଟଙ୍କା କିଛି କିଛି କରି ସଞ୍ଚୟ ରଖିଥିଲା। ନିଜ ପାଖରେ ଟଙ୍କା ଦୁଇ ହଜାର ରଖି ବାକିଟଙ୍କା ଘରକୁ ପଠାଇ ଦେଲା। ସ୍ତ୍ରୀକୁ କହିଲା ଦେଖ ସୁମି ! ମୋ ପାଖରେ ଆଉ କିଛି ନାହିଁ ,ଦେଖି ଚାହିଁ ଚଳିବ ବାଜ୍ୟେ ଖର୍ଚ୍ଚ କିଛି କରିବ ନାହିଁ, ନହେଲେ ଆମର ହିଁ ଅସୁବିଧା ହେବ।
ସବୁଆଡେ ହୁରି ପଡିଗଲା ଏକୋଇଶି ଦିନ ଯାଏଁ ସବୁକିଛି ବନ୍ଦ। ରାସନ, ପନିପରିବା, ଫଳ ଓ ଔଷଧ ପରି ଅତ୍ୟାବଶ୍ୟକ ଜିନିଷକୁ ଛାଡିଦେଲେ ଆଉ ସବୁ ବନ୍ଦ। ଏ ମହାମାରୀକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମତ ସେ ଶୁଣୁଛି। ବାହାରକୁ ବାହାରିବ ନାହିଁ, ଅତ୍ୟାବଶ୍ୟକ ଥିଲେ ବାହାରିବ, ଜନଗହଳି ସ୍ଥାନରୁ ଦୂରରେ ରହିବ। ହାତକୁ ବାରମ୍ବାର ସାବୁନ ଓ ସାନିଟାଇଜରରେ ଧୋଇବା, ମୁହଁରେ ମାସ୍କ, ରୁମାଲ ପିନ୍ଧିବା ଇତ୍ଯାଦି ଇତ୍ୟାଦି।ସପନା ଓ ଆଉ ତିନିଜଣ ଶ୍ରମିକ ଏକାଠି ମିଶି ଗୋଟିଏ ଘରଭଡ଼ା ନେଇ ରହୁଥିଲେ, ଆରେ ଭଲରେ ଗଣ୍ଡେ ଖାଇବାକୁ ତ ପଇସା ନାହିଁ ଆଉ ଘରଭଡ଼ା ଦେବେ କଣ। ସମସ୍ତେ ମିଶି ଚୁଡ଼ା ଗୋଟେ ବସ୍ତା ଘେନି ଆଣିଲେ ,ଖାଇବେ ତ ପୁଣି ? ଗୋଟେ ଓଳି ଭାତ, ଡାଲି, ଆଳୁଚକଟା ତ ଆଉ ଗୋଟେ ଓଳି ଚୁଡ଼ା ଖାଇ ରହିଗଲେ। ସରକାର କହିଲା ଯିଏ ଯୋଉଠି ଅଛି ଥାଅ ଲକଡାଉନ ସରିଲେ ଯିଏ ଯାହା ଘରକୁ ଯିବ ସେପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣାରେ ପାଞ୍ଚ କେଜି ଲେଖାଏଁ ଚାଉଳ,ଗହମ ମିଳିବ କିନ୍ତୁ ଏମାନଙ୍କର କାହାର ରାସନ କାର୍ଡ଼ ନଥିଲା ତେଣୁ ଚାଉଳ ଗଣ୍ଡେ ବି ମିଳିଲା ନାହିଁ।
ସପନା ଓ ତାର ସାଥି ଶ୍ରମିକମାନେ ଯଥାତଥା କରି ଏକୋଇଶି ଦିନ କାଟିଦେଲେ। ଏକୋଇଶି ଦିନ ପରେ ପୁଣି ସରକାର ଘୋଷଣା କଲେ ଆଉ ଉଣେଇଶ ଦିନ ପାଇଁ ସାରା ଦେଶରେ ଲକଡାଉନ। ସପନା ମୁଣ୍ଡରେ ଚଡକ ପଡିଲା ପରି ଲାଗିଲା। ଭାବିଲା ମୁଁ ହେଲେ ଗାଁକୁ ପଳେଇଥାନ୍ତି, ସେଠି ଯାହିତାହି କରି ଖାଇ ବଞ୍ଚି ଯାଇଥାନ୍ତୁ। ଏଠି ତ ରୋଜଗାରର ସମସ୍ତ ପନ୍ଥା ବନ୍ଦ, କାରଣ କମ୍ପାନୀ ବନ୍ଦ। ଗାଁକୁ ବା ଯିବ କେମିତି। ଗାଡିମଟର, ଟ୍ରେନ, ଫ୍ରେନ ସବୁ ବନ୍ଦ। ସରକାର ସିନା କହିଦେଲା ଗରିବଙ୍କୁ ତିନିମାସର ରାସନ ଚାଉଳ କିମ୍ବା ଗହମ ଆକାରରେ ପାଞ୍ଚ କେଜି ଲେଖାଏଁ ଦେବ ହେଲେ ତାକୁ ମିଳୁଛି କୋଉଠୁ ? ଯିଏ ପାଇବା କଥା ପାଉଛି, ସିଏ କଣ ଗରିବ ନୁହେଁ ଆଉ କଣ ଧନୀଟା କି? ସବୁ ଭଗବାନଙ୍କ ଇଛା ଭାବି ସେ ଆଉ ତାର ସାଥି ଶ୍ରମିକମାନେ ମିଳିମିଶି ଯାହିତାହି କରି, ଓଳିଏ ଖ
ାଇଲେ ଓଳିଏ ଉପାସ ରହି ,ଏଇ ତାଲାବନ୍ଦ ଦୁଇର ଉଣେଇଶ ଦିନ କାଟିଦେଲେ।
ସରକାର ପୁଣି ଘୋଷଣା କଲେ ତାଲାବନ୍ଦ ତିନି ଯାହା ଚଉଦ ଦିନ ପାଇଁ ଥିଲା। ଆଉ ଏପରି ତାଲାବନ୍ଦ ପରେ ତାଲାବନ୍ଦ ସପନା ପାଇଁ ଅସହ୍ୟ ,ଦୁସହ୍ୟ ହେବାକୁ ଲାଗିଲା ।ବାହାର ରାଜ୍ୟକୁ ଆସିଛି ଦାଦନ ଖଟିବାକୁ ହେଲେ ଖାଇବାକୁ ଦାନା ଗଣ୍ଡେ ନାହିଁ, ଦାନା କୋଉଠୁ ଆସିବ ପଇସା ତ ନାହିଁ। ଏଇ ତାଲାବନ୍ଦ ତିନିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରମିକମାନେ ସେମାନଙ୍କର ନିଜ ଗାଁ, ନିଜ ମାଟିକୁ ବାହାରିଲେ, କିଏ ଚାଲିଚାଲି ତ କିଏ ମାଲ ବୋଝେଇ ଟ୍ରକ୍ ରେ, ଯିଏ ଯୋଉ ଉପାୟରେ ପାଇଲେ ଘରମୁହାଁ ହେଲେ କେତେ ଦିନ ଆଉ ରହିବେ ନିଜ ପରିବାରଠାରୁ ଦୂରରେ। ଅନିଶ୍ଚିତତା ଓ ଯନ୍ତ୍ରଣା ଭିତରେ ସପନାର ଏଇ ଲକଡାଉନ ତିନିର ଚଉଦ ଦିନ କଟିଗଲା।
ଏଇ ଚଉଦ ଦିନ ଭିତରେ ସେ ମଧ୍ୟ ଭାବିଛି ପଳେଇଆସିବ ଗାଁକୁ ହେଲେ ଆସିବ କେମିତି !ଏତେ ଗୁଡାଏ ବାଟ ଚାଲିବା କଣ ସମ୍ଭବ। ଚାଲିଚାଲି ଗଲେ ମାସେ ଲାଗିବ, କଣ କରିବ ସେ କିଛି ଭାବିପାରୁନଥିଲା। ଏଣେ ଗାଁରେ ପିଲାଛୁଆ ନିଜର ବାପାକୁ ଦେଖିବାକୁ ବିକଳ ହେଲେଣି, ସ୍ତ୍ରୀ ଅଧର୍ଯ ହେଲାଣି ଏବଂ ବୁଢା ବାପା ଓ ବୁଢୀ ମା ପୁଅ ଚିନ୍ତାରେ ରହିଲେଣି। ସପନା ଫୋନ କରି ତାର ସ୍ତ୍ରୀକୁ ବହୁତ ବୁଝାଇଲା, ବାପା, ମାକୁ ଭରସା ଦେଲା ସେ ଯେମିତି ହେଲେ ଆସିବ କିନ୍ତୁ କିଛି ସୁବିଧା ହେଲେ ତ ପୁଣି! ତାର ସ୍ତ୍ରୀକୁ ବାପା,ମା ଓ ପିଲାଛୁଆଙ୍କ କଥା ଏଇ ମହାମାରୀ ସମୟରେ ଠିକରେ ନେବାକୁ କହିଲା।
ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରମିକମାନେ ଯୋଉଭଳି ଦୁର୍ଦିନରେ ନଖାଇ ନପିଇ ଚାଲି ଚାଲି ଆସିଲେ, ତାକୁ ଦେଖି ସରକାର ବାଧ୍ୟ ହେଲେ ଶ୍ରମିକ ଟ୍ରେନ୍ ଚଲାଇବାକୁ, ଏଇ ଶ୍ରମିକ ଟ୍ରେନ୍ ଚାଲିବା ଶୁଣି ସପନାର ଘରକୁ ଫେରିବାର ସ୍ୱପ୍ନ ଉଜାଗର ହୋଇ ଉଠିଲା ଏବଂ ତାର ମୁହଁରେ ଚେନାଏ ହସ ଖେଳିଗଲା। ଯୋଉ ଶବ୍ଦ ସବୁ ସେ ତାର ଦିହାକରେ ଶୁଣିନଥିଲା ସେ ସବୁ ଶୁଣିବାକୁ ପାଇଲା ଯେମିତି କ୍ୱାରେଣ୍ଟାଇନ,ଆଇସୋଲେସନ ,ସୋସିଆଲ ଡିଷ୍ଟାନ୍ସ, କୋଭିଡ ସେଣ୍ଟର ଇତ୍ଯାଦି ଇତ୍ୟାଦି। ସପନା ଭାବିଲା ଏଠି ତ ସୁରତରେ କାମଦାମ ଅଭାବରୁ ଭୋକରେ ରହୁଛି, ତା ଅପେକ୍ଷା ଗାଁକୁ ଆସି କ୍ୱାରେଣ୍ଟାଇନରେ ରହିବା ଶତଗୁଣେ ଭଲ। ସପନା ଓ ତାର ସାଙ୍ଗମାନେ ଗାଁକୁ ଆସିବାକୁ ନାମ ରେଜିଷ୍ଟ୍ରେସନ କରିଦେଲେ ଏବଂ ଆସିବା ତାରିଖରେ ସବୁ ସାଥି ହୋଇ ଟ୍ରେନରେ ବସି ସୁରତରୁ ବ୍ରହ୍ମପୁର ଆସିଲେ।
ବ୍ରହ୍ମପୁରରେ ପହଞ୍ଚିବା କ୍ଷଣି ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଗଲା। ଏଇ କ୍ୱାରେଣ୍ଟାଇନ ସେଣ୍ଟରରେ ହିଁ ତାକୁ ଚଉଦ ଦିନ ରହିବାକୁ ପଡିବ ବୋଲି ସେ ନିଜକୁ ପ୍ରସ୍ତୁତ କରିନେଲା। ଯାହାର କରୋନା ଭୂତାଣୁ ହେବାର କୌଣସି ବି ଲକ୍ଷଣ ଦେଖାଯାଉଥିଲା ତାର କ୍ୱାରେଣ୍ଟାଇନ ସେଣ୍ଟରରେ କୋଭିଡ ଟେଷ୍ଟ କରାଯାଉଥିଲା ଏବଂ ତାକୁ କୋଭିଡ ହସ୍ପିଟାଲ ପଠାଇ ଦିଆଯାଉଥିଲା। ଏମିତିରେ କ୍ୱାରେଣ୍ଟାଇନ ସେଣ୍ଟରରେ ତାର ଚଉଦ ଦିନ କଟିଗଲା ଏବଂ ଶେଷରେ ସେ ଘରକୁ ଫେରିଲା। ସୁରତରୁ ଆସିଥିବାରୁ ସାହି ପଡିଶା ଲୋକେ କେତେଦିନ ହାଉହାଉ ହେଲେ। ସପନା ଘରକୁ ଫେରି ଆସିଥିବାରୁ ତାର ବାପା ମାଙ୍କ ମନ କୁଣ୍ଢେମୋଟ, ସ୍ତ୍ରୀ, ପିଲାଙ୍କ ମନ ଭାରି ଖୁସି ।
ଗାଁକୁ ସିନା ସପନା ପଳେଇ ଆସିଲା, ହେଲେ କରିବ କଣ? ତାହା ଏବେ ତାର ବଡ ଚିନ୍ତା। ସିଆଡେ ସରକାର ଲକଡାଉନ ଚାରି ପରେ ଧିରେ ଧିରେ ଅନଲକ କରିବାକୁ ବସିଲେଣି ଯାହାର ଫଳ ସ୍ବରୂପ ସୁରତରେ କିଛି କିଛି ସୁତାକଳ କାମ କରିବା ଆରମ୍ଭ କଲେଣି।
ଏପଟେ ରାଜ୍ୟ ସରକାର କହୁଛନ୍ତି ଯେଉଁ ଶ୍ରମିକମାନେ ସୁରତରୁ ଫେରୁଛନ୍ତି ଆମେ ସେମାନଙ୍କୁ ଏମଜିନରେଗା ଯୋଜନା ଜରିଆରେ କାମ ଯୋଗାଇ ଦେବୁ କିନ୍ତୁ ବାସ୍ତବତା ଯେ ସମ୍ପୂର୍ଣ୍ଣ ଭିନ୍ନ ତାହା ସପନାକୁ ବେଶ୍ ଭଲ ଭାବେ ଜଣାଥିଲା ।ଗାଁରେ ସିନା ଜମି ଚାରି ଭରଣ ଅଛି ,ହେଲେ ନା ହଳ ଅଛି ନା ତାର ଅର୍ଥ ବଳ ଅଛି ।କିଛି ତ ପୁଣି କାମ କଲେ ପରିବାର ଚଳିବ ନହେଲେ ଖାଇବେ ପିଇବେ କଣ? ଗାଁ ଆଖପାଖରେ ସେ ଏବେ ବିଭିନ୍ନ ପ୍ରକାରର କାମରେ ନିଜକୁ ନିୟୋଜିତ କରିଛି ।ସେଥିରୁ ଯାହା କିଛି ହେଉଛି ସେଥିରେ ପରିବାର ଚଳୁଛି।
ସପନା ଯୋଉ କାମ ସିଖିଥିଲା ସେକାମ ଏବେ ସେ କରିପାରୁନି ସେଥିପାଇଁ ତାର ମନଦୁଖ। ବେଳେବେଳେ ଭାବେ ଆମ ଜିଲ୍ଲାରେ ସରକାର ଯଦି କେତୋଟି ସୁତାକଳ ବସାନ୍ତେ ତାହେଲେ କେତେ ଭଲ ହୁଅନ୍ତା, ଆମେ ଶ୍ରମିକମାନେ ଏଇଠି କାମପାଇ ଘରଲୋକଙ୍କ ସାଥେ ରହିପାରନ୍ତୁ। ଏଇ କରୋନାର ପ୍ରଭାବ ଶୂନ୍ୟ ଓ ସାମାନ୍ୟ ନହେଲା ପର୍ଯ୍ୟନ୍ତ ସପନା କେମିତି ଯିବ ସୁରତ। ସପନା ଏବେ ଘର ଲୋକଙ୍କ ଗହଣରେ ଖୁସିରେ ଅଛି କିନ୍ତୁ ଖୁସିରେ ରହିବା ପାଇଁ ଟଙ୍କାର ଆବଶ୍ୟକତା ପୁରଣ ହେବ କେମିତି ତାହା ଏବେ ତାକୁ ବ୍ୟତିବ୍ୟସ୍ତ କରୁଛି। ଦାଦନ ତା ଉପରେ ଦାଉ ସାଜିଛି ଏବଂ ଦୁସହ୍ୟ ହେଉଛି।