କରୋନା ଓ ବନ୍ଧୁତା
କରୋନା ଓ ବନ୍ଧୁତା


କରୋନା ଓ ବନ୍ଧୁତା
କରୋନା ଭୁତାଣୁ ମାତିଛି । ଚାରିଆଡ଼େ ଲକ୍ ଡାଉନ । ଗାଡି ମଟର ଦୋକାନ ବଜାର ସବୁ ବନ୍ଦ। ସୁରତ ର ଲୁଗା କଳ ରେ କାମ କରୁଥିବା ଭରତ ଓ ସମ୍ବିତ୍ ଅନେକ ଦିନ ହେଲା ଗାଆଁ କୁ ଫେରି ଆସିବାକୁ ମନ ବଳାଇଲେଣି। ଲୁଗା କଳ ବନ୍ଦ ହୋଇଗଲାଣି । ପାଖରେ ଥିବା ସବୁ ଟଙ୍କା ବି ସରିଗଲାଣି ।କିନ୍ତୁ ଗାଆଁକୁ ଆସିବେ କେମିତି? ଟ୍ରେନ ତ ଚାଲୁନି । ଚାଲି ଚାଲି ଆସିବାକୁ ବାହାରିଥିଲେ, ହେଲେ ବଳ ପାଇଲାନି ।ରହିଗଲେ। କଷ୍ଟେମଷ୍ଟେ ଆଉ କେତେଦିନ କଟିଗଲା।
ହଠାତ୍ ଦିନେ ସେମାନେ ଶୁଣିବାକୁ ପାଇଲେ ଯେ ଓଡିଶା ସରକାରଙ୍କ ଚେଷ୍ଟାରେ ପ୍ରବାସୀ ଓଡିଆ ମାନଙ୍କୁ ନିଜ ଗାଆଁ ମାଟିକୁ ଫେରାଇ ନେବାପାଇଁ ସୁରତ ରୁ ଟ୍ରେନ ବାହାରୁଛି। ସମସ୍ତ କାଗଜପତ୍ର କାମ ଶେଷ କରି ସେମାନେ ଟ୍ରେନ ଧରିଲେ। ମନ ଟା ଭାରି ଖୁସି। ଅନେକ ଦିନ ପରେ ନିଜ ଜନ୍ମ ମାଟିକୁ ଫେରୁଛନ୍ତି। ଛୁକ୍ ଛୁକ୍ ହେଇ ଟ୍ରେନ ଟି ଗଡି ଚାଲିଛି ଆଗକୁ ଆଗକୁ। ଟ୍ରେନ ର ଝରକା ଦେଇ ଭାସି ଆସୁଛି ସୁଲୁସୁଲିଆ ଥଣ୍ଡା ପବନ। ଭରତ କୁ ନିଦ ଆସି ଗଲାଣି। ଅନେକ୍ ଦିନ ହେଲା ଶୋଇ ନଥିଲା। ଆଜି କିନ୍ତୁ ଶାନ୍ତି ରେ ଶୋଇଛି ଆଉ ସ୍ଵପ୍ନରେ ଦେଖି ଚାଲିଛି ଗାଆଁ ର ସୁନ୍ଦର ଦୃଶ୍ୟରାଜିକୁ। ଭାଗବତ୍ ଟୁଙ୍ଗୀରେ ନିଧି ମଉସା ଭାଗବତ ଗାଉଛନ୍ତି ; ଗୋବିନ୍ଦା ଭାଇ ଗାଆଁ ଶେଷ ମୁଣ୍ଡରେ ଥିବା ବରଗଛ ମୂଳେ ବସି ଗାଆଁ ପିଲାଙ୍କ ସହ ଲୁଡୁ ଖେଳୁଛି ; ସର ମାଉସୀ ନାତି ଜନ୍ମଦିନରେ ଗାଆଁରେ ମିଠେଇ ବାଣ୍ଟୁଛନ୍ତି ଏବଂ ତାର ବୁଢୀ ମାଆ ପୁଅ ଆସିବ ବୋଲି ରୋଷେଇ ଘରେ କାକରା ପିଠା ତିଆରି କରୁଛି। ଏମିତି ଅନେକ ସ୍ଵପ୍ନ ଦେଖି ଚାଲିଥିଲା ଭରତ। ହଠାତ୍ ଟ୍ରେନ ରେ କୋଳାହଳ ଶୁଣି ତା ନିଦ ଭାଙ୍ଗିଗଲା। ଉଠି ଦେଖିଲା ବେଳକୁ ସିଟ୍ ଉପରେ ପଡି ରହିଛି ସମ୍ବିତ୍। ଲୋକମାନେ କେହି ପାଖରେ ନାହାନ୍ତି। ଦୁଇ
ଗଜ ଦୂରକୁ ଚାଲି ଯାଇଛନ୍ତି। କେହି ଜଣେ ଟ୍ରେନର ଚେନ ଟାଣି ଦେଇଛି ବୋଧେ। ଟ୍ରେନ ଟି ଅଟକି ଯାଇଛି। ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ପାଟି କରି କହିଲେ, "ଏ ବାବୁ! ତମେ ବି ଘୁଞ୍ଚି ଯାଅ। ଲୋକଟି ମରି ପଡିଛି। କିଏ ଜାଣେ କରୋନା ରେ ମରି ନ ଥିବ ବୋଲି।" ଭରତ କିଛି ବୁଝି ପାରୁ ନ ଥାଏ। ଚିତ୍କାର କରି କହି ଉଠିଲା " ବନ୍ଦ କରନ୍ତୁ ଆପଣ ମାନଙ୍କର ଏ ବକଓ୍ବାସ୍! ମୋ ସାଙ୍ଗର କିଛି ହେଇନି। ମୁଁ ଯେମିତି ଶୋଇଥିଲି, ସେ ବି ସେମିତି ଶୋଇଛି।" ଏତିକି କହି ସମ୍ବିତ୍ କୁ ଉଠେଇବାକୁ ଲାଗିଲା ଭରତ। ସମସ୍ତେ ତାକୁ ବାରଣ କରୁଥାନ୍ତି ସମ୍ବିତ୍ କୁ ଛୁଇଁବାକୁ। ହେଲେ କେମିତି ସେ ଛୁଇଁବନି। ପିଲା ଦିନେ ଦୁହେଁ ହାତ ଧରାଧରି ହୋଇ ସ୍କୁଲ ଯାଉଥିଲେ ; ଦୁହେଁ ହାତ ଧରାଧରି ହୋଇ ସୁରତ ଆସିଥିଲେ ଆଉ ଆଜି ହାତ ଧରାଧରି ହୋଇ ଟ୍ରେନ ଚଢିଥିଲେ।" ଉଠ ସମ୍ବିତ୍ ଉଠ! ତୁ ପରା କହୁଥିଲୁ, ଗାଆଁରେ ପହଁଞ୍ଚିଲେ, ତୋ ଘର ତିଆରି କାମ ଆରମ୍ଭ କରିବୁ ; ସୁନି ର ବାହାଘର ହେବ। ତୋର ଏ ଦାୟିତ୍ଵ ସବୁ କିଏ ମୁଣ୍ଡେଇବ ରେ ଭାଇ? ଉଠେ!" ଯେତେ ଉଠେଇଲେ ବି ସମ୍ବିତ୍ ଆଉ ଉଠିଲାନି। ଏ ଭିତରେ ଭରତ ବୁଝି ସାରିଥିଲା ଯେ ସମ୍ବିତ୍ ଆଉ ଉଠିବନି। କରୋନା କଟକଣା ପରେ ବି ସେ ଛାଡି ପାରିଲାନି ତା ସାଙ୍ଗର ମଲା ଦେହକୁ। ସମ୍ବିତ୍ ର ପୋଷ୍ଟମର୍ଟମ ପରେ ଦାହ ସଂସ୍କାର ହେଲା। ଭରତ ହିଁ ତାକୁ ମୁଖାଗ୍ନି ଦେଲା। ତା ପରେ ତାକୁ କ୍ବାରେନଟିନ୍ ସେଣ୍ଟର କୁ ନେଇଗଲେ । ସେଠାରେ କିଛି ଦିନ ରହଣି ପରେ ତାର ସ୍ୱାବ୍ ଟେଷ୍ଟ ର ରିପୋର୍ଟ୍ ନେଗଟିଭ୍ ଆସିଲା। ତେଣେ ସମ୍ବିତ୍ ର ପୋଷ୍ଟମର୍ଟମ ରିପୋର୍ଟ୍ ବି ଆସି ଯାଇଥିଲା, ଯେଉଁଥିରେ ଲେଖାଥିଲା ସମ୍ବିତ୍ ର ମୃତ୍ୟୁ କରୋନା ଜନିତ ନୁହଁ ; ବରଂ ହୃଦଘାତ ଯୋଗୁଁ ତାର ଦେହାନ୍ତ ହେଇଛି। କିଛି ଲୋକ ସେଦିନ ଭଲାଭାବେ ବୁଝି ଗଲେ ଯେ ସବୁ ପ୍ରବାସୀ ଓଡିଆଙ୍କ ମୃତ୍ୟୁ କରୋନା ଜନିତ ନୁହେଁ ; ଏବଂ ସବୁ ବନ୍ଧୁ ଭରତ ଭଳି ନୁହଁନ୍ତି।