Satyabati Swain

Tragedy Classics

3  

Satyabati Swain

Tragedy Classics

କର୍ଣ୍ଣ

କର୍ଣ୍ଣ

9 mins
331


ମୁଁ ବସୁ, ବସୁଷେଣ, କର୍ଣ୍ଣ; ସୂତ ପୁତ୍ର ।


ରାଧା ମା'ର ନୟନ ପିତୁଳା, ଜ୍ୟେଷ୍ଠ ପୁତ୍ର ରାଧେୟ ।


ଅଙ୍ଗ ରାଜ। ବିଶାଳ ଅଙ୍ଗର ରାଜା। ଯାହା ମୋତେ ଦୟା ସୂତ୍ରରେ ମିଳିଥିଲା ହସ୍ତିନା ପୁର ମହାମାନୀ ଦୁର୍ଯ୍ୟୋଧନଙ୍କ ପାଇଁ।


ଦାନ ବୀର ମୁଁ। କୌଣସି ମାଗିଲା ବାଲା ଖାଲି ହାତରେ ଫେରି ନାହାନ୍ତି କେବେ ମୋ ପାଖରୁ। ଶେଷ ନିଃଶ୍ୱାସ ଯିବା ପୂର୍ବରୁ କୁରୁକ୍ଷେତ୍ର ଧର୍ମକ୍ଷେତ୍ରରେ ଜଣେ ନିଃସହାୟ ବ୍ରାହ୍ମଣଙ୍କୁ ନିଜ ଆଙ୍ଗୁଠି କାଟି ମୁଦି ଦେଇଥିଲି ତାଙ୍କ ଝିଅ ବିବାହ ପାଇଁ।


ସୂର୍ଯ୍ୟ ପୁତ୍ର କର୍ଣ୍ଣ । ଶୁଣିଥିଲି ଯାହା ବହୁ ବିଳମ୍ବରେ ମୋ ଜନ୍ମ ଜାତକ। ଅବୈଧ ସନ୍ତାନ କର୍ଣ୍ଣ । ରାଜମାତା କୁନ୍ତୀଙ୍କ କାନୀନ ଅବୈଧ୍ୟ ସନ୍ତାନ, ପ୍ରଥମ ପାଣ୍ଡଵ ମୁଁ କୁଆଡେ । ଅଭିଶପ୍ତ କର୍ଣ୍ଣ । ଗୁରୁ ପର୍ଶୁରାମ ଓ ଜଣେ ବ୍ରାହ୍ମଣ ୠଷିଙ୍କ ଦ୍ଵାରା ଅଭିଶପ୍ତ ମଣିଷ। ମିତ୍ର ଶ୍ରେଷ୍ଠ କର୍ଣ୍ଣ । ଜାତି, କୁଳ ନେଇ ଶିକ୍ଷାୟତନରେ ସୁତପୁତ୍ର । ସୁତପୁତ୍ର ସମସ୍ତେ କହିଲା ବେଳେ ଏକମାତ୍ର ଦୁର୍ଯ୍ୟୋଧନ ମୋତେ ମିତ୍ର କହି ଛାତିରେ ଲଗାଇ ଥିଲେ। ସାରା ଜୀବନ ବିବଶ, ଅପମାନ, ତାଚ୍ଛଲ୍ୟ ନିଆଁରେ ପୋଡିଜଳି ମରିଥିବା ଗୋଟିଏ ଅବୈଧ୍ୟ ସନ୍ତାନର ଛାତିଥରା କାହାଣୀର ଅନ୍ୟ ନାମ 'କର୍ଣ୍ଣ'।


ଜନମ, ଜୀବନ, ଜୀଇଁବା, ପାଇବା ଓ କିଛି ଲାଭ କରିବା ମୋ ପାଇଁ ଅତି ବିସ୍ମୟକର ଘଟଣା। ନିର୍ଦ୍ଦୟ ଭାବେ ଏ ସମାଜ, ସାମାଜିକ ନୀତି ନିୟମ, ପରମ୍ପରା ମୋତେ ଚୋଟ ପରେ ଚୋଟ ମାରିଚାଲିଥିଲା। ଦଳି ଚକଟି ଦେଇଥିଲା ମୋ ଇପ୍ସା, ଉଚ୍ଚାଭିଳାଷ। ମୁଁ କ୍ଷତାକ୍ତ, ଲହୁ ଜରଜର ଏକ ସୂତପୁତ୍ର।


କିଏ କେଉଁ କୂଳରେ ଜନ୍ମ ନେବ ତାହା କଣ ତା ହାତରେ ଥାଏ? କିଏ କଲା ଉଚ୍ଚ ନୀଚ୍ଚ, ଜାତିର ଶ୍ରେଣୀ ବିଭାଗ। ହେ ବିଧାତା ! ଦେଖି ଯାଅ ତୁମ ସୃଷ୍ଟିର ଅତ୍ୟାଚାର ମୋ ଉପରେ। ଜାତିଭେଦ, ପ୍ରଥା କି ଉତ୍କଟ ସେତେବେଳେ !


ହୁଁ ମୁଁ କୁଆଡେ ପ୍ରଥମ କୌନ୍ତେୟ। ଯାହା ବହୁ ଡେରିରେ ଜାଣିଲି । କାନ ପଟେ ଜନ୍ମ ହେବା ସଂଗେ ସଂଗେ ଜଣେ ବିବଶ କୁମାରୀ ମା ଲୋକ ଲଜ୍ଜାକୁ ଡରି ମୋତେ ମଞ୍ଜୁଷାଟିରେ ପୁରାଇ ନଦୀ ଜଳରେ ଭସାଇ ଦେଇଥିଲେ। ମହାକ୍ରୋଧି ଦୁର୍ବାସାଙ୍କୁ ସେବାରେ ଖୁସି କରାଇ ମୋ ଜନ୍ମ ଦାତ୍ରୀ କୁନ୍ତୀ ଦେବୀ ବରଟିଏ ପ୍ରାପ୍ତ ହୋଇଥିଲେ। ସେ ମନ ମଧ୍ୟରେ ଯାହାଙ୍କୁ ପତି ରୂପେ ପାଇବାକୁ ଇଚ୍ଛା କରିବେ; ସେ ଇପ୍ସିତ ତାଙ୍କୁ ସଙ୍ଗେସଙ୍ଗେ ପ୍ରାପ୍ତ ହେବେ। କୁଆଁରୀ କନ୍ୟା କୁନ୍ତୀ ଦେବୀ ଦେବୀଙ୍କ କୌତୁହଳି ମନ ବରର ସତ୍ୟତା ପରୀକ୍ଷା କରିବାକୁ ଯାଇ ସୂର୍ଯ୍ୟଦେବଙ୍କୁ ସୁମରଣା କରିଥିଲେ। ପରୀକ୍ଷାର ଫଳ ସ୍ୱରୂପ କୁଆଁରୀ ମା'ଙ୍କୁ ମୋର ସୂର୍ଯ୍ୟଦେବ ପ୍ରୀତହୋଇ ମୋ ପରି ଗୋଟିଏ ସନ୍ତାନ ଦାନ ଦେଇ ଚାଲିଯାଇଥିଲେ।


କଣ କରିଥାନ୍ତେ ଅବିବାହିତ ରାଜକୁମାରୀ କୁଆଁରୀ ମା ହୋଇ ! କୋୖତୁହଳି ଚଞ୍ଚଳ ମନ, ଗୋଟିଏ ମୁହୂର୍ତ୍ତର ବଶବର୍ତ୍ତୀ ହୋଇ ପରୀକ୍ଷାର ଫଳ ସ୍ୱରୂପ ମୋ ବିଚାରୀ ଜନ୍ମଦାତ୍ରୀ ଲଜ୍ଜା ଓ ସମାଜକୁ ଡରି କି ପୀଡା ସହ୍ୟ କରି ତାଙ୍କ ନାରୀ ଜୀବନର ପ୍ରଥମ ମାତୃତ୍ୱ, ପ୍ରଥମ ସନ୍ତାନଟିକୁ ନଈରେ ଭସାଇ ଦେଇଥିଲେ, ସେ କଥା କିଏ ବୁଝିବ ! ମୁଁ ପୁଅ ହୋଇ କଣ ବୁଝିଲି ! ବାଟଭୁଲା ମା ଯେତେବେଳେ କୁରୁକ୍ଷେତ୍ରରେ ଅର୍ଜୁନଙ୍କ ସହ ମୋର ଯୁଦ୍ଧର ଅବ୍ୟବହିତ ପୂର୍ବରୁ ମୋତେ ପ୍ରଥମ ପାଣ୍ଡଵ କହି କୋଳେଇ ନେବାକୁ ଚାହିଁଲେ, ମୁଁ କଣ ଯାଇ ପାରିଲି! ମା'ର ଛାତିରେ ମୁହଁ ଲୁଚାଇ କାନ୍ଦି ପାରିଲି ନା ଅଭିଯୋଗ କରି ପାରିଲି। କାରଣ ସେତେବେଳେକୁ ସବୁ ଶେଷ ପ୍ରାୟ। ବଚନ ବଦ୍ଧ ହୋଇ ସାରିଥିଲି ମୁଁ। କାଲି ରଣେ ଅର୍ଜୁନଙ୍କୁ ବଧ କରିବି।

ତାପରେ ସୂତପୁତ୍ର କର୍ଣ୍ଣ ହୋଇଗଲି ମୁଁ। ହଁ କୌରବ ରାଜ ଧୃତରାଷ୍ଟ୍ରଙ୍କ ରାଜ ସାରଥୀ ଅଧିରଥଙ୍କ ପୁତ୍ର ହେତୁ ମୁଁ ସୂତ ପୁତ୍ର। ଅଧିରଥ ମୋ ପିତା। ଅଧିରଥଙ୍କ ପତ୍ନୀ ରାଧା ମୋର ମାତା। ଏଣୁ ମୁଁ ରାଧେୟ।


ମୋତେ ରାଧା ନନ୍ଦନ, ରାଧେୟ ଡାକି ଦେଲେ ମୋ ମନରେ ଖୁସିର ଫୁଲ ଫୁଟିଯାଏ। ସେମାନେ ନଦୀ ତଟ ମଞ୍ଜୁଷାରୁ ମୋତେ ପାଇ ନିଜ ଜନ୍ମିତ ପୁତ୍ର ଠାରୁ ଅଧିକ ସ୍ନେହ ମମତା ଦେଇଛନ୍ତି। ହଁ ମୁଁ ରାଧେୟ, ସୂତପୁତ୍ର ରାଧା ନନ୍ଦନ। ସୂତପୁତ୍ର ବସୁ ।


ସୂତପୁତ୍ର ହେଲେ ବି ବୀରପୁରୁଷ, ଯୋଦ୍ଧା ହେବାକୁ ଚାହୁଁଥିଲି। ମୋ ବାପା; ମହାରାଜ ଓ ଭୀଷ୍ମ ପିତାମହଠାରୁ ଅନୁମତି ଆଣି ଗୁରୁବର ଦ୍ରୋଣାଚାର୍ଯ୍ୟଙ୍କଠାରୁ ଧନୁ ଓ ଅସ୍ତ୍ର ବିଦ୍ୟା ଶିଖିବା ସୁଯୋଗ ସୃଷ୍ଟି କରିଥିଲେ। ସେଠି ମୋତେ ରାଜକୁମାରମାନଙ୍କ ସହ ବସି ଶିକ୍ଷା ଦିଆଗଲା ନାହିଁ। ପରଦାର ଅନ୍ତରାଳେ ରହି ମୁଁ ପାଠ ଶିଖିଲି। କାହିଁକିନା ମୁଁ ସୁତପୁତ୍ର ଥିଲି। ମୋ ଗୁରୁଦେବ କେବେ ମୋତେ କର୍ଣ୍ଣ ବୋଲି ଆଦରରେ ଡାକି ନାହାନ୍ତି। ମୋର ପ୍ରାପ୍ୟ ସୂତପୁତ୍ର କର୍ଣ୍ଣ। କୁହନ୍ତୁ ତ କି ମାନସିକ ଯନ୍ତ୍ରଣା, ଶିଷ୍ୟ ହୋଇ ବି ସୂତପୁତ୍ର ବୋଲି ରାଜକୁମାର ସହ ବସି ପଢିବା ଯୋଗ୍ୟତା ମୋର ନାହିଁ ! ଶିକ୍ଷା ଦାନ ଓ ପବିତ୍ର ଶିକ୍ଷାଶ୍ରମରେ ବି ପକ୍ଷପାତିତା ! ଖାଲି ବିଦ୍ରୋହ ମୋ ଭିତରେ ଖୁନ୍ଦା ହେଉଥିଲା ପାହାଡ଼ ପାହାଡ଼। ମୋ ଭିତରେ ଚାଲୁଥିଲା ଅସନ୍ତୋଷର ଘମାଘୋଟ ଲଢେଇ। ସବୁ ଦକ୍ଷତା ଥାଇ ବି ମୁଁ ଏତେ ହୀନ ! କାହିଁକି ଏ ବାଛ ବିଚାର! କ୍ରୋଧ ଓ ଦୁଃଖରେ ମୁଁ ଜଳୁଥିଲି ଅହରହ!


ବିଭିନ୍ନ ଶାସ୍ତ୍ର ଓ ଶସ୍ତ୍ର ବିଦ୍ୟା ସିନା ଶିଖିଲି କିନ୍ତୁ ଦିବ୍ୟାସ୍ତ୍ର କି ବ୍ରହ୍ମାସ୍ତ୍ର ବିଦ୍ୟା ଶିଖି ପାରିଲି ନାହିଁ। ଅଧା ଅଧୁରା ଲାଗିଲା ଶିକ୍ଷା। ପୁଣି ଅର୍ଜୁନ ମୋର ପ୍ରତିସ୍ପର୍ଦ୍ଧୀ। ଦିବ୍ୟାସ୍ତ୍ର କି ବ୍ରହ୍ମାସ୍ତ୍ର ବିନା ଅର୍ଜୁନ ସହ ପ୍ରତିଦ୍ବନ୍ଦୀ ହେବା ହାସ୍ୟସ୍ପଦ କଥା। ଗୁରୁଦେବ ଦ୍ରୋଣାଚାର୍ଯ୍ୟ ଶୁଣାଇଁ ଦେଲେ ନାସ୍ତି ବାଣୀ।ସୂତପୁତ୍ର ଦେବାସ୍ତ୍ର କି ବ୍ରହ୍ମାସ୍ତ୍ର ଶିଖି ପାରିବେ ନାହିଁ।


ସୂତକୁଳରେ ଜାତ ହେତୁ ମୋତେ ବ୍ରହ୍ମାସ୍ତ୍ର ଶିକ୍ଷା ଦିଆଯିବ ନାହିଁ ! ହଁ ପାରିଲେ ଅବା ଗୁରୁ ପର୍ଶୁରାମ ଦିବ୍ୟାସ୍ତ୍ର ଓ ବ୍ରହ୍ମାସ୍ତ୍ର ଶିକ୍ଷା ଦେଇ ପାରନ୍ତି। କିନ୍ତୁ ଆଚାର୍ଯ୍ୟ ପର୍ଶୁରାମଙ୍କ ପ୍ରତିଜ୍ଞା ସେ କେବଳ ବ୍ରାହ୍ମଣମାନଙ୍କୁ ଶିକ୍ଷା ଦେବେ।


ମହତ ଆକାଂକ୍ଷା ପାଇଁ ହୋଇଗଲି ମିଛି ମିଛିକା ବ୍ରାହ୍ମଣ, ଅଙ୍ଗରାଜ୍ୟ ଚମ୍ପାପୁର ଭାଗର୍ଵ ଗୋତ୍ର ସମ୍ଭୂତ ବ୍ରାହ୍ମଣ। ମୁଁ ହୋଇଗଲି ବସୁ ଶର୍ମା, ପିତା ଅଧିରଥ ଶର୍ମା। ଗୋଟିଏ ମିଛ କହିବାକୁ ଯାଇ ମୋତେ ଅନେକ ମିଛ କହିବାକୁ ପଡିଲା। କାରଣ ବ୍ରାହ୍ମଣ ନ ହେଲେ ପ୍ରଚଣ୍ଡ କ୍ରୋଧି, ଶସ୍ତ୍ର ଓ ଶାସ୍ତ୍ର ନିପୁଣ ଗୁରୁ ପର୍ଶୁରାମ ମୋର ଶିଷ୍ୟତ୍ୱ ଗ୍ରହଣ କରିବେ ନାହିଁ। ମୁଁ ଦିବ୍ୟାସ୍ତ୍ର କିମ୍ୱା ବ୍ରହ୍ମାସ୍ତ୍ର ଶିଖି ପାରିବି ନାହିଁ। ମୋ ଅଭିଳାଷା ଚିର ଦିନ ମରିଯିବି। ଏଣୁ ବିନା ଦ୍ବିଧାରେ ମିଛୁଆ ହୋଇଗଲି। ଯୁଗ ଜାଣିଲା ଅଧିରଥଙ୍କ ବଡ଼ ପୁଅ 'ବସୁ' ଯିଏ କର୍ଣ୍ଣ ନାମରେ ବିଶ୍ୱ ବିଦିତ ସେ ମିଛୁଆ।


ଗୁରୁଦେବ ପର୍ଶୁରାମ ମୋତେ ଗୋଟିଏ ପରେ ଗୋଟିଏ କଥା ପଚାରୁଥିଲେ। "ଅଙ୍ଗରାଜ୍ୟରେ ପ୍ରଥମ କେଉଁ ଭାର୍ଗବ ବ୍ରାହ୍ମଣ ରହିଥିଲେ ଜାଣ? ମୁଁ ସାବଧାନ ହୋଇ ମିଛ କହୁଥାଏ । ମୁଁ କହିଲି ଜାଣିନି ଆଜ୍ଞା, କିନ୍ତୁ ଆମ ଘରେ ଭୃଗୁ ୠଷିଙ୍କ ନାମ କୀର୍ତ୍ତନ ହୁଏ। ତାଙ୍କ ମୁହଁ ଉଜ୍ଜ୍ୱଳ ଦିଶିଲା। ସେ କହିଲେ ମୁନିବର ଭୃଗୁବଲ୍ଲୀ ! ଜାଣିଛ ଭୃଗୁବଲ୍ଲୀ ତୁମେ ! 


ମୋର ଏଇଟି ସତ ଉତ୍ତର ଥିଲା। ଆଚାର୍ଯ୍ୟ ଦ୍ରୋଣଙ୍କ ଠାରୁ ଶିକ୍ଷିଥିଲି। ସେ ଅତି ଖୁସି ପ୍ରକଟ କରି କହିଲେ, ତେବେ ବୋଲିଲ ଗୋଟିଏ ପଦ ? ମୁଁ ପଦ ବୋଲିବା ସହ ତାର ଅର୍ଥ ମଧ୍ୟ କହିଦେଲି।


ଏତିକି ଯଥେଷ୍ଟ ଥିଲା ଏକୋଇଶି ବାର ଧରଣୀକୁ ନିକ୍ଷତ୍ରିୟ କରିଥିବା ଆଚାର୍ଯ୍ୟ ପର୍ଶୁରାମଙ୍କ ପାଇଁ। ସେ ମୋ ଶିଷ୍ୟତ୍ୱ ଗ୍ରହଣ କଲେ। ସେବା, ଧର୍ମ, ଭାଵ, ଭାଷା ବଳରେ ମୁଁ ତାଙ୍କ ନିକଟତର ହୋଇ ପାରିଲି।


ମୁଁ ଅମିତ ବଳଶାଳୀ ସୂର୍ଯ୍ୟଙ୍କ ପୁତ୍ର। ଆଜନ୍ମ ଅମୃତ କବଚ କୁଣ୍ଡଳ ପରିହିତ ଧନୁର୍ଦ୍ଧର, ଯୋଦ୍ଧା। କିନ୍ତୁ ଶୌର୍ଯ୍ୟ, ପରାକ୍ରମ ଥିଲେ ମଧ୍ୟ ମୋତେ ସମାଜ ଅବହେଳିତ, ଘୃଣା ଦୃଷ୍ଟିରେ ଦେଖୁଥିଲା। ମୁଁ ରାଜା ପୁଅ ହୋଇ ହେଲି ରାଜାଙ୍କ ସାରଥୀ ପୁତ୍ର। ଏଥିରେ ବି ମୋର ଦୁଃଖ ନଥିଲା। କାରଣ ନିଷ୍ଟୁର ହୃଦୟା ମା କୁନ୍ତୀଙ୍କ ଠାରୁ ଯଥେଷ୍ଟ ଭଲ ଥିଲେ ମୋ ପାଳିତ ରାଧା ମା ଓ ଅଧିରଥ ପିତା।


ହଁ ଖୁସିରେ ଥିଲି, ଶାନ୍ତିରେ ଥିଲି। ମାତ୍ର ଯେଉଁ ଦିନଠାରୁ ମହତକାଂକ୍ଷା ମୋତେ ଗୋଟା ସୁଦ୍ଧା ଗିଳିଲା ସେବେଠାରୁ ମୋ ଜୀବନ ଚିତ୍ରପଟ୍ଟ ବଦଳି ଗଲା। ସୁଖ ଖୋଜିଲି, ନମିଳିଲାରୁ ମୁଁ ଅମଣିଷ ହୋଇଗଲି। କ୍ରୋଧ, ପ୍ରତିଶୋଧ ମୋ ଭିତରେ ମୋତେ ତତାଇଲେ। ଭୁଲିଲି ବିବେକ । ଅଣାୟତେ ଆୟତ୍ତ କଲି ସବୁ ବିଦ୍ୟା। ଗୁରୁ ପର୍ଶୁରାମ ମୋ ପରି ଜଣେ ଶିଷ୍ୟ ପାଇ ଖୁସି ହେଲେ। ଉପଯୁକ୍ତ ଶିକ୍ଷା ପାଇବା ପାଇଁ ଗୁରୁଦେବ ପର୍ଶୁରାମଙ୍କୁ ମିଛ କହିଲି "ମୁଁ ବ୍ରାହ୍ମଣ ପୁତ୍ର ବୋଲି"। ମାତ୍ର ସତ କଣ ଲୁଚେ ? ଗୁରୁଦେବ ଯେଉଁଦିନ ମୋ କୋଳରେ ମଥା ରଖି ବିଶ୍ରାମ ନେଉଥିଲେ ଦେହଭେଦୀ କୀଟଟିଏ ମୋ ଜଙ୍ଘକୁ ଦଂଶନ କଲା।ଗୁରୁଦେବଙ୍କ ବିଶ୍ରାମରେ ବ୍ୟାଘାତ ସୃଷ୍ଟି ହେବ ବୋଲି ସେ ଦଂଶନ ପୀଡାକୁ ମୁଁ ସହିଗଲି ଟିକେ ବି ହଲ୍ ଚଲ୍ ନ ହୋଇ। କିନ୍ତୁ ରକ୍ତ ଝରି ମୋ ଜଙ୍ଘରୁ ମାଟିରେ କିଛି ବାଟ ବହିଗଲା। ଏହା ଦେଖି ଗୁରୁଦେବ ପର୍ଶୁରାମ ଖୁବ୍ ରାଗିକରି ପଚାରିଲେ, କହ ତୁ କିଏ ? ଜଣେ ବ୍ରାହ୍ମଣ ଶିଷ୍ୟର ଏତେ ସହିବା ଶକ୍ତି ହୋଇ ନ ପାରେ। ତୁ ନିଶ୍ଚୟ କ୍ଷତ୍ରିୟ ପିଲା। "ସତ ନ କହିଲେ ମୁଁ ଅଭିଶାପ ଦେବି।" 


ସତ କଥା ମାନି ଯାଇ କେବଳ ଶିକ୍ଷା ଲୋଭରୁ ମୁଁ ଏ ମିଛ କହିଥିଲି ବୋଲି କ୍ଷମା ପ୍ରାର୍ଥନା କଲି। କାରଣ ସୂତପୁତ୍ର ହେତୁ ଗୁରୁ ଦ୍ରୋଣାଚାର୍ଯ୍ୟ ଶିକ୍ଷା ଦେବାକୁ ମନାକଲେ।ଆପଣ କେବଳ ବ୍ରାହ୍ମଣ ପିଲାଙ୍କୁ ଶିଷ୍ୟ ରୂପେ ଗ୍ରହଣ କରିବେ ବୋଲି ଶପଥ ନେଇଥିଲେ। ଆପଣଙ୍କ ପରି ଗୁଦେଵଙ୍କ ପାଖରେ ଵିଦ୍ୟା ଶିଖିବାରୁ ବଞ୍ଚିତ ନ ହେବା ପାଇଁ ମୁଁ ଏ ମିଛର ସାହାରା ନେଇଥିଲି। ଯେତେ ସଫାଇ ଦେଲେ ମଧ୍ୟ ଗୁରୁଦେବଙ୍କ କ୍ରୋଧ କମିଲା ନାହିଁ।ସେ ଅଭିଶାପ ଦେଲେ ଯେ "ଅତି ଆବଶ୍ୟକ ବେଳେ ଦେବାସ୍ତ୍ର କି ବ୍ରହ୍ମାସ୍ତ୍ର ଆଦି କୌଣସି ତୋର କାମରେ ଆସିବ ନାହିଁ। "


ଉପଯୁକ୍ତ ଶିକ୍ଷା ଲୋଭ କଣ ମୋର ଏତେ ବଡ଼ ଅପରାଧ!!

ଆଉ ଗୋଟେ ଅଭିଶାପ ବି ମୋ ମୁଁଣ୍ଡ ଉପରେ ଥିଲା । ଜଣେ ବ୍ରାହ୍ମଣ ଋଷିଙ୍କ ଯଜ୍ଞଧେନୁକୁ ବନ୍ୟପଶୁ ଭାବି ଶବ୍ଦଭେଦୀ ବାଣ ପେଷି ଗୋହତ୍ୟା କରିଥିଲି । ମୁନି ଅଭିଶାପ ଦେଇଥିଲେ ଜୀବନ ମରଣ ନିର୍ଣ୍ଣାୟକ ଯୁଦ୍ଧରେ ରଥ ଚକ ପାତାଳ ଗାମୀ ହେବ।


ଅଜ୍ଞତା ଭୁଲର କଣ କ୍ଷମା ନଥିଲା ! ଜନ୍ମରୁ ମୋ ସହ ଭାଗ୍ୟ ହିଁ ନଥିଲା। ଅଭିଶାପ ଥିଲା ମୋ ଜନ୍ମ ଜାତକ। ଅଭିଶାପର ବୋଝ ବୋହି ମୁଁ ସାରା ଜୀବନ ଓଟ ହୋଇଗଲି।


ହସ୍ତିନାପୁରରେ ରାଜକୁମାରଙ୍କର ଅସ୍ତ୍ର ପରୀକ୍ଷା ସମୟ।ସମସ୍ତଙ୍କ ଅସ୍ତ୍ର ଶସ୍ତ୍ର ପରୀକ୍ଷା ପରେ ଘୋଷଣା ହେବାକୁ ଯାଉଥିଲା ଶ୍ରେଷ୍ଠ ବୀର ଅର୍ଜୁନ। ସହି ପାରିଲି ନାହିଁ। ମୋ ରକ୍ତ ମୋତେ ଉସ୍କେଇଲା। ପ୍ରତିବାଦ କଲି। ଅର୍ଜୁନଙ୍କ ପରି ମୁଁ ବି ଦେଖାଇଲି ମୋ ଧନୁର୍ବିଦ୍ୟା କଳା କୌଶଳ। ଦ୍ୱନ୍ଦ୍ୱ ଯୁଦ୍ଧକୁ ଆମନ୍ତ୍ରୀତ କଲି ଅର୍ଜୁନଙ୍କୁ। କିନ୍ତୁ ଅର୍ଜୁନ ଖାଲି ବୀର ନୁହଁନ୍ତି ସେ କୁରୁବଂଶର ରାଜକୁମାର। ମାତ୍ର ମୁଁ ! ମୁଁ କେଉଁ ବଂଶର ରାଜା ନା ରାଜକୁମାର ଯେ ଦ୍ବନ୍ଦ୍ୱଯୁଦ୍ଧ କରିବି? ଏ ପ୍ରଶ୍ନ ମୋତେ ସମସ୍ତ ସଭାସଦ ବର୍ଗଙ୍କ ସହ ନିଜେ ଆଚାର୍ଯ୍ୟ ଦ୍ରୋଣ କରିଥିଲେ।


ବିଚିତ୍ର ତୁ ଭାଗ୍ୟ ! ବିଡ଼ମ୍ବିତ ମୁଁ । ସଂଗେ ସଂଗେ ଦୁର୍ଯ୍ୟୋଧନ ମଞ୍ଚକୁ ଉଠି ଆସି ଘୋଷଣା କଲେ ଏବେ ଠାରୁ କର୍ଣ୍ଣ ହେଲେ ଅଙ୍ଗର ରାଜା। ଅନ୍ଧ ମହାରାଜ ଧୃତରାଷ୍ଟ୍ର ପୁତ୍ର ପ୍ରେମରେ ଅନ୍ଧ; ସଂଗେ ସଂଗେ ସମର୍ଥନ କରିଦେଲେ ହଁ କର୍ଣ୍ଣ ଅଙ୍ଗରାଜ। କାରଣ ସେମାନେ ଚାହୁଁଥିଲେ କେହି ଜଣେ ଅର୍ଜୁନଙ୍କ ସହ ଟକ୍କର୍ ଦେଉ। ଏଣୁ ମୋତେ ଦୁର୍ଯ୍ୟୋଧନ ନିଜ ପକ୍ଷକୁ ହତେଇ ନେଇ ଅର୍ଜୁନ ବିପକ୍ଷରେ ଛିଡା କରିବାକୁ ଚାହୁଁଥିଲେ।


ସବୁ ମୋଡ଼ ମୋ ଜୀବନର ନାଟକୀୟ ଘଟଣା। ବିଚରା କର୍ଣ୍ଣ ମୁଁ । ଚିର ଅଶାନ୍ତ, ଚିର ଅତୁପ୍ତ। ପହଞ୍ଚିଗଲେ ମୋ ପିତା ଅଧିରଥ। ଆଦେଶ ଦେଲେ ଅର୍ଜୁନଙ୍କ ସଂଗେ ଦ୍ବନ୍ଦ୍ୱ ଯୁଦ୍ଧ କରନାହିଁ। ବାସ୍ ! ପିତୃଆଜ୍ଞା ପାଳନ ମୋର ଏକମାତ୍ର ଧର୍ମ। ଦ୍ବନ୍ଦ୍ୱଯୁଦ୍ଧ ନୋହିଲା। ଅର୍ଜୁନ ଶ୍ରେଷ୍ଠ ବୀର ଘୋଷଣା ହେଲେ।


ସୁଶାସକ ହେଲି। ପଦ୍ମା ପରି ପତିବ୍ରତା ସ୍ତ୍ରୀ ରତ୍ନ ଲାଭ କଲି। ପିତା ହେଲି। ଦାନ ଦେଲି ଯାଚକମାନଙ୍କୁ ଅକାତରେ। ଦାନ ବୀର କର୍ଣ୍ଣ ନାମେ ଖ୍ୟାତ ହେଲି। କିନ୍ତୁ ପରୀକ୍ଷା କଣ ମୋତେ ଛାଡିଲା ! ଧର୍ମରାଜ ଛଦ୍ମ ବେଶରେ ବ୍ରାହ୍ମଣ ହୋଇ, ନିଜ ହାତରେ ଆମେ ପତିପତ୍ନୀ ଦୁହେଁ କରତ ଧରି ଆମର ଏକମାତ୍ର ପୁତ୍ର ବିଶିକେଶନଙ୍କୁ ସମାନ ଦୁଇ ଭାଗ କରି କାଟିବୁ। ସେଇ ମାଂସ ଅତିଥି ବ୍ରାହ୍ମଣ ଦେବଙ୍କ ପାଇଁ ରନ୍ଧା ଗଲେ ସେ ଭୋଜନ କରିବେ। ପୁଣି ସର୍ତ୍ତ କାଟିଲା ବେଳେ ଆମ ବାପାମାଙ୍କ ଆଖିରୁ ଟୋପିଏ ଲୁହ ବହିବନି। ପାରିବ କେହି ? ମଣିଷ ତ ଛାଡ଼ ଏପରି ନିର୍ଦ୍ଦୟ କାମ ଦେବତା ତୁମେ କରି ପାରିବ? କରି ପାରିବ କି ଜଣେ କଂସେଇ ! କିନ୍ତୁ ମୁଁ କରିଥିଲି। ପଦ୍ମା ଛାତିରେ ପଥର ଲଦି ମୋ ସାଥ୍ ଦେଇଥିଲେ। ଚକିତ ହୋଇଗଲେ ଧର୍ମରାଜ। ଭୋଜନ ବାଢ଼ି ପୁଅକୁ ଡାକ କହିଲେ। ଓଃ କି କଠିନ କ୍ଷଣ ! ଏଇ ହାତରେ କାଟି ଯାହାକୁ ରାନ୍ଧିଛି ସେ ପୁଣି ଖାଇବାକୁ ଆସିବ ଡାକିଲେ ! ମୁଁ ଉତ୍ତୀର୍ଣ୍ଣ ହେଲି ଏ ପରୀକ୍ଷାରେ। ପୁଅ ଫେରି ଆସିଲା ଆମ କୋଳକୁ। କିନ୍ତୁ ଏ କଥା ଯେତେବେଳେ ବଡ଼ ହେଲେ ପୁଅଟି ଜାଣିବ, ସତ୍ୟ ରକ୍ଷା ଓ ଦାନବୀର ହେବା ପାଇଁ ବାପା ତାର ତାକୁ କାଟି ମାଂସ ରାନ୍ଧି ବ୍ରାହ୍ମଣ ଦେବତାଙ୍କୁ ଖୁଆଇଥିଲେ; ସେ ମୋତେ କ୍ଷମା କରିବ ତ !


ପୁଣି ସେଇ ଦାନର ପରାକାଷ୍ଠା ଦେଖାଇ ଅର୍ଜୁନ ସହ ଯୁଦ୍ଧ ପୂର୍ବରୁ ଦେବରାଜ ଇନ୍ଦ୍ର ଛଳକଲେ। ନିଜ ପୁତ୍ର ଅର୍ଜୁନ ଜୀବନ ପାଇଁ ମାଗିନେଲେ ମୋ ଅକ୍ଷୟ କବଚ କୁଣ୍ଡଳ।ଯାହା ମୋ ସହ ମୋ ଜନ୍ମରୁ ମୋର ଥିଲା। ଯେଉଁ କବଚ ମୋତେ ମରଣ ମୁହଁରୁ ରକ୍ଷା କରିଥାନ୍ତା। ପ୍ରତିଦିନ ଗଙ୍ଗାରେ ପ୍ରାତଃ ତର୍ପଣ ମୋ ପିତା ସୂର୍ଯ୍ୟଙ୍କୁ ଅର୍ପଣ କଲା ପରେ ମୋତେ ଯିଏ ଯାହା ମାଗେ ସେ ନିଶ୍ଚିନ୍ତ ପାଏ। ଏଇ ମୂହୁର୍ତ୍ତର ସୁଯୋଗ ନେଇ ଇନ୍ଦ୍ରଦେବ ମାଗି ନେଲେ ମୋ କବଚ କୁଣ୍ଡଳ। କାହିଁକିନା ଏ ଦୁଇଟି ମୋ ଦେହରେ ଥିବା ଯାଏ ମୁଁ ଅଜେୟ । ତ ମହାଭାରତ ମୋ ଶେଷ ବିନା ଶେଷ ହୋଇଥାନ୍ତା କି ?


ଆଉ ମୋ ଜନ୍ମଦାତ୍ରୀ ମାଗିନେଲେ ପାଞ୍ଚ ପାଣ୍ଡବଙ୍କ ଜୀବନ। ମୁଁ କଥା ଦେଲି କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ ପୁତ୍ରର ଜନନୀ ରହିବେ ହସ୍ତିନା ପୁରୀର ରାଜମାତା।


ଆସିଗଲା ଶେଷ କ୍ଷଣ। ଅଧର୍ମର ପକ୍ଷରେ ଥିଲି ମୁଁ।ଦ୍ରୌପଦୀ ବିବସନା, ଜତୁ ଗୃହ, କପଟ ପଶାଖେଳ, ବୀର ଅଭିମନ୍ୟୁର ଅପମୃତ୍ୟୁ; ସବୁଥିରେ ମୁଁ ନୀରବ ଦ୍ରଷ୍ଟା ଥିଲି।ପ୍ରତିବାଦ କରିଥିଲେ ବଦଳାଇ ହୋଇଥାନ୍ତା ଇତିହାସ, ସମୟ । କିନ୍ତୁ ମିତ୍ର ବୋଝ ମୋତେ ବିବଶ କରିଥିଲା। ସବୁ ଅନ୍ୟାୟ, ସବୁ ଅଧର୍ମ ମୁଁ ହଜମ କରିଥିଲି। ପାପର ସାଥିରେ ଥିଲି। ଅଧର୍ମ ପକ୍ଷରେ ଥିଲି।


ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଯୁଦ୍ଧ ଭୂଇଁରେ କୁରୁସେନାର ସେନାପତି ହେଲି। ପ୍ରବୀଣ ଶଲ୍ୟ ମୋର ସାରଥୀ। ଆଜି ମୋ ଶୌର୍ଯ୍ୟ ବିର୍ଯ୍ୟର ପରୀକ୍ଷା ହେବ। କର୍ଣ୍ଣ ଓ ଅର୍ଜୁନ ମଧ୍ୟରୁ କାଲି ସୂର୍ଯ୍ୟ ଜଣେ ହିଁ ଦେଖିବ। ମୁଁ ମୁକ୍ତ ହୋଇଯିବି ମିତ୍ର ଋଣରୁ। ଅଣ ନିଃଶ୍ଵାସୀ ହୋଇ ଯାଉଥିଲି ମିତ୍ର ଋଣ ମୁଣ୍ଡାଇ। ମାତ୍ର ଏ କଣ ଯୁଦ୍ଧ ସମୟରେ ମୋ ରଥର ବାମ ଚକ ପଶି ଯାଉଛି ଧରଣୀ ଗର୍ଭକୁ ! 


ଓଃ ଭାଗ୍ୟ ! ପ୍ରତିକ୍ଷଣେ ତୁମେ ମୋ ସହ ଲୁଚକାଳି ଖେଳିଲ ! ରଥ ଚକ ଉଠାଇବାକୁ ରଥରୁ ଓହ୍ଲାଇ ପଡିଲି। ନା ଅସମର୍ଥ ମୁଁ। ଗୁରୁ ଓ ବ୍ରାହ୍ମଣ ଅଭିଶାପ ଫଳିଛି।ଦିବ୍ୟାସ୍ତ୍ର କି ବ୍ରହ୍ମାସ୍ତ୍ର କେହି ସାଥ୍ ଦେଉ ନାହାନ୍ତି ମୋର। ନିରସ୍ତ୍ର ମୁଁ। ଅର୍ଜୁନ ମୋତେ ନିରସ୍ତ୍ର ଦେଖି ଶର ବିନ୍ଧିବାରୁ ନିବୃତ୍ତ ହେଲେ। ମାତ୍ର କପଟୀ କୃଷ୍ଣ ଉସ୍କେଇଲେ ମାର, ମାର ପାର୍ଥ ଏହାହିଁ ଉପଯୁକ୍ତ ସମୟ । ଅଧର୍ମ, ଅନ୍ୟାୟ, କପଟ ପକ୍ଷକୁ ସମର୍ଥନ କରିଥିବା ପାପୀର ଶେଷ ହେଉ। ଶେଷ ହେଉ ଅଧର୍ମ । ଧର୍ମର ଜୟ ହେଉ।


ତାପରେ ଅର୍ଜୁନଙ୍କ ଗାଣ୍ଡିବ ଧନୁ ମୋର ବକ୍ଷ ବିଦ୍ଧ କଲା।ରଥ ଚକ ଉଠାଇବା ସମୟରେ ମୁଁ ଟଳି ପଡିଲି। ସବୁଶେଷ। ଅନ୍ତହେଲା ଗୋଟିଏ ଅଭିଶପ୍ତ ଜୀବନ।ପୌରୁଷର ହେଲା ଅନ୍ତ। ଆଃ ମୃତ୍ୟୁ ଏତେ ଶୀତଳ !


ହଁ ବନ୍ଧୁ ମୁଁ ସେଇ କୁନ୍ତୀ ମାତାଙ୍କ କୁମାରୀ ଅବୈଧ୍ୟ କାନୀନ ପୁତ୍ର କର୍ଣ୍ଣ। ସୂତ ଅଧିରଥଙ୍କର ଆଦରର ବସୁ। ଅକଳନ ଅବ୍ୟକ୍ତ ମୋର ଦୁଃଖ, ଅସରନ୍ତି ମୋର ଗାଥା। ଜୀବନରେ ପ୍ରତି ପାଦେ ଲାଞ୍ଚିତ, ବିବଶ, ଅପମାନିତ, ଅବହେଳିତ ହୋଇଥିବା ଜଣେ ଅଭିଶପ୍ତ ମଣିଷ। ଭାଗ୍ୟ ନଥିଲେ ପୌରୁଷର ବି ବିନାଶ ହୁଏ। ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିଥିବା ଜଣେ ମଣିଷ ମୁଁ ବସୁ।


ଏବେ ସୁଦ୍ଧା ମୋ ଭିତରେ ଥିବା ପ୍ରଶ୍ନର ଉତ୍ତର ପାଇନାହିଁ।କାହିଁକି ଦୈଵର ମୋ ପ୍ରତି ଏତେ ଅତ୍ୟାଚାର। କାହିଁକି ମରି ମରି ବଂଚିବାକୁ ମୋତେ ବାଧ୍ୟ କରାଯାଉଥିଲା। କି ଅପରାଧର ଶାସ୍ତ୍ରି ଭୋଗୁଥିଲି ମୁଁ। ବୀର ହୋଇ ବି, ସମସ୍ତ ସମର୍ଥ ଥାଇ ବି ମୁଁ ନିରସ୍ତ୍ର ହୋଇ ମୃତ୍ୟୁକୁ ପ୍ରାପ୍ତ ହେଲି କାହିଁକି। କାହିଁକି ବିଧାତା, ସମାଜର ଏ କପଟ ମୋ ପାଇଁ।


କିଏ ଦେବ ମୋର ଉତ୍ତର। ଏବେ ବି କର୍ଣ୍ଣର ଏ ପ୍ରଶ୍ନ।ଉତ୍ତର ଦିଅ ଜାତି, ବର୍ଣ୍ଣ, ଉଚ୍ଚ ନୀଚ୍ଚ ପାଚିରୀ ଠିଆ କରିଥିବା, ଅନ୍ଧବିଶ୍ୱାସ ଓ କୁସଂସ୍କାରରେ ଗଢୁଥିବା ତୁମେ।

କାହିଁକି କର୍ଣ୍ଣମାନେ ଏତେ ଅବହେଳିତ..... କାହିଁକି?


Rate this content
Log in

Similar oriya story from Tragedy