କର୍ମଫଳ
କର୍ମଫଳ


ସ୍କୁଲରେ ପଢିବା ବେଳେ ଏଇ ଚାହା ଦୋକାନ ଏଇଠି ଥିଲା । ଖାଲି ଯାହା ଦୋକାନର ଚେହେରା ବଦଳି ଯାଇଛି । ଆଗେ ବାଉଁଶ ତାଟି ବୁଜା ଚାଳିଆ ଦୋକାନ ଥିଲା । କାଠ ଚୁଲିରେ ଚାହା ଡେକଚି । ଆଜି ପକ୍କା ଘର ସାଙ୍ଗକୁ ସାମ୍ନାରେ ବେଞ୍ଚ୍ । ଆଉ କାଠ ଚୁଲି ଜାଗାରେ ଗ୍ୟାସ୍ ଚୁଲି । ଭିଡ କିନ୍ତୁ ଆଗ ଭଳି ଏବେ ବି ଅଛି । ଚାହା ପିଆଳିଙ୍କୁ ଭିତରୁ ଅନେକ ଆର ପାରିକି ଚାଲି ଗଲେଣି । କେବଳ ତାଙ୍କର ସ୍ମୃତି ହିଁ ଗଦାଧରଙ୍କ ମନରେ ରହିଯାଇଛି । ବେଳେବେଳେ ଚାଲି ଯାଇଥିବା ଲୋକଙ୍କ ସାଥିମାନେ ଏକାଠି ହେଲେ କିଛି ରୋମନ୍ଥନ କରନ୍ତି । ଆଗେ ଗଦାଧର ଯୁଆନ ଥିଲେ । ଏବେ ସେ ମଧ୍ୟ ଆରପାରିକୁ ଯିବା ଯିବା ହେଲେଣି । ଥରେ ପେଟ ଯନ୍ତ୍ରଣା ପାଇଁ ଅପରେସନ୍ ହେବାକୁ ପଡିଥିଲା । ଆଉ ଥରେ ହାର୍ଣ୍ଣିଆ ପାଇଁ । ପେଟ ଅପରେସନ୍ ବେଳେ ଭାବିଥିଲେ ଆଉ ଡାକ୍ତରଖାନାରୁ ଫେରିବେନି । କିନ୍ତୁ ପ୍ରଭୁଙ୍କ ଦୟା ଆଉ ଚାହା ଗ୍ରାହକଙ୍କ ସଦିଚ୍ଛା ଯୋଗୁଁ ବଞ୍ଚିଗଲେ । ଏବେ ପୁଅ ବି କାମରେ ହାତ ମିଳେଇଲାଣି । କିନ୍ତୁ ଗ୍ରାହକମାନେ ପୁଅର ଚାହାକୁ ପସନ୍ଦ କରୁନାହାନ୍ତି । ପୁରୁଣା ଗ୍ରାହକମାନଙ୍କ ପ୍ରଥମ ପସନ୍ଦ ଗଦାଧରଙ୍କ ହାତ ତିଆରି ଅଦା ଛେଚା ଚାହା । ପୁଅ ଭଲ ପାଠ ପଢିଲାନି ବୋଲି ନବମରୁ ଘରେ ରହିଲା । ସାଙ୍ଗପିଲାଙ୍କ ସାଙ୍ଗେ ପଡି ବାଳୁଙ୍ଗାମି ଆରମ୍ଭ କରିଦେଇଥିଲା । କୃପାସିନ୍ଧୁ ସାର୍ କହିଲେ, “ତା’କୁ ଦୋକାନରେ ବସାଅ । ତୁମ ଆଖି ଆଗରେ ଥାଉ । ନହେଲେ ଆଦାୟ ହେବନି । ” ସାରଙ୍କ କଥାକୁ ଗଦାଧର ଖୁବ୍ ମାନନ୍ତି । ପୁଅ ବନମାଳି ମଧ୍ୟ ମାନେ । ସାରଙ୍କ ଏ ଅଞ୍ଚଳରେ ବହୁତ ଖାତିର । ତାଙ୍କ ସମୟର ସେ ଜଣେ ଦକ୍ଷ ଶିକ୍ଷକ । ଗଣିତ ଆଉ ବିଜ୍ଞାନ ପାଠରେ ତାଙ୍କ ଶିଷ୍ୟମାନେ ତାଙ୍କୁ କେବେ ବି ଭୁଲିବେନି । ଅନେକ ଶିଷ୍ୟ ବହୁତ ବଡ ବଡ ଚାକିରି ପାଇଲେଣି । ପାଖ ଗାଆଁ ପ୍ରଭାତ ଜେନା । ସେ ବି ସାରଙ୍କର ଶିଷ୍ୟ । ସେ ଏବେ ଗୋଟିଏ ବେସରକାରୀ କଲେଜରେ ପ୍ରିନ୍ସିପାଲ୍ ଅଛନ୍ତି । ସାରଙ୍କ ପ୍ରତି ତାଙ୍କର ଅଗାଧ ଭକ୍ତି । ଏଇ ଚାହା ଦୋକାନ ଆଗରେ କୃପାସିନ୍ଧୁ ସାରଙ୍କ ସାଥିରେ ତାଙ୍କର ଦେଖା ହୁଏ । ଦେଖିବା ମାତ୍ରେ ପାଦ ଛୁଇଁ ପ୍ରଣାମ କରନ୍ତି ପ୍ରଭାତ । କ୍ଲାସରେ ପ୍ରଥମ ହେଉଥିଲେ । ତେଣୁ ସାରଙ୍କର ଅତି ପ୍ରିୟ ଛାତ୍ର ଥିଲେ । ବନମାଳି ଠିକ୍ ଓଲଟା । କେତେ ଗାଳିମନ୍ଦ ଏପରିକି ବେଳେବେଳେ ସାରଙ୍କ ଠାରୁ ମାଡ ମଧ୍ୟ ଖାଇଛନ୍ତି । ହେଲେ କିଛି ଫଳ ହୋଇନି । ଗଣିତର ଭୟ ତାଙ୍କ ମନରୁ କେବେ ବି ଗଲାନି । ସେଇ ଗଣିତର ଭୂତ ଶେଷକୁ ଏତେ ଭୟଙ୍କର ଲାଗିଲା ଯେ ପାଠପଢାରେ ଡୋରୀ ଲାଗିଗଲା । ମଜାକଥା, ଆଗଭଳି ଆଉ ସାରଙ୍କୁ ଦେଖିଲେ ଡର ଲାଗୁନି । ବେଳେବେଳେ ମଉକା ପାଇଲେ ଥଟ୍ଟା ତାମସା ବି କରିଦେଉଛନ୍ତି କୃପାସିନ୍ଧୁ ସାରଙ୍କ ସାଙ୍ଗେ । କୃପାସିନ୍ଧୁ ସାର୍ ମଧ୍ୟ କମ୍ ନୁହନ୍ତି । ଦରକାର ପଡିଲେ ଏବେ ମଧ୍ୟ ବନମାଳିଙ୍କ କାନ ମୋଡି ଦିଅନ୍ତି । ବନମାଳି ହୁଅନ୍ତୁ ଅବା ପ୍ରଭାତ କେହି କେବେ କୃପାସିନ୍ଧୁ ସାରଙ୍କୁ ଅବଜ୍ଞା କରିନାହାନ୍ତି । ପୁଅ ପାରିବାର ହେଲେ ଆଜିକାଲି ବାପାମାନେ ହାତ ଉଠେଇବାକୁ ସାହସ କରୁନାହାନ୍ତି । କିନ୍ତୁ କୃପାସିନ୍ଧୁ ସାରଙ୍କ ଆଗରେ ଏବେ ବି ସମସ୍ତେ ଛାତ୍ର । ଆଜି ତାଙ୍କର ପ୍ରଥମ ବ୍ୟାଚର ଛାତ୍ରମାନେ ପଚାଶ ପାର ହେଲେଣି । ସେମାନଙ୍କ ମଧ୍ୟ କୃପାସିନ୍ଧୁ ସାର୍ ବାଦ୍ ଦିଅନ୍ତିନି । କୋଉଠି କିଛି ଅସୁବିଧା ଦେଖିଲେ ତାଗିଦ କରିଦେବେ । ତାଙ୍କରି ପାଇଁ ବନମାଳି ବେଳେବେଳେ ନିଜ ବୟସ ବି ଭୁଲିଯାଇ ଛୁଆ ହୋଇଯାଆନ୍ତି । ସାର୍ ଅବସର ନେବାର ଅନେକ ଦିନ ହୋଇ ଗଲାଣି । ଏବେ ତାଙ୍କ ବୟସ ଅଶି ଡେଇଁଲାଣି । ଅବସର ପରେ ମଧ୍ୟ ପାଠ ପଢେଇବା ଛାଡି ନାହାନ୍ତି । ତାଙ୍କର ବସାଘରେ ଟ୍ୟୁସନ୍ କରନ୍ତି । ତାଙ୍କ ପାଖେ ଟ୍ୟୁସନ୍ କରିବା ପାଇଁ ସଦାସର୍ବଦା ଭିଡ ଲାଗି ରହିଥାଏ । ଅନେକ ଲୋକ ତାଙ୍କୁ ଅର୍ଥଲୋଭୀ ବୋଲି କହିବାକୁ ପଛାନ୍ତି ନାହିଁ । ସେ ଦିନ ପ୍ରଭାତ ଜେନା ମଧ୍ୟ ଏଇ ବେଞ୍ଚରେ ବସିଥିଲେ । କ’ଣ ଗୋଟେ କଥା ପଡୁ ପଡୁ ବନମାଳି ଥଟ୍ଟାରେ କହିପକାଇଲା,
: ସାର୍ ! ଏଥର ଟ୍ୟୁସନ୍ ଫ୍ୟୁସନ୍ ଛାଡି ଆରାମ କରନ୍ତୁ ।
ବନମାଳି କଥାଟାକୁ କହି ତ ଦେଲେ । ଭାବିଲେ ସାର୍ ଯଦି ବିଗିଡିଯିବେ କ’ଣ ହେବ ? ସାର୍ କିନ୍ତୁ ହସିଦେଲେ ଠୋ ଠୋ ହୋଇ । ଆଉ କହିଲେ,
: ପ୍ରଭାତ ! ଦେଖିଲୁ ଏ ବନମାଳି କ’ଣ କହୁଛି ? ଏଇଟାର ମୁଣ୍ଡରେ ବୁଦ୍ଧି ଟିକିଏ ହେଲେ ନାହିଁ । ଆରେ ମେଘ କ’ଣ ବରଷିବା ବନ୍ଦ କଲାଣି ? କାହାର ପାଣି ଦରକାର ଥାଉ କି ନ ଥାଉ, ମେଘ ବର୍ଷିବ... ସୂର୍ଯ୍ୟ ଆଲୋକ ଦେବ... ଏଇଟା ଚିରନ୍ତନ । ଆଉ ମୁଁ ପରା ଶିକ୍ଷକ । ମଲା ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବି ।
ଚୁପ୍ ଚୁପ୍ ବନମାଳି ପ୍ରଭାତଙ୍କ କାନରେ କହିଦେଲେ,
: ଦାନ କେମିତି ହେଲା ? କ’ଣ ମାହାଳିଆ ପଢୋଉଛନ୍ତି ?
ପ୍ରଭାତ ଇସାରା ଦେଲେ ଚୁପ୍ ରହିବାକୁ । ଏ ସବୁ ଘଟଣା କିନ୍ତୁ କୃପାସିନ୍ଧୁ ସାରଙ୍କ ଆଖିରୁ ବାଦ୍ ପଡିଲାନି ।
: ପ୍ରଭାତ ! ବନମାଳି କ’ଣ କହୁଛି ?
: ନାଁ... ସାର୍... କିଛି ନୁହେଁ ।
: ମୁଁ ଜାଣେ ସେ କ’ଣ କହୁଛି । ଆଚ୍ଛା ମୋତେ ଟିକିଏ ଘରେ ଛାଡି ଦେ । ଆଣ୍ଠୁଟା ଟିକିଏ ଦରଜ ହେଉଛି ।
କାଳବିଳମ୍ବ ନ କରି ପ୍ରଭାତ ସାରଙ୍କୁ ମଟର ସାଇକେଲ୍ ପଛରେ ବସାଇ ତାଙ୍କ ଘରେ ଛାଡି ଆସିଲେ । ସାର୍ ଘର ଭିତରକୁ ଡାକିଲେ । ଗୁରୁମାଆଙ୍କୁ ପ୍ରଣାମ କରି ଘର ଭିତରକୁ ଗଲେ ।
: ଏଇ ଦେଖ ! ଏ ମୋର ପ୍ରିୟ ଛାତ୍ର ପ୍ରଭାତ । କଲେଜରେ ପ୍ରିନ୍ସିପାଲ୍ ଅଛି । ଶିକ୍ଷକତା କରିବା ପାଇଁ ଆଗ୍ରହ ଥିଲା । ତେଣୁ ଅନ୍ୟ ଚାକିରୀ କଲାନି ।
ପାଖରେ ବସାଇ ବନମାଳି ସାର୍ ପ୍ରଭାତକୁ ନିଜ ଜୀବନର ଅନେକ ଇତିହାସ ଗାଇ ବସିଲେ । କହୁ କହୁ ନିଜ ଘର କଥା ମଧ୍ୟ କହି ବସିଲେ ।
ତାଙ୍କ ଦୁଇ ପୁଅ ଏବେ ତାଙ୍କ ପାଖରେ ରହୁନାହାନ୍ତି । ସେମାନଙ୍କୁ ବାପା ବୋଉ ବୋଝ ଭଳିଆ ଲାଗିଲେ । ତେଣୁ ନିଜ ପରିବାର ନେଇ ଅନ୍ୟତ୍ର ରହୁଛନ୍ତି । ସାନପୁଅ କଥା ଶୁଣି ପ୍ରଭାତ ବିବ୍ରତ ହୋଇ ପଡିଲେ । ସେ ଗୋଟେ ବଦମାସ୍ । ଚାକିରୀ ବାକିରୀ ନାହିଁ ଅଥଚ ଭଡାଘର ନେଇ ବାହାରେ ରହୁଛି । ମଝିରେ ମଝିରେ ଆସୁଛି ବାପା ବୋଉଙ୍କୁ ଟଙ୍କା ମାଗିବାକୁ । ବେଳେବେଳେ ପଇସା ନ ପାଇଲେ ପିଟାମରା କରିବାକୁ ପଛୋଉ ନାହିଁ । ଏଇ କଥା କହିବା ବେଳକୁ ସାରଙ୍କ ଆଖିକୁ ଲୁହ ଆସି ଯାଉଥିଲା ।
: ବନମାଳି କହୁଥିଲା ନା ଟ୍ୟୁସନ୍ ବନ୍ଦ କରିଦେବାକୁ ?
କିଛି ଉତ୍ତର ଦେଲେନି ପ୍ରଭାତ ।
: ତା’ କହିବା ଠିକ୍ । ମୁଁ ବିନା ପାରିଶ୍ରମିକରେ ଶିକ୍ଷାଦାନ କରୁନି । ପିଲାଙ୍କଠୁ ମାସିକ ଦରମା ନେଉଛି । କାହିଁକି ଜାଣିଛୁ ?
ସାରଙ୍କ ମୁହଁକୁ ଚାହିଁଲେ ପ୍ରଭାତ ।
ମୁଁ ଏଇ ଟିକିଏ ଆଗରୁ କହୁଥିଲି ନା, ସାନପୁଅ ଆସୁଛି ପଇସା ମାଗିବାକୁ । ମୋ ପେନସନ୍ କେତେ ? ଆମେ ଦୁଇଜଣ ସେଥିରୁ ଖାଇପିଇ, ଔଷଧ ଖର୍ଚ୍ଚ, ଝିଅ ଘର କଥା ବୁଝିବା ବେଳକୁ ବଞ୍ଚେ କେତେ ? ଯାହା କିଛି ବଞ୍ଚେ ଏହି ଟ୍ୟୁସନରୁ । ପଇସା ଲୋଭରେ ହେଉ ପଛେ, ସାନପୁଅ ଘରକୁ ତ ଆସେ । ପଇସା ନ ଥିଲେ ଥରେ ହେଲେ ବାପା ମାଆଙ୍କୁ ଦେଖିବାକୁ ଆସନ୍ତାନି । ତାଙ୍କର ସିନା ବାପା ମାଆଙ୍କ ପ୍ରତି ଶ୍ରଦ୍ଧା ନାହିଁ, ଆମର ତ ଅଛି । ପୁଅକୁ ତା’ ମାଆ ସଦାବେଳେ ଝୁରୁଛି । ତା’ରି ଚିନ୍ତାରେ ତା’ ଦେହ ଠିକ୍ ରହୁନି । ତେଣୁ ଟ୍ୟୁସନ୍ କେବେ ବନ୍ଦ ହେବନି । ମୋର କ’ଣ ଅଛି ? ହାତ ଗୋଡ ଚଳୁଛି, ଆଉ ସୁବିଧା ଅସୁବିଧା ହେଲେ, ମୋର ହଜାର ହଜାର ଛାତ୍ର ଅଛନ୍ତି । କେହି ତ ଟିକିଏ ସାହାଯ୍ୟ କରିବାକୁ ଆଗେଇ ଆସିବେ । “କିଏ ଆସିବ ? ଆଜିକାଲି ତ ପିଲାମାନେ ବାପା ମାଆଙ୍କୁ ପଚାରୁନାହାନ୍ତି । ଶିକ୍ଷକକୁ କିଏ ପଚାରିବ ?”
ଗୁରୁମାଆଙ୍କୁ କ’ଣ ଉତ୍ତର ଦେବେ ପ୍ରଭାତ ଭାବି ପାରିଲେନି ।
: ସେଥିପାଇଁ ମୁଁ କହିଲି ଚାଲ ପୁଅମାନଙ୍କ ପାଖକୁ ପଳେଇବା ।
: ପ୍ରଭାତ ! ତୁମ ଗୁରୁମାଆଙ୍କ କଥା ଶୁଣିଲ । ପୁଅମାନଙ୍କ ପାଖକୁ ପଳେଇବା ।
ଠୋ ଠୋ କରି ହସି ଉଠିଲେ କୃପାସିନ୍ଧୁ ସାର୍ । ସେ ହସରେ କିଛି ଉପହାସ ଆଉ କିଛି ବ୍ୟଥା ମିଶ୍ରିତ ଥିଲା ।
: ସେମାନଙ୍କୁ ତ ବୋଝ ଭଳିଆ ଲାଗିଲା ବୋଲି ଛାଡିକି ପଳେଇଲେ । ଆଉ ଆମେ ଯିବା ତାଙ୍କ ପାଖକୁ ??? ସେମାନେ ଯେମିତି ଫୁଲ ତୋଡା ଧରି
ସଙ୍ଖୁଳିବା ପାଇଁ ଠିଆ ହୋଇଛନ୍ତି ।
: କାହିଁକି ? ବଡପୁଅ ତ ମୋତେ ଡାକୁଥିଲା ।
ଏଥର ଆହୁରି ଜୋରରେ ହସି ଉଠିଲେ ସାର୍ । କିଛି ବୁଝିପାରିଲେନି ପ୍ରଭାତ ।
: ପ୍ରଭାତ ! ଏ ସଂସାର ବଡ ବିଚିତ୍ର । ଆଉ ଏଠି ଏକରୁ ଆରେକ ବିଚିତ୍ର ପ୍ରାଣୀମାନେ ବାସ କରନ୍ତି । ବୟସ ସିନା ତୁମ ଗୁରୁମାଆଙ୍କର ହେଇଗଲାଣି, କିନ୍ତୁ ଏ ବିଚିତ୍ର ପ୍ରାଣୀମାନଙ୍କୁ ଚିହ୍ନି ପାରିବାର କ୍ଷମତା ଆସିନି ।
: କ’ଣ ଯେ ତୁମେ କୁହ, ତୁମେ ହିଁ ଜାଣ ।
: ପ୍ରଭାତ ! ଟିକିଏ ଗୁରୁମାଆଙ୍କୁ ବୁଝାଅ, ସେମାନେ ମାଆ ଚାହୁଁନାହାନ୍ତି, ସେଇଥିପାଇଁ ଛାଡି ଚାଲିଗଲେ । ବର୍ତ୍ତମାନ ତାଙ୍କର କାମବାଲି ଦରକାର । ଛୋଟ ପିଲାଙ୍କୁ ଧରିବା ପାଇଁ ... ଘର କାମରେ ସାହାଯ୍ୟ କରିବାକୁ... ସେଇଥିପାଇଁ ଡାକୁଛନ୍ତି । ହେଲେ ଏ ବୁଢାକୁ କିଏ କାହିଁକି
ଡାକିବ ? ବୁଢା ତ ବୋଝ ।
କି ବିରାଟ ବାସ୍ତବତାକୁ ସାର୍ ଏତେ ସହଜରେ ବର୍ଣ୍ଣନା କରିଦେଲେ । ପ୍ରଭାତ ଆଉ ଗୁରୁମାଆ ଚୁପ୍ ହୋଇଗଲେ । କଟୁ ହେଲେ ମଧ୍ୟ ସତ୍ୟ ।
: ଦେଖ ପ୍ରଭାତ ! ପିଲାଙ୍କୁ ଜନ୍ମ ଦେଇଥିଲୁ । ସେମାନେ କଷ୍ଟ ଦେଲେ... ସହିଲୁ । ଏବେ ଜଗତର ପିତା ଯଦି ମୋତେ କିଛି କଷ୍ଟ ଦେବେ, ମୁଁ ହସି ହସି ସହିଯିବି । ଭାବିବି ସେଇଟା ମୋର
କର୍ମଫଳ ।
ଆଜିକାଲି ତ ସେଲଫି ଜମାନା । ଭାବିଲେ ସାରଙ୍କ ସାଙ୍ଗେ ଗୋଟିଏ ସେଲଫି ନେବେ । ଗୁରୁମାଆ ମଧ୍ୟ ଫଟୋରେ ସାମିଲ ହୋଇଗଲେ । ସାର୍ ଆଉ ଗୁରୁମାଆଙ୍କ ପ୍ରଣାମ କରି ଫେରିଲେ ।
ଶେଷ କଥା ପଦକ ପ୍ରଭାତ ଭୁଲି ନ ଥିଲେ । ସାରଙ୍କ ଘରୁ ଫେରି ବନମାଳି ଦୋକାନ ଆଗ ବେଞ୍ଚରେ ବସି ପଡିଲେ । ମୁଣ୍ଡଟା ଟିକିଏ ଭାରି ଥାଏ । କିଛି କହିବା ଆଗରୁ ବନମାଳି କହି ବସିଲେ,
: ବାପାଙ୍କ ମୁଣ୍ଡ ଖରାପ ହୋଇଗଲାଣି । ଦିନଯାକ ଦୋକାନ କଥା ବୁଝି ଅଣ୍ଟା ପିଠି ଲାଗିଯାଉଛି । ସେଇଟା ଦେଖା ଯାଉନି । ଟଙ୍କା ଚିନ୍ତା...
: କ’ଣ ହେଲା ? ଏତେ ବିରକ୍ତ କାହା ଉପରେ ହେଉଛୁ ?
: ସାନକୁ ଟିକିଏ ପଚାରୁନୁ, ଭଉଣୀ ଘର କଥା ଭୁଲି ଗଲୁଣି । ପଇସା କ’ଣ କରୁଛୁ ?
: ମାନେ... ?
: ବାପା ମୋତେ କହୁଛନ୍ତି । ଯେମିତିକା ମୁଁ କଲେକ୍ଟର୍ । ଲକ୍ଷ ଲକ୍ଷ ଟଙ୍କା ଦରମା
ପାଉଛି । ସାନ ଭାଇକୁ ଦେବି ।
: କାହିଁକି ? ସେ କ’ଣ କରୁଛି ?
: କିଛି ନାହିଁ । ମଟର ସାଇକେଲରେ ବାବୁ ବାବୁଆଣୀ ମାସକୁ ଦଶ ଥର ଶ୍ୱଶୁର ଘରକୁ ଦଉଡୁଛନ୍ତି । କାମଧନ୍ଦା କିଛି ନାହିଁ । ନେତାଙ୍କ ପଛେ ପଛେ ବୁଲୁଛି ।
: ତା’ହେଲେ ବଢିଆ ଧନ୍ଦା କରୁଛି ।
: ହଁ ପରା... ବାବୁ ଇଲେକ୍ସନରେ ଠିଆ ହେବେ । ଓ୍ୱାର୍ଡ୍ ମେମ୍ବର୍ । ପଇସା ଖର୍ଚ୍ଚ ହେବ । ବାପା କହୁଛନ୍ତି ତାକୁ ସାହାଯ୍ୟ କରେ । ସେଥିପାଇଁ ମୋ ମୁଣ୍ଡ ଖରାପ ।
ପ୍ରଭାତ ଦେଖିଲେ ଅବସ୍ଥା ଖରାପ । କୃପାସିନ୍ଧୁ ସାରଙ୍କ କଥା ଶୁଣିବା ବେଳ ଏଇଟା
ନୁହେଁ ।
: ବେଶୀ ଆଉ ମୁଣ୍ଡ ଖରାପ କରନା । ମଉସାକୁ ଟିକିଏ ବୁଝେଇ ଦେବୁ । ବୁଢାଲୋକ ।
: ବୁଢାଲୋକ କ’ଣ ? ସବୁ ଜାଣୁଛନ୍ତି ।
: ହଉ... ହଉ... ଶାନ୍ତ ହୋଇଯାଆ । ଏତିକି କହି ଘରକୁ ଫେରିଲେ ।
ବାପା ମାଆମାନଙ୍କୁ ସମସ୍ତେ କ’ଣ ବୋଝ ଭଳି ମନେ କରନ୍ତି ? ବାପା ମାଆ ତ ଦିନେ ବୁଢା ବୁଢୀ ହେବେ । ବାର୍ଦ୍ଧକ୍ୟ ତାଙ୍କୁ ଦିନେ ଶକ୍ତିହୀନ କରିଦେବ । ଏପରିକି ନିଜ କାମ କରିବାକୁ ମଧ୍ୟ ଶକ୍ତି ନ ଥିବ । ସେତେବେଳେ କ’ଣ ହେବ ? ଏଇ ତ ସାରଙ୍କ ପୁଅମାନେ ବାପାକୁ ବୋଝ ଭାବି ଦୂରେଇ ଗଲେଣି । ହୁଏ ତ ତାଙ୍କ ବାପା ଯଦି ଏବେ ଯାଏ ବଞ୍ଚିଥାନ୍ତେ କ’ଣ ହୋଇଥାନ୍ତା ? ସେତେବେଳେ ଖୁବ୍ ବଳିଷ୍ଠ ଥିଲେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ବେଶ୍ ସକ୍ଷମ ଥିଲେ । କିନ୍ତୁ ବଞ୍ଚିଥିଲେ ତ ଏତେବେଳକୁ ନବେ ଟପିଥାନ୍ତେ । ସେ ଆଉ ତାଙ୍କ ଭାଇମାନେ ତାଙ୍କୁ ଏମିତି ଦୂରେଇ ଦେଇ ନଥାନ୍ତେ ତ ? ମନେ ପଡିଗଲା ତାଙ୍କ ବାପାଙ୍କ କଥା । ସେତେବେଳେ ତାଙ୍କୁ ସତୁରୀ ପାଖାପାଖି ହେବ । ହଠାତ୍ ହୃଦଘାତରେ ଚାଲିଗଲେ । ସେ ଦିନ ବାପାଙ୍କ ଦେହାନ୍ତ ତାଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଥିଲା । ଭୋ ଭୋ ହୋଇ ବୁକୁ ଫଟେଇ କାନ୍ଦିଥିଲେ । କିନ୍ତୁ ଆଜି ସେ ଭାବୁଛନ୍ତି, ସେ କାନ୍ଦୁଥିଲେ କ’ଣ ପାଇଁ ? କାହାକୁ ତ କଷ୍ଟ ଦେଲେନି । କାହା ପାଇଁ ବୋଝ ହେବା ଆଗରୁ ଚାଲିଗଲେ ।
ବେଳାବେଳି ଖାଇ ଦେଇ ଶୋଇବାକୁ ଗଲେ । ରାତି ସେତେବେଳକୁ ଦଶଟା ପାଖାପାଖି ହେବ । କୃପାସିନ୍ଧୁ ସାରଙ୍କ କଥା ଚିନ୍ତା କରି ମୁଣ୍ଡଟା ଟିକିଏ ଭାରି ଥିଲା । ଘରେ ସେ କଥା କାହାକୁ କିନ୍ତୁ ଜଣେଇ ନ ଥିଲେ । ମୋବାଇଲ୍ ଖୋଲି ସାରଙ୍କ ସଙ୍ଗେ ଉଠେଇଥିବା ଫଟୋକୁ ଦେଖିବାକୁ ଇଚ୍ଛା ହେଲା । ହଠାତ୍ ଫୋନ୍ ଆସିଲା । ବନମାଳିର ଫୋନ୍ । ଚମକି ପଡିଲେ ପ୍ରଭାତ । ବାପ ପୁଅଙ୍କ ଭିତରେ କ’ଣ ବେଶୀ ଝଗଡା ହେଲା ନା କ’ଣ ? ଏମିତି କିଛି ଚିନ୍ତା କରି ଫୋନ୍ ଉଠେଇଲେ ।
: ହେଲୋ ପ୍ରଭାତ ! ଗୋଟାଏ ଖରାପ ଖବର...
: କ’ଣ ହେଲା ?
ଚମକି ପଡିଲେ ।
: ସାର୍ ଚାଲିଗଲେ ।
: କୋଉ ସାର୍ ?
: କୃପାସିନ୍ଧୁ ସାର୍ ଚାଲିଗଲେ ।
: ଏଁ... କ’ଣ କହୁଛୁ ? ଏଇ ତ ସନ୍ଧ୍ୟାରେ ମୁଁ ତାଙ୍କ ଘରୁ ଫେରିଲି । ସବୁ ତ ଠିକ୍ ଥିଲା । କ’ଣ ହେଲା ?
: ତାଙ୍କ ଘରେ ଗୋଟେ ସାପ ପଶି ଯାଇଥିଲା । ତାକୁ ଦେଖୁ ଦେଖୁ ତାଙ୍କର ହାର୍ଟ୍ ଚୋକ୍ ହୋଇଗଲା ।
: ଆରେ ସାପ କାମୁଡି ଦେଲା ନା କ’ଣ ?
: ନାଁ... ନାଁ... ସେତେବେଳକୁ ସାର୍ ପିଲାଙ୍କୁ ଟ୍ୟୁସନ୍ ପଢୋଉଥିଲେ । ହଠାତ୍ କରେଣ୍ଟ୍ ପଳେଇଲା । ଗୋଟେ କି ଦୁଇ ମିନିଟ୍ ପରେ କରେଣ୍ଟ୍ ଆସିଗଲା । ସେଇ ଅନ୍ଧାରରେ ଗୋଟେ ବଡ ସାପ ଘର ଭିତର ଆଡକୁ ପଶି ଆସିଛି । ପିଲାମାନେ ସାପ ସାପ ପାଟି କଲେ । ଯେମିତି ସାରଙ୍କ ନଜର ସାପ ଉପରେ ପଡିଛି, ସାର୍ ଚିତ୍କାର କରି ଉଠିଲେ । ବୋଧହୁଏ ସାର୍ ଭାବି ନେଇଥିବେ ଗୁରୁମାଆ ଭିତରେ ଅଛନ୍ତି ବୋଲି । କିନ୍ତୁ ଗୁରୁମାଆ ସେତେବେଳକୁ ବାହାରେ
ଥିଲେ । ସାରଙ୍କ ପାଟି ଶୁଣି ଦୌଡି ଆସିବା ବେଳକୁ ସାର୍ ଟଳି ପଡିଲେ । ପିଲାମାନଙ୍କ ହୋ ହଲ୍ଲାରେ ପାଖ ଲୋକମାନେ ଆସି ଠୁଳ ହେଲେ । ସାପ ଆଉ ଭିତରକୁ ନ ଯାଇ ବାହାରିଗଲା । କିନ୍ତୁ ସାରଙ୍କ ଚେତା ଫେରିଲାନି । ଆମେ ସମସ୍ତେ ସାରଙ୍କୁ ତୁରନ୍ତ ହସ୍ପିଟାଲ୍ ନେଇ ଯାଇଥିଲୁ । ଡାକ୍ତର ଦେଖି କହିଲେ, ସାପ କାମୁଡାର କୌଣସି ଚିହ୍ନ କି ଲକ୍ଷଣ ନାହିଁ । ଭୟରେ ହାର୍ଟ୍ ଫେଲ୍ ହୋଇଗଲା ।
ସାର୍ ଚାଲିଗଲେ ? ପାଟି ଅଠା ଅଠା ହୋଇଗଲା ପ୍ରଭାତଙ୍କର । ଆଖି ସାମ୍ନାରେ ସେତେବେଳକୁ ସାରଙ୍କର ଫଟୋ । ଛଳ ଛଳ ଆଖିରେ ଅନେଇଲେ । ସେଇ ହସ ହସ ମୁହଁ । ଆଉ ଲାଗିଲା, ସେ ଯେମିତି କହୁଛନ୍ତି, “ଠାକୁରେ ଯଦି କିଛି କଷ୍ଟ ଦେବେ, ତା’ହେଲେ ଭାବିବି, ମୋ କର୍ମଫଳ । ”
ମନେମନେ ନିଶ୍ଚିନ୍ତ ହେଲେ, କର୍ମଫଳ ନିଶ୍ଚୟ କିଛି ଅଛି । ହଜାର ହଜାର ଛାତ୍ରଙ୍କୁ ଶିକ୍ଷାଦାନ କଲେ । ଫଳ ତ ପ୍ରାପ୍ୟ ଥିଲା ତାଙ୍କର । ସେଇଥିପାଇଁ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ବେଳେ ଠାକୁରେ ତାଙ୍କୁ ବିନା କଷ୍ଟରେ ନେଇଗଲେ । କାହାକୁ ଟିକେ ଚିନ୍ତା କରିବାକୁ ସୁଯୋଗ ଦେଲେନି । ବାପାଙ୍କ ବିୟୋଗ ବେଳେ ସେ ଦିନ ସେ ଅନେକ କାନ୍ଦିଥିଲେ, ଆଜି କିନ୍ତୁ କାନ୍ଦିବେନି । ଠାକୁରଙ୍କୁ କୋଟି ପ୍ରଣାମ କରିବେ । ଆଉ କହିବେ, ତୁମେ ଧନ୍ୟ ପ୍ରଭୁ, ତୁମେ
ଧନ୍ୟ । ହାତ ଯୋଡିବା ବେଳକୁ କିନ୍ତୁ ଅମାନିଆ ଆଖିରେ ଭରି ଆସିଥିଲା ଲୁହର ଜୁଆର ।