Madhu mita

Abstract Comedy

3  

Madhu mita

Abstract Comedy

କପୁଲ ଚାଲେଞ୍ଜ

କପୁଲ ଚାଲେଞ୍ଜ

3 mins
165



ଜୁକୁଭାଇ ଦିନେ ସର୍ବଦମନ ବାବୁଙ୍କ ଘରେ ପହଁଚିଗଲେ।ଭାନୁମତୀ ଦେବୀ ଚା ଜଳଖିଆ ନେଇ ଆସିବା ପରେ ସେ କହିଲେ..'ସାର୍.., ମ୍ୟାଡ଼ମ..।ଗୋଟିଏ ନୂଆ କପୂଲ୍ ଚ୍ୟାଲେଞ୍ଜ ସୋସିଆଲ ମିଡିଆରେ ଅନୁଷ୍ଠିତ ହେଉଛି।ସେଥିପାଇଁ ଆପଣ ଦୁଇଜଣଙ୍କ ଯୁଗଳ ଫୋଟଟେ ଦରକାର୍..।'ପୋଷ୍ଟ କରିବା।


ଏକଥା ଶୁଣି ସଙ୍ଗେ ସଙ୍ଗେ ସର୍ବଦମନ ଖୁସିରେ ରାଜି ହୋଇଗଲେ ଆଉ ଭାନୁମତୀଙ୍କ ଆଡ଼କୁ ଚାହିଁଲେ..


' ହଇଓ..ଏଇଟା କି ଚ୍ୟାଲେଞ୍ଜ ମ??' ପଚାରିଲେ ଭାନୁମତୀ..


'ଆଗୋ..ଆମେ ଦୁଇଜଣ ଫୋଟ ଉଠେଇ ପୋଷ୍ଟ କଲେ ଲୋକେ ଦେଖିବେ ଆମେ କେତେ ସୁନ୍ଦର ଯୋଡ଼ି ଆଉ ..କେତେ ଭଲ ପାଉଛେ ପରସ୍ପରକୁ..।'ବୁଝେଇଲେ ସର୍ବଦମନ।


'ଏମିତି କେମିତି ଯେ ?ଜୁକୁଭାଇ ଏଇଠି ବସି ଜଳଖିଆ ଖାଉଥାନ୍ତୁ ଆମେ ଫୋଟ ପାଇଁ ଟିକେ ରେଡ଼ି ହେଇ ଆସିବା ଚାଲ..।' ଅଳ୍ପ ଲାଜେଇ ଯାଇ କହିଲେ ଭାନୁମତୀ।


କଥାଟା ବି ଠିକ୍ ଥିଲା।ଏତେବଡ଼ ଚ୍ୟାଲେଞ୍ଜ ଅନୁଷ୍ଠାନ ହେଉଛି।ଆଉ ସୋସିଆଲ ମିଡିଆରେ ସମସ୍ତେ ଆମକୁ ଦେଖିବେ।କମ୍ ସେ କମ୍ ଭଲ ଲୁଗାପଟା ଟିକେ ନ ପିନ୍ଧିଲେ କଣ ଚଳିବ??ଦୁଇଜଣ ରେଡ଼ି ହେବାକୁ ରୁମ୍ ଭିତରକୁ ଗଲେ ଆଉ ଜୁକୁଭାଇ ଡ୍ରଇଂ ରୁମରେ ବସି ଗରମ୍ ଗରମ ଚା ଜଳଖିଆ ସ୍ଵାଦ ନେଉ ନେଉ ମ୍ୟାଗାଜିନ ଉପରେ ଆଖି ବୁଲେଇବା ଆରମ୍ଭ କଲେ।


'ଆଗୋ ଶ୍ରୀମତୀ..ସେତିକି ଥାଉ..।କେତେ ଆଉ ସଜେଇ ହେବ? ଫୋଟଟେ ତ ଉଠେଇବା। ତମକୁ ଏତେ ମେକ୍ ଅପ୍ ରେ ଦେଖିଲେ ଲୋକ ଫେରେ ଚିହ୍ନି ପାରିବେନି ଯେ..।'


'ହଇଓ..ତମେ ଲେଡିଜ୍ ମାନଙ୍କ ବିଷୟରେ କଣ ଜାଣିଛ କହିଲ?ତମ ଭଳିଆ ସମସ୍ତେ କି?ଆଉ ଏଇ ଫୋଟ ମାମୂଲି ନୁହଁ। ଏ ପରା ଗୋଟିଏ ଚ୍ୟାଲେଞ୍ଜ..??'


'ଓହୋ..ତମେ ଯେମିତି ସଜେଇ ହେଲଣି ମୋତେ ଡର ଲାଗୁଛି ଆଉ ଥରେ ବାହା ହବାକୁ ବାହାରିବ ନା କଣ??ଏତେ ବୋଳି ହେଲେ ତମକୁ କିଏ ଦେଖିବ ଟିକେ କହିଲ..।'


'ହଇଓ..ଫୋଟ ପରା ସୋସିଆଲ ମିଡିଆରେ ଘୁରିବ..।??କେତେ ଲୋକ ଦେଖିବେ। ଆଉ ସେମାନେ ଆମ ବାହାଘରରେ ଆସିଥିବା କଣ ତମର ସେ ଖାଇବା ଲୋଭୀ ବରଯାତ୍ରୀଙ୍କ ପରି କାଙ୍ଗାଳି ହୋଇଛନ୍ତି ନା କଣ??ଯାହା ନଜର ଖାଲି ଖାଇବା ହାଣ୍ଡିରେ ରହିଥିବ??'


'ହଁ..ମୋ ବରଯାତ୍ରୀ ସେଇଠି ଖାଇବା ନ ଦେଖି ଆଉ କଣ ଟା ବା ଦେଖିଥାନ୍ତେ??କଣ ଥିଲା କି ଆଉ ସେଇଠି କିଛି ଦେଖିଲା ଭଳିଆ??'


'କଣ କହିଲ?ଦେଖିଲା ଭଳିଆ ଜିନିଷ ନ ଥିଲା ମାନେ କଣ??ତମ କଥାର ଅର୍ଥ ଟିକେ ବୁଝେଇ କହିଲ..'


'ଛାଡ ଛାଡ..ସେକଥା ଉଠେଇ ଲାଭ କଣ? ଯାହା ହେବାର ଥିଲା ହୋଇଗଲା..।ଏବେ ଆଉ ପୁରୁଣା କଥାରୁ କଣ ମିଳିବ?'


'ଆରେ..।ତମେ ତ ଏମିତି କହୁଛ ଯେମିତି ମୋତେ ବାହା ହୋଇ ତମ ଜୀବନ ପୁରା ନଷ୍ଟ ହୋଇ ଯାଇଛି ଆଉ?? ଭୁଲଟେ କରି ପାକେଇଛ ସତେ..'


'ଆରେ ଶ୍ରୀମତୀ..। ସତ କଥା ଗୁଡାକ ଏମିତି ହିଁ କଷ୍ଟ ଦିଏ।ଏଇ ଯେମିତି ଯଦି ମୁଁ କହିବି ତମ ମେକ ଅପ୍ ବୋଳା ମୁହଁ କଣ ତମ ବୟସକୁ ଆଉ ଆଖି ତଳ ଲୋଚା ଚମକୁ ଲୁଚେଇ ଦେବ କି?'


'ହଁ..ମୋ ବୟସ ଖାଲି ବଢି ଯାଉଛି ଆଉ।ମୋ ଚମ ଖରାପ୍ ହଉଛି ଆଉ??ତମ ଥନ୍ତଲା ପେଟ ଆଉ ଚନ୍ଦା ମୁଣ୍ଡ ଦେଖି ତ ଫିଲ୍ମ୍ ହିରୋଇନ୍ ମାନେ ବାଉଳି ହଉଛନ୍ତି..??ଛାଡ ..ସବୁ ମୋ ଭାଗ୍ୟ..।କଣ କରିବି..।'


'କାହିଁକି?ମୋତେ ବାହା ହୋଇ କଣ ଅସୁବିଧା ହେଲା ତମ ଭାଗ୍ୟରେ ଟିକେ ଶୁଣେ..'


'ଥାଉ.. ସତ କହିଲେ ନିଜକୁ ଆଉ ସାମନା କରି ପାରିବନି..'


'ତମ କହିବା କଥା ମୁଁ କଣ ଅଯୋଗ୍ୟ ସ୍ବାମୀ?'


'ନାଇ..ମୁଁ ତ ଖାଲି କହୁଛି ମୁଁ ତମ ପରି ସ୍ବାମୀ ପାଇବାଠୁ ଟିକେ ଅଧିକ ଯୋଗ୍ୟ ମହିଳା..।'


'ତା ହେଲେ ମୋତେ କାହିଁକି ବାହା ହେଲ ଶୁଣେ..।ମୁଁ ଆଜି ଯାଏଁ ଚଳେଇ ନେଲି ବୋଲି ସିନା। ନ ହେଲେ ତମ ସହ ଗୋଟିଏ ମୁହୂର୍ତ୍ତ ବି ଯୁଗଟେ ପରି ଲାଗେ।'


'ହଁ..ଆଉ ସେ ଅଫିସର ରୁବୀ,ଛବି, ଡିବି ମାନଙ୍କ ସହିତ ସ୍ବର୍ଗ ସୁଖ ପାଉଛ ଆଉ??ସତେ ଯେମିତି ସେମାନେ ରମ୍ଭା,ମେନକା,ଉର୍ବଶୀ..'


'ଆଗୋ..ତମେ ସେମାନଙ୍କ ସହିତ ନିଜକୁ ତୁଳନା କରନି।ମନ ଖରାପ୍ ହୋଇଯିବ।କାହିଁ ରାଣୀ..କାହିଁ ଚନ୍ଦ୍ର କାଣୀ..।??'


'କଣ କହିଲ?? ବୁଝିଲ..ତମକୁ ବାହା ହୋଇ ମୋ ଫଟା କପାଳ ଧରି ପଡ଼ିଛି ମୁଁ। ନ ହେଲେ ତମ ପରି ବେରସିକ ପୁରୁଷ ପାଖରେ ଆଉ କିଏ ଦଣ୍ଡେ ହେଲେ ଠିଆ ହେଇ ପାରନ୍ତେନି..।ନିଜକୁ ଗନ୍ଧର୍ବର ନାତି ବୋଲି ଭାବୁଛ ବୋଧେ..।'


'କହି ଦେଉଛି ଶ୍ରୀମତୀ।ମୋ ବାପ ଅଜା ଆଡେ ଯିବନି। ନ ହେଲେ ..ତମ ଚଉଦ ପୁରୁଷ ଆଜି ତ୍ରାହି ପାଇବେନି..।'


'କଣ କହିଲ?ମୋ ଚଉଦ ପୁରୁଷ ନାଆଁ ନେବା ତମେ କାହିଁକି ପାଇଁ ତମ ବଂଶର କିଏ ଯୋଗ୍ୟ ଥିଲା ଟି??ମୋ ବାପା ଭୋଲା ଲୋକ ବୋଲି ଏମିତି ଏକ ଘରେ ମୋତେ ଟେକିଦେଲେ..। ବର ମିଳୁ ନ ଥିଲା ମୋତେ ଯାହା..ଛିଃ..'


ଚାହୁଁ ଚାହୁଁ କଥା ବଢି ମହାଭାରତ ରୂପ ନେଇ ଆସିଲା।ଶେଷରେ ସର୍ବଦମନ ଆଉ ଭାନୁମତୀ ନିଷ୍ପତ୍ତି ନେଲେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ରହିବା ସମ୍ଭବ ନୁହେଁ।ଅତଏବ ବାହାରେ ବସିଥିବା ଆଉ ସବୁ କଥା ଜାଣିଥିବା ଜୁକୁଭାଇଙ୍କୁ ସାକ୍ଷୀ କରି ସେମାନେ ପରସ୍ପର ଠାରୁ ଅଲଗା ହେବା ପାଇଁ ଫାଇନାଲ କରି ରୁମ୍ ବାହାରକୁ ବାହାରିଲେ..।


××××ରୁମ୍ ଭିତରୁ ସେମାନଙ୍କ କଥାବାର୍ତ୍ତା ଶୁଣି ପାରୁଥିବା ଜୁକୁଭାଇ ସେମାନେ ବାହାରକୁ ଆସିବା ଆଗରୁ ନିଜ କ୍ୟାମେରା ଧରି ଏକ ରକମ୍ ଦୋୖଡି ପଳେଇଲେ।ଯାଉ ଯାଉ ଗୋଟିଏ ଗରମ୍ ସିଙ୍ଗଡ଼ା ପାଟିରେ ପକେଇ ଦେଇ ଭାବୁଥିଲେ..'ଚୁଟି ଧରନ୍ତୁ କି ଗଡାପଡ଼ା ହୁଅନ୍ତୁ। ଏ କପୁଲ ଭିତରେ ପଶିବା ଦୂର୍ବୁଦ୍ଧି କାହିଁକି କେଜାଣି ମୋ ମୁଣ୍ଡରେ ଆସୁଥିଲା??ଆଜିଠୁ କାନ ମୋଡୁଛି..ଆଉ ଏମିତି ଚ୍ୟାଲେଞ୍ଜ କରି ଭୁଲ୍ କେବେ କରିବିନି।ମଣିଷ ଆଜି ଠିକ୍ ସମୟରେ ତ୍ରାହି ପାଇଗଲା…।??'


ଆଉ ଟିକେ ଜୋରରେ ଦୌଡ଼ିବାକୁ ଲାଗିଲେ ଜୁକୁଭାଇ….


Rate this content
Log in

Similar oriya story from Abstract