Parameswar Ojha

Tragedy

4  

Parameswar Ojha

Tragedy

କୋରନା

କୋରନା

4 mins
225


ସିପୁନ୍ ମୁଣ୍ଡ ରେ ଏ କୋରନା ଶବ୍ଦ ଅଥବା ୟା ସମ୍ବନ୍ଧୀୟ ଯେତେ କଥା କିଛି ବି ପଶୁନଥିଲା । କଣ ହେଇଛି ଯେ ତା ମାମା ମା ର ? ( ସିପୁନ ତା ଜେଜେ ମା କୁ ମାମା ମା ବୋଲି ଡାକେ )

ଦେହ ଖରାପ ହେଲେ ତ ଅନ୍ୟ ସମସ୍ତ ପରିବାର ଲୋକେ  ପାଖରେ ରୁହନ୍ତି ଦେହ ମୁଣ୍ଡ ଘସି ଦିଅନ୍ତି । ଜଲଦି ଦେହ ସୁସ୍ଥ ହୋଇଯିବା ପାଇଁ ଠିକ୍ ଟାଇମ୍ ରେ ବଟିକା ଟନିକ୍ ଦିଅନ୍ତି । ଦିନ ରାତି ସବୁବେଳେ ତାଙ୍କ ପାଖେ ଜଗି ରୁହନ୍ତି ଅନ୍ୟ ମାନେ , ମାମା ମା ର କାଳେ କିଛି ଅସୁବିଧା ହେଲେ କି କୈାଣସି ଜିନିଷ ଦରକାର ପଡିଲେ ସାଙ୍ଗେ ସାଙ୍ଗେ ତତ୍ପର ହୋଇ ପଡିବା କଥା ବାବା ମାମା ଦୁହେଁ । ହେଲେ ଏମିତି କି ରୋଗ ହେଇଛି ଯେ , ମାମା ମା କୁ ଘରେ ନରଖି ତା ସେବା ଶୁଶ୍ରୁଷା ନକରି ଅଲଗା ଏକଲା ଗେଷ୍ଟ ହାଉସ ରେ ରଖିଛନ୍ତି ।

ସେ ବି ତା ମାମା କୁ ତା ବାବା କୁ କେତେଥର ପଚାରି ସାରିଲାଣି , " କଣ ହେଇଛି ମାମା ମା ର , ତାକୁ କାହିଁକି ଆମ ପାଖରେ ରଖୁନ , ଅଲଗା ଗେଷ୍ଟ ହାଉସ ରେ ରଖିଛ ?"

ବାବା ମାମା ତାକୁ ବୁଝେଇ ଦିଅନ୍ତି ," ଆରେ ତୋ ମାମା ମା କୁ କୋରନା ହେଇଛି ସେଥିପାଇଁ ସେ ଅଲଗା ରହିଛି ସେ ବହୁତ ଖତରନାକ୍ ବେମାରୀ ତୁ କେବେ ଯିବୁନି ସେ ଗେଷ୍ଟ ହାଉସ ୟାଡେ । ମାମା ମା ଦେହ ଭଲ ହୋଇଗଲେ ଆମେ ତାକୁ ପୁଣି ଆମ ପାଖକୁ ନେଇ ଆସିବୁ । ବୁଝିଲୁ ? "

ସିପୁନ୍ ମୁଣ୍ଡ ସିନା ଟୁଙ୍ଗାରି ଦିଏ କିନ୍ତୁ କିଛି ବି ବୁଝି ପାରେନି ସେ । ତାକୁ ଲାଗେ ଯେମିତି ତା ବାବା ମାମା ତାଠୁ ତା ମାମା ମା କୁ ଜାଣି ଶୁଣିକି ଅଲଗା ରଖିଛନ୍ତି । ସେ ଅଧିକ ସମୟ ମାମା ମା ସାଙ୍ଗ ରେ ଖେଳେ ବୋଲି ବୋଧେ ସେଥିପାଇଁ ।

ଦିନେ ଚାରିଟା ବେଳେ ନିରୋଳା ରେ ବସି ସିପୁନ୍ ଗୋଟେ ଚିଠି ଲେଖିଲା ତା ମାମା ମା କୁ । ତାପରେ ରାତିରେ ତା ମାମା ବାବା ନିଦରେ ଶୋଇ ପଡିଲା ପରେ ଚିଠି ଟି ତା ପ୍ୟାଣ୍ଟ୍ ପକେଟ୍ ରେ ପୁରାଇଲା । ସାହସ କରି କବାଟ ଖୋଲିଲା ପୁଣି ଆସ୍ତେକି କବାଟ ଆଉଜେଇଲା , ତାପରେ ଘରଠୁ ଢେର୍ କିଛି ବାଟ ଦୂରରେ ଥିବା ତାଙ୍କ ଗେଷ୍ଟ ହାଉସ ୟାଡେ ଚାଲି ଚାଲି ଗଲା । ଏକଲା ଭୟ ଲାଗୁଥିଲେ ବି ତା ମାମା ମା ପ୍ରତି ତାର ଭଲପାଇଵା  ଆଉ ତା ମାମା ମା କୁ ଦେଖିବାର ଆଗ୍ରହ ତା ପାଦକୁ ରୋକି ପାରୁନଥିଲା ।

ତ କିଛି ସମୟ ପରେ ଗେଷ୍ଟ ହାଉସ କବାଟ ପାଖରେ ଯାଇ ଠିଆ ହୋଇ ପଡ଼ିଲା ସିପୁନ । ନିଜ ଛୋଟ ହାତରେ କବାଟ୍ ଠକ୍ ଠକ୍ କଲା ଆଉ ଧିର ଆବାଜ୍ ରେ ମାମା ମା ...ମାମା ମା... ବୋଲି ଡାକିଲା ।

" ମାମା ମା .. କବାଟ ଖୋଲ ମୁଁ ତମ ସିପୁ ....ତମ ଧନ .... ମାମା ମା...କବାଟ ଖୋଲ ..."

ମାମା ମା କୁ ସିପୁନ୍ ର ଡାକ ଶୁଭୁନଥିଲା କି କବାଟ ବାଡେଇବା ର ଶବ୍ଦ ବି ଜଣା ପଡୁନଥିଲା ବୋଧେ । କାଇଁ କବାଟ ତ ଖୋଲିଲାନି ।

ତ ସିପୁନ୍ ଅନେକ ସମୟ ଛିଡ଼ା ହୋଇ ଡାକି ଡାକି ଦେଖିଲା ଯେମିତି କବାଟ ନ ଖୋଲୁଛି , ଶେଷରେ ଚିଠି ଟିକୁ କବାଟ ତଳ ଫାଙ୍କା ବାଟେ ଭିତରକୁ ଗଳେଇ ଦେଇ ଚାଲି ଆସିଲା ।

ସକାଳକୁ ସିପୁନ୍ ର ମାମା ମା ଉଠି ଘର ଝାଡୁ କଲାବେଳେ ଯେତେବେଳେ ଦେଖିଲେ କାଗଜ ଖଣ୍ଡେ ପଡ଼ିଛି କବାଟ ପାଖରେ । ତଳୁ ଉଠେଇ ନେଇ କାଗଜ ଖୋଲି ଦେଇଛନ୍ତି ତ ତାଙ୍କ ଆଖି ଭିଜିଗଲା ସାଙ୍ଗେ ସାଙ୍ଗେ ‌। ସେ ସିପୁନ ଅକ୍ଷର ଚିହ୍ନି ପାରିଲେ ।

ସିପୁନ ଲେଖିଥିଲା ତା କୁନି କୁନି ଅସଜଡା ଆଉ ତେଢା ମେଢା ଅକ୍ଷର ରେ ଯାହାକୁ ତା ମାମା ମା ଯଥା ସମ୍ଭବ ସଜାଡି ପଢିବାକୁ ଚେଷ୍ଟା କଲେ

" ମାମା ମା ତମର କଣ ହେଇଛି ତମେ କଣ ପାଇଁ ଏଠି ଏକଲା ରହିଛ , ତମେ କୋଉ ଦିନ ଆମ ପାଖକୁ ଆସିବ ? ତମେ ବହୁତ ମନେ ପଡୁଛ ମାମା ମା । ତମେ ଜଳଦି ଭଲ ହୋଇ ଫେରି ଆସ । ଆମେ ସାଙ୍ଗ ହୋଇ ଖେଳିବା , ମୁଢ଼ି ଖାଇବା, ତମେ ଗରମ ଚା' ପିଇବ ମୋତେ ଚା' ଥଣ୍ଡା କରି ଦବ । ବାବା ମାମା କହୁଛନ୍ତି ତମକୁ କାଳେ କରୋନା ହେଇଛି ? ତମେ ଜଲଦି ଭଲ ହୋଇ ଆମ ପାଖକୁ ଫେରିଆସ ମାମା ମା , ତମ କଥା ମୋର ଭାରି ମନେ ପଡୁଚି । ଯେତେ ପ୍ରକାର ଖେଳନା ରେ ଖେଳିଲେ , ଟିଭି ରେ ଯେତେ କାର୍ଟୁନ୍ ଦେଖିଲେ କୋଉଥିରେ ବି ମୋ ମନ ଲାଗୁନି । ତୁମେ ଜଳଦି ଆସିବ ମୁଁ ତୁମ ଅପେକ୍ଷାରେ ଅଛି । ଆସିଲେ ଖୁବ୍ ମଜା କରିବା ଆଉ ବହୁତ ବହୁତ କଥା ହେବା । 

ଲେଖାଟି ପଢ଼ିସାରି ଜେଜେମା ଭାବିଲେ , ସିପୁନ୍ ଆହୁରି କେତେ କଣ ଲେଖିବାକୁ ଚାହିଁଛି କିନ୍ତୁ ଲେଖି ପାରିନି ।

ତାପରେ ଜେଜେମା ଆଉଗୋଟେ କାଗଜ ଆଣିଲେ ସେଥିରେ ଲେଖିଲେ , " ମୋ ପ୍ରିୟ ସିପୁ , ମୋ ବାଇଆ ...ମୋ ଧନ ... ମୋର ବି ତୋ କଥା ବହୁତ ମନେ ପଡୁଛି ରେ । ହେଲେ କଣ କରିବି ମୁଁ କିଛି ବି କରି ପାରୁନି । ଗୋଟେ କଥା ଜାଣିଛୁ ଧନ , ମୋତେ ରୋଗ ଫୋଗ କିଛି ହେଇନି ଅସଲ କଥା ହେଲା ତୋ ବାବା ମାମା କୁ ମୁଁ ପସନ୍ଦ ନୁହେଁ , ସେଥିପାଇଁ ମୋତେ ଏ ଘରେ ବନ୍ଦ କରି ରଖିଛନ୍ତି । ମୋତେ କୋରନା ହୋଇଛି ବୋଲି ସମସ୍ତ ଙ୍କୁ ମିଛ ରେ କହି ମୋ ଠୁଁ ମୁକ୍ତି ପାଇବାକୁ ଏମିତି କାମ କରିଛନ୍ତି । ତୁ ଆଉ ମୋ ପାଖକୁ ଏମିତି ଲୁଚି ଲୁଚି ଆସିବୁନି ଧନ ନହେଲେ ତୋ ବାବା ମାମା ତୋ ଉପରେ ବହୁତ ରାଗିବେ ।

ଭଲରେ ଥାଆ ଧନ ମୋ ଆୟୁଷ ତୋତେ ଲାଗିଯାଉ ।"

ଏତିକି ଲେଖି ସାରିଲା ବେଳକୁ ଜେଜେ ମାଆ ଙ୍କ ଆଖି ଲୁହ ରେ ଉବୁଟୁବୁ ହୋଇ ସାରିଥିଲା । ଚିଠି କୁ ଚାରି ଭାଙ୍ଗ କରି ଭାଙ୍ଗି ଲେ ତା ପରେ ଭୋ ଭୋ ହୋଇ କାନ୍ଦି ଉଠିଲେ । 

ସିପୁନ୍ ସିନା ଚିଠି ଟି ଆଣି ତା ଜେଜେ ମା କୁ ଦେଈ ଗଲା କିନ୍ତୁ ଜେଜେମା ଚିଠି ସିପୁନ ପାଖରେ ପହଞ୍ଚାଇ ପାରିବେନି କେବେ । କାରଣ ସେ ଏଠି ରହିବା ଦିନ ଠୁଁ ହିଁ ବାହାର କବାଟ ରେ ବଡ ଷ୍ଟିଲ ତାଲା ଟେ ଝୁଲୁଛି । "


Rate this content
Log in

Similar oriya story from Tragedy