କନ୍ୟା ରତ୍ନ
କନ୍ୟା ରତ୍ନ


ମୋ ନାଁ ଶିପ୍ରା। ମୁଁ ଝିଅଟିଏ। ଯେତେବେଳେ ମୁଁ ମୋ ମା ଗର୍ଭରେ ବଢିବାକୁ ଲାଗିଲି, ମୋ ପିତାମାତାଙ୍କ ଅଭିଳାଷ ଥିଲା କନ୍ୟା ନୁହେଁ ପୁତ୍ରଟିଏ ହେଉ। ପୁଅଟିଏ ପାଇଁ କେତେ ଦିଅଁ ଦେବତା ପୂଜା କରାଯାଏ। ହେଲେ ଝିଅ ପାଇଁ କରାଯାଏ ଭ୍ରୁଣହତ୍ୟା। ମୁଁ ଭାଗ୍ୟବାନ ମୋ ପିତାମାତା ମୋତେ ମାରିବାକୁ ଚାହିଁଲେବି ମୁଁ ମରି ନ ଥିଲି। ତେଣୁ ଜନ୍ମପରେ ସେତେ ଖୁସି ହୋଇନଥିଲେ ମୋ ପରିବାର। ମା ମତେ ଦେଖି ଦୁଃଖରେ କାନ୍ଦୁଥିଲେ ଏବଂ ବାପା ମନ ଦୁଃଖରେ ବସିଥିଲେ। ଯେତେବେଳେ ପୁତ୍ର ଜନ୍ମ ହୁଏ ଖୁସିରେ ଆତ୍ମହରା ହୁଏ ସାରା ପରିବାର। ହେଲେ ମୋ ପାଇଁ ମୋ ମା କୁ ଦିଆଯାଇ ଥିଲା ନିନ୍ଦା ଅପବାଦ। ଯେତେବେଳେ ପୁଅଟିଏ ଶଶୀକଳା ପରି ବଢେ ସମସ୍ତଙ୍କ ମନରେ ଥାଏ କେତେ ଆଶା ଆଉ ଆକାଂକ୍ଷା, ପୁଅ ବଡ଼ ହେଲେ ଡାକ୍ତର, ନ ହେଲେ ଇଞ୍ଜିନିୟର ହେବ ହେଲେ ମୋ ପାଇଁ ଥିଲା ସେଇ ଦୁଇ ପଦ କଥା "ଝିଅ ଜନମ ତ ପର ଘରକୁ"।
ଯେତେବେଳେ ପୁଅ କୈଶୋରରେ ପରିଣତ ହୁଏ ତାକୁ ମିଳେ ସବୁ ପ୍ରକାର ସ୍ୱାଧୀନତା ହେଲେ ମତେ ମିଲିଥିଲା ଶିକ୍ଷା ଆଉ ସଂସ୍କାର। ଧୀରେ ଚାଲିବୁ, ଧୀରେ କହିବୁ, ଧୀରେ ହସିବୁ... ଆହୁରି କେତେ କଣ। ତାପରେ ମୋର ଆସିଲା ଯୌବନ। ପୁଅଟିଏ ସବୁ କରିପାରିବ। ପିତା ପୁତ୍ରକୁ ମିତ୍ର ଭାବରେ ବ୍ୟବହାର କରିବ କିନ୍ତୁ ମୁଁ ଭୋଗକଲି ସମାଜର କୁତ୍ସିତ ନଜର। ସୁଜଗ ମିଳିଲେ ଚେଷ୍ଟା କରିଥିଲେ ମତେ କରିଦେବାକୁ ଅସହାୟ ଆଉ ପଙ୍ଗୁ। ପୁରୁଷ ସମାଜ ଭାବୁଥିଲା ମୁଁ କେବଳ ଉପଭୋଗର ବସ୍ତୁ। ଅନେକ ଆତ୍ମୀୟ ମଣିଷ ମାନେ ବି ଚେଷ୍ଟା କରିଥିଲେ କରିବାକୁ ଶୋଷଣ।
ଏବେ ମୁଁ ବିବାହ ଯୋଗ୍ୟା। ଗରିବ ବାପ ମାଙ୍କ ଉପରେ ମୁଁ ବୋଝ ଉପରେ ନଳିତା ବିଡା। ପୁଅର ବିବାହ ସମୟରେ କେବଳ ଦୁଇଟି କଥା ଦେଖାହେବ। ଭଲ ଘର, ନହେଲେ ଭଲ ବର। କିନ୍ତୁ ମୋର..., ମୁଁ ସୁନ୍ଦର, ଶିକ୍ଷିତା, ସୁଶୀଳା, ସୁନ୍ଦର ରୂପରଙ୍ଗ ସାଙ୍ଗକୁ ତନୁପାତେଳି ହୋଇଥିବି। ମୋର ପୁଅ ସାଙ୍ଗ ନ ଥିବେ। ମୁଁ ବନ୍ଧୁ ବାନ୍ଧବଙ୍କ ଘରକୁ ଯାଉ ନ ଥିବି। ମୋ କପାଳ ଉଚ୍ଚା ହେଇ ନ ଥିବ। ହଂସଚାଲି, ସିଂହ କଟୀ, ମୃଗନୟନ, କୋକିଳ କଣ୍ଠ, ଇତ୍ୟାଦି ଇତ୍ୟାଦି ସବୁ ଖୋଜା ଲୋଡ଼ା ହେଲା।
ବାହାଘର ଦିନ....ବାହାଘରରେ ବରପକ୍ଷ ସବୁ କରିପାରିବେ। ମଦ ଖାଇ ନାଚି ପାରିବେ, ରସଗୋଲାରୁ ସିରା ଚିପୁଡି ଚାଳିଶି ପଚାଶ ଖାଇ ପାରିବେ। ଅଧେ ଖାଇ ଅଧେ ଫୋପାଡିବେ। ମୋ ପରିବାରକୁ ଅସମ୍ମାନ ଅପମାନିତ କରିପାରିବେ। ମନ ଇଚ୍ଛା ଯୌତୁକ ମାଗିପାରିବେ ହେଲେ ମୋ ପରିବାର ସବୁ ସହିବେ ନିରବ ରହିବେ। ମଦୁଆ ବର ଯାତ୍ରୀଙ୍କୁ ସସମ୍ମାନେ ଫେରାଇବେ। ଏସବୁ ବି ହେଲା।
ବାହାଘର ପରେ ଗୋଟିଏ ସମ୍ପୂର୍ଣ୍ଣ ନୁଆ ପରିବେଶରେ ମୁଁ। କାହାକୁ ଜାଣି ନ ଥାଏ। କାହାକୁ ଚିହ୍ନି ନ ଥାଏ। ହେଲେ ସମସ୍ତଙ୍କୁ ନିଜର କଲି। ସମସ୍ତଙ୍କ ମନ ନେଇ ଚଳିଲି। ହେଲେ ଟିକେ ଟିକେ ଭୁଲରେ ତୋ ବାପ ଏମିତି, ତୋ ଭାଇ ସେମିତି, ଭିକାରୀ ଘର ଛୁଆ ଏମିତି କେତେ କଣ ଶାଶୁ, ଶଶୁର, ଜା, ନଣଦ କହିଲେ କିନ୍ତୁ ମୁଁ ଟିକେ ବଡ ପାଟିରେ କଥା କହି ପାରିଲିନି। କାରଣ ମୁଁ ପରା ପର ଝିଅ।
ଦିନ ଗଡି ଚାଲିଲା। ମୁଁ ବି ମା ହେବାକୁ ବସିଲି। ତାପରେ ପୁଅଟିଏ ଜନ୍ମ କରିବାକୁ ମୁଁ ବାଧ୍ୟ। ନ ହେଲେ ବାର କଥା ଶୁଣିବି। ଲୋକେ କହିବେ ଆଣ୍ଠୁକୁରୀ। ଏହା ସର୍ଵ ବିଦିତ ଯେ ପୁଅ କିମ୍ବା ଝିଅ ପାଇଁ ପୁରୁଷର x କିମ୍ବା y କ୍ରୋମଜମ ଦାୟୀ। ତଥାପି ଝିଅ ହେଲେ ସବୁ ଦୋଷ ମୋର। ତାପରେ ଘରର ପାଞ୍ଚ ଦଶ ଜଣ ମତେ ସାହାଯ୍ୟ କରିବା ପରିବର୍ତ୍ତେ ମୋ ଠୁ ଆଶା କଲେ ପିଲାଟିଏ ହାତରେ ଧରି ରୋଷେଇବାସ ଠୁଁ ଘରର ଜାବତୀୟ କାମ ସମୟ ଅନୁସାରେ ମୁଁ କରେ। ନ ହେଲେ ଶୁଣିବାକୁ ମିଳିଲା, ଆମ ଅମଳରେ କୂଅରୁ ପାଣି କାଢି, ଧାନ କୁଟି ଗୁହାଳ ଗୋବର କରୁଥିଲୁ। ସାଙ୍ଗରେ ଚାରି ଚାରିଟା ଛୁଆ। ଆଜିକାଲି କି ଯୁଗ ହେଲା ଲୋ ମା ?
ସମସ୍ତେ କୁହନ୍ତି ପୁଅ ଝିଅ ସମାନ। ଏ ସମାଜ କଣ ପୁଅ ଝିଅଙ୍କୁ ସମାନ ଦୃଷ୍ଟିରେ ଦେଖେ? କନ୍ୟା ରତ୍ନ କେବଳ ବହିରେ, ସ୍କୁଲ କାନ୍ଥରେ, ଅଙ୍ଗନବାଡି ଗୃହରେ ସୀମିତ। ହେଲେ କେତେ ଜଣ କନ୍ୟାକୁ ରତ୍ନ ଭାବୁଛନ୍ତି। ହଁ ଭାବୁଛନ୍ତି ହେଲେ ସେମାନଙ୍କ ସଂଖ୍ୟ ନଗଣ୍ୟ। ଆଜିର ଦୁନିଆରେ ଅନେକ କନ୍ୟା ସଫଳତାର ଶିଖରରେ ପହଁଚିଲେଣି, ହେଲେ ଖୁବ କମ୍। ଏବେ ସମୟ ବଦଳିଛି, ମାନସିକତା ବଦଳିଛି। ତଥାପି ଅନେକ ଝିଅ ମୋ ଭଳି ଲୁହ ଝରାଉଛନ୍ତି ନୀରବରେ।
ଅତୀତରେ ଆର୍ଯ୍ୟଭୂମି, ଦେବଭୂମି, ଭାରତବର୍ଷରେ ମୁଁ ଥିଲି ଶକ୍ତିର ପ୍ରତୀକ। ମୋର ସ୍ଥାନ ଥିଲା ଅଦ୍ୱିତୀୟ, ଅତୁଳନୀୟ ଏବଂ ମହତ୍ୱପୂର୍ଣ୍ଣ। ହେଲେ ଆଜି? ମୁଁ ଅବଳା ଦୁର୍ବଳା ନ ଥିଲି । ହେଲେ ଏବେ? ପଣ୍ଡିତ ମାନେ କହିଛନ୍ତି "ନାଯ୍ୟସୁ ଯତ୍ର ପୂଜ୍ୟନ୍ତେ ତତ୍ର ରମ୍ୟନ୍ତେ ଦେବତା। ହେଲେ ଆଜିର ଧର୍ମର ପ୍ରଚାର ପ୍ରସାର କରୁଥିବା ଭଣ୍ଡ ବାବା ମାନେ କରୁଛନ୍ତି ଶାରୀରିକ ଶୋଷଣ। ନାରୀ ହେଉଛି ଜନନୀ ରୂପରେ ସ୍ନେହମୟୀ, ମମତାମୟୀ ଏବଂ କରୁଣାମୟୀ। ହେଲେ ଆଜିର ସମାଜରେ କେତେଜଣ ସମସ୍ତ ନାରୀ ଜାତିକୁ ମା ରୂପରେ ଦେଖୁଛନ୍ତି। ତଥାପି ସେ ଲଢ଼ିବ, ରହିଛି ରହିବ। କାରଣ ସେ ପରା "କନ୍ୟା ରତ୍ନ"।