Sanjeeb Kumar Nag

Tragedy

4.8  

Sanjeeb Kumar Nag

Tragedy

କଳଙ୍କିନୀ

କଳଙ୍କିନୀ

7 mins
294



ଲୋକେ କହନ୍ତି ଭାଗ୍ୟରେ ଥିଲେ ଓ ଭଗବାନଙ୍କ କୃପା ଥିଲେ ସୁନ୍ଦରୀ ସ୍ତ୍ରୀ ମିଳେ। ଏମିତି କିଛି ଘଟିଥିଲା ବେଣୁଧରର ଜୀବନରେ। ନବବିବାହିତ ବେଣୁଧର ସୁନ୍ଦରୀ ସ୍ତ୍ରୀର ପରଶ ପାଇ ବେଶ ଖୁସି ଥାଏ। ଗୌରବର୍ଣ୍ଣ ଶରୀର, ନୀଳ ନୀଳ ନୟନ ଯୁଗଳ ସହିତ ସୁସଙ୍ଗଠିତ ଅଙ୍ଗସୌଷ୍ଠବ ମାଣିକକୁ ଆହୁରି ଆକର୍ଷଣୀୟ କରି ତୋଳିଧରିଥାଏ। ବସ କଣ୍ଡକ୍ଟର ବେଣୁ କିନ୍ତୁ ଭାରି ନିରୀହ। ଦିନ ସାରା ଖଟି ଖଟି ରାତିରେ ଘରେ ଟିକିଏ ବିଶ୍ରାମ ନିଏ।

ଦିନଥିଲା ଗାଡି ଷ୍ଟାଫଙ୍କ ସହିତ କଟୁଥିଲା ତାର ଦିନ ଓ ରାତି। ଏବେ କିନ୍ତୁ ନବବିବାହିତା ସ୍ତ୍ରୀକୁ ନେଇ ଆସିଛି ସେ ମଫସଲ ଗାଁରୁ, ବ୍ରହ୍ମପୁରକୁ। ଦୁଇ ପ୍ରକୋଷ୍ଠ ବିଶିଷ୍ଟ ସେଇ ଭଡାଘରେ ବେଣୁ ଆରମ୍ଭ କରିଛି ତାର ବୈବାହିକ ଜୀବନ। ପାଦଠୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ କୋଉଠି ସେ ଅଭାବ କରିନି ମାଣିକର। ମାଣିକ ପ୍ରେମରେ ସେ ପୂରା ପାଗଳ। ଏହାର ସୁଯୋଗ ନେଇ ମାଣିକ ଦିନକୁ ଦିନ ତାର ବରାଦ ବଢେଇବାର ଲାଗିଲା। ଆଜି କାନଫୁଲ ତ କାଲି ନାକଫୁଲ। ଆଜି ଚେନ ତ କାଲି ପାଦର ପାଉଁଜି। ବିଚରା ବେଣୁ ଆଉ କଣ ବା କରିଥାନ୍ତା! ଅନ୍ୟ କଣ୍ଡକ୍ଟର ମାନଙ୍କ ପରି ସେ ସେତେ ସିଆଣିଆ ନୁହେଁ। ମାଲିକଙ୍କ ଠାରୁ ପାଉଥିବା ମାସିକ ଦରମା ହିଁ ଥିଲା ତାର ରୋଜଗାରର ଏକମାତ୍ର ମାଧ୍ୟମ। ଯଦିବା କିଛି ଅତିରିକ୍ତ ମିଳେ, ସେଇଟା ଅନ୍ୟ କଣ୍ଡକ୍ଟର ମାନଙ୍କ ତୁଳନାରେ କିଞ୍ଚିତ ମାତ୍ର। ମାଣିକର ସବୁ ବରାଦ ପୂରଣ କରିବାକୁ ଯାଇ ଦି ଦିଟା ବସ ରେ କାମ କଲା ସେ। ଆଗପରି ପନ୍ଦର ଦିନ ବସରେ ଯାଇ ପନ୍ଦର ଦିନ ଘରେ ରହିଲାନି। ମାସରେ ତିରିଶି ଦିନଯାକ ଡ୍ୟୁଟି କଲା। ଦ୍ଵିତୀୟ ବସର ରାତ୍ର ରହଣୀ ଅନ୍ୟ ସହରରେ ଥିବାରୁ ଏଥର ମାସକୁ ପନ୍ଦର ଦିନ ବାହାରେ ରହିବାକୁ ପଡୁଥିଲା ତାକୁ।

    ବେଣୁ ଭଡାନେଇ ରହୁଥିବା ଘର ପାଖକୁ ଥିଲା, ହୋଟେଲ ଲକ୍ଷ୍ମୀପ୍ରିୟା। ହୋଟେଲ ମାଲିକଙ୍କ ପୁଅ ରବିଶଙ୍କର ଏକ ନମ୍ବର ଫୁଟପାଥ ମାର୍କା ଟୋକା। ଦିନଟେ ମଧ୍ଯ ହୋଟେଲକୁ ଆସୁନଥିଲା ସେ। କିନ୍ତୁ ଯୋଉଦିନଠୁ ମାଣିକକୁ ଦେଖିଲା, ସକାଳୁ ସକାଳୁ ଫ୍ରେସ ହୋଇ ପହଞ୍ଚି ଯାଉଥିଲା ହୋଟେଲକୁ। ତାର ବାପା ମଧ୍ୟ ବହୁତ ଖୁସ ଥିଲେ। ଯାହାହେଉ ଏତେଦିନ ପରେ ପୁଅ ମୁଣ୍ଡରେ ବୁଦ୍ଧି ଜୁଟିଲା। କାମ ଧନ୍ଦାରେ ମନ ଦେଇଛି। ଏଣିକି ବୁଢ଼ା ବୟସରେ ଟିକିଏ ବିଶ୍ରାମ ତ ମିଳିବ।

ରବି ପ୍ରଥମ ଦେଖାରେ ହିଁ ପାଗଳ ମାଣିକ ପାଇଁ। ଦୁଇ ତିନି ଦିନ ଦେଖା ଦେଖି, ତାପରେ ଚିହ୍ନା ପରିଚୟ। ବେଣୁ ତ ଦିନ ଦିନ ଧରି ବାହାରେ ରହୁଥିଲା। କୋଉ କୋଉ ଦିନ ଘରକୁ ନିରାଶ ହୋଇ ଫେରି ନ ଖାଇ ମଧ୍ୟ ଶୋଇପଡୁଥିଲା। ମାଣିକ ଏପଟେ ଯୌନ କ୍ଷୁଧାରେ କ୍ଷୁଧାର୍ତ୍ତ। ଗୋଟିଏ ସବଳ ପୁରୁଷର ପ୍ରଶସ୍ତ ବକ୍ଷ ଦେଶରେ ମଜଭୁତ ବାହୁ ବେଷ୍ଟନୀରେ ନିଜକୁ ଲୀନ କରିଦେବାର ଇଛା। ବେଣୁ ଦ୍ୱାରା ଏସବୁ ସମ୍ଭବ ନଥିଲା। ସେ ଅଧିକରୁ ଅଧିକ ପରିଶ୍ରମ କରି ଥକିପଡୁଥିଲା। ଘରକୁ ଫେରିଲା ପରେ ମାଣିକର ରୂପରେ ହିଁ ତାର ପେଟ ପୁରି ଯାଉଥିଲା ବୋଧେ। ସେଥିଲାଗି ତ ନଖାଇ ମଧ୍ୟ ଶୋଇପଡୁଥିଲା ସେ। 

ଏଣେ ରବି ଭୋକିଲା କୁକୁର ପରିକା ଜିଭ ଲମ୍ବେଇ ସୁଯୋଗର ଅପେକ୍ଷରେ ଥାଏ ମାଣିକର ଯୌବନରେ ଭରପୂର ନଗ୍ନ ଶରୀରର ସ୍ୱାଦ ଚାଖିବାକୁ। ସାହସ ବାନ୍ଧି ଦିନେ ହୋଟେଲ ବନ୍ଦ କରିବା ଆଗରୁ ରବି ଯାଇ ପହଞ୍ଚିଗଲା ମାଣିକ ଘର ଗେଟ ପାଖରେ। ଠକ ଠକ ଠକ ଠକ ଦୁଇ ଚାରି ଥର କବାଟ ବାଡେଇଲା ପରେ ମାଣିକ କବାଟ ଖୋଲି ଦେଖେ ତ ରବି। କଣ କହିବ, କଣ କହିବ ହେଇ ରବି ପଚାରି ପକେଇଲା, "ବେଣୁ ଭାଇ ନାହାନ୍ତି କି?" ମାଣିକ ଉତ୍ତର ଦେଲା "ନାଁ"। ରବି ପୁଣି ପଚାରିଲା, "ଏକା ଅଛ, ଭୟ ଲାଗୁନି?" ମାଣିକ କହିଲା, "ଘର ପାଖେ ପରା ତମ ହୋଟେଲ ଅଛି, ଦରକାର ବେଳେ ଦୌଡ଼ିଆସିବନି?"

ମାଣିକର ନୀଳ ନୀଳ ନୟନର ଗ୍ରୀନ ସିଗନାଲ ସାଙ୍ଗକୁ ନାଲି ନାଲି ଓଠର ଦୁଷ୍ଟାମୀ ଭରା ମୁରୁକି ହସରୁ ଅରେଞ୍ଜ ସିଗନାଲ ପାଇ ଖୁସିରେ ରବି ପାଟିରୁ ହଠାତ ବାହାରି ପଡ଼ିଲା, "ସେଥିପାଇଁ ତ ଆସିଛି"। ମାଣିକ ପଚାରିଲା, "କୋଉଥି ପାଇଁ?" ନାଇଁ କିଛି ନାଇଁ କହି ପଳେଇ ଆସିଲା ରବି। ଧିରେ ଧିରେ ରବି ଓ ମାଣିକର ସମ୍ପର୍କ ପ୍ରେମର ରୂପ ନେଲା। ଦିନେ ରବି ମାଣିକ ଘରକୁ ଆସିଛି କି ନାହିଁ, ପ୍ରକୃତି ସଙ୍ଗେ ସଙ୍ଗେ ତାର ଭୟଙ୍କର ରୂପ ଧାରଣ କରି ଗର୍ଜନ କରିବାରେ ଲାଗିଲା। ବିଜୁଳି, ଘଡଘଡି, ତା ସାଙ୍ଗକୁ ଝୋ ଝୋ ବର୍ଷା। ସମୟ ରାତି ପ୍ରାୟ ନଅଟା। ରବି ଘରକୁ ଫେରି ପାରିଲାନି, ରାତିକ ପାଇଁ ମାଣିକ ଘରେ ରହିଗଲା। ମାଣିକର ଯୌବନରେ ଭରପୁର ଶରୀରର ଉନ୍ମାଦ, କଞ୍ଚା ରକ୍ତ ମାଂସ ଶରୀରର ସ୍ୱାଦ ଚାଖିବାକୁ ବ୍ୟାକୁଳ ଥିବା ରବିଶଙ୍କର ରୂପି କୁକୁର, ତା ସାଙ୍ଗକୁ ପ୍ରକୃତି ଆଣିଦେଇଥିବା ସେଇ ବର୍ଷାକାଳୀନ ରାତ୍ରିର ସୁବର୍ଣ୍ଣ ସୁଯୋଗ। ପ୍ରେମୀ ଯୁଗଳ ସୁଯୋଗର ଫାଇଦା ଉଠାଇ ନିଜ ନିଜ ତୃଷ୍ଣା ନିବାରଣ କଲେ। ଏଣିକି ଆଉ ବାଡ଼ି ବତା ନଥିଲା। ସୁଯୋଗ ଦେଖି ରବି ବେଣୁର ଅନୁପସ୍ଥିତିରେ ପଳେଇ ଆସୁଥିଲା ମାଣିକ ଘରକୁ। ମାଣିକ ବି ଖୁସ ଥିଲା। ଦୁଇ ଦୁଇଟା ପୁରୁଷ। ତାର କୌଣସି ପ୍ରକାର ଅଭାବ ନଥିଲା।

ଦିନ ଗଲା, ମାସ ଗଲା। ସମୟ ଗଡିଚାଲିଥାଏ। ରବି ଆଉ ମାଣିକର ଯୋଡି ମଧ୍ୟ ଜମିଆସୁଥାଏ। ବେଣୁଧର ମାଣିକର ସ୍ୱଭାବରେ କିଛିଟା ପରିବର୍ତ୍ତନ ଲକ୍ଷ୍ୟ କଲା। ଚାରି ପାଞ୍ଚ ଦିନ ବସରେ ନଯାଇ ଛୁଟିରେ ରହିଲା ସେ। ରବି ବେଣୁକୁ ଭାଇନା ଭାଇନା କହି ତାଙ୍କ ଘରକୁ ଯା ଆସ କରୁଥିଲା। ବେଣୁର ସାମ୍ନାରେ ମଧ୍ୟ ରବି ଓ ମାଣିକ ଥଟ୍ଟା ପରିହାସ କରୁଥିଲେ। ମାଣିକକୁ ବେଣୁ ତାଗିଦ କଲା, ହେଲେ ମାଣିକ କଣ ଛାଡିବା ଲୋକ! ଓଲଟା ବେଣୁକୁ ଇଆଡ଼ୁ ସିଆଡୁ କହି ଗାଳିଦେଲା। ବେଣୁ ଧୀରେ ଧୀରେ ରବି ଓ ମାଣିକର ରହସ୍ୟ ଜାଣିପାରିଲା। ହେଲେ କଣ ବା କରିଥାନ୍ତା ସେ? ଭାବିଲା, ମାଣିକକୁ ଦୁଇ ଚାରିଟା ଉତ୍ତମ ମଧ୍ୟମ ଦିଅନ୍ତା କି? କିନ୍ତୁ ଏତକ ବି ସେ କରିପାରିଲାନି। ଏଣିକି ବେଣୁ ଟିକିଏ ଟିକିଏ ପିଇବା ଆରମ୍ଭ କରିଦେଲା। ଧୀରେ ଧୀରେ ପିଇବା ତାର ଅଭ୍ୟାସରେ ପରିଣତ ହେଇଗଲା। ତଥାପି ମାଣିକ ସୁଧୁରିଲାନି। ଅତ୍ୟଧିକ ମଦ୍ୟପାନ ଯୋଗୁଁ କାର୍ଯ୍ୟରେ ମଧ୍ୟ ଅବହେଳା କରୁଥିଲା ସେ। ବସ ମାଲିକ ଶେଷରେ କାମରୁ ବାହାର କରିଦେଲେ ତାକୁ।


ବେଣୁ ମାଣିକକୁ ଧରି ପଳେଇ ଆସିଲା ଟିଟିଲାଗଡ଼। ମାଣିକର ଝିଅଟିଏ ବି ହେଇସାରିଥାଏ। କିଛିଦିନ ଏଠି ସେଠି କାମ ଧନ୍ଦା କଲାପରେ ଶେଷରେ ଏନ.ଏ.ସି ଅଫିସ ରେ ବେଣୁଧର ପିଅନ ଚାକିରୀ ଖଣ୍ଡିଏ ପାଇଲା। ସ୍ୱାମୀ, ସ୍ତ୍ରୀ ଓ ଛୋଟ ଝିଅ ବୀଣା ସହିତ ତିନି ପେଟକୁ ସୁରୁଖୁରୁରେ ଚଳେଇ ନେଉଥିଲା ବେଣୁଧର। ରବି କିନ୍ତୁ ମାଣିକ ମାୟାରେ ବାୟା। ପାନପତ୍ର ସପ୍ଲାଇ କରିବା ବାହାନାରେ ଆସି ସେ ମଧ୍ୟ ପହଞ୍ଚି ଗଲା ଟିଟିଲାଗଡ଼। ଘରଟିଏ ଭଡାରେ ନେଇ ରହିଗଲା ସେ ଟିଟିଲାଗଡ଼ ରେ। ବରହମପୁରରୁ ପାନପତ୍ର ଆଣି ବଲାଙ୍ଗୀର, ଟିଟିଲାଗଡ଼ ଅଞ୍ଚଳରେ ଆରମ୍ଭକଲା ତାର ବ୍ୟବସାୟ। ସୁବିଧା ସୁଯୋଗ ଦେଖି ମାଣିକ ପାଖକୁ ମଧ୍ଯ ଯା ଆସ କରୁଥିଲା। ବେଣୁଧର କିନ୍ତୁ ଏଥର ଚୁପ ରହିଲାନି। ଦୁଇତିନି ବୋତଲ ଲଗେଇ ଘରକୁ ଆସି ଲଗେଇଦେଲା ମାଣିକକୁ ଚାରି ପାଞ୍ଚଟା ଉତ୍ତମ ମଧ୍ୟମ। ଏଣିକି ବେଣୁଧର ଆଉ ମାଣିକ ମଧ୍ୟରେ କଳି ଝଗଡା ସାଧାରଣ କଥା ହେଇଗଲା। କଥାରେ କଥାରେ ପାଟିତୁଣ୍ଡ, ଗୋଳମାଳ। ଦୁର୍ଭାଗ୍ୟ ବଶତଃ ପାରାଲିସିସ ରେ ପାଟି ପଡିଗଲା ବେଣୁଧରର। ଦୁର୍ବଳ ହେଇଗଲା ସେ। କାମ କରିପାରିଲାନି କି କଥା ମଧ୍ୟ ହେଇପାରିଲାନି। ମାଣିକ ମଧ୍ୟ ତାର ଯତ୍ନ ନେଉନଥିଲା। ଏଣିକି ଆଉ ଗୋଟେ ଝିଅ ହେବାରୁ ଘରର ଖର୍ଚ୍ଚ ମଧ୍ୟ ବଢ଼ିବାରେ ଲାଗିଲା। ମାଣିକ ଠାରୁ ସବୁ କଥା ଶୁଣି ରବି ତାକୁ କିରାନା ଦୋକାନଟିଏ ଖୋଲିବାକୁ ପରାମର୍ଶ ଦେଲା। ଦୁହେଁ ପାର୍ଟନରସିପ ରେ ଦୋକାନଟିଏ ଖୋଳିଲେ। ରବି ପାନପତ୍ର ବ୍ୟବସାୟ ସହିତ ଦୋକାନରେ ମଧ୍ଯ ବସୁଥିଲା। ବର୍ଷେ ଖଣ୍ଡେ ବିତିଗଲା ପରେ ରବି ଆଉ ଅଲଗା ନରହି ମାଣିକ ଘରେ ରହିବା ଆରମ୍ଭ କରିଦେଲା। ବେଣୁ ତ ନାମକୁମାତ୍ର ସ୍ୱାମୀ, ସେ ତ ମାଣିକ ଉପରେ ବୋଝ ସ୍ବରୂପ। ତା ସାମନାରେ ମଧ୍ୟ ମାଣିକ ଓ ରବି ସ୍ୱାମୀ ସ୍ତ୍ରୀ ଭଳି ରହୁଥିଲେ। ବିଚରା ବେଣୁ ଗଣ୍ଡାଏ ଖାଇ ଦାଣ୍ଡରେ ପଡିରହୁଥିଲା। ପାଟି ଫିଟୁନଥିଲେ ବି ମନେ ମନେ କହୁଥିଲା, "ମୋ ପ୍ରତି ଏ ନିଷ୍ଠୁରତା କାହିଁକି ଲୋ ମଣି, କି ଦୋଷ କରିଥିଲି ମୁଁ? ମୁଁ ତ କେବଳ ତମକୁ ପ୍ରେମ କରୁଥିଲି, ପାଗଳଙ୍କ ପରି ତମ ପ୍ରେମରେ ଉଟୁବୁଟୁ ହେଉଥିଲି, ତମର ସବୁ ଅଭାବ ପୂରଣ କରୁଥିଲି। ତମକୁ ପ୍ରେମ କରିବା କଣ ମୋର ଦୋଷ? ମୋ ପ୍ରତି ଏତେ ଅବିଚାର କରନି। ଏବେ ବି ମୁଁ ବଞ୍ଚିଛି। ଲହୁ ସଞ୍ଚାଳନ ହେଉଛି ମୋ ଧମନୀ, ଶିରା ଓ ରକ୍ତ କୈଶିକରେ। ଉଷ୍ଣ ବାୟୁସ୍ରୋତ ଏବେ ବି ନାସାରନ୍ଧ୍ର ଦେଇ ପ୍ରବାହିତ ହେଉଛି ଫୁସଫୁସକୁ। ଏବେ ବି ଜୀବନ ଟିକକ ଅଟକି ରହିଛି ଏଇ ଦୁର୍ବଳ ଶରୀର ଭିତରେ"। ଶେଷରେ ସ୍ତ୍ରୀ ଓ ରବିର ନିର୍ଯ୍ୟାତନା ସହିନପାରି ପଳେଇଲା ସେ ନିଜ ଗାଁକୁ।

ଏପଟେ ମାଣିକ ଆଉ ରବିଶଙ୍କର ଖୁସିରେ ରହୁଥାନ୍ତି। ପୁଅଟିଏ ବି ହେଇଥାଏ। ବେଣୁ ମଝିରେ ମଝିରେ ଆସୁଥିଲା ଟିଟିଲାଗଡ଼ କୁ ନିଜ ଛୁଆ ମାନଙ୍କୁ ଦେଖିବା ପାଇଁ। ହେଲେ ଛୁଆମାନେ ବି ବେଣୁକୁ ଘୃଣା କରୁଥିଲେ। କେଜାଣି କୋଉ ବିଷ ଭରିଦେଇଥିଲା ମାଣିକ ତା ଛୁଆ ମାନଙ୍କ ମୁଣ୍ଡରେ ଯେ, ସେମାନେ ମଧ୍ୟ ବାପା ବୋଲି ଡାକୁନଥିଲେ ତାକୁ। କିନ୍ତୁ କଥାରେ ଅଛି, ଫୁଟିଲା ଫୁଲ ତ ବାସିବ ନିଶ୍ଚୟ। ମାଣିକ ଓ ରବିର ବିଷୟ ସମସ୍ତେ ଜାଣିପାରିଲେ।


ଦେଖୁ ଦେଖୁ ମାଣିକର ଝିଅ ଦୁଇଟି ମଧ୍ଯ ବଡ ହେଇଗଲେ। ବୀଣା ପାଇଁ ବିବାହ ପ୍ରସ୍ତାବ ଆସିଲା ରାଉରକେଲାରୁ। କାଳେ ବନ୍ଧୁଘର ଲୋକେ ଜାଣିଲେ ପ୍ରସ୍ତାବ ଭାଙ୍ଗିଯିବ, ସେହି ଭୟରେ ଲୋକ ଦେଖେଇବା ପାଇଁ ମାଣିକ ବେଣୁକୁ ଗାଁରୁ ଡକେଇଲା। ବେଣୁ ଆଉ କଣ କରିଥାନ୍ତା। ନିଜ ଝିଅର ଭବିଷ୍ୟତକୁ ଆଖିରେ ରଖି ସବୁ ଚୁପଚାପ ସହିଗଲା ସେ। ଲେଖାପଢ଼ା ଜାଣିଥିଲା। କାଗଜରେ ଲେଖି ସମସ୍ତଙ୍କୁ ଜଣେଇ ପାରିଥାନ୍ତା ମାଣିକ ଓ ରବିର ରହସ୍ୟ। ହେଲେ ସେ ଏପରି କିଛି କଲାନାହିଁ। ଝିଅର ବାହାଘର ସରିଗଲା। ଦୁଇବର୍ଷ ପରେ ସାନଝିଅ ମୀନା ର ମଧ୍ୟ ବାହାଘର ହେଇଗଲା। ବାକି ରହିଲା ପୁଅ ରମୁ। ପୁଅକୁ ବୁଝେଇବାକୁ ବେଣୁ ବହୁତ ଚେଷ୍ଟା କରୁଥିଲା ଯେ, ସେ ଖରାପ ନୁହଁ, ମଦୁଆ ନୁହଁ, ପରିସ୍ଥିତି ତାକୁ ବାଧ୍ୟ କରିଛି ସେମିତି ହେବାକୁ। ହେଲେ ରମୁ ମଧ୍ୟ ତା କଥା ବୁଝୁନଥିଲା। ମା କଥା ଅକ୍ଷରେ ଅକ୍ଷରେ ପାଳନ କରୁଥିଲା ସେ। ମା କହିବା ଅନୁଯାୟୀ ରମୁ ମଧ୍ୟ ତା ବାପାକୁ ମଦୁଆ ଗଂଜୁଆ ଇତ୍ୟାଦି କହୁଥିଲା। ବୁଢା ବୟସରେ ପୁଅର ସାହାରା ଟିକକ ପାଇବା ଆଶା ବି ମଉଳିଗଲା ବେଣୁର। ନିଜ ଜୀବନକୁ ଧିକକାର କରି ଚିନ୍ତାରେ ଚିନ୍ତାରେ ମଦ ପିଇ ପିଇ ଶେଷରେ ଚିରଦିନ ଲାଗି ଆଖି ବୁଜିଦେଲା ବେଣୁଧର। ବେଣୁର ମୃତ୍ୟୁ ଖବର ପାଇ ମଧ୍ୟ ସାଧବା ବେଶରେ ରହୁଥିଲା ମାଣିକ। ନାଲି ଶାଢ଼ୀ, ମଥାରେ ସିନ୍ଦୁର, ହାତରେ ଶଙ୍ଖା ଆଉ ବେଣୀରେ ପେନ୍ଥାଏ ଫୁଲ। ଲୋକେ ତା ବଡଝିଅ ଆଉ ତାକୁ ଦୁଇ ଭଉଣୀ କହୁଥିଲେ। ରବି ଓ ମାଣିକ ପାଇଁ ଥିବା ରାସ୍ତାର କଣ୍ଟା ସବୁଦିନ ପାଇଁ ହଟିଗଲା।

କିନ୍ତୁ ସମୟର ତ ବିଚିତ୍ର ଖେଳ। କଥାଟା ଏଇଠି ସରିଲାନି। ଲୋକେ ବେଣୁର ମଲା ଖବର ପାଇଲା ପରେ ଅନେକ ଟାହି ଟାପରା କଲେ। ତଥାପି ମାଣିକ ଲୋକଙ୍କ କଥାକୁ ଖାତିର କରୁନଥିଲା। ଗୋଟାଏ ସ୍ଵାମୀ ମଲେ କଣ ହେଲା ଆଉ ଗୋଟାଏ ତ ଅଛି। ବେଣୁର ମୃତ୍ୟୁ ଖବର ମାଣିକ ତା ଝିଅମାନଙ୍କୁ ମଧ୍ୟ ଜଣେଇ ନଥିଲା। କୌଣସି ସୂତ୍ରରୁ ଖବର ପାଇ ବୀଣା ଓ ମୀନା ପହଞ୍ଚି ଗଲେ ଟିଟିଲାଗଡ଼। କିନ୍ତୁ ଏ କି ଦୃଶ୍ୟ! ମାଣିକ ମଥାରେ ସିନ୍ଦୂର, ହାତରେ ଶଙ୍ଖା! ବାପାଙ୍କ ମଲା ଖବର ମାଣିକ କାହିଁକି ଲୁଚେଇବାକୁ ଚାହୁଁଥିଲା? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ବୀଣା ଓ ମୀନାର ମନ ଭିତରେ।

ସେମାନଙ୍କ କୌଣସି ପ୍ରଶ୍ନର ଉତ୍ତର ନଥିଲା ମାଣିକ ପାଖରେ। ସେ କେବଳ ରବିଶଙ୍କର ଆଡ଼କୁ ଚାହିଁରହିଥିଲା। ରବି ଲାଜରେ ମୁହଁ ତଳକୁ କରି ବସିରହିଥିଲା। ବୀଣା ଓ ମୀନା ସବୁ ଠିକ ଠିକ ବୁଝିସାରିଥିଲେ। ସେମାନେ ଜାଣିପାରିଲେ, ଯେ ଲୋକଙ୍କ କହିବା କଥା ଭୁଲ ନଥିଲା। ସେମାନେ ମାଣିକକୁ ଯାହା କହୁଥିଲେ, ଠିକ କହୁଥିଲେ। ସେହିକ୍ଷଣି ଦୁଇ ଭଉଣୀ ପଳେଇଲେ ନିଜ ନିଜ ଶାଶୁ ଘରକୁ।


ଇଏତ ଗଲା ଘର କଥା। ପଡ଼ୋଶୀଙ୍କ କଥା ତ କହିଲେ ନସରେ। ମାଣିକ ବାଧ୍ୟ ହୋଇ ଦୁଇଚାରି ଦିନ କାନ୍ଦିବା ବାହାନା କଲାପରେ ପୋଛିଦେଲା, ତା ମଥାର ସିନ୍ଦୁର, ଭାଙ୍ଗିଦେଲା ହାତର ଶଙ୍ଖା, କିନ୍ତୁ କେବଳ ତା ଝିଅମାନଙ୍କୁ ଫେରି ପାଇବା ପାଇଁ। ହେଲେ ବୀଣା ଓ ମୀନା ଏତେ ସବୁ ଜାଣିଲା ପରେ ଆଉ ଫେରିଲେନି ମାଣିକ ପାଖକୁ। ରବିକୁ ମଧ୍ୟ ଲୋକେ ନାନା କଥା କହିଲେ। କିଏ କହିଲା, ଡାହାଣୀ ଫାଶରେ ଫଶିଛି ତ କିଏ କହିଲା ବିଧବା ସାଙ୍ଗେ ଘର କରିଛି। କେହି କେହି ମାଣିକକୁ ବୀଟପି, ଧନ୍ଦାବାଲି ଏମିତି ଅନେକ କଥା କହିଲେ। ରବିର ସାଙ୍ଗମାନେ କହିଲେ, "ଆରେ ରବି, ମାଣିକକୁ ତ ତା ଝିଅମାନେ ଛାଡିଚାଲିଗଲେ, ଏବେ ଛୋଟ ପିଲାଟିଏ ଅଛି। ମୁଣ୍ଡରେ ବୁଦ୍ଧି ପଶିନି। ଯେତେବେଳେ ସେ ବଡ ହେବା, ସବୁକଥା ଜାଣିବ, ତୋର କଣ ହେବ? କିଏ ପଚାରିବ ତୋତେ? ତୋର ତ ନିଜ ପୁଅ ଝିଅ ବୋଲି କେହି ନାହାନ୍ତି।" ରବିର ଘରୁ ବାହାରିବା ବି ମୁସ୍କିଲ ହେଇଗଲା। ଅପମାନ ସହିନପାରି ଦିନେ ରାତିରେ ରବି ସବୁ ଟଙ୍କା ପଇସା ଧରି ପଳେଇଲା ନିଜ ପରିବାର ପାଖକୁ। ଏପଟେ ମାଣିକ ଏକା। କୋଉ କୂଳରେ ବି ହେଇପାରିଲାନି ସେ। ସାହିର ଲଫଙ୍ଗା ଟୋକା ମାନେ ମାଣିକ ଘରଦେଇ ଗଲାବେଳେ କହନ୍ତି, "ସବୁଦେବୁ କେତେନବୁ?" ଅପମାନ ଉପରେ ଅପମାନ ଅସହ୍ୟ ହେବାରୁ ମାଣିକ ଆଉ ସହିପାରିଲାନି। ସେଦିନ ବାରଣ୍ଡା କାନ୍ଥରେ ଚୁପଚାପ ଆଉଜେଇ ହୋଇ ବସି ଏକଲୟରେ ଚାହିଁ ରହିଥିଲା ମାଣିକ। ପାଖରେ ପଡିରହିଥିଲା ଗୋଟେ ନୂଆ ରାମପୁରୀ ଛୁରୀ। ନାଡି କଟି ଯାଇଥିଲା। ଶୁଭ୍ର ବର୍ଣ୍ଣର ଶାଢ଼ୀ ରକ୍ତରେ ଭିଜି ନାଲି ଦେଖାଯାଉଥିଲା। ବାର ବର୍ଷର ପୁଅ ରମୁ ମାଆ ମାଆ ବୋଲି କାନ୍ଦୁଥିଲା। ଦଳେଲୋକ ତାଙ୍କ ଘର ସାମନାରେ ରୁଣ୍ଡ ହେଇଥିଲେ।


Rate this content
Log in

Similar oriya story from Tragedy