Panchanan Jena

Tragedy

3  

Panchanan Jena

Tragedy

କଳାହାଣ୍ଡିଆ ବାଦଲ

କଳାହାଣ୍ଡିଆ ବାଦଲ

5 mins
495


ସମୟ ପ୍ରାୟ ଅପରାହ୍ନ ୪.୩୦ ହେବ । ରାଜେଶ କୁମାର ନାୟକ ଓରଫ ନାୟକ ବାବୁ ଅଫିସରୁ ବାହାରିଲେ । ମାଗୁଣି ମହାନ୍ତି, ଅଧସ୍ତନ ପିଅନ ଚାବିନେଥା ସାରଙ୍କ ହାତରେ ଥମି ଦେଲା ଏବଂ ନମସ୍ତେ କଲା । ବ୍ରିଫ କେସଟେ ଧରି ଗୁଣୂଗୁଣେଇ ସାର ରାସ୍ତା ଉପରକୁ ଆସିଲେ । ଗାଡି ଖୋଲି ଷ୍ଟାର୍ଟ କାଲେ । ଷ୍ଟେରିଓ ଅନ କଲେ, ଏସି ଚଳେଇଲେ । ବହୁ ପୁରୁଣା ମାରୁତି ୮୦୦ ଟା । କାମ ଚାଲିଛି । “ମାଧବ ହେ ମାଧବ .......” ଅନୁପ ଜଲୋଟାଙ୍କ ସୁମଧୁର ସୁଲଳିତ କଣ୍ଠସ୍ଵରରୁ ନିସୃତ ଭଜନ ଟେ । ନାୟକ ବାବୁଙ୍କୁ ବି ବହୁତ ଭଲ ଲାଗେ । ସାର ବି ଗୀତ ସାଙ୍ଗେ ତାଳ ଦେଲେ “ ନାହିଁ ତ ଲୋଭ ......ଅଃ.........ଅଃ .....।”


ନାୟକ ବାବୁ ରାମଗଡ ଆର୍ମି କ୍ୟାଣ୍ଟନମେଣ୍ଟରେ ଆକାଉଣ୍ଟ ସେକ୍ସନରେ କାର୍ଯ୍ୟରତ । ଏଲ ଡି ସି ରେ ୧୯୯୮ ମସିହାରେ ଯଏନ କରିଥିଲେ । ପଦୋନ୍ନତି ହୋଇ ସାର ଆକାଉଣ୍ଟ ଅଫିସର ହେଲେଣି । ପୁରା ସ୍ମାର୍ଟ –ହ୍ୟାଣ୍ଡସମ ଗଜା ଟୋକାପରି ଲାଗନ୍ତି । କଥା କହିବାର ଠାଣି , ବନେଇ ଚୁନେଇ ଢଗ-ଢମାଳି ଲଗେଇ ଏମିତି କଥା କୁହନ୍ତି ଯେ ଯାଇଥିଲା ଲୋକେ ବି ପାଦ ରହି ରହି ପକାଏ ଦି ପଦ ସ୍ମୃତିମଧୁର ଧାରାରୁ କାଣିଚାଏ ଶୁଣିବାକୁ । ବେଶ ଲୋକପ୍ରିୟ-ପରୋପକାରୀ କର୍ମଚାରୀ- ବତ୍ସଳ ନାୟକ ବାବୁ । ପକେଟରୁ ଚାବି ଅଣ୍ଡାଳି ଘର ଖୋଲିବା ବେଳକୁ କ’ଣ ଭିତରଟା ବନ୍ଦ ? ବୀଣା କ’ଣ ଏ ବେଳରେ ଘରେ ଅଛି କି ? କିଛି ବୁଝି ପାରିଲେନି । କଲିଙ୍ଗ ବେଲ ଦବେଇଲେ .....କ୍ରୀଙ୍ଗ....କ୍ରୀଙ୍ଗ .......।


ଧୀରେ ଧୀରେ କବାଟ ଖୋଲିଲା । ବୀଣା ଦେବୀ ଆଖି ମିଶେଇ ପାରିଲେନି । ଲାଗୁଥିଲା କାନ୍ଦୁଥିଲେ ପ୍ରାୟ ।

କ’ଣ ପଚାରିବେ ପଚାରିବେ ପଚାରି ପାରିଲେନି ରାଜେଶ ବାବୁ , ଛେପ ଢୋକିନେଲେ । ଅଧା ବାହାରି ଆସିଥିବା କଥା-ପ୍ରଶ୍ନ ଶ୍ରୀମତିଙ୍କ ନୟନ ଭିଜା ମୁଖାରବିନ୍ଦୁକୁ ଦେଖି ପାଟି ବାହାରକୁ ନଆସିବା ସମୀଚୀନ ମନେକଲେ । ବୀଣାଦେବୀ ଗ୍ଲାସେ ପାଣି ଦେଲେ । ଚା’ ଆଣିବାକୁ କିଚେନ ଭିତରକୁ ଯିବାକୁ ପ୍ରସ୍ତୁତ ହେଲେ ।

ରୁହ ! ଥାଉ ! ଆଉ ଟିକେ ପରେ ପିଇବା । ଧୀରେ ଧୀରେ ବୀଣାଦେବୀଙ୍କ ପାଖକୁ ଗଲେ, କୋଳାଗ୍ରତ କଲେ,ମଥାକୁ ଧରି ଛାତିରେ ଲଗେଇଲେ ...... ପୁରା ବନ୍ଧ ଭାଙ୍ଗିଗଲା ।ନୟନ-ମହାନଦୀରେ ବନ୍ୟା । ବାକିଥିବା ଜଳସବୁ କୂଳ ଲଙ୍ଘି ବାହାରିଗଲା ।


କିଛି ସମୟ ଦୁହେଁ ଚୁପ ଚାପ । ସତେ ଯେମିତି ସମୟ ଥମିଗଲା । ରହିଯାଇଛି ଘଣ୍ଟାର କଣ୍ଟା । ଧୀରେ ଧୀରେ ବୀଣାଦେବୀ ସହଜ ହେଲେ । ଆଖି ପୋଛି ସୋଫାରେ ବସୁ ବସୁ କହିଲେ ......ମୋତେ କ୍ଷମା କରିବ । ମୁଁ ଟିକେ ଆଜି ଅଧିକା ଭାବପ୍ରବଣ ହୋଇ ପଡିଲି । ଏତେବଡ଼ ବାର୍ଷିକ ଉତ୍ସବ ଡ଼ି. ଏ .ଭି . ସ୍କୁଲର । ପୁରା ଧୂମ ଧାମରେ ଜାକଜମକରେ ଖୁସି ମନରେ ପାଳୁଛନ୍ତି ସଭିଏଁ । ମାତ୍ର ମୋ ଆୟୁଷ ପାଳିପାରୁନି । ତା’ କ୍ଳାସର ପିଲାମାନେ ସ୍ଵାଗତ ଗୀତାଠାରୁ ଆରମ୍ଭକରି ଜୁନିୟର ସର୍କସ ବି କରିବେ । ମାତ୍ର ଆୟୁଷ ଭାଗ ନେଇ ପାରିବନି । ମୁଁ ସେ ପ୍ରୋଗ୍ରାମ ସବୁ କେମିତି ଦେଖନ୍ତି ? ଲୁହ ତ ଆପେ ଆପେ ଆସିଯାଇଥାନ୍ତା । ହଜାର ହଜାର ଦେଖଣାହାରୀ, ପୁଞ୍ଜା ପୁଞ୍ଜା ଅଭିଭାବକ ଆଉ ସହକର୍ମୀ ସବୁ କ’ଣ ଭାବିବେ , କ’ଣ କହିବେ ? ତେଣୁ ମୁଁ ଯାଇ ପାରିଲି ନାହିଁ । ମୋତେ କ୍ଷମା କରିବ, ରାଜେଶ ବାବୁ କେବଳ ବୀଣାଦେବୀଙ୍କୁ ଚାହିଁ ରହିଥିଲେ ଅପଲକ ନୟନରେ । କଥାକୁ ଶୁଣୁଥିଲେ କି ନାହିଁ.... ଦେଖୁଥିଲେ ଏ ମା’ର ଆଉ ଏକ ଭିନ୍ନ ରୂପ । କେତେ ସ୍ନେହ ପ୍ରେମ ଦୟା ଏହି କ୍ରନ୍ଦନର ଆଢୁଆଳରେ ଲୁଚିରହିଛି ! କେତେ ଭଲପାଇବା ଆନ୍ତରିକତା କୂଢ କୂଢ ହୋଇ ଜମାଟ ବାନ୍ଧୁଛି , ତାର କଳନା ପ୍ରାୟ କରୁଥିଲେ .... ବୀଣା ତୁମେ ଧନ୍ୟ କଲ ମୋତେ । ମା’ର ଏକ ନୂତନ ସଜ୍ଞା ଆଜି ତୁମେ ମୋ ଆଗରେ କହିଦେଲ; ତୁମର କାନ୍ଦୁରା ମୁଖ ମଣ୍ଡଳରେ ଲୁଚିଥିବା ଖୁସିର ସ୍ନେହର ଶ୍ରଦ୍ଧାର ଏକ ଅନନ୍ତ ଅସିମ ସସିମ ପାରାବାରର ଆବିଷ୍କାର କରିବାକୁ ମୋତେ ସୁଯୋଗ ଦେଇଛ ବୀଣା । ତୁମେ ମୋତେ ଜଣେ ସାଧାରଣ ମଣିଷରୁ ଏକ ଅସାଧାରଣ ସନ୍ଧାନୀ କଲମ୍ବସ କରିଦେଲ ! ସେ ସିନା କେଉଁ ଅନାମାଧେୟ ଦେଶ ଖୋଜି ପାଇଥିଲେ ; ମାତ୍ର ତୁମେ ମୋତେ ମା’ର ଆଖୋଜା ପ୍ରଦେଶ ଦେଖେଇ ଦେଇଛ ଖୋଜେଇଦେଇଛ!


କଥା କ’ଣ କି, ଦୀର୍ଘ ଚାରିବର୍ଷ ତଳେ ଆୟୁଷ ଜନ୍ମ ହୋଇଥିଲା । ବହୁତ ସୁନ୍ଦର –ସୁଗୋଲ –ସୁଠାମ ଗୋରା ଓ ଧୋବ ଫର ଫର । ମଥାରେ ଝଙ୍କାଏ କଳାବାଳ – ବହୁତ ମାନୁଥାଏ । ମାତ୍ର ! ଅଣ୍ଟା ତଳକୁ ନଳି-ବାଉଁଶ ପରି ପତଳା ପତଳା ଗୋଡ଼ ପୋଲିଓ ରୋଗୀ ପରି । ସେଦିନ କାହାରି ମନରେ ଖୁସି ନାହିଁ । ରାଜେଶ ବାବୁଙ୍କର ମନେ ଅଛି, ସେ ଦିନ ସୋମବାର ୨୦୦୮ ମସିହା ଜାନୁୟାରି ୧୨ତାରିଖ । ପୁଅକୁ ଦେଖି ଖୁସି ହେବା ବଦଳରେ ବହୁତ ଭାଙ୍ଗିପଡିଥିଲେ ରାଜେଶ ବାବୁ । ପୁରା ଦେଶ ନ୍ୟାସନାଲ ୟୁଥ ଡ଼େ ପାଳୁଥିଲା ସ୍ଵାମୀ ବିବେକାନନ୍ଦଙ୍କର ଜନ୍ମ ଶତବାର୍ଷିକୀ ମାତ୍ର ନାୟକ ପରିବାରରେ ସେଦିନ କାହାରି ମନରେ ଖୁସି ନାହିଁ । ନିରାଶାର ରାଜୁତି ଚାରିଆଡେ । ଆୟୁଷର ଲାଳନ ପାଳନ କି’ଏ କରିବ ? ରାଜେଶ ବାବୁଙ୍କ ଚାକିରି । ବୀଣାଦେବୀ ଡିଏଭିରେ ପିଜିଟି ବାଇଲୋଜି ।ଏତେ ବ୍ୟସ୍ତତା ଭିତରେ ଆୟୁଷର ଏ ଅକର୍ମଣ୍ୟତା ତାଙ୍କୁ ଭିତରୁ ଭିତରୁ କୋରି ପକାଉଥାଏ । ସେ ବେଳେ ବେଳେ ଅନ୍ୟ ମନସ୍କ ହୋଇପଡୁଥାନ୍ତି ।


ଚେତା ଆସିଲା ପରେ ବୀଣାଦେବୀ ପୁଅ କାହିଁ ପଚାରନ୍ତେ ତାଙ୍କୁ ଆୟୁଷକୁ ଦିଆଗଲା । ସେ ଏତେ ଖୁସି କହିବାର ନୁହେଁ । ତାଙ୍କର ଯେ ସିଜିରିୟାନ ଅପରେଶନ ହୋଇଛି , ପେଟ କଟା ହୋଇଛି , ଲମ୍ବା ସିଲେଇ ପଡିଛି , କାଲୁଆ ଇଞ୍ଜେକ୍- ଶନ ଦିଆହୋଇଛି... ସବୁ ଭୁଳି କରି ବୋକ ପରେ ବୋକ ଦେଇ ଚାଲିଥାଆନ୍ତି । ହିତାହିତ ଜ୍ଞାନ ଭୁଲି ପାଗଳି ବାୟାଣୀ ପରି ମୋ’ ପୁଅ ମୋ’ ପୁଅ କହି ଚାଲି ଥାନ୍ତି ।ହେଇଟି , ପୁଅର ନାଁ ଆୟୁଷ ଦେବା । ଶହେ ବର୍ଷ ବଞ୍ଚିବ । କହି ବସିଲେ । ଅଡି ଧରିଲେ ।

ହେଉ...... ଦେବା ..... ତୁମ କଥା ରହିବ । ତୁନି ହେଲେ ବୀଣାଦେବୀ । ନର୍ସିଙ୍ଗ ହୋମରୁ ଘରକୁ ଆସିଲେ । ଧୀରେ ଧୀରେ ମ୍ୟାଟର୍ନିଟି ଲିଭ ଶେଷ ହେବାକୁ ବସିଲାଣି । ରାଜେଶ ବାବୁ ବ୍ୟସ୍ତ ଲାଗୁଥାନ୍ତି । କ’ଣ ହେବ ? ଆୟୁଷର ସମସ୍ୟା କଥା ମନକୁ ଆସନ୍ତେ ସେ ହନ୍ତସନ୍ତ ଅଣନିଶ୍ବାସୀ ହୋଇଯାଆନ୍ତି ।


ଅଳସ ଅପରାହ୍ନ । ସବୁଆଡେ ଶୁନ୍ ଶାନ ଚୁପ୍ ଚାପ । ଶୁଣୁଛ ବୀଣା- ଆୟୁଷକୁ କ’ଣ କରିବା ? ସେ ତ ଅକର୍ମଣ୍ୟ , ପୋଲିଓରେ ଆକ୍ରାନ୍ତ ହେଲା । ଭବିଷ୍ୟତ ତ ଅନ୍ଧକାର । ଆମ ଦୁହିଁଙ୍କୁ ବି ବହୁତ ହନ୍ତ ସନ୍ତ ହେବାକୁ ପଡୁଛି ଆଉ ହେବାକୁ ପଡିବ ! ଚାଲ ତାକୁ ବିଷ ଦେଇ ଶେଷ କରିଦେବା । କେହି ଜାଣି ପାରିବେନି ।

ଦେହ ହାତ ରାଗରେ ଥରି ଉଠିଲା । କ୍ରୋଧରେ ଗମ୍ଭୀର ଦେଖାଗଲେ ବୀଣାଦେବୀ । ଧନ୍ୟ ତୁମେ ପିତା , ପିତା ସ୍ଵର୍ଗ ପିତା ଧର୍ମ ପିତା ହି ପରମ ତପ-- ତୁମ୍ଭକୁ ଅଶେଷ ଧନ୍ୟବାଦ । ଏଭଳି ଚିନ୍ତାକୁ ମନକୁ ଆଣି ପାରିଛ । ଉଚ୍ଚ –ଶିକ୍ଷିତ ହୋଇ ଏଭଳି ନିଚ କଥାକୁ ଧରିବାକୁ ତୁମ ଜିଭ ଆଉଡେଇଲା କେମିତି ? ସ୍ଵାଧୀନତା ସଂଗ୍ରାମୀ ରାମଶରଣ ନାୟକଙ୍କ  ଔରସରୁ ଜନ୍ମହୋଇ, ନାୟକ ବଂଶର ନୟନପିତୁଳା ମିଷ୍ଟର ରାଜେଶ ନାୟକ କ’ଣ ଏତେ ରସାତଳକୁ ଯାଇପାରନ୍ତି ମାନସପଟଳରେ ଭାବିନଥିଲି ? ତୁମର ପାଣିଗ୍ରହଣ କଲାବେଳେ ଠାକୁରଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲି ଯେ ଜଣେ ଆଚାର-ବିଚାର-ବିବେକବାନଙ୍କୁ ମୋର ପତି ପରମେଶ୍ଵର ଇହକାଳ ପରକାଳର ଦେବତା , ଜନ୍ମ ଜନ୍ମାନ୍ତ ପାଇଁ ମୋର ତନ-ମନ-ଯୌବନର ବିଧାତା ରୂପେ ପଠେଇଥିବାରୁ । ମାତ୍ର ଧିକ୍କାର କରୁଛି ସଭ୍ୟ ମୁଖାର ଢାଲ ତଳେ ଲୁଚିରହିଥିବା କୁତ୍ସିତ ଅମାନବୀୟ ଅମାବିକତାର ମଧ୍ୟଯୁଗୀୟ ମାନସିକତାର ଲେଲିହାନ ଶିଖା । ବାହା ନ ହୋଇ ଆଜୀବନ କୁମାରୀ ରହିଥିଲେ ଆହୁରି ଭଲ ହୋଇଥାନ୍ତା ମାୟା-ମମତା-ଜୟଲଳିତା ଭଳି । ମା’ ନ ହୋଇ ମାଳୀକାକୀ ପରି ବାଞ୍ଝ ରହିଥିଲେ କ’ଣ ଆକାଶ ଛିଡି ପଡିଥାନ୍ତା ? ହାଏରେ ବିଧାତା ! ଏମିତି ମୋଡ଼ରେ ମୋତେ ସଂସକାରବିହୀନ ମୂଢ-ରାକ୍ଷସ –ପୁତ୍ରହନ୍ତା ସହିତ ଜୀବନ ବିତେଇବାକୁ ପଡିବ ? କାନ୍ଦୁଥାନ୍ତି ଏବଂ ଗର୍ଜନ କରି ରାଜେଶ ବାବୁଙ୍କୁ ଝାଡିଦେଇଚାଲିଥାନ୍ତି । ରାଜେଶ ବାବୁ ସ୍ଥାଣୁ ଖୁଣ୍ଟ ପରି ବସିଥାନ୍ତି । ବୀଣାଙ୍କର ଏଭଳି ମହାକାଳୀ-ଚଣ୍ଡୀ-ଚାମୁଣ୍ଡି କଡା ମୂର୍ତ୍ତିକୁ ବାରମ୍ବାର ଚାହୁଁ ଥାନ୍ତି ଏବଂ ତଳକୁ ନିହାରୁଥାନ୍ତି ।


ମୁଁ କହିରଖୁଛି – ତ୍ରିବାର ସତ୍ୟକରି କହୁଛି । ଆୟୁଷ ମୋର ନୟନପିତୁଳା , ମୋର ଆଖିର ତାରା , ମୋର ଜୀବନ ଧାରା । ତା’କୁ ଛାଡି ମୁଁ ଦଣ୍ଡେ ବଞ୍ଚିପାରିବିନି । ରେଜିଗନେଶନ ଲେଟର ଟି ଟେବଲ ଉପରେ ଅଛି | ପୋଷ୍ଟ କରିଦେବ । ଦ୍ଵିତୀୟ ପିଲା ପାଇଁ କେବେ ଅନୁଶୋଚନା କରିବନି କାରଣ ମୁଁ ସିସ୍ଟରଙ୍କୁ କହି ଫ୍ୟାମିଲି ପ୍ଲାନନିଙ୍ଗ ଅପରେଶନ କରିନେଇଛି । ଅନୁମାନ ମୋର ସତ୍ୟ ହେଲା । କ୍ଷମା ଦେବ !

ରାଜେଶ ବାବୁ ଝରକା ଫାଙ୍କରେ ଦେଖୁଥିଲେ କଳାହାଣ୍ଡିଆ ବାଦଲ ଢାଙ୍କି ଦେଲାଣି ନିଜ ଜୀବନ ପରି ଆକାଶର ଦିଗବଳୟକୁ |



Rate this content
Log in

Similar oriya story from Tragedy