କଳା ଠାକୁର
କଳା ଠାକୁର
ବାହାଘରକୁ ନେଇ ଘରେ ସମସ୍ତଙ୍କ ଖୁସୀ କହିଲେ ନ ସରେ। ବନ୍ଧୁବାନ୍ଧବ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି କିନ୍ତୁ ବବଲି ଏକ ଅଜଣା ଆତଙ୍କରେ ଆତଙ୍କିତ। ଦିନ ଯେତେ ପାଖେଇ ଆସୁଛି ଭୟ ସେତେ ବଢି ବଢି ଚାଲିଛି। ଆଉ ଦିନ କେଇଟା ପରେ ଗାଁ ଗଣ୍ଡା, ସାଙ୍ଗ ସାଥି, ଘର ଆଉ ବାପାଙ୍କର ଏଇ ବିଶାଳ ଛତ୍ରଛାୟାକୁ ଛାଡିକି ଯିବାକୁ ହେବ। ବିଧିର ବିଧାନ ବଡ଼ ବିଚିତ୍ର? ଏ ସବୁ ଭାବିବା ବେଳେ ନିଦ ହଜିଯାଉଛି ବବଲିର। ତାସହିତ ପିଲାଟି ଦିନରୁ ବବଲିର ପୋଲିସଙ୍କୁ ଭାରି ଡର। ଭିଡ଼ଭାଡ଼, ଗାଁ ଯାତ୍ରା କିମ୍ବା ଅନ୍ୟ କୌଣସି ଜାଗାରେ ପୋଲିସ ମାନଙ୍କୁ ଦେଖିଲେ ବହୁତ ଡର ଲାଗେ ତାକୁ। ସେ କେବେବି ମୁଣ୍ଡ ଟେକି ଚାହିଁ ପାରେନି। ପୋଲିସ ନାଁ ଶୁଣିଲେ ତା ଆଖି ଆଗରେ ନାଚି ଉଠେ ଜଣେ ଡେଙ୍ଗା ମଣିଷ, ହଳେ ନିଶ, ଆଉ ଗୋଟେ ବେତ ବାଡ଼ି। ଏ ଭୟଟା ଆଜି ପର୍ଯ୍ୟନ୍ତ ବି କମିନି। ଏମିତି ଭାଗ୍ୟ ଯେ, ବବଲିର ବିବାହ ଠିକ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ସହ। ବବଲି ସବୁବେଳେ ଭାବେ ସବୁ ପୋଲିସଙ୍କ ଭଳି ଲୋକଟି ଜଦି ରାଗି ହୋଇଥିବ? ତା ସାଙ୍ଗକୁ ଶାଶୁମାଙ୍କୁ ନେଇ ଗୁଡାଏ କଥା ଭାବିଯାଏ। ଯଦି ଶାଶୁ ତାଙ୍କ ସାହି ନେତ ବୁଢ଼ୀ ପରି ହୋଇଥିବେ, ଚାଲିଗଲେ ଖୁଣ୍ଟାଏ ଶୁଣେଇବ। ତା ସାଙ୍ଗକୁ ଯୌତୁକ ନିର୍ଯ୍ୟାତନା। ଘରେ ଦେଉଥିବା ଜିନିଷ ପତ୍ର ସେମାନଙ୍କ ମନକୁ ନ ଆସେ। ଏମିତି ଅନେକ ଚିନ୍ତାରେ ବୁଡି ରହେ ବବଲି।
ଶେଷରେ ବିଭାଘର ଶେଷ ହୁଏ। ଦିନ ଗଡି ଚାଲେ। ଜଗନ୍ନାଥଙ୍କ କୃପାରୁ ସୁନ୍ଦର ଘର ସାଙ୍ଗକୁ ସୁନ୍ଦର ବର ବି ମିଳେ। ସ୍ୱାମୀ ଅରୁଣ ଜଣେ ଆଦର୍ଶ ଏବଂ ନିଷ୍ଠାବାନ ପୋଲିସ ସହିତ ଜଣେ ଦରଦୀ ସ୍ୱାମୀ। ବହୁତ ଯତ୍ନ ନିଅନ୍ତି ସମସ୍ତଙ୍କର। ଆଉ ଶାଶୁମା ଜଣେ ମହିୟସୀ ମହିଳା। ଶାଶୁ ନୁହଁନ୍ତି ମା ଠୁ ଅଧିକ। ବବଲିକୁ ଘର ବାହାର ସମସ୍ତ କାମରେ ସାହାଯ୍ୟ କରନ୍ତି। ଖୁବ ସୁଖ ଶାନ୍ତିରେ କଟିଯାଏ ଦିନ ମାନ।
ଯେଉଁ ଦିନ ଶାଶୁ ମା ବବଲି ମା' ହେବାକୁ ଯାଉଛି ଜାଣିଲେ, ତାଙ୍କ ଖୁସି କହିଲେ ନ ସରେ। ବୋହୂକୁ କୌଣସି କାମ କରେଇ ଦିଅନ୍ତିନି। ବବଲି ସକାଳୁ ଉଠିବା ବେଳକୁ ଘରର ବାସୀ ପାଇଟି ଶେଷ। ଏପରିକି ବବଲି ଗାଧୋଇ ଗଲେ ପାଣି ନିଜେ ଦେଇ ଆସନ୍ତି, ବଵଲି ବାରଣ କଲେ ମା କୁହନ୍ତି ଭାରି ଜିନିଷ ତୁ ଉଠାଇଲେ ପିଲାକୁ କଷ୍ଟ ହେବ। ରୋଷେଇ ଟିକେ ଡେରି ସଅଳ ହେଲେ ମା ପ୍ରୋଟିନ ପାଉଡର କ୍ଷୀରରେ ଗୋଳେଇ ନିଜ ହାତରେ ପିଆଇ ଦିଅନ୍ତି। ପ୍ରାୟ ସବୁଦିନ ବବଲି ଶୋଇଗଲା ପରେ ମା ପାଦରେ ତେଲ ଲଗେଇ ଦିଅନ୍ତି। ଏମିତି ଖୁସିରେ ଦିନ ଗଡିଚାଲେ।
ସମୟ କ୍ରମେ ଘରକୁ ଝିଅଟିଏ ଆସେ। ଝିଅ ନୁହେଁତ ପରିଟିଏ। ସମସ୍ତେ ଡାକନ୍ତି ଅଭ୍ୟର୍ଥନା। କୁନି ଝିଅଟି ଘରର ହସଖୁସିକୁ ଦ୍ୱିଗୁଣିତ କରେ। ଝିଅର ସବୁ କାମ ଆଇ ମା' କରନ୍ତି। ସରଗ ସମାନ ଅଟେ ସେହି ଘର, ପରସ୍ପର ସ୍ନେହ ଯଦି ଥାଏ ନିରନ୍ତର। ଏହି ନ୍ୟାୟରେ ଖୁବ ଆନନ୍ଦରେ କଟିଯାଏ ସମସ୍ତଙ୍କର ସମୟ।ଏହା ଭିତରେ ଝିଅ ଦୁଇ ବର୍ଷର ହୋଇ ଗଲାଣି। ଦୁଃଖ ପରେ ସୁଖ ଆସେ ଆଉ ସୁଖ ପରେ ଦୁଃଖ। ମାଙ୍କ ଏବେ ଦେହ ଭଲ ରହୁନାହିଁ। ବେଳେବେଳେ ବାନ୍ତି ହେଉଛି। ପୁଅ ବ୍ୟସ୍ତ ହୋଇ ଡାକ୍ତରଖାନା ନେଇ ଦେଖାଇଲେ। ଡାକ୍ତର କିଛି ମେଡ଼ିସିନ ଦେଇ କହିଲେ ବ୍ୟସ୍ତ ହୁଅନ୍ତି, ବୟସ ହୋଇଗଲାଣି। ଗ୍ୟାସ କିମ୍ବା ବଦହଜମି ହୋଇ ବାନ୍ତି ହେଉଥିବ। କିନ୍ତୁ ମାଙ୍କ ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଲା। ଶରୀର ଦୁର୍ବଳ ହେବା ସହ ନିସ୍ତେଜ ହୋଇଗଲେ ମା। ଏକ ଅଜଣା ଭୟ ବିଚଳିତ କରୁଥିଲା ବବଲିକୁ। ଶେଷରେ ଏକ ନର୍ସିଂହୋମରେ ଆଡ୍ମିସନ କରାଗଲା ମାଙ୍କୁ। ରିପୋର୍ଟ ଆସିଲା କ୍ୟାନ୍ସର। ଦୁଃଖର ପାହାଡ଼ ଲଦି ହୋଇଗଲା ପରିବାର ଉପରେ। ବବଲି ଆଖିରୁ ଧାର ଧାର ଲୁହ ଝରୁଥାଏ। ପାଖରେ କୁନି ଝିଅ କିଛି ନ ଜାଣିବି ମାର ଶୁଖିଲା ମୁହଁକୁ ଦେଖି ମୁହଁ ମାରି ବସିଥାଏ। ସ୍ୱାମୀ ଅରୁଣ ବାବୁ ସାନ୍ତ୍ବନା ଦେଇ କହିଲେ କିଛି ହେବନି ମୋ ବୋଉର। ଦେଖିବ ବବଲି, ବୋଉ ନିଶ୍ଚିତ ଠିକ ହୋଇଯିବେ।
ଆଜି ରାକ୍ଷୀ ପୂର୍ଣ୍ଣିମା। ବବଲିର ଭାଇ ନାହିଁ। ପିଲାଟି ଦିନରୁ ସେ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧେ। ଜୀବନରେ କେବେ ଭାଇର ଅଭାବ ଅନୁଭବ କରିନି। ପ୍ରତି ବର୍ଷ ଏଇ ଦିନକୁ ଆଗ୍ରହର ସହ ଚାହୁଁ ରହିଥାଏ। କିନ୍ତୁ ଏ ବର୍ଷ ଖୁସି ହୋଇ ପାରୁନି ବବଲି। ତୁଳସୀ ମାଳିରେ ତିଆରି ସୁନ୍ଦର ରାକ୍ଷୀଟିକୁ ଧରି ବବଲି ବସି ପଡ଼ିଲା ଜଗନ୍ନାଥଙ୍କ ଆଗରେ। ଆଖିର ଲୁହ ଆଉ ଦୃଦୟର କୋହକୁ ଚାପି ରଖିବା ତା ପକ୍ଷରେ ସମ୍ଭବ ହେଉ ନ ଥାଏ। ଜଗନ୍ନାଥଙ୍କ ନିକଟରେ ଦୁଃଖ ଆଉ ଅଭିମାନରେ କାନ୍ଧି କାନ୍ଧି କହିଲେ "ହେ ନିଳାଦ୍ରୀ ବିହାରୀ ନାରାୟଣ, ହେ ବାସୁଦେବ କୃଷ୍ଣ, ହେ ଜଗତର ନାଥ ଜଗନ୍ନାଥ, ହେ ଶଙ୍ଖ ଚକ୍ର ଗଦାପଦ୍ମ ଧାରୀ ନାରାୟଣ ମତେ ଅନାଥ କର ନାହିଁ। ମୋ ମାଙ୍କୁ ମୋ ଠାରୁ ଛଡାଇ ନିଅନି। ଜୀବନରେ ତୁମକୁ କିଛି ମାଗିନି। ଆଜି ଏ ରାକ୍ଷୀର ମାନ ରଖ। ଏ ଅଭାଗିନୀ ଭଉଣୀଟିକୁ ହତାଦର କରନି। ଦୀପଟିଏ ଜାଳି ଜଗନ୍ନାଥଙ୍କ ହାତରେ ରାକ୍ଷୀଟି ବାନ୍ଧୁ ବାନ୍ଧୁ ଦଲକାଏ ପବନ ପଶି ଆସିଲା ଘର ଭିତରକୁ ଝରକା ଦେଇ। ଦୀ
ପଟି ଲିଭୁ ଲିଭୁ ଅଟକାଇ ଦେଲେ ନିଜ ପାପୁଲିରେ ବବଲି । ମନରେ ଅନେକ ଦୁଶ୍ଚିନ୍ତା। ଘର ଭିତରୁ ଏକ ଅପୂର୍ବ ମହକ ଆସୁଥାଏ। ଚନ୍ଦନର ମହମହ ବାସ୍ନାରେ ମହାକିତ ଘରର କୋଣ ଅନୁକୋଣ।ବବଲିକୁ ଆଜି ଜଗନ୍ନାଥଙ୍କ ମୂର୍ତ୍ତି ଲାଗୁଥାଏ ଅତି ଜୀବନ୍ତ। ସନ୍ଧ୍ୟାରେ ଅପରେସନ ପାଇଁ ମାଙ୍କୁ ଭର୍ତ୍ତି କରାଗଲା ଡାକ୍ତରଖାନାରେ।
ଅପରେସନ ସଫଳ ହେଲା। ଡାକ୍ତର କହିଲେ ଏବେ ମାଆଙ୍କର ଯତ୍ନ ଠିକ ସେ ନେବାକୁ ପଡିବ। ସବୁବେଳେ ହସ ଖୁସିର ମାହୋଲ ଭିତରେ ରଖିବାକୁ ପଡିବ। ମାସକ ପରେ ପ୍ରଥମ କେମୋ। ଏବେ ଭଗବାନ ଆପଣ ମାନଙ୍କ ସାହା।
ମାସକ ପରେ, କେମୋର ପ୍ରଭାବରେ ନିସ୍ତେଜ ଏବଂ ଅବଶ ହୋଇ ପଡିଛି ମାଙ୍କ ଶରୀର। ବବଲି ଦିନ ରାତି ମାଙ୍କ ସେବାରେ ଲାଗିଛି। ଘର ଲୋକଙ୍କ ହାଵ ଭାବ ଟିକେ ଅଲଗା ଅଲଗା ଲାଗୁଥିଲା ମାଙ୍କୁ। ମତେ କିଛି ଲୁଚାଉ ନାହାଁନ୍ତି ଭାବି, ମା ପଚାରିଲେ ମୋର କଣ ହୋଇଛି? ମତେ କିଛି ଲୁଚାଉଛ। ବବଲି କହିଲେ ବୋଉ ତୁମେ ଆଦୌ ବ୍ୟସ୍ତ ହୁଅନି। ନ ଖାଇ ନ ପି ଭୋକିଲା ପେଟରେ ଦିନ ରାତି ଖଟି ଖଟି ଆଜି ଏ ଅବସ୍ଥା। କିଛିଦିନ ଚିକିତ୍ସା ହେଲା ପରେ ତୁମେ ସମ୍ପୂର୍ଣ୍ଣ ଠିକ ହୋଇଯିବ। ମାଙ୍କୁ କ୍ୟାନ୍ସର ଏକଥା ଯେପରି ମା ନ ଜାଣନ୍ତି, ସେଥିପାଇଁ ସମସ୍ତେ ଜଗି ରଖି ଚଳୁଥାନ୍ତି।
ଦ୍ୱିତୀୟ କେମୋ, ମୁଣ୍ଡ ଛୁଟି ସବୁ ଉପୁଡି ଯାଇଥିଲା ମାଙ୍କର। ଶରୀର ଶୁଖି କଣ୍ଟା ପରି ହୋଇଗଲାଣି। ପାଟିକୁ କିଛି ରୁଚୁନି। ମା ଆଜି ଜିଦ କଲେ ବାସି ପଖାଳ ଗଣ୍ଡେ ଖାଇବାକୁ। ଅନେକ ଦିନ ହେବ ପାଟିରେ ପଖାଳ ବାଜିନି। ବବଲି ବାରଣ କରି କହିଲା, "ବୋଉ ତୁମ ଦେହ ଖରାପ ପଖାଳ କିପରି ଖାଇବ? ଆଉ କେଇଟା ଦିନ ରହିଯାଅ"। ଘର ଭିତରେ ଅରୁଣ ବାବୁ ଥାଇଁ କହିଲେ, ତାକୁ ମନା କରନି ତା ଇଚ୍ଛା ଯାହା ହେଉଛି କରୁ। ଏତିକି କହୁ କହୁ ଦୁଇ ଟୋପା ଲୁହ ବହିଆସିଲା ଆଖିରୁ। ଆଖି ଲୁହକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ସେ।
ଦିନ ଗଡି ଚାଲେ, କ୍ୟାନ୍ସରର ପ୍ରଭାବରେ ମାଙ୍କର ଶରୀର ପୌଷ ମାସର ପଦ୍ମ ଭଳି ମଳିନ ଏବଂ କ୍ଷୀଣ ହେବାରେ ଲାଗିଥାଏ। ବବଲି ଏବଂ ଅରୁଣ ବାବୁଙ୍କୁ ଏକ ଅଜଣା ଆତଙ୍କ କୋରି ଖାଉଥାଏ। କେମୋର ପାର୍ଶ୍ୱ ପତିକ୍ରିୟାରେ ନିଦ୍ରାହୀନତା, ଚିଡିଛିଡା ପଣ, ଅସ୍ଥିରତା, ଦୁର୍ବଳତା ଆଦି ଲକ୍ଷଣ ଦେଖାଯାଉଥାଏ ମାଙ୍କ ନିକଟରେ। କିନ୍ତୁ ବବଲି ନିଷ୍ଠା ସହ ସେବା ଶୁଶ୍ରୁଷା କରୁଥାଏ ଦିବାରାତ୍ର। ଖାଇବା ପିଇବା ଠୁ ଆରମ୍ଭ କରି ଔଷଧପତ୍ର ଏବଂ ସମସ୍ତ ଦିନଚର୍ୟ୍ଯରେ ନିଜର ସବୁ ସମୟ ନିୟୋଜିତ କରୁଥାଏ ବବଲି। ମାଙ୍କର ସେବା କାର୍ଯ୍ୟରେ ବ୍ୟାଘାତ ନ ହେବା ପାଇଁ ଝିଅକୁ ମାମୁଁ ଘରେ ଛାଡ଼ି ଦେଇଥାନ୍ତି ସ୍ୱାମୀ ସ୍ତ୍ରୀ।
କାଲିକି ବର୍ଷେ ପୁରିବ। ସନ୍ଧ୍ୟାରେ ବବଲି ଠାକୁର ଘରେ ଭାଗବତ ପଢୁଛି। ପାଖରେ ସ୍ୱାମୀ ଅରୁଣ ବାବୁ ବସିଛନ୍ତି। ମା ପିଣ୍ଡାରେ ବସିଥିଲେ ହଟାତ ପଡିଗଲେ। ଘର ଭିତରୁ ଦୌଡ଼ି ଆସିଲେ ଦୁହେଁ। ପାଦ ତଳୁ ମାଟି ଖସି ଗଲା ଭଳି ଲାଗୁଥାଏ ଦୁହିଁଙ୍କର। ମା ପଡି ମୂର୍ଚ୍ଛା ଯାଇଛନ୍ତି। କାଳ ବିଳମ୍ବ ନ କରି ତୁରନ୍ତ ମେଡ଼ିକାଲରେ ପହଁଚିଲେ। ଏବେ ମା ଆଇସିୟୁରେ।
ଆଜି ରାକ୍ଷୀ ପୂର୍ଣ୍ଣିମା। ଚାରିଆଡେ ଆନନ୍ଦ ଉତ୍ସବ। ବବଲିର ଖାଲି ମାଙ୍କ ଚିନ୍ତା। ନିଜର କିଛି ସୁଖ ଅଛି ନା ନିଜର ଚିନ୍ତା। ରାକ୍ଷୀଟିଏ ଜଗନ୍ନାଥଙ୍କ ହାତରେ ବାନ୍ଧି ଦେଇ ବବଲି ମୁଣ୍ଡତଳେ ହାତ ରଖି ମୂର୍ତ୍ତି ଆଗରେ ପଡିଛି। ଜଗା ଉପରେ ଗୁଡ଼ାଏ ଅଭିମାନ। ନା ଖିଆ ନା ପିଆ। କେତେବେଳେ ନିଦ ହୋଇଯାଇଛି ସେ ଜାଣିନି। ସ୍ୱପ୍ନରେ ବବଲି ଦେଖୁଛି ବାରିପାଟ ଦେଵଦାରୁ ଗଛରୁ ଦୁଇଜଣ ଦୈତ୍ୟ ପରି ଦିଶୁଥିବା ମଣିଷ ଓଲ୍ହାଇ ଦୂରକୁ ଦୂରକୁ ଚାଲି ଯାଉଛନ୍ତି। ସେମାନଙ୍କର ରୂପ ବହୁତ ଭୟଙ୍କର। କିଛି ସମୟ ପରେ ବବଲିକୁ ଅନୁଭବ ହେଲା କେହି ଜଣେ ମୁଣ୍ଡ ଆଉଁସି କହୁଛି, ଉଠୁ ମା ଉଠୁ। ଚାଇଁ କରି ନିଦ ଭାଙ୍ଗିଗଲା ବବଲିର।
କିଛି ସମୟ ପରେ ଅରୁଣ ବାବୁ ଫୋନ କଲେ, ବ୍ୟସ୍ତ ହୁଅନି, ବୋଉଙ୍କ ଦେହ ଭଲ ଅଛି। ସନ୍ଧ୍ୟା ସୁଧା ବୋଉକୁ ନେଇ ମୁଁ ଘରେ ପହଂଚିବି। ଫେରିବା ସମୟରେ ଅରୁଣଙ୍କ କାନରେ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା ଡାକ୍ତରଙ୍କ କଥା, ଅରୁଣବାବୁ ଚମତ୍କାର ବୋଲି ଜାଣ। ଦେହରେ କ୍ୟାନ୍ସର ସେଲ ବିଲକୁଲ ନାହିଁ। ମା ଏବେ ସମ୍ପୂର୍ଣ୍ଣ ସୁସ୍ଥ।
ବୋଉ ଏବଂ ଅରୁଣ ବାବୁ ଘରେ ପହଁଚିଲା ବେଳକୁ ମୁହଁ ସଞ୍ଜ। ଅରୁଣ ବାବୁ ଏବଂ ବୋଉଙ୍କୁ ଦେଖି ବବଲି ଖୁସିରେ ପାଗଳ, କାଳ ବିଳମ୍ବ ନ କରି ପଚାରିଲେ ଡାକ୍ତର କଣ କହିଲେ? ଅରୁଣ ବାବୁ କହିଲେ "ଜଗନ୍ନାଥଙ୍କ ଅପାର କରୁଣାରୁ ଆଉ ତୁମର ଭକ୍ତି, ନିଷ୍ଠା ଏବଂ ସେବା ବଳରେ ମା ଆଜି ସମ୍ପୂର୍ଣ୍ଣ ସୁସ୍ଥ"।
ପାଖ ମନ୍ଦିରରୁ ଗୀତଟିଏ ଭାସି ଆସୁଥିଲା...
କାଳିଆ ଠାକୁର ମୋ
କାଳିଆ ଠାକୁର.....
ତୋ ବିନା ଆନ ଗତି ନାହିଁରେ ମୋର.....