କଳା ଓ ପ୍ରେମ
କଳା ଓ ପ୍ରେମ


ଠୁକ୍ ଠୁକ୍ । ଅନବରତ ଭାବରେ ପଥର ଉପରେ ଖୋଦି ଚାଲିଛି ଶିଳ୍ପୀ । ପାଖରେ ସୁନ୍ଦରୀ ଯୁବତୀ । ଖୋଲା କେଶ । ଟଣା ଟଣା ଭୁରୁ । ଭସା ଭସା ଆଖି। ସୁନ୍ଦରୀ କୁ ବେଳେ ବେଳେ ମଥା ଟେକି ଚାହୁଁଛି ଶିଳ୍ପୀ । ପୁଣି ନିହଣରେ ଖୋଦି ଚାଲିଛି । ପ୍ରତି ସକାଳରୁ ସଂଜ ଯାଏ । ପଥର ରେ ଜୀବନ ଦେବାର ଚେଷ୍ଟା । ଶିଳ୍ପୀ ତା ପଥର ଦେହରେ ଖୋଦି ଚାଲିଛି ସୁନ୍ଦରୀ ର ବିଭିନ୍ନ ଅଙ୍ଗଭଙ୍ଗୀର ନିଖୁଣ ଚିତ୍ର । ସଫଳ ବି ହୋଇ ପାରିଛି । ସୁନ୍ଦରୀ ବି ମୁଗ୍ଧ ଶିଳ୍ପୀର କଳା ନୈପୁଣ୍ଯ ଦେଖି। ସତ ରେ ଏଇ ପ୍ରସ୍ତର ଗାତ୍ର ରେ ତାଆରି ପ୍ରତିମୂର୍ତ୍ତି , ଏତେ ବାସ୍ତବ ! ! ଏତେ ଜୀବନ୍ତ ! ! ଶିଳ୍ପୀ ହାତର ଚମତ୍କାରିତା । କି ଜାଦୁ ଅଛି ସତରେ ଶିଳ୍ପୀ ହାତରେ ! ଏତେ ସୁନ୍ଦର ଖୋଦନ ଶୈଳୀ । ପ୍ରସ୍ତର ଗାତ୍ର ରେ ସୁନ୍ଦରୀ ର ଜୀବନ୍ତ ପ୍ରତିମୂର୍ତ୍ତି । ସୁନ୍ଦରୀ ମୁଗ୍ଧ, ସ୍ତବ୍ଧ । ଶିଳ୍ପୀ କିନ୍ତୁ ନିଜ କାମରେ ବ୍ଯସ୍ତ । କୌଣସି ଆଡକୁ ତାର ନିଘା ନାହିଁ । ଦୃଷ୍ଟି ତାର ନିବଦ୍ଧ , କେତେବେଳେ ସୁନ୍ଦରୀ ଉପରେ ତ ଆଉ କେତେବେଳେ ପ୍ରସ୍ତର ମୂର୍ତ୍ତି ଉପରେ । କାରୁକାର୍ଯ୍ୟର ସମାପ୍ତି ପରେ ଶିଳ୍ପୀ ମନରେ ଆତ୍ମତୃପ୍ତି । ଆତ୍ମ ସନ୍ତୋଷର ଆଭା ଝଲସି ଉଠେ ତା କ୍ଲାନ୍ତ ମୁଖମଣ୍ଡଳରେ , ଅସ୍ତ ସୂର୍ଯ୍ୟର ଲାଲିମା ରେ ନୀଳଆକାଶ ଝଟକି ଉଠିଲା ପରି । ତାପରେ ଦୃଷ୍ଟି ଫେରାଏ ସୁନ୍ଦରୀ ଆଡେ । କାହିଁ ? ସୁନ୍ଦରୀ ଆଉ ନ ଥାଏ ସେଠି ଯେଉଁଠି ଦିନ ତମାମ ବସିରହିଥାଏ । ଦୀର୍ଘ ଶ୍ୱାସ ଟିଏ ବାହାରେ । ଅପେକ୍ଷାରେ ରୁହେ ଶିଳ୍ପୀ ତା ପରଦିନ ପାଇଁ । ବିଶ୍ବାସ ଥାଏ , ସୁନ୍ଦରୀ ପୁଣି ଆସିବ । ଏକ ନୂତନ ଉତ୍ସାହ, ଏକ ନୂତନ ଉଦ୍ଦୀପନା ନେଇ ଅପେକ୍ଷାରେ ରୁହେ ଏକ ନୂତନ ସକାଳ ପାଇଁ।
ସକାଳ ଆସେ। ନିହଣ ସକ୍ରିୟ ହୁଏ । ଶିଳ୍ପୀ ଚଂଚଳ ହୁଏ । ଖୋଦେଇ ଆରମ୍ଭ ହୁଏ । ସୁନ୍ଦରୀ ବି ପ୍ରସ୍ତୁତ ହୁଏ ଏକ ନୂତନ ଅଙ୍ଗଭଙ୍ଗୀ ସହିତ ଶିଳ୍ପୀର କାର୍ଯ୍ଯରେ ସହାୟତା କରିବାକୁ । ଶିଳ୍ପୀ ଗଢି ଚାଲେ ଗୋଟିଏ ପରେ ଗୋଟିଏ କଳା କୃତି । ଆଜି ବି ଅପେକ୍ଷାରତ ଶିଳ୍ପୀ , ସୁନ୍ଦରୀ ର ଆଗମନକୁ। ଆଜି ଏକ ବିରାଟ ପ୍ରସ୍ତର ଗାତ୍ର ରେ ଆରମ୍ଭ କରିବ ଶିଳ୍ପୀ ତାର ଅନନ୍ଯ କଳା କୃତି । କିନ୍ତୁ ସୁନ୍ଦରୀ କାହିଁ ? ?ନିଜ ମାନସ ପଟଳରେ ସୁନ୍ଦରୀ ର ଆକୃତି କୁ କଳ୍ପନା କରି ଶିଳ୍ପୀ ତାର ନୂତନ କୃତିର ଚେଷ୍ଟାରେ ଲାଗି ପଡିଲା । କିନ୍ତୁ ନା ! ପ୍ରସ୍ତର ଖଣ୍ଡରେ ଆକୃତି କୁ ରୂପ ଦେବାର ବ୍ଯର୍ଥ ଚେଷ୍ଟା । ଶିଳ୍ପୀ ନିରାଶ, ହତୋତ୍ସାହ । ସନ୍ଧ୍ଯା ର ଅସ୍ତରାଗ ପ୍ରତିଚୀ ଭାଲେ ଦୃଷ୍ଟ । ତଥାପି ଶିଳ୍ପୀ ତା ଚେଷ୍ଟା ରେ ବ୍ଯସ୍ତ । କିନ୍ତୁ ଆଜି ଗୋଟିଏ ବି ଆକୃତିର ରୂପ ଦେଇ ପାରୁନି । ସେମିତି ଏକା ଏକା ବସି ଶୂନ୍ଯ ଆକାଶକୁ ଚାହିଁ ବସିଥାଏ । ଚିନ୍ତାରେ ମଗ୍ନ । ସୁନ୍ଦରୀ କାହିଁ ? କୋଉଠି ଖୋଜିବ ତାକୁ ? ନିରାଶ ମନରେ ଶିଳ୍ପୀ ବସିଥାଏ । ହଠାତ୍ ପାଉଁଜି ର ରୁଣୁ ଝୁଣୁ ଶବ୍ଦ । ସଜାଗ ହେଲା ଶିଳ୍ପୀ। ସିଏ ଆସିଛି । ଉଠିପଡି ଚାରିଆଡେ ଦୃଷ୍ଟି ବୁଲାଇଲା । ଏଇ ଯେ ସେ ଆସିଛି । ତା କଳ୍ପନାର ସୁନ୍ଦରୀ । " କୁଆଡେ ଥିଲ ସୁନ୍ଦରୀ ? ତୁମ ବିନା ମୋ କଳା ଅପୂର୍ଣ୍ଣ । " " ଖୋଜୁଥିଲ ମୋତେ ? ମୁଁ ଯଦି ଆସି ନ ଥାନ୍ତି ? ତା ହେଲେ ତୁମ କାର୍ଯ୍ଯ ଏମିତି ଅସଂପୂର୍ଣ୍ଣ ରଖିଥାନ୍ତ ? ତୁମେ କଣ ତୁମର କଳା ସାଧନା ଏତିକିରେ ବନ୍ଦ କରି ଦେଇଥାନ୍ତ ?"" ହଁ ସୁନ୍ଦରୀ, ତୁମ ବିନା ମୋ କଳା ଅସଂପୂର୍ଣ୍ଣ । ତୁମ ପାଇଁ ମୋ କଳା ଉତ୍କର୍ଷତା ଲଭିଛି । ତୁମ ସାହାଯ୍ଯ ବିନା ମୋ ନିହଣ ବି ନିଷ୍କ୍ରିୟ । ଏବେ ତୁମେ ଆସିଛ । ମୋ କାର୍ଯ୍ଯ ଏବେ ମୁଁ ଆରମ୍ଭ କରିବି ।" " କିନ୍ତୁ ଏ ଅନ୍ଧକାର ରଜନୀରେ କେମିତି ତୁମ କାର୍ଯ୍ଯ ଆରମ୍ଭ କରିବ ?ପ୍ରଭାତ ରେ କରିବ ତୁମ୍ଭର ଅସଂପୂର୍ଣ୍ଣ କାର୍ଯ୍ଯ । " ତାପରେ ଶିଳ୍ପୀ ଓ ସୁନ୍ଦରୀ , ଦୁହେଁ ଚୁପ୍ । ନିସ୍ତବ୍ଧ ରାତ୍ରି । ଝିଁ ଝିଁ ଶବ୍ଦ , ସାଏଁ ସାଏଁ ପବନ ଛଡା ଆଉ କିଛି ଶୁଭୁ ନ ଥାଏ । ହଠାତ୍ ସୁନ୍ଦରୀ ପ୍ରଶ୍ନ କଲା ,"ଶିଳ୍ପୀ , ଏତେଦିନ ଧରି ମୁଁ ତୁମ ପାଖକୁ ଆସୁଛି । ତୁମର ମୋ ବିଷୟରେ ଜାଣିବା ପାଇଁ କୌତୁହଳ ହୁଏନା ? ମୁଁ କିଏ ?କୋଉଠି ରୁହେ? କିଛି ଜାଣିବାର ଆଗ୍ରହ ହୁଏନି ତୁମର ?" ଶିଳ୍ପୀ ତଟସ୍ଥ ହେଲା । ସତେ ତ , କିଏ ଏଇ ସୁନ୍ଦରୀ ? ଏକା ଏକା ସବୁଦିନ ଆସେ ତା ପାଖକୁ । ତା କୌତୁହଳ କୁ ସୁନ୍ଦରୀ ଜାଣି ପାରିଲା । " ସତ କଥା, ତୁମେ କିଏ ? ଏ ଯାଏ ମୁଁ ଜାଣିବାର ଇଚ୍ଛା ପ୍ରକାଶ କରି ନ ଥିଲି କାରଣ ଥରେ ଯେବେ ମୁଁ ମୋ କଳା ସାଧନାରେ ମଗ୍ନ ହୋଇଯାଏ , ମୁଁ ସବୁ ଭୁଲିଯାଏ । ଏବେ କୁହ, ସତରେ ତୁମେ କିଏ ? କୋଉଠି ରୁହ ? ଏକା ଏକା ଏଠାକୁ ଆସିବାକୁ ଭ୍ରମଣ ହୁଏନି ?"
ସୁନ୍ଦରୀ କିଛି ସମୟ ନୀରବ ରହିବା ପରେ କହିଲା, " ଆଜି ତୁମକୁ ମୋ ବିଷୟରେ କହିବି ।" ରାତ୍ରି ର ଅନ୍ଧକାର ସମଗ୍ର ଧରାକୁ ଆଚ୍ଛାଦିତ କରିଥାଏ । ସୁନ୍ଦରୀ କହିବା ଆରମ୍ଭ କଲା ," ଜମିଦାର ଭୂଜ ବଳିଆର ସିଂହ ଙ୍କର ମୁଁ ଥିଲି ଏକମାତ୍ର କନ୍ଯା । ପିତା, ମାତାଙ୍କର ଏକମାତ୍ର ଅଲିଅଳି, ଗେହ୍ଲା ଝିଅ । ପାଖ ଆଖ ଗାଁ ରେ ମୋ ପିତାଙ୍କର ଖୁବ୍ ପ୍ରତିପତ୍ତି ଥିଲା । ସ୍ନେହ, ଆଦରରେ ବଢି ଧିରେ ଧିରେ ମୁଁ ଯୌବନରେ ପାଦ ଥାପିଲି । ସେଇ ସମୟରେ ଜଣେ ଚିତ୍ରକର ଆମ ଗାଁ କୁ ଆସିଥିଲେ । ମୋ ଜେଜେ ଓ ଜେଜେମା ଙ୍କର ଚିତ୍ର ଆଙ୍କିବା ପାଇଁ ମୋ ବାପା ତାଙ୍କୁ ଡାକିଥିଲେ । କି ସୁନ୍ଦର ଭାବରେ ରଂଗ, ତୂଳୀରେ ସେ ଚିତ୍ର ଆଙ୍କୁଥିଲେ । ହାତରେ ଯାଦୁ ଥିଲା ତାଙ୍କର, ଯେମିତି ତୁମେ ଏଇ ପଥର ଦେହରେ ଜୀବନ ଦେଇପାରୁଛ । ରଂଗ, ତୁଳୀ ଉପରେ ଥିଲା ତାଙ୍କର ଅଗାଧ ବିଶ୍ବାସ । କାନଭାସ ଉପରେ ସେ ନିଜ ରଂଗ, ତୂଳୀରେ ଚିତ୍ରକୁ ଜୀବନ୍ୟାସ ଦେଇପାରୁଥିଲେ । ତାଙ୍କର ଏଇ ଅଦ୍ଭୂତ କଳା, କୌଶଳ ରେ ମୁଁ ଅଭିଭୂତ ହୋଇ ,ମୁଁ ନିଜର ଛବିଟିଏ ତାଙ୍କ ହାତରେ କରାଇବାର ଇଚ୍ଛା ମୋ ବାପା ଙ୍କୁ ଜଣାଇଥିଲି । ବାପା ବି ମୋ କଥା ରଖିଥିଲେ । ସେଇ ଚିତ୍ରକର ଙ୍କ ପାଖରେ ବସି ମୁଁ ମୋର ବିଭିନ୍ନ ଅଙ୍ଗଭଙ୍ଗୀର ଚିତ୍ର ତାଙ୍କୁ ଆଙ୍କିବାକୁ କହୁଥିଲି । ଚିତ୍ରକର ଙ୍କର ଆକର୍ଷକ ବ୍ଯକ୍ତିତ୍ବ, ତାଙ୍କର ଅଦ୍ଭୂତ ଚିତ୍ରକଳା କେତେବେଳେ ଯେ ମୋତେ ତାଙ୍କ ଆଡକୁ ଆକୃଷ୍ଟ କରିଥିଲା , ମୁଁ ଜାଣିନି । ଆମ ଦୁହିଁଙ୍କ ଭିତରେ ଏକ ପବିତ୍ର ପ୍ରେମର ଭାବନା କେବେ ଓ କେମିତି ସୃଷ୍ଟି ହେଲା , ଆମେ ଜାଣି ପାରି ନ ଥିଲୁ । ମୋ ବାପା ଯେତେବେଳେ ଏଇ ବିଷୟରେ ଜାଣିଲେ , ତାଙ୍କ ପକ୍ଷରେ ଏ କଥା ଅସହ୍ଯ ହୋଇ ଉଠିଲା । ଆଭିଜାତ୍ୟପୂର୍ଣ୍ଣ, ପ୍ରତିପତ୍ତି ଶାଳୀ ଜମିଦାରଙ୍କ କନ୍ଯା ଏକ ସାଧାରଣ ଚିତ୍ରକର କୁ ପ୍ରେମ କରିବ, ବିବାହ କରିବ , ଏକଥା ସହ୍ଯ କରିବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା । ମୋତେ ତାଙ୍କ ପାଖରୁ ଦୂର କରି ମୋ ବାପା ତାଙ୍କର କି ଅବସ୍ଥା କଲେ , ସେକଥା ଜାଣିବାର ଉପାୟ ନ ଥିଲା । ତାପରେ ବାପା ମୋ ବିବାହ କରିବାର ନିଷ୍ପତ୍ତି ଜଣାଇ ମୋତେ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଲେ । ମୁଁ ତାଙ୍କ ନିଷ୍ପତ୍ତି ମାନିବାକୁ ରାଜି ନ ଥିଲି । ବାପା ମୋ ନିଷ୍ପତ୍ତି ଜାଣି ରାଗିଯାଇ ମୋତେ ତାଙ୍କ ଶେଷକଥା ଜଣାଇଲେ, ଯଦି ମୁଁ ତାଙ୍କ କଥା ନ ମାନେ ତା ହେଲେ ସେ ମୋ ପ୍ରିୟ ଚିତ୍ରକର ଙ୍କୁ ମାରିଦେବେ । ମୁଁ ସ୍ତବ୍ଧ ହୋଇ ଯାଇଥିଲି, ଭାବି ପାରି ନ ଥିଲି କଣ କରିବି । ବାପାଙ୍କୁ ମୁଁ ଜାଣିଥିଲି । ସେ ଯାହା କହନ୍ତି ତା କରନ୍ତି । ମୋ ପାଇଁ ମୋ ପ୍ରେମ, ମୋ ପ୍ରିୟ ଙ୍କର ଏଇ ଦୁର୍ଦ୍ଦଶା ମୁଁ ଦେଖିବାକୁ ଚାହୁଁ ନ ଥିଲି । ତାଙ୍କ ମୃତ୍ଯୁର କଳ୍ପନା ମୋ ହୃଦୟକୁ ଥରାଇ ଦେଇଥିଲା ସେଦିନ । ଶେଷରେ ତାଙ୍କ ଜୀବନ, କଳା, ମୋ ପ୍ରେମର ରକ୍ଷା ପାଇଁ ନିଜକୁ ବଳି ଦେବାକୁ ସ୍ବୀକୃତି ଦେଇଥିଲି। ମୋ ବିବାହ ମୋ ବାପାଙ୍କ ପରି ଆଭିଜାତ୍ୟ ପୂର୍ଣ୍ଣ ପରିବାରରେ ସଂପନ୍ନ ହୋଇଥିଲା ମୁଁ କିନ୍ତୁ ସେତେବେଳ ଯାଏ ଜାଣିପାରି ନଥିଲି ମୋ ପ୍ରିୟ ଚିତ୍ରକର ଙ୍କର କି ପରିଣତି ହେଲା । ଦୁର୍ଗା ପୂଜାରେ ଯେତେବେଳେ ମୁଁ ବାପାଙ୍କ ଘରକୁ ଆସିଥିଲି ସେତେବେଳେ ଦିନେ ବାପା ,ମାଁ ଙ୍କୁ କହୁଥିବାର ଶୁଣିଥିଲି ଯେ ବାପା ମୋ ପ୍ରିୟ ଚିତ୍ରକର ଙ୍କୁ ହତ୍ଯା କରି ସେ ପୁରକୁ ପଠାଇ ଦେଇଛନ୍ତି ମୋ ବାହାଘର ଆଗରୁ । ମୁଁ ଏଇ କଥା ଶୁଣିବା ପରେ ନିଜକୁ ସମ୍ଭାଳି ପାରିବ ନ ଥିଲି । ଯାହାଙ୍କର ଜୀବନ ରକ୍ଷା ପାଇଁ ମୁଁ ମୋ ପ୍ରେମର ସମାଧି ଦେଇ ଆଉ ଜଣଙ୍କୁ ବିବାହ କଲି, ସେ ସବୁର ଏଇ ଦୁଃଖଦ ପରିଣତି ମୋ ମନ ସହ୍ଯ କରି ପାରିଲାନି । ମୁଁ ମୋ ମାନସିକ ସନ୍ତୁଳନ ହରାଇ ଲି, ଖାଇବା ଛାଡିଦେଲି । ପାଗଳୀ ହୋଇ ଇତଃସ୍ତତଃ ଘୁରି ବୁଲିଲି । ଆଉ ଶେଷରେ, ଦିନେ ମୁଁ ଏ ସମସ୍ତ ମାୟା ବନ୍ଧନ ରୁ ମୁକ୍ତ ହୋଇଗଲି ।" ସୁନ୍ଦରୀ ଏତିକି କହି ଚୁପ୍ ହୋଇଗଲା । ଆଖିରୁ ତାର ଝରିପଡ଼ୁଥାଏ ଅଶ୍ରୁଧାର । ଶିଳ୍ପୀ ଅବାକ୍ ହୋଇ ଦେଖୁଥାଏ ତାକୁ। ତାହେଲେ ସେ ଏତେ ଦିନ ଧରି ଯାହାର ପ୍ରତିମୂର୍ତ୍ତି ଗଢୁ ଥିଲା ସେ ବାସ୍ତବ ନୁହେଁ। କଳ୍ପନା ନା ଆଉ କିଛି । ପ୍ରାଚୀ ତଟେ ଉଷାର ଲାଲିମା ଭୋର ହେବାର ସଂକେତ ଦେଉଥାଏ ।" ମୁଁ ଏଥର ପ୍ରସ୍ଥାନ କରିବି ଶିଳ୍ପୀ । କଳା ପ୍ରତି ମୋର ସେଇଦିନ ର ଆକର୍ଷଣ ମୋତେ ତୁମ ଏଇ ଅସାଧାରଣ କଳାକୃତି ପାଖକୁ ଟାଣି ଆଣିଥିଲା । ତୁମ ପାଖରେ ମୁଁ ମୋ ପ୍ରିୟ ଚିତ୍ରକର ଙ୍କର କଳା ସାଧନା , କଳା ପ୍ରତି ଆକର୍ଷଣ ଦେଖି ତୁମ ପାଖକୁ ଚାଲି ଆସିଥିଲି ।ଏଇ କଳା ପ୍ରେମ ମୋ ଜୀବନର କାନଭାସରେ ଏକ ବିରହର ରଂଗ ଭରିଦେଇ ଥିଲା କିନ୍ତୁ ତୁମେ ସେଥିରେ କଳା ପ୍ରତି ତ୍ଯାଗ, ତପସ୍ଯା, ପ୍ରେମର ପରାକାଷ୍ଠା ଫୁଟାଇଛ। ତୁମ କଳାର ସାଧନା ସବୁଦିନ ଏମିତି ଉତ୍କର୍ଷତା ଲଭୁ। ବିଦାୟ ଶିଳ୍ପୀ ।" ଶିଳ୍ପୀ ନିର୍ବାକ ହୋଇ ସେଇ ଅଦୃଶ୍ଯ ମହା ମାନବୀ ର ଭାବନାରେ ତଲ୍ଲୀନ, ସ୍ତବ୍ଧ ହୋଇ ତା ଯିବା ପଥକୁ ଶୂନ୍ଯ ଆଖିରେ ଚାହିଁଥାଏ ।