କଳା କୁକୁର
କଳା କୁକୁର
କଳା କୁକୁର ଖୋଜା ଚାଲିଛି । ସକାଳୁ ଦ୍ବିପ୍ରହର ପର୍ଯ୍ୟନ୍ତ ଖୋଜିଖୋଜି ଗୋଟିଏ ହେଲେ କଳା କୁକୁର ମିଳିନାହାନ୍ତି । ନାଲିଆ କସରା ଆଉ ଏହିଭଳିଆ କିଛି କୁକୁର ରାସ୍ତା ପାଖ ନାଳ ଭିତରେ ମିଳିଲା ଯେ ହେଲେ ଅଧିକାଂଶ ଙ୍କର ରଂଗ ଜଣାପଡୁନି । ନର୍ଦ୍ଦମାର ରଂଗରେ କିଛି କୁକୁର କଳା ଦିଶୁଥିଲେ ତ କିଛି ଅଇଁଠା ଖାଦ୍ୟ ଖାଇବାରେ ବ୍ୟସ୍ତ ଥିଲେ । କିନ୍ତୁ ସେମାନଙ୍କ ଠାରୁ ଯଦି ଆଉ କେହି ବେଶି ବ୍ୟସ୍ତ ବିବ୍ରତ ଥିଲେ ସେ ହେଲେ ସାହୁ ବାବୁ ।
ସତ୍ୟପ୍ରକାଶ ସାହୁ ! ଜିଲ୍ଲା ତହସିଲ୍ ବିଭାଗ କାର୍ଯ୍ୟାଳୟର କିରାଣୀ । ଦୁଃଖେ କଷ୍ଟେ ନିଜର ବିରାଟ ପରିବାରରପ୍ରତିପୋଷଣ କରନ୍ତି । ବିରାଟ ପରିବାର କହିଲେ ନିଜ ବାପା ମା ବେରୋଜଗାରିଆ ଜଣେ ଅବିବାହିତ ଭାଇ ନିଜ ସ୍ତ୍ରୀ ଆଉ ଦୁଇ କଲେଜ ପଢୁଆ ପୁଅ । ସମସ୍ତଙ୍କୁ ନେଇ ସାହୁବାବୁଙ୍କ ପରିବାର । ସତ କହିବାକୁ ଗଲେ ନିଜ ନାଁଟାକୁ ଶତ ପ୍ରତିଶତ ଚରିତାର୍ଥ କରୁଥିବା ତାଙ୍କ ବ୍ୟକ୍ତିତ୍ବ ଆଜିର ସମାଜ ପାଇଁ ଆବଶ୍ୟକ ନା ଅନାବଶ୍ୟକ ସେ କଥା ଭାବିବସିଲେ ଭାବନା ସରିଯିବ ବିନା ଉପସଂହାରରେ । ସମସ୍ତଙ୍କ ଧାରଣା କିରାଣୀ ମାନଙ୍କର ଉପୁରି ଅନେକ । ସେଇଟା ଯଦି ପୁଣି ତହସିଲ ଅଫିସ୍ ହୁଏ ତେବେ ଆଉ ନପଚାରିବା ଭଲ । ତେଣୁ ସେହି ମର୍ମରେ ସାହୁବାବୁଙ୍କ ରୋଜଗାର ବହୁତ । ହେଲେ ଜାଣିବା ଲୋକ ଠିକ୍ ଜାଣେ ସାହୁବାବୁଙ୍କ ବ୍ୟକ୍ତିତ୍ବର ଗଭୀରତା ଆଉ ଅର୍ଥରପ୍ରାଚୁର୍ଯ୍ୟତା କେତେ ! ଯଦି ପ୍ରତିଶତ ଟା କାର୍ଯ୍ୟଦକ୍ଷତାରମାନକ ହୁଅନ୍ତା ତେବେ ତାହା ଶତ ପ୍ରତିଶତରୁ ଟିକିଏ ହେଲେ ଉଣା ହୁଅନ୍ତା ନାହିଁ ସାହୁବାବୁଙ୍କ କ୍ଷେତ୍ର ରେ । ଜୀବନରେ କେବେ କାହା ଆଗରେ କୌଣସି ବି ପରିସ୍ଥିତିରେ ନିଜ ସ୍ବାଭିମାନକୁ ବିକ୍ରି କରିନଥିବା ସାହୁବାବୁଙ୍କର ଅଫିସରେ କାହାସହ ଭଲ ପଡେନାହିଁ । କାହିଁକି ନା ସେ ସିଧାସିଧା ଅପ୍ରିୟ ସତ କଥାଟା କହିଦେବା ଲୋକ । ତେଣୁ ଅନେକ ସମୟରେ ସତ କଥା ଅନେକେଙ୍କୁ ଅପ୍ରିୟ ଲାଗେ ଆଉ ଯେଉଁଥିପାଇଁ ସାହୁବାବୁ ଅଫିସ୍ ରେ କାହାରି ପ୍ରିୟଭାଜନ ନୁହନ୍ତି । ତାଙ୍କ ନଜର ରେ ଯେଉଁଟା ଠିକ୍ ' ଠିକ୍ ; ଯେଉଁଟା ଭୁଲ୍ , ଯେତେ ବଡ ଅଫିସର କହିଲେବି ସେଇଟା ଭୁଲ୍ ।
ଅଫିସର ଆଗରେ ନସରପସର ହେବା ; ତାଙ୍କୁ ତେଲ ମାରିବା ଗୁଣ ସାହୁବାବୁଙ୍କର ଜିନ୍ ରେ ନାହିଁ । ତାଙ୍କ ପାଇଁ ଅଫିସ୍ ରେ ଅନ୍ୟ କର୍ମଚାରୀଙ୍କ ଉପୁରି ଚାଷ ଉଜୁଡି ମରୁଡି ପଡିଲାଣି । ତେଣୁ ଉପରୁ ତଳ ଯାଏ ସବୁ ଅଫିସର ଆଉ କର୍ମଚାରୀଙ୍କ କୋପଦୃଷ୍ଟିରେ ସାହୁ ବାବୁ । ଏହାର ଠିକ୍ ଓଲଟା ସାହୁ ବାବୁ ଜନସାଧାରଣ ରେ ଖୁବ୍ ବିଶ୍ବସ୍ତ ଆଉ ଜନପ୍ରିୟ । ତାଙ୍କ ପାଖରେ କାମ ପହନ୍ଚିଲା ମାନେ ଲୋକେ ଆଶ୍ବସ୍ତ ସେମାନଙ୍କ କାମ ସୁରୁଖୁରୁରେ ହୋଇଯିବ । ତାଙ୍କ ପାଇଁ ଲୋକେ ଅନ୍ୟ କର୍ମଚାରୀଙ୍କୁ ହାତଗୁଞା ଦେବା ବନ୍ଦ କରିଦେଲେଣି । ହେଲେ ସତରେ କଣ ଆମ ସମାଜରେ ସାଧୁତା ଆଉ ସଚ୍ଚୋଟତା ପାଇଁ ସମ୍ମାନ ଅଛି ?? ଯଦି ଥାଆନ୍ତା ତାହାହେଲେ ସେଦିନ ଜଣେ ଭୂ ମାଫିଆର ମିଥ୍ୟା ପ୍ରମାଣରେ ସାହୁ ବାବୁ ଙ୍କୁ ଲୋକ ଲଜ୍ୟାର ସମ୍ମୁଖୀନ ହେବାକୁ ପଡିନଥାନ୍ତା କି ଚାକିରି ରୁ ସସପେଣ୍ଡ ହୋଇ ଅଭାବରେ ରହିବାକୁ ପଡୁନଥାନ୍ତା ! ଗରୀବ ଭୂ- ହୀନ ଲୋକ ଙ୍କୁ ଆବଣ୍ଟିତ ହେବାକୁଥିବା ଜମି ଭୂ-ମାଫିଆ ଙ୍କ ହାତକୁ ଟେକିବାରେ ବାଧକ ସାଜିବରୁ ତାଙ୍କୁ ମିଥ୍ୟା ଦୁର୍ନୀତି ଅଭିଯୋଗରେ ଅଭିଯୁକ୍ତ କରାଗଲା । ଯେଉଁ ଲୋକମାନଙ୍କର ସିଏ ଏତେ ବିଶ୍ବସ୍ତ ଥିଲେ ଆଜି ସେମାନେ କୁହାକହି ହେଉଛନ୍ତି ' କିଏ ଜାଣେ ଟଙ୍କା ଲୋଭ ରେ ସାହୁ ବାବୁ ବଂକା ହୋଇଯାଇଥିବେ ! ସିଏ ଉପରିଆ ଟଙ୍କା ପାଇଁ ମନା କରନ୍ତି କିନ୍ତୁ ଭିତରେ ଭିତରେ ପିସି କାରବାର ଚାଲେ । ଆରେ ! ଏ ଲାଇନ୍ ଟା ପରା ସେଇଆ । ଏଇଠିତ ବାଲ୍ମିକୀ ରତ୍ନାକର ପାଲଟି ଯାଆନ୍ତି ' !!! ଜୀବନର ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ମଧ୍ୟ ସାହୁବାବୁ ଅଟଳ ନିର୍ବିକାର ଆଉ ସ୍ଥିତପ୍ରଜ୍ଞ । ନା କାହାରିକୁ ଅଭିମାନ ନା କାହା ପାଖରେ ଅଭିଯୋଗ । ତାଙ୍କ ବଳ ନିଜ ଉପରେ ନିଜର ଅତୁଟ ବିଶ୍ବାସ । ହେଲେ ତାଙ୍କର ଦୁର୍ଦ୍ଦୀନ ରେ ଧୈର୍ଯ୍ୟହରା ତାଙ୍କ ଧର୍ମପତ୍ନୀ କହିଲେ " କେତେ ଆଉ ଅଦାଲତର ଦ୍ବାରସ୍ଥ ହେବା ? ସବୁଆଡୁ ହତାଶ ହୋଇପଡିଲାଣି ମୋ ମନ । ଜ୍ୟୋତିଷଙ୍କୁ ତୁମ ଜାତକଟା ଦେଖାଇଥିଲି । ସିଏ କହିଲେ ରାହୁ ଶନି ଦୁଇଟା ଯାକ ଖରାପ ସମୟ ଦେଇ ଗତିକରୁଛି । ଶ୍ବେତ ଚନ୍ଦନ ମଥାରେ ଲଗାଇବ ଆଉ ସବୁଦିନ କଳା କୁକୁର କୁ ତୁମ ଭାଗର କିଛି ଖାଦ୍ୟ ଖୁଆଇବ " । ପତ୍ନୀଙ୍କ ଜିଦ୍ ଆ
ଗରେ ସାହୁବାବୁଙ୍କୁ ନଇଁବାକୁପଡିଲା ଆଉ ସିଏ ଆଜି ବାହାରିଛନ୍ତି କଳା କୁକୁର ସନ୍ଧାନରେ କିଛି ଖାଦ୍ୟ ପୁଡିଆ ହାତରେ ଧରି ।
ଆଜି ସକାଳୁ କଳା କୁକୁର ପାଇଁ ତାଙ୍କର ଅନୁସନ୍ଧାନ ଚାଲିଛି ଯେ ଚାଲିଛି ସରିବାର ନାଁ ଧରୁନି । ତାହାହେଲେ କଣ ସହରଟା ସାରା କଳା କୁକୁର ନାହାନ୍ତି ! ସବୁ ମରିହଜି ଗଲେଣି ନା କଣ ! ଏମିତି ରଡିଛାଡି କାନ ଫୋଟଉ ଥିବେ । ଦରକାର ଦିନ ମିଳିବେନି । ଏମିତି କିଛି ମନେମନେ ଗୁଣୁଗୁଣୁ କରି ପରିସ୍ଥିତିକୁ ଦୋଷାରୋପ କରୁଥାଆନ୍ତି ସାହୁବାବୁ । ହାତରେ ଥିବା ଖାଇବା ଦେଖି ଅନେକ କୁକୁର ତାଙ୍କ ଆଡକୁ ଦୌଡିଆସୁଥାଆନ୍ତି ଆଉ ଖାଦ୍ୟ ବଦଳରେ ସାହୁବାବୁଙ୍କ ହାତରେ ଥିବା ବାଡିରେ ଦୁଇ ଚାରି ପାହାର ଖାଇ କାଉଁକାଉଁ କରି ଦୌଡିପଳାଉଥାଆନ୍ତି ; କାହିଁକିନା ମାଡ ଖାଉଥିବା କୁକୁର ଙ୍କ ଭିତରେ ଗୋଟିଏ ହେଲେ କଳା କୁକୁର ନଥିଲେ । ଠିକ୍ ସେତିକିବେଳେ ସାହୁବାବୁଙ୍କ ନଜର ପଡିଲା ବଡ ବଜାର ଅଗ୍ରୱାଲ ଘର ଦୁଆର ଆଗରେ ବିରାଟ ଏକ ବାଘ ଭଳିଆ କଳା କୁକୁରଟେ ବନ୍ଧାହୋଇଛି । ତାକୁ ଦେଖିଦେଇ ସାହୁବାବୁଙ୍କ ଖୁସି କହିଲେ ନସରେ । ଦୌଡିଗଲେ କୁକୁର ପାଖକୁ । ହାତରେ ଧରିଥିବା ଖାଦ୍ୟ ପୁଡିଆ କୁ ତା ଆଡକୁ ବଢାଇ ଦିଅନ୍ତେ କୁକୁରରରଡିରେ ମାଲିକ ବାହାରି ଆସି ସାହୁବାବୁଙ୍କୁ ଦି ପଦ ଗାଳି ଶୁଣାଇଦେଲା । ବିଚରା ସାହୁବାବୁ କିଛି ନକହି ତା ପିଣ୍ଡାରୁ ଓହ୍ଲାଇ ଆସିଲେ । ହଠାତ୍ ଅଗ୍ରୱାଲ ଘର ଆଗରେ ଥିବା ବସ୍ ଘଁ ଘଁ ଶବ୍ଦ କରି ଷ୍ଟାଟ୍ ହେଲା ଆଉ ତା ତଳୁ ଧଡପଡ ହୋଇ କୁକୁର ଟିଏ ବାହାରି ଆସିଲା । ମନେମନେ ଭାବିଲେ ଏଇଟା କୁକୁର ନା ଆଉ କଣ ଜୀବଟେ ! କାହିଁ କୁକୁର ଭଳିତ ଦିଶୁନଥିଲା ! ହେଲେ ତାକୁ ଦେଖି କିଛି ସମୟ ପାଇଁ ନିରବ ନିଶ୍ଚଳ ହୋଇପଡିଲେ ସାହୁବାବୁ । ପ୍ରକୃତରେ ସେଇଟା ଥିଲା କୁକୁରଟେ । ଯାହାର ଦୁଇ ଆଖିରେ ପୂଜ ଭର୍ତ୍ତି । ଦେହ ଲୋମଶୂଣ୍ୟ । ଚମଡା ରେ ଘା ଭର୍ତ୍ତିହୋଇ ଦୁର୍ଗନ୍ଧ ବାହାରୁଥାଏ । ହେଲେ ଜଣା ପଡୁନଥାଏ ଏଇଟା କଳା କୁକୁର ନା ଆଉ କେଉଁ ରଂଗର !! ଏଥର କିନ୍ତୁ ସାହୁବାବୁ ଙ୍କ ମନଟା ପ୍ରତିବାଦ କରିଉଠିଲା । ଏଇଟା ଯାହାବି ରଂଗ ହେଉ ଏହାକୁ ହିଁ ଖାଇବାକୁ ଦେବି । ଏହା ଭାବି ତା ଆଗରେ ଖାଦ୍ୟ ପୁଡିଆ ରଖିଦେଲେ । ସେଇଟା କିନ୍ତୁ ଖାଇଲାନି କି କଳା କୁକୁରଟା ପରି ପ୍ରତିବାଦ ବି କଲାନି । କେମିତି ଖାଇବ ? ଶରୀରରଯନ୍ତ୍ରଣା ଆଗରେ ବୋଧେ ଭୋକ ହାରିଯାଇଛି ! ତଥାପି ସାହୁ ବାବୁଙ୍କ ଖାଦ୍ୟରୁ କିଛି ଖାଇ ଚୁପଚାପ୍ ରାସ୍ତାକଡରେ ଗଡିଗଲା । ଏଥର ସାହୁବାବୁ ଫୋନ୍ କଲେ ତାଙ୍କ ସାଂଗ କୁ ଯିଏ ଜଣେ ଭେଟେନାରୀ ଡକ୍ଟର । ସେ ଆସି ପ୍ରଥମେ ହସିଗଲା କିନ୍ତୁ ସାହୁବାବୁଙ୍କ ଜିଦ୍ ଆଗରେ ହାରି ସେ କୁକୁରଟିର ଟ୍ରିଟମେଣ୍ଟରେ ଲାଗିପଡିଲା । ଏତିକିବେଳେ ସାହୁବାବୁଙ୍କ ସହଧର୍ମିଣୀ ଫୋନ୍ କରି ପଚାରିଲେ " ହୋଇହୋ ! କଳା କୁକୁର ପାଇଲନା ! ଅନ୍ୟ କୋଉ କୁକୁରକୁ ଦେବନି ! ଶିଘ୍ର ଦେଇ ଘରକୁ ଆସ " । କିଛି ନକହି ଫୋନ୍ କାଟିଦେଲେ ସାହୁବାବୁ । ଆଉ ଥରେ ସେ ଅସୁସ୍ଥ କୁକୁରରପୁଜ ଭର୍ତ୍ତି ଆଖିକୁ ଦେଖିଲେ । ମନେମନେ ଭାବୁଥିଲେ ଆବଶ୍ୟକତାଟା ସ୍ବାର୍ଥପାଇଁ ନା ସ୍ବାର୍ଥକୁ ନେଇ ଆବଶ୍ୟକତା ! ସତରେ କଣ କଳା କୁକୁରଟେ ନିହାତି ଦରକାର ! ଯାହା ପାଖରେ ନିଜ ସ୍ବାର୍ଥ ଅଛି ତାର ଆବଶ୍ୟକ ନାହିଁ ଆଉ ଯାହାର ଆବଶ୍ୟକତା ଅଛି ତାଠାରେ ନିଜ ସ୍ବାର୍ଥ ନାହିଁ ! ତାମାନେ ସ୍ବାର୍ଥ ଆଗରେ କଣ ମାନବିକତା କିଛି ନୁହେଁ ! କେମିତି ହେବ ; ସବୁଠାରୁ ବିଶ୍ବସ୍ତ ଜୀବଟା ପରା ଏଦେଶରେ ଅବର୍ଜନା ଭିତରେ ପଡିରହି କେତେବେଳେ ଅଇଁଠା ଖାଉଛି ତ କେତେବେଳେ ଠେଂଗାମାଡ । ସେତେବେଳେ ତା ବିଶ୍ବସ୍ତତାକୁ ପଚାରୁଛି କିଏ ? ଭଲ ହେଲା ଏ ରାହୁ ଶନି ରିଷ୍ଟ ଆଳରେ ଏ ବିଶ୍ବସ୍ତ ଜୀବଟାକୁ ଖୋଜାପଡୁଛି ! ତା ବିଶ୍ବସ୍ତତା ପାଇଁ ନହେଉ ପଛେ ସ୍ବାର୍ଥପାଇଁ ଖୋଜାପଡୁଛି । ହଠାତ୍ ସାହୁବାବୁଙ୍କ ଫୋନ୍ ବାଜିଉଠିଲା । ସେପଟୁ ଭାସିଆସିଲା ଗୋଟିଏ ଅଜଣା ସ୍ବର " ସାର୍ ! ମୁଁ ବିବେକ କହୁଛି । ଦୁଇ ବର୍ଷ ଆଗରୁ ଯେଉଁ ପିଲାର କାଷ୍ଟ ସାର୍ଟିଫିକେଟ ପାଇଁ ଆପଣ ତହସିଲଦାର ଙ୍କ ସାଂଗରେ ଝଗଡାକରିଥିଲେ ! ମୁଁ ଏଇଠି ନୂଆ ଭିଜିଲାନ୍ସ ଅଫିସର ଭାବେ ଯୋଗଦେଇଛି । ଆପଣଙ୍କ କେସ୍ଟା ଫଲ୍ସ ବୋଲି ମୁଁ ପ୍ରମାଣ ପାଇସାରିଛି " । ଏକଥା ଶୁଣି ସାହୁବାବୁ ମୁହଁରେ ହସ ଫୁଟିଉଠିଲା । ନଜର ପଡିଲା ସେ କୁକୁର ଉପରେ । ତା ଆଖିରେ ସ୍ପଷ୍ଟ ବାରିହୋଇପଡୁଥାଏ ଯନ୍ତ୍ରଣା ପ୍ରଶମିତ ହେବାର ଚିହ୍ନ ॥