STORYMIRROR

Seetaram Dash

Tragedy

3  

Seetaram Dash

Tragedy

କଜଳପାତି

କଜଳପାତି

6 mins
11.8K


ଗାଁର ଶେଷ ମୁଣ୍ଡରେ ନୁଆଁଣିଆ ଚାଳ ଘରଟିଏ। ଘର ଆଗରେ ବାଉଁଶ ଆଉ ଶାଗୁଆନ ଗଛ ସବୁ ଲମ୍ବି ଯାଇଛି, ଦୂରକୁ ଅନେକ ଦୂରକୁ। ଶାଗୁଆନ ଗଛର ନହକିଆ ଡାଳରେ କଜଳପାତିର ବସାଟିଏ । ଘର ଭିତରୁ ଦଶ ବର୍ଷର ପିଲାଟିଏ ସବୁବେଳେ ଲକ୍ଷ୍ୟ କରେ ପକ୍ଷୀ ଦୁଇଟିଙ୍କୁ। କଜଳପାତିର ଚିକ୍କଣ କଳା ରଙ୍ଗ ସହିତ ପେଟ ପାଖର ଧଳା ଚିହ୍ନ ତାକୁ ଖୁଵ୍ ଭଲ ଲାଗେ। ତାର ଦୁଇ ଫାଳିଆ ଲାଞ୍ଜ ପାଇଁ ସେ ଅନ୍ୟ ପକ୍ଷୀ ମାନଙ୍କ ଠୁ ଅଲଗା ବାରି ହୋଇ ପଡେ।


ସେ ଗଛର ଆଖ ପାଖକୁ କାଉ ଚିଲ ଛଞ୍ଚାଣ ଇତ୍ୟାଦି ବଡ଼ ବଡ଼ ଶିକାରି ପକ୍ଷୀ କଜଳପାତିର ଭୟରେ ପାଖ ମାଡନ୍ତି ନାହିଁ। ଗାଁର ମାଙ୍କଡ଼ ଦଳ ବି ସେ ଗଛର ବେଶ ଦୂରରେ ଡିଆଁ ଡେଇଁ କରନ୍ତି। ଦେଢ଼ ଚାଖଣ୍ଡେ ଲମ୍ବ, ଦେଢ଼ ଶହ ଗ୍ରାମ ଓଜନର ଟିକି ଚଢ଼େଇଟିର ଏତେ ପରାକ୍ରମ! ଏହି ନିର୍ଭୀକ ଓ ସହାସୀ ଗୁଣ ପାଇଁ ଶୁଭ କଜଳପାତିକୁ ବହୁତ ଭଲପାଏ। ଯେତେବେଳେ କଜଳପାତିଟି ଟିହି ଟିହି ଶବ୍ଦ କରି ଅନ୍ୟ ବଡ଼ ଚଢେଇ କିମ୍ବା ମାଙ୍କଡ଼ମାନଙ୍କୁ ଆକ୍ରମଣ କରେ, ଶୁଭ ମନେ ମନେ ଉଲ୍ଲସିତ ହୁଏ। ଅନେକ ସମୟରେ ଚଢେଇ ଦୁଇଟି ଗାଁ ଦାଣ୍ଡର ବିଜୁଳି ତାର ନ ହେଲେ ହେଲେ ଫସଲର ସୁରକ୍ଷା ପାଇଁ ଦିଆ ଯାଇଥିବା ବାଉଁଶ ବାଡ଼ ଉପରେ ବସନ୍ତି। ଶୁଭ ସବୁବେଳେ ସେମାନଙ୍କୁ ଦୂରରୁ ଦେଖୁଥାଏ।


ଶ୍ରାବଣ ମାସର ଘନ ଘୋର ବର୍ଷା ଦିନ। ମୁଷଳ ଧାରା ବର୍ଷାରୁ କଅଁଳ ଶାବକ ମାନଙ୍କୁ ରକ୍ଷା କରିବା ପାଇଁ ପକ୍ଷୀ ଦୁଇଟି ନିରନ୍ତର ଉଦ୍ୟମ କରୁଥାନ୍ତି। ଜଣେ ବସାରେ କିଛି ସମୟ ଡେଣା ମେଲାଇ ବସି ଉଡି ଯିବା ପୂର୍ବରୁ ଅନ୍ୟ ଜଣେ ତା ଜାଗା କୁ ଅଧିକାର କରିନେଉ ଥାଏ। ଉଭୟଙ୍କର ଅପୂର୍ବ ତାଳମେଳ। କେବଳ ମଣିଷ ନୁହେଁ, ସୃଷ୍ଟିର ପ୍ରତ୍ୟେକ ପ୍ରାଣୀ ନିଜ ସନ୍ତାନ ପାଇଁ ନିଜର ସମସ୍ତ ସୁଖ ସୁବିଧାକୁ ଜଳାଞ୍ଜଳି ଦିଅନ୍ତି। ବର୍ଷା ଟିକେ ଛାଡ଼ି ଗଲେ ପକ୍ଷୀ ଦୁଇଟି ଅନେକ ଆଡୁ ପୋକ ଜୋକ ସଂଗ୍ରହ କରି ଛୁଆ ଦୁଇଟିର ମୁହଁରେ ଦିଅନ୍ତି। 


ବର୍ଷା ଦିନ ଚାଲିଯାଏ। ଶାବକ ମାନଙ୍କର ଦେହ କଳାରଙ୍ଗର ପରରେ ଭର୍ତ୍ତି ହୋଇଯାଏ। ଏବେ ମା ଚଢେଇ ଖାଦ୍ୟ ଆଣି ଆସିଲେ ଶାବକ ମାନେ ବସାରୁ ବାହାରି ପାଖ ଡାଳକୁ ଚାଲି ଆସନ୍ତି। ମା ଚଢେଇ ଶାବକ ମାନଙ୍କ ମୁହଁରେ ଆହାର ଦେଇ ଚାଲିଯାଏ। ପିଲା ମାନଙ୍କ ପାଇଁ କି ନିରନ୍ତର ସାଧନା! ଛୋଟ ପିଲାଟି କୌତୁହଳ ବଶତ ସବୁ ଦେଖେ। ତାର କଅଁଳ ମନ ସେ ମା' ଚଢ଼େଇଟି ସମ୍ବନ୍ଧରେ ଅନେକ କଥା ଭାବୁ ଥାଏ।


ଏବେ ଶାବକ ମାନେ ଟିକେ ବଡ଼ ହୋଇ ଗଲେଣି। ମା ସାଙ୍ଗରେ ଏ ଡାଳରୁ ସେ ଡାଳକୁ ଉଡି ବୁଲୁଛନ୍ତି। ବେଳେବେଳେ ପାଖ ଵିଲର ଉଚ୍ଚା ହିଡ଼ ଉପରେ ବସନ୍ତି। ସମସ୍ତେ ମିଳିମିଶି ଖାଦ୍ୟ ଖୋଜି ଖାଆନ୍ତି। ସନ୍ଧ୍ୟାରେ ପୁଣି ଫେରି ଆସନ୍ତି ସେଇ ପୁରୁଣା ବସାକୁ।


ଦିନେ ଶୁଭ ଲକ୍ଷ୍ୟ କଲା, ଚଢେଇ ଦୁଇଟି ନୀରବରେ ବସିଛନ୍ତି, କିନ୍ତୁ ଶାବକ ନାହାଁନ୍ତି। ସେ ଆଖ ପାଖରେ ଥିବା ସମସ୍ତ ଗଛ ଡାଳ ଗୁଡିକ ଭିତରେ ଶାବକ ମାନଙ୍କୁ ଅନେକ ଖୋଜିଲା। ଦିନ ଯାଇ ରାତି ଆସିଲା। ତା ପରେ ସପ୍ତାହ, ମାସ ବିତିଗଲା। କିନ୍ତୁ ସେ ଶାବକ ଦୁଇଟି ଆଉ ଫେରିଲେ ନାହିଁ। ଧୀରେ ଧୀରେ ସେ ଅଲୋଡ଼ା ବସାଟି ଭାଙ୍ଗି ତଳକୁ ଖସି ପଡିଲା । ଏସବୁ ଦେଖି, ଶୁଭର ବାଳୁତ ମନ ମା ଚଢେଇ ପାଇଁ ବ୍ୟାକୁଳିତ ହୋଇ ଉଠିଲା। ସେ ବୋଉର କାନିରେ ମୁହଁ ଲୁଚାଇ ପଚାରିଲା, "ବୋଉ' ସେ ଛୁଆ ଦୁଇଟି ବାପା ମାଙ୍କୁ କିପରି ଭୁଲିଗଲେ? ତାଙ୍କର କଣ ମା କଥା ମନେ ପଡୁନି? ସେମାନେ ନିଜ ବାପା ମାଙ୍କ ପାଖରେ ନ ରହି ଅଲଗା କାହିଁକି ରହୁଛନ୍ତି? ମା ଚଢେଇ କେତେ ଖୋଜୁଥିବ ତା ପିଲାମାନଙ୍କୁ। ଖରା, ବର୍ଷା, ଆଉ ଶୀତ କାକରରେ ଏତେ କଷ୍ଟ କରି ନିଜେ ନ ଖାଇ, ନ ପିଇ ପିଲାମାନଙ୍କୁ ପାଳିବାରେ ତାର କି ଲାଭ?"


ବୋଉ ଭାବପ୍ରବଣ ହୋଇ ଶୁଭକୁ କୋଳରେ ଜାକି ଧରି, ତା ମୁଣ୍ଡକୁ ଆଉଁଷି ଦେଲେ। ତାଙ୍କ ଆଖିରୁ ଦୁଇ ଟୋପା ଲୁହ ଝରି ଗଲା। ଉଦାସ ମନରେ ଛେପ ଢ଼ୋକି ସେ କହିଲେ, "ଆରେ ପାଗଳା, କେତେ କଥା ଭାବୁଛୁ। ସେ କଣ ଆମ ଭଳି ମଣିଷ, ସବୁବେଳେ ଏକାଠି ରହିବେ?" ଶୁଭ ବୋଉକୁ ଭିଡି ଧରି କହିଲା, "ମୁଁ ତତେ ଛାଡି କୁଆଡେ ଯିବିନି।" ବୋଉର ଆଲିଙ୍ଗନ ଆହୁରି ଦୃଢ଼ ହେଲା। ମା ପୁଅ ଦୁହେଁ ଆଖିରୁ ଲୁହ ପୋଛିଲେ।


ଦିନେ ଅଦିନିଆ ଝଡ଼ ସବୁ ଉଜାଡ଼ି ଦେଲା। ବଡ଼ ବଡ଼ ଅନେକ ଗଛ ଭାଙ୍ଗି ଭୂମିରେ ଲୋଟିଲା। ପର ଦିନ ସକାଳେ ଅନେକ କାଉ କା କା ଶବ୍ଦରେ ଚଉଦିଗ କମ୍ପାଉ ଥିଲେ। ସତେ ଯେମିତି ସେମାନେ କାହା ପାଇଁ ବିଦ୍ରୋହ କରୁଛନ୍ତି। ଜଣା ପଡିଲା, କଜଳପାତିଟିଏ ମରି ବାଉଁଶ ବୁଦା ମୂଳରେ ପଡିଛି। କେହି ଜଣେ ମଲା ଚଢେଇକୁ ନେଇ ଦୂରରେ ଫିଙ୍ଗି ଦେଲା। କାଉ ମାନେ ସେ ମୃତ କଜଳପାତିର ଆଖପାଖରେ ଉଡି ଉଡି ରାବୁଥିଲେ। ଅନେକ ଛୋଟ ଛୋଟ ପିଲାଙ୍କୁ ଏହା ଖୁବ ଆନନ୍ଦ ଦେଲା, କିନ୍ତୁ ଭିଡ଼ ଭିତରେ ଶୁଭ ଭାବୁଥିଲା ଅନେକ କଥା...।


ଶୁଭ ଖୁବ ଭଲ ପଢେ। ବାପା ମା ଯେତେ ଅଭାବ ଅସୁବିଧାରେ ଥିଲେ ମଧ୍ୟ, ପୁଅର ପଢା ପଢିରେ କେବେ ଅବହେଳା କରନ୍ତି ନାହିଁ। କଲେଜ ପରେ ପୁଅର ସୁନ୍ଦର ଭବିଷ୍ୟତ ପାଇଁ ଇଂଜିନିୟରିଂ ରେ ନାମ ଲେଖାଇଲେ। ଶୁଭ ହଷ୍ଟେଲରେ ରହି ପାଠ ପଢିଲା। ପଢ଼ାରେ ଅନେକ ଖର୍ଚ୍ଚ। ଶୁଭର ପଢ଼ା ସରିଲା ବେଳକୁ ବାପାଙ୍

କ ସବୁ ଜମି ବିକ୍ରି ସରିଥିଲା। ସାହି ଭାଇ ହସୁଥିଲେ। ବୋଉ ବି ଭାରି ବ୍ୟସ୍ତ ହେଉଥିଲେ। କିନ୍ତୁ ବାପା ସ୍ଥିର ନିଶ୍ଚିତ। ସେ କହୁଥିଲେ, "ଦେଖିବ, ଶୁଭ ଚାକିରୀ କଲେ କେତେ ଜମି କିଣା ହେବ।"


ଶୁଭ ଏବେ ଆମେରିକାରେ ସଫ୍ଟଓୟାର ଇଂଜିନିୟର। ଗାଁରେ ସୁନ୍ଦର କୋଠା ଘର, ଜମିବାଡ଼ି, ଟଙ୍କା ପଇସା କେଉଁଥିରେ ଅଭାଵ ନାହିଁ। ସବୁ ଭିତରେ ପୁଅକୁ ଏତେ ଦୂର ଛାଡି ବାପା ମା ଖୁସି ହୋଇ ପାରନ୍ତି ନାହିଁ। ଏତେ ବଡ଼ ଘର ଭିତରେ ରହିବାକୁ କେହି ନାହିଁ। ଚାରିଆଡେ ଏକଲା ପଣ। ଶୁଭ ଅନେକ ଥର ବାପା ମାଙ୍କୁ କହେ ଆମେରିକା ନେଇ ଯିବାକୁ କିନ୍ତୁ ଭିଟାମାଟିର ମୋହ ସେମାନଙ୍କୁ ଯିବାକୁ ଦିଏ ନାହିଁ।


ଆଜିକାଲି ବାପାଙ୍କର ଅସୁସ୍ଥତା ଲାଗି ରହୁଛି। ଗାଁରୁ ବୋଉର ବାରମ୍ବାର ଫୋନ ଆସେ। ଯେମିତି ହେଲେ ଘରକୁ ଆସିବାକୁ ପଡିବ। ଶୁଭେନ୍ଦୁ ନିରୁପାୟ। ଏବେ ସେ ମଲ୍ଟି ନାସନାଲ କମ୍ପାନୀରେ ଆଇଟି ମ୍ୟାନେଜର। ଦଶ ରୁ ସାତଟା ଯାଏଁ ଅଫିସ ହେଲେବି ପ୍ରାୟ ଏଗାରଟା ଯାଏଁ ରହିବାକୁ ପଡେ। କ୍ଲାଏଣ୍ଟ ମାନଙ୍କର ଅନେକ ଅଭିଯୋଗ। ସିଇଓ ଙ୍କ ତାଗିଦ। ଅନେକ ପ୍ରୋଜେକ୍ଟ ଡେଲିଭରି ବାକି। ତା ସାଙ୍ଗକୁ ଜୁନିଏର ପିଲାଙ୍କ ଅବହେଳା। ଏସବୁ ଭିତରେ ଘର କଥା, ବାପା ମାଙ୍କ କଥା ଭାବିବାକୁ ତାର ସମୟ ନ ଥାଏ। ମାସ ଶେଷରେ ଟଙ୍କା ପଠାଇ ଦେଇ, ସେ ନିଜ କାମରେ ବ୍ୟସ୍ତ ରୁହେ।


ବୋଉର ବଳ ବୟସ ଆଉ ନାହିଁ। ତାରି ଭିତରେ ପଡି ଉଠି ସବୁ କାମ କରିବାକୁ ପଡେ। ଦେହର ରୋଗ ଦେହରେ ମରେ। ଘର ଦୁଆର ଓଳାଓଳି, ଲିପାପୋଛା ତା ସାଙ୍ଗକୁ ବାସନ ମଜା, ସବୁ କରିବାକୁ ହୁଏ। ବେଳେବେଳେ କଣ ଟିକେ କରି ଖାଇଲା ବେଳକୁ ଦିନ ଦୁଇଟା ହୁଏ। ପେଟକୁ ଦାନା ଟିକେ ଗଲେ ଦେହ ହାତ ଝାଇଁ ଝାଇଁ ହୋଇଯାଏ। ବୁଢ଼ୀ ମଣିଷ, ଅଇଁଠା ହାତରେ ସେଇଠି ଶୋଇ ପଡେ। ନିଦ ଭାଙ୍ଗିଲା ବେଳକୁ ସନ୍ଧ୍ୟା। ଅନେକ ଥର ରାତି ଖାଇବା ରାନ୍ଧି ସାରି ଉଠିଲା ବେଳକୁ ଆଣ୍ଟା ସଳଖ ହୁଏନି। ଟିକେ ଦମ ନେବାପାଇଁ ବୁଢ଼ୀ ସେଇଠି ଶୋଇ ପଡେ। କେତେ ରାତିକୁ ନିଦ ଭାଙ୍ଗେ ତାର ହିସାବ ନ ଥାଏ। 


ଅନେକ ଥର ପାହାନ୍ତା ପହରର ନିଦରେ ବୋଉ ସ୍ବପ୍ନ ଦେଖନ୍ତି, "ତାଙ୍କର ବିଗତ ଅତୀତକୁ। କେତେ ସୁନ୍ଦର ସେ ଦିନ ସବୁ! କୁନି ପୁଅ ଶୁଭକୁ କାନ୍ଧରେ ବସାଇ, ସେ ଜହ୍ନ ଦେଖାଇ କୁହନ୍ତି, "ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାଁହ୍ନୁ ହାତରେ ପଡ଼ରେ ଖସି"। ସ୍ୱପ୍ନରେ ଅବୁଝା ପୁଅକୁ ବୁଝାଇବା ପାଇଁ ସେ ଆକାଶର ଗୋଟି ଗୋଟି ତାରାଙ୍କୁ ଦେଖାଇ କେତେ ସତ ମିଛ କାହାଣୀ କୁହନ୍ତି। ସକାଳୁ ଗୋବରରେ ଘସି ପାରିଲା ବେଳେ ପୁଅ ତାଙ୍କ ବେକରେ ନାଉ ହୋଇ ଯାଉଛି। ବାପାଙ୍କ ଠାରୁ ଗାଳି ଶୁଣି ଶୁଭ ମାର ପଣତରେ ଲୁଚୁଛି। ପୁଅର ସାମାନ୍ୟ ଜ୍ୱରରେ ବ୍ୟତି ବ୍ୟସ୍ତ ହୋଇ ସେ ଗ୍ରାମ ଦେବତୀଙ୍କ ପାଖରେ ସଞ୍ଜ ଦୀପ ଜାଲୁଛନ୍ତି। ସ୍କୁଲ ରୁ ଫେରୁଥିବା ସମୟରେ ବାରିପଟ ଦେବଦାରୁ ଗଛ ତଳେ ସେ ଅପେକ୍ଷା କରିଛନ୍ତି। ରଜ ପର୍ବରେ ଦାଣ୍ଡ ପଟ ପିଜୁଳି ଗଛରେ ଦୋଳିରେ ପୁଅ ଶୁଭକୁ ଝୁଲାଉଛନ୍ତି। ନିଦ ଭାଙ୍ଗିଗଲା ପରେ ସେ ଦେଖନ୍ତି ଚାରିଆଡେ ନୀରବତା। ପାଖରେ କେହି ନ ଥାନ୍ତି। 


ବୋଉ ଏବେ ଶୁଭ ପାଖକୁ ସେ ଆଗ ଭଳି ଫୋନ କରନ୍ତି ନି। ଫୋନ କଲେ ବି ଶୁଭ ପାଖରେ ସମୟ ନ ଥାଏ। ବେଳେବେଳେ ସମୟ ହେଲେ ସେ ଦାଣ୍ଡ ପିଣ୍ଡାରେ ବସି ଶାଗୁଆନ ଗଛ ଗୁଡିକୁ ଅନ୍ୟମନସ୍କ ହୋଇ ଚାହିଁ ରୁହନ୍ତି। ତାଙ୍କୁ ଲାଗେ ଶୁଭ ସ୍କୁଲରୁ ସାଙ୍ଗ ମାନଙ୍କ ସହ ଆସୁଛି। ଖାଇବା ବାଢି ଦେବାପାଇଁ ଡାକୁଛି। କେତେ ହସି ହସାଉଛି କେତେ ନାଚି ନଚାଇଛି। ତାଙ୍କ ଆଖିରେ ଲୁହ ଜକେଇ ଆସେ। ସବୁ ଜାଲୁଜାଲୁଆ ଦିଶେ। ସେ ମନେ ମନେ କୁହନ୍ତି କଜଳପାତି ହେଉ କି ମଣିଷ, ଶେଷ ସମୟରେ ସମସ୍ତେ ନିଃସହାୟ।


ଆଜି ଭୟଙ୍କର ବର୍ଷା ରାତି, ଦିଗ ଭାଗ ଅନ୍ଧାର। ବାହାରେ ବିଜୁଳି ଘଡଘଡି ସହ ଝଡ଼ ତୋଫାନ। ବାପାଙ୍କର ଛାତିରେ ଯନ୍ତ୍ରଣା ଆରମ୍ଭ ହେଲା। ବୋଉ ବୁଢ଼ୀ ମଣିଷ, ବ୍ୟସ୍ତ ବିବ୍ରତ ହୋଇ ପାଖାପାଖି ବନ୍ଧୁବାନ୍ଧବଙ୍କୁ ଫୋନ ଲଗାଇଲେ କିନ୍ତୁ ନେଟୱାର୍କ ଆସୁ ନ ଥିବାରୁ କାହା ସହ ସମ୍ପର୍କ ହୋଇ ପାରିଲା ନାହିଁ। ବାହାରେ ବର୍ଷା ଆଉ ପବନର ତାଣ୍ଡବ। ସେ ନିରୁପାୟ ହୋଇ ଝରକା ଖୋଲି ପାଖ ପଡ଼ିଶାଙ୍କୁ ବିକଳ ହୋଇ ଡାକିଲେ, କିନ୍ତୁ ସବୁ ନିରର୍ଥକ। ଯନ୍ତ୍ରଣାରେ ଛଟପଟ ହୋଇ ବାପା ଶେଷ ନିଶ୍ୱାସ ତ୍ୟାଗକଲେ। ବୋଉ ବାପାଙ୍କ ଛାତିରେ ମୁଣ୍ଡ ରଖି ଦୁଇ ହାତରେ ମୃତ ଦେହକୁ

ଭିଡି ଧରିଲେ। ଘର ଭିତରୁ ଅନେକ ରାତି ପର୍ଯ୍ୟନ୍ତ ଶୁଭୁଥିଲା କେବଳ କରୁଣ କ୍ରନ୍ଦନ।


ଦିନକ ପରେ କବାଟ ଭାଙ୍ଗି ଗାଁ ଲୋକେ ଦୁଇଟି ଶବ ଉଦ୍ଧାର କଲେ। ବହୁତ ଡେରି ହୋଇ ଯାଇଥିବାରୁ ପୁଅକୁ ଅପେକ୍ଷା ନ କରି ବନ୍ଧୁବାନ୍ଧବଙ୍କ ସହାୟତାରେ ଶବ ସତ୍କାର ହେଲା। ଚାରିଦିନ ପରେ ଶୁଭ ଆମେରିକା ରୁ ଫେରି ଖୋଜୁଥିଲା ବୋଉକୁ, ବାପାଙ୍କୁ ଆଉ ଅତୀତର ବିରାଟ ଇତିହାସକୁ। କିନ୍ତୁ ତା ଆଗରେ ଥିଲା ମଶାଣି ଭୂଇଁର ଲଙ୍ଗଳା ବୁକୁ ଉପରେ ଅଧା ପୋଡା କେଇ ଖଣ୍ଡ କାଠ ଆଉ ମୁଠା ମୁଠା ପାଉଁଶ। ଦୂର ବିଜୁଳି ଖୁଣ୍ଟ ଉପରେ ଦୁଇଟି କଜଳପାତି ପାଖାପାଖି ଖୁବ୍ ନୀରବରେ ବସିଥିଲେ। ଆଖିରେ ଆଖିଏ ଲୁହ, ଛାତିରେ ଛାତିଏ କୋହକୁ ଚାପିଧରି ଶୁଭ ମନେ ମନେ କହି ଉଠିଲା, " ହେ ଭଗବାନ, ଏସବୁ କଣ ହୋଇଗଲା"।


Rate this content
Log in

Similar oriya story from Tragedy