STORYMIRROR

Birakishore Nayak

Tragedy

4  

Birakishore Nayak

Tragedy

କିଏ ନିଜର

କିଏ ନିଜର

3 mins
832

ଜୀବନରେ ଯେତେ ଝଡ଼ ଝଞ୍ଜା ଆସିଲେବି ସେଇ ଦୁଃଖ ଭିତରେ ମଧ୍ୟ ମଣିଷ ବଞ୍ଚିରହିବାକୁ ଚାହେଁ, ସବୁଦିନ ବଞ୍ଚିରହିବାକୁ ସ୍ବପ୍ନ ତୋଳେ |ସେ ଜାଣେ ନିଶ୍ଚୟ ଦିନେ ନା ଦିନେ ମରିଯିବ, ତଥାପି ବିଶ୍ୱାସ କରିବା କଷ୍ଟ ହୁଏ ତା ପାଇଁ |ଲୋଭ ମୋହରେ ବଶବର୍ତ୍ତୀ ହୋଇ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ମୋର ମୋର ହେଉଥାଏ, ଛାଡିପାରେ ଇର୍ଷା ନା ପରଶ୍ରୀକାତରତା  ଏଇ ଦୁଇଦିନ ତଳର ଘଟଣା |ଏଇ ମାସ ତିନି ତାରିଖ |ମୁଁ କଟକ ମଙ୍ଗଳାବାଗ ଛକରେ ଥିବା ବି. ପି. ଲାବୋରେଟୋରୀକୁ ବ୍ୟକ୍ତିଗତ ଅସୁସ୍ଥତା ପାଇଁ ରକ୍ତ ପରୀକ୍ଷା କରିବାକୁ ଯାଇଥିଲି |ପରୀକ୍ଷା ପାଇଁ ରକ୍ତ ଦେଇସାରିବା ପରେ ସେହି ଲାବୋରେଟରୀର ସାମ୍ନା ରେ ଥିବା ଛୋଟ ବାରଣ୍ଡାରେ ବସିଥିଲି, ବାରଣ୍ଡା ସାମ୍ନାରେ ମୋଟରସାଇକେଲ ଷ୍ଟାଣ୍ଡ |କଟକରେ ଅନ୍ୟ କିଛି କାମ ବି ନଥିଲା ମୋର |ତେଣୁ ରିପୋର୍ଟ ମିଳିବା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିବାକୁ ସ୍ଥିରକରି ସେଠାରେ ବସିଥିଲି |କିଛି ସମୟ ପରେ ଜଣେ ସ୍ତ୍ରୀଲୋକ ଅlସି ମୋ ଠାରୁ ହାତେ ଦୂରରେ ବସିଲେ |ବୟସ ଅନୁମାନ ଚାଳିଶ ବର୍ଷ ହେବ |ବହୁତ ବ୍ୟସ୍ତ ଜଣା ପଡୁଥିଲେ, ବସିବାର କିଛି ସମୟ ପରେ ମୋତେ ପଚାରିଲେ, ବାବୁ, ଆପଣଙ୍କ ଘର କେଉଁଠି ? ତାଙ୍କୁ ଚାହିଁଲି, କହିଲି, ଢେଙ୍କାନାଳ ଆମଘର |ସେ ମୋତେ ମନକୁ ମନ ଅନେକ କଥା କହିଲେ, ତାଙ୍କ ଜୀବନରେ ଘଟିଯାଇଥିବା କାହାଣୀ ସବୁ |ମୋର ଏତେ ସବୁ କଥା ଶୁଣିବାକୁ ଇଛା ନଥିଲେ ବି ଶୁଣିବାକୁ ବାଧ୍ୟ ଥିଲି ଯେମିତି |ଜଣେ ଯେତେବେଳେ କିଛି କହୁଛି, ନଶୁଣି ଉଠିଯିବାକୁ ମନ ହେଲାନାହିଁ, ବିବେକ ବାଧା ଦେଲା |ନୀରବରେ ସବୁ ଶୁଣୁଥିଲି |ସେ କହିଲେ, ସେ ଏଇ କଟକରେ ରହନ୍ତି, ବିବାହ କରିଥିଲେ, କିନ୍ତୁ ବିବାହର ଅଳ୍ପ ବର୍ଷ ପରେ ସେ ବିଧବା ହୋଇଗଲେ, ସେତେବେଳକୁ ତା କୋଳରେ ଝିଅଟିଏ |ସ୍ୱାମୀ ମରିଗଲା ପରେ ତା ଶାଶୁ ଶ୍ୱଶୁର ଓ ଦିଅର ତାକୁ ବହୁତ ହଇରାଣ କଲେ |ସେଠାରେ ସେମାନଙ୍କ ପାଖରେ ରହିବା ବହୁତ କଷ୍ଟକର ହୋଇପଡ଼ିଲା, ଚାଲିଆସିଥିଲା ସେ ତା ବାପଘରକୁ, ଏଇ କଟକକୁ |ସେମାନେ ଚାରି ଭାଇଭଉଣୀ, ତା ତଳେ ତିନିଭାଇ, ସେ ବଡ଼ |ତା ବାପଘର ବି ଅଭାବଗ୍ରସ୍ତ ପରିବାର |ବାପା ଫେରିବାଲା ଜଣେ |ତାଙ୍କରି ରୋଜଗାରରେ ପରିବାର ଚଳେ |ସେ ଆସିବା ପରଠାରୁ ସେଇଠି ହିଁ ରହୁଛି |ଭାଇମାନେ ତ ସେତେବେଳେ ସାନ ଥିଲେ |ପରିବାର ଚଲାଇବା ବାପାଙ୍କ ପକ୍ଷେ କଷ୍ଟ ବି ହେଉଥିଲା |ତେଣୁ ସେ ବି ବାପାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏକ ଛୋଟ ବେପାରରେ ମନ ଦେଲା, ବିଭିନ୍ନ ପ୍ରକାର ଛୋଟ ଖେଳନା କିଣି ଝୁଡିରେ ଧରି ବୁଲି ବୁଲି ବିକ୍ରିକରେ |ଭଲ ଦିପଇସା ବି ଲାଭ ହୁଏ |ଏମିତି ଦୁଃଖେ ସୁଖେ ଦିନ ଗଡ଼ିଚାଲିଥିଲା |ତା ଭାଇମାନେ ବଡ଼ ହୋଇ ଏବେ ବାହାସାହା ହେଲେଣି |

ସେମାନେ ଯେଉଁ ଘରେ ରହନ୍ତି, ସେଇଟା ଆଗରୁ ସରକାରୀ ଜାଗା ଥିଲା, କେବେଠାରୁ ସରକାର ବାପାଙ୍କ ନାମରେ କରିସାରିଲେଣି |ସେଇ ଜାଗା ପାଇଁ ସବୁ ସମସ୍ୟା ହୋଇଗଲା |କାଳେ ଭବିଷ୍ୟତରେ ବାପାଙ୍କ ଅନ୍ତେ ମୁଁ ସେ ଜାଗାରୁ ଭାଗ ଖୋଜିବି, ସେଥିପାଇଁ ମୋ ଭାଇମାନେ ବାପାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେଇ ଜାଗାକୁ ଖର୍ଦିବିକ୍ରି ସୂତ୍ରେ ନିଜ ନାମରେ କରିନେଲେ |ମୁଁ ଜାଣିବାପରେ ଅବଶ୍ୟ ପ୍ରତିବାଦ କରିଥିଲି, ହେଲେ ବାପା ସେତେବେଳେ ମୋ ମୁହଁକୁ ଚାହିଁନଥିଲେ |ଏବେ କିନ୍ତୁ ପୁଅମାନେ ଆଉ ବାପାମାଆଙ୍କୁ ପଚାରୁ ନାହାଁନ୍ତି, ଖାଇବାକୁ ବି ଗଣ୍ଡେ ଦେଉନାହାନ୍ତି, ପୁରା ବୁଢାବୁଢୀ ହୋଇଗଲେଣି |ମୋରି ପାଖରେ ପଡିଛନ୍ତି, କଣ ଆଉ କରିବି, ଏଇ ଦେଖୁନାହାନ୍ତି, ବାପାଙ୍କୁ ତାଙ୍କ ଡାୟାବେଟିସ ପରୀକ୍ଷା କରେଇବାକୁ ଆଣି ଆସିଛି |ହେଲେ ବୁଢା ମୋ ଉପରେ ମୋଟେ ସନ୍ତୁଷ୍ଟ ନୁହେଁ, ପୁଅମାନେ ପଛେ ନ ପଚାରନ୍ତୁ, ସବୁବେଳେ ପୁଅ ପୁଅ ହେଉଛି |କିନ୍ତୁ କଲାବେଳକୁ ସବୁ ମୁଁ |ମୋତେ ମୋ ଭାଇମାନେ ଘରୁ ବାହାର କରିଦେବା ପାଇଁ ଧମକ ଚମକ ଦେଉଛନ୍ତି, ହେଲେ ମୁଁ ଶୁଣୁନାହିଁ, ସେଉ ଘର ଆଗରେ ଆହୁରି ଖଣ୍ଡେ ସରକାରୀ ଜାଗା ଘରକୁ ଲାଗି ଅଛି, ସେଇ ଜାଗା ଖଣ୍ଡିକରେ କୁଡ଼ିଆଟିଏ କରି ରହୁଛି ମୁଁ, ମୋ ବାପା ମାଆ ବି ମୋରି ପାଖରେ ପଡିଛନ୍ତି |ସେତେବେଳେ ଏଇ ମୋ ବାପା ଯଦି ମୋ ନାମରେ ଜାଗା ଟିକେ କରିଦେଇ ଥାନ୍ତେ, ଭାଇମାନେ କଣ ମୋତେ ବାହାର କରିଦେବାକୁ ଧମକ ଦେଉଥାନ୍ତେ !ସବୁ ଦୋଷ ଏଇ ବୁଢାର |ଆଜି ପୁଅମାନେ ନପଚାରିବାରୁ ମୋରିପାଖରେ ହିଁ ଆଶ୍ରୟ ନେବାକୁ ବାଧ୍ୟ |ଜୀବନରେ ଏତେ ଦୁଃଖ ଭୋଗିଲେଣି ମୋ ବାପା, ହେଲେ ହିଂସା ରାଗ ଛାଡ଼ୁନାହାନ୍ତି, ମୋ ଝିଅକୁ ଆଦର ସ୍ନେହ କରିବା ଦୂରର କଥା, ସବୁବେଳେ ପୁଅ ମାନଙ୍କର ଛୁଆଙ୍କୁ କୋଟିନିଧି କରିଛି |ଏମିତି ଅନେକ ଦୁଃଖ ବାବୁ |  ମୋର ବି ଆଉ ଶୁଣିବାକୁ ଧୈର୍ଯ୍ୟ ନଥିଲା, ମୁଁ ଉଠିଲି ମୋର ରିପୋର୍ଟ ଆଣିବା ବାହାନାରେ | ଭାବୁଥିଲି, ସେ ବୁଢା ପ୍ରକୃତରେ ବହୁତ ଭୁଲ କରିଛି, ଯାହାହେଲେ ତାରି ଝିଅ, ଜନ୍ମ କରିଛି, ଏତେ ପରଭାବି ଘରସବୁ ପୁଅମାନଙ୍କ ନାମରେ କରିଦେବା ବହୁତ ଅନ୍ୟାୟ |

ମୋର ରିପୋର୍ଟ ହୋଇସାରିଥିଲା, ହାତରେ ଧରି ଫେରିବାବେଳେ ସେ ସ୍ତ୍ରୀ ଲୋକଟି ମୋତେ ଚାହିଁଥିଲେ, କିଛି କହିନଥିଲେ ଆଉ |ସମବେଦନା ସ୍ୱରୂପ ମୁଁ କେବଳ କହିଥିଲି, ଆସୁଛି    ।


Rate this content
Log in

Similar oriya story from Tragedy