କିଛି କହି ହୁଏନା
କିଛି କହି ହୁଏନା
ବିକାଶ ନିଜର ଶଯ୍ୟାଶାୟୀ ପତ୍ନୀ ମିନତୀ କୁ ଔଷଧ ଦେଇ ତାଙ୍କୁ ଚାଦର ଘୋଡାଇ ଦେଉଥିଲେ, ସେତିକି ବେଳେ ମିନତୀ ପଚାରିଲେ, "ତୁମେ ଅଜୁ (ପୁଅ ଅଜୟ ର ଡ଼ାକ ନାମ )କୁ ଟିକେ ଖବର ଦେବ। ତାକୁ ଥରେ ଦେଖିବାକୁ ବହୁତ ମନ ହେଉଛି। "ନିଜର ଦରଦ କୁ ଲୁଚାଇ ବିକାଶ କହିଲେ, "ମୁଁ କାଲି ତାକୁ ବହୁତ ଚେଷ୍ଟା କରିଲି ଖବର ଦେବାକୁ, କିନ୍ତୁ ତା ଫୋନ ମୋଟେ ଲାଗିଲା ନାହିଁ। ତେବେ ଆଜି ଆଉଥରେ ଚେଷ୍ଟା କରିବି ତାକୁ ଖବର ଦେବାକୁ। ତୁମେ ଟିକେ ଶୋଇପଡ। ମୁଁ ଯାଉଛି ଅନ୍ୟ କାମ ସବୁ କରିବି। "ଏତକ କହି ବିକାଶ ବାହାରି ଗଲେ ରୋଷେଇ ଘରକୁ। ଯେହେତୁ ଦୀର୍ଘ ପନ୍ଦର ଦିନ ହେଲାଣି ମିନତୀ ଶଯ୍ୟାଶାୟୀ, ତାଙ୍କୁ ସବୁ କାମ କରିବାକୁ ପଡୁଛି। ଡାକ୍ତର କହିଛନ୍ତି ଯେ ମିନତୀ ଆଉ କେତୋଟି ଦିନ ପାଇଁ ବଞ୍ଚିବେ। ସେ କର୍କଟ ରୋଗର ଶେଷ ପର୍ଯ୍ୟାୟ ରେ ପୀଡିତା। ସେ ବିଷୟରେ ବିକାଶ ମିନତୀ କୁ କିଛି କହି ନାହାନ୍ତି। ନିଜେ ନିଜେ ସବୁ ନିଜ ହୃଦୟରେ ଚାପି ରଖିଛନ୍ତି। କେମିତି ସେ କହିବେ ତାଙ୍କୁ?ବିକାଶ ଚାହୁଁଛନ୍ତି ଯେତେ ଦିନ ମିନତୀ ବଞ୍ଚିବେ ଟିକେ ଭଲରେ ରୁହନ୍ତୁ। ଆଉ ଏମିତି କଥା କିଛି କହି ହୁଏନା, ନିଜ ଛାତି କୁ ପଥର କରି ସହିବାକୁ ହୁଏ। ରୋଷେଇ ଘରେ ଭାତ ବସାଇ ଦେଇ ବିକାଶ ବାହାରକୁ ଆସୁ ଆସୁ ଭାବୁଥିଲେ ପୁଅ ଅଜୁ ର କଥା। ତାକୁ ଗତ କାଲି ବିକାଶ ଫୋନ କରି ମିନତୀ ବିଷୟରେ କହିଥିଲେ। ସେ ସବୁ ଶୁଣି କହିଲା, "ବାପା ଏବେ ମା କୁ ଯଦି ଘରେ ରଖି ଚିକିତ୍ସା କରିବ ତେବେ ଜଣେ ସେବିକା କୁ ରଖିଦିଅ, ମୁଁ ସବୁ ଖର୍ଚ୍ଚ ପାଇଁ ଯାହା ଦରକାର ପଠାଇ ଦେବି। ଏବେ ମୁଁ ବି ଯାଇ କଣ କରି ପାରିବି ? ତାପରେ ମୋତେ ଏତେ କାମ ର ଦାଇତ୍ୱ ଦିଆ ହେଇଛି ଯେ ମୋତେ ସମୟ ମିଳୁ ନାହିଁ। କିଛି ଦରକାର ହେଲେ ମୋତେ ଜଣାଇବ। "ବିକାଶ ଏ ସବୁ ଭାବି ଟିକେ କାନ୍ଦିବାକୁ ଲାଗିଲେ। ସେ ବାଧ୍ୟ ହୋଇ ମିନତୀ କୁ ମିଛ କହିଲେ ଯେ ଅଜୁ ର ଫୋନ ଲାଗିଲା ନାହିଁ। ସେ କେମିତି ବି ମିନତୀ କୁ କହିଥାନ୍ତେ ?ଏ ସବୁ ଶୁଣି ମିନତୀ ବହୁତ କାନ୍ଦି ଥାଆନ୍ତେ। ନିଜେ ସବୁ ଶୁଣି ସହିଗଲେ। ଏମିତିଆ ସବୁ କଥା କାହା ଆଗରେ କିଛି କହି ହୁଏନା। ଭାବୁ ଭାବୁ ବିକାଶ ଆସି ବାରଣ୍ଡା ରେ ପଡିଥିବା ଚୌକି ରେ ବସି ପଡିଲେ। ଆଖିରୁ ଲୁହ ପୋଛି ଭାବିଲେ।
ବହୁତ ପୂଜା ପାଠ କରି ବ୍ରତ ରଖି ମିନତୀ ଅଜୁ କୁ ପାଇଥିଲେ। ତାଙ୍କ ବାହାଘର ର ସାତ ବର୍ଷ ପରେ ଅଜୁ ଜନ୍ମ ହେଇଥିଲା। ବିକାଶ ସରକାରୀ ଚାକିରୀ କରୁଥିଲେ। ମିନତୀ ଅଜୁ ର ସବୁ ଇଚ୍ଛା ପୁରା କରିବା ପାଇଁ ବେଳେ ବେଳେ ବିକାଶ ଙ୍କ ସହିତ ଝଗଡା ବି କରୁଥିଲେ। ବଡ଼ ସ୍ନେହରେ ମିନତୀ ଅଜୁ କୁ ଛୋଟରୁ ବଡ଼ କରିଛନ୍ତି। ପିଲାଦିନେ ଅଜୁ କୁ ଟିକେ ସାଧାରଣ ଜ୍ୱର ହେଲେ ମିନତୀ ଆକାଶ ପାତାଳ ଏକ କରି ଦେଉଥିଲେ। ରାତିସାରା ଉଜାଗର ରହି ଅଜୁ ପାଖରେ ବସି ରହୁଥିଲେ। ବିକାଶ ଙ୍କୁ ବି ଉଠାଇ ତା ଜ୍ୱର ମାପିବାକୁ କହୁଥିଲେ। ଅଜୁ ବଡ଼ ହୋଇ ଯେବେ ଚାକିରୀ ପାଇ ବାହାରକୁ ଗଲା ସେ ପଯ୍ୟନ୍ତ ସେ ଅଜୁ ର ସବୁ କାମ କରୁଥିଲେ। ଅଜୁ ର କୌଣସି ପ୍ରକାର କଷ୍ଟ ଦେଖିଲେ ସେ କାନ୍ଦି ପକାଉଥିଲେ। ଅଜୁ ଯେବେ ଆଇ ଏ ଏସ ପାଇଗଲା, ସେଦିନ ମିନତୀ ମନ୍ଦିର ଯାଇ ପୂଜା କଲେ ଓ ସାଇ ପଡିଶା ସମସ୍ତଙ୍କୁ ମିଠା ବାଣ୍ଟି ଥିଲେ। ସେ ବହୁତ ଖୁସି ଥିଲେ ପୁଅର ସଫଳତା ଦେଖି। ଯେବେ ପ୍ରଶିକ୍ଷଣ ପାଇଁ ଅଜୁ ପ୍ରଥମ ଥର ମିନତୀ ଙ୍କୁ ଛାଡି ଘରୁ ବାହାରିଲା, ସେଦିନ ମିନତୀ କାନ୍ଦି କାନ୍ଦି ତାକୁ ବହୁତ ବୁଝାଇ ଥିଲେ ନିଜର ଯତ୍ନ ନେବାକୁ। ସେଠାରେ ପ୍ରଶିକ୍ଷଣ ପରେ ଅଜୁ ଦିଲ୍ଲୀ ରେ ଚାକିରୀ ପାଇଲା। ଏପଟେ ମିନତୀ ତା ପାଇଁ ଝିଅ ଦେଖିବାକୁ ଲାଗିଲେ। ମନରେ ବହୁତ ଖୁସି ପୁଅ କୁ ବାହା କରି ବୋହୁ ଆଣିବେ। ନିଜର ଅଲିଅଳ ଏକ ମାତ୍ର ସନ୍ତାନ ପାଇଁ ସେ ସବୁବେଳେ ଗର୍ବିତ ଥିଲେ। ସେହି ସମୟ ରେ ବିକାଶ ବି ଚାକିରୀ ରୁ ଅବସର ନେଲେ। ଦିନେ ଅଜୁ ଫୋନ କରି ମିନତୀ ଙ୍କୁ କହିଲା, "ମା ତୁ ରାଗିବୁ ନାହିଁ। ବାପାଙ୍କୁ ବି କହିବୁ ରାଗିବେ ନାହିଁ। ମୁଁ ଏଠାରେ ମୋ ସହିତ ପ୍ରଶିକ୍ଷଣ ନେଉଥିବା ଆରତୀ କୁ ଭଲ ପାଉଥିଲି। ତା ବାପା ଜଣେ ବଡ଼ ସରକାରୀ ପଦାଧିକାରୀ। ତେଣୁ ଆସନ୍ତା ଦଶ ତାରିଖ ରେ ସେ ବାହାଘର ଠିକ କରିଛନ୍ତି। ତୁ ଓ ବାପା ଯେମିତି ହେଲେ ଆସିବ। ମୋତେ କ୍ଷମା କରିଦେବୁ। ମୁଁ କଣ ଆଉ କହିବି। "ଏତକ କହି ଅଜୁ ଟିକେ କାନ୍ଦି ଦେଇ ଥିଲା। ତାପରେ ମିନତୀ ବହୁତ ବ୍ୟସ୍ତ ହେଲେ। ବିକାଶ ଙ୍କୁ ସବୁ ବୁଝାଇ କହିଲେ। ସେ ବିକାଶ ଙ୍କୁ ବାଧ୍ୟ କଲେ ତା ବାହାଘର କୁ ଯିବାକୁ। ମିନତୀ କହିଲେ, "ଆଜିକାଲି ଏମିତି ସବୁ ହେଉଛି। ମୋ ଅଜୁ ଯାହାକୁ ପସନ୍ଦ କରିଥିବ, ସେ ନିଶ୍ଚୟ ଭଲ ଝିଅ ହେଇଥିବ। ମୋ ପୁଅ ଖୁସିରେ ଆମର ଖୁସି। ତୁମେ ଯିବାର ବ୍ୟବସ୍ଥା କର, ମୁଁ ଅଜୁ କୁ କହି ଦେଉଛି। "ମିନତିଙ୍କର ମା ର ମମତା ଓ ପତ୍ନୀ ର ଜିଦ ଆଗରେ ବିକାଶ ହାରି ଯାଇଥିଲେ। ସେ ଯିବାର ସବୁ ବ୍ୟବସ୍ଥା କଲେ। ତାଙ୍କ ମନରେ ବହୁତ ଅଭିମାନ ଥିଲା, କିନ୍ତୁ କେମିତି କାହା ଆଗରେ ପ୍ରକାଶ କରିବେ। ସେ ସବୁ କିଛି କହି ହୁଏନା। ମିନତୀ ଅନୁ କୁ ସେମାନଙ୍କ ଯିବା କଥା ଜଣାଇ ଦେଲେ। ବିକାଶ ଓ ମିନତୀ ବାହାଘର ର ଦୁଇଦିନ ଆଗରୁ ପହଞ୍ଚି ଗଲେ। ଗଲାବେଳେ ବୋହୁ ପାଇଁ ନିଜର ସବୁ ଗହଣା କୁ ବଦଳାଇ ନୂଆ ନୂଆ ଆଜିକାଲି ର ଗହଣା ଓ ଭଲ ପାଟ ଶାଢ଼ୀ ବି ନେଇଗଲେ। ବାହାଘର ଆଗଦିନ ବିକାଶ ଓ ମିନତୀ ଆରତୀ ର ଘରକୁ ଗଲେ। ସେମାନଙ୍କ ରୀତି ହିସାବରେ ବାହାଘର ଦିନ ସବୁ କିଛି ସମାପ୍ତ ହୁଏ। ଆମ ଓଡ଼ିଆ ଘର ପରି ଚତୁର୍ଥୀ କି ଅଷ୍ଟ ମଙ୍ଗଳା କିଛି ସେମାନଙ୍କର ନାହିଁ। ତେଣୁ ମିନତୀ ଆରତୀ ର ପିତା ମାତା ଙ୍କୁ ନେଇଥିବା ଗହଣା ଓ ଶାଢ଼ୀ ଦେଇ କହିଲେ, "ମୋ ବୋହୁ କୁ ଏଇସବୁ ଭଲ ଭାବରେ ପିନ୍ଧାଇ ସଜେଇ ଦେବେ। "ସେମାନେ ହଁ ଭରିଲେ ଓ ସେଠାରୁ ବିକାଶ ଓ ମିନତୀ ବିଦା ହୋଇ ଆସିଲେ। ଆରତୀ ର ପିତା ମନୋଜ ଝା ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଓ ମାତା ନମିତା ଜଣେ ଡାକ୍ତର। ସେମାନଙ୍କ କଥା ବାର୍ତ୍ତା ରୁ ବିକାଶ କିଛି ଆତ୍ମିୟତା ର ଭାବ ବାରି ପାରିଲେ ନାହିଁ। ବଡ଼ କଷ୍ଟ ଲାଗିଲା। କିନ୍ତୁ ମିନତୀ ଆରତି କୁ ଦେଖି ଆନନ୍ଦ ରେ ଅନ୍ଧ ହେଇ ଯାଇଥିଲେ। ତାଙ୍କୁ କିଛି ଏ ସବୁ ଦେଖା ଗଲା ନାହିଁ କି ଜଣା ପଡିଲା ନାହିଁ। ତେଣୁ ତାଙ୍କ ଖୁସିରେ ଦାଗ ଲଗାଇବାକୁ ନ ଚାହିଁ, ବିକାଶ ଚୁପ ରହିଲେ। କିନ୍ତୁ ନିଜର ବ୍ୟଥା ନିଜ ପାଖରେ ରଖିଲେ। ବାହାଘର ସରିଲା। ଅଜୁ ଓ ଆରତୀ କୁ ସମସ୍ତେ ଆଶୀର୍ବାଦ ଦେଲେ। ସବୁ ଅତିଥି ମାନେ ଆସି ଖୁସିରେ ଗଲେ। ହେଲେ ସେଠାରେ ବିକାଶ ଯେମିତି ପୁରା ଜଣେ ଅଜଣା ବ୍ୟକ୍ତି ହୋଇ ରହି ଯାଇଥିଲେ। ତାଙ୍କୁ ସମ୍ମାନ ଦେବା ତ ଛାଡ଼, ତାଙ୍କ ପରିଚୟ ର ସେଠାରେ ଆବଶ୍ୟକତା ବିଲକୁଲ ସେଠାରେ ନ ଥିଲା। ମିନତୀ ଏତକ ଟିକେ ବୁଝି ପାରିଲେ। ସେ ବିକାଶ ଙ୍କ ପାଖକୁ ଆସି କହିଲେ, "ମୁଁ ଜାଣି ପାରୁଛି ତୁମକୁ ଭଲ ଲାଗୁ ନାହିଁ। ମୋତେ ବି ଭଲ ଲାଗୁ ନାହିଁ। ତୁମର ତ ସମ୍ମାନ ଅଛି, ମୁଁ ଯାଉଛି ଅଜୁ କୁ କହିବି। "ସେତିକି ବେଳେ ବିକାଶ ମିନତୀ ର ହାତ ଧରି ଅଟକାଇ କହିଥିଲେ, "ଏଇଟା ଠିକ ହେବ ନାହିଁ। ଅଯଥାରେ ମନମାଳିନ୍ୟ ହେବ। ଏମିତି କଥା କିଛି କହି ହୁଏନା। ସବୁ ତ ସାରି ଗଲାଣି। ଆମେ କାଲି ଏଠାରୁ ବାହାରି ଯିବା। "ମିନତୀ ହଁ ଭରି ଥିଲେ ଓ ତାଙ୍କ ଆଖିରେ ଲୁହ ଥିଲା ନିଜ ସ୍ୱାମୀଙ୍କର ଅସମ୍ମାନ କୁ ଦେଖି। ତା ପରଦିନ ବିକାଶ ଓ ମିନତୀ ବାହାରିଲା ବେଳେ ଅଜୁ କହିଲା, "ବାପା ତ ଅବସର ନେଇଛନ୍ତି। ଏବେ ନ ଯାଇ ଆମ ସହିତ ରହିଲେ ହୁଅନ୍ତା ନାହିଁ !"ଏତକ ଶୁଣି ବିକାଶ କହିଲେ, "ଆରେ ବାପା ଆମର ସେଠାରେ ବହୁତ କାମ ଅଛି। ତା ପରେ ଏଠାରେ ତୁ ଓ ବୋହୁ ଉଭୟ ଚାକିରୀ ପାଇଁ ଯିବ, ଆମେ ଦୁହେଁ ଘରେ ରହି କଣ କରିବୁ ?ଏଠାରେ କାହାକୁ ଆମେ ଜାଣି ନାହୁଁ। ଆମେ ଯାଉଛୁ, ପୁଣି ଆସିବୁ। ତୁ ବୋହୁ କୁ ନେଇ ଆସିବୁ। ସମସ୍ତେ ବନ୍ଧୁ ବାନ୍ଧବ ଓ ସାଇ ପଡିଶା ଲୋକ ଦେଖିବେ, ଆଶୀର୍ବାଦ ଦେବେ। "ଏତକ କହି ବିକାଶ ଓ ମିନତୀ ସେଠାରୁ ଚାଲି ଆସିଲେ। ସେଠାରୁ ଫେରିବାର ଦଶ ଦିନ ଯାଏ ମିନତୀ ଓ ବିକାଶ ପୁରା ଚୁପ ଚାପ ରହିଲେ। ସତେ ଯେମିତି ବହୁତ କଥା କହିବାକୁ ଚାହୁଁଛନ୍ତୁ, କିନ୍ତୁ କହି ପାରୁନାହାନ୍ତି। ଉଭୟ ନିଜ ର ଦୁଃଖ କୁ ଲୁଚାଇ, କିଛି କହି ହୁଏନା ଭାବି ଚୁପ ରହିଥିଲେ। ତା ପରେ ଧୀରେ ଧୀରେ ମିନତୀ ଙ୍କ ଦେହ ଖରାପ ହେଲା। ବିକାଶ ଡାକ୍ତରୀ ଚିକିତ୍ସା କରାଇଲେ। ଛ ମାସ ପରେ ଏବେ ଜଣା ପଡିଲା ତାଙ୍କ କର୍କଟ ରୋଗ ଶେଷ ଅବସ୍ଥା ରେ ପହଞ୍ଚିଛି।
ଏତକ ଭାବୁ ଭାବୁ ବିକାଶଙ୍କ ଆଖି ଲୁହରେ ଭରି ଯାଇଥିଲା। ରୋଷେଇ ଘରକୁ ଯାଇ ସେ ଭାତ ଗାଳିଦେଲେ। ଗୋଟିଏ ଜାଗାରେ ଭାତ, ଡାଲି ଓ ଶିଝା ତରକାରୀ ନେଇ ଆସିଲେ ମିନତିଙ୍କୁ ଖୁଆଇ ଦେବେ ବୋଲି। ସେହି ଖାଇବା ଜାଗାକୁ ରଖି ସେ ମିନତିଙ୍କୁ ଡାକିଲେ। ମିନତୀ ନ ଶୁଣିବାରୁ ସେ ପାଖକୁ ଯାଇ ହଲାଇ ଦେଲେ। ଦେଖିଲେ ମିନତୀ ପୁରା ସ୍ଥାଣୁ ପାଲଟି ଯାଇଛନ୍ତି, ତାଙ୍କ ଶରୀର ପୁରା ଥଣ୍ଡା ହେଇ ଯାଇଛି। ଡରି ଡରି ବିକାଶ ତାଙ୍କ ନାକ ପାଖକୁ ହାତ ନେଇ ଦେଖିଲେ ନିଶ୍ୱାସ ଚାଲୁ ନାହିଁ। ବ୍ୟସ୍ତ ହୋଉ ଡାକ୍ତର ଙ୍କୁ ଡାକିଲେ। ଡାକ୍ତର ଆସି ଦେଖି କହିଲେ ଯେ ମିନତୀ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ବିକାଶ କାନ୍ଦି ପାରୁ ନ ଥିଲେ। ସ୍ଥାଣୁ ପାଲଟି ଯାଇଥିଲେ। ତେବେ ତାଙ୍କ ପତ୍ନୀ ର ସତ୍କାର ପାଇଁ ପୁଅ ଅଜୁ କୁ ଫୋନ କରି କହିଲେ, "ତୋ ମା ଆମକୁ ଛାଡି ସବୁଦିନ ପାଇଁ ଚାଲିଗଲା। ତୁ ଆଜି ଆସିଲେ ତାଙ୍କ ଶବ ସତ୍କାର ହେବ। "ଏତକ ଶୁଣି ଅଜୁ କହିଲା, "କଣ କହୁଛ ତୁମେ। କାଲି ତ ସେ ଠିକ ଥିଲା। ଆଜି ପୁଣି ଏ କେମିତି ହେଲା। ଆଉ ହଠାତ ଆଜି କେମିତି ଆସିବି ?ମୋତେ ଦିନେ ଦୁଇ ଦିନ ତ ଲାଗିବ। "ଏ ସବୁ ଶୁଣି ବିକାଶ ଫୋନ ରଖି ଦେଲେ। ନିଜ ସମ୍ପର୍କୀୟ ଙ୍କୁ ଖବର ଦେଲେ। ସମସ୍ତେ ଆସିଲେ। ମିନତିଙ୍କର ଶବ କୁ ନେଇ ଗଲେ ଓ ବିକାଶ ନିଜର ପତି ଧର୍ମ ହିସାବରେ ତାଙ୍କ ପତ୍ନୀ ମିନତୀ ର ସତ୍କାର କଲେ ଓ ଘରକୁ ଫେରିଲେ। ସମସ୍ତେ ଅଜୁ କଥା ପଚାରିଲେ। ବିକାଶ ଚୁପ ରହିଲେ ଓ ଖାଲି କହିଲେ," ତା ସହିତ ଯୋଗା ଯୋଗ ହେଇ ପାରୁ ନାହିଁ। ବୋଧ ହୁଏ ବିଦେଶ ରେ ଅଛି। "ଏତକ ଶୁଣି କେହି ଆଉ କିଛି ପଚାରିଲେ ନାହିଁ। ବିକାଶ ନିଜ ଛାତିରେ ସବୁ କୋହ ଚାପି ଧରି ପତ୍ନୀ ର କ୍ରିୟା କର୍ମ ଆରମ୍ଭ କଲେ। କେମିତି କାହାକୁ କଣ ବା ସେ କହିବେ ?ଏ କଥା ସବୁ କିଛି କହି ହୁଏନା ।
