ଖୁସି
ଖୁସି
ସମ୍ପ୍ରତି ଅର୍ଥ ବା ଟଙ୍କାପଇସାକୁ ସମସ୍ତ ସୁଖ, ଶାନ୍ତି ଓ ଖୁସିର ମାପକାଠି ଭାବେ ଗଣାଯାଉଛି। ଯେଉଁମାନେ ଅର୍ଥ ପଛରେ ଦୌଡୁଛନ୍ତି ସେମାନେ ଯୁକ୍ତି ବାଢ଼ନ୍ତି ଯେ ଦୁନିଆର ସମସ୍ତ ଖୁସିକୁ ଟଙ୍କା ଦ୍ୱାରା କିଣାଯାଇ ପାରିବ। ସୁଖୀ ଓ ବିଳାସପୂର୍ଣ୍ଣ ଜୀବନ ଜିଇଁବା ପାଇଁ ଟଙ୍କା ଜରୁରୀ, ଏ କଥା ଠିକ୍। କିନ୍ତୁ ସମସ୍ତ ଆନନ୍ଦ ବା ଖୁସିର ଏକମାତ୍ର ଆଧାର କେବଳ ଟଙ୍କା ହୋଇ ନ ପାରେ।
ଦ ୟୁନିଭରସିଟି ଅଫ୍ ବ୍ରିଟିଶ କଲମ୍ୱିଆର ଏକ ଗବେଷଣାତ୍ମକ ତଥ୍ୟ ଅନୁସାରେ ନିଜ ଆତ୍ମୀୟ ପରିଜନଙ୍କ ସହ ବିତାଇଥିବା ସମୟ ହିଁ ଯେ କୌଣସି ବ୍ୟକ୍ତିଙ୍କ ଜୀବନକୁ ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ କରିଥାଏ। ଟଙ୍କାପଇସା ତୁଳନାରେ ଏହାର ପ୍ରଭାବ ଅଧିକ। ସ୍ନାତକ ଶ୍ରେଣୀରେ ପଢ଼ୁଥିବା ୧ହଜାର ଶିକ୍ଷାର୍ଥୀଙ୍କୁ ନେଇ ହୋଇଥିବା ଉକ୍ତ ଗବେଷଣାରେ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚରା ଯାଇଥିଲା। ପ୍ରଶ୍ନଟି ଥିଲା – ସମୟ ଓ ଅର୍ଥ ମଧ୍ୟରୁ ନିଜ ଜୀବନରେ ତୁମ୍ଭେମାନେ କାହାକୁ ଅଧିକ ପ୍ରାଧାନ୍ୟ ଦେଉଛ? ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଶିକ୍ଷାର୍ଥୀ ସମୟ ଓ ୪୦ ପ୍ରତିଶତ ଶିକ୍ଷାର୍ଥୀ ଅର୍ଥକୁ ପ୍ରାଥମିକତା ଦେଉଥିବା କହିଥିଲେ। ବର୍ଷକ ପରେ ଏହି ଶିକ୍ଷାର୍ଥୀଙ୍କୁ ସେହି ଏକା ପ୍ରଶ୍ନ କରିବାରୁ ଚକିତ କରିଦେବା ଭଳି ଉତ୍ତର ମିଳିଥିଲା। ଯେଉଁ ୪୦ପ୍ରତିଶତ ଶିକ୍ଷାର୍ଥୀ ଅର୍ଥକୁ ପ୍ରାଥମିକତା ଦେଇଥିଲେ ସେମାନଙ୍କ ଜୀବନରେ ସୁଖର ମାତ୍ରା ହ୍ରାସ ପାଇଥିବା ଜଣାଗଲା। ଅର୍ଥାତ ଟଙ୍କାକୁ ପ୍ରାଧାନ୍ୟ ଦେଉଥିବା ଶିକ୍ଷାର୍ଥୀଗଣ ଅଧିକ ଦୁଃଖୀ ଥିବା ଜଣାପଡ଼ିଥିଲା। ଉକ୍ତ ଗବେଷଣାତ୍ମକ ତଥ୍ୟରେ ଲୋକେ ଅର୍ଥ ବଦଳରେ ନିଜ ଆତ୍ମୀୟ ପରିଜନଙ୍କୁ ମହତ୍ୱ ଦେଉଥିବା ଜଣାପଡ଼ିଛି।
ଏହି ଗବେଷଣାଲବ୍ଧ ତଥ୍ୟକୁ ଆଧାର ରୂପେ ମାନି ନେଲେ କୁହାଯାଇପାରେ ଯେ ଜୀବନର ବିଭିନ୍ନ ଅସୁବିଧା ଓ ଦୁଃଖ ପଛରେ ମୁଖ୍ୟତଃ ନିଜ ଆତ୍ମୀୟ ପରିଜନଙ୍କ ପ୍ରଭାବ ରହିଛି। ଅର୍ଥ ଲବ୍ଧ ସୁଖ, ଶାନ୍ତି ଓ ଖୁସି କ୍ଷଣସ୍ଥାୟୀ ହୋଇଥାଏ। ଆତ୍ମୀୟ ପରିଜନ ହିଁ ଚିରସ୍ଥାୟୀ ସୁଖ, ଶାନ୍ତି ଓ ଖୁସି ଦେଇପାରନ୍ତି।
ନିଜ ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ଥିଲେ ଜଣେ ଅଧିକ ସୁଖୀ ରହିପାରିବ, ଏ କଥାରେ ସଭିଏଁ ଏକମତ। କିନ୍ତୁ ନିଜ ବ୍ୟାଙ୍କ୍ ଖାତାରେ ପ୍ରଚୁର ଅର୍ଥ ଥିଲେ ମଧ୍ୟ ଏହା ଖୁସିର କାରଣ ହୋଇ ନ ପାରେ। ସମସ୍ତଙ୍କର ଏକ ଧାରଣା ରହିଛି, ଯେ ଧନିକ ଶ୍ରେଣୀର ଲୋକେ ଅଧିକ ସୁଖୀ ହୋଇଥା’ନ୍ତି। ପୁଣି ସାରାଦୁନିଆରେ ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥା’ନ୍ତି ବୋଲି ଆମେ ଭାବିଥାଉ। କାରଣ ଅର୍ଥ ହିଁ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭୌତିକ ସୁଖ ସୁବିଧା ପୂରଣ କରିବାରେ ସମର୍ଥ। ଗୋଟିଏ ଦିଗରେ ଯେତେବେଳେ ଆମ ପେଟ ପୂର୍ଣ୍ଣ ରହିଥାଏ ଏବଂ ହାତରେ ପର୍ଯ୍ୟାପ୍ତ ଅର୍ଥ ଥାଏ ସେତେବେଳେ ଆମକୁ ଖୁସିରେ ରହିବାର ଅବସର ମିଳିଥାଏ। ଅନ୍ୟ ଦିଗରେ ଅନେକ ସମୟରେ କେତେକଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ତ ଥାଏ ହେଲେ ଏହାକୁ ଖର୍ଚ୍ଚ କରିବା ପାଇଁ ସେମାନଙ୍କ ପାଖରେ ଆଦୌ ସମୟ ନ ଥାଏ। ଏଭଳି ପରିସ୍ଥିତିରେ ଅର୍ଥ ସୁଖ ପ୍ରଦାନ କରିବାରେ ଅସମର୍ଥ। ଅନେକ ଲୋକ ପ୍ରଥମେ ଅର୍ଥ ରୋଜଗାର କରିନେଇ ପରେ ନିଜ ପରିଜନଙ୍କ ସହ ସମୟ ବିତାଇବା ପାଇଁ ଆଗ୍ରହ ରଖିଥା’ନ୍ତି। କିନ୍ତୁ ଅର୍ଥ ଉପାର୍ଜନ ନିଶାରେ ଆତ୍ମୀୟ ପରିଜନଙ୍କୁ ଭୁଲି ଯାଆନ୍ତି। ଫଳସ୍ୱରୂପ ସମ୍ପର୍କରେ ଦୂରତା ବଢ଼଼ିଚାଲେ। ବାସ୍ତବରେ ଅର୍ଥ ଦ୍ୱାରା ଖୁସି ବା ସୁଖ ମିଳେ ନାହିଁ। ନିଜ ଆତ୍ମୀୟ ପରିଜନଙ୍କ ସହ ସମୟ ବିତାଇବା ଦ୍ୱାରା ଖୁସି ମିଳିଥାଏ। ମୋଟାମୋଟି ଭାବରେ କହିବାକୁ ଗଲେ ଭଲ ପାଇବାରେ ମିଳୁଥିବା ଖୁସି ଏବଂ ଖୁସିରେ ପରିପୂର୍ଣ୍ଣ ମନ ଜୀବନର ଗତିପଥକୁ ସଠିକ ବାଟରେ ମାର୍ଗଦର୍ଶନ କରିଥାଏ। ବିଶାଳ ଜନସମୁଦ୍ର ମଧ୍ୟରେ ବୃତ୍ତି ଓ ଚାକିରି ପଛରେ ଧାଉଁଥିବା ସାଧାରଣ ଜନତା ଆଜି ଏ କଥାକୁ କ୍ରମଶଃ ବୁଝିବାରେ ଲାଗିଲେଣି।
ଶରୀରବିଜ୍ଞାନ ଅନୁଯାୟୀ ଖୁସି ଓ ଆନନ୍ଦ ଦ୍ୱାରା ଆମ ଶରୀରରେ ଏଣ୍ଡୋରଫିନ୍ସ, ସେରୋଟୋନିନ୍, ଅକ୍ସିଟୋସିନ୍ ନାମକ ହରମୋନ ସୃଷ୍ଟି ହୋଇଥାଏ। ଏହା ଆମକୁ ସକାରାତ୍ମକ ଭାବେ ମାନସିକ ଓ ଭାବପ୍ରବଣତା ଦିଗକୁ ଟାଣି ନିଏ। ଯଦି କେହି ଖୁସି ଓ ଆନନ୍ଦଠାରୁ ଦୂରେଇ ରହୁଥା’ନ୍ତି, ତେବେ ଅସମୟରେ ଅବସାଦ ଓ ଚାପ ତାଙ୍କୁ ମାଡ଼ି ବସେ। ଏହି ସମୟରେ ଶରୀରରେ କୋର୍ଟିସୋଲ୍ ଓ ଏଡ୍ରୋନାଲାଇନ୍ ନାମକ ବାୟୋକେମିକାଲ୍ ନ୍ୟୁରୋଟ୍ରାନ୍ସମିଟରର ଉତ୍ପନ୍ନ ଘଟେ, ଯାହା ଶରୀର ତଥା ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଏ।
ଖୁସି, ଆନନ୍ଦ ବା ସୁଖ – ଏ ସବୁ ବଜାରରେ ମିଳେନା। ଏସବୁ ଅତି ଦୁର୍ଲଭ। ନିଜ ଆତ୍ମୀୟ ପରିଜନଙ୍କ ସହ ସମୟ ଅତିବାହିତ ଦ୍ୱାରା ଏହା ମିଳିପାରେ। ପରସ୍ପର ମଧ୍ୟରେ ସୁସମ୍ପର୍କ ଓ ଭଲପାଇବା ଦ୍ୱାରା ଏହା ବଢ଼଼ିଚାଲେ। ଅନ୍ୟମାନଙ୍କ ସହ ଖୁସି ବାଣ୍ଟି ଚାଲିଲେ ଆମ ଜୀବନ ହସ, ଖୁସି, ଆନନ୍ଦ ଓ ସୁଖରେ ଭରି ଉଠେ। ଯେଉଁ ପିତାମାତା ନିଜ ପିଲାଙ୍କୁ ଭଲ ମଣିଷ ହେବା ପରିବର୍ତ୍ତେ ବେଶୀ ରୋଜଗାର କରିପାରୁଥିବା ବଡ଼ ମଣିଷ ଭାବେ ଗଢ଼ି ତୋଳିଥା’ନ୍ତି, ତାହାର ପରାଭବ ପ୍ରଥମେ ସେହି ପିତାମାତା ହିଁ ଭୋଗ କରିଥା’ନ୍ତି। ଭଲପାଇବା, ଖୁସି ଓ ଆନନ୍ଦ କେବଳ ପ୍ରାପ୍ୟ ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ନିକଟରେ ନିଜକୁ ହଜେଇ ଦେବାକୁ ବୁଝାଇଥାଏ।