Pradeep Kumar Panda

Tragedy Action Crime

4  

Pradeep Kumar Panda

Tragedy Action Crime

ସ୍ମାର୍ଟଫୋନ ମାୟାଜାଲ

ସ୍ମାର୍ଟଫୋନ ମାୟାଜାଲ

4 mins
3

ସ୍ମାର୍ଟଫୋନ ବିଶ୍ୱବ୍ୟାପୀ ଇଣ୍ଟରନେଟ ଆହରଣର ପ୍ରମୁଖ ସାଧନ ପାଲଟିବା ପରେ ଏବେ ତାହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି କୋଭିଡ-୧୯ ମହାମାରୀ ପରବର୍ତ୍ତୀ ସମୟରେ ସଂଖ୍ୟାଧିକ ଉପଭୋକ୍ତାଙ୍କ ସ୍ମାର୍ଟଫୋନ ବ୍ୟବହାର ଅଭ୍ୟାସ ବଢ଼଼ିଯାଇଛି। ସେମାନେ ମଧ୍ୟ ହୃଦୟଙ୍ଗମ କରୁଛନ୍ତି ଯେ ଦୈନନ୍ଦିନ ଭିତ୍ତିରେ ସେମାନଙ୍କର ଦୀର୍ଘ ସମୟ ସ୍ମାର୍ଟଫୋନ ସହିତ କଟୁଛି ଏବଂ ଏହି ଅଭ୍ୟାସ ବ୍ୟକ୍ତିତ୍ୱ ବିକାଶର ପ୍ରତିବନ୍ଧକ ସାଜୁଛି। ଫୋନ ବ୍ୟବହାରକୁ ହ୍ରାସ କରିବା ପାଇଁ ଚେଷ୍ଟା କଲେ ବି ଅନେକ ସେଥିରେ ସଫଳତା ପାଇପାରୁ ନାହାନ୍ତି।

ଭାରତରେ ଡିସେମ୍ୱର ୨୦୨୩ ସୁଦ୍ଧା ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସଂଯୋଗ ସଂଖ୍ୟା ୮୨ କୋଟି ଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ସ୍ମାର୍ଟଫୋନ ଉପଭୋକ୍ତା ବୋଲି ଜଣାପଡ଼ିଛି। ଭାରତୀୟ ଟେଲିକମ ନିୟାମକ ‘ଟ୍ରାଇ’ର ତଥ୍ୟ ଅନୁଯାୟୀ ଦେଶରେ ପ୍ରତି ୧୦୦ ଜଣକ ମଧ୍ୟରୁ ୮୩ ଜଣଙ୍କ ନିକଟରେ ମୋବାଇଲ ଫୋନ ଉପଲବ୍ଧ। ଓଡ଼ିଶାରେ ୧୦୦ ଜଣଙ୍କ ମଧ୍ୟରେ ୭୬ ଜଣଙ୍କ ମୋବାଇଲ ଫୋନ ସଂଯୋଗ ରହିଛି। ‘ଇଣ୍ଟରନେଟ ଓ ମୋବାଇଲ ଆସୋସିଏସନ ଅଫ ଇଣ୍ଡିଆ’ ଆନୁକୂଲ୍ୟରେ ପ୍ରକାଶିତ ବିବରଣୀ ଅନୁଯାୟୀ ୨୦୨୩ ସୁଦ୍ଧା ଇଣ୍ଟରନେଟ ଉପଭୋକ୍ତାଙ୍କ ମଧ୍ୟରୁ ୯୦ ପ୍ରତିଶତ ଦୈନିକ ହାରାହାରି ଦେଢ଼ଘଣ୍ଟା ଇଣ୍ଟରନେଟ ବ୍ୟବହାର କରୁଥିଲେ। ଅର୍ଥାତ, ସ୍ମାର୍ଟଫୋନ ଯୋଗେ ଇଣ୍ଟରନେଟ ମଞ୍ଚରେ ମଧ୍ୟ ପହଞ୍ଚୁଥିଲେ। ଦିଲ୍ଲୀକୈନ୍ଦ୍ରିକ ଇଣ୍ଟରନେଟ ଚିନ୍ତନ ମଞ୍ଚ ‘ଇସ୍ୟା ସେଣ୍ଟେର’ ଓ ‘ଅହମ୍ମଦାବାଦ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ’ ଆନୁକୂଲ୍ୟରେ ୨୦୨୩ରେ ପ୍ରକାଶିତ ବିବରଣୀରେ ଦର୍ଶାଯାଇଥିଲା ଯେ ଦେଶରେ ୭୪ କୋଟି ଇଣ୍ଟରନେଟ ଉପଭୋକ୍ତା ଦୈନିକ ଚାରି ଘଣ୍ଟା ଯାଏଁ ସ୍ମାର୍ଟଫୋନ ବ୍ୟବହାର କରିଥା’ନ୍ତି।

ସାଧାରଣ ପରିସଂଖ୍ୟାନରୁ ଜଣାଯାଏ ଯେ ପ୍ରତିଦିନ ଘଣ୍ଟାଏ ଫୋନ ବ୍ୟବହାର କଲେ ବର୍ଷକରେ୧୫ ଦିନ, ଦୁଇ ଘଣ୍ଟା ବ୍ୟବହାରରେ ୩୦ ଦିନ, ତିନି ଘଣ୍ଟା ବ୍ୟବହାରରେ ୪୫ ଦିନ, ଚାରି ଘଣ୍ଟା ବ୍ୟବହାରରେ ୬୧ ଦିନ, ପାଞ୍ଚ ଘଣ୍ଟା ବ୍ୟବହାରରେ ୭୬ ଦିନ, ଛଅ ଘଣ୍ଟା ବ୍ୟବହାରରେ ୯୧ ଦିନ ଏବଂ ଦୈନିକ ସାତ ଘଣ୍ଟା ବ୍ୟବହାର କଲେ ବର୍ଷରେ ୧୦୦ ଦିନ ବିନିଯୋଗ ହୋଇଥାଏ। ଏକବିଂଶ ଶତାବ୍ଦୀ ତୃତୀୟ ଦଶକ ମଧ୍ୟଭାଗରେ ପ୍ରଚଳିତ ଫୋନ ବ୍ୟବହାରର ଧାରା ଯଦି ଭବିଷ୍ୟତରେ ଜାରି ରହେ ତେବେ ପ୍ରତ୍ୟେକ ଉପଭୋକ୍ତାଙ୍କ ସମ୍ଭାବ୍ୟ ଜୀବଦ୍ଦଶାକୁ କେନ୍ଦ୍ରକରି ଜୀବନର କେତେ ସମୟ କେବଳ ଫୋନ ଦେଖାରେ କଟିଯିବ, ତାହା ମଧ୍ୟ ହିସାବ କରାଯାଇପାରେ। ଉଦାହରଣସ୍ୱରୂପ ଜଣେ ୨୫ ବର୍ଷ ବୟସ୍କ ଯଦି ଦିନକୁ ଚାରି ଘଣ୍ଟା ଫୋନ ସାନ୍ନିଧ୍ୟରେ କାଟୁଛନ୍ତି ଏବଂ ସେ ଶହେ ବର୍ଷ ବଞ୍ଚିବେ ବୋଲି ଧରିନିଆ ଯାଏ, ତେବେ ବର୍ଷକ ଦୁଇ ମାସ ଓ ୭୫ ବର୍ଷରେ ୧୫୦ ମାସ ବା ୧୨ ବର୍ଷରୁ ଊର୍ଦ୍ଧ୍ବ ସମୟ କେବଳ ଫୋନରେ ବିନିଯୋଗ ହେବ। ଏହିଭଳି ଆକଳନ ବ୍ୟକ୍ତି ମାନସରେ ଭୀତି ସଞ୍ଚାର କରିଥାଏ।

କ୍ରମବର୍ଦ୍ଧିଷ୍ଣୁ ଫୋନ ବ୍ୟବହାର ଅଭ୍ୟାସ ସମ୍ପର୍କରେ ସଚେତନ ଥାଇ ସମୟସୀମା କମାଇବା ଲାଗି ବାରମ୍ୱାର ପ୍ରଚେଷ୍ଟା ସତ୍ତ୍ବେ ବିଫଳତାର ସମ୍ମୁଖୀନ ହୋଇ ଅନେକ ହତାଶ ହୋଇଥା’ନ୍ତି। ଏହି ସମସ୍ୟା ଆନ୍ତର୍ଜାତିକସ୍ତରରେ ମଧ୍ୟ ଦେଖାଯାଉଛି। ବ୍ରିଟେନର ଖ୍ୟାତନାମା ‘ଦି ଗାର୍ଡିଆନ’ ସମ୍ୱାଦପତ୍ର ପକ୍ଷରୁ ଜାନୁୟାରୀ-ଫେବୃୟାରୀ ୨୦୨୪ରେ ପାଠକବର୍ଗଙ୍କୁ ଫୋନ ମାୟାଜାଲରୁ ଉଦ୍ଧାର କରିବା ପାଇଁ ଏକ ‘ଇମେଲ ନିଉଜଲେଟର କୋର୍ସ’ ଆୟୋଜନ କରାଯାଇଥିଲା। ମୁଖ୍ୟତଃ ଯେଉଁମାନେ ଫୋନ ବ୍ୟବହାର କମାଇବା ନିମନ୍ତେ ଆଗ୍ରହୀ, କିନ୍ତୁ ଅଭ୍ୟାସ ପରିବର୍ତ୍ତନ ଲାଗି ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି ସେମାନଙ୍କ ପାଇଁ ଏହି ପ୍ରୟାସ କରାଯାଇଥିଲା। ଫୋନ ବ୍ୟବହାର ପ୍ରତି ଥିବା ଆସକ୍ତିର କାରଣ ଜାଣିପାରିଲେ ସେ ଦିଗରେ ସଫଳତା ମିଳିପାରିବ ବୋଲି କୁହାଯାଇଥିଲା।

‘ଦି ଗାର୍ଡିଆନ’ ପକ୍ଷରୁ ପ୍ରସାରିତ ଇମେଲଗୁଡ଼ିକରେ ଦର୍ଶାଯାଇଛି ଯେ ସ୍ମାର୍ଟଫୋନ ଆସକ୍ତିର ବିଭିନ୍ନ କାରଣ ମଧ୍ୟରେ ଏଥିରେ ସ୍ଥାନିତ ଆପ୍ଲିକେସନ(ଆପ)ଗୁଡ଼ିକ ପ୍ରଧାନ। ଉପଭୋକ୍ତାଙ୍କୁ ବାନ୍ଧି ରଖିବା ନିମନ୍ତେ ଆପରେ ବିଭବମାନ ଖଚିତ। ଉଦାହରଣସ୍ୱରୂପ, ସମସ୍ତେ ନିଜ ପ୍ରତିରୂପ ପ୍ରଦର୍ଶନ ଏବଂ ପ୍ରସାରକୁ ପସନ୍ଦ କରନ୍ତି। ସ୍ମାର୍ଟଫୋନ ୨୦୦୭ରେ ଉଦ୍ଭାବନ ପୂର୍ବରୁ ଏହି ସୁଯୋଗ ସମାଜର ଶୀର୍ଷ ସ୍ଥାନ ଅଧିକାର କରୁଥିବା ବ୍ୟକ୍ତିତ୍ୱମାନଙ୍କ ନିମନ୍ତେ ସଂରକ୍ଷିତ ଥିଲା। ତେବେ ଫେସବୁକ, ଟୁଇଟର, ୟୁଟ୍ୟୁବରେ ନିଜ ଓ ନିଜ ପରିଚିତ ବର୍ଗଙ୍କ ଫୋଟ ଓ ଭିଡିଓ ଉପଭୋଗ ସର୍ବସାଧାରଣରେ ଉପଲବ୍ଧ ହେବା ପରେ ଏତାଦୃଶ ଆକର୍ଷଣକୁ ସହଜରେ ଏଡ଼ାଇବା ସମ୍ଭବ ହୋଇପାରି ନ ଥାଏ। ବିଶେଷଜ୍ଞମାନେ ଏହାକୁ ଆକର୍ଷଣ ଅର୍ଥନୀତି ‘ଆଟେନସେନ ଇକନୋମି’ ନାମରେ ନାମିତ କରିଥା’ନ୍ତି। ଆପଗୁଡ଼ିକରେ କେତେସଂଖ୍ୟକ ଦର୍ଶକ କ’ଣ ଦେଖିଥା’ନ୍ତି ତାହା ତର୍ଜମା କରି ତଦନୁଯାୟୀ ବିଜ୍ଞାପନ ପ୍ରଦର୍ଶିତ ହୋଇଥାଏ ଏବଂ ଆପ ଆୟୋଜକମାନଙ୍କ ବିଜ୍ଞାପନ ରାଜସ୍ୱ ଆୟ ବଢ଼଼ିଥାଏ। ଆପଗୁଡ଼ିକ କ୍ଷେତ୍ରରେ ଦର୍ଶକ ଗ୍ରାହକ ନୁହନ୍ତି, ସେମାନଙ୍କ ଆକର୍ଷଣକୁ ହିସାବ କରି ବିଜ୍ଞାପନ ପ୍ରଦର୍ଶିତ ହେଉଥିବା ହେତୁ ଅର୍ଥ ପ୍ରଦାନକାରୀ ବିଜ୍ଞାପକମାନେ ଆପର ଗ୍ରାହକ। କୁହାଯାଏ ଯେ ଆପ ବ୍ୟବହାରରେ ଉପଭୋକ୍ତାଙ୍କ ମସ୍ତିଷ୍କରୁ ଆନନ୍ଦଦାୟକ ରସାୟନ ‘ଡୋପାମାଇନ’ କ୍ଷରଣ ହୋଇଥାଏ। ଉଦାହରଣରେ ନିଜେ ପୋଷ୍ଟ କରିଥିବା ପାଠ୍ୟ, ଚିତ୍ର, ଅଡିଓ ବା ଭିଡିଓକୁ ଅନ୍ୟମାନେ ପସନ୍ଦ ‘ଲାଇକ’ କରିବା ବା ମତାମତ ‘କମେଣ୍ଟ’ ଦେବା ଅବସରରେ ଆମେ ଆନନ୍ଦିତ ହୋଇଥାଉ ଏବଂ ଅଧିକ ଆନନ୍ଦ ଆଶାରେ ବାରମ୍ୱାର ଆପ ଖୋଲୁ। ସର୍ବେକ୍ଷଣରୁ ଜଣାଯାଏ ଯେ ସୋସିଆଲ ମିଡିଆରେ ସକ୍ରିୟ ଉପଭୋକ୍ତାଗଣ ଦୈନିକ ଶହେରୁ ଊର୍ଦ୍ଧ୍ବ ଥର ସ୍ମାର୍ଟଫୋନ ତନଖି(ଚେକ) କରିଥା’ନ୍ତି। କ୍ରମଶଃ ଏହା ଅଭ୍ୟାସରେ ପରିଣତ ହୋଇପଡ଼େ। ଅଭ୍ୟାସ କ୍ରମେ ଆସକ୍ତି(ଆଡିକସନ୍‌‌)ରେ ପରିବର୍ତ୍ତିତ ହେଲେ ଏଥିରୁ ମୁକ୍ତି ଲାଗି ବାଟ ଖୋଜିବାକୁ ପଡ଼େ।

ସ୍ମାର୍ଟଫୋନକୁ ଏକ ଉପକରଣ ଭାବେ ଗ୍ରହଣ କରାଯିବା କଥା। ପ୍ରତ୍ୟେକ ଉପକରଣକୁ ଯେପରି ବ୍ୟବହାର କରାଯାଏ, ସେହିପରି ଫଳ ମିଳେ। ପରିବର୍ତ୍ତିତ ପରିବେଶରେ ସ୍ମାର୍ଟଫୋନ ଜନଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ପରିଗଣିତ ହେଲାଣି। ଉଦାହରଣସ୍ୱରୂପ, ବିଭିନ୍ନ ସାଧାରଣ ସୁବିଧା-ସୁଯୋଗ ଗ୍ରହଣ, ବିତ୍ତୀୟ କାରବାର ଓ ଯୋଗାଯୋଗ ସ୍ଥାପନ ଲାଗି ଆପାତତଃ ସ୍ମାର୍ଟଫୋନ୍‌ର ବିକଳ୍ପ ନାହିଁ। ଏହି ପରିସ୍ଥିତିରେ ଫୋନ ବ୍ୟବହାରକୁ ପରିତ୍ୟାଗ କରିବା ପ୍ରଶ୍ନ ଉଠୁନଥିବା ସ୍ଥଳେ ଏତଦ୍ୱାରା ବ୍ୟକ୍ତିଗତ ଜୀବନ ଯେପରି ବିପଦଗ୍ରସ୍ତ ନହୁଏ ସେଥିପ୍ରତି ଧ୍ୟାନ ଦେବା ସମୟ ଉପନୀତ। ଦୈନନ୍ଦିନ ଭିତ୍ତିରେ ସ୍ମାର୍ଟଫୋନ ପରଦାରେ ଦୀର୍ଘ ସମୟ ଅତିବାହିତ କରିବା ଦ୍ୱାରା ବିଭିନ୍ନ ସମସ୍ୟା ଉପୁଜିଥାଏ। ଉଦାହରଣସ୍ୱରୂପ, ସୋସିଆଲ ମିଡିଆରେ ବହୁଳ ଉପସ୍ଥିତି ହେତୁ ଉପୁଜୁଥିବା ନକାରାତ୍ମକ ମାନସିକତା ଜୀବନଯାତ୍ରାରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ସୋସିଆଲ ମିଡିଆରେ ବିଭିନ୍ନ ବ୍ୟକ୍ତିଙ୍କ ଆଚାରବ୍ୟବହାର ସହ ନିଜକୁ ତୁଳନା କଲେ ହୀନମନ୍ୟତା ଭାବ ସୃଷ୍ଟି ହୁଏ। ସେହିପରି ସୋସିଆଲ ମିଡିଆର ଆଲଗୋରିଥିମ ଉପଭୋକ୍ତାଙ୍କ ରୁଚି ଅନୁଯାୟୀ ପୋଷ୍ଟ ପ୍ରଦର୍ଶନ କରିବା ଫଳରେ ସମ୍ପୃକ୍ତ ବିଷୟରେ ଧୃବୀକରଣ(ପୋଲାରାଇଜେସନ) ମାନସିକସ୍ତରରେ ଅନୁଚିତ ପ୍ରଭାବ ବିସ୍ତାର କରିଥାଏ। ସୋସିଆଲ ମିଡିଆରେ ବ୍ୟସ୍ତ ରହି ବାସ୍ତବ ଦୁନିଆକୁ ଭୁଲିଯିବା ଫଳରେ ପାରିବାରିକ ଓ ବନ୍ଧୁପରିଜନଙ୍କ ସହ ସମ୍ପର୍କ କ୍ଷୀଣ ହୋଇଯିବା ଦେଖିବାକୁ ମିଳେ।

ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସ୍ମର୍ଟଫୋନ ବ୍ୟବହାର କ୍ରମାଗତ ବୃଦ୍ଧି ପାଇଚାଲିଛି। ଅନେକ ସ୍ତରରେ ସ୍ମାର୍ଟଫୋନ ତଥା ଇଣ୍ଟରନେଟ ସଂଯୁକ୍ତିକୁ ବିକାଶର ମାପକାଠି ଭାବେ ବିଚାର କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୧ରେ ‘ପିଉ ରିସର୍ଚ୍ଚ ସେଣ୍ଟର’ ପକ୍ଷରୁ ଆୟୋଜିତ ଏକ ସର୍ବେକ୍ଷଣରେ ୩୧ ପ୍ରତିଶତ ମାର୍କିନ ନାଗରିକ ନିରନ୍ତର ଅନଲାଇନରେ ବା ଇଣ୍ଟରନେଟ୍‌‌ରେ ଉପସ୍ଥିତ ରହୁଥିବା ସ୍ୱୀକାର କରିଥିଲେ। ଛଅ ବର୍ଷ ପୂର୍ବେ ୨୦୧୫ରେ ଅନଲାଇନରେ ଉପଭୋକ୍ତାଙ୍କ ନିରନ୍ତର ଉପସ୍ଥିତି ୨୧ ପ୍ରତିଶତରେ ସୀମିତ ଥିଲା। ମାର୍କିନ ନାଗରିକମାନେ ଦୈନିକ ହାରାହାରି ଆଠ ଘଣ୍ଟା ଡିଜିଟାଲ ମଞ୍ଚରେ ବିତାଉଥିବା ଜଣାଯାଇଥିଲା। ଜନସାଧାରଣଙ୍କ ସ୍ମାର୍ଟଫୋନ ଅଭ୍ୟାସ ସମ୍ପର୍କରେ ନିକଟ ଅତୀତରେ ଆୟୋଜିତ ୮୨ ଗୋଟି ଗବେଷଣା ନିଷ୍କର୍ଷରୁ ଫୋନ ବ୍ୟବହାର ସମସ୍ୟା ଘନୀଭୂତ ହେଉଥିବା ପ୍ରମାଣିତ ହୋଇଛି। ଏହି ପରିବେଶରେ ଫୋନ ବ୍ୟବହାରଜନିତ ନକାରାତ୍ମକ ଦିଗଗୁଡ଼ିକ ସମ୍ପର୍କରେ ସାମୂହିକସ୍ତରରେ ଚେତନା ପ୍ରସାରଣ ଯେତିକି ଜରୁରୀ, ବ୍ୟକ୍ତିଗତ ସ୍ତରରେ ସଂଯମ ଆଚରଣ ଉଦ୍ୟମ ଅଧିକ ଗୁରୁତ୍ୱପୂର୍ଣ୍ଣ।


Rate this content
Log in

Similar oriya story from Tragedy