ଖରାପ ଲୋକ
ଖରାପ ଲୋକ
ଯିଏ ଶୁଣିଲା ଆବା କାବା ହୋଇଗଲା । ଛିଃ ଛିଃ କ’ଣ କଲା ! ଏଡ଼େ ଖରପ ଲୋକ ! ବାପା ହୋଇ ନିଜ ଝିଅକୁ .....ଏହେ କେମିତି ମଣିଷଟା ବୁଲା !! ତାଡି ଟୋପେ ପଡିଗଲେ ହୋସ ଆବାଜ ଉଡ଼ି ଯାଏ ଚଣ୍ଡାଳଟାର । ୟା ବୋଲି ନିଜ ଝିଅକୁ ....ଛି...ଥୁ...କ’ଣ ହେଲା ଏ ଯୁଗ ! ବୟସ୍କମାନେ ଚକିତ ହେଲେ । ଯୁବପୀଢି ଲଜ୍ଜିତ ହୋଇ ରାଗରେ ଦାନ୍ତ ରଗଡ଼ିଲେ । ଆଉ ମୋ ପରି ଦଶ ବର୍ଷରୁ କମ ଛୁଆମାନେ କିଛି ବୁଝି ପାରିଲେ ନାହିଁ । କେବଳ ଏତିକି ଲାଗିଲା କ’ଣ ଗୋଟେ ହୋଇଛି । ଖରାପ କି ଭଲ କଥା ଜାଣିବା ବୟସ ହୋଇ ନଥିବାରୁ ଖାଲି ବଲ ବଲ କରି ଅନାଉଁ ସମସ୍ତଙ୍କ ମୁହଁ । ଚେଣ୍ଟେଇ ହୋଇ ପଚାରିଲେ ବୋଉ କୁହେ ତୁ ଯା ତ ଘରକୁ । ଏ ବଡ଼ମାନଙ୍କ କଥା ଛୁଆଟିଏ ତୁ ବୁଝି ପାରିବୁ ନାହିଁ । ବଡ଼ ହେଲେ ବୁଝିବୁ ।
ମୋର ଗୋଟେ ଖରାପ ଗୁଣ ଜାଣିବାକୁ ଚାହିଁ ଥିବା କଥା ମୋତେ ଯଦି କେହି ସନ୍ତୁଷ୍ଟ କଲା ପରି ବୁଝାଇ ପାରନ୍ତି ନାହିଁ; ମୁଁ ଭୀଷଣ ରାଗିଯାଏ । ଗୋଡ଼ ବାଡେଇ କାନ୍ଦେ । ତୁ ବୁଝା ତ ଆଗ । ମୁଁ କେମିତି ବୁଝିପାରିବିନି ଦେଖିବା । ଏମିତି ଜିଦି କରିବାରୁ ବୋଉ ମୋତେ ଜୀବନରେ ବୋଧହୁଏ ପ୍ରଥମ ଠାଏ କରି ଚାପୁଟାଏ ମାରି କହିଲା "କହିଲି ନା ତୁ ବୁଝି ପାରିବୁ ନାହିଁ । ଯାଅ ଏଠୁ । ଏ ଆଜେ ବାଜେ କଥାରେ ମୁଣ୍ଡ ପୁରନା । ମେଞ୍ଚେଡିଟାଏ ଜିଦି କରିବ ସବୁ କଥା ଜାଣିବାକୁ" । କେଜାଣି ବୋଉର ସେଦିନ ଉଗ୍ର ରୂପ ଦେଖି ଭୋ ଭୋ ହୋଇ କାନ୍ଦିବା ପରିବର୍ତ୍ତେ ଚୁପ୍ କରି ଯାଇ ଖଟରେ ତକିଆ ଉପରେ ମୁହଁ ମାଡି ଶୋଇ ସୁଉଁ ସୁଉଁ ହୋଇ କାନ୍ଦିଲି । କାନ୍ଦି କାନ୍ଦି ତକିଆ ପୁରା ଓଦା । ମୁଁ କିନ୍ତୁ ଶୋଇ ପଡ଼ିଥିଲି ବୋଉ ମାଡ଼ ଭୟ ଓ ଅଭିମାନରେ ।
ଏହା ଦୀର୍ଘ ପଇଁତିରିଶି ବର୍ଷ ତଳର କଥା । ମୋତେ ହୋଇଥାଏ ସାତ ବର୍ଷ । ଅଲିଅଳି ରାଜଜେମା ମୁଁ । ତିନି ଭାଇରେ ସବା ସାନ କୋଡ଼ ପୋଛା ଝିଅ । ଆମ ଘରେ ବାପା ଦାଦା ହୋଇ ତିନି ଜଣ । ତିନି ବାପାଙ୍କ ଗୋଟିଏ ଝିଅ, ପୁଣି ତିନି ବାପାଙ୍କର ପାଞ୍ଚ ପୁଅରେ ଗୋଟିଏ ବୋଲି ସୁନା ନାକୀ,ରାଣୀ କଣ୍ଢେଇ । ଦେଖିବାକୁ ଗହମ ରଙ୍ଗ । ଏତେ କଉତୁକିଆ ଯେ; ଯେ କେହି ଗେଲ୍ହା କରିବ । ମୋ ପୁଚୁକା ଗାଲରେ ଟିକେ ଟିପ ମାରିବ,ପୁଣି ମୋ ତୀଖ ନାକଟି ସଭିଙ୍କର ପ୍ରିୟ । ଝାମ୍ପୁଲା ଝାମ୍ପୁଲା କେଶ । ଲୁହ ଢଳ ଢଳ ଆଖି । ଗାଁ ସାରା କୁହନ୍ତି ସ୍ୱାଇଁ ଘର ଝିଅଟି ଗୋଟିଏ ଚାଉଳରେ ଗଢ଼ା । ବିହି କେତେ ସମୟ ବସି ଏ ଝିଅଟିକୁ ଗଢ଼ିଛି କେଜାଣି । ଦେଖିଲେ ପେଟ ପୁରିଯିବ । ପୁଣି ପେଟରେ ପେଟେ ବୁଦ୍ଧି ଦେଇଛନ୍ତି । ଚର୍ ଚର୍ ମାଡି ଯାଉଛି ପାଠ । ସେ ଗୋଲେଖ ମାଷ୍ଟ୍ରେ କହୁଥିଲେ ସ୍ୱାଇଁ ଏ ଝିଅଟି ସର୍ବ ଗୁଣ ସମ୍ପୁର୍ଣ୍ଣା । ବଡ଼ ହୋଇ ତୁମ ନାଁ ରଖିବ । ବାପା ଖୁସି ହୋଇ କୁହନ୍ତି ସବୁ ଈଶ୍ୱର ଆଉ ଆପଣଙ୍କ ଆଶୀର୍ବାଦ ମାଷ୍ଟ୍ରେ ଆଜ୍ଞା ।
ଆଉ ମୁଁ ସେଇ ସୁବର୍ଣ୍ଣପୁର ଗାଁର ସୁବର୍ଣ୍ଣା, ସୁନୀ । ସେ ପୁଣି ମାଡ଼ ଖାଇଛି ! ତିନି ବାପାଙ୍କ ପାଖେ ଫେରାଦ ହେଉଥିଲେ ମୋ ପାଞ୍ଚ ଭାଇ । ବାପାମାନେ ବି ଫେରାଦ ଶୁଣି ଟିକେ ଗୁମ୍ ହୋଇଗଲେ । ବୋଉକୁ ଭାଇକୁ ମାଇଲେ ଯେମିତି ଜେରା କରନ୍ତି " କାଇଁ ମାଇଲ?ସେ କ’ଣ କରିଥିଲା?ବୁଝେଇ ଦେଲନି । ହାତ କାଇଁ ଉଠାଇଲ? ଆଇଁଲ ପାଞ୍ଚଣ, ଦି ପାହାରେ ଦେବା ତୁମ ବୋଉକୁ" ସେମିତି କହିଲେନି । ମୁଁ ରାଗିବା ପରିବର୍ତ୍ତେ ଚିନ୍ତାରେ ପଡ଼ିଗଲି । କାହିଁକି ନା ମୁଁ ବୁଝିଗଲି କି ବୋଉ ଯାହା କରିଛି ବୋଧହୁଏ ଠିକ୍ । ନଚେତ୍ ବାପା କିଛି କହି ନଥାନ୍ତେ ! ବାପା ମୋତେ କେତେ କଅଁଳେଇ କୋଳେଇ ଗେହ୍ଲା କରି ଖୁଆଇଲେ ସେଦିନ । ମୁଁ କିନ୍ତୁ ଖାଇ ପାରିଲି ନାହିଁ ଯେତିକି ଖାଏ । ଥରେ କି ଦି ଥର ଖାଇ ଦେଇ କାହାକୁ କିଛି ନ କହି ଯାଇ ଚୁପ୍ କିନା ଶୋଇ ପଡ଼ିଲି । ବାପା ଏପଡ଼ ସେପଟ କଡ଼ ଲେଉଟାଉ ଥାନ୍ତି । ମୁଁ ବାପା ବୋଉ ମଝିରେ ଶୁଏ । ବୋଉ କାମ ଧନ୍ଦା ସାରି ଆସିଲା । ମୋ ପାଖେ ଶୋଇ ପଡ଼ି ମୋତେ ତା କୋଳକୁ ଆଉଜାଇ ନେଇ ଖୁବ ମନଦୁଃଖ କଲା । ମୋ ରାଣୀ କଣ୍ଢେଇକୁ ଆଜି ମାଇଲି ବୋଲି କହିଲା । ମୁଁ କିନ୍ତୁ ଶୋଇ ନଥାଏ । ଶୋଇବା ବାହାନା କରୁଥାଏ ଯାହା ମୁହଁ ମାଡି । ବୋଉ କହିଲା ହଇଓ ଶୁଣୁଛ ! ମୋ ଧନକୁ ଆଜି ଚଟକଣିଟିଏ ମାରିଛି । ମୋତେ ତ ଏତେ କାଟିଛି ମୋ ବେଙ୍ଗୁଲିକୁ କେତେ କାଟି ନଥିବ !! ମୁଁ ମନେ ମନେ ଭାବୁଥାଏ ମୁଁ ମାଡ଼ ଖାଇଲି, ବୋଉ ତ ମୋତେ ମାଇଲା, ତାକୁ ପୁଣି କେମିତି କାଟିଲା !! ଏବେ କିନ୍ତୁ ମୁଁ ନିଜେ ମାଆ ହେଲା ପରେ ବୁଝି ପାରିଛି ବାପା ବୋଉ ଛୁଆକୁ ମାଇଲେ ଛୁଆଙ୍କୁ ଯେତିକି କାଟେ ତାଠୁ କାହିଁ କେତେ ଗୁଣ କାଟେ ବାପା ବୋଉଙ୍କୁ । ବୋଉ କଥା ଶୁଣି ବାପା କହିଲେ ହଁ ମୁଁ ଜାଣି ପାରୁଛି "ତୁ କାଇଁକି ମାରିଥିବୁ । ସୁନୀ ତ ସେମିତି ଯାହା ଶୁଣିବ,ଆସି ପଚାରିବ । ନ ବୁଝିଲା ପର୍ଯ୍ୟନ୍ତ ଛାଡିବ ନାହିଁ । ତେଣୁ ତୁ ମାରିଥିବୁ" । ମୁଁ ପୁଣି ଦ୍ଵନ୍ଦ୍ୱରେ ପଡିଲି ବାପା ତ ବିଲକୁ ଯାଇଥିଲେ ହଳିଆଙ୍କ ସଂଗେ ସେ କେମିତି ଜାଣିଲେ ବୋଉ ମୋତେ କାଇଁ ମାରିଛି??ସବୁ ଗୋଳ ମାଳ ଧରୁଥିଲା ମୋ ମୁଣ୍ଡରେ ।
ବୋଉ ଧୀରେ ଧୀରେ କହୁଥିଲା ବୁଲାଟା ଏଡ଼େ ଚଣ୍ଡାଳ କ’ଣ କଲା !! କହିଲା କ’ଣ କି "ମୁଁ ଗଛ ଲଗେଇଛି, ମୋ ଗଛ ଫଳ ମୁଁ ଆଗ ଖାଇବି" । ଧର୍ମ ସହିବ ତାକୁ । ଭଲ କରିଛି ବୁଲା ସ୍ତ୍ରୀ ରମା ତାକୁ ଦାଆରେ କାଟିଛି । ହେଲେ କିଛି ଲୋକେ ଯେଉଁ ଟୁପ୍ ଟାପ୍ ହେଉଛନ୍ତି ରମା ଡାହାଣୀଟା ଘଇତାକୁ କିଏ ଦାଆରେ କାଟି ମାରେ ! ବାପା ମୁହଁ କଲେ ବୋଉ ଆଡକୁ । ରମା ଯାହା କରିଛି ଠିକ୍ କରିଛି । ସରପଞ୍ଚ ତ ନିଜେ କହିଲେ ରମାର କିଛି ଦୋଷ ନାହିଁ । ବୁଲା ମଦ ପିଇ ବାଡ଼ିଆ ବାଡ଼ି କରୁଥିଲା । ରମାକୁ ନିଶା ଭୋଳରେ ଦାଆରେ ମାରୁ ମାରୁ ନିଜ ତଣ୍ଟିରେ ଦା ଗଳିଗଲା ଓ ମଲା । ମିଛ କହି ପୋଲିସକୁ ବା ଫେରେଇ ଦେଲା ସରପଞ୍ଚ , ରମାକୁ ବଞ୍ଚାଇବାକୁ ଯାଇ ! । ବୁଲା ମରି ନାହିଁ ଯେ କଳଙ୍କ ଯାଇଛି କହିଲେ ବାପା ।
ଏସବୁ କଥା ଶୁଣି ମୋ ସାତ ବର୍ଷିଆ ପିଲା ମୁଣ୍ଡ କିଛି ଧରି ପାରିଲା ନାହିଁ । କେତେବେଳେ ନ
ିଦ ମାଉସୀ ମୋତେ ତା କୋଳରେ ପୁରେଇ ଥାପୁଡ଼ାଇ ଶୁଆଇ ଦେଇଥିଲା ମୁଁ ଜାଣି ନାହିଁ ନିଦ ଭାଙ୍ଗିଲା ବେଳକୁ ବୋଉ କାଖେଇ ନେଇ କହୁଥିଲା ଗେହ୍ଲାମାନେ ସବୁ କଥାରେ ଜିଦି କରନ୍ତି ନାହିଁ । ତୁ ମୋ ସୁନା ଧନ । ମାରେ ମୋ ଗାଲକୁ ତୋର ଯେତେ ଇଚ୍ଛା । ମୋ ହାତ ଟାଣି ନେଇ ବୋଉ ତା ଗାଲରେ ମାରୁଥିଲା ଚଟକଣି । ମୁଁ ହାତ ଟାଣି ନେଇ କହିଲି ଆଜିଠୁ ଜମା ଜିଦି କରିବି ନାହିଁ । ତୁ ପା ମୋ ସୁନା ବୋଉ । ତୁ ବା କହିଛୁ ମୁଁ ବଡ଼ ହେଲେ ଆପେ ବୁଝିଯିବି"ମୁଁ ଗଛ ଲଗାଇଛି,ମୋ ଗଛ ଫଳ ମୁଁ ଆଗ ଖାଇବି ନା" । ଏ କଥା ଶୁଣି ବୋଉ ଜିଭ କାମୁଡି ପକାଇଲା । ତୁ ତାହେଲେ ଶୋଇ ନଥିଲୁ?ଶୁଣୁଥିଲୁ ସବୁ ! । ହସି ହସି ମୁଁ କହିଲି ମୁଁ କ’ଣ ଶୁଣୁଥିଲି ମୋ କାନ ଶୁଣୁଥିଲା ନା । ଦୁଷ୍ଟ….କହି ବୋଉ କହିଲା ଏ ଭଲ କଥା ନୁହେଁ । ସୁନା ପିଲା ଖରାପ କଥା ଶୁଣନ୍ତି ନାହିଁ,କହନ୍ତି ନାହିଁ କି ମନେ ରଖନ୍ତି ନାହିଁ । ମୁଁ ମୁଣ୍ଡ ଟୁଙ୍ଗାରି କହିଲି ହଉ । ମୋତେ ତୁ କହିବୁ କେଉଁଟା ଭଲ । ମୁଁ କ’ଣ ଜାଣିଛି କିଏ ଭଲ କିଏ ମନ୍ଦ !! ବୋଉ ମୋ ଗାଲ ମୋ ମଥା ମୋ ପାପୁଲି ସାରା ଭରି ଦେଲା ଚୁମାରେ । ବୋଉ ଚୁମା ,ବୋଉ ଗେଲ ଏତେ ନିଆରା କାଇକି ସତରେ !! ଯେତେ ମାରୁ ଧରୁ ବୋଉକୁ ରାଗି ହୋଇ ରହି ହୁଏନି ତ । ଆଃ ବୋଉ ଗୋଟେ ମମତାର ଅସରନ୍ତି ଖଣି । ବୋଉ ଚୁମା ଏମିତି ମିଠା ଯେ ସାରା ସଂସାର ମିଠା ଠୁଳ କଲେ ବି ପାଣିଚିଆ ଲାଗିବ ।
ପିଲାଦିନର ମନ୍ଦ କଥା ହେଲେ ବି ସେଇ ଗଛ, ଫଳ,ଖାଇବା କଥାଟା ମୁଁ ଆଜି ଯାଏ ମନେ ରଖିଛି । କାହିଁକି ନା ଏଇ କଥାଟା ପାଇଁ ମୁଁ ପ୍ରଥମ ଓ ଶେଷ ମାଡ଼ ଜୀବନରେ ଖାଇଥିଲି ନା; ଭୁଲନ୍ତି କେମିତି ! ମୁଁ ଯେତେବେଳେ ବଡ଼ ହେଲି ବୁଝିଗଲି ସତରେ ଆପେ ଆପେ ଗଛ କିଏ ,ଫଳ କିଏ, ଖାଇବା କ’ଣ ,ଯେବେ ମୋ ବାହା ଘର ସରିଗଲା ଓ ମୋ ସ୍ୱାମୀ ମୋତେ ଚତୁର୍ଥୀ ରାତିରେ ପଚାରିଲେ ତୁମ ଜୀବନର ଏମିତି କିଛି ଘଟଣା ଅଛି କି ଯାହା ତମେ ଆଜି ଯାଏ ଭୁଲି ପାରିନ?ଆମେ ଦୁହେଁ ଶିକ୍ଷିତ କଲେଜର ଅଧ୍ୟାପକ ଥିଲୁ । ଏଣୁ ସେ ଯେମିତି ମୋତେ ପଚାରି ଦେଇଛନ୍ତି ମୁଁ ମୋ ବୋଉ କାହିଁକି ମାରିଲା କଥାଟି କହିଲି ଏବଂ ପଚାରିଲି ଏହାର ଅର୍ଥ କ’ଣ?ମୋ ସ୍ୱାମୀ ଓଡ଼ିଶାର ସବୁଠୁ ବଡ଼ କଲେଜ ରେଭେନ୍ସାର ଶିକ୍ଷକ । ଟିକେ ହସିଲେ ଓ କହିଲେ ହେଉ ପ୍ରାକ୍ଟିକାଲି ବୁଝାଇ ଦେଉଛି । ଲାଇଟ୍ ଟା ବନ୍ଦ କର ଆଗ । ସେ ମୋତେ ତାଙ୍କ ପାଖକୁ ଟାଣି ନେଲେ ଆଉ କହିଲେ,
ତମ ବାପାଙ୍କର ତୁମେ ହେଉଛ ଗୋଟେ ଗଛ । ଗଛ ବଡ଼ ହେଲେ ଫୁଲ ହୁଏ,ତାପରେ ଫଳ । ଫଳ ପାଚିଲେ ଲୋକେ ଖାଆନ୍ତି । ସେପରି ପିଲା ଛୁଆ ବାପମାଙ୍କ ଗଛ । ସେମାନେ ବଡ଼ ହେଲେ ,ବିବାହ ଯୋଗ୍ୟା ହେଲେ ଆମମାନଙ୍କ ପରି ସ୍ୱାମୀମାନଙ୍କୁ ତାଙ୍କ ଝିଅ ଦାନ କରନ୍ତି । ଆମେ ତାଙ୍କୁ ଖାଇବୁ । ଅର୍ଥାତ ସଂସାର କରିବୁ,ସ୍ୱାମୀ ସ୍ତ୍ରୀ ଭାବେ ।
ଓହୋ ବୁଝିଲି ରମା ଆଈ କାହିଁକି ନିଜ ହାତରେ ତା ସ୍ୱାମୀ ବୁଲାକୁ ମାରି ସାରା ଜୀବନ ବୈଧବ୍ୟ ଯନ୍ତ୍ରଣାକୁ ନିଜର କଲା । ତା ବାପା ତାହେଲେ…..ମୋ ପାଟିରୁ କଥା ଛଡେଇ ନେଇ ମୋ ସ୍ୱାମୀ କହିଲେ ହଁ ସୁବର୍ଣ୍ଣା ମୁଁ ବି ତେର କି ଚଉଦ ବର୍ଷ ହେଲା ବେଳେ ଏ କଥା ଶୁଣିଥିଲି । ବାପା ନିଜ ଝିଅକୁ ବଳତ୍କାର କରିବାକୁ ଚେଷ୍ଟା କଲା ବେଳେ ଝିଅକୁ ବଞ୍ଚାଇବାକୁ ଯାଇ ମାଆ ଦାଆରେ ହାଣିଲା ନିଜ ସ୍ୱାମୀ ବେକ । ଏଇଟି ଘଟିଥିଲା ତୁମରି ଗାଁ ସୁବର୍ଣ୍ଣ ପୁରରେ ଅନେକ ବର୍ଷ ତଳେ ।
ଆଜି ପଇଁତିରିଶି ବର୍ଷ ପରେ ସକାଳୁ ନଅଟାରେ ଟିଭି ଖୋଲୁ ଖୋଲୁ ଦେଖିଲୁ ଛଅ ବର୍ଷ ଭାଣିଜୀକୁ ମାମୁଁର ଦୁଷ୍କର୍ମ । ଦୁଷ୍କର୍ମ ଗୋଟେ ନୂଆ ଖବର ନୁହେଁ ଆଜିକାଲି । ପୃଥିବୀର କେଉଁଠି ନା କେଉଁଠି ବଳତ୍କାର ହେଉଛି କଅଁଳ ଛୁଆଠୁ ଆରମ୍ଭ କରି କେତେ ଝିଅ,ମହିଳା ପ୍ରତିଦିନ । କିନ୍ତୁ ବାପା, ମାମୁଁ, ଭାଇ,ଦାଦା ଏପରି ପବିତ୍ର ସମ୍ପର୍କକୀୟମାନଙ୍କ ଏତାଦୁଶ୍ୟ ଆଚରଣ ସବୁ ଘରେ ସନ୍ଦେହ ସୃଷ୍ଟି କରୁଛି । ଆଉ ଝିଅ କି ଝିଅର ମାଆ କେଉଁ ପୁରୁଷ ପାଖେ ସୁରକ୍ଷିତ ନୁହନ୍ତି ବୋଲି ନିଶ୍ଚିନ୍ତ ହୋଇ ଗଲେଣି । ମାତ୍ର କେଇ ଜଣ ପାପାଚାରୀଙ୍କ ପାଇଁ । ସ୍ୱର୍ଗ ବୋଲାଇଥିବା ମର୍ତ୍ତ୍ୟ ଏବେ ପୁତି ଗନ୍ଧମୟ ହୋଇ ଯାଇଛି ହାତ ଗଣତି କେତୁଟା ପଶୁ ରାକ୍ଷସଙ୍କ ପାଇଁ । କାହିଁକି ଏମିତି ହେଉଛି !! ସାତ ମାସ ଛୁଆଙ୍କୁ ବି ଛାଡୁ ନାହାନ୍ତି ! ସତରେ କି ଲଜ୍ଜା !
ଏମିତି ହୁଅନ୍ତାନ୍ତି କେହି ଏପରି କିଛି ଔଷଧ କି ଉପାୟ ବାହାର କରନ୍ତେ ଯାହା ଦ୍ୱାରା ମଣିଷ ମନରେ ଏ ପାପ ଭାବ ସୃଷ୍ଟି ହେବାକୁ ରୋକନ୍ତା !! ଯେମିତି ପୋଲିଓ ,ବସନ୍ତ ,ଯକ୍ଷ୍ମା ପରି ଅସାଧ୍ୟ ରୋଗ ରୋକିବା ପାଇଁ ଟୀକା ବାହାରୁଛି,ସେମିତି କିଛି ଚମତ୍କାର ପୁଣି ବାଧ୍ୟତାମୂଳକ କରା ଯାଆନ୍ତା ପ୍ରତ୍ୟେକ ବ୍ୟକ୍ତି ପାଇଁ ନାରୀ ପୁରୁଷ ନିର୍ବିଶେଷରେ ସମସ୍ତ ମଣିଷମାନଙ୍କ ପାଇଁ । ଏ ଔଷଧ କି ଟୀକା ନିଅନ୍ତେ ସଭିଏଁ । ଗୋଟିଏ କେହି ବାଦ ଯାଆନ୍ତେ ନି । ନଚେତ କିଛି ତ ଏମିତି କିଛି ଉପାୟ ହୁଅନ୍ତା ….ଯାହାଦ୍ୱାରା ଏ ବଳତ୍କାର,ଦୁଷ୍କର୍ମ ଭୟ ଲିଭି ଯାଆନ୍ତା । କେହି ତ କିଛି କର । ଦଣ୍ଡ ବଳତ୍କାରୀଙ୍କୁ ସର୍ବ ଜନ ସମ୍ମୁଖରେ ଏପରି ଦିଆ ଯାଆନ୍ତା ଯାହା ବଳତ୍କାର କରିବା ପୂର୍ବରୁ ବଳତ୍କାରୀ ଦଣ୍ଡ କଥା ମନେ ପକାଇ ଅନ୍ତତଃ ଏ ଘୃଣ୍ୟ କାର୍ଯ୍ୟରୁ ନିବୃତ୍ତ ହୁଅନ୍ତା । ବଞ୍ଚାଆ ପ୍ରଭୁ ଏ ଘୋର ଲଜ୍ଜାରୁ ମଣିଷ ସମାଜକୁ ଓ ରକ୍ଷା କର ଝିଅ,ବୋହୁ, ମହିଳାମାନଙ୍କ ଇଜ୍ଜତ । ମୁଁ ସୁବର୍ଣ୍ଣ ପୁରର ସୁବର୍ଣ୍ଣା, ସୁନୀ ଭୟାତୁରା ଆଖିରେ ଅନେଇଁଲି ମୋ ଏଗାର ବର୍ଷର ଝିଅ ମୃଣାଲୀ, ମୁନୀକୁ । ଗପ କହି ତା ମନରେ ଯେପରି ଭକ୍ତି,ସାହସ,ବଡ଼ ହେବା ନେଇ ସ୍ୱପ୍ନ ଭରୁଛି;ଭାବିଲି ଝିଅକୁ ଏଣିକି ସବୁ ଖୋଲିକି ବୁଝାଇବି, ଯେପରି ଏମିତି କିଛି ପରିସ୍ଥିତିର ସେ ମୁକାବିଲା କରି ପାରିବ । କହିବି ତା ପ୍ରେତ୍ୟକ ଅଙ୍ଗ ବିଷୟରେ । ବୁଝାଇବି ଦୁଷ୍କର୍ମ କ’ଣ ଓ ଜଣେ "ଖରାପ ଲୋକ" ବୋଲି ସେ କିପରି ଜାଣିବ । ହୁଏତ ମୁନୀ ନିଜେ ଜାଣିଲେ ନିଜକୁ ବଞ୍ଚାଇ ପାରିବ…..ଅବା । ଭାରି କିନ୍ତୁ ଭୟଟେ ଜାବୁଡି ଧରୁଥିଲା,କାହିଁକି ନା ମୋ ଠାରୁ ମୋ ଝିଅ ମୁନୀଟି ସେତିକି କଉତୁକିଆ ହୋଇଛି ।