ଖଳ ନାୟକ
ଖଳ ନାୟକ




ସୁରେଶ ବାବୁଙ୍କୁ ଷାଠିଏ ବର୍ଷ, ଚାକିରିରୁ ଅବସର ନେଲେଣି। ଏବେ ଗାଁରେ ରହୁଛନ୍ତି । ଗାଁର ଲୋକମାନେ ତାଙ୍କୁ ସମ୍ମାନ କରନ୍ତି। ଗାଁରେ ଥିବା ପୋଖରୀ ପାଖ ମଣ୍ଡପରେ ସନ୍ଧ୍ୟା ସମୟରେ ସେ ବସନ୍ତି। ଖିଲି ଖିଲି ପବନ ସାଙ୍ଗକୁ ଗାଁ ଲୋକମାନଙ୍କର ଗହଳି, ନାତି ଟୋକା ମାନଙ୍କର ଥଟ୍ଟା ତାଙ୍କୁ ଭାରି ଭଲ ଲାଗେ।
ଗାଁର ସବୁ ଯୁବକପିଲେ ଏକାଠି ହୋଇ ଗାଁରେ ଦୋଳପୂଣ୍ଣିମାକୁ ଡ୍ରାମା କରିବାକୁ ଚିନ୍ତା କଲେ। ପିଲାମାନେ
ସୁରେଶ ବାବୁଙ୍କୁ କଳାକାର ଚୟନ ପାଇଁ ଅନୁରୋଧ କଲେ। ପିଲାମାନଙ୍କ କଥା ରକ୍ଷାକରି ସୁରେଶ ବାବୁ ରାଜିହେଲେ।
ଡ୍ରାମା ପାଇଁ କଳାକାର ଚୟନ ହେଉଥାଏ। ସମସ୍ତେ ଖୁସି ସମସ୍ତେ ଖାଲି ହିରୋ ହେବେ ବୋଲି ସମସ୍ତଙ୍କ ଇଛା କିନ୍ତୁ
ଖଳ ନାୟକ ହେବାକୁ କାହାରି ଇଚ୍ଛା ନ ଥାଏ। ସମସ୍ତଙ୍କର
ଧାରଣା ଥାଏ ଯେ ହିରୋ ହେଲେ ଗାଁରେ ସମସ୍ତେ ପ୍ରଶଂସା
କରିବେ କିନ୍ତୁ ଖଳନାୟକ ହେଲେ ଲୋକମାନେ ଘୃଣା କରିବେ। ଏହି କଥାକୁ ଲକ୍ଷ୍ୟ କରି ସୁରେଶ ବାବୁ ସମସ୍ତଙ୍କୁ ପାଖକୁ ଡାକିଲେ। କହିଲେ ପିଲାମାନେ ଅଭିନୟ ହେଉଛି ଏକ ସ୍ୱତନ୍ତ୍ର କଳା। ଖାଲି ହିରୋ ହେଲେ ଯେ, ଲୋକମାନେ ମନେ ରଖିବେ ଏକଥା ସଂପୂର୍ଣ୍ଣ ଭୁଲ। ଯିଏ ଭଲ ଅଭିନୟ କରିବ ଲୋକମାନେ ତାକୁ ମନେ
ରଖିବେ। ଯେପରି ଗବରସିଂ ସୋଲେରେ ଏମିତି ଅଭିନୟର ଛାପ ଛାଡିଛନ୍ତି ଯେ ଲୋକମାନେ ଆଜି ବି ତାଙ୍କୁ ମନେ ପକାଉଛନ୍ତି ଆଉ ତାଙ୍କର ଡ଼ାଇଲକ 'ଆରେ କାଳିଆ....' ଆଜି ବି ଜୀବନ୍ତ । ଆମ ଓଡ଼ିଶାର ହର ପଟ୍ଟନାୟକଙ୍କ ଡ଼ାଇଲଗ ଆଜି ବି ଲୋକେ କୁହନ୍ତି। ତେଣୁ ତୁମେ ହିରୋ ହୁଅ କିମ୍ବା ଖଳନାୟକ ଭଲ ଅଭିନୟ କର।
ତାପରେ ସୁରେଶ ବାବୁ କହିଲେ ଆମରି ସମାଜରେ
ଅନେକ ଖଳନାୟକ ଚରିତ୍ର ଅଛନ୍ତି। ସେଇ ଚରିତ୍ରମାନଙ୍କୁ
ନେଇ ତ ଡ୍ରାମା ଓ ଚଳଚ୍ଚିତ୍ର ।
ତାପରେ ସନ୍ତୋଷ ସୁରେଶ ବାବୁଙ୍କୁ କହିଲା ସେ ଖଳନାୟକ ହେବାକୁ ରାଜି। ତାପରେ ରିଅଲସେଲ ଆରମ୍ଭ ହେଲା । ଦୋଳ ପୂଣ୍ଣିମା ଦିନ ଗବର ସିଂ ଷ୍ଟାଇଲିରେ ସନ୍ତୋଷର ଅଭିନୟ ଲୋକମାନଙ୍କର ଭରପୁର ମନୋରଞ୍ଜନ କଲା। ଲୋକମାନେ ସନ୍ତୋଷକୁ ବହୁତ ପ୍ରଶଂସା କଲେ।
ତାପରଦିନ ସକାଳେ ସନ୍ତୋଷ ସୁରେଶ ବାବୁଙ୍କୁ କହିଲା
ଜେଜେ ମୋ ଅଭିନୟ କିପରି ଥିଲା। ଜେଜେ ହସିଦେଲେ
ଆଉ କହିଲେ ତୋ ଅଭିନୟ ବାସ୍ତବିକ ଚମତ୍କାର। ଏହା ଶୁଣି ସନ୍ତୋଷ ଖୁସିରେ ଆତ୍ମହରା ହେଇଯାଉଥାଏ।