କେତେ ମଜାଦାର ସତେ ଜୀବନର ଅନୁଭୂତି
କେତେ ମଜାଦାର ସତେ ଜୀବନର ଅନୁଭୂତି
ପଥିକ ଟେ ରାସ୍ତା ଖୋଜେ। ରାସ୍ତା ପାଏ ଯଦିଓ ତାହା କେବେ କେବେ ଅଙ୍କାବଙ୍କା ତ କେବେ ବନ୍ଧୁର। ସମତଳ , ସଳଖ ରାସ୍ତା ତ ସମସ୍ତେ ଆଶା କରନ୍ତି। କିନ୍ତୁ ଏ କଥା ବି ସତ, ବନ୍ଧୁର ଓ ଅଙ୍କାବଙ୍କା ପଥ ସର୍ବଦା ପାଦ ଓ ଦୃଷ୍ଟି କୁ ଶକ୍ତ ଏବଂ ଦୃଢ଼ କରିଥାଏ।
ସେଇ ଭରସାରେ ତ ପଥିକ ଟି ଆଗକୁ ଆଗକୁ ମାଡିଚାଲେ, ରାସ୍ତା ଜଣାଥାଉ ବା ନଥାଉ। ନିଜ ରାସ୍ତା ନିଜେ ତିଆରି କରିବ, ଏଇ ସଂକଳ୍ପ ମନରେ ନେଇ ଆଗକୁ ବଢେ।
ଅନେକ ପଥର, ଅନେକ କଣ୍ଟା ତାକୁ ଆନମନା କରନ୍ତି। ସେ କିନ୍ତୁ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇ ଆଗକୁ ବଢେ ଲକ୍ଷ୍ୟ ପ୍ରାପ୍ତି ର ଆଶାରେ। ସମୟ , ସୁବିଧା , ସୁଯୋଗ କ୍ଷିପ୍ର ଗତିରେ ଆଗକୁ ମାଡିଚାଲନ୍ତି ତାକୁ ଅତିକ୍ରମ କରି। ସେ କିନ୍ତୁ ବିଚଳିତ ହୁଏନି। କାହାକୁ ଅଟକାଇବ, କେହି ତା ନିଜର ନୁହନ୍ତି। ସେ ତା ନିଜ ମନକୁ ଜାବୁଡ଼ି ଧରେ।
ସଞ୍ଜତ ହୁଏ। ଆନ୍ଦୋଳିତ ଭାବନା କୁ କରାୟତ କରିବାକୁ ଚେଷ୍ଟା କରେ। କେବେ ସଫଳ ହୁଏ ତ କେବେ ବିଫଳ। ତଥାପି ଚାଲେ। ଚାଲିବା ସରେନି।ଚାଲି ଚାଲି ପାଦ ଥକେ, ଶରୀର ଥକେ, ମନ ଥକେ, କିନ୍ତୁ ଚେତନା ଜାଗ୍ରତ ରୁହେ ନିଶାର୍ଦ୍ଧରେ ପ୍ରହରୀ ପରି। ଆଗକୁ ଚାଲିବାର ଝୁଙ୍କ ଠେଲିଦିଏ ତାକୁ ଦଲକାଏ ଶୀତଳ ପବନ ପରି।
ସେ ଆହ୍ଲାଦିତ ହୁଏ, ଆଶ୍ଵାସନା ପାଏ, ଉବ୍ଦେଳିତ ହୁଏ। ହାରେନା କି ହାରିବନି। ଏଇ ଦୁଇବୁନ୍ଦା ଅମୃତର ଧାରା ତାର ତୃଷାର୍ତ୍ତ ଆତ୍ମାର ତୃଷ୍ଣା କୁ ମେଣ୍ଟେଇ ଦିଏ। ସେ ଚାଲେ , ଖୁବ୍ ଚାଲେ। ଆଗକୁ, ଆଗକୁ, ଆହୁରି ଆଗକୁ।
ଅଦୂରେ ମିଞ୍ଜି ମିଞ୍ଜି କରୁଥିବା ମହାଜାଗତିକ ବସ୍ତୁଟି ଯେ ତାରା ନୁହେଁ ଏକ ଗ୍ରହ ତାହା ସେ ଜଣି ନଥାଏ । ତଥାପି ଆଶା ବାନ୍ଧେ, ନିଶ୍ଚୟ ପହଞ୍ଚିବ ସେ ସେଇ ଗ୍ରହରେ ଯାହାର ସନ୍ଧାନ ତାକୁ ସବୁ ବାଧା ବିଘ୍ନକୁ ଏଡାଇ ଟାଣି ଆଣିଛି ଏତେ ବାଟ। ପ୍ରୟାସ ନିରନ୍ତର।
ସମୟ ଆଗରେ କାକୁତି ମିନତି ହୁଏ, ରହି ଯାଆରେ ଘଡ଼ିଏ! ଏଇ ତ ବାଟ ସରିଲା। କିନ୍ତୁ ସେ କ'ଣ ମାନିଛି ଯେ ମାନିବ। ସେ ଦଉଡେ ଆଉ ତା ପଛେ ପଛେ ସଂକଳ୍ପବଦ୍ଧ ମଣିଷଟି। ବେଶ୍ ମଜାଦାର ସତରେ ଏ ଜୀବନର ଅନୁଭୂତି।
---------------------
