STORYMIRROR

Bishnupriya Sahoo

Tragedy

4  

Bishnupriya Sahoo

Tragedy

ଝିଅ

ଝିଅ

3 mins
333

ଘରେ ପ୍ରଥମ କରି ଝିଅଟିଏ ଜନ୍ମ ହେଲା। ତାର ବାପା ଦାଦା ମିଶି ତିନି ଭାଇ ଥିଲେ। ତେଣୁ ପ୍ରଥମେ ଯେତେବେଳେ ଘରେ ଲକ୍ଷ୍ମୀଙ୍କର ଆଗମନ ହେଲା ସମସ୍ତେ ଖୁସିରେ ନାଚିବା କଥା। ସମସ୍ତ ଙ୍କ ଭାଗ୍ୟରେ ଲକ୍ଷ୍ମୀ ନଥାଆନ୍ତି।‌କଥାରେ ଅଛି ବାପା ମାଆ ଯଦି କିଛି ଋଣ କରିଥାଆନ୍ତି, ତାଙ୍କ ଋଣ ସୁଝିବା ପାଇଁ ପୁଅ ଜନ୍ମ ହୋଇଥାଏ। ବାପା ମା ପୂଣ୍ୟ କରିଥିଲେ କନ୍ୟାଟିଏ ଜନ୍ମ ହୁଏ। କନ୍ୟା ଦାନ କରି ବାପା ମାଆ ପୂଣ୍ୟ ଅର୍ଜ୍ଜନ କରନ୍ତି।

 କିନ୍ତୁ ସେ ଘରେ ସେମିତି କିଛି ହେଲା ନାହିଁ। କେବଳ ମାଆ କୁ ଛାଡ଼ିଦେଲେ ଆଉ କେହି ଖୁସି ଥିଲା ଭଳି ଲାଗିଲାନି। ମାଆର ଆଖି ଭିଜୁଥାଏ ଉଭୟ ଖୁସି ଓ ଦୁଃଖର ଲୁହରେ। ଖୁସି ଝିଅ ଜନ୍ମ ହୋଇଛି ସେଥିପାଇଁ ଆଉ ଦୁଃଖ ଝିଅ ଅନ୍ୟମାନଙ୍କ ଦ୍ଵାରା ହତାଦର ହେଉଛି ସେଥିପାଇଁ।

 ପୁନେଇଁ ଜହ୍ନ ପରି ଝିଅଟି ଧିରେ ଧିରେ ବଡ଼ ହେଲା।ମାଆ ନାଁ ଦେଇଥିଲେ " ପଦ୍ମା"।ସମସ୍ତଙ୍କର ଆକ୍ରୋଶ, ହତାଦର, ଅବହେଳା ସେ ବୁଝିବାକୁ ଲାଗିଲା। ପ୍ରଶ୍ନର ଜାଲରେ ମାଆକୁ ସେ ଛନ୍ଦି ଦିଏ ଯେତେବେଳେ ମାଆ ଚୁପ୍ ରୁହନ୍ତି। କିଛି କହନ୍ତି ନାହିଁ। ଏମିତି ପଦ୍ମା ର ଜନ୍ମଦିନ ରେ ମାଆ ତାକୁ ଗୋଟେ ଛୋଟ ଉପହାର ଦେଲେ। ସୁନ୍ଦର କାଠ ବାକ୍ସ କୁ ଦେଖି ସେ ଖୁସି ହୋଇଗଲା। କାରୁକାର୍ଯ୍ୟ ପୂର୍ଣ୍ଣ ବାକ୍ସ ଟି ବେଶ୍ ଲୋଭନୀୟ ହୋଇଥିଲା। ସେ ତାକୁ ଆଗ୍ରହ ସହକାରେ ଖୋଲିବା ପାଇଁ ଉଦ୍ୟତ ହୁଅନ୍ତେ, ମାଆ ତାକୁ ଅଟକାଇ ଦେଲେ। କହିଲେ ତୁ ଏଇ ଉପହାର ଟି ଏବେ ଖୋଲ ନାହିଁ। ତୋ ପାଖରେ ତାକୁ ସାଇତି ରଖିଥିବୁ। ଯେତେବେଳେ ତୋ ଅନ୍ତରାତ୍ମା କହିବ ଯେ ଏବେ ଉପହାର ଟି ଦେଖିବା ଉଚିତ୍ ସେବେ ତୁ ୟାକୁ ଖୋଲି ଦେଖିବୁ।

ପଦ୍ମା ମାଆ କଥାରେ ରାଜି ହୋଇଗଲା। ଏହା ଭିତରେ ଅନେକ ବର୍ଷ ବିତିଗଲା। ପଦ୍ମା ସେଇ ଉପହାର କଥା ଭୁଲି ଗଲା କିନ୍ତୁ ତାକୁ ଯତ୍ନରେ ସାଇତି ଥାଏ। ପଦ୍ମା ର ବାହାଘର ହେଲା। ସେ ସମସ୍ତଙ୍କୁ ଛାଡି ଶାଶୁଘର କୁ ଚାଲିଗଲା।ମାଆ କାନ୍ଦି କାନ୍ଦି ଝିଅକୁ ବିଦାୟ ଦେଲେ।‌ ଶାଶୁ ଘରର ଚଳଣି ରେ ପଡ଼ିବା ପାଇଁ ତାକୁ ଟିକେ ସମୟ ଲାଗିଲା। କିନ୍ତୁ ସେ କଥା ବୁଝିବ କିଏ। ନିଜ ଘରେ ସେ ଅବହେଳିତ ଥିଲା, ଏଠି ବା କହିବ କାହାକୁ? ମନ କଥା ମନରେ ମାରି ସବୁ କାମ କରେ। ଅତ୍ୟାଚାର ବଢିବାକୁ ଲାଗିଲା। ସ୍ବାମୀ, ଶାଶୁ, ଶ୍ଵଶୁର ସମସ୍ତ ଙ୍କ ଆକ୍ରୋଶ ରେ ସେ କ୍ଷତାକ୍ତ ହେଲା। ସେ କ୍ଷତ କ'ଣ ଶୁଖିବ କେବେ? ନା କେବେ ନୁହେଁ।

 ମାଆ ବି ତ ସେ କ୍ଷତରେ ମଲମ ଲଗାଇ ପାରେନି। କେତେ କାନ୍ଦେ ।ପରିବାରର ସଦସ୍ୟ ଙ୍କ ମିଳିତ ଆକ୍ରମଣରେ ସେ ଘାଇଲା ହୋଇଯାଏ। କିନ୍ତୁ ପୁଣି ଆଖିରୁ ଲୁହ ପୋଛି ସେ ରୋଷେଇ ଘରକୁ ଯାଏ। ନିଜ ହାତରେ ଅମୃତ ପରସିଦିଏ। କିଛି ପ୍ରତିବାଦ କରେନି। ତେବେ ସେ କ'ଣ ତା ମାଆ ଭଳି ସବୁ ରହିଯିବ?

 ନା, ସେ ସହିପାରିବନି। ସେ ସହି ପାରିବନି। ସେ ନିଜକୁ ଶେଷ କରିଦେବ ଆଜି।  ଏମିତି ଭାବି ସେ ବଢ଼ି ଚାଲିଲା ପୋଖରୀ ଆଡକୁ। ହଠାତ୍ ତାର ମନେ ପଡିଲା ମାଆ ଦେଇଥିବା ଉପହାର କଥା। ହଁ ଆଜି ସେ ସେ ଉପହାର କୁ ଖୋଲିବ।ଦେଖିବ ମାଆ ତାକୁ କ'ଣ ଦେଇଥିଲେ?

 ସେ ଫେରିଆସିଲା ଘରକୁ। ସୁଟକେସ୍ ଖୋଲି ସେ କାଠ ବାକ୍ସ କୁ ବାହାର କଲା। ଧିରେ ଧିରେ ତାକୁ ଖୋଲିଲା। ଦେଖିଲା ଏକ ସୁନ୍ଦର ମଲମଲ ରେଶମୀ ରୁମାଲ୍ ଟିଏ। ଖୁବ୍ ସୁନ୍ଦର ହୋଇଛି। ରୁମାଲ୍ ଉପରେ ଉଲ୍ ରେ ଲେଖାଯାଇଛି "ଝିଅ"।ସିଏ ସେ ରୁମାଲ୍ ଟିକୁ ପାଖକୁ ଆଣିଲା ଆହୁରି ପାଖକୁ। ଅତି ନିକଟରୁ ତାକୁ ନିରେଖି ଦେଖିଲା। ତାକୁ ଲାଗିଲା ପିଲା ଦିନର ସବୁ ପ୍ରଶ୍ନର ଉତ୍ତର ଏଇଠି ଅଛି। ମାଆର ପ୍ରତିଟି କଥା କୁ ସେ ମନେ ପକେଇଲା।ତାକୁ ଯେମିତି ଲାଗିଲା ସେ ସବୁ କଥାର ମଞ୍ଜି ଏଇ ଦୁଇଟି ଅକ୍ଷର " ଝିଅ"। ସେ ରୁମାଲ୍ ଟିକୁ ଛାତିରେ ଚାପି ଧରି କାନ୍ଦିବାକୁ ଲାଗିଲା। ପୁଣି ଥରେ ଦେଖିଲା। ମଲମଲ କପଡା ଟି କେଡେ ସୁନ୍ଦର, ଠିକ୍ ଗୋଟେ ଝିଅ ପରି।ଏଇ ମଲମଲ କପଡାଟି ଯେମିତି ଶରୀରର ସୁନ୍ଦରତା କୁ ବଢାଏ, ସେମିତି ଝିଅ ଘରର ସୌନ୍ଦର୍ଯ୍ୟ। ସେ ନଥିଲେ ଘର ସ୍ବର୍ଗ ନୁହେଁ। ଝିଅ ଟିଏ ଥିଲେ ତାର ମହତ୍ଵ କେହି ବୁଝନ୍ତି ନାହିଁ। କିନ୍ତୁ ସେ ଯେତେବେଳେ ଚାଲି ଯାଏ ତା ପାଇଁ ଅନେକ କାମ ଅଛିଣ୍ଡା ରହିଯାଏ।

 ହଁ ସେ ମଲମଲ କପଡା ହେବ।ତାର ଆଦର ହେଉ କି ନହେଉ, ସେ କିନ୍ତୁ ତା ପରିବାର, ସମାଜ, ଦେଶ, ଜାତି ପାଇଁ ଗୌରବ ଆଣିଦେବ। ହଁ ସେ ଝିଅ। ହଁ ସେ ଝିଅ। ପଦ୍ମା କାନ୍ଦୁଥିଲା କୋହ ଭରା କଣ୍ଠରେ ମୁହଁ କୁ ସେଇ ମଲମଲ କପଡ଼ାରେ ଚାପିଧରି।ଏତେ ବର୍ଷ ତଳେ ମାଆ ତାର ଦୁରଦ୍ରଷ୍ଟା ହୋଇ ଯେଉଁ ସୁନ୍ଦର ଉପହାର ଟି ଦେଇଥିଲେ ତାର ମହତ୍ଵ ଯେ କେତେ ଆଜି ସେ ବୁଝି ସାରିଥିଲା।

 ------------ସମାପ୍ତ--------  

ବିଷ୍ଣୁପ୍ରିୟା ସାହୁ, ଶିକ୍ଷୟିତ୍ରୀ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy