ଡ଼ାକବଙ୍ଗଳା
ଡ଼ାକବଙ୍ଗଳା
ଦୂରରେ ଥିବା ପରିତ୍ୟକ୍ତ ଡ଼ାକବଙ୍ଗଳା ରାସ୍ତାରେ ଯାଉ ଯାଉ ମୁଁ ଜାବୁଡ଼ି ଧରିଥିଲି ମୋ ସାଙ୍ଗ ସୌମ୍ୟା ର ହାତ।ଏକ ରକମ ସେ ମୋତେ ଭିଡି ଭିଡି ନେଉଥିଲା।
ହଷ୍ଟେଲ ଯିବା ପାଇଁ ଏହା ସଟକଟ୍ ରାସ୍ତା କହି ମତେ ଆଣିଥିବାରୁ ମୁଁ ମନ ଇଚ୍ଛା ଗାଳି କରୁଥିଲି ତାକୁ। ସେ ମତେ କହୁଥିଲା " ଆରେ ଚୁପ୍ କର, ଆଉ ଚାଲ୍ ମୋ ସାଙ୍ଗରେ।"
ନୂଆ କରି ବିଶ୍ଵବିଦ୍ୟାଳୟ ରେ ପିଜି ଆଡ଼ମିଶନ କରିଥିଲୁ ଦୁହେଁ। ଆଜି ହଷ୍ଟେଲ ର ପ୍ରଥମ ଦିନ। ଟ୍ରେନ୍ ଦୁଇ ଘଣ୍ଟା ଲେଟ୍ କଲାରୁ ରାତି ସାଢ଼େ ଦଶ ହେଲା ଷ୍ଟେସନ ରେ ଓହ୍ଲାଉ ଓହ୍ଲାଉ। ସେଠାରୁ ହଷ୍ଟେଲ ୫ କିଲୋମିଟର। ରାତିରେ ଗାଡି ମଟର ର ସୁବିଧା ନଥିବାରୁ ଆଉ ଆମେ ଦୁହେଁ ଏକା ଥିବାରୁ ଅପେକ୍ଷା ନକରି ଚାଲି ଚାଲି ଆସିବାକୁ ସ୍ଥିର କଲୁ।ସୌମ୍ୟା ଭାରି ସାହସୀ। କରାଟେ ଚମ୍ପିୟାନ।ସେ କାହାକୁ ଡରେନି।କହିଲା ଚାଲ୍ ଯିବା । କିଛି ହବନି।
ବାଟରେ ଆସୁ ଆସୁ ଜଣେ ମଉସା ଜଳଖିଆ ଦୋକାନ ବନ୍ଦ କରି ଫେରୁଥିଲେ।
ପଚାରିଲେ କୁଆଡେ ଯାଉଛ?
ଆମେ କହିଲୁ କଲ୍ୟାଣୀ ହଷ୍ଟେଲ।
ଆଶ୍ଚର୍ଯ୍ୟ ହୋଇ କହିଲେ - ଏ ବାଟରେ!
ଆମେ କହିଲୁ - ହଁ, ମଉସା। ପାଖ ହେବ ବୋଲି ଚାଲି ଆସିଲୁ।
ମଉସା କହିଲେ - ଫେରି ଯାଅ। ଏ ରାସ୍ତାରେ ଡ଼ାକବଙ୍ଗଳା ପଡ଼ିବ। ସେ ଯାଗା ସୁରକ୍ଷିତ ନୁହେଁ ତମ ପାଇଁ।ଡରିକି ମୋ ଅବସ୍ଥା ପୁରା ଖରାପ।
ସୌମ୍ୟା ପଚାରିଲା- କାହିଁକି ମଉସା?
ସେ କହିଲେ - ସେଠାରେ ଜଣେ ବିଦେଶୀ ପରିଦର୍ଶକ ଆସି ରହୁଥିଲେ। ଗାଁ ର ଉନ୍ନତି ତଥା ସ୍ବାସ୍ଥ୍ୟ ସୁବିଧା ପାଇଁ ସେ କାମ କରୁଥିଲେ। ଥରେ ଗାଁ ର ଜଣେ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସି ସେ ତାଙ୍କୁ ତାଙ୍କ ଟିମ୍ ଜରିଆରେ ପ୍ରସବ କରାଇବା ପାଇଁ ଏଇ ଡ଼ାକବଙ୍ଗଳା କୁ ଆଣିଥିଲେ। କାରଣ ଗାଁ ରେ ସେତେବେଳେ କୌଣସି ଡାକ୍ତରଖାନା ନଥିଲା। କିନ୍ତୁ ଦୁର୍ଭାଗ୍ୟକୁ ସେହି ମହିଳା ଓ ତାଙ୍କ ପେଟର ପିଲାଟିର ମୃତ୍ୟୁ ହୋଇଗଲା।
ଉତ୍ୟକ୍ତ ଗାଁ ଲୋକେ ଡ଼ାକବଙ୍ଗଳା ରେ ସେହି ବିଦେଶୀ ଜଣକୁ ବନ୍ଦ କରି ନିଆଁ ଲଗାଇ ଦେଲେ। ଜୀବନ୍ତ ଦଗ୍ଧ ହୋଇ ବିଦେଶୀ ଜଣକ ମୃତ୍ୟୁବରଣ କଲେ।
ସେବେ ଠାରୁ ସେହି ଅଧା ଜଳା ଡ଼ାକବଙ୍ଗଳା କୁ କେହି ଯାଆନ୍ତି ନାହିଁ। ସେଠାରେ ସେହି ବିଦେଶୀ ଙ୍କ ଭୁତ ରହେ ବୋଲି ଲୋକଙ୍କ ବିଶ୍ଵାସ।
ସବୁ ଶୁଣି ମୁଁ ବରଡା ପତର ଭଳି ଥରୁଥିଲି।
ସୌମ୍ୟା କୁ ଭିଡ଼ି ଭିଡ଼ି ପଛକୁ ଫେରିବାକୁ ବାହାରିଲାରୁ ସେ ହାତ ଛାଟି ଦେଇ କହିଲା। ତୁ ଯିବୁ ଯଦି ଯା। ମୁଁ କିନ୍ତୁ ଏଇ ରାସ୍ତାରେ ଯିବି। କାଲି ମର୍ଣିଙ୍ଗ କ୍ଲାସ ପୁଣି ଫାଷ୍ଟ୍ କ୍ଲାସ।ମୋତେ ଫେରିବାର ନାହିଁ।
କ'ଣ କରିବି। ଇଚ୍ଛା ନଥିଲେ ବି ଆସିଲି ।ଫେରିକି ଯିବି କୁଆଡ଼େ ଏକା।
ଆମେ ଡାକବଙ୍ଗଳା ପାଖାପାଖି ହେଲୁ।ମୋ ଦେହରେ ଜୀବନ ନଥାଏ।
ହଠାତ୍ ଶୁଣା ଗଲା ବିଦ୍ରୁପାତ୍ମକ ସ୍ବର। କେହି ଯେମିତି ଅଟ୍ଟହାସ୍ୟ କରିବାର ଶବ୍ଦ। ହରର୍ ପିକ୍ଚର ଭଳି ସୌମ୍ୟା ହିରୋ ଆଉ ମୁଁ ହିରୋଇନ୍। କି ବିକଟାଳ ସ୍ବର।ମୋ ଦେହରୁ ରକ୍ତ ସବୁ ପାଣି ଫାଟି ଗଲା ପରି ଲାଗୁଥାଏ।
ତା ସାଙ୍ଗରେ ମେଘାଚ୍ଛନ୍ନ ଆକାଶ ଓ ତୁହା କୁ ତୁହା କାଲୁଆ ପବନ ପରିବେଶ କୁ ଆହୁରି ଭୟଙ୍କର କରି ଦେଉଥାଏ। କାଳବୈଶାଖୀ ର ପ୍ରଭାବ ରୁ ଏପରି ହେଉଥାଏ ସତ କିନ୍ତୁ ମୋ ମନରେ ଅଶାନ୍ତ କାଳବୈଶାଖୀ ର ତାଣ୍ଡବ ଚାଲିଥାଏ।
ମୁଁ ସୌମ୍ୟା କୁ ଏତେ ଯୋର୍ ରେ ଜାବୁଡ଼ି ଧରିଥାଏ ଯେ ସେ କଷ୍ଟରେ ପାଟି କରି ମୋ କବଳରୁ ମୁକୁଳିବାକୁ ପ୍ରୟାସ କରୁଥାଏ। ମୁଁ କିନ୍ତୁ ନଛୋଡବନ୍ଧା।
ଠିକ୍ ଡ଼ାକବଙ୍ଗଳା ର ସାମ୍ନା ସାମ୍ନୀ ହୋଇଛୁ। ହଠାତ୍ ନାଲି ରଙ୍ଗର ଆଲୋକ ଜଳି ଉଠିଲା । ଆଖି ଜଳକା କରି ଆମ ଆଡକୁ ମାଡି ଆସିଲା । ମୁଁ ଭୟରେ ଚିତ୍କାର କରି ତଳେ ପଡ଼ିଗଲି। ସୌମ୍ୟା କିନ୍ତୁ ଆଗକୁ ନବଢି ଛିଡା ହୋଇଗଲା। ସେ ଆଲୋକ ଟି ସେଇଠି ରହିଗଲା ଆଉ ଲିଭି ଗଲା। ସୌମ୍ୟା ଦେଖିଲା, କେହି ଜଣେ ଡ଼ାକବଙ୍ଗଳା ପଛ ଆଡୁ ଦଉଡ଼ି ଆମ୍ବ ତୋଟା ଆଡକୁ ପଳଉଛି। ସେ ତା ପଛରେ ଗୋଡାଇଲା। ମୁଁ ସୌମ୍ୟା ସୌମ୍ୟା ଚିତ୍କାର କରିବାକୁ ଚାହିଁ ବି ଚିତ୍କାର କରି ପାରୁ ନଥାଏ। ମୋ ତଣ୍ଟିକୁ କେହି ଯେମିତି ଚାପି ଧରିଥାଏ। ସୌମ୍ୟା ପଳେଇଲା ସେ ଅନ୍ଧାର ଭିତରକୁ। ସବୁ ଶୁନ ଶାନ୍। ମୋର ଅବସ୍ଥା କହିଲେ ନ ସରେ।
ହଠାତ୍ ଆମ୍ବ ତୋଟା ଆଡୁ ପାଟି ଶୁଭିଲା। ଧିରେ ଧିରେ ସେମାନେ ମୋ ପାଖାପାଖି ହେଲେ। ଭୟରେ ମୁଁ ଆଖି ବନ୍ଦ କରି ଦେଇଥାଏ। ସୌମ୍ୟା ର ପାଟି ଶୁଣି ଧିରେ ଧିରେ ଆଖି ଖୋଲିଲି। ଦେଖେ ତ ସୌମ୍ୟା ସହିତ ଆଉ ତିନି ଚାରି ଜଣ ଲୋକ ଓ ଗୋଟେ ଲୋକର କଲର୍ କୁ ଭିଡ଼ି ଧରିଛି ସୌମ୍ୟା। କଥା କ'ଣ ବୁଝୁ ବୁଝୁ ଜଣା ପଡ଼ିଲା, ଯୋଉ ଲୋକକୁ ସୌମ୍ୟା ପିଛା କରି ଯାଇଥିଲା ୟେ ସେହି ଲୋକ। ଲୋକଙ୍କୁ ଭୁତର ଭୟ ଦେଖାଇ ରାତି ଅଧ ହେଲେ ଗାଁ ରେ ଚୋରି କରେ। ସବୁ ଚୋରି ସାମଗ୍ରୀ ଏଇ ଡ଼ାକବଙ୍ଗଳା ରେ ଲୁଚାଇ ରଖେ। ଗାଁ ର କିଛି ସାହସୀ ଲୋକ ଚୋରି କୁ ରୋକିବା ପାଇଁ ଗାଁ ବାହାରେ ପହରା ଦେଉଥିଲେ।
ସୌମ୍ୟା ଏ ଲୋକର ପିଛା କରି ତାକୁ କରାଟେ ମାରି ଘାଇଲା କରି ଦେଲା। ପାଟି ଶୁଣି ପହରା ଦେଉଥିବା ଲୋକମାନେ ଧାଇଁ ଆସିଲେ। ଆଉ ସେ ଚୋରକୁ ଆୟତ୍ତ କରିନେଲେ। ଚାହୁଁ ଚାହୁଁ ଗାଁ ଲୋକ ଆସି ରୁଣ୍ଡ ହୋଇଗଲେ। ସମସ୍ତେ ସୌମ୍ୟା ର ପ୍ରଶଂସା କଲେ। ମୁଁ ସେମିତି ତଳେ ପଡ଼ିଥାଏ। ମତେ କିଛି ଲୋକ ଉଠାଇ ସାଷ୍ଟମ କଲେ। ଯାହା ହେଉ ଏତେ ଦିନର ଭୟର ପରିସମାପ୍ତି ଘଟିଲା।
କିଛି ଲୋକ ଆମକୁ ନେଇ ହଷ୍ଟେଲ ରେ ଛାଡି ଆସିଲେ।
ସୌମ୍ୟା ମତେ ଥଟ୍ଟା ରେ କହୁଥାଏ- ହଷ୍ଟେଲ ଚାଲ୍।ତୋ କଥା ବୁଝିବି। ପୁରା ରାତି ତୁ ମତେ ଘସି ଦେବୁ। ଭିଡ଼ି ଭିଡ଼ି ମୋ ହାତ, ପିଠି କାନ୍ଧ ଦରଜ କରି ଦେଇଛି। ମୁଁ ମୁରୁକି ମୁରୁକି ହସି କହିଲି - ହଉ ଠିକ୍ ଅଛି।
---------------ସମାପ୍ତ----------------
ମତାମତ ଅପେକ୍ଷା ରେ
ବିଷ୍ଣୁପ୍ରିୟା ସାହୁ, ଶିକ୍ଷୟିତ୍ରୀ

