STORYMIRROR

Bishnupriya Sahoo

Inspirational Children

4  

Bishnupriya Sahoo

Inspirational Children

ଉତ୍ତମ ବନ୍ଧୁ

ଉତ୍ତମ ବନ୍ଧୁ

3 mins
409

ପଦ୍ମା । ହଁ ନାଆଁ ଟି ଯେମିତି, ତାର ଗଢଣ ବି ସେମିତି ଠିକ୍ ପଦ୍ମ ପରି। ସୁନ୍ଦର ଉଜ୍ଜ୍ୱଳ ମୁଖମଣ୍ଡଳରେ ସବୁବେଳେ ଲାଖି ରହିଥାଏ ହସ ଠିକ୍ ଜହ୍ନ ସାଥେ ତାରା ମାନେ ଗୁନ୍ଥି ହେଲା ପରି।‌ 

ପଦ୍ମା ପଦ୍ମା ବୋଲି ଗାଁ ଟା ଯାକ ହୁରି ପଡ଼େ। ତାର ଉତ୍ତମ ବ୍ୟବହାର ଆଉ ଗୁରୁଜନଙ୍କ ପ୍ରତି ସମ୍ମାନ ତାକୁ ବାନ୍ଧି ରଖିଛି ସମସ୍ତଙ୍କ ମନରେ। ବାପା ମା ତଥା ଜେଜେ ଜେଜେମା ଙ୍କ ଅତି ଆପଣାର ପଦ୍ମା ପାଠରେ ଯେମିତି ଅନ୍ୟ ସବୁଥିରେ ମଧ୍ୟ ସେମିତି। ବିଦ୍ୟାଳୟ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରିୟ ସେ। ସାଙ୍ଗ ସାଥି ମେଳରେ ହସି ଖେଳି ସମୟ ବିତି ଯାଏ ତାର। 

ଷଷ୍ଠ ଶ୍ରେଣୀ ରେ ପାଠ ପଢୁଥିବା ପଦ୍ମା ବେଶ୍ ଭଲ ପାଠ ପଢ଼େ। ଶ୍ରେଣୀରେ ପ୍ରଥମ ହୁଏ।‌ ବାର୍ଷିକ ପରୀକ୍ଷା ପରେ ସେ ସପ୍ତମ ଶ୍ରେଣୀ କୁ ଉତ୍ତୀର୍ଣ୍ଣ ହେଲା। ସେହି ବିଦ୍ୟାଳୟକୁ ସ୍ମିତା ବୋଲି ଝିଅ ଟିଏ ଆସିଲା ସପ୍ତମରେ ନାମ ଲେଖାଇବା ପାଇଁ।ତାର ବାପାଙ୍କର ବଦଳି ହୋଇଥାଏ ସେଇ ଜାଗାକୁ। ପ୍ରଧାନଶିକ୍ଷକ ଙ୍କ ଘନିଷ୍ଠ ବନ୍ଧୁ ସ୍ମିତା ର ବାପା। ତେଣୁ ସ୍ମିତା ମନରେ ବହୁତ ଗର୍ବ।ସେ ଟିକେ ଅଲଗା ପ୍ରକାରର ଝିଅ। କେଜାଣି କାହିଁକି ସେ ଅନ୍ୟ ମାନଙ୍କ ସହିତ ଭଲରେ ମିଶେ ନାହିଁ। 

ଯେତେବେଳେ ସେ ଜାଣିଲା ପଦ୍ମା ଶ୍ରେଣୀର ସବୁଠାରୁ ଭଲ ପିଲା, ସେ ତାକୁ ଇର୍ଷା କରିବାକୁ ଲାଗିଲା। ପ୍ରଧାନଶିକ୍ଷକ ଶ୍ରେଣୀରେ ତାକୁ ସମସ୍ତଙ୍କ ସହିତ ପରିଚିତ କରାଇ ଦେଇଥିଲେ। ତେଣୁ ସେ ପ୍ରଧାନଶିକ୍ଷକ ଙ୍କ ଘନିଷ୍ଠ ବନ୍ଧୁ ର ଝିଅ ବୋଲି ତାକୁ କେହି କିଛି କୁହନ୍ତି ନାହିଁ। ସେଥିପାଇଁ ତା ମନରେ ବହୁତ ଗର୍ବ।ସେ ଧିରେ ଧିରେ ପଦ୍ମା କୁ ହଇରାଣ କରିବା ଆରମ୍ଭ କଲା। ଲୁଚାଇ ଲୁଚାଇ ପଦ୍ମା ର ନୋଟ୍ ଚିରି ଦେବା, ତା ନାମରେ ମିଛରେ ଅଭିଯୋଗ ଆଣିବା ଏହି ସବୁ କାମ କଲା। ସେଇ କାମରେ ତାକୁ ସାହାଯ୍ୟ କଲେ ପଦ୍ମା କୁ ଆଗରୁ ଇର୍ଷା କରୁଥିବା କିଛି ପିଲା। ପଦ୍ମା ର ବହୁତ ମନଦୁଃଖ ହେଲା। କିନ୍ତୁ ସେ କାହାକୁ କିଛି ନ କହି ଚୁପ୍ ରହିଲା। ଏମିତି ସମୟ ଗଡ଼ି ଚାଲିଲା। 

ସ୍ମିତା ର ବଦମାସୀ ସୀମା ଲଂଘି ସାରିଥାଏ। ପ୍ରତିଦିନ କିଛି ନା କିଛି ନୂଆ ବାଟ ସେ ଖୋଜି ଦେଇଥାଏ ପଦ୍ମା କୁ ହଇରାଣ କରିବାକୁ। ଏମିତି ଦିନେ ବିଦ୍ୟାଳୟ ଛୁଟି ହେଲା ପରେ ସମସ୍ତେ ଘରକୁ ଫେରୁଥାଆନ୍ତି। ପଦ୍ମା ଆଉ ତାର ସାଙ୍ଗମାନେ ସାଇକେଲ ରେ ଫେରୁଥାଆନ୍ତି। ସ୍ମିତା ମଧ୍ୟ ସାଇକେଲ ନେଇ ବିଦ୍ୟାଳୟ ଯାଏ। ପୂର୍ବ ଯୋଜନା ଅନୁଯାୟୀ କିଛି ପିଲା ଆଗରୁ ଲୁଚି ବସିଥିଲେ । ପଦ୍ମା ସେଇ ବାଟରେ ଆସିବା ମାତ୍ରେ ତା ସାଇକେଲ ସମ୍ମୁଖକୁ ଖଣ୍ଡିଏ ବାଡ଼ି ପକାଇ ଦେବେ। ଯାହା ଫଳରେ ପଦ୍ମା ସାଇକେଲ ରୁ ପଡ଼ିଯିବ। 

ସମସ୍ତେ ଫେରୁଥାଆନ୍ତି। ସ୍ମିତା ଏହି ସବୁର ମଜା ନେବା ପାଇଁ ତରବରିଆ ହୋଇ ପଦ୍ମା କୁ ଟପି ଆଗକୁ ଯିବା ସମୟରେ ଅନ୍ୟମନସ୍କ କାରଣରୁ ସାମ୍ନା ରୁ ଆସୁଥିବା ବାଇକ ସହିତ ଧକ୍କା ହୋଇଗଲା। ସେ ଛିଟିକି ରାସ୍ତା କଡ଼ରେ ପଡ଼ିଲା। ତା ମୁଣ୍ଡ ଫାଟି ଭିଷଣ ରକ୍ତସ୍ରାବ ହେଲା। ଲୁଚି ବସିଥିବା ତାର ସାଙ୍ଗ ମାନେ ଡରରେ ଯେ ଯୁଆଡେ ଧାଇଁ ପଳାଇଗଲେ। ପଦ୍ମା ତା ଆଖି ସାମ୍ନା ରେ ଏ ସବୁ ଘଟଣା ଦେଖି ସ୍ତବ୍ଧ ହୋଇ ରହିଗଲା।ସେ ସଙ୍ଗେ ସଙ୍ଗେ ଦଉଡ଼ି ଯାଇ ସ୍ମିତା କୁ ରାସ୍ତା କଡ଼ରୁ ଉଠାଇ ଆଣିଲା। ତା ମୁଣ୍ଡ କୁ ରୁମାଲ୍ ରେ ବାନ୍ଧି ଦେଲା। କିଛି ଲୋକଙ୍କ ସହାୟତା ରେ ସ୍ମିତା କୁ ହସ୍ପିଟାଲ ନେଇଗଲା। ସେଠାରେ ସ୍ମିତା ର ଚିକିତ୍ସା ଚାଲିଥିବା ସମୟରେ ସେ ପ୍ରଧାନଶିକ୍ଷକଙ୍କୁ ଫୋନ୍ କରି ସମସ୍ତ ଘଟଣା କହିଲା।ସେ ଓ ତାର ସାଙ୍ଗ ମାନେ ପ୍ରଧାନଶିକ୍ଷକ ଓ ସ୍ମିତା ର ବାପା ଆସିବା ପର୍ଯ୍ୟନ୍ତ ସେହିଠାରେ ଅପେକ୍ଷା କଲେ। ସ୍ମିତା ର ବାପା ଓ ପ୍ରଧାନଶିକ୍ଷକ ଆସି ପହଞ୍ଚିଲେ। ସ୍ମିତା ର ବାପା ପଦ୍ମା ଓ ତାର ସାଙ୍ଗ ମାନଙ୍କୁ ଧନ୍ୟବାଦ୍ ଦେଲେ ତାଙ୍କ ଝିଅର ଜୀବନ ବଞ୍ଚାଇ ଥିବାରୁ। 

ଏହି ସମୟରେ ଡାକ୍ତର ଆସି କହିଲେ ସ୍ମିତା ଏବେ ବିପଦ ମୁକ୍ତ ଅଛି। ସମସ୍ତେ ସ୍ମିତା କୁ ଦେଖିବା ପାଇଁ ଭିତରକୁ ଗଲେ। ସ୍ମିତା ପଦ୍ମା କୁ ଦେଖି କାନ୍ଦିବାକୁ ଲାଗିଲା। ସେ ହାତ ଯୋଡି ପଦ୍ମା କୁ ଭୁଲ୍ ମାଗିଲା। 

ସ୍ମିତା କହିଲା-" ମୁଁ କେବେବି ତତେ ଜଣେ ବନ୍ଧୁ ଭାବରେ ଗ୍ରହଣ କରିନାହିଁ, କିନ୍ତୁ ତୁ ଆଜି ଜଣେ ଉତ୍ତମ ବନ୍ଧୁ ର ପରିଚୟ ଦେଲୁ। ମତେ କ୍ଷମା କରିଦେ ପଦ୍ମା।" ପଦ୍ମା ତା ହାତ ଦୁଇଟିକୁ ଧରି ପକାଇଲା। କହିଲା ଆଜିଠାରୁ ଆମେ ଦୁହେଁ ଉତ୍ତମ ବନ୍ଧୁ। ସମସ୍ତେ ଦୁଇ ବନ୍ଧୁଙ୍କର ମିଳନ ଦେଖି ଖୁସି ହେଉଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational