STORYMIRROR

Bishnupriya Sahoo

Tragedy Fantasy

4  

Bishnupriya Sahoo

Tragedy Fantasy

ଅଶରୀରି ର ବିଳାପ

ଅଶରୀରି ର ବିଳାପ

5 mins
228

ମେଘୁଆ ଆକାଶ। କ୍ଷେତ ମଝିରୁ ହୁଡାପାଖ ବରଗଛ ଆଡକୁ ଦଲକାଏ ଦଲକାଏ ପବନ ବହିଆସୁଛି ମଝିରେ ମଝିରେ ହୁଇସିଲ୍ ପରି ଶବ୍ଦ କରି। ପୁଣି ଥମି ଯାଉଛି। ମଝିରେ ମଝିରେ ଆକାଶରୁ ବିଜୁଳି ଚାଇଁ ଚାଇଁ ମାରି ଦେଉଛି ଠିକ୍ ବରଗଛ ମୂଳର ବଡ଼ ପଥର ଉପରକୁ। ଲାଗୁଛି ଯେମିତି ପଥରରୁ ଏକ ହାତ ବାହାରି ଲମ୍ବି ଯାଉଛି ଆକାଶ ଯାଏ। ବିଲୁଆ ମାନେ ଅଦୂରରେ ଥିବା ଗାଁ ମଶାଣିରୁ ଆକାଶ ଆଡକୁ ଚାହିଁ ବିକଟାଳ ରଡ଼ି ଦେଇ ସ୍ବାଗତ ଜଣାଇଥିଲେ ନିଶାର୍ଦ୍ଧ କୁ। ନିଶା ଗରଜି ଗରଜି ମୁଣ୍ଡ ଖୋଜୁଥାଏ ମଶାଣି ପାଖ ପୋଖରୀ ହୁଡ଼ାରେ। ଏକ ଭୟାନକ ରଜନୀ ର ଦ୍ବିତୀୟାର୍ଦ୍ଧ ରେ ଶରତ ରାୟ ଚାଲି ଚାଲି ଆସୁଥାଆନ୍ତି ବରଗଛ ପାଖ କ୍ଷେତ ଆଡକୁ। ମୁଖରେ ସମ୍ଭ୍ରାନ୍ତିଆ ଠାଣି, ଆଖିରେ ନିର୍ଭୟ ଚାହାଣୀ ଏବଂ ଚାଲିରେ ରାଜକୀୟତା। ହଠାତ୍ ଚମକି ପଡ଼ିଲେ କାହାକୁ କେବେ ଖାତିର ନକରି ଥିବା ଶରତ ରାୟ ଏକ ବିକଟାଳ ଚିତ୍କାର ଶୁଣି। କୁକୁର ଗୁଡାକ ଭୟରେ ଉପରକୁ ମୁଁହ କରି କାନ୍ଦିବାକୁ ଲାଗିଲେ। ଶରତ ରାୟ ଅଳ୍ପ ଡରିଗଲେ। ଚିତ୍କାର ଶୁଣା ଯାଉଥିବା ବରଗଛ ଆଡକୁ ଅନାଇଲେ। ବଡ଼ ପଥର ଟା ଉପରେ କେହି ଜଣେ ବସିଥିବାର ଦେଖିଲେ। ସେ ଡରିଗଲେ। ତଥାପି ସାହସ କରି ପାଖକୁ ଯିବା ପାଇଁ ଉଦ୍ୟତ ହେଲେ। ଅଳ୍ପ ଦୂରରେ ପହଞ୍ଚି କ୍ଷିଣ ଭୟାଳୁ ସ୍ବରରେ ପଚାରିଲେ "କିଏ?" ମୁକୁଳା କେଶରାଶି ଦଲକାଏ ପବନରେ ପଛକୁ ଠେଲି ହୋଇଗଲା। ତଳକୁ ମୁହଁ କରି ବସିଥିବା ଝିଅ ଟିଏ ଧିରେ ଧିରେ ଉପରକୁ ଅନାଇଲା। ବିଷ୍ପାରିତ ନେତ୍ର ଦୁଇଟି ସୂର୍ଯ୍ୟ ଅସ୍ତ ବେଳର ଆକାଶରେ ଯେପରି ଲାଲ ରଙ୍ଗ ଲେସି ହୋଇଥାଏ ସେହି ପରି ଲାଲ ଦିଶୁଥାଏ। ବିକଟାଳ ଚେହେରା ରେ ରକ୍ତର ଛିଟା। ରକ୍ତ ଲଗା ଦାନ୍ତକୁ କଡ ମଡ କରି ସେ ଝାମ୍ପି ପଡ଼ିଲା ଶରତ ରାୟଙ୍କ ଉପରକୁ। ଭୟରେ ଆର୍ତ ଚିତ୍କାର କରି ତଳେ ଚେତା ଶୂନ୍ୟ ହୋଇ ପଡିଗଲେ ସେ। ହଠାତ୍ ସବୁ ଶାନ୍ତ ପଡ଼ିଗଲା। ସୁଲୋଚନା ଦଉଡ଼ି ଆସିଲେ ଭାଇ ଭାଇ ଡାକି ଡାକି କ୍ଷେତ ଆଡ଼ୁ।ସେ ଆସିଥିଲେ ଶରତ ରାୟ ଙ୍କ ପଛେ ପଛେ। ତାଙ୍କ ପଛରେ ଦୁଇ ତିନୋଟି ଲୋକ। ଟେକା ଟେକି କରି ନେଇ ଗଲେ ଶରତ ରାୟ ଙ୍କୁ ଘରକୁ। କିଛି ସମୟ ବ୍ୟବଧାନରେ ଚେତା ଫେରି ପାଇଲେ ସେ। ଭୟରେ ଚାରିଆଡକୁ ଅନାଇ ଥ- ଥ- ମ- ମ ହୋଇ କରୁଥାଆନ୍ତି ସୁମି----- ସୁମି। ତାଙ୍କ ପାଟିରୁ ସୁମି ଡାକ ଶୁଣି ଡରିଗଲେ ସୁଲୋଚନା। ଭାଇ ସୁମି ସୁମି କାହିଁକି ହେଉଛନ୍ତି। ରାତି ସାରା ତାଙ୍କୁ ନିଦ ନାହିଁ। ମନେ ପଡି ଯାଉଛି ସବୁ ଘଟଣା। ସୁମି ରାଧାକାନ୍ତ ଦାଶ ଙ୍କ ଗୋଟିଏ ବୋଲି ଝିଅ। ରାଧାକାନ୍ତ ଙ୍କ ଦ୍ବିତୀୟ ପତ୍ନୀ ସୁଲୋଚନା। ପାଖରେ ପୁରାନ୍ତି ନାହିଁ ସୁମି କୁ। ରାଧାକାନ୍ତ ଗାଁ ର ସରପଞ୍ଚ। ଗାଁ କାମରେ ବ୍ୟସ୍ତ ରୁହନ୍ତି। ପ୍ରଥମ ପତ୍ନୀ ମନୋରମାଙ୍କ କ୍ୟାନ୍ସର ରୋଗରେ ମୃତ୍ୟୁ ପରେ ୫ ବର୍ଷର ଝିଅ ସୁମିର ଦେଖାଶୁଣା ପାଇଁ ଦ୍ବିତୀୟ ବିବାହ କରିଥିଲେ ସୁଲୋଚନା ଙ୍କୁ। ଘରେ କ'ଣ ହେଉଛି ନେଉଛି କିଛି ପତା କରନ୍ତି ନାହିଁ ସେ। ସଲାସୁତୁରା କରି ବଡ଼ ଭାଇ ଶରତଙ୍କ କଥାରେ ପଢି ସୁମି ପାଠରେ ଡୋରି ବାନ୍ଧି ଦେଲେ ସୁଲୋଚନା ମାଟ୍ରିକ ପରେ। ବିଚାରି କେତେ କାନ୍ଦିଲା । କେହି ଶୁଣିଲେ ନାହିଁ। ଭଲ ପାଠ ପଢ଼େ ସେ। ଆଗକୁ ପଢ଼ିବାକୁ ଭାରି ଇଚ୍ଛା ଥିଲା ତାର। କିନ୍ତୁ ସାବତ ମା'ର ଚକ୍ରାନ୍ତ ର ଶିକାର ହୋଇ ପାଖ ଗାଁ ର ଦୁର୍ଦାନ୍ତ ଅପରାଧୀ ଗୌରୀଶଙ୍କର ସହିତ ବିବାହ କରିବାକୁ ସ୍ଥିର କରିନେଲେ ବାପା। ରାଜନୀତି ରେ ଫାଇଦା ପାଇଁ ବାପା ଭୁଲିଗଲେ ଅଲିଅଳି ଝିଅର ଲୁହ। ବିବାହ ତାରିଖ ଧାର୍ଯ୍ୟ ହୋଇ ସାରିଥାଏ। ସୁମି ର ଜମା ଇଛା ନଥାଏ ବାହା ହେବାକୁ। ତାହା ପୁଣି ଦୁର୍ଦାନ୍ତ ଅପରାଧୀ କୁ। ସେ ସାହସ ଜୁଟାଇ ଘରୁ ଲୁଚି ଚାଲିଯିବାକୁ ଯୋଜନା କଲା। ଅଧ ରାତିରେ ଚୁପ୍ ଚାପ୍ ବାଡିପଟ ଦେଇ କ୍ଷେତ ରାସ୍ତାରେ ଯାଉଥାଏ। ଦେଖି ନେଲେ ତାକୁ ଶରତ ରାୟ। ସେ ତ ପ୍ରାୟ ଡେରା ପକାନ୍ତି ଭଉଣୀ ଘରେ। ଭଉଣୀ ର ସାବତ ଝିଅ କୁ ବାହା ଦେଇ ରାସ୍ତାରୁ ହଟେଇଲେ ସବୁ ସମ୍ପତ୍ତି ନେଇ ଚମ୍ପଟ ମାରିବେ ଭଉଣୀ କୁ ଧୋକା ଦେଇ। ଏହା ତାଙ୍କର ଲକ୍ଷ୍ୟ। ସେଥିପାଇଁ ସେ ସୁଲୋଚନା ଙ୍କୁ ଭୁଲ୍ ଠିକ୍ ସବୁଥିରେ ସହମତି ଜଣାନ୍ତି।ସେ ଯେମିତି ଦେଖିଛନ୍ତି ସୁମି କ୍ଷେତ ଆଡେ ଦଉଡ଼ି କି ପଳଉଛି ସଙ୍ଗେ ସଙ୍ଗେ ଯାଇ ସୁଲୋଚନା ଙ୍କୁ ଡାକି ଆଣିଲେ। ଭାଇ ଭଉଣୀ ମିଶି ସୁମିର ପିଛା କଲେ। କ୍ଷେତ ହିଡ ପାଖ ବରଗଛ ପାଖରେ ସେମାନେ ସୁମିକୁ କବ୍ଜା କରିନେଲେ। ସୁଲୋଚନା ଏକ ଶକ୍ତ ଚାପୁଡ଼ା ପକାଇଲେ ସୁମି ଗାଲରେ । କହିଲେ ପୋଡ଼ା ମୁହିଁ, ଆମ ସବୁ ଯୋଜନାକୁ ଧୂଳିସାତ କରି କୋଉ ନାଗର ପାଖକୁ ଯାଉଛି। ସୁମି ବହୁତ କାନ୍ଦିଲା। ନାଇଁ ମାଆ ମୁଁ କାହା ପାଖକୁ ଯାଉନାହିଁ। ମୁଁ ସେ ଗୁଣ୍ଡା କୁ ବାହା ହେଇ ପାରିବନି। ମତେ ଛାଡ଼ି ଦିଅ। ଗୋଡ଼ ଧରି ବହୁତ ନେହୁରା ହେଲା। ଚୁଟି ଧରି ଝିଙ୍କି ଆଣିଲେ ଶରତ ରାୟ। କ'ଣ କହିଲୁ, ବାହା ହେବୁନି। ଆମ ବେକରେ ଫାଶି ହୋଇ ଝୁଲିବୁ। ସୁମି କାନ୍ଦ ବନ୍ଦ କରି ରାଗରେ କହିଲା। ମତେ ଛାଡ଼ି ଦିଅ ନ ହେଲେ ଗାଁ ଲୋକଙ୍କୁ ତୁମ ଦୁଇଜଣଙ୍କ ଅସଲ ଚେହେରା ବିଷୟରେ ସବୁ କହିଦେବି। ସୁଲୋଚନା ଏହା ଶୁଣି ରାଗରେ ନିଆଁ ବାଣ ହୋଇଗଲେ। ସୁମିର ଦୁଇ ହାତକୁ ପଛକୁ ବୁଲାଇ ଧରି କହିଲେ ଭାଇ, ମାର ୟାକୁ। ଆଉ ରକ୍ଷା ନାହିଁ ୟାର। ଶରତ ରାୟ ସୁମିର ପେଟକୁ ଗୋଇଠା ଟିଏ ମାରି ତାକୁ ତଳେ ପକାଇ ଦେଲେ ଓ ବରଗଛ ମୂଳେ ପଡ଼ିଥିବା ବଡ଼ ପଥରରେ ତା ମୁଣ୍ଡକୁ.......... ଓଃ, କି ଅସହାୟ ସେ ଚିତ୍କାର। ସେଇ ଗଛ ମୂଳେ ଗାତ ଖୋଳି ତାକୁ ସମାଧି ଦେଇଦେଲେ। ସକାଳ ହେବାରୁ ଗାଁ ସାରା ଲୋକଙ୍କୁ ଓ ରାଧାକାନ୍ତ ଙ୍କୁ କୁହାହେଲା ଯେ, ସୁମି ତା ପ୍ରେମିକ ସହିତ ଲୁଚି ପଳେଇଛି। ସମସ୍ତେ ଛି ଛାକର କଲେ। ସରପଞ୍ଚଙ୍କ ଝିଅ ହୋଇ ଶେଷରେ ଏଇଆ କଲା। ରାଧାକାନ୍ତ ଦୁଃଖରେ ଭାଙ୍ଗି ପଡ଼ିଲେ। ସୁମିକୁ ଶୁଦ୍ଧି ହୋଇଗଲେ ରାଗରେ। ........................... ହଠାତ୍ ଆର ପଟ ଘରୁ ପାଟି ଶୁଭିଲା ।ସୁଲୋଚନା ଭାବନାରୁ ବାହାରି ଦଉଡ଼ି ଗଲେ ଶରତ ରାୟ ଶୋଇଥିବା ଘରକୁ। ସେଠି ତାଙ୍କୁ ଜଗି ବସିଥିବା ଲୋକଟି କହୁଥିଲା , ମାଆ ବାବୁ ଶୋଇଥିଲେ। ମୋର ଟିକେ ଆଖି ଲାଗିଯାଇଥିଲା। ହଠାତ୍ ଉଠି ଦେଖିଲା ବେଳକୁ ସେ ଖଟରେ ନାହାଁନ୍ତି। ବଡ଼ ବାବୁ ତାଙ୍କୁ ଖୋଜିବାକୁ ଗଲେଣି। ସୁଲୋଚନା ଭୟରେ ଦଉଡ଼ିଲେ। ଦେଖିଲେ ରାଧାକାନ୍ତ କ୍ଷେତ ଆଡେ ପାଟି କରି ଦଉଡୁଛନ୍ତି।ସେ ମଧ୍ୟ ସେ ଆଡକୁ ଗଲେ।ସେଠି ପହଞ୍ଚି ଯାହା ଦେଖିଲେ , ସ୍ଥାଣୁ ପାଲଟି ଗଲେ। କ୍ଷେତ ପାଖ ବରଗଛ ଓହଳରେ ଝୁଲୁଥିଲେ ଶରତ ରାୟ।ପାଖରେ ଏକ ବିକୃତ ଚେହେରା ଠୋ ଠୋ ହୋଇ ହସୁଥିଲା। ସେ ହସ ଏତେ ବିକଟାଳ ଥିଲା ଯେ, ସୁଲୋଚନା ଗଛ କାଟିଲା ପରି ଦୁମ କରି ପଡିଗଲେ ସେଇଠି। ରାଧାକାନ୍ତ ବାବୁ ଆଣ୍ଠେଇ ପଡି ଛୋଗ ପିଲାଙ୍କ ପରି କଇଁ କଇଁ କାନ୍ଦୁଥିଲେ।ସୁମି ------ମୋ ସୁମି----- ମାୟାରେ। ହଠାତ୍ ହସ ବନ୍ଦ କରି ଅଶରୀରି କାନ୍ଦିବାକୁ ଲାଗିଲା ରାଧାକାନ୍ତ ଙ୍କ ସହିତ। କିଛି କ୍ଷଣ ପରେ ଚୁପ୍ ହୋଇ କହିଲା- ବାପା, ଥରଟିଏ ପଚାରିଲ ନାହିଁ ମୁଁ କ'ଣ ଚାହେଁ? ସେ ଅପରାଧୀ ଟାକୁ ବାହା ହୋଇ ମୋର କ'ଣ ହେବ ଥରଟିଏ ଭାବିଲନି। ମୁଁ ପରା ତମର ସେଇ ସୁମି। ଅଲିଅଳି ସୁମି। ମାଆ ଚାଲିଗଲା ପରେ ସାବତ ମାଆର କଥାରେ ତମେ ଏତେ ଭ୍ରମିତ ହୋଇଗଲ ଯେ ତମେ ତମ ସୁମିର ଲୁହ ଦେଖି ପାରିଲନି। ଏହା କହି ଆତ୍ମା ଟି ପୁଣି କାନ୍ଦିବାକୁ ଲାଗିଲା। ହଠାତ୍ ଜୋର୍ ରେ ପବନ ବହିଲା। ବିଲୁଆ ମାନେ ପୁଣି ବିକଟାଳ ଭଙ୍ଗିରେ ଇସାରା କରିବାକୁ ଲାଗିଲେ। କ୍ଷେତରେ ପବନ ହାବୁକା ମାରି ରାଧାକାନ୍ତ ଙ୍କ। ଚାରିପଟରେ ଘୁରି ବୁଲିଲା। ଆଉ ସେଇ ଆତ୍ମାଟି ବିକଟାଳ ହସ ହସି ଉଭେଇ ଗଲା କେଉଁ ଆଡେ। ରାଧାକାନ୍ତ ଦାଶ ଚିତ୍କାର କରୁଥିଲେ ସୁମି ------- ସୁମି------- ଫେରି ଆ ମାଆ। ଫେରି ଆ।



Rate this content
Log in

Similar oriya story from Tragedy