Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Jayashree Maharana

Tragedy Inspirational

4.1  

Jayashree Maharana

Tragedy Inspirational

କେବେ ସରିବ ଏ ବନବାସ

କେବେ ସରିବ ଏ ବନବାସ

7 mins
52



ଆପଣଙ୍କୁ ହୁଏ ତ ଏହା କାହାଣୀ ମନେ ହେବ ।କିନ୍ତୁ ଲକଡାଉନ ର ପ୍ରତ୍ୟକ୍ଷ ଅନୁଭୂତି ମୋର ।ଏ ପର୍ଯ୍ୟନ୍ତ ବି ମୁଁ ଏସବୁ ଭିତରେ ଘାଣ୍ଟି ହେଉଛି ।ଗଞ୍ଜାମ ପରି ଅଞ୍ଚଳରେ ଭୟ ଆଉ ଆଶଙ୍କା ଭିତରେ ଜୀବନ ବିତାଉଛି ।


 ଶୁଣିଥିଲି ପୁରାଣରେ ପ୍ରଭୁ ଶ୍ରୀରାମଚନ୍ଦ୍ର,ମାଆ ସୀତା, ପ୍ରଭୁ ଲକ୍ଷ୍ମଣ

ମାତା କୈକେୟୀଙ୍କ ବର ମାଗୁଣି ପରେ ପିତା ଦଶରଥଙ୍କ ସତ୍ୟ ରକ୍ଷା ପାଇଁ ଚଉଦ ବର୍ଷ ବନବାସ କରିଥିଲେ ।ଚଉଦ ବରଷ କରେ ଅଯୋଧ୍ୟା ପୁରକୁ ଫେରି ରାଜ୍ୟ ଶାସନ ଭାର ଗ୍ରହଣ କରି ରାଜକୀୟ ଶୈଳୀରେ ଜୀବନ ଯାପନ କରିଥିଲେ ।କିନ୍ତୁ ମୋର ଏ ବନବାସ କେବେ ସରିବ ମୁଁ ଜାଣେନା ।କେବେ ମୁଁ ଘରକୁ ଯିବି ,ବୋଉ ହାତ ରନ୍ଧା ଖାଇଦେଇ ଆରାମରେ ମୋ ଭିଟାମାଟିରେ ଶାନ୍ତିରେ ଟିକିଏ ଶୋଇବି ଜାଣେନା ।ମୋର ଏ ବନବାସ ରେ କାହାର ସତ୍ୟରକ୍ଷା ହେବ ନାହିଁ କିମ୍ବା କାହାଠାରୁ ପ୍ରଂଶସାର ପାତ୍ର ହେବି ନାହିଁ ।ମିଳିବାର ନାହିଁ ମୁକୁଟ ,ଉପଭୋଗ କରିବାର ନାହିଁ ରାଜଗାଦି ତଥାପି ମୁଁ ନିରୁପାୟ ।


  ଏ କରୋନା କାହାପାଇଁ କଣ ଆଣିଥାଏ ମୁଁ ଜାଣେନା ।କିନ୍ତୁ ମୋ ପାଇଁ ଏ ବନବାସର ଦୀର୍ଘମିଆଦୀ ବ୍ୟବସ୍ଥା ଆଣିଦେଇଛି ଯାହା ମୋ ପିଣ୍ଡରେ ପ୍ରାଣଥିବା ଯାଏଁ ଭୁଲିବା ଅସମ୍ଭବ ।


  ମୋର ଘର ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ ।କର୍ମସ୍ଥଳୀ କିନ୍ତୁ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ।ଘରଠାରୁ କର୍ମସ୍ଥଳୀ ପଞ୍ଚାଵନ କିଲୋମିଟର ।ପ୍ରତିଦିନ ଯିବା ଆସିବା ଅସମ୍ଭବ ।ତେଣୁ ସେଠାରେ ଏକ ଭଡାଘରେ ରହିବାକୁ ପଡେ ।ଚାହିଁ ରହିଥାଏ ଶନିବାରକୁ ।ସ୍କୁଲ ସାରି ଘରକୁ ଚାଲିଯାଏ ।ରବିବାର ଘର ଲୋକଙ୍କ ସହିତ ବିତାଏ ।ସୋମବାର ସକାଳୁ ଫେରିଆସେ କର୍ମସ୍ଥଳୀକୁ ।


   ଏହା ଅଭ୍ୟାସଗତ ରୁଟିନ ସାଜିଥିଲା ।ହଟାତ କରୋନା ପ୍ରଭାବ ଯୋଗୁଁ ସରକାର ସ୍କୁଲ କଲେଜ ଛୁଟି ସହ କୌଣସି ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଦ୍ୟାଳୟ ନ ଆସି ଘରେ ରହିବେ ବୋଲି ଜାଣିବା ପରେ ଏ ପରି ସଙ୍କଟ ସମୟରେ ଘରକୁ ଚାଲିଗଲି ।ସରକାରଙ୍କ ବିଭିନ୍ନ ଯୋଜନାରେ ଶିକ୍ଷକମାନଙ୍କ ସହଯୋଗ ଆବଶ୍ୟକ କରନ୍ତି ଅଥଚ ମିଳେନା ସମ୍ମାନ ମିଳେନାହିଁ ସହଯୋଗ ।ଘରକୁ ଘର ବୁଲି କରୋନା ସଂକେତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ସରକାର ଆଶା ଅଙ୍ଗନବାଡିର ସହାୟତା ସହ ଶିକ୍ଷକଙ୍କୁ ଯୋଡିନେଲେ ।ଏଥିରେ ମୋର ନାମ ନଥିବାରୁ ଆଶ୍ୱସ୍ତ ହେଲି ।ସେ କାର୍ଯ୍ୟକ୍ରମ ସରିବା ପରେ ଶୁଣିବାକୁ ମିଳିଲା ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆମେ କେବଳ କାହିଁକି କାର୍ଯ୍ୟ କରିବୁ ଅନ୍ୟ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଘରେ ରହିବେ ।ତେଣୁ ସରକାରଙ୍କ ନିର୍ଦ୍ଦେଶନାମା ଥିଲା କୋଡିଏ ଏପ୍ରିଲ ସୁଦ୍ଧା ହେଡକ୍ୟାର୍ଟର ରେ ଉପସ୍ଥିତ ହେବାକୁ ।ଅବଶ୍ୟ ମୋ ମନରେ ଦୁଇଟି ପ୍ରଶ୍ନ ଥିଲା କେନ୍ଦ୍ର ସରକାରଙ୍କ ଅନୁସାରେ ଯେଉଁ କର୍ମଚାରୀ ଘରେ ଅଛନ୍ତି ଏହି ସମୟରେ ତାଙ୍କୁ ଛୁଟି ଦିଆଯିବ ଆଉ କୌଣସି ଦରମା ବନ୍ଦ କରାଯିବ ନାହିଁ ।କିନ୍ତୁ ମୁଁ ଉପରିସ୍ଥ କର୍ମଚାରୀଙ୍କ ଠାରୁ ସୂଚନା ପାଇଲି ନ ଆସିଲେ ଦରମା ବନ୍ଦ ହେବ ।

ତେବେ ଏହା ନ୍ୟାୟ ନା ଅନ୍ୟାୟ ।ମୋର ଦ୍ୱିତୀୟ ପ୍ରଶ୍ନ ହେଡକ୍ୟାର୍ଟର କେଉଁଟି ଯାହା ମୋ ଜ୍ଞାନ ବାହାରେ ।ସ୍କୁଲ ପରିସର ନା ବି,ଇ,ଓ ଅଫିସ ।ତେବେ କୋଉଠି ରହିବା ଉଚିତ ।ଯାହାହେଉ ପ୍ରଧାନଶିକ୍ଷକଙ୍କ ମତରେ ତୁମ ଭଡାଘର ହିଁ ତୁମର ହେଡକ୍ୟାର୍ଟର ।

ଆଶ୍ଚର୍ଯ୍ୟ ଲାଗିଲା ।


  ଲକଡାଉନ ସମୟ ।କୌଣସି ସୁବିଧା ନାହିଁ ଆସିବାକୁ ।କେମିତି ଆସିବି ଚିନ୍ତା ବଢିଗଲା ଅବଶ୍ୟ ଉପରିସ୍ଥ ଅଫିସରଙ୍କ ଏ ଦିଗରେ ଟିକିଏ ବି କୋହଳ ନୀତି ନଥିଲା ।ଜଣେ ଶିକ୍ଷକଙ୍କ ସାହାଯ୍ୟରେ ଆସିଲି ।ବାଟରେ ପୋଲିସର କଟକଣା ।ଆମର ଅକ୍ଷମତା କୁ ସେ ନବୁଝି ଭଦ୍ର ଅପମାନ ଦେଇଦେଲେ ।ଶିକ୍ଷିତ ହୋଇ ନିୟମ ଭାଙ୍ଗିଚୁ ବୋଲି ।ପୁନଶ୍ଚ ଦେଖିଲେ ବାଡେଇବାର ଧମକ ଦେଲେ ।କିନ୍ତୁ ନିରବ ରହିବାକୁ ପଡିଲା ।କାରଣ ସରକାରଙ୍କ ନିୟମ ପାଳୁଛନ୍ତି ସେମାନେ ।ଅନ୍ୟ ବିଭାଗର କର୍ମଚାରୀଙ୍କ ଅସହାୟତାକୁ ସେ ବା କାହିଁକି ବୁଝିବେ ।ସେ ଯାହାହେଉ ଛକ ରେ ପହଂଚି ସେଠାରୁ ଦୁଇ କିଲୋମିଟର ଚାଲି ଚାଲି ଭଡାଘରେ ପହଞ୍ଚିବାକୁ ପଡିଲା କାରଣ ଲକଡାଉନ ଯୋଗୁଁ ଯାନବାହନ ର ସୁବିଧା ଉପଲବ୍ଧି ନଥିଲା ।ଘରେ ତେଣେ ସମସ୍ତେ ବ୍ୟସ୍ତ ।ଏ ବିପଦ ସମୟରେ ଅବିବାହିତ ଝିଅଟିଏ ଘରୁ ଦୂରରେ ରହିଲେ କି ଚିନ୍ତା ବାପାମାଆଙ୍କର ଯିଏ ହୁଏତ ବାପାମାଆ ହୋଇଥିବେ ଅନୁଭବ କରିପାରିବେ ।



  ମୁଁ ପହଞ୍ଚିବା ସମୟ 5 ଟା ହୋଇସାରିଥିଲା ।ଯଦିଓ ମୁଁ ଉପରିସ୍ଥ ଅଫିସରଙ୍କୁ ଅବଗତ କରିଥିଲି ପହଁଚିଯିବି ବୋଲି ସେ ଅବିଶ୍ୱାସ କରିଥିଲେ ଏବଂ କୋଡିଏ ତାରିଖରେ ଅନୁପସ୍ଥିତ ଥିଲି ବୋଲି ଜଣାଇଥିଲେ ।ଏବଂ ପହଁଚିସାରି ଜଣାଇବା ପରେ ସେ କିଛି କରିପାରିବେ ନାହିଁ ବୋଲି ଜଣାଇଲେ ।ଅନ୍ୟ ଜଣେ ଆଜ୍ଞାଙ୍କ ଅନୁରୋଧକ୍ରମେ ଉପସ୍ଥିତ ଅଛି ବୋଲି ଅଫିସରେ ସୂଚିତ କରିଲି ।ସେ ସମୟରେ ଖୋର୍ଦ୍ଧା କରୋନାର ପ୍ରାଦୁର୍ଭାବ ଅତ୍ୟଧିକ ଥିବାରୁ ନିଜେ ଜଣେ ସଚେତନ ନାଗରିକ ହିସାବରେ ଭଡାଘରେ ଚଉଦ ଦିନ ପାଇଁ ହୋମ କ୍ୟାରେଣ୍ଟାଇନି ରେ ରହିବାକୁ ପଡିଲା ।ଘର ମାଲିକଙ୍କ ସହାୟତାରେ କିଛି ରାସନ ସାମଗ୍ରୀ ଆଉ ପରିବା କିଣି ଚଉଦ ଦିନ କିପରି ବିତାଇବାକୁ ପଡିଲା ସେକଥା କେବଳ ଅନୁଭବୀ ହିଁ ଜାଣେ ।ଚାରିକାନ୍ଥ ମଧ୍ୟରେ ଚଉଦ ଦିନ ପ୍ରଭୁ ରାମଚନ୍ଦ୍ରଙ୍କର ଚଉଦ ବରଷ ବନବାସ ଠାରୁ ବି କଷ୍ଟଦାୟକ ଥିଲା ।ପ୍ରଭୁ ତ ଧରଣୀ ମାଆ କୋଳରେ ଗଛଲତା ଗହଳ ଉପବନରେ ଶାନ୍ତିରେ ବାସ କରିଥିଲେ ।କିନ୍ତୁ ମୁଁ ସିମେଣ୍ଟ ଛଡ଼ରେ ନିର୍ମିତ ପକ୍କାଘରେ ଅଣନିଃଶ୍ଵାସୀ ହୋଇଯାଉଥିଲି ।ଏତିକି ଦିନ ମଧ୍ୟରେ ଅସ୍ପୃଶ୍ୟତାର ଯନ୍ତ୍ରଣା ଅନୁଭବ କରିପାରୁଥିଲି ।ରାତ୍ରିରେ ଆଖିରେ ନିଦ ଆସୁନଥିଲା ।ଦିନରେ ଖାଦ୍ୟ ରୁଚୁନଥିଲା ।ମୋତେ ଜାଣିଥିବା ଆତ୍ମୀୟମାନେ ଜାଣନ୍ତି ମୁଁ କେତେ ଖାଦ୍ୟପ୍ରିୟ ।କିନ୍ତୁ ସେ ଦିନରେ କେମିତି ମୁଁ କେବଳ ପେଟ ଭରିବା ପାଇଁ ଖାଦ୍ୟଟିକିଏ ଖାଉଥିଲି ଏବେ ଭାବିଲେ ମୋତେ ଆଶ୍ଚର୍ଯ୍ୟ ଲାଗୁଥିଲା ।କାହାକୁ ଜଣାଇବାକୁ ଦେଇନି ମୋର ପରିସ୍ଥିତି ।


  କରୋନା ରୋଗର ସୃଷ୍ଟିକାରୀ ଦେଶ ଚୀନ ଉପରେ ଆସୁଥିଲା ଅହେତୁକ ରାଗ ।ଯେଉଁ ଦେଶକୁ ଶକ୍ତିଶାଳୀ,ଧନଶାଳୀ କରିବାରେ ବିରାଟ ହାତ ଆମ ଦେଶର ସେ ଦେଶ ଯୋଗୁଁ ଆଜି ଆମେ ଏତେ କଠିନ ସମୟ ଦେଇ ଗତି କରୁଥିବାରୁ ଅନେକ ବିଦ୍ରୋହ ଭାବନା ଜାଗିଉଠିଥିଲା ।ଭାରତୀୟ ବଜାରରେ ଚାଇନା ଜିନିଷର ପରିମାଣ କମାଇବାକୁ ହେବ ବୋଲି ଚିନ୍ତା କରୁଥିଲି ।ଚିନ୍ତା,ଅନୁଚିନ୍ତା,ଶୋଚନା ଅନୁଶୋଚନା ଭିତରେ କଟିଗଲା ଚଉଦ ଦିନ ।


  କରୋନା ଯୋଦ୍ଧା ବୋଲି ଆଖ୍ୟା ପାଇନଥିଲେ ମଧ୍ୟ ଶିକ୍ଷକମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ।ଯେମିତି କି କ୍ୟାରେଣ୍ଟାଇନି ରେ ଜଗି ରହିବା ,ବହି ବଣ୍ଟନ,ଆଇରନ ବଟିକା ବଣ୍ଟନ ଏମିତି ଅନେକ ।ପୁସ୍ତକ ବଣ୍ଟନରେ ସାମିଲ ହୋଇଥିଲେ ମଧ୍ୟ ଅନ୍ୟ କୌଣସି କାର୍ଯ୍ୟରେ ମୋତେ ଉପରିସ୍ଥ କୌଣସି ଅଫିସରଙ୍କ ବଦାନ୍ୟତାରୁ ଯୋଗ କରାଯାଇନଥିବାରୁ ଖୁବ ଖୁସି ।ମାତ୍ର ସେଦିନଠାରୁ ଦୀର୍ଘ ଆଜିପର୍ଯ୍ୟନ୍ତ ପ୍ରାୟ ପଇଁଚାଳିଶ ଦିନ ଗୋଟିଏ ଘର ଭିତରେ ବିତାଇବା କେତେ ଯେ କଷ୍ଟକର ।ମନୋରଞ୍ଜନ ପାଇଁ କେବଳ ଦୁରଦର୍ଶନ ହିଁ ସହାୟକ ।ସେଥିରେ ପୁଣି କରୋନାର ବିସ୍ତାର ତଥ୍ୟ ଶୁଣି ଶୁଣି ମନ ଭାରାକ୍ରାନ୍ତ ହେବା ବ୍ୟତୀତ ଅନ୍ୟ କିଛି ନୁହେଁ ।ଆଜିକାଲି ନେଟୱର୍କ ଅସୁବିଧା ଯୋଗୁଁ ଦୂରଭାଷ ରେ ଉପଲବ୍ଧ ମୁଖପୁସ୍ତିକା,କିମ୍ୱା ୟୁଟୁବ ଦେଖି ମନୋରଞ୍ଜନ ର ମାଧ୍ୟମ ମଧ୍ୟ ଉପଲବ୍ଧି ହୋଇପାରୁନାହିଁ ।କେବଳ ଅତ୍ମୀୟମାନଙ୍କ ସହ ଦୁଇ ପଦ କଥା ହେଇ ମନରେ ସାହସ,ଧୈର୍ଯ୍ୟ ଏକାଠି କରି ଏକାନ୍ତରେ ଏଇ ଭଡାଘରେ ରହିବା ବ୍ୟତୀତ ଅନ୍ୟୁପାୟ ନାହିଁ ।ଏମିତି ତ ଅବସାଦ ବୃଦ୍ଧିପାଏ ।ସେମିତି ସମୟ ମଧ୍ୟ ଆସିଥିଲା ।ନିଜର ହୃଦୟକୁ ଶକ୍ତ କରି ସେଥିରୁ ମୁକୁଳିବାର ପ୍ରୟାସ କରିଥିଲି ଆଉ ସଫଳ ମଧ୍ୟ ହୋଇଥିଲି ।ସାଙ୍ଗସାଥୀମାନେ ପଦେ କଥା ନହେଲେ ଅନେକ ଅଭିମାନ ସୃଷ୍ଟି ହେଉଥିଲା ।


 ପ୍ରତିଷ୍ଠିତ କବୀ ନହେଲେ ମଧ୍ୟ ମୋହର ସାହିତ୍ୟ ପ୍ରତି ଅହେତୁକ ରୁଚି ।ଆଗରୁ ମନେ ମନେ ସ୍ଥିର କରିଥିଲି ଏବର୍ଷ ଗ୍ରୀଷ୍ମ ଅବକାଶର ସଦୁପଯୋଗ କରିବି ।ସୃଷ୍ଟି କରିବି ମୋ ଲେଖନୀ ମୁନରୁ ସୁନ୍ଦର ସୁନ୍ଦର ସୃଷ୍ଟି ।ପଢିବି ଅନେକ ମହାନ ସାହିତ୍ୟିକ ମାନନଙ୍କର କାଳଜୟୀ କୃତି ।କିନ୍ତୁ ସମ୍ଭବ ହୋଇପାରିଲା ନାହିଁ ।ମାନସିକ ଅସ୍ଥିରତା ହିଁ ଏଦିଗରେ ବାଧକ ସାଜିଲା ।ଆଜି ଭାବୁଛି ସତରେ ମୁଁ ହରାଇଦେଲି ମୂଲ୍ୟବାନ ସମୟକୁ ।


ଇତ୍ୟାବସରରେ ଆମ ଓଡ଼ିଆମାନଙ୍କର ମଧୁର ଗଣପର୍ବ ଆସି ପହଁଚିଲା ।ମନେ ମନେ ସ୍ଥିର କଲି ସରକାରଙ୍କ କୋହଳ ନୀତି ଏବଂ ଗାଡି ବସ ଚଳାଚଳ ହେଉଥିବାରୁ ରଜ ତିନିଦିନ ଘରେ ବିତାଇ ପୁଣି ଫେରିଆସିବି ମୋ କର୍ମସ୍ଥଳୀକୁ ।କିନ୍ତୁ ଦୁଇଦିନ ପୂର୍ବରୁ ଉପରିସ୍ଥ ଅଫିସରଙ୍କ ଖବର ଆସିଲା ତୁମର କ୍ୟାରେଣ୍ଟାଇନି ରେ ଡିଉଟି ପଡିବ ।ତେଣୁ ଗାଁ କୁ ଯିବା ଆଶା ଆଶାରେ ହିଁ ରହିଗଲା ।ଅବଶ୍ୟ ମୁଁ ଯାଇପାରିବି ନାହିଁ ବୋଲି ଜାଣିବା ପରେ ବୋଉ ମୋର ଭାଇ ହାତରେ ଭିଭିନ୍ନ ରକମର ଜିନିଷ ପିଠା ମିଠା ଦେଇ ପଠାଇଲା ।ସନ୍ଧ୍ୟା ସମୟରେ ଭାଇ ଆସି ସକାଳୁ ସକାଳୁ ତାହାର ଡିଉଟି ଥିବାରୁ ଚାଲିଗଲା ।କିନ୍ତୁ କାହିଁକି କେଜାଣି ଦିପୁ (ମୋ ଭାଇ )ଆସିବା ପରେ ମନର ଅବସାଦ ଅଧା କମିଯାଇଥିଲା ।ରଜ ପର୍ବ ପାଇଁ ଖୁସି ମନରେ ଘର ଲିପାପୋଛାଠାରୁ ସଜବାଜ କରିଲି ।ଏକତିରିଶ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଆଜିଯାଏଁ କେବେ ପିଠାପଣା କରିନି।ଦୀର୍ଘ ଆଠବର୍ଷ ଭଡାଘରେ ବିତାଇଥିଲେ ମଧ୍ୟ ସେ ସମୟ ଆସିନି ।କାରଣ ପ୍ରତି ପର୍ବପର୍ବାଣୀରେ ମୁ ଘରକୁ ଚାଲିଯାଏ ।ଆଉ ଘରେ ମୋ ବୋଉ ଆଉ ବଡ଼ଦିଦି ସବୁ ଆୟୋଜନ କରନ୍ତି ।ମୋର କାମ କେବଳ ଖାଇବା ।ଖାଇବାରେ ମୋର ଆଗ୍ରହ ।ଆଜିଯାଏଁ ନିଜକୁ କେବେ ଏତେ ବର୍ଷର ଝିଅଟେ ବୋଲି ଅନୁଭବ କରାଇନାହାନ୍ତି ।କେବେ କୌଣସି କାମ ପାଇଁ ବାଧ୍ୟ କରନ୍ତି ନାହିଁ ।ତେଣୁ ପିଠାପଣା ଆସୁନଥିଲେ ମଧ୍ୟ ଚକୁଳି ପିଠା ପାଇଁ ଆଣ ପ୍ରସ୍ତୁତ କଲି ।ଜଣେ ମଣିଷ କେତେ ପରିମାଣ କରିବି ନ ଜାଣି ଆଉ କାହାକୁ ନ ପଚାରି ବହୁତ ଗୁଡିଏ କରିନେଲି ।ଯାହାକି ତିନିଦିନ ଯାଏଁ ମୋର ଆଉ କାଉ ମାନଙ୍କର ଖାଦ୍ୟ ହେଲା ।ଆଉ ତା ମାନେ ନୁହେଁ ଭାତ ଖାଇନି ।କାରଣ ଭାତ ବିନା ମୁଁ ରହିପାରେନା ।ନୂଆ ପୋଷାକ ପାଇଁ ମନରେ ଦୁଃଖ ହୋଇଥିଲେ ମଧ୍ୟ ନିଜକୁ ବୁଝାଇଦେଇଥିଲି ।ପୁରୁଣା ପୋଷାକରେ ଘରମାଲିକଙ୍କ ଦ୍ୱାରା ତାଙ୍କ ପୁଅଝିଅ ପାଇଁ ପ୍ରସ୍ତୁତ ଦୋଳିରେ ଦୋଳିଖେଳି ଖାଇପିଇ ସଜେଇ ହୋଇ ସେଲ୍ଫି ନେଇ ସମୟ ଖୁସିରେ ବିତାଇଲି ।ଶେଷ ଦିନରେ ପିଆଜି,ପକୁଡି ,ଆଳୁଚପ ନିଜେ ତିଆରି କରିବା ସମୟରେ ଅନୁଭବ କଲି ମୁଁ ବଡ଼ ହୋଇଗଲିଣି ବୋଲି ।ଅବଶ୍ୟ କୌଣସି କାରଣରୁ ସ୍ମୃତି ସାଜିଥିବା ଫୋଟୋ ସବୁ ଡିଲିଟ ହୋଇଯିବା ପରେ ମନଦୁଃଖ ହୋଇଥିଲା ।କିନ୍ତୁ ରଜ ଯେ ମୋ ପାଇଁ ଖୁସିର ପସରା ନେଇ ଆସିଥିଲା ଏକଥା ଅସ୍ବୀକାର କରିପାରିବି ନାହିଁ ।ରଜଠାରୁ ମନ ସାମାନ୍ୟ ହାଲୁକା ଅଛି ।ଘରକୁ ଯିବା ପାଇଁ ମନ ବ୍ୟଗ୍ର ଥିଲେ ମଧ୍ୟ ଟିଭି ଦେଖି,ଏବେ କିଛି କିଛି କବିତା ଲେଖି,ଖବରକାଗଜ ପଢି ସମୟ ବିତାଇପାରିଛି ।


ଗଞ୍ଜାମ ଜିଲ୍ଲାରେ କରୋନା କାୟା ବିସ୍ତାର କରୁଥିବାରୁ ମନରେ ଅହେତୁକ ଡର ।ରଜ ପରଠାରୁ ଏକପ୍ରକାର ଦିନ ବାର ରୁ ସକାଳ ସାତ ପର୍ଯ୍ୟନ୍ତ ଲକଡାଉନ ।ଗାଡିମଟର ବନ୍ଦ ।ନିକଟସ୍ଥ ବଜାରକୁ ଯାଇ ଜିନିଷ ଆଣିବାରେ ଅସୁବିଧା ।ଗ୍ରାମ ଦୋକାନରେ ମିଳୁଥିବା ରାସନ ଆଉ ଦୁଆରକୁ ବିକ୍ରିଆସୁଥିବା କିଛିଟା ପରିବା,ପାଉଁରୁଟି କେକ,ବିସ୍କୁଟ,ସିପୁଲ,ଦାନ୍ତକୁଲୁ ସେଓ ,ମୁଢି,ମିକ୍ଚର,ବାଦାମ ରେ ଏକରକମ ଚାଲିଛି ଖାଇବା ଶୈଳୀ ।ଏଥିପାଇଁ ଦୁଃଖ ନାହିଁ ।

ଯାହାହେଉ ପ୍ରଭୁଙ୍କ ଦୟାରୁ ମାଆଙ୍କ କୃପାରୁ ମୋ ଖାଇବା ରେ କିଛି ଅସୁବିଧା ଅନୁଭବ କରିନି ।କେବେ କେବେ ଅସୁବିଧା ହୋଇଛି ।ଆଉ ଖାପଖୁଆଇ ଚଳିବା କୁ ମୁଁ ଅଗ୍ରାହ୍ୟ କରିନି ।କାରଣ ଜୀବନରେ ପ୍ରକୃତ ଶିକ୍ଷା ହେଲା ଖାପଖୁଆଇ ଚଳିବା ।ଆଉ ମୁଁ ସେସବୁ କୁ ଗ୍ରହଣ କରିଛି ଆଉ ଭବିଷ୍ୟତରେ ଗ୍ରହଣ କରିବାକୁ କେବେ ବି କୁଣ୍ଠିତ ହେବିନାହିଁ।




ଆସିବା ଦିନଠାରୁ ଆଜିପର୍ଯ୍ୟନ୍ତ ଏକରକମ ବନବାସ ବୋଲି ମୁଁ ମନେକରୁଛି ।ଶନିବାରକୁ ଚାହିଁ ରହିଥିବା ଝିଅଟି ଦୀର୍ଘଦିନ ହେବ କେମିତି ରହିଛି କେବଳ ସେ ହିଁ ଜାଣେ ।ମୋର ମନେ ଅଛି ପିଲାବେଳୁ ଘରଠାରୁ ଦୂରରେ ରହିନଥିବାରୁ ଯେତେବେଳେ ଦୀର୍ଘଛୁଟି ସାରି କର୍ମସ୍ଥଳୀ ଫେରୁଥିଲି ସେଦିନ ଆସି ବହୁତ କାନ୍ଦୁଥିଲି ବିଦ୍ୟାଳୟରେ ।ଆଉ ମୋତେ ସାନ୍ତ୍ୱନା ଦେଉଥିଲେ ମୋର କୁନି କୁନି ଛାତ୍ରଛାତ୍ରୀ ମାନେ ।ହଁ ନିଜେ ବି ଚିନ୍ତା କରିଚି ପେଟପାଟଣା ପାଇଁ ଅନେକ ଲୋକ ବାହାରକୁ ଯାଇ ବର୍ଷ ବର୍ଷ ବିତାଇଛି ।କିନ୍ତୁ ମୁଁ ନିଶ୍ଚିତ ପ୍ରଥମେ ପ୍ରଥମେ କେତେ କଷ୍ଟ ହେଉନଥିବ ତାଙ୍କୁ ।ମୋ ଜୀବନରେ ଏଇ ସମୟ ପ୍ରଥମଥର ଅନୁଭବ ତେଣୁ ଏତେଦିନ ଘରଠାରୁ ଦୂରରେ ରହିବାର ଅଭ୍ୟାସ ନଥିବାରୁ କଷ୍ଟ ହୋଇଛି ।ହୁଏତ ଏହା ଭବିଷ୍ୟତରେ ସହାୟକ ହେଇପାରେ ।କରୋନା ଲୋକମାନଙ୍କୁ ପରିବାର ସହିତ ସମୟ ବିତାଇବା ପାଇଁ,ପରସ୍ପର ସ୍ନେହଶ୍ରଦ୍ଧା ବାଣ୍ଟିବା ପାଇଁ ସୁଯୋଗ ଦେଇଥିବା ସମୟରେ ମୋତେ ଦେଇଛି ବିପରୀତ ଫଳ ।କରୋନା ଯୋଗୁଁ ଲୋକ ପରିଷ୍କାର ପରିଛନ୍ନତା ପ୍ରତି ସଜାଗ ହୋଇ ଘରକୁ ସଜାଇବା ପାଇଁ ଅବସର ଦେଇଥିବା ସମୟରେ ମୋତେ ଦେଇଛି ଅବସାଦ ।କରୋନା ଖାଦ୍ୟପ୍ରେମୀଙ୍କୁ ନୂଆ ନୂଆ ରନ୍ଧନ ଅନୁଭୂତି ଦେଇଥିବା ସମୟରେ ମୁଁ ଏଥିରୁ ବଂଚିତ ।କାରଣ ଏପରି ଗ୍ରାମାଞ୍ଚଳ ରେ ଜିନିଷ ଆଣି ଘରେ ନୂଆ ନୂଆ ଜିନିଷ ବନେଇବାର ଧୈର୍ଯ୍ୟ ମୋର ନାହିଁ ।ମନ ତ କେବଳ ଘରେ ।ସାଙ୍ଗସାଥୀମାନେ କୁହନ୍ତି ତୁ ଆସିଯା ଘରକୁ ।କିନ୍ତୁ ମୋର ଉପରିସ୍ଥ ଅଫିସରଙ୍କ ଅବୁଝା ଏବଂ କଠୋର ଚିନ୍ତାଧାରା ପାଇଁ ମନରେ ଭୟ ସୃଷ୍ଟି ହୋଇଯାଉଛି ।



 ଦିନକୁ ଦିନ କରୋନା ପ୍ରାଦୁଭାଵ ଦ୍ରୁତଗତିରେ ବୃଦ୍ଧି ହେଉଥିବାରୁ ଘର ଲୋକଙ୍କର ବ୍ୟସ୍ତତା ମଧ୍ୟ ବୃଦ୍ଧି କେବେ ଆସିବୁ ଘରକୁ ?କିନ୍ତୁ ଦେଇପାରେନା ତାଙ୍କ ପ୍ରଶ୍ନର ଉତ୍ତର ।କେବେ ସରିବ ଏ ବନବାସ ?କେବେ ଯିବି ଘରକୁ ?କେବେ ଏ ଶ୍ରେଷ୍ଠ ମଣିଷ ସାମାନ୍ୟ ଭୁତାଣୁକୁ ନିୟନ୍ତ୍ରଣ କରିବ ?କେବେ ବାହାରିବ ଏହାର ପ୍ରତିଷେଧକ ?କେବେ ଦୂର ହେବ ମନରୁ ଭୟ ।କେବେ ବଞ୍ଚିବ ମଣିଷ ସେଇ ମୁକ୍ତ ଜୀବନ ।କେବେ ପୁଣି ହେବ ପୂର୍ବ ଅବସ୍ଥା ।ମୁଁ ଚାହିଁ ରହିବି ସେ ଶନିବାର କୁ ଆଉ ବୋଉ ହାତ ରନ୍ଧା ଖାଦ୍ୟକୁ ।ମୋ ଭିଟାମାଟି ଡାକିଲାଣି ହାତଠାରି ।ମନ ହେଲାଣି ବ୍ୟସ୍ତ ।ହେଲେ କିଏ ବୁଝୁଛି ଏ ବ୍ୟସ୍ତତା ।ମୋ ପରି ଅନେକ ଏପରି ଅନୁଭବୀ ନିଶ୍ଚିତ ।ଅନେକ ମାନସିକ ଯନ୍ତ୍ରଣା ସହିଥିବେ ।କରୋନା ପାଇଁ ଏତେ କଷ୍ଟ ଏତେ ବ୍ୟଥା ଚିରଦିନ ପାଇଁ ହୃଦୟରେ ଗାର ହୋଇ ରହିଗଲା ।ଏ ଗାର ମରିବା ପର୍ଯ୍ୟନ୍ତ ଲିଭିବ ନାହିଁ ।ଏବେବି ମନରେ ପ୍ରଶ୍ନ କେବେ ସରିବ ଏ ବନବାସ ?

   



Rate this content
Log in

More oriya story from Jayashree Maharana

Similar oriya story from Tragedy