କୌଶଳ
କୌଶଳ


ରାମ ବାବୁ ଆମ ଗାଁ ମଧୁପୁର ଜମିଦାର ହିସାବରେ ବହୁତ ପ୍ରସିଦ୍ଧ । ଏବେ ତ ଆଉ ଜମିଦାର ମାନଙ୍କ ରାଜୁତି ନାହିଁ କିନ୍ତୁ ତାଙ୍କ ବଂଶ ଆଭିଜାତ୍ୟ ରହି ଆସିଛି । ସେଥିପାଇଁ ମଧୁପୁର ଗ୍ରାମ କହିଲେ ରାମ ବାବୁଙ୍କ ଡ଼ାକ କୁ ବୁଝାଏ । ରାମ ବାବୁଙ୍କ ପୁତ୍ର ଯଯାତି ବାବୁ ବଂଶର ଏକମାତ୍ର ସନ୍ତାନ । ବାପାଙ୍କ ପରି ତାଙ୍କର ମଧ୍ୟ୍ୟ ବହୁତ ଡ଼ାକ କିନ୍ତୁ ଟିକେ ବିପରୀତ । ଯଯାତି ବାବୁ ସ୍ଵଭାଵରେ ବହୁ ରାଗି ଏବଂ ଅହଙ୍କାରୀ ଏବଂ ଯାବତୀୟ ଅସାମାଜିକ କାର୍ଯ୍ୟରେ ମଧ୍ୟ୍ୟ ଲିପ୍ତ ଥାନ୍ତି । କେମିତି ବା ନ ହେବେ ଏତେ ବଡ଼ ନାମୀ ପରିବାରର ଏକ ମାତ୍ର ପୁତ୍ର ଏବଂ ଆଗକୁ ଏକ ଅଚଳାଚଳ ସମ୍ପତିର ଆଗାମୀ ଭବିଷ୍ୟତ । ସେଥିଲାଗି କୌଣସି ପ୍ରକାର ନିଜସ୍ୱ ବଡ଼ଲୋକପଣ ଦେଖେଇହେବା ଭଳି କାର୍ଯ୍ୟରୁ ସେ ନିବୃତ ରୁହନ୍ତି ନାହିଁ ।
ଭୋଳାର ପିତା ନିତିଆ ମଉସା ରାମ ବାବୁଙ୍କ ଘରେ ଜୀବନ ସାରା କାମ କରିଥିଲେ, ଭାରୀ ବିଶ୍ୱସ୍ତ ଏବଂ କାମିକା । ପୁରା ଜୀବନ ତାଙ୍କର ଗୋଟେ ଗର୍ବ କଣ ନା ଯେତିକି ଦିନ ବଞ୍ଚିଲେ
ଏକ ମାଲିକର ପ୍ରିୟ ଏବଂ ବିଶ୍ୱସ୍ତ ହୋଇ । ଏହି ଭାବନାରେ ସେ ପୁରା ଜୀବନ ବିତାଇଦେଲେ ଏବଂ ଭୋଳାକୁ ମଧ୍ୟ୍ୟ ସର୍ବଦା ଏକ ଆଦର୍ଶ ଏବଂ ବିଶ୍ୱସ୍ତ ଚାକର ହୋଇ ମାଲିକର
ଆଦେଶକୁ ମାନିବାକୁ ଶିକ୍ଷା ଦେଇଯାଇଥିଲେ ।
କିଛି ଦିନ ପୂର୍ବରୁ ନିତିଆ ମଉସାଙ୍କ ଦେହାନ୍ତ ପରେ ଭୋଳା ମାଲିକଙ୍କ ସମସ୍ତ କାମକୁ ଆପଣେଇ ନେଲା । ଧୀରେ ଧୀରେ ସେ ଭି ତା ବାପା ପରି ରାମ ବାବୁଙ୍କ ଭାରୀ ପ୍ରିୟପାତ୍ର ହୋଇଗଲା । ରାମ ବାବୁ ମଧ୍ୟ୍ୟ ନିତିଆ ମଉସାଙ୍କ ସେବା ଲାଗି ତାଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଭୋଳା ନାମରେ ଦୁଇ ଗୁଣ୍ଠ ଜାଗା ଲେଖିଦେଲେ । ଏହା ଦ୍ୱାରା ଭୋଳା ବାବୁଙ୍କ ପ୍ରତି ଆହୁରି କୃତ କୃତ ରହିଲା । ରାମ ବାବୁଙ୍କ ଏମିତି କୋଉ କାମ ନ ଥାଏ ଯାହା ଭୋଳା କରିବାକୁ ତୁରନ୍ତ ରାଜି ନ ଥାଏ । ମାଲିକଙ୍କ ପ୍ରତ୍ୟେକ ଆଦେଶ ସେ ବହୁତ ଗୁରୁତ୍ୱପୂର୍ବକ ଏବଂ ଉତ୍ସାହ ସହ କରେ । ରାମ ବାବୁ ମଧ୍ୟ୍ୟ ତାକୁ ବାପାରେ ଭୋଳା କହି ନାଁ ଉଚ୍ଚାରଣ କରନ୍ତି । ଏହି ପଦକ ଡାକରେ ଭୋଳା ମନ ଗଦଗଦ ହୋଇ ଉଠେ । ସତିକା ତା ବାପା ଡାକୁଛନ୍ତି ତାକୁ ଏତେ ପ୍ରେମରେ ଭାବି ସେ ବେଶ ଆନନ୍ଦ ହୋଇଉଠେ ।
ଯଯାତି ବାବୁ, ବାପାଙ୍କର ଏପରି ସ୍ନେହ ଆଦର ଏକ ନିମ୍ନ ଜାତିର ଚାକର ପ୍ରତି ଦେଖି ମନେ ମନେ ଭାରି ଚିଡ଼ାନ୍ତି । କିନ୍ତୁ କିଛି କହି ପାରନ୍ତି ନାହିଁ ।
କିଛିଦିନ ପରେ ହଠାତ ଯଯାତି ବାବୁ ଗୋଟେ କ୍ଲବରେ ଜୁଆ ଖେଳିବା ଏବଂ ଏକ ଜୁଆ ଖେଳାଇବା ପରି ଗ୍ରୁପର ହେଡ ଭାବେ ଲିପ୍ତ ବୋଲି ଧରାପଡିଲେ । ପୋଲିସ ଘରକୁ ଆସି ଯଯାତି ବାବୁଙ୍କୁ ଆରେଷ୍ଟ କରିବ ବୋଲି ଶୁଣିବାକୁ ପାଇ ରାମ ବାବୁ ମର୍ମାହତ ହୋଇ ପଡିଲେ । ରାମ ବାବୁଙ୍କ ଏପରି ଅବସ୍ଥା ଦେଖି ଭୋଳା ମନେ ମନେ ଭାରି ଦୁଃଖୀ ହୋଇପଡିଲା ଏବଂ କିପରି ବାବୁଙ୍କ ଦୁଃଖ ଦୂର କରି ପାରିବ ଭାବି ଚିନ୍ତାରେ ପଡିଗଲା । ପୋଲିସ ଘରେ ପହଁଚିଲେ ଏବଂ ଯଯାତି ବାବୁଙ୍କୁ ଖୋଜିଲେ ସେହି ସମୟରେ ଭୋଳା ଆସି ପୋଲିସ ଅଧିକାରୀଙ୍କ ଆଗରେ ସମସ୍ତ ଦୋଷ ନିଜ ମୁଣ୍ଡ ଉପରେ ନେଇଗଲା । ବାସ ଏହି ସୁଯୋଗକୁ ଅପେକ୍ଷା କରିଥିଲେ ଯଯାତି ବାବୁ ଏବଂ କିଛି ଲାଞ୍ଚୁଆ ପୋଲିସ ଅଧିକାରୀ ମଧ୍ୟ୍ୟ । ରାମ ବାବୁ ବହୁ ଦୁଃଖରେ ଭୋଳାକୁ ବିଦା କଲେ ଏହା ମଧ୍ୟ୍ୟ ଆଶ୍ୱାସନା ଦେଲେ କିଛିଦିନ ଭିତରେ ତାକୁ ବେଲ ରେ ବାହାରକୁ ନେଇ ଆସିବେ ବୋଲି । ଭୋଳା ମଧ୍ୟ୍ୟ ବାବୁଙ୍କ କଥାକୁ ବିଶ୍ୱାସ କରି ଚାଲିଗଲା ।
ଦୀର୍ଘ ଛ ମାସ ପରେ ଭୋଳାର ବେଲ ହେଲା । କିଛି ମୋଟା ଆକାର ପଇସା ମଧ୍ୟ୍ୟ ଖର୍ଚ୍ଚ ହେଲା । ଏହା ଦେଖି ଯଯାତି ବାବୁ ରାଗିକି ବାପାଙ୍କୁ ପଚାରିଲେ କଣ ପାଇଁ ଆପଣ ତା'ର ଜେଲରୁ ବାହାରିବାକୁ ନେଇ ଏତେ ବ୍ୟସ୍ତ? ଏତେ ମୋଟା ଆକାର ଧନ ତା ଲାଗି ଖର୍ଚ୍ଚ କରିବାର ଅର୍ଥ କଣ? ଆମେ ଜମିଦାର ପରିବାରର ତା ପରି ଏକ ତଳ ଜାତିର ପିଲାକୁ ପ୍ରତି କଥାରେ ବାପlରେ ଡାକିବାର ଅର୍ଥ କ'ଣ?ଆମେ ସାମନ୍ତବାଦ କୁ ଅନୁକରଣ କରିବା କଥା, ଯଦି ତାହା ସରକାର ଉଠାଇ ଦେଇଛି ତା ମାନେ ନୁହେଁ କି ଆମେ ଏପରି ନୀଚ ଜାତି ଗୁଡ଼ାଙ୍କୁ ମୁଣ୍ଡରେ ସ୍ଥାନ ଦେବା
ରାମ ବାବୁ ଯଯାତି ବାବୁଙ୍କ ସବୁ ପ୍ରଶ୍ନ ଶୁଣି ହସିବାକୁ ଲାଗିଲେ ଏବଂ କହିଲେ ଏହି ଫରକ ତୁମ ଏବଂ ମୋ ଭିତରେ । ଭୋଳା ଯେତିକି କାମ କରୁଛି ଗୋଟେ ଲୋକ ନିହାତି ମାସିକ ବେତନ ପନ୍ଦର ରୁ କୋଡିଏ ହଜାର ନେବ କିନ୍ତୁ ଭୋଳା ଖାଲି ବାପାରେ ଡାକିଦେଲେ ବିନା ମୂଲ୍ୟରେ ପ୍ରତିଟି କାମ କରି ନେଉଛି, ଏଇ ଟିକକ ସ୍ନେହ ଆଦର ପାଇଁ ସେ ତୁମ ଲାଗି ଛ ମାସ ଜେଲରେ ରହି ଆସିଲା ଏବଂ ପୂର୍ବପରି ପୁଣି ବିଶ୍ୱସ୍ତ ହୋଇ କାମ କରୁଛି । ଏପରି ଲୋକ ମିଳିବା ଆଜିକାଲି ସମୟରେ କଷ୍ଟକର ତେଣୁ ଭବିଷ୍ୟତକୁ ଆଖି ଆଗରେ ରଖି ତାର ବେଲ କରାଇଲି । ଏବେ ବୁଝି ପାରିଲ ସାମନ୍ତବାଦ ଉଠି ଯାଇଛି ସତ କିନ୍ତୁ ଆମେ ଉପରିସ୍ଥ ଜାତି ସମୂହ ତାର ଫାଇଦା ଉଠାଇବାର କୌଶଳରେ ଯାହା ଟିକେ ପରିବର୍ତ୍ତନ ଆଣିଛୁ ।
ଏହା କହି ରାମ ବାବୁ ଏବଂ ଯଯାତି ବାବୁଙ୍କ ମୁହଁରେ ଏକ ବିକଟାଳ ଅଟ୍ଟହାସ୍ୟ ଥିଲା ଏବଂ ଦୂରରୁ ଭୋଳା ମୁହଁରେ ସତରେ ଭୋଳା ହସ ଟିଏ ଥିଲା ।