କୌଳିକ ବୃତ୍ତି
କୌଳିକ ବୃତ୍ତି


ନିଜ ନିଜର କୌଳିକ ବୃତ୍ତିକୁ ଛାଡିବାକୁ ପ୍ରାୟ ସମସ୍ତେ ନା ପସନ୍ଦ କରନ୍ତି।ମଣିଷ ନିଜେ ସ୍ବାବଲମ୍ବୀ ହୋଇ ବଞ୍ଚିବାକୁ ଚାହେଁ। ଘରେ ଆଳସ୍ୟ ପଣରେ ନ ବସି ନିଜକୁ କାର୍ଯ୍ୟରେ ଲିପ୍ତ କରିବାପାଇଁ ବୃଦ୍ଧ ବୟସରେ ମଧ୍ୟ ଅଧିକାଂଶ ଲୋକ ଭାବନ୍ତି ନିଜ ନିଜର ବେଉସାରେ ଲିପ୍ତ ରହିଲେ ଦୁଇ ପଇସା ରୋଜଗାର ହୋଇଯିବ ଏବଂ ମନ ପ୍ରଫୁଲ୍ଲିତ ଲାଗିବ ।
ନିଜ ନିଜର ସନ୍ତାନ ମାନେ କେତେ ବଡ ଚାକିରି କରନ୍ତୁ ଅଥବା ଶିକ୍ଷିତ ହୁଅନ୍ତୁ କିନ୍ତୁ ବଳ ବୟସ ଥିବା ପର୍ଯ୍ୟନ୍ତ ପ୍ରାୟ ନିଜ ନିଜର ବୃତ୍ତିକୁ ଆପଣାଇଥାନ୍ତି।କାହା ଉପରେ ବୋଝ ହୋଇ ରହିବାକୁ କୁଣ୍ଠାବୋଧ ପ୍ରକାଶ କରନ୍ତି।
ପରିବା କିଣିଲା ଵେଳେ ଆଜି ମୋ ନଜରରେ ପଡିଲା ମଉସା ଜଣକ ଉପରେ। ସେ ମଉସା ଜଣକ ମତେ କହୁଥାନ୍ତି ଭଲ ମକା ଏଠୁ ନିଅନ୍ତୁ।ମିଠା ମକା ସୁଇଟ୍ କର୍ଣ୍ଣ ଏହା।ଗୋଟାଏ କୋଡିଏ।ଚୋପାଛଡେଇ ଦେଖନ୍ତୁ ଆପଣଙ୍କ ମନ ନ ବୁଝେ ତାହା ହେଲେ ନେବେ ନାହିଁ।ଇଏ କଷି ମକା ପରା। ନିଅ ୫୦ ଟଙ୍କାରେ ତିନିଟା ଦେଇଦେବି।ଏ ମକା ଗୋଟାଏ ତିରିଶି।
ସେ ମଉସା ମତେ ପଚାରୁଥାନ୍ତି ଶହେ ଟଙ୍କାର ନେବ ନା ପଚାଶ ଟଙ୍କାର ନେବ ମୁଁ କହିଲି ପଚାଶ ଟଙ୍କାର। ସେ ମଉସା ମତେ ତିନଟି ମକା ଧରାଇ ୫୦ ଟଙ୍କା ଦିଅ କହିଲେ। ଆହୁରି ମତେ କହିଲେ ଜାଣିଛ ମୁଁ କିଏ ମୁଁ ଏକ IAS ର ବାପା।
ଜାଣିଛ ମୋ ପୁଅ IAS ଅଫିସର୍। ମୋର ଦୁଇଟି ପୁଅ। ଗୋଟିଏ ପୁଅ IAS ଅଫିସର ଆଉ ଏକ ପୁଅ ମେକାନିକାଲ ଇଞ୍ଜିନିୟର।ଆମ ଘରେ A. C ଅଛି। ଘର ଗରମ ଲାଗିଲେ ଥଣ୍ଡା ରହୁଛି।ବାରମ୍ବାର ସେହି କଥା କହୁଥାନ୍ତି ସେ ମଉସା ମୁଁ ମିଛ କହୁନି ଝିଅ, ମୋ ପୁଅ IAS ଅଫିସର।ତା ନାଆ.......।ମୁଁ ପଚାରିଲି ତାହାହେଲେ ତୁମ ପୁଅମାନେ ତୁମ ପାଖରେ ରହନ୍ତି। ଉତ୍ତରରେ ମଉସା କହିଲେ ଗୋଟେ ପୁଅ ମୋ ପାଖରେ ରହେ। ଅନ୍ୟ ଗୋଟିଏ ପୁଅ ବାହାରେ।
ମୋର କୌଳିକ ବୃତ୍ତି ଅଟେ ଚାଷ। ଵିଭିନ୍ନ ପ୍ରକାର ପନିପରିବା ଲଗାଇଛି ନିଜ ହାତରେ ମୋ ବାଡିରେ।ତା ଛଡା ମୋ ଚାଷ ଜମିରେ ଭଳିକି ଭଳି ପରିବା ଉତ୍ପାଦନ ହେଉଛି। ଏହି ବୃତ୍ତିକୁ ମୁଁ କେବେବି ହାତ ଛଡା କରିବି ନାହିଁ, ବଳ ବୟସ ଥିବା ପର୍ଯ୍ୟନ୍ତ। ପରିବା ବିକ୍ରିକରି ଏଠୁ ଯାହା ପଇସା ପାଉଛି ମୋ ଦେହ ପାଇଁ ଔଷଧ ପତ୍ର କିଣାକିଣିରେ ଖର୍ଚ ହୋଇଯାଉଛି।
ମୁଁ ମଉସାଙ୍କୁ ପଚାଷ ଟଙ୍କା ଦେଇ ମକା ନେଇ ଚାଲିଆସିଲି ଏବଂ ମନେ ମନେ ଚିନ୍ତାକଲି ପ୍ରକୃତରେ ମଣିଷ ନିଜେ ସ୍ବାବଲମ୍ବୀ ହୋଇ ବଞ୍ଚିବା ଦରକାର ନିଜର ବଳ ଏବଂ ବୟସ ଥିବା ପର୍ଯ୍ୟନ୍ତ । ନିଜ ନିଜର କୌଳିକ ବୃତ୍ତିକୁ ଆପଣାଇବା ପାଇଁ ସତରେ ଲଜ୍ଜା ଏବଂ ସଙ୍କୋଚ କରିବା ଆଦୌ ଠିକ୍ ନୁହଁ ।