Panchanan Jena

Tragedy

4.0  

Panchanan Jena

Tragedy

କାତ୍ୟାୟନୀ

କାତ୍ୟାୟନୀ

11 mins
394


ମଣ୍ଡାପାଳ ସବଡିଭିଜନାଲ ଡାକ୍ତରଖାନା, ତାଳଚେରରୁ ଅର୍ଜୁନ ଭାଇର ପୋଷ୍ଟ ମର୍ଟମ ପରେ କଳା ଜରିରେ ଗୋଡ଼ା ଶବକୁ ଧରି ଅର୍ଜୁନ ଭାଇର ସହଧର୍ମିଣୀ ଝୁମ୍ପେଇ ଭାଉଜ ଅଟୋରେ ବସିବା ବେଳକୁ , ଜରିମୋଡ଼ା ମଲା ମୁଣ୍ଡକୁ କୋଳରେ ରଖିବା କାଳକୁ ,ମୋ ଆଖି କୋଣରେ କେଇ ବୁନ୍ଦା ଲୁହ କଣିକାର କ୍ଷଣିକ ଆଗମନ ଭାଉଜଙ୍କ ନଜରରେ ପଡିଗଲା ମୋ' ଅଜାଣତରେ ।

ମୋତେ ଲାଗୁଥିଲା ଝୁମ୍ପେଇ ଭାଉଜ କେଉଁ ଗୁଣରେ ରାଣୀ ଲକ୍ଷ୍ମୀବାଇ ଠାରୁ ସାହାସ ରେ କମ୍ ନୁହନ୍ତି । ସ୍ୱାମୀ ମରା , ବୃତ୍ତି ହରା ତଥା ଆୟଶୂନ୍ୟ ଆଠ ଜଣିଆ ପରିବାରର ବୋଝ ମୁଣ୍ଡେଇବାକୁ କେମିତି ଅଣ୍ଟାଭିଡ଼ି ବସିଛି ଦେଖ । କାଲି ରାତିରେ କାନ୍ଦି କାନ୍ଦି କଂପେଇ ଦେଉଥିଲା ଖଣ୍ଡ ମଣ୍ଡଳ । ଆଜି କିନ୍ତୁ ନୟନ ତମସା ରେ ଶୁଖିଲା ଚୋରା ବାଲି ଡହ ଡହ । 

ହେ ଭଗବାନ୍ ! ସାହସ ଓ ଧୌର୍ଯ୍ୟ ସବୁ ଠୁଳ କରି ଦେ ନିରିମାଖି ଭାଉଜଙ୍କ ପଣତ କାନିରେ । ରାସ୍ତା ବତେଇ ଦେବୁ ଆହେ ଦୟାମୟ ବିଶ୍ଵବିହାରୀ । ମନେ ମନେ କହୁ କହୁ ଅଟେ। ପଛେ ପଛେ ବାଇକ୍ ସ୍ଟାର୍ଟ କଲି କୋଠଭୋଗ ଖିଆ ମୋ ଚକା ଆଖିଆ ଶବ ବାହକ " ସ୍ଵର୍ଗଦ୍ଵାର" ନାମିତ ଅଟେ। ରେ ବାଜୁଥିଲା ଏମପି ଥ୍ରୀ ମୋବାଇଲରେ ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ସୁଲଳିତ ଆଉ ଓଡ଼ିଶାର ଘରେ ଘରେ ପରିଚିତ ଜଗନ୍ନାଥ ଭଜନ । ମୁଁହରୁ ଆପେ ଆପେ ବାହାରି ପଡିଲା ଜୟ ଜଗନ୍ନାଥ ।

ଅଟୋ ଆଗେ ଆଗେ । ପଛେ ପଛେ ବାଇକ୍ ରେ ସବାର ହେଲମେଟ୍ ପିନ୍ଧା ମୁଁ । ଯାହାହେଉ ହେଲମେଟ ଶିରସ୍ତ୍ରାଣ ଯୋଗୁଁ ମୁଣ୍ଡ ମୁଁହ ତାଳଚେର ସହରର କୋଇଲା-କଳା ଧୂଳି-ଧୂଆଁରୁ ବଞ୍ଚିଯିବ । ଓଡ଼ିଶା ସରକାରଙ୍କ କଡ଼ା ସଡ଼କ ସୁରକ୍ଷା ନୀତିକୁ ବି ବହେ ବଧାଇ ଦେଲେ । ବଂଚିଗଲି ରାଧାମାଧବ ।

ସମୟ ବୋଧହୁଏ ଦିନ  ଏଗାରଟା ହେବ । ପ୍ରବଳ ଝାଞ୍ଜି । ଦେହ ହାତ ଜଳିଯିବ । କଳା ହୀରାର ସହର ତାଳଚେର ଆଜି ତତଲା ଚିମନିର ରୁଦ୍ର ରୂପ ଧାରଣ କରିଛି । ଲାଗୁଛି ଅର୍ଜୁନ ଭାଇର ମୃତ୍ୟୁରେ ଭୀଷଣ ରାଗିଯାଇଛି । ସୂର୍ଯ୍ୟ ଦେବଙ୍କ ସହ ଗୁପ୍ତ ମନ୍ତ୍ରଣା କରି ତାଳଚେର ଜନ ମାନସଙ୍କ ଉପରେ କିଛି ରାଗ ଶୋଝିବାର ମସୁଧା କରିଛି । ନୀରବ ଜନତା । ଟିକିଏ ବି ଦରଦ ନାହିଁ । କାଣିଚାଏ ବି କରୁଣା ନାହିଁ । 

ପୁଣି ମନରେ ଭାବାନ୍ତର । କାହିଁ ରାମଚନ୍ଦ୍ର କାହିଁ ରାମା ଭଣ୍ଡାରୀ । କାହିଁ ସୁନାମଧେୟ ବ୍ରାହ୍ମଣୀ ନଦୀକୂଳିଆ ଜଟିଆ ଗ୍ରାମର ଅନାମଧେୟ ଅର୍ଜୁନ ନାୟକ , ମଦ ପିଇ ପିଇ କିଡ଼ନୀ ନଷ୍ଟ କରିଥିବା , ୧୫ ବର୍ଷ ଆହୁରି ସରକାରୀ ପିଅନ ଚାକିରି ଥିବାର ହିସାବ ନକରି ବେହିସାବୀ ଅର୍ଜୁନ ଭାଇ ପାଇଁ ସାଇ ପଡ଼ିଶା କାନ୍ଦି ବାକୁ ନାରାଜ , ନିଜ ପୁଅ- ବୋହୁ, ଝିଅ-ଜ୍ବାଇଁ ମାନେ ବି ଦୁଇଟୋପା ଝରେଇବାକୁ ଥଙ୍ଗ ଥଙ୍ଗ ଅମଙ୍ଗ , କ'ଣ ନା ସୂର୍ଯ୍ୟ- ତାଳଚେର ହାତ ମିଶେଇ ରାଗିଛନ୍ତି ? ୪୫ ଡିଗ୍ରୀ ପାରଦ ବଢେଇଛନ୍ତି ?

କି ଗାଲୁଆ କଥା ହୋ ? ଅସ୍ଥିର ମସ୍ତିସ୍କରୁ ଏମିତିକା ନିର୍ମୁଳିଆ ବାଚାଳିଆ ବାରଚାଉଳିଆ ଚିନ୍ତା ନିର୍ଗତ ହେବା ଆଦୌ ସମୀଚୀନ ନୁହଁ । 

ଚିମୁଟି ଦେଲେ ବାଁ ହାତରେ ଡାହାଣ ହାତକୁ । 

ରହି ଯା'ରେ ବାୟା ମନ ! ଟିକେ ବ୍ରେକ୍ ଦେ !,

ତାଳଚେର ବାଇପାସ୍ ଆସିଗଲା । ଲମ୍ବା ସର୍ପିଳ ଲାଇନ୍ । ରାସ୍ତା ଜାମ୍ । ଚକା ଜାମ୍ । ଆଗରେ କିଛି ଦୁଇ ଚକିଆ ଏପଟେ ସେପଟେ ମୁଁହ ଗଳେଇ ଫସେଇ ଆଗେଇ ଯିବାକୁ ତତ୍‌ପର । କେମିତି ସେମାନେ ଟିକେ ବିଳମ୍ବରେ ଘରେ ପହଁଚିଲେ ନିଆଁ ଲିଭେଇ ପାରିବେନି ? ଅବଶୋଷ ରହିଯିବ । ରୋଗୀକୁ ରକ୍ତ ଦେଇ ନ ପାରି ଘୋର ଅପରାଧ କରିବେ ? ତାଙ୍କୁ ବହେ ଶୋଧିବାକୁ ଜିଭ ସଜବାଜ ହେଉଥିବାବେଳେ, ଶବ୍ଦମାନେ କମର କସି କସରତ କରିବା ବେଳରେ ବ୍ରେକ୍ ଲାଗିଗଲା । ଜିଭ କାମୁଡି ପକେଇଲି । ଓହୋ ! ଆଜି ଖାଲି ଶୋଧା ବାହାରୁଛି ଏ ମୁଖ ମୟୁଖରୁ । ଜୟ ଜଗନ୍ନାଥ ସ୍ବାମୀ ।

ନଜର ପଡିଲା ଅଟୋରେ ଆସିନ ଝୁମ୍ପେଇ ଭାଉଜଙ୍କ ଶେତା ପଡିଯାଇଥିବା ମୁଁହ ବାଇକ୍ ମିରର୍ ରେ । କାଲି କହୁଥିଲେ କେତେ ଦରଦୀ କଥା ଅର୍ଜୁନ ଭାଇ ବିଷୟରେ । ନାଁ ନ ଧରି ମଝିରେ ମଝିରେ ତୁମ ଭାଇ , ଅଭିର ବାପା ଆଳରେ କେତେ କଥା ସବୁ ଅନର୍ଗଳ ଲୁହ ମିଶା କୋହରେ କହୁଥିଲେ । ଉତ୍କଳୀୟ ପରମ୍ପରାକୁ ସଲାମ୍ । ମା', ଖୁଡି, ମାଉସୀ, ପିଉଷି , ଭାଉଜ ମାନେ ଏମିତି ଅନେକ ଭାବରେ ମରହଟିଆ ଲାଗୁଥିଲେ ବି ପ୍ରଥା ସଂସ୍କାରକୁ ପିିଢି ପରେ ପିଢି ମୁଣ୍ଡେଇ ଚାଲିଛନ୍ତି ନା । 

ଗତ କାଲିର ଭଲ ମଣିଷ । ରାତିରେ କେଇ ଗୁଣ୍ଡା ଡାଲି-ଭାତ ଚକଟା ଆଚାର ସହିତ ଖାଇଲେ । ଔଷିଧ ବି ଗିଳି ପକେଇଲେ ଢକ ଢକ ପାଣି ସାଥିରେ । କଟକ ବଡ଼ ମେଡିକାଳରୁ ଫେରି ଆସିବା ପରେ ଘରେ ସମସ୍ତେ ଆସ୍ଵସ୍ଥ । କାରଣ ଏପ୍ରିଲ ୧୮ ତାରିଖରେ ଆଉ ଥରେ ଅଲଟ୍ରାସାଉଣ୍ଡ କଲେ ତୁମ ଅର୍ଜୁନ ଭାଇ ଠିକ୍ ହୋଇଯିବ । କିନ୍ତୁ ୧୭ ତାରିଖ ରାତିରେ ସବୁ ଶେଷ । ପ୍ରାଣ ପକ୍ଷୀ ପିଞ୍ଜରା ଛାଡି ଛୁ ମନ୍ତର ।--- ବାହୁନି କାନ୍ଦୁ କାନ୍ଦୁ ଝୁମ୍ପେଇ ଭାଉଜ ଗତ ରାତିରେ କହୁଥିବା ମୋ ମନ ବାରମ୍ଵାର ଦୋହରାଉଥିଲା । ଅଟୋ ବାଲା ମୁଁହରେ ବିରକ୍ତିର ଭାବ । ପାନ ଖଣ୍ଡେ ଚୋବେଇଲା ଛାତି ପକେଟରୁ ବାହାର କରି । ଗୋଟିଏ ପାଦ ବି ଗଡ଼ିବାର ନାଁ ଧରୁନି ଲମ୍ବା ଲମ୍ବା ୩୬ ଚକିଆ ଟ୍ରକ ନୁହଁ ଟ୍ରଲର ମାନେ ।  ଆଜି ଶବ ଶତ୍କାର ହେବ ତ ! ଅର୍ଜୁନ ଭାଇ ତ ଶାନ୍ତିରେ ଶୋଇଛି ଚିର ନିଦ୍ରାରେ । ତାକୁ କି ଜଣା ? କେତେ ହନ୍ତ ସନ୍ତ କାଲି ରାତିରୁ ?

ହେଲମେଟ୍ ମୁଣ୍ଡରୁ ବାହାର କରିଦେଲି । ଝାଳରେ ମୁଣ୍ଡଟା ପୁରା ତିନ୍ତି ଯାଇଛି । ସର୍ପଟିଆ ଓଦା । ଯେମିତି ବର୍ଷାରେ ଭିଜି ଯାଇଛି । ପଛ ପ୍ୟାକେଟରୁ ରୁମାଲ ବାହାର କରି କପାଳରୁ ଓହଳି ପଡିଥିବା ଝାଳକୁ ପୋଛିଦେଲି । ପାଣି ବୋତଲରୁ କେଇ ଢୋକ ପିଇଲି । ପାଟିରୁ ଗୋଟେ ବଡ଼ ଖଇ ଢିକିରି ବାହାରି ଗଲା । ଓହୋ ! ମଣିଷ ଟା ବଂଚିଗଲା । ଭାଉଜଙ୍କ ହାତକୁ ପାଣି ବୋତଲଟା ବଢେଇ ଦେଲି । ସେ ମୁଁହ ବୋଲେଇ ନେଲେ । ପଣତରେ ଆଖିକୋଣ ସଫା କରି ପୁଣି ମୋତେ ଅନେଇଲେ | 

କହିଲେ - ନାଁ ଥାଉ । ଦାନ୍ତ ଘସିନି । ଏକା ବେଳେ ଶଙ୍ଖା କତୁରି ଶିତଳେଇ , ସିନ୍ଦୂର ପୋଛି , ପୋଖରୀରେ ବୁଡ଼ି ଗାଧୋଇ ପାଧୋଇ ଜଳ ଗ୍ରହଣ କରିବି । ବୁଝିଗଲି ମୁଁ l କେତେ ଶକ୍ତ ମଜବୁତ ହେଇ ଯାଇଛନ୍ତି ଭାଉଜ ୨୪ ଘଣ୍ଟା ଭିତରେ ? କଅଁଳ ଶିରିଶ ମ୍ରିଦୁଳା ଅସୂଯ୍ୟମପଶ୍ୟା ଝୁମ୍ପେଇ ଦ୍ଭାଉଜଙ୍କ ଭିତରେ ଏହା ଭିତରେ ସଂସାର ଯାକର ବୋଝ । ସତରେ ଜୀବନ ନଉକା ସଂସାର ନଈର କଳା ଭଉଁରୀରେ ଫସି ଯାଇଛି । ବାଟ ପାଉନି ବାହାରି ଆସିବାକୁ ।

କାରଣ ପୁଅ ଅଭିମନ୍ୟୁ କର୍ମ କୋଡ଼ିଆ । ବାପ ଠୁଁ ବଳି ଘୋଡ଼ା ମଦୁଆ । ପାଞ୍ଚ ଝିଅରୁ ସବା ସାନ ତଅପୋଇ ବାହା ଯାଇନି । ତିନି ନାତି ତିନି ନାତୁଣି । ମଦୁଆ ହେଉ ଗେରସ୍ତ ତ ରୋଜଗାରିଆ ଥିଲା । ନବୋଦୟରେ ପିଅନ ଚାକିରି କରୁଥିଲା । ସରକାରୀ ଚାକିରୀ । ଦଶ ପ୍ରାଣୀ କୁଟୁମ୍ବ ପୋଷୁଥିଲା । ସେ ତ ହେଇ କୋଳରେ ବାସି ମଡ଼ା ହେଇ ନିଶ୍ଚଳ ।  କେମିତି ହେବ ଶବ ଉଦ୍ଧାର । କାଠ ପାଇଁ ପଇସା , ସାହି ଭାଇ ପାଇଁ ପଇସା , ଶବ ବାହକ ପାଇଁ ପଇସା , ଫୁଲ ପାଇଁ ପଇସା । ପୁଣି ମୃତାହ କର୍ମ କାଣ୍ଡ । ଗାଁ ସାହି ଭୋଜିଭାତ । ଲୁଗା ତଥା ବ୍ରାହ୍ମଣ ବିଦାକି । ଗଣା ପଢି ଖର୍ଚ୍ଚ । କୁଣିଆ ସଂପର୍କୀୟ ମାନଙ୍କ ଚର୍ଚ୍ଚା ସମ୍ମାନ । ଟେଣ୍ଟ ଆଭ ରୋଷେଇୟା ବଇନା । ସବୁରି ମୂଳରେ ପଇସା । ଘରେ ତ କାଣି କଉଡି ଟିଏ ବି ନାହିଁ ପିଠି କଣ୍ଢେଇବାକୁ । କେମିତି ହେବ ଏତେ ସବୁ ଆୟୋଜନ । କିଛି ସୁଝୁନି ମନକୁ । ଅଥଳ ଜଳରେ କୂଳ କିନାରା କାହିଁ ? ଏମିତି କେତେ କଥା ଭାବି ଭାବି ଝୁମ୍ପେଇ ଦ୍ଭାଭଜ ବେହାଲ ହେବେଣି । ସ୍ଵାଭାବିକ ବି ।  ପ୍ରବୋଧନା ଆଳରେ ଆପେ ଆପେ ମୋ ତୁଣ୍ଡରୁ ବାହାରିଗଲା - ବୁଝିଲେ ଦ୍ଭାଭଜ ! ସବୁ କଳା ଠାକୁର ଉପରେ ଛାଡି ଦିଅନ୍ତୁ । ମଣିଷ ଜନ୍ମ ନେଇଛି ମାନେ ଦିନେ ନା ଦିନେ ମରିବ । ମୃତ୍ୟୁ ଅବଶ୍ଯମ୍ଭାବି । ଯମର ଡାକରା କାହାକୁ ବା ନ ଆସିବ । ମୁଁ , ତୁମେ ତଥା ଏ ସସାଗରା ଧରା ପୃଷ୍ଠରେ ଆତଯାତ ସମସ୍ତେ ପରା ମୃତ୍ୟୁ ପଥର ଯାତ୍ରୀ । ଦୁଃଖ ତ ହେବ କାରଣ ଟୋକା ବୟସରେ ଅର୍ଜୁନ ଭାଇ ଚାଲିଗଲେ । ୪୫ ବର୍ଷ କ'ଣ ଗୋଟେ ମରିବା ବୟସ ।  ତେଣୁ ବେଶି ଚିନ୍ତା କରନି ଦ୍ଭାଉଜ । ସବୁ ଠିକ୍ ହୋଇ ଯିବ । ସମସ୍ୟା ଯିଏ ଦେଇଛି ସମାଧାନର କ୍ଷୀଣ ରେଖା ସେହି ହିଁ ବତେଇବ । ଖାଲି ଧୌର୍ଯ୍ୟ ରଖିଲେ ହେଲା । ଜେନା ସାର୍ ମାଷ୍ଟରିଆ ଲୋକ । ଭାଷଣ ଦେବାର ଅଭ୍ୟାସ ଦୀର୍ଘ ୨୫ ବର୍ଷ ହେଲା ଲାଗି ରହିଛି । ଶ୍ରେଣୀ କକ୍ଷରେ ସିନା ପିଲାଙ୍କୁ ବାନ୍ଧି ପକାନ୍ତି ଶବ୍ଦର ଐନ୍ଦ୍ରଜାଲିକ ଭାବ ଇଂଗିତରେ । ସେହି କୁ - ଅଭ୍ୟାସର ପ୍ରୟୋଗ କରୁଥିଲେ । ଝୁମ୍ପେଇ ଭାଉଜ ମୁଣ୍ଡ ହଲେଇ ମୋ ଆଖି ସହିତ ଆଖି ମିଶେଇଲେ । କିଛି କହିବା ପାଇଁ ଚେଷ୍ଟା କରିବାକୁ ଯାଇ ଛେପ ଟେଳାଏ ଦୁଇ ଟେଳା ଢୋକି ନେଲେ । ଶଙ୍ଖ ନଳାରେ କିଛି ତଳକୁ ଖସି ଯାଉଥିବା ଦୃଶ୍ୟମାନ ହେଉଥିଲା । ଶୁଣ ! ତୁମ ଭାଇ ମରି ଯାଆନ୍ତୁ ବୋଲି ପୁଅ- ବୋହୁ ସମସ୍ତେ ଚାହୁଁଥିଲେ । ସେଥିପାଇଁ ଡାକ୍ତର ଦେଖେଇଲେନି । ଯେତେ ଶିଘ୍ର ମରିଯିବେ , ସେତେ ଶିଘ୍ର ତୁମ ଭାଇର ଚାକିରି ପୁଅ ଅଭିକୁ ମିଳିଯିବ । ତେଣୁ ଔଷଧ ପତର କିଛି ନାହିଁ ? ପଥି ପାନୀୟ କିଛି ନାହିଁ ? ଝୁମ୍ଫେଇ ଦ୍ଭାଭଜ ସୁକୁସୁକୁ ହେଉ ହେଉ ଧୀମା ସ୍ୱରରେ କହୁଥିଲେ ।

ଅଟୋ ଭାଇ ବି ଚିହିଁକି ଚାହୁଁଥିଲା ଆମ ଦୁଇ ଜଣଙ୍କୁ । ତାର ଛଞ୍ଚାଣ ପରିକା ଢିମା ଡିମା ଆଖିରେ ବିସ୍ମୟର କରାଳ ଚିହ୍ନ ।

ସତରେ କ'ଣ ପିତା -ପୁତ୍ର ମଧ୍ୟରେ ଏମିତି ସଂପର୍କର ସେତୁ ? ବାପ- ପୁଅ ଭିତରେ ଯଦି ଏଇଭଳି କୁତ୍‌ସିତ ଭାବନା ବିକସିତ ହୁଏ , କାହିଁକି ଅଜୁର୍ନ ଭାଇ ଭଳି ଅଗଣିତ ବାପାମାନେ ଜୀବନର ବଡ଼ ଦାଣ୍ଡରେ ନିଜ ଝାଳ ନିଜ ତୁଣ୍ଡରେ ମାରି , ପେଟକୁ କାଟି ଏକୋଇର ବଳା ବିଶିକେଶନ ପାଇଁ ତ୍ୟାଗ ତର୍ପଣର ଦ୍ୱାହି ଦେଇ ବୁଢା ବୟସର ଅବଲମ୍ବନକୁ ସ୍ନେହୃ ପ୍ରଦାନ କରିବେ ? ଯେଉଁ ପୁଅ ନିଜ ଗୋଡ଼ରେ ଛିଡ଼ା ହେବକୁ ଅସମର୍ଥ , ସେ ପୁଣି ବାପାର ମୃତ୍ୟୁ-ବୈଶାଖିର ସାହାରା ନେବ ? ଧିକ୍ ଏମିତି ପୁତ୍ର ଜନ୍ମ ପାଇଁ ବୀଜ ବହନ କରିବା , ବପନ - ଲାଳନ-ପାଳନ କରିବା ବୃଥା । ନିମ୍ୱ ମୂଳରେ କ୍ଷୀର ପ୍ରଦାନ ନୁହେଁ ତ ଆଉ କ'ଣ ?

ଅର୍ଜୁନ ଭାଇଙ୍କୁ ଶତ ଶତ ସାଧୁବାଦ । ଏମିତି ହୀନ ଚକ୍ରାନ୍ତର ଲୋମହର୍ଷଣ ପରିଣାମ ନିତି ଦିନ ଶୁଣୁଥିଲେ । କେତେ ଅକଥନୀୟ ଅବର୍ଣ୍ଣନୀୟ ଅତ୍ୟାଚାର ସହିଥିବେ ସେ । ବଞ୍ଚି ବି ମରଣ ଦୁନିଆର ନର୍କ ଯନ୍ତ୍ରଣା ନିଜ ହାତ ତିଆରି ବୈକୁଣ୍ଠ ସମାନ ଆହା ଘରେ ଭୋଗୁଥିବେ । ଯେମିତି ପୁତ୍ର ଅଜାତଶତ୍ରୁ ପିତା ବିମ୍ବିସାରଙ୍କୁ କାରାଗାରର କାଳ କୋଠରୀରେ ଆବଦ୍ଧ ରଖି ଭାବି ମଗଧର ସମ୍ରାଟ ହେବାର ପାପ ଲାଳସାରେ ମଗ୍ନ ପରିକା । ଭାଉଜ ! ତୁମେ ଏତେ କଥା ଜାଣି ଶୁଣି ଚୁପ୍ ରହିଲ କେମିତି ? ତୁମେ ତ ନିଜେ ଆକଟ କରିଥାନ୍ତ ? ବନ୍ଧୁ ବାନ୍ଧବ ମାନଙ୍କୁ ଡାକି ପୁଅର କୁ-ଆଶାର ଆଶୁ ସମାଧାନ କରି ପାରିଥାନ୍ତ ? ଆମ ଭଳିଆ ନବୋଦୟର ସାର୍ ମାନଙ୍କୁ କହିଥାନ୍ତ ? ଆମେ ତୁମ ପୁଅ ଅଭି ଭାଇକୁ ବୁଝେଇଥାନ୍ତେ । ଯଦି ପୁଅ ମାନଙ୍କ ମନରେ ଏମିତି ଭାବନା ଗଜୁରିବ, ତେବେ ତ ସଂସାର ସରିଲା ଜାଣ । କାହିଁକି ବାପା ମାନେ ଏତେ ଦହଗଞ୍ଜ ହେବେ କହିଲ ?

କଥା ପୁଅ ପାଖରେ ଥିଲେ ଚଳିଥାନ୍ତା । ଅଭି ଟା ମୋର ପ୍ରଥମ ପ୍ରସବ । କେତେ ଦେବ ଦେବୀଙ୍କୁ ପୂଜା କରି ପାଇଥିଲି । କେତେ ବ୍ରତ ଉପବାସ ଜାଗର ଜାଳି ଅନ୍ତ ଫାଡି ଜନ୍ମ ଦେଇଥିଲି । ପାଠ ପଢ଼ିଲାନି । ସାହି ପିଲା ସହ ମିଶି ଛୋଟ ବେଳୁ ଖରାପ ଅଭ୍ୟାସରେ ମାତିଲା । ତୁମ ଭାଇ କୁ ଟପିଗଲା ପିଇବାରେ, ଖଇନି - ଗୁଟୁକା ଚୋବେଇ ବାରେ । ଭେଣ୍ଡିଆ ପୁଅ , ରୋଜଗାର କରିବିନି । ଯାହା ଦରମା ଗଣ୍ଡାକ ମାସ ଶେଷରେ ମିଳିଲା , ତାକୁ ଆଠ ଦିନରେ ଶେଷ ନ 

କରିଲେ ଶାନ୍ତି ନାହିଁ । କରଜ -ଉଧାର - ହାତଉଧାରି ସବୁଠି ସବୁ ଦୋକାନରେ ।

ତେଣୁ ଗେହ୍ଲା ଅଭିମନ୍ୟୁ ଗାଡ଼ର ମେଣ୍ଡା ହେଇଗଲା । ମାଇପ ସୋଆଗିଆ ମଦରଙ୍କୁଣା ପାଲଟିଗଲା । ଘର କୋଣରେ ମାତାଲ ହେଇ କୁନ୍ଥେଇଲା କଂରାଜିରେ ଗାଳି ଗୁଲଜ କଲା । ମଝିରେ ମଝିରେ ହିନ୍ଦି ସିନେମା ସ୍ଟାଇଲରେ ବକିଲା ! ନିତି ଘରେ ଚାଲିଲା ଠିଆ ପାଲା । ଦଣ୍ଡ ନୃତ୍ୟର ନୂଆ ଅଧ୍ୟାୟ ।

ଅଭି ଟା ବେକାର ହେଇ ବୁଲିଲା ସାଙ୍ଗ ମେଳରେ । ବେଲଗାଗ୍ ବେହିସାବ୍ ! କୁହନ୍ତୁ ସାରେ । ତାକୁ ଆକଟ କରିବ କିଏ ? ତାକୁ ସୁ-ପଥକୁ ଆଣିବାର ଦାୟିତ୍ୱ କିଏ ମୁଣ୍ଡେଇବ ? ଖାଲି ବରଷକୁ ବରଷ ପେଟ ଫୁଲେଇ ଦେଲେ , ମରଦର ପାରିଲା ପଣଟା ବିନା ଲୁଣ ତିଅଣ ପରି ଲାଗିଲା ବିନା ରୋଜଗାରରେ । କଳି କଜିଆ, ମାଡ ଗୋଳ ବି ଚାଲିଥାଏ । ମୁଁ ଯଦି ଥରେ ଅଧେ ଅଭି ସପକ୍ଷରେ ତୁଣ୍ଡ ଫିଟେଇଲି , ମୋ ଚଉଦ ପୁରୁଷ ଶ୍ରାଦ୍ଧ ଖାଇଲେ ।

କଣ କରିବି କହିଲ ଦେଖି । ମୁଣ୍ଡ ଝାଳେଇ ଗୋଲେଇ ଯାଉଥାଏ ଦୈନିକ ଝଡ ତାଣ୍ଡବର ଝଣତକାରରେ । 

ମନେ ପଡୁଛି । ସେଦିନ ରବିବାର ଥାଏ । ଘରେ ପିଠା ପଣାର ଆସର । ନାତି-ନାତୁଣି ମାନେ ଖୁସିରେ ଦୈଡୁଥାନ୍ତି ଛଣା ଛଣି ପୁରି ଖିରି ଖାଇ । ମନେ ପକେଇ ପାରୁ ନଥାଏ କେଉଁ ପରବ ଉତ୍ସବ । ବୋହୁ ଅତି ସରାଗରେ ଥାଳିରେ ସବୁ ପିଠା ମିଠା ସଜେଇ ମୋ ଆଗରେ ବସେଇ ଦେଲା । ଆଉ ନିଜ ହାତରେ ସରାଗରେ ସୁଜିମଣ୍ଡାକୁ ପାଟି ପାଖରେ ରଖି ଖାଇ ଦେବାକୁ ଅନୁନୟ କରିବା ଆଳରେ କହିଲା ବୋଉ ! ତୁମ ପୁଅ ଗତ ରାତିରେ ସିଙ୍ଗ ବାଜା ବ୍ୟାଣ୍ଡ ପାଟିରେ ଯାଇଥିଲେ ଅନୁଗୋଳ । ଭଲ ରୋଜଗାର ହେଇଥିଲା । ତେଣୁ ଏ ସବୁର ଆୟୋଜନ । ତୁମକୁ ନ ପଚାରି ଏ ଭୋରି ଭୋଜନ କରି ଦେଉଛି । କାନ ଧରୁଛି । ଭୂଲ ଆଉ ହେବନି ।

ଖାଇବି କଣ ? ପୂରା ପାଣିପାଗ ବଦଳି ଯିବା ବିଷୟରେ ଭାବୁଥିଲି । ଅବଶ୍ୟମ୍ଭାବୀ କାଳବୈଶାଖିର ଆଶୁ ଆତ୍ମପ୍ରକାଶର ଆଶଙ୍କା କରି ଭିତରେ ଭିତରେ ଶଙ୍କିତ ଥିଲି । ଅତିଶୟ ଭକ୍ତି ଭାବନାରେ କେଳେଙ୍କାରି ଆତ୍ମଗୋପନ କରିନି ତ ? 

ପୁଣି ଖାଇବାକୁ କ୍ଷୀଣ ଅନୁରୋଧ ଏଡେଇ ପାରିଲି ନାହିଁ । ପୁରି ରୁ ଟୁକୁଡ଼ା ଟିଏ ପାଟିରେ ପୁରେଇଛି କି ନାହିଁ , ବୋହୁ ମୋ ପାଦକୁ କଅଁଳ ପରଶରେ ଘଷି ଦେବାର ଅଭିନୟ ଆରମ୍ଭ କରିଦେଲା । ମନରେ ଆତଙ୍କିତ ଆଶଙ୍କାର ଦ୍ଵିଗୁଣିତ ଖଣ୍ଡିଆଭୂତର ଆକଳନ ଅନୁମାନ କରି ପାରିଲି । ଏ ସବୁ ନାଟ ତାମସା କିଛି ଗୋଟ ବଡ଼ ଧରଣର କାଣ୍ଡ କାରଖାନା ଘଟିବାର ପୂର୍ବ ଶୋଚନା । ଖାଇବାର ଆଗ୍ରହ ଅନାଗ୍ରହରେ ପରିଣତ ହେଲା । ସବୁ ଖଟା ଆମ୍ବିଳର ସ୍ଵାଦ ଦେଉଥିଲା । ବୁଝିଲେ ବୋଉ ! ତୁମ ପୁଅ କାଲି ଗୋଟେ ନୂଆ କଥା କହୁଥିଲେ । ତୁମେ ଯଦି ନ ରାଗିବ , କହିବାକୁ ଏ ପାପ ଜିଭ ଲେଉଟାଇ ଥାନ୍ତି । ମୋର ମୌନୀ ଅବତାର ଦେଖି ବୋହୁ ପୁଣି କଅଁଳେଇ କହିଲା ବାପା ଯଦି କରେ। ନାରେ ଅନ୍ୟ ମାନଙ୍କ ପରି ମରି ଯାଆନ୍ତି , ତାଙ୍କ ଚାକିରିଟା ତୁମ ପୁଅକୁ ମିଳି ଯାଆନ୍ତା । ତେଣୁ ବାପା ଯେତେ ମଦ ପିଇବେ , ଯେତେ ଗୁଟକା - ପାଉଚ- ଦେଶୀ-ଆସ୍କା ଫର୍ଟି ଆଣିବେ, ତୁମେ ଆଉ ତାଙ୍କ ସହିତ ଝଗଡା କରିବିନି । କାରଣ ବାପା ତ ଆଉ କିଛି ଦିନର ମେହେମାନ୍‌ । ସି ଟିକିଏ ଅଧିକ ଅଧିକ। ସେବନ କରନ୍ତୁ ବିନ୍ଦାସରେ , ମନ ମଉଜରେ । ତୁମେ ଆକଟ ନ କଲେ , ତୁମେ ବାଧକ ନ ସାଜିଲେ, ବର୍ଷେ ଭିତରେ ତ ବାପାଙ୍କ ଜୀବନ ନାଟକରେ କଳା ଜବନିକା ପଡିଯିବ ବୋଲି ଅନୁମେୟ । 

ମୋତେ ଲାଗିଲା ଖାଦ୍ୟରେ ଜହର ଦେଇ ଦେଇନି ତ ବୋହୁ । ମୋତେ ସ୍ନେହ ଆଳରେ ମୋତେ ମାଗୁଛି ମୋର ଅହିସୁଲକ୍ଷଣୀ ସିନ୍ଥି ସିନ୍ଦୁର, ଶଙ୍ଖୀ - କତୁରି ଆଦି ସଧବା ନାରୀର ଆଭୁଷଣ । ମୋତେ ପ୍ରକାରାନ୍ତରରେ ରାଜି କରଉଛି ମୋ ଭାଗ୍ୟ ବିଧାତା ପତି ପରମେଶ୍ଵରଙ୍କର ଜୀବନ ଭିକ୍ଷା ଦେବାକୁ ।

ତେଣୁ କ'ଣ କରିଥାନ୍ତି ? କେମିତି ହଁ ଭରିଥାନ୍ତି ? ଯାହାଙ୍କ ହାତ ଧରି ସଂସାର କରିଛି , ଯାହାଙ୍କ ପାଇଁ ସମାଜରେ ସାଧବାର ଉଚ୍ଚାଙ୍ଗ ଉଚ୍ଚାରଣ ପାଇଛି , ତାଙ୍କ ଜୀବନ ନାଟିକା କୁ କେମିତି ଜାଣି ଜାଣି ଅମଣିଷ ପୁଅ-ବୋହୁର କୁ-ଚକ୍ରାନ୍ତକୁ ଡରି ଛାନିଆ ହୋଇ ଟେକି ଦେଇଥାନ୍ତି । ସ୍ତ୍ରୀ ଜାତିରେ କଳଙ୍କ ଆଣିଥାନ୍ତି ପତିହନ୍ତା ଆତତାୟୀ ଖୁନୀ ଆସାମୀ ପରି । ପାରିଲିନି ଆତ୍ମାକୁ ବଳି ଦେଇ । ଖାଦ୍ୟ ଥାଳିକୁ ବୋହୁ ଉପରକୁ ଫୋପାଡି ଗର୍ଜନ ତର୍ଜନ ଆରମ୍ଭ କରି ଦେଲି ସେହିନ - ବେ ମାଇଚିଆ ଅଭି , ଘର କୋଣରେ ଶୋଇ ମାଇପ କାନି ତଳେ ଘୁଙ୍ଗୁଡ଼ି ମାରୁଥା । ବାପ କୁ ମଦରେ ଉସେଇ ମାରିବୁ ନା ରେ । ତା' ଚାକିରି ପାଇବୁ ନାରେ । ସ୍ୱପ୍ନ ଦେଖୁଥା ପୁଅ । ସୁନେଲି ରୁପେଲି । ମରି ଯାଉନୁ ତୁଟା ।  କାମ ଦାମ ନ କରି ବାପ ମୁଣ୍ଡ ଉପରେ ଦାଉ ସାଧୁଛୁ । ତୋତେ ମରଣ ନାହିଁ । ମୋତେ ଯମ କାହିଁ ନଉନି ରେ । ହାଏରେ ଦଇବ ! ହାଏରେ ବିଧାତା । ମୋତେ ଦି ଟୋପା ବିଷ ଦେ ରେ ଅଭି । ମୁଁ ଆଗ ମରିଯାଏ , ତରିଯାଏ ଅସମୟ ବୈଧବ୍ୟ ଦୋଷରୁ ।

ମୋର କାଣ୍ଡ କାରଖାନା ଆଉ ଅଣଚାଷ ତୁମ୍ବି ତୁଫାନରେ ସେ ରାତି ସିନା ଶାନ୍ତ ପଡ଼ିଗଲା , କିନ୍ତୁ ତୁମ ଭାଇର ମୃତ୍ୟୁର ଦରଖାସ୍ତ ଆବେଦନ ଆରମ୍ଭ ସରିଥିଲା ।  ଗତ କାଲି ତ ଥିଲା ସେହି ସୁପରହିଟ ନାଟକର ଶେଷ ଦୃଶ୍ୟ ଯାହା ସେହି କାଳ ରାତ୍ରିର କାଳ ପ୍ରହରରେ ଅୟଃ ଆରମ୍ଭ ହୋଇଥିଲା । 

ତେଣୁ ତୁମେ କୁହ , ମୋ ସ୍ୱାମୀର ପ୍ରକୃତ ହତ୍ୟାକାରୀ କିଏ ?ତୁମ ଅର୍ଜୁନ ଭାଇର ଅସମୟ ସ୍ୱର୍ଗାରୋହଣ ପାଇଁ ମୂଖ୍ୟ ଆତତାୟୀ ମଦ ନା ପୁଅ-ବୋହୁର ହୀନ ଆଶା- ଆକାଂକ୍ଷା । ତୁମେ ତ ମାଷ୍ଟର । ବହୁତ ପାଠ ପଡିଛ । ମୋ ମୂର୍ଖାମୀରେ ଯାହା ଭାବିଲି , ତାହା ମୁଁ କରିଛି । ହଁ । ଆଉ ଗୋଟେ କଥା । ଯଦି ଚାକିରି ମିଳେ , ତୁମେ କରିବ ନା ପୁଅ ଅଭିମନ୍ୟୁ ପାଇଁ ଲେଖିଦେବ ସ୍ୱ-ଇଚ୍ଛାରେ - ମୋର ଶେଷ ପ୍ରଶ୍ନରେ ଚିହିଁକି ଉଠିଲେ ଭାଉଜ । କଡ଼ା ଗୁରୁ ଗମ୍ଭୀର ଭାବରେ ମୁଁହ ଖୋଲିଲେ - କେବେ ନୁହଁ , କଦାପି ନୁହଁ । ମୋ ସ୍ୱାମୀର ଆତତାୟୀ କୁ କ୍ଷମା ନାହିଁ । ମୋତେ ଅକାଳ ବୈଧବ୍ୟ ଦେଇଥିବା ଖୁନି ପାଇଁ କ୍ଷମା ଯାଚନା ନିରର୍ଥିକ । ମୋ ସ୍ୱାମୀ ସର୍ବାଦୌ ସର୍ବାଗ୍ରେ । ପୁଅ ପରେ ପଛେ ଆସିଛି । 

ସେ ଭଲରେ ରହୁ । ସୁଖରେ ରହୁ । ମୋ ସ୍ୱାମୀର ଅନିଷ୍ଟ ଆଙ୍କିଥିବା ପିତୃହନ୍ତାକୁ ଚାକିରି ଦେଇ ମୁଁ ମୋର ଆକାଳ ବାର୍ଦ୍ଧକ୍ୟକୁ କାହିଁକି ସାଦର ନିମନ୍ତ୍ରଣ କରିବି ? ଜାଣି ଜାଣି ଆଉ କେଉଁ ଭାବରେ ନିଜ ବୈଧବ୍ୟ ଭବିଷ୍ୟତକୁ ନଷ୍ଟ ପୁଅ- ବୋହୁଙ୍କ ହାତ ମୁଠରେ ପେଷି ହେବାକୁ ଦେବି ? ବଂଚି ଥାଉ ଥାଉ ହଳାହଳ ହସି ହସି ପିଇବାକୁ ମୋର ଲାଜ ସରମ ଲାଗିବନି ? ମୋ ଅନ୍ତେ ହେବ ଅଭିର ଶେଷ ଅଭିଳାଷ ପୂରଣ । ମୋର ଶେଷ ନିଶ୍ଵାସ ଥିବା ଯାଏଁ କଦାପି କୁତ୍ରାପି ହେବାକୁ ଦେବିନି । ମୁଁ ବରଜୁ ନାୟକର ଝିଅ । ହଁ କହି ରଖୁଛି କଡ଼ା ଗଣ୍ଡାରେ । ନୂଆ ଅବତାରୀ ଝୁମ୍ପେଇ ଭାଉଜର ଟାଣ ଶାଣ ଦିଆ ନିଷ୍ପତ୍ତି ଶୁଣି ରାସ୍ତା ଜାମ୍ ଫିଟିଲା ଜାଣ । ଫଇସଲା ସଠିକ ବୋଲି ସିଧା ସମ୍ବୋଧନ । ଲମ୍ବା ଟ୍ରକ୍ ମାନଙ୍କର ଅଗଣିତ ଅସୁମାରି ଦୁଇ-ଧାରିଆ ଧାଡିର ପଛେ ପଛେ ସନୈ ସନୈ ଅନୁଧାବନ କରୁ କରୁ ଭାବୁଥିଲି ପତ୍ନୀ ମାନେ ଆଜନ୍ମ ବିଦ୍ରୋହୀ । କିନ୍ତୁ ସ୍ୱାମୀ ପାଇଁ ପ୍ରେମର ଫଲଗୁ ବୁହେଇ ପାରୁଥିବା ଦୟାମୟୀ ମମତାମୟୀ ବି କାୟା ପରିବର୍ତ୍ତନ କରିପାରେ ହେବ।କୁ ବିଦ୍ରୋହୀଣୀ, ବିପ୍ଳବିନୀ , କାତ୍ୟାୟନୀ । ବିପକ୍ଷରେ ଯିଏ ବି ରହୁ । ନିଜ ଆତ୍ମଜ ହେଲେ ବି ନିସ୍ତାର ନାହିଁ ।  ଶଙ୍ଖୀ ସିନ୍ଦୁର ପାଇଁ ଅର୍ପିତ ସର୍ବସ୍ୱ ପବିତ୍ର ସତ୍ତା ରୂପି ଝୁମ୍ପେଇ ଦ୍ଭାଉଜଙ୍କ ରୂପରେ ନାରୀ ଚରିତ୍ରର ଅନ୍ୟଏକ ଅଜ୍ଞାତ ପୃଷ୍ଠାର ଜୀବନ୍ତ ପ୍ରତିମାକୁ ଚର୍ମଚକ୍ଷୁରେ ଅବଲୋକନ କରୁଥିଲି ଆଉ ଉକ୍ତିରେ ଆକ୍ରାମାତା ହୋଇ ଦଣ୍ଡବତ କରିବାକୁ ସ୍ନାୟୁରେ ଉତ୍ତେଜନା ଅନୁଭବ ହେଉ ଥିଲେ ହେଁ କିଏ ଜଣେ ଚୁପ୍ କିନା କହି ଦେଉଥିଲା ଅର୍ଜୁନ ଭାଇଙ୍କ ପାଇଁ ଶୋକ ସପ୍ତାହାନ୍ତ ଅନ୍ତେ ହେଲେ କ'ଣ ଚଳିବନି ।


Rate this content
Log in

Similar oriya story from Tragedy