କାଷ୍ଠ ପ୍ରତିମା
କାଷ୍ଠ ପ୍ରତିମା


ଦୁଇ ବନ୍ଧୁ, ପ୍ରକାଶ ଓ ପ୍ରସନ୍ନ | ପ୍ରକାଶ ଜଣେ ଆସ୍ତିକ ହେଲେ ପ୍ରସନ୍ନ ଜଣେ ନାସ୍ତିକ | ପ୍ରକାଶ ବାବୁ ଗ୍ରାମରେ ବାସ କରନ୍ତି, ଓ ପ୍ରସନ୍ନ ବାବୁ ନିକଟ ସହରରେ | ପ୍ରସନ୍ନ ବାବୁ ଏଇ ନିକଟରେ ସହରରେ ଏକ ଘର କିଣିଥାନ୍ତି | ପ୍ରସନ୍ନ ବାବୁ ଆଜି ପ୍ରକାଶଙ୍କୁ ନିଜ ଘରକୁ ଆମନ୍ତ୍ରଣ କରିଥାନ୍ତି | ଗାଡ଼ି ନେଇ ଆସିଥାନ୍ତି ପ୍ରକାଶ ବାବୁଙ୍କୁ ନବାପାଇଁ | ଦୁହେଁ ଗାଡ଼ିରେ ବସିଲେ ଓ ସହର ଅଭିମୁଖେ ଚାଲିଲେ | ଗାଁ ମୁଣ୍ଡରେ ଗ୍ରାମଦେବୀଙ୍କର ମନ୍ଦିରଟିଏ ଥାଏ | ମନ୍ଦିରଟି ଛୋଟ ହେଲେ ମଧ୍ୟ ବେସ୍ କାରୁକାର୍ଯ୍ୟ ସମ୍ପନ୍ନ | ମନ୍ଦିର ମଧ୍ୟରେ ଥାଏ ଦେବୀଙ୍କର ଏକ ସୁନ୍ଦର କାଷ୍ଠ ପ୍ରତିମାଟିଏ | ଅତ୍ୟନ୍ତ ସୁନ୍ଦର ଓ ବେଢ଼ାଠାରୁ ଦୃଶ୍ୟମାନ |
ପ୍ରକାଶ ବାବୁ ପ୍ରସନ୍ନ ବାବୁଙ୍କୁ ଗାଡ଼ିଟି ରଖିବା ପାଇଁ କହିଲେ ଓ ମନ୍ଦିର ଦର୍ଶନ ପାଇଁ ଆମନ୍ତ୍ରଣ କଲେ | ପ୍ରସନ୍ନ ବାବୁ ନିଜର ନାସ୍ତିକ ମର୍ଯ୍ୟାଦା ରକ୍ଷା କରିବା ହେତୁ ଯିବା ପାଇଁ ଭ୍ରୁକୁଞ୍ଚନ ଦିଅନ୍ତେ ହେଲେ ବନ୍ଧୁଙ୍କର ନିବେଦନ ରକ୍ଷା ହେତୁ ଯିବା ପାଇଁ ମଙ୍ଗିଲେ | ମନ୍ଦିର ଭିତରେ ଦେବୀଙ୍କର ଦର୍ଶନ ହେଲା, ପୁରୋହିତେ ପୂଜା ଫୁଲ ଓ ପ୍ରସାଦ ବଢ଼େଇଲେ | ପ୍ରକାଶ ବାବୁ ଆଦରର ସହିତ ଗ୍ରହଣ କରି ତୃପ୍ତି ପ୍ରକାଶ କରିଲେ | ପ୍ରସନ୍ନ ବାବୁ ହେଲେ ଏସବୁ ମଧ୍ୟରେ ଖାଲି ଏପଟେ ସେପଟେ ଦେଖି କଣ ଗୋଟେ ତର୍ଜମା କରୁଥାନ୍ତି ! ପ୍ରକାଶ ବାବୁ ଏହା ଲକ୍ଷ କରି ମନ୍ଦିରରୁ ପ୍ରସ୍ଥାନ ସମୟରେ ପ୍ରସନ୍ନ ବାବୁଙ୍କୁ ସେଇ ବିଷୟରେ ପଚାରିଲେ | ପ୍ରସନ୍ନ ବାବୁ ଗାମ୍ଭିର୍ଯ୍ୟ ସହିତ କହିଲେ "ଏଇ ଯେ ଏକ କାଷ୍ଠ ପ୍ରତିମା ! ଆପଣ ଏହାକୁ କାହିଁକି ପୂଜା କରୁଛନ୍ତି ? ସେ ଭୋଗ କଣ ସେ ଖାଉଛନ୍ତି, ସତରେ କଣ ସେ ପୂଜା ନିମିତ୍ତ ନୈବେଦ୍ୟ ପ୍ରାପ୍ତ ହଉଛି ? ସେ କଣ ସତରେ ଆଶୀର୍ବାଦ ପ୍ରଦାନ କରୁଛନ୍ତି ? ଏଇ ଯେ ଏକ କାଷ୍ଠ ପ୍ରତିମା !!" ସନ୍ଦେହ, ତାଚ୍ଛଲ୍ୟ ଓ ଗର୍ବ ଭାବର କିଛିଟା ମିଶ୍ରିତ ପ୍ରଭାବ ଅନୁଭୂତ ହଉଥାଏ ତାଙ୍କ ପ୍ରଶ୍ନସମୂହରୁ | ପ୍ରକାଶ ବାବୁ ଏହା ଶୁଣି ସେହି ସମୟରେ ଚୁପ୍ ରହିବା ପାଇଁ ମନସ୍ଥ କରିଲେ ଓ ଏହାର ଉତ୍ତର କିପରି ଦେବେ ଚିନ୍ତନ କରିଲେ | ଯୁକ୍ତି କରିଲେ ଯେ ଉଭୟ ସମୟ ଓ ସମ୍ମାନର ହାନି ଘଟିବ ତାହା ତାଙ୍କୁ ଜଣା ପଡ଼ୁଥାଏ |
ଏହିପରି କଥୋପକଥନ ମଧ୍ୟରେ ଗାଡ଼ିଟି ଯାଇ ପ୍ରସନ୍ନ ବାବୁଙ୍କ ଗୃହ ସମ୍ମୁଖରେ ଉପସ୍ଥିତ ହେଲା |
ଗାଡ଼ିରୁ ଓହ୍ଲାଇ ପ୍ରସନ୍ନ ବାବୁ ପ୍ରକାଶ ବାବୁଙ୍କୁ ଭିତରକୁ ପାଛୋଟି ନେଲେ ଓ ଘର ବୁଲି ଦେଖେଇଲେ | ଏହିପରି ଘରଟି ମଧ୍ୟରେ ବୁଲୁ ବୁଲୁ ବୈଠକଖାନାରେ ଯାଇ ପହଁଚିଲେ | ତହିଁ ଟଙ୍ଗା ହୋଇଥାଏ ଏକ ବଡ଼ ଫୋଟୋଟିଏ | ବେସ୍ ସୁସଜ୍ଜିତ ହୋଇଥାଏ ବିଭିନ୍ନ ପୁଷ୍ପମାଳା, ଚନ୍ଦନ ଆଦିରେ ! ପ୍ରକାଶ ବାବୁ ପ୍ରସନ୍ନ ବାବୁଙ୍କୁ ଫୋଟଟି ବିଷୟରେ ପଚାରିଲେ | ପ୍ରସନ୍ନ ବାବୁ କହିଲେ ଯେ ଏହା ତାଙ୍କ ସ୍ବର୍ଗତ ଜେଜେଙ୍କର ଫୋଟୋ | ସେ ଜେଜେଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କ ଜେଜେ ମଧ୍ୟ ତାଙ୍କୁ ବହୁତ ସ୍ନେହ କରୁଥିଲେ | ସେ ସବୁଦିନ ନିଜ ହାତରେ ପୁଷ୍ପମାଳଟିଏ ତିଆରି କରି ଫୋଟୋରେ ସଜାନ୍ତି ଓ ଧୂପ ଚନ୍ଦନ ଦେଇ ନିଜ ଜେଜେଙ୍କୁ ସ୍ମରଣ କରନ୍ତି | ଏହିପରି କହୁକହୁ ତାଙ୍କ ଆଖିରୁ ଦୁଇଧାର ଲୁହ ଝରିପଡ଼ିଲା |
ପ୍ରକାଶ ବାବୁ ହଟାତ୍ ପ୍ରସନ୍ନ ବାବୁଙ୍କୁ ପଚାରିଲେ ଯଦି ସିଏ ଫୋଟୋଟିକୁ ବାହାରେ ଫୋପାଡ଼ି ଦେଇ ପାରିବେ !!
ହେଁଇ !! ଅବାକ୍, ଆଚମ୍ବିତ ଓ କ୍ରୋଧର ଏକ ମିଶ୍ରିତ ଉଦ୍ବେଗରେ ପ୍ରସନ୍ନ ବାବୁ ଚିତ୍କାର କରି ଉଠିଲେ :: "କଣ କହୁଛନ୍ତି ? ଆପଣ କଣ ପାଗଳ ନା କଣ ! ଏଭଳି ପ୍ରଶ୍ନ ପଚାରିବାକୁ ଆପଣଙ୍କୁ ସଙ୍କାଚବୋଧ ହେଲା ନାହିଁ ?" .. ଏହିପରି କେତେ କଣ କହିଗଲେ |
ପ୍ରକାଶ ବାବୁ ଶାନ୍ତ ଭାବରେ କହିଲେ "ହେଲେ ଆପଣଙ୍କ ଜେଜେ ତ ସ୍ବର୍ଗତ | ଏଇ ଯେ ଏକ ଫୋଟୋଟିଏ ଖାଲି !! ସେ କଣ ଜୀବିତ ନା ଏହି ଫୋଟୋରେ କୋଉ ମାଧ୍ୟମ ଅଛି ଯେ ଆପଣଙ୍କ ଏଇ ପୁଷ୍ପ, ଧୂପ ଚନ୍ଦନ ତାଙ୍କ ପାଖରେ ଯାଇ ପହଞ୍ଚିବ ..?"
ସତେ କିବା ନିଆଁରେ ଘିଅ ଢଳା ହେଲା !! ପ୍ରସନ୍ନ ବାବୁ ଗର୍ଜି ଉଠିଲେ :: "ଆପଣଙ୍କର କିଛି ଜ୍ଞାନବୋଧ ନାହିଁ ବୋଧେ ! ଆତ୍ମୀୟ ସ୍ଵଜନଙ୍କୁ କଣ ଆମେ ମନେ ପକାଇ ପାରିବୁ ନାହିଁ ? ତାଙ୍କୁ କଣ ଆମେ ଶ୍ରଦ୍ଧାରେ କିଛି ସମର୍ପଣ କରି ପାରିବୁ ନାହିଁ ? ବିଶ୍ୱାସ ଭରସା ବୋଲି କଣ କିଛି ନାହିଁ ?" ...
ହଟାତ୍ ଠିକ୍ ଏହି ସମୟରେ ପ୍ରକାଶ ବାବୁ ପ୍ରତ୍ୟୁତ୍ତର ଦେଇ ପଚାରିଲେ :: "କଣ କହିଲେ, ବିଶ୍ୱାସ ଓ ଭରସା ? ବାସ୍ ଠିକ୍ ସେହିପରି ଲୋକଙ୍କର ମଧ୍ୟ ସେହି କାଷ୍ଠ ପ୍ରତିମାରେ ଦେବୀଙ୍କ ପ୍ରତି ବିଶ୍ୱାସ ଓ ଭରସା ଅଛି | ଆମେ ସେହି ଅଦୃଶ୍ୟ ଶକ୍ତିକୁ ଦେଖି ପାରୁନାହୁଁ ସତ ହେଲେ ତାଙ୍କୁ ସ୍ମରଣ କରିବାରେ ଅସୁବିଧା କଣ ? ବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟରେ ଅନେକଟା ପାର୍ଥକ୍ୟ ଅଛି ସତ ହେଲେ ଦୈବିୟ ଭାବନାରେ ନିଜକୁ ସମ୍ମିଳିତ କରିବାରେ ବି ନିଜକୁ ଶାନ୍ତିବୋଧ ହୋଇଥାଏ ! ବିଶ୍ୱାସେ ମିଳନ୍ତି ଭଗବାନ !!"
ପ୍ରସନ୍ନ ବାବୁ ଏପରି କିଛି ଶୁଣିବେ ବୋଲି ଆଶା କରିନଥିଲେ | ଆଉ କିଛି କହିବେ କଣ ନିରୁତ୍ତର ରହିଲେ ...
ବେସ୍ ତା ପରେ ଦୁହେଁ ଦୁହିଁକି ବୁଝିପାରିଲେ ଓ ପ୍ରସନ୍ନ ବାବୁ ପ୍ରକାଶ ବାବୁଙ୍କୁ ଭୋଜନକକ୍ଷକୁ ପାଛୋଟି ନେଲେ |