Rabindra Kumar Behera

Others

2  

Rabindra Kumar Behera

Others

ଆତ୍ମାଶାନ୍ତି

ଆତ୍ମାଶାନ୍ତି

2 mins
757


ମୁଁ ଚେନ୍ନାଇରୁ ବାଲେଶ୍ଵରକୁ ଟ୍ରେନ୍‌‌ରେ ଫେରୁଥାଏ । ବାଟରେ ପଡ଼ିଲା ଖୋର୍ଦ୍ଧା ରୋଡ଼ ଷ୍ଟେସନ୍‌‌ । ଏକ ବଡ଼ ରହଣୀ, ପ୍ରାୟ ଟ୍ରେନ୍‌‌ ଏଠାରେ ୨୦-୨୫ ମିନିଟ୍ ସମୟ ରୁହନ୍ତି । ଷ୍ଟେସନ୍‌ରେ ପହଞ୍ଚିଲା ବେଳକୁ ଦିନ ୧୧ଟା । ଖରାଦିନ, ଡହ ଡହ ଖରା । ଯଦିଓ ଏ.ସି. ବଗି ଭିତରେ ବାହାର ତାପମାତ୍ରା ଜାଣି ହଉନଥାଏ । ମୁଁ ଏକା ଯାଉଥାଏ, ଏତେ ସମୟ ଟ୍ରେନ୍‌ଟି ରହିବ ଭାବି କିଛି ସମୟ ପାଇଁ ଟ୍ରେନ୍‌ରୁ ଓହ୍ଲାଇ ବାହାରେ ବୁଲିବି ବୋଲି ଭାବିଲି । ଟ୍ରେନ୍‌ରୁ ଓହ୍ଲାଇଛି କି ନାହିଁ, କାହିଁ ଗୋଟେ ଜୋର ଶବ୍ଦ ମୋର କର୍ଣ୍ଣଗୋଚର ହେଲା "ଆତ୍ମାଶାନ୍ତି, ଆତ୍ମାଶାନ୍ତି, ଆତ୍ମାଶାନ୍ତି" । ମୋ ମନରେ ହଟାତ୍ ଏକ ରୋମାଞ୍ଚ ସୃଷ୍ଟି ହେଲା । ଆରେ ଏ ରେଳ ଷ୍ଟେସନ୍‌ରେ କି ଆତ୍ମାଶାନ୍ତି ? ଆଉ ଜଣେ ଏତେ ଜୋରରେ ପାଟି କରି ଡାକୁଛି କାହିଁକି ? କଣ ଏଠାରେ କୋଉ ପୂଜା ହଉଛି, ନା' ସେମିତି ତ କିଛି ମାହୋଲ ନାହିଁ । ନା କୋଉ ସନ୍ଥ ମହାତ୍ମା ଏଠାରେ ମୋକ୍ଷପ୍ରାପ୍ତିର ଉପାୟ ବତାଉଛନ୍ତି । ମନରେ ଏମିତି ସଂଶୟ ନେଇ ମୁଁ ସେଇ ଶବ୍ଦ ଆଡ଼କୁ ମାଡ଼ିଗଲି ।


ଯାଇ ଦେଖେ ତ ଲୋକଟିଏ ଗୋଟେ ଠେଲା ଧରି ଛିଡ଼ା ହୋଇଛି । ଠେଲା ଉପରେ ଯୋଡ଼େ ବଡ଼ ଗରା, ଦୁଇ ବଡ଼ ଜାଗାରେ ଦହିବରା ଓ ଆଳୁଦମ୍ ସଜା ହୋଇଛି । ସାଙ୍ଗରେ ଛୋଟ ଛୋଟ ଜାଗାରେ କଟା ପିଆଜ, କଟା ଧଣିଆ ପତ୍ର, କଟା କଞ୍ଚାଲଙ୍କା, ଆଉ ଛୋଟ ଛୋଟ ଡବାରେ ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ବିଟ୍ ଲୁଣ । ମୁଁ ଏସବୁ ଦେଖି ମୋ ଉତ୍ତର ଠଉରଉ ଥିବା ବେଳେ, ହଟାତ୍ ଲୋକଟି ଏକ ଖଲିପତ୍ର ଦୋନାରେ ତିନିଟି ଦହିବରା, ତା' ଉପରେ ଆଳୁଦମ୍, ଲଙ୍କା, ପିଆଜ, ଧଣିଆପତ୍ର, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ବିଟ୍ ଲୁଣର ସମ୍ଭାର ସଜାଇ ମୋ ହାତକୁ ବଢ଼ାଇ ଦେଲା । କହିଲା "ବାବୁ ଏଥିରୁ ଟିକେ ଚାଖନ୍ତୁ, ଆତ୍ମାଶାନ୍ତି ଲାଗିବ ।" ମୁଁ ଏକ ସ୍ମିତହାସ୍ୟ ସହିତ ତାର ପ୍ରାପ୍ୟ ଦେଇ ଦହିବରା ଦୋନାଟିକୁ ନେଲି । ଆଉ ଦେଖୁଥାଏ ଲୋକମାନେ ମଧ୍ୟ ଘଡ଼ି ଘଡ଼ିକି ତା' ଠାରୁ ଗୋଟେ ଗୋଟେ ଦହିବରା ଦୋନା ନେଇ ଚାଲିଥାନ୍ତି । ଆଜି ବୋଧେ ଭଲ ବେପାର ହେଇଛି । ଲୋକଟି ମୁହଁରେ ଫୁଟି ଉଠୁଥାଏ ହସଟିଏ । ଲୋକମାନେ ବି ଖାଇସାରି ପ୍ରଫୁଲ୍ଲତା ପ୍ରକାଶ କରୁଥାନ୍ତି ।


ମୋ ହାତରେ ଏବେବି ଦହିବରା ଦୋନାଟି ଥାଏ । ହଠାତ୍ ଭାବିଲି ଆରେ ଏହା ଖାଇଲେ ଦେହ ଖରାପ ହବନି ତ ? ସେ ନାଲି ଟକ୍ ଟକ୍ ଆଳୁଦମ୍ ସହିତ କଞ୍ଚାଲଙ୍କା ଓ ଲଙ୍କାଗୁଣ୍ଡର ଯୋଉ ମିଶ୍ରଣ ତାହା ନାଭି ମଧ୍ୟରେ କୌଣସି ବିଚିତ୍ର ବିସ୍ଫୋରଣ ସୃଷ୍ଟି କରିବନି ତ ? ନା' ଏତେ ଆଉ ଭାବିଲେ ହବନି, ଯାହା ହବ ଦେଖାଯିବ । ଜିହ୍ୱାରେ ଦହିବରା ପ୍ରତି ଏକ ଅନନ୍ୟ ପ୍ରେମ ସଞ୍ଚାରିତ ହଉଥାଏ । ସେଇ ବାଉଁଶ ପତ୍ର ଚାମଚରେ ଦହିବରାର ଏକ ଖଣ୍ଡ ପାଟିରେ ଦେଲି । ଆଃ ସତେ କିବା ଖେଳିଗଲା ଏକ ଅଜଣା ରୋମାଞ୍ଚ, ଜିହ୍ୱାସ୍ପର୍ଶରେ ଏକ ବିଚିତ୍ର ଆବେଗ । ଲଙ୍କା ସମୂହର ଉଗ୍ର ଜ୍ୱାଳା, ତତ୍ସହିତ ଥଣ୍ଡା ଦହିର କୋମଳ ପ୍ରଲେପ, ଓହୋଃ କି ଅନୁଭୂତି । ସୁକ୍ଷ୍ମ ଦହିବରା ସହିତ ଆଳୁଦମ୍ ର ମିଶ୍ରଣ ବି ଏକ ବିଚିତ୍ର ସାମଞ୍ଜସ୍ୟ । ପାଟିରେ ସବୁ ମିଳେଇ ଯାଉଥାଏ ।


ଏହି ସମୟରେ ହଠାତ୍ ଟ୍ରେନ୍‌ର ସାଇରନ୍‌ଟି ବାଜି ଉଠିଲା । ମୁଁ ମଧ୍ୟ ଦହିବରାଟି ଶେଷ କରି ଟ୍ରେନ୍‌ଆଡ଼କୁ ଅଗ୍ରସର ହେଲି । ଟ୍ରେନ୍‌ରେ ଚଢୁ ଚଢ଼ୁ ପୁଣି ମୋର କର୍ଣ୍ଣଗୋଚର ହେଲା, ଲୋକଟି ପୁଣି ହୁରିଟିଏ ପକାଇଲା "ଆତ୍ମାଶାନ୍ତି, ଆତ୍ମାଶାନ୍ତି, ଆତ୍ମାଶାନ୍ତି "



Rate this content
Log in