Rabindra Kumar Behera

Others

4.1  

Rabindra Kumar Behera

Others

ମୁଖାଧାରୀ

ମୁଖାଧାରୀ

2 mins
11.7K


ସମୟ ଦୋଛକିରେ ଜୀବନଟା ଘୁଁ ଘୁଁ ଘୁରୁଥିବାବେଳେ ହଟାତ୍ ଏକ ଅଚିନ୍ହା ଜାଗାରେ ଅଟକି ଗଲା | ସତେ ଯେମିତି ସବୁ ନିସ୍ତବ୍ଧ | ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଏକ ସଂଗେ ଭେଟ | ଅସ୍ତ ସୂର୍ଯ୍ୟର ଲାଳିମା ଓ ଉଦିତ ଚନ୍ଦ୍ରର ଶୁଭ୍ର ଛିଟା ଏଇ ଆକାଶରେ ଏକ ବିସ୍ମୟ ସୃଷ୍ଟି କରୁଥାନ୍ତି | ହେଲେ ଦ୍ରଷ୍ଟା ସବୁ କାହାନ୍ତି, କାହିଁ କେହି ତ ଦୃଶ୍ୟମାନ ହଉ ନାହାଁନ୍ତି !! ତଥାପି ରୁଦ୍ଧଦ୍ବାର ଗୁଡ଼ିକ ମଧ୍ୟରୁ ନିଶ୍ୱାସ ପ୍ରଶ୍ୱାସର ଆଭା ଆସୁଥାଏ | କି ବିଚିତ୍ର !! ଏକ ସଂଗେ ଏତେ ସବୁ ଶବ୍ଦ, ହେଲେ ତଥାପି ନୀରବତା ? ଘୋର ଗର୍ଜନ କରୁଥିବା ରାସ୍ତାପଥ ସବୁ ଆଜି ଖାଁ ଖାଁ ! ସଦ୍ୟ ଯାନବାହନରେ ବିମଣ୍ଡିତ ହୋଇ କରାଳ ଧୂଆଁରେ ବାହାସ୍ଫୋଟ ମାରୁଥିବା ସେଇ କଂକ୍ରିଟ୍ ଗତିପଥଟି ସତେ କିବା ଆଜି ନିର୍ବିକାର ହୋଇ ଛିଡ଼ା ହୋଇଛି | କାଇଁ ଗୋଟେ ହେଲେ କେହି ଦିଶୁନାହିଁ ତ, କୁଆଡ଼େ ଗଲେ ସବୁ ?


ଏମିତି ଦେଖୁଦେଖୁ ମିଞ୍ଜିମିଞ୍ଜି ନାଲି ଆଲୁଅରେ ଏକ ପ୍ରଚଣ୍ଡ ଶବ୍ଦ କରି ଆମ୍ବୁଲାନ୍ସଟିଏ ତୀବ୍ର ଗତିରେ ଚାଲିଗଲା | ଆଜି ଆଉ ଗୋଟେ କାହାକୁ ମାତିଛି | ଟିଭି ପରଦାରେ ବି ନମ୍ବର ଗୋଟେ ବଢ଼ିଲା ବୋଲି ଜଣାଉଥାଏ | କି ଯେ କାଳ ହେଲା ଏଇ ରହସ୍ୟ ଟା !! କୌଣସି ଅସ୍ତ୍ର ସତେ କିବା ତାକୁ ଭେଦ କରି ପାରୁ ନାହିଁ | ଡାକ୍ତର ବୈଜ୍ଞାନିକ ସବୁ ଯେ ଅଥୟ ! ଇଏ କଣ ଆତ୍ମା ସଦୃଶ ?

ଠିକ୍ ଏହି ସମୟରେ ଏକ ଶ୍ଳୋକ ବାଜିଉଠିଲା ଗୀତା ମଧ୍ୟରୁ :: "ନୈନଂ ଛିଂଦନ୍ତି ଶସ୍ତ୍ରାଣି ......" ହଁ ହଁ ଆଜି ଯେ ମହାଭାରତ ସିରିଏଲର ପୁନରାବୃତି ହଉଥାଏ | କୁରୁକ୍ଷେତ୍ରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଂଖ୍ୟ ଯୋଗର ଜ୍ଞାନ ଦେଉଥାନ୍ତି | ତା ପରେ କର୍ମ ଯୋଗର ବ୍ୟାଖ୍ୟା | କର୍ମ ହିଁ ପରମ ସତ୍ୟ ! ସ୍କୁଲରେ ବି ପଢ଼ିଥିଲି "କର୍ମ ହିଁ ଭଗବାନ" | ଆଉ ଆଜିର ଏଇ ମୋଡେର୍ଣ ପିଢ଼ିରେ ବି ତ ଗୋଟେ ଟ୍ରେଣ୍ଡ୍ ଚାଲିଛି "କର୍ମା କର୍ମା " ବୋଲି |  


ଠିକ ଏଇବେଳେ ବାୟା ବୁଢ଼ୀଟା ପାଟି କରିଉଠିଲା "କି ରୋଗ ହେଲାଯେ, 'ଅଜଣା ଢ଼ିଙ୍କିରେ କୁଟା ଚାଉଳ, ଘରୁ ବାହାରିବୁ ନାହିଁ ବଉଳ' | ମୋ ପୋଡ଼ା କପାଳ ଯାହା ! ଏମିତି ସବୁ ଦେଖିବାର ଥିଲା ? ଛିଙ୍କିବନି, କାଶିବନି, ଶୁଙ୍ଘିବନି, ଧରିବନି; ଖାଲି ଗୋଟେ ଭେଳିକି ଦେଖେଇ ପଡ଼ି ରହିବ !! ହୋଉ ସେ ଯାହା ହେଉ ଲୋ ମା', ଭଗବାନେ ସମସ୍ତଙ୍କୁ ଭଲ କରି ଦିଅନ୍ତୁ | କେଡ଼େ କେଡ଼େ ପାପ ସବୁ କରୁଛନ୍ତି, ଏଇ ତା କର୍ମଫଳ ଯାହା |" ତା ପ୍ରଗଳ୍ଭତା ମଧ୍ୟରେ କିନ୍ତୁ ଏକ ନିରାଟ ସତ୍ୟ ଉଙ୍କି ମାରୁଥାଏ ଆଉ ଜଳଜଳ କରି କଟାକ୍ଷ କରୁଥାଏ | ଆଉ ଏହା ଶୁଣି ମୁଁ ପୁଣି ହଜିଗଲି ସେଇ ଅଜଣା ଅନ୍ତର୍ଦ୍ୱନ୍ଦ ଭିତରେ ଓ ସାଜିଗଲି ମାସ୍କ୍ ଆଚ୍ଛାଦିତ ଏକ ମୁଖାଧାରୀ | 


Rate this content
Log in