ଧଡ଼ି ଦାସୀ
ଧଡ଼ି ଦାସୀ


ଅନେକ ଦିନ ତଳର କଥା .....
ସହରଠାରୁ ବହୁ ଦୂରରେ ଥାଏ ହଳଦୀପଟା ଗାଁଟି । ସେଠାରେ ଅନେକ ଲୋକ ଦାସୀପ୍ରଥାରେ ବିଶ୍ୱାସ କରନ୍ତି । ପୂଜା ପାର୍ବଣ ସମୟରେ କେତେ ଲୋକଙ୍କୁ ଦାସୀ ଲାଗନ୍ତି । ଅନେକ ଠାକୁରାଣୀଙ୍କ ଆବିର୍ଭାବ କିଛି ଲୋକଙ୍କ ଶରୀର ମଧ୍ୟରେ ହୁଏ । ସେହି ଗାଁରେ ଥାଏ ଧଡ଼ି ବୋଲି ଲୋକଟିଏ । ଲୋକଟିକୁ ଦାସୀ ଲାଗେ ବୋଲି ଗାଁ ଲୋକଙ୍କର ବିଶ୍ୱାସ । ସେହି ଗାଁରେ ରଘୁ ବୋଲି ଆଉ ଜଣେ ଲୋକଟି ଥାଏ, ଭାରି ଚାଲାକ୍ ଓ ବୁଦ୍ଧିମାନ । ସିଏ ହାତେ ମାପି ଚାଖଣ୍ଡେ ଚାଲିବା ଲୋକଟିଏ, ସବୁ ଜିନିଷ ପରଖି ଦେଖିବା, ତା'ର ସତ୍ୟତା ଅନୁସନ୍ଧାନ କରିବାରେ ସଦା ତତ୍ପର । ଧଡ଼ିର ଦାସୀ ଲାଗିବାଟା କାହିଁକି ରଘୁକୁ ଟିକେ ସନ୍ଦେହ ଲାଗୁଥାଏ । ହେଲେ ସେ ଲୋକଙ୍କୁ ବୁଝାଇବ କିପରି ? ହଟାତ୍ କହିଲେ କେହି ମାନିବେନି । ତା' ପାଖରେ କିଛି ପ୍ରମାଣ ବି ନଥାଏ । ହେଲେ କିଛି ଗୋଟେ ରକମରେ ନିଜର ସନ୍ଦେହମୋଚନ କରିବା ପାଇଁ ଭାବି ଭାବି ଚୁପ୍ ରହୁଥାଏ ।
ଏମିତି କିଛିଦିନ ବିତିଲା ପରେ ଗାଁରେ ମହାପାର୍ବଣର ଦିନ ଆସିଲା । ଏହି ଦିନ ଆଖପାଖ ଅନ୍ୟ ଗାଁରୁ ବି ଲୋକ ଆସନ୍ତି । ପାର୍ବଣ ଦିନ ସେତେବେଳେ ବହୁତ ଗହଳି ଥାଏ । ଅନେକ ଲୋକ ରୁଣ୍ଡ ହୋଇ ଠାକୁରାଣୀଙ୍କ ପୂଜା ଦେଖୁଥାନ୍ତି । ସେହି ସମୟରେ ହଠାତ୍ ପବନ ବେଗରେ ଦୌଡ଼ି ଦୌଡ଼ି ଲୋକଟିଏ ଆସିଲା । ଉନ୍ମୁକ୍ତ ଉପର ଶରୀର, କଳା ଧୋତିଟିଏ, ମଥାରେ ସିନ୍ଦୂର ଓ ବିଭୁତିର ପ୍ରଲେପ, ଲାଲ ଜିହ୍ୱା, ଆଖିତଳେ କଜଳର ଲମ୍ବା ଲମ୍ବା ଗାଢ଼ ଗାର, ଛାତିପୃଷ୍ଠରେ ଅଙ୍ଗାର ବୋଳା ହୋଇଥାଏ, ହାତରେ ବଡ଼ ବଳାଟିଏ, ପାଦରେ ଘୁଙ୍ଗୁର । ଲୋକଟିକୁ ଦେଖି ଭୟ ଲାଗୁଥାଏ, ଲୋମ ଟାଙ୍କୁରି ଉଠୁଥାଏ । ଅନ୍ୟ ସବୁ ଲୋକ ତାଙ୍କୁ ଦେଖି ମୁଣ୍ଡିଆଟିଏ ମାରିଲେ ।
ଏହି ସମୟରେ ସେହି ଲୋକଟି ନୃତ୍ୟ ଆରମ୍ଭ କରିଲା । ଖାଲି ପାଦ ଉଠୁଥାଏ ପଡ଼ୁଥାଏ । ମଝିରେ ମଝିରେ ଲମ୍ଫ ପ୍ରଦାନ କରୁଥାଏ । ଲୋକସବୁ କାବା ହୋଇ ପଚାରିଲେ କିଏ ବୋଲି ? ଲୋକଟି ନିଜର ବିଶାଳ କେଶସମୂହକୁ ଅପର ପାର୍ଶ୍ୱକୁ ଏକ ଶକ୍ତ ଛାଟ ଦେଇ କହିଲା "ମୁଁ ଅମୁକେଇ ଠାକୁରାଣୀ । ମୁଁ ପଣା ପିଇବି, ମୁହାଁ ଖାଇବି, ମୋତେ ଚାଉଳ, ପରିବା, ଫଳ, ମିଠା, ଚୁଡ଼ା, ପଇସା ଦିଅ; ନ ଦବ ଯଦି ଏ ଗାଁରେ ମରୁଡ଼ି ପଡ଼ିବ, ସବୁ ଆଡ଼େ ନିଆଁ ବରଷିବ । " ଏହା ଶୁଣି ସରଳବିଶ୍ଵାସୀ ଗାଁଲୋକ ସବୁ ଛାନିଆ ହେଲେ ଓ ସମସ୍ତେ ପ୍ରାର୍ଥନା କରିଲେ ଶାନ୍ତ ହବା ପାଇଁ, ଯାହା ଯାହା ବରାଦ ସବୁ ଦେବେ ବୋଲି କହିଲେ । ଲୋକଟି ଟିକେ ନରମିଯାଇ ପାଖରେ ଥିବା ଅଧବାଲଟି ପଣା ଓ ବଡ଼ ଥାଳିରେ ସଜା ହୋଇଥିବା ସମସ୍ତ ମିଷ୍ଟାନ୍ନକୁ ଖାଇ ଆପ୍ୟାୟିତ ହେଲେ ବୋଲି ଜଣାଇଲେ । ଗାଁଲୋକ ଅନ୍ୟ ଯାହା ସବୁ ବରାଦ ଜିନିଷ ଆଣିବା ପାଇଁ ଉଦ୍ୟତ ହେଲେ ।
ଗାଁଲୋକ ଠିକ ଯିବାପାଇଁ ବାହାରିଛନ୍ତି, ପଛକୁ ବୁଲି ଦେଖିଲେ ସ୍ତ୍ରୀ ଲୋକଟିଏ ତଳେ ଶୋଇଛି । ନାଲି ଶାଢ଼ୀ, ଶଙ୍ଖା, ସିନ୍ଦୂର, ଉନ୍ମୁକ୍ତ କଳା ଲମ୍ବାକେଶ ଓ ଉପରେ ଧବ ଫରଫର ଚାଦରଟିଏ । ମୁଂହଟି ଦେଖା ଯାଉନଥାଏ । ଏ ପଟେ ଏ ଲୋକଟିର କୃତ୍ୟ ଦେଖି ଲୋକରେ ଭୟରେ ଥିବାବେଳେ, ଏଭଳି ହଟାତ୍ ସେଇ ସ୍ତ୍ରୀଲୋକଟିକୁ ଦେଖି ମନରେ ଆହୁରି ଭୟ ଉଦ୍ରେକ ହଉଥାଏ । ଦାସୀ ଲାଗିଥିବା ଲୋକଟି ବି ସେଇ ସ୍ତ୍ରୀଲୋକଟି ପାଖରେ ଆସି ଠିଆ ହେଲା । ତା'ର କୃତ୍ୟ ବି ଟିକେ କମି ଯାଇଥାଏ । ସିଏ ସେହି ସ୍ତ୍ରୀଲୋକଟି ପାଖରେ ପହଞ୍ଚୁ ପହଞ୍ଚୁ, ସେଇ ଧବ ଫରଫର ଚାଦର ଭିତରୁ ଏକ ଚିତ୍କାର ଆସିଲା "ତୁ କିଏ ?" । ଦାସୀ ଲାଗିଥିବା ଲୋକଟି ଛନକା ପାଇଲା, ହେଲେ ଦମ୍ଭ ଧରି କହିଲା "ମୁଁ ଅମୁକେଇ ଠାକୁରାଣୀ । " ପୁଣି ଚାଦର ତଳୁ ଶୁଭିଲା "ତୁ ଅମୁକେଇ ଠାକୁରାଣୀ ? ତାହେଲେ କହ ମୁଁ କିଏ ?" । ଦାସୀ ଲାଗିଥିବା ଲୋକଟି ଟିକେ ଭାବି, ମନ୍ତ୍ରସିଦ୍ଧ କରିବା ଭଳି ନିଜ ହାତକୁ ଦେଖେଇକି କହିଲା "ତୁ ହେଲୁ ଜମିଦାର ଘର ବହୂ, ତୁ କହ ତୋ ଭିତରେ କିଏ ..." ଲୋକଟି ମୁହଁରୁ କଥା ନସରୁଣୁ, ଚାଦର ଭିତରୁ ରଘୁ ଉଠି ଛିଡ଼ାହେଲା । ନିଜକୁ ସେ ଏକ ସ୍ତ୍ରୀ ବେଶଭୂଷାରେ ସଜାଇ ରଖିଥିଲା । ଆଜି ବଡି ଭୋରରୁ ସେ ଧଡ଼ିକୁ ଜଗିଥିଲା ଓ ଆଜି ତାର ପର୍ଦାଫାଶ କରିବ ବୋଲି ମନସ୍ଥ କରିଥିଲା । ନିଜ ପ୍ରକୃତ ରୂପକୁ ଆସି ପରିଚୟ ଦେଇ କହିଲା "ମୁଁ ହେଲି ରଘୁ, କଣ କହିଲୁ ମୁଁ ହେଲି ଜମିଦାର ଘର ବୋହୁ ? ମୁଁ ପରା ଭେଣ୍ଡା ଟୋକାଟା, ତୁ କଉ ଠାକୁରାଣୀ କହ ?" ଏହା କହି ରଘୁ ଲୋକଙ୍କୁ ବୁଝାଇଲା ଯେ ସେହି ଦାସୀ ବେଶରେ ଧଡ଼ି ଆସିଥାଏ, ଓ କିପରି ଛଦ୍ମବେଶରେ ଦାସୀ ହୋଇ ଲୋକଙ୍କୁ ଠକୁଛି ବୋଲି ଜଣେଇଲା ।
ଲୋକେ ରଘୁକୁ ବିଶ୍ୱାସ କଲେ ଓ ନିଜ ଅନ୍ଧବିଶ୍ୱାସକୁ ଠଉରେଇ ପାରିଲେ । ତା' ପରେ ଦାସୀରୂପକ ଛଦ୍ମଵେଶୀ ଧଡ଼ିକି ଯଉ ମାଡ଼, ଓଃ !! ପ୍ରାଣ ବିକଳରେ "ବୋଉଲୋ ବାପଲୋ" ରଡ଼ି ଛାଡ଼ି ଧଡ଼ି ଦଉଡୁଥାଏ । ଲୋକେ କି ଛାଡ଼ନ୍ତି, ଗୋଡ଼ାଇ ଗୋଡ଼ାଇ ମାଡ଼ । ଆପ୍ରାଣ ଉଦ୍ୟମରେ ଧଡ଼ି ଦୌଡ଼ିଦୌଡ଼ି ଫେରାର । ଦାସୀ ଅଭିନୟ ପାଇଁ ଆଗରୁ ଯଉଁ ଶୀଘ୍ର ଦୌଡ଼ିବାର ଅଭ୍ୟାସ କରିଥାଏ, ତାହା ଆଜି ତା'ର ପ୍ରାଣ ବଞ୍ଚାଇଦେଲା ।
ସେହି ଦିନପରେ ଲୋକେ ଆଉ କାହାକୁ ଦାସୀ ବେଶରେ ଅଭିନୟ କରିବାର ଦେଖିନାହାନ୍ତି । ଧଡ଼ି ବି ଆଉ ସେ ଗାଁରେ ପାଦ ଦେଇନି । ହେଲେ ନିଜେ ଶିଖିଥିବା ଶିକ୍ଷାରୁ ଆଉ ଭୁଲ୍ କରିବା ପାଇଁ ସାହସ କରୁନଥାଏ । ଭଲ ବାଟରେ ଯିବାପାଇଁ ଚେଷ୍ଟା କରୁଥାଏ । ଲୋକମାନେ ବି ରଘୁକୁ ମାନୁଥାନ୍ତି । ତା'କୁ ନୂଆ ସରପଞ୍ଚ କରିବାର ପ୍ରସ୍ତାବଟିରେ ବି ସମସ୍ତେ ରାଜିହେଲେ, ଓ ଲୋକମାନେ ବିଶ୍ୱାସ ଅନ୍ଧବିଶ୍ୱାସ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା ହେଲେ ।
ବି. ଦ୍ର : କାହାରି ଧର୍ମୀୟ ଭାବନାକୁ ଆଘାତ ଦେବାପାଇଁ ଏହି କଥାଟି ନୁହେଁ । କେବଳ ଖଳ ଲୋକଙ୍କ କୃତ୍ୟକୁ ଦର୍ଶାଇବା ପାଇଁ ଉଦାହରଣଟିଏ । ବିଜ୍ଞ ପାଠକବୃନ୍ଦ ବୁଝିବା ହେବେ ।