puspanjali das

Tragedy

3  

puspanjali das

Tragedy

କାଶତଣ୍ଡି

କାଶତଣ୍ଡି

4 mins
289



ତର ତର ରେ ରିକ୍ସାରୁ ଓହ୍ଲାଇ ପଡି ଶ୍ରୀ ଘର ଭିତରକୁ ପସି ଆସିଥିଲା।ଆଜି ହୁଏତ ତାକୁ ଟିକେ ଵିଶ୍ରାମ କରିବାକୁ ସମୟ ମିଳିପାରିବ ଭାବି ମନଟା ତା'ର ଟିକେ ହାଲୁକା ଲାଗୁଥିଲା।ଆସନ୍ତା କାଲି ରବିବାର ଭାବି ଭାବି ନିଜକୁ ଟିକେ ସାନ୍ତ୍ୱନା ଦେଉଥିଲା ଯଦିଓ ଜାଣିଥିଲା ରବିବାର ତାର ସବୁଠାରୁ ଅଧିକ କାମ ଲାଗିଯାଏ!ସପ୍ତାହକର କାମ ସବୁ ତାକୁ କରିବାକୁ ପଡ଼ିଥାଏ।ଘର ପରିଷ୍କାର କରିବା ଠାରୁ ଆରମ୍ଭ କରି ତା ଲୁଗାପଟା ସାଙ୍ଗରେ ତା'ଝିଅ ଶ୍ରାବଣୀ ର ସବୁ ଡ୍ରେସ,ଜୋତାକୁ ସଫା କରି ସପ୍ତାହକ ପାଇଁ ତାକୁ ରଖିବାକୁ ହେବ!ତଥାପି ଶନିବାର ରାତି ଟା ତାକୁ ଯେମିତି ଆଶ୍ୱାସନା ର ରାତି ପରି ଲାଗେ!ସବୁଦିନ ପରି ଆଖି ତାର ଖୋଜି ପକାଇଥିଲା ତା ଗେହ୍ଲେଇ ଶ୍ରାବଣୀକୁ କୁଆଡେ ଗଲା??ସବୁଦିନେ ତ ଘର ଭିତରକୁ ପସୁ ପସୁ ଦଉଡି଼ ଆସେ,ଅସରନ୍ତି କଥାରେ ପୋତିପକାଏ।ଏପଟ ସେପଟ ଦେଖୁ ଦେଖୁ ଆଖି ତାର ପଡିଯାଇଥିଲା, ସୋଫା ର ଗୋଟିଏ କଡରେ ଜାକିଜୁକି ହୋଇ ବସିଥିବାର ଶ୍ରାବଣୀ ଉପରେ ମନଟା ତାର ଟିକେ ସହମି ଯାଇଥିଲା!

    ତା'ଜୀବନରୁ ଆକାଶ ଗଲା ଦିନରୁ କେମିତି ଏକ ଅଜଣା ଭୟ ରେ ସେ ସବୁବେଳେ ଯେମିତି ବାନ୍ଧି ହୋଇ ଯାଉଥିଲା ଯେତେବେଳେ ଶ୍ରାବଣୀ ର ଟିକିଏ ବି ବ୍ୟତିକ୍ରମ ଦେଖୁଥିଲା!ପାଖକୁ ଯାଇ ତାକୁ କୋଳେଇ ନେଇ ପଚାରିଦେଇଥିଲା–କ'ଣ ହେଲା ମୋ ଧନର?ଏମିତି ଆଜି ମୋ ଗପୁଡ଼ି ମା' ର କିଏ କ'ଣ ନେଇଗଲା କି?ସେତିକି କଥାରେ ଶ୍ରାବଣୀ ର ଆଖିରେ ଯେମିତି ଶ୍ରାବଣ ର ବନ୍ୟା ଆସିଯାଇଥିଲା!ତା'କୋଳରେ ମୁହଁ ଗୁଞ୍ଜି କାନ୍ଦି ଚାଲିଥିଲା, କାନ୍ଦ ତାର ଯେମିତି ଥମିବାର ନ ଥିଲା!ଶ୍ରୀ ର କ୍ଳାନ୍ତ, ବିବ୍ରତ ଶରୀର ଟା ଯେମିତି ଶିଥିଳ ହୋଇ ଯାଉଥିଲା!ଶ୍ରାବଣୀ ର ମୁଣ୍ଡ ଆଉଁସି ଦେଉ ଦେଉ ଧୀରେ କରି ପଚାରିଦେଇଥିଲା–ମୋ ମା ତ ଭାରି ସ୍ମାର୍ଟ, କାନ୍ଦ ବନ୍ଦ କରି କହିଦେବ ସାଙ୍ଗେ ସାଙ୍ଗ କଣ ହୋଇଛି ତାପରେ ଆମେ ବଜାର ଯିବା ଖୁଦୁରୁକୁଣୀ ମୂର୍ତ୍ତି କିଣିବାକୁ।ତୁ ଯିବୁଟି ମୋ ସାଙ୍ଗରେ?

    ଏଥର ଶ୍ରାବଣୀ ର କୋହ ଟିକେ ବଢିଯାଇଥିଲା।ଧକେଇ ଧକେଇ କାନ୍ଦୁ କାନ୍ଦୁ କହିପକାଇଥିଲା-ମୁଁ ଯିବିନି ତୁ ଯାହା ଆଣିବୁ ,ଆଣେ!ଏତେ ଅଭିମାନ କ'ଣ ପାଇଁ,ପ୍ରଥମେ ବୁଝି ପାରି ନଥିଲା ଶ୍ରୀ, ହେଲେ ମନଟା ତାର ଯେମିତି ଶ୍ରାବଣୀ ର ଅଭିମାନ ରେ ଭାରି ହୋଇଯାଉଥିଲା!ତାକୁ ମାନଇବାକୁ ଅବଶ୍ୟ ବେଶୀ ସମୟ ଲାଗିନଥିଲା, କିନ୍ତୁ ଯେତେବେଳେ ସବୁ ଶୁଣିଲା,କିଛି ସମୟ ପୁରା ଚୁପ ହୋଇ ବସିପଡିଥିଲା!ଶ୍ରାବଣୀ ର ଅନେକ ଛୋଟ ଛୋଟ ଅଳି ସେ ପୁରଣ କରି ଆସିଥିଲା,ଆକାଶଙ୍କ ଅଭାବ କୁ ତା'ର ଶିକ୍ଷକତା ର ସୀମିତ ଆୟ ଭିତରେ ପୂରଣ କରିବା କୁ ପ୍ରାଣ ପଣେ ଚେଷ୍ଟା କରିଥିଲା।ବାପା ଓ ମା ଦୁହିଁଙ୍କ ର ସ୍ନେହ କୁ ଶ୍ରାବଣୀ ଉପରେ ଅଜାଡ଼ି ଦେଇଥିଲା! ସେଇ ' ଶ୍ରାବଣୀ ' ହିଁ ତ ଆକାଶଙ୍କ ଅକାଳ ବିୟୋଗ ପରେ ତାର ବଞ୍ଚିବାର ଏକମାତ୍ର ପାଥେୟ ଥିଲା!

      ସାରା ରାତି ,ଶ୍ରୀ ର ମନରେ ଶ୍ରାବଣୀ ର କଥାଗୁଡିକ ଯେମିତି ପ୍ରତିଧ୍ବନିତ ହେଉଥିଲା!କୋଉଠୁ କ'ଣ କରିବ ଭାବି ପାରୁନଥିଲା!ମାସ ଶେଷ, ଦରମା ଗଣ୍ଡକରେ ଚଳିହେଉନି ଵୋଲି ତିନି ଚାରିଟା ଟିଉସନ କରିବାକୁ ପଡ଼ୁଛି,ତଥାପି ବି ସବୁବେଳେ କିଛି ନା କିଛି ଅପୁରଣ ରହିଯାଉଛି!ସେ ପିଲା ଗୁଡିକଙ୍କ ଭିତରୁ କାହାରିକୁ ତ ଆଗୁଆ ମାଗିପାରିବନି!ତା ଛଡା, ଦୁଇ ତିନି ଜଣଙ୍କ ପରିବାର ର ଅବସ୍ଥା ମଧ୍ୟ ସେତେ ଭଲ ନ ଥିବାରୁ, ସେମାନେ କେବେବି ଠିକ ସମୟରେ ପଇସା ଦେଇପାରନ୍ତିନି,ଦୁଇ ତିନି ମାସରେ ଅଳ୍ପ ଅଳ୍ପ ଦେଇ,କିଛି ପରେ ଦେବେ ବୋଲି ଗଡ଼େଇ ଚାଲନ୍ତି!ଯେତେ ଅସୁବିଧା ଥିଲେ ଶ୍ରୀ ସବୁ ଜାଣିଲେ ମଧ୍ୟ ପିଲା ମାନଙ୍କୁ ପଢ଼େଇବାକୁ ମନା କରିପରେନି!ମନକୁ ବୁଝାଇ ଶ୍ରାବଣୀ କୁ ନେଇ ଖୁଦୁରୁକୁଣୀ ମୂର୍ତ୍ତୀ ଓ ଆନୁସଙ୍ଗିକ ଜିନିଷ ଅଳ୍ପ କିଣି ବଜାର ରୁ ଚାଲି ଆସିଥିଲା ସିନା ହେଲେ କେମିତି ସେଇ ସ୍ୱଳ୍ପ ସାମଗ୍ରୀ ରେ ସୁନ୍ଦର କରି ସଜାଇବ ଖୁଦୁରୁକୁଣୀ ଜାଣି ପାରୁନଥିଲା!ତାର ଆଶ୍ୱାସନା ରେ ଶ୍ରାବଣୀ ଖୁସି ହେଇଯାଇଥିଲା ଯେ ତାଙ୍କର ଖୁଦୁରୁକୁଣୀ ସବୁଠାରୁ ସୁନ୍ଦର ହୋଇ ସଜା ହେବ,ତା ସାଙ୍ଗ ର କଥାରେ ତା ବାପା ନାହାନ୍ତି,ତାଙ୍କର କେମିତି ସଜା ହେବ ଶୁଣି ସେ ଆଉ ମନ କଷ୍ଟ କରିବନି!

    ରବିବାର ସକାଳ ଟା ଘର ସଜାଡୁ ସଜାଡୁ ଶ୍ରାବଣୀ ର ବହି ଥାକ ଟି ଉପରେ ଆଖିପଡିଥିଲା।କେମିତି ଅନ୍ୟ ମନସ୍କ ଭାବରେ ସବୁ ଖାତା ବହି ସଜାଡ଼ି କି ରଖୁଥିଲା ବେଳେ 'ତପସ୍ବିନୀ' ମ୍ୟାଗାଜିନ ଟା ସେଠି ଦେଖି ଟିକିଏ ବିରକ୍ତ ହେଇଯାଇଥିଲା,ହୁଏତ ଶ୍ରାବଣୀ ଭୁଲରେ ତା ବହି ସାଙ୍ଗ ରେ ନେଇଯାଇଥିବ ଭାବି ,ଖଟ ଉପରେ ରଖିଦେଇ ଚାଲି ଯାଇଥିଲା ଅନ୍ୟ କାମ କରିବାକୁ।ସମୟ ଯେତିକି ବିତି ଚାଲିଥିଲା ,ଶ୍ରୀ ର ମନର ଉଦବେଗ ସେତିକି ବଢି ବଢି ଚାଲିଥିଲା!କେମିତି ସିଏ ଶ୍ରାବଣୀ କୁ କଥା ରକ୍ଷା କରି ଖୁସି କରିପାରିବ!ରାତିରେ ସିନା ବୁଝାଇ ଶୁଝାଇ ବଜାର ରୁ ନେଇ ଆସିଥିଲା । ହେଲେ କୋଉଥିରେ ସଜାଇଲେ ଶ୍ରାବଣୀ ଖୁସି ହେଇଯିବ ଆଉ ସିଏ ଆଣିଥିବା ଜିନିଷ ରେ ହି ଚଳିଯିବ ଭାବି ଭାବି ସକାଳ ଟା ଯାଇ ଅପରାହ୍ନ ହେଇଯାଇଥିଲା।ନିଜର କ୍ଲାନ୍ତ ଶରୀର ଟାକୁ ଖଟ ଉପରେ ଲମ୍ବାଇ ଦେଇ ଭାବୁ ଭାବୁ 'ତପସ୍ବିନୀ' ବହିଟିକୁ ଓଲଟାଇ ବାକୁ ଲାଗିଥିଲା।ବହୁତଦିନ ହେଲା କୌଣସି ଗଳ୍ପ କି କବିତା ଦେଇନଥିବାରୁ ନୂଆ ସଂସ୍କରଣ ଟି କିଣିନଥିଲା।ଅନ୍ୟମନସ୍କ ଭାବେ ବହିଟିକୁ ଖେଳାଉ ଖେଳାଉ ନିଜର କବିତା "କାଶତଣ୍ଡି"ରେ ଆଖି ତାର ପ୍ରଥମ ଦୁଇଧାଡ଼ି ଉପରେ ଅଟକି ଯାଇଥିଲା–

      ନିର୍ମଳ ଆକାଶ ତଳେ କାଶତଣ୍ଡିର ଶୋଭା,

      ସତେକି ଧରଣୀ ରାଣୀ,ରୂପେଲି ଚାଦର ବେଢ଼ି,

      ହୋଇଅଛି ଉଭା....

କିଛି ସମୟ ଏକ ଲୟ ରେ ଦେଖି ସାରିବା ପରେ ,ହଠାତ୍ ଶ୍ରୀ ର ମୁହଁରେ କେମିତି କେଜାଣି ଗୋଟାଏ  ଅଜଣା ଚମକ ଖେଳି ଯାଇଥିଲା!

   ସବୁଥରକ ପରି ସନ୍ଧ୍ୟାବେଳେ ଶ୍ରୀ ଖୁଦୁରୁକୁଣୀକୁ ସଜାଇ ଚାହିଁ ବସିଥିଲା ଶ୍ରାବଣୀ ର ଆସିବା ବାଟକୁ।ମନରେ ଆଶଙ୍କା ଓ ଉଦବେଗ ଯେମିତି ଲହଡି ଭାଙ୍ଗୁଥିଲା!ଟିଉସନରୁ ଫେରି ଶ୍ରାବଣୀ ତା ସାଙ୍ଗ ଦୁଇଜଣଙ୍କୁ ଧରି ସିଧା ଠାକୁର ଘରକୁ ପସିି ଯାଇଥିଲା,ଆଉ ଯେତେବେଳେ ଶ୍ରୀ ସେମାନଙ୍କର କୋଳାହଳ ଶୁଣି ପାରିଥିଲା ନିଶ୍ୱାସ ତାର ବନ୍ଦ ହେଇଯାଉଥିଲା!ମନେ ମନେ ଯେତେ ଦିଅଁ ଦେବତା ତାର ମନେପଡୁଥିଲା,ସମସ୍ତଙ୍କୁ ଏକା ଥରକେ ଡାକି ପକାଉଥିଲା ଆଖିବବନ୍ଦ କରି!ହଠାତ୍ ପଛପଟୁ ଶ୍ରାବଣୀ ର ଦୁଇ ହାତର ଅଲିଙ୍ଗନ ରେ ଆଖିଖୋଲି ଦେଇଥିଲା।ତା' କାନରେ ଶ୍ରାବଣୀ ର ସାଙ୍ଗ ଦୁଇଜଣଙ୍କର କଥାସବୁ ସ୍ପଷ୍ଟ ହୋଇ ବାଜିଯାଉଥିଲା।ଏକା ସାଙ୍ଗରେ ସେମାନେ କହିଉଠିଥିଲେ–ମାଉସୀ, ଏତେ ସୁନ୍ଦର ତୁମେ କେମିତି ସଜାଇଲ?ଆମକୁ ଶ୍ରାବଣୀ ବାଟ ସାରା କହି ଆସୁଥିଲା ଯେ ଦେଖିବ ମୋ ବୋଉ କହିଛି, ସବୁଠୁ ସୁନ୍ଦର ଆମ ଖୁଦୁରୁକୁଣୀ ଦିଶିବେ!ମୋ ବୋଉ କେବେ ମିଛ କହେନି!ସତରେ ମାଉସୀ,ଏଇ ଘାସ ଫୁଲ ଗୁଡାକ ତ ଆମ ବାଡିପଟ ଦଳ ଗଡ଼ିଆ ରେ ଭର୍ତ୍ତି ହେଇଛି, ହେଲେ ଆମେ ତ କେବେ ଭାବି ପାରିନୁ ତାକୁ ନେଇ ସଜାଇବାକୁ!ଆଉ ସେଗୁଡା ଯେ ଏତେ ସୁନ୍ଦର ଦୁଶିଵ,ଜମାରୁ ଭାବିନଥିଲୁ!

          ଶ୍ରୀ ର ବେକରେ ଦୁଇ ହାତ ଛନ୍ଦି ଶ୍ରାବଣୀ ସବୁ ଶୁଣୁଥିଲା, ଆଉ ତା'ମୁହଁରେ ଖୁସି ଓ ସନ୍ତୋଷ ର ମିଶାମିଶି ରଙ୍ଗ ଯେମିତି ବୋଳି ହୋଇଯାଇଥିଲା!ବେକରୁ ତାର ହାତ କାଢିଆଣି, ଶ୍ରୀ ର ମୁହଁକୁ ଚାହିଁ କହି ପକାଇଥିଲା–ବୋଉ ଏ ଘାସଫୁଲ ଗୁଡାକ ତୁ ନିଜେ ଯାଇକି ଆଣିଲୁ ଆମ ଗଡିଆ କଡ଼ଟା ତ କାଦୁଅ ହୋଇଛି!ସେ ଘାସଫୁଲ ଗୁଡା ସଜେଇଦେଲେ ଏତେ ସୁନ୍ଦର ଦିଶିବ ,ମୁଁ ଜମାରୁ ଭାବିପାରି ନଥିଲି!! ସେ ଫୁଲ ଗୁଡାକର କଣ ନାଁ ଅଛି ?ଆତ୍ମାତୃପ୍ତି ଓ ଆତ୍ମସନ୍ତୋଷରେ ଶ୍ରୀ ର ମୁହଁରୁ କେବଳ ବାହାରି ଆସିଥିଲା ପଦୁଟିଏ–ହଁ ରେ ମା, ସେଗୁଡିକ ହେଲା 'କାଶତଣ୍ଡି'!


Rate this content
Log in

Similar oriya story from Tragedy