କାଶ୍ମୀର ଡାଏରି (ସ୍ଵପ୍ନର ପରିଧି)
କାଶ୍ମୀର ଡାଏରି (ସ୍ଵପ୍ନର ପରିଧି)
ଦୁଇଟି ଇଟାକୁ ଯୋଡ଼ି ପିଢା ଉପରେ ବସିଲା ପରି ସେ ବସିଛି ।ପଥର ଭାଙ୍ଗୁଛି ଫ୍ଲାଇଓଭର କାମ ସକାଶେ । ଦୁଇ ଆଣ୍ଠୁ ସନ୍ଧିରେ ମୁଣ୍ଡଟି ଗୁଞ୍ଜି ମଜ୍ଜି ଯାଇଛି କାମରେ । ଆଉ କୁଆଡ଼କୁ ନିଘା ନାହିଁ । ପିଠିରେ ନାଉ କରି ବାନ୍ଧିଥିବା ପ୍ରାୟ ସାତ ଆଠ ମାସର ଛୁଆଟିଏ ରାହା ଧରି କାନ୍ଦୁଛି । ଚିକ୍କଣିଆ କଳା ପିଠିଟା ତା ଛୁଆର ଲୁହ ସିଂଘାଣି ବୋଳି ହୋଇ ଆହୁରି ଚହଟି ଉଠୁଛି । ମଝିରେ ମଝିରେ ମୁଣ୍ଡ ଟେକି ନଜର ପକାଏ ତାର ଦେଢ଼ ବର୍ଷର ଝିଅ ଉପରେ ।ଝିଅର ଗୋଟିଏ ଗୋଡ଼ ଦୁପଟ୍ଟାରେ ବାନ୍ଧି ଆର ମୁଣ୍ଡଟା ବାନ୍ଧି ଦେଇଥାଏ ଗୋଟିଏ ଗଛ ଗଣ୍ଡିରେ । କାଳେ ଗୁରୁଣ୍ଡି ଗୁରୁଣ୍ଡି ଝିଅଟା ଚାଲିଯିବ ରାସ୍ତା ମଝିକୁ ! କାଳେ ଗାଡ଼ି ଚଢ଼ିଯିବ ତା ଉପରେ ! ତାର ଛାତି ଦାଲୁକିନା ହୁଏ ।
ଥରେ ଜଣେ ବାବୁ ଗାଡ଼ି ଅଟକାଇ ତାକୁ ଗାଳିଗୁଲଜ କରିଥିଲେ ଏ ବାବଦରେ , ଆଉ ଛୁଆପ୍ରତି ଏପରି ଅମାନୁଷିକ ବ୍ୟବହାର ନ କରିବାକୁ ଚେତାବନୀ ଦେଇଥିଲେ । ତାଙ୍କ ସାମନାରେ ସେ ଝିଅକୁ ମୁକୁଳେଇ ଦେଇ ଥିଲା ସତ ମାତ୍ର ସେ ଗଲାପରେ ପୁଣି ବାନ୍ଧି ପକାଇଥିଲା । ହଅ , ଖାଲି ବଡ଼ ବଡ଼ କଥା । କଣ ମିଳିବ ସେ ଅଲଣା କଥାରୁ । ତା ଝିଅର କିଛି ଉଁଚ୍ ନିଚ୍ ହେଲେ କଣ ସେ ବାବୁ ଆସି ପିଠିରେ ପଡ଼ିବ ? ତାକୁ ନ ବାନ୍ଧିଲେ ସେ କାମ କରିବ କେମିତି , କାମ ନକଲେ ସେମାନେ ଖାଇବେ କଣ ?
ଫର୍ଜାନା , ଖୁବ ସୁନ୍ଦରୀ ନହେଲେ ମଧ୍ୟ ଅସୁନ୍ଦରୀ କହି ହେବ ନାହିଁ । ଆକର୍ଷଣୀୟ ତୀଖ ନାକ ଆଖି । ସୁନ୍ଦର ପୂରିଲା ପୂରିଲା ଅଙ୍ଗ ସୌଷ୍ଠବ , ସତେ ଅବା କଳା ମୁଗୁନି ପଥରରେ ଗଢ଼ା ସୁଗଠିତ କୋଣାର୍କ ସୁନ୍ଦରୀର ମୂର୍ତ୍ତିଟିଏ । ଗାଁରେ ତ ସମସ୍ତେ ତାକୁ ବେହଦ ଖୁବସୁରତ ବୋଲି କହୁଥିଲେ ।
ପଥର ଭାଙ୍ଗୁ ଭାଙ୍ଗୁ ଆକାଶ ପାତାଳ କେତେ କଥା ଭାବି ଯାଉଛି ସିଏ ଏକା ଲୟରେ । ଛୁଆର କାନ୍ଦ ତା ଖିଆଲରେ ବ୍ୟାଘାତ ସୃଷ୍ଟି କରୁନାହିଁ । କାନ୍ଦୁ , କାନ୍ଦିଲେ ତାକତବର ହେବ , ବଳେ ବଳେ ତୁନି ହେବନି କି ?
ଏଇ ପଥର ସବୁ ଆଜିରେ ଭାଙ୍ଗିବାକୁ କଣ୍ଟ୍ରାକ୍ଟର ବାବୁ ତାଗିଦ କରି ଯାଇଛନ୍ତି । ଜଲଦି ଜଲଦି କାମ ସରିଲେ ସିନା ସେ ଘରକୁ ଯାଇ ଖାନା ବନେଇବ । ବଡ଼ ପୁଅଟି ଆଠ ବର୍ଷର ହେଲାଣି । ସମଝଦାର ହୋଇ ଗଲାଣି । ସେ କେଉଁ ରାସ୍ତା କଡ଼ରେ ଫୁଲ କିମ୍ବା ଚାଇନିଜ ବେଲୁନ ବିକୁଥିବ । ଘରକୁ ଗଲେ ସେମାନେ ସମସ୍ତେ ମିଶି ଖାଇବେ । ଘର ବୋଇଲେ ଆଉ ଗୋଟାଏ ଫ୍ଲାଇଓଭର ତଳର ଯାଗା । ସେହିଠାରେ ସେ ବିଛଣା ଲୁଗା ବର୍ତ୍ତନ ଇତ୍ୟାଦି ସମେଟି ରଖିଥାଏ । ଆହୁରି କେତେ ମଜଦୂର , ରିକ୍ସାବାଲା ମାନେ ରୁହନ୍ତି । ଆପସରେ କେବେ ଚୋରି ଚାରି କରନ୍ତି ନାହିଁ । ତଥାପି ସେ ମଲ୍ଲିକା ଚାଚିକୁ କହି ଆସିଛି । ଆଜି ମଲ୍ଲିକା ଚାଚି ତାର ଗେଙ୍ଗ ସାଥିରେ ଯାଇ ନାହିଁ । ତାର ସରଦର୍ଦ ହେଉଥିଲା । ମଲ୍ଲିକା ଚାଚିର କାମ , ହରକତ ସବୁ ତାକୁ ଭଲ ଲାଗେ ନାହିଁ । ଚାଚି ଓ ତା ଦଳର ଔରତ୍ ମାନେ ବସ୍ ରେ ଚଢ଼ି ଭୀଡ଼ ଭିତରେ ଇତ୍ତଫାକ୍ ରେ ପଇସା ବଟୁଆ ଚୋରି କରନ୍ତି ,କଣ୍ଡକ୍ଟର ମାନଙ୍କୁ ହାତରେ ରଖି । ୱକ୍ତ ଭଲ ଥିଲେ ଭଲ କମାଇ ହୁଏ । ସେଥିରୁ ଚାରି ଭାଗରୁ ଭାଗେ ନିଏ କଣ୍ଡକ୍ଟର । ଆଉ ବେଳେ ବେଳେ ବେଶ ବେଇଜ୍ଜତି ମଧ୍ୟ ହୁଏ , ସେତେବେଳେ କଣ୍ଡକ୍ଟର ମାନେ ହାତ ଝାଡି଼ ଦିଅନ୍ତି । ହଃ ,ବେଇଜ୍ଜତି ! ଏଇ ମଜଦୂର ମାନଙ୍କର ଈଜ୍ଜତ କେଉଁଠି ଥାଏ ଯେ ? ମାଡ଼ ତ ପଡ଼ିବାର ତ ଡର ନାହିଁ , ଏବେକାର ମହିଳା କାନୁନ ଭାରି ସଖ୍ତ ।
ଫର୍ଜାନା ଏସବୁ ଭଲ ପାଏ ନାହିଁ । କିନ୍ତୁ ପାଣିରେ ରହି ମଗରମଚ୍ଛ ସାଥିରେ ବୈର କେମିତି କରିବ । ରମଜାନ କାଶ୍ମୀର ଗଲା ପରେ ଏହି ମଲ୍ଲିକା ଚାଚିର ସାହାରାରେ ତ ସେ ରହିଛି । ନହେଲେ ଏକଲା ଔରତ୍ ଆଉ ଦିଲ୍ଲୀ !!
କେତେଥର ଫ୍ଲାଇଓଭର ତଳର ତାର ବିତ୍ତାଭର ଜାଗାକୁ ମଉକାପରସ୍ତ ମଜଦୂର ମାନେ ମାରି ନେବାକୁ ଚାହାଁନ୍ତି । କିନ୍ତୁ ମଲ୍ଲିକା ଚାଚିର ରାଜସ୍ଥାନି ଦମଦାର ଚେହେରାକୁ ଭୟ ମଧ୍ୟ କରନ୍ତି । ମରଦଙ୍କ ଛାତିରେ ଛାତି ଲଗେଇ ଦିଏ ସେ । ଗୋଟିଏ ଗୋଟିଏ ଖାଙ୍କରେ ସମସ୍ତେ ଲାଙ୍ଗୁଡ଼ ଜାକି କୁତ୍ତା ବନି ଯାଆନ୍ତି ।
ଆଜିଠାରୁ ଦଶବର୍ଷ ତଳେ ସେ ରମଜାନ ସାଙ୍ଗରେ ନିକାହ କରି ଦିଲ୍ଲୀ ଆସିଥିଲା । ଶାଗୁଆ ରଙ୍ଗର ଗରାରା ସୁଟ୍ ପିନ୍ଧି ମେହେନ୍ଦି ଲଗା ଥାକୁଲ ଥାକୁଲ ପାଦ ଦୁଇଟି ଯେତେବେଳେ ସେ ନୂଆଦିଲ୍ଲୀ ଷ୍ଟେସନର ପ୍ଲାଟଫର୍ମରେ ଥାପିଲା , ତାର ଛାତି କୁଣ୍ଢେମୋଟ ହୋଇ ଯାଇଥିଲା । ପଡିଶା ଘର ଟିଭିରେ ସେ କେତେ ଫଟୋ ଦେଖିଥିଲା ଦିଲ୍ଲୀର । ସେ କଣ ଖ୍ଵାବ ରେ ବି ଭାବିଥିଲା ଯେ ରମଜାନ ସହ ତାର ନିକାହ ହେବ ଆଉ ସେ ଦିଲ୍ଲୀରେ ରହିବ ?
ରମଜାନ ସହ ତାର ନିକାହ ବି ଗୋଟାଏ ଅଜୀବ ଇତ୍ତଫାକ୍ । ରମଜାନ , ଲାବାରିସ ପିଲାଟିଏ । ତାର ଅମ୍ମି , ଅବ୍ ବାଙ୍କର ମୌତ ହୋଇଯାଇଥିଲା ଯେତେବେଳେ ତାକୁ ଦଶ ଏଗାର ବର୍ଷ ହୋଇଥିଲା । ତାଙ୍କ ପରେ ସେ ଭଦ୍ରଖ ଷ୍ଟେସନରେ କିଛି ଦିନ କୁଲି କାମ କଲା । ଦିନେ ଜଣକର ସାମାନ୍ ପୁରୁଷୋତ୍ତମରେ ଥୋଉ ଥୋଉ ଗାଡ଼ି ଛାଡ଼ି ଦେଲା । ସେ ଓହ୍ଲେଇ ପାରିଥାନ୍ତା କିନ୍ତୁ ଓହ୍ଲାଇଲା ନାହିଁ । ସେଇ ଗଲା ତ ଗଲା । ଦିଲ୍ଲୀରେ ଯାଇ କୁଲିକାମ କଲା । ତାପରେ ମଜଦୂରୀ କଲା । ବେଶ ଦିପଇସା ରୋଜଗାର କଲା । ବଡ଼ହେଲା ପରେ ଥରେ ଭଦ୍ରଖ ଆସିଲା । ଯେଉଁ ଦିନ ସେ ଭଦ୍ରଖ ପହଞ୍ଚିଲା , ଫର୍ଜାନା ଯାଇଥିଲା ତାର ବେହୋସ ମାତାଲ ଆଵ୍ବାକୁ ଘରକୁ ନେବାକୁ । ସାଙ୍ଗରେ ତାର ସାନ ଦୁଇ ଭାଇ । ହେଲେ , ଏଡେ ବଡ଼ ମଣିଷ ଟାକୁ ସେ ନେବ କେମିତି । ଏତିକି ବେଳେ ରମଜାନ ସେପାଖ ଦେଇ ଯାଉ ଯାଉ ଅଟକି ଗଲା । ତାକୁ ଅଚରଜରେ ରଖି ତାର ଆଟାଚିଟାକୁ ତା ଭାଇକୁ ଧରେଇ ଦେଇ , ଏକାହାତରେ ତା ଆଵ୍ବା ର ବେହୋସ ଶରୀର ଟାକୁ ଟେକି ନେଲା କାନ୍ଧକୁ ।ଫର୍ଜାନା ଆବାକାବା ହୋଇ ଆଗରେ ଚାଲିଲା । ଘରେ ଅମ୍ମି ସଵାଲିଆ ଆଖିରେ ଅନେଇଲା ତାକୁ । ସମସ୍ତଙ୍କୁ କାବା କରି ରମଜାନ ସିଧାସଳଖ ଫର୍ଜାନା ସହ ନିକାହର ପ୍ରସ୍ତାବ ବାଢି଼ଦେଲା । ନିଜର ପରିଚୟ ସବୁ ଗାଇଗଲା । ଆଣିଥିବା ସବୁ ରୁପୟା ଅଜାଡି଼ ଦେଲା ଅମ୍ମିର ଆଁଚଲରେ ।
ବାସ୍ , ଅମ୍ମି ଖୁସ୍ , ଆଵ୍ବା ଭି ଖୁସ୍ । ଆଉ ଫର୍ଜାନା , ସେ ନିଜର ଦୁପଟ୍ଟାକୁ କାମୁଡି କନଖିରେ ଦେଖୁଥିଲା ହୀରୋ ମାଫିକ ରମଜାନକୁ ଆଉ ଖ୍ଵାବ ଦେଖୁଥିଲା ଦିଲ୍ଲୀର, ଜନ୍ନତର ।
ଷ୍ଟେସନରୁ ବାହାରକୁ ଆସିଲା ପରେ ଆଖି ତାର ଖୋସି ହୋଇଗଲା । ଏ କଣ ସତରେ ଜନ୍ନତ , ନା କୌଣସି ହୁର୍ ର ନିକାହ ଚାଲିଛି । ଏତେ ବିଜୁଳି ଆଲୁଅ , ଏତେ ଗାଡ଼ି ମୋଟର , ଏତେ ଲୋକ ଆଉ ଏତେ ଧାଁ ଧପଡ଼ କରୁଥିବା ଲୋକ । ସେ ମଦହୋସ ହୋଇ କାଠ ପରି ଠିଆ ହୋଇଥିଲା । ରମଜାନ ତାର ବାହୁ ଧରି ହଲେଇ ଦେଲା ।
- ହେଇ ଫର୍ଜାନା , ଜଲଦି ଚାଲ , ପରେ ପୂରା ଦିଲ୍ଲୀ ବୁଲେଇ ଦେଖେଇ ଦେବି ଯେ । ଆହୁରି କେତେ କଣ ଦେଖିବୁ ।
ସତରେ , କେଡ଼େ ସୁନ୍ଦର ଥିଲା ସେ ମହୁଲିଆ ମତୁଆଲା ଦିନ ସବୁ ! ଗୋଲାପର ମହକ ଥିବା ରାତି ସବୁ । ସେତେବେଳେ ରମଜାନ ଗୋଟିଏ ଝୁଗ୍ଗିରେ ରହୁଥିଲା , ବଖୁରିକିଆ କୁଡି଼ଆଟିରେ , ଭଡ଼ାରେ । ସାଫସୁଥରା କମରାରେ ଗୋଟିଏ ଟେବୁଲ ପଙ୍ଖା ଓ ଗୋଟିଏ ଛୋଟ କଳାଧଳା ଟିଭି । ସେ ଖୁସିରେ କୁରୁଳି ଉଠି ରମଜାନକୁ କୁଣ୍ଢେଇ ଧରିଥିଲା । ରମଜାନ ମଧ୍ୟ ରାତିସାରା ତା ପାଇଁ ତରଳି ଥିଲା ।
ଭଦ୍ରଖରେ ଗୋଟିଏ ମୁସଲିମ ବସ୍ତିରେ ତାଙ୍କର ବଖୁରିକିଆ ଝାଟିମାଟିର କୁଡି଼ଆ ବକଟେ ଥିଲା । ଆଠ ଭାଇ ଭଉଣୀ ରହୁଥିଲେ ସେଥିରେ ଅମ୍ମି ଆଵ୍ବା ସହ ।
ରାତିରେ ସବୁ ଭାଇଭଉଣୀ ତଳେ ଶୋଉଥିଲେ । କାହାର ହାତ କାହାର ପେଟ ଉପରେ ତ କାହାର ଗୋଡ଼ କାହାର ବେକକୁ ଚିପି ଅଣନିଶ୍ଵାସି କରି ଦେଉଥିଲା । ଖରାଦିନେ ଭଲ ,ସମସ୍ତେ ବାହାର ଅଗଣାରେ ଶୋଉଥିଲେ ।
ଫର୍ଜାନାର ଆଵ୍ବା ଥିଲା ଭଦ୍ରଖ ଷ୍ଟେସନରେ କୁଲି । କେବେ କେବେ ବାହାର କାମ ମଧ୍ୟ କରୁଥିଲା। ହେଲେ କଣ ହେବ , ସେ ଯେତେ କମଉଥିଲା ତାଠାରୁ ଅଧିକ ନିଶାପାଣିରେ ଉଡ଼ଉଥିଲା ।ଅମ୍ମି ଝଗଡ଼ା କରି ମାଡ଼ ଖାଉଥିଲା । ବିଚାରୀ ପାଖ ହୋଷ୍ଟେଲରେ କଲେଜ ପିଲାଙ୍କ ଅଇଁଠା ବାସନ ମାଜି ଛୁଆଙ୍କୁ ପାଳୁଥିଲା ,ଆଉ ଆଵ୍ବାର ମଧ୍ୟ ହର ଜରୁରତ ପୂରା କରୁଥିଲା ।
ଯାହାହେଉ , ରମଜାନ ଏତେ ଶରାବ ପିଉ ନଥିଲା । କେବେ କେବେ ପିଇଲେ ଫର୍ଜାନା ରାଗୁଥିଲା । ରମଜାନ ଆଉ ପିଇବନି ବୋଲି ଫର୍ଜାନାର କସମ ଖାଉଥିଲା । କିନ୍ତୁ ଫର୍ଜାନା ତାକୁ ଛୁଟ୍ ମଧ୍ୟ ଦେଉଥିଲା ଯେତେବେଳେ କାଲୁ ଭାଇଜାନ୍ ଆସି ତାକୁ ଡାକୁଥିଲା ।
ଅଟୋଚାଳକ କାଲୁ ଭାଇଜାନ୍ ର ଏହସାନ୍ ବି ତ ଅଛି । ପୂରା ଦିଲ୍ଲୀ ବୁଲି ଦେଖିଥିଲା ଏଇ କାଲୁ ଭାଇଜାନ୍ ର ଅଟୋରେ । କେତେ ଖୁବସୁରତ ଇଣ୍ଡିଆ ଗେଟ , କେତେ ଉଁଚ କୁତୁବ ମିନାର । ତାକୁ ସବୁଠୁ ଭଲ ଲାଗିଥିଲା ,ଲୋଟସ୍ ଟେମ୍ପଲ୍ ଓ ଚିଡି଼ଆଘର । ଲୋଟସ୍ ଟେମ୍ପଲ୍ ଦୂରରୁ ଦେଖି ସେ ଭାବିଥିଲା , ଦିଲ୍ଲୀରେ ବୋଧେ ଏଡ଼େ ବଡ଼ ବଡ଼ କମଲ ଫୁଟେ । ଅବୁଝା ଆଖିରେ ରମଜାନକୁ ପଚାରେ ,
- ଏତେ ବଡ଼ କମଲ୍ ? ରମଜାନ କୁହେ
- ଦୂର ପଗଲି , ଏଇଟା ତ ଗୋଟେ ମକବରା । ଇଟା ସିମେଣ୍ଟ ରେ ତିଆରି ।
ଆଉ ଚିଡି଼ଆଘରେ ଏତେ ଜାନବର ଦେଖି ସେ ଛୋଟ ଛୁଆ ଭଳି ତାଳି ମାରି ଡେଇଁ ଥିଲା । କାଲୁ ଭାଇଜାନ୍ ତାକୁ ଅନେଇଥିଲା ସ୍ନେହରେ , ଆଉ ରମଜାନ , ସେ ତ ନିଜକୁ ହଜାଇ ଦେଇଥିଲା ତାର ହସରେ ।
ତାର ଭାଇଭଉଣୀ ମାନେ ଓ ସେ , କେତେ ମନ କରୁଥିଲେ ନନ୍ଦନକାନନ ଯିବା ପାଇଁ । କିନ୍ତୁ ତାଙ୍କ ହସରତ ହସରତରେ ହିଁ ରହି ଯାଉଥିଲା ।
ଏବେ ତାର ଭାଇଭଉଣୀ ମାନଙ୍କୁ ଆଣି ଚିଡି଼ଆଘର ଜରୁର ଦେଖେଇବ । ରହିବାକୁ ଟିକେ ତକଲିଫ ହେବ । କାହାକୁ ଖୁସାମଦ କଲେ ସେମାନଙ୍କ ଝୋପଡିରେ ଟିକେ ଜାଗା ଦେବେ ଯେ । ତାକୁ ତ ସମସ୍ତେ କେତେ ମାନ ଦିଅନ୍ତି ଖୁବସୁରତ ବୋଲି । ତା ଛଡ଼ା ସେ ସମସ୍ତଙ୍କୁ ସାହାଯ୍ୟ କରେ ।
ହେଲେ କାହିଁ ? ସେ ନା ତ ଭାଇଭଉଣୀ ମାନଙ୍କୁ ଦିଲ୍ଲୀ ଆଣି ପାରିଲା ନା ସେ ନିଜେ ଭଦ୍ରଖ ଫେରି ପାରିଲା । ତକଦୀରର ଖେଲ ସବୁ ।
ରମଜାନ ଏଠାରେ କାମକରି ଭଲ କମାଇ କରୁଥିଲା । ଜଣେ କଣ୍ଟ୍ରାକ୍ଟର ତାକୁ ପଠାଇ ଦେଲା କାଶ୍ମୀର , ଆହୁରି ବେଶି କମାଇ କରିବ ବୋଲି । ଏଇ
ସାନ ଛୁଆଟି ପେଟରେ ରହିଲା ଦିନୁ ଯାଇଛି ଯେ ଯାଇଛି । କାଲୁ ଭାଇଜାନ୍ ମଧ୍ୟ ଯାଇଛି ।
କଣ୍ଟ୍ରାକ୍ଟର ରମଜାନକୁ ଡାକୁଥିଲା 'ରାମାନୁଜ' । ସେ କହୁଥିଲା
- ହଁ , ଏକାକଥା , ନାମ ମେ କ୍ୟା ରଖା ହୈ ।
ଫର୍ଜାନାକୁ ଭଲ ଲାଗୁ ନଥିଲା , ନା ସେ କଣ୍ଟ୍ରାକ୍ଟର ନା ତାର ବାତ୍ ଚିତ୍ । ତାର ନଜର ମଧ୍ୟ ଭଲ ଲାଗୁ ନଥିଲା । ସେ ନିଜର ଦୁପଟ୍ଟାରେ ଚେହେରା ଘୋଡ଼ାଇ ପକଉଥିଲା ।
ଆଜିକାଲି ସେପରି ନଜର କଣ ଆହୁରି ବହୁତ କିଛି ତାକୁ ଖରାପ ଲାଗୁ ନାହିଁ । ଦେହସୁହା ହୋଇ ଗଲାଣି । ସେ ଜାଣେ , ରମଜାନ ବିନା ତାକୁ ହର ହାଲତରେ ତିଷ୍ଠିବାକୁ ହେବ । ସେ କହି ଯାଇଛି , ବହୁତ ରୁପୟା ଆଣିବ । ତାପରେ ସେମାନେ ୱ।ପସ ଭଦ୍ରଖ ଯାଇ ମକାନ ବନେଇବେ ତାଙ୍କର ଖୋଲା ଅଗଣାରେ । ଯେତେହେଲେ ଦିଲ୍ଲୀ ପରାଇ ଜାଗା ।
ଆଜି ପର୍ଯ୍ୟନ୍ତ ସେ ତାକୁ ଅପେକ୍ଷା କରିଛି । ରମଜାନ ଆଉ ଜଣେ କଣ୍ଟ୍ରାକ୍ଟର ଜିମାରେ ତାକୁ ଦେଇ ଯାଇଥିଲା । ଏ ବାବୁ ଭଲ ଆଦମି । ତାଙ୍କ ନଜରରେ ମଧ୍ୟ ହବସ ଥାଏ କିନ୍ତୁ ଫାଇଦା ନିଏ ନାହିଁ କେବେ , ବରଂ ଅନେକ ଥର ସେ ତାର ମଦଦ କରିଛି । ସାଥିରେ କାମ କରୁଥିବା ଡହରା ଟୋକା ମାନେ ବେଳେ ବେଳେ ବିଭିନ୍ନ ବାହାନାରେ ତାର ଦେହକୁ ଛୁଇଁ ପକାନ୍ତି । ସେ ଖାତିରି କରେ ନାହିଁ , ହସିଦିଏ । କେହି କେବେ ବେଶି ନେହୁରା ହେଲେ ବାଧ୍ୟ ହୋଇ ତା ସାଥିରେ ଯାଏ । ନୁକସାନ୍ କଣ , କିଛି ପଇସା ଅଧିକା ମିଳେ ଆଉ ସଦ୍ ଭାବ ମଧ୍ୟ ବଢେ । ସୁରକ୍ଷାର ଆଉ ଗୋଟିଏ ବଳୟ ବଢ଼ି ଯାଏ ।
ଦିନସାରା ଖଟି ଖଟି ଓ ସାଥି ମଜଦୂର ମାନଙ୍କ ସହ ଗପ କରି କେତେବେଳେ ଦୁଖଦର୍ଦ ବାଣ୍ଟି ବିତିଯାଏ । କିନ୍ତୁ ରାତିଟା ବଡ଼ ନିଛାଟିଆ ଲାଗେ ।ଫ୍ଲାଇଓଭର ତଳେ ଏତେ ଲୋକ ଶୋଇଥାଆନ୍ତି ଅଥଚ ତାକୁ ଲାଗେ ଖାଁ ଖାଁ । ଦିଲ୍ଲୀରେ ତ ରାତିଟା ଶୁଏ ନାହିଁ । ଭାଁ ଭାଁ ଗାଡ଼ି ଚାଲିଥାଏ ଅବଶ୍ରାନ୍ତ ଭାବେ । ତେବେ ଵି ତାକୁ ଚାଉଁଚାଉଁକା ଲାଗେ । ରମଜାନର ଲୋମଶ ଚଉଡ଼ା ଛାତିଟା ମନେ ପଡେ । ତିନୋଟି ଛୁଆଙ୍କୁ ବେଢେଇଧରି ସେ ଶୋଇବାକୁ କୋଶିଶ କରେ ।
ତେଜିରେ କୌଣସି ଗାଡ଼ି ଛୁଟି ଆସିଲେ ସେ ଚମକି ଉଠି ବସେ । ଛୁଆଙ୍କୁ ଆଉଁସେ । କାଳେ କୌଣସି ଶରାବୀର ଗାଡ଼ି ମାଡ଼ିଯିବ ତା ଛୁଆଙ୍କ ଉପରେ । ହେଇ ପରା , କିଛି ଦିନ ତଳେ ଆଠଟା ଲୋକଙ୍କୁ ଦଳି ଚକଟି ଗୋଟିଏ ଗାଡ଼ିବାଲା ଫେରାର ହୋଇ ଯାଇଛି । ଧରା ପଡ଼ି ଥିଲେ ହେଲେ କଣ । ଏ ଅମିରଜାଦାଙ୍କ କେବେବି କିଛି ହୁଏ ନାହିଁ । ଖୋଦ ଚୌକନ୍ନା ହେବା ଭଲ ।
ତା ପାଖରେ ଶୋଇଥିବା ରୁମରୁମିଆ କୁକୁରଟା ହଠାତ ଭୂକି ଉଠିଲା । ସେ ତାକୁ ଟିକେ ଥାପୁଡେ଼ଇ ଦେଲା ।
ସୋ ଯା , ସୋ ଯା ।
ରମଜାନ ପାଳିଥିଲା ତାକୁ । ନାଁ ଦେଇଥିଲା ଚନ୍ଦୁ । କାଳିଆ ଦେହରେ ମୁଣ୍ଡରେ ଏକ ସଫେଦ ଚାଁନ୍ଦ । ଏଯାଏଁ ଚନ୍ଦୁ ତାକୁ ଛାଡ଼ି ନାହିଁ । ଖୁବ ଵଫାଦାର ।ଅନ୍ୟମାନେ ମଧ୍ୟ ଚନ୍ଦୁକୁ ଭଲ ପାଆନ୍ତି । ସେ ସବୁ ଲୋକଙ୍କର ମାଲମତ୍ତାର ରଖଵାଲୀ କରେ ।
ପୁଣି ଚନ୍ଦୁ ଭୁକିଲା । ସେ ଯୋରରେ ଚାପୁଡ଼ାଟିଏ ବସାଇ ଦେଲା ।
- କ୍ୟା ହୈ ? ସୋନେ ନହିଁ ଦେଗା କ୍ୟା ? ଏକ ତ ମଚ୍ଛର ମାନେ ଦାଉ ସାଧୁଛନ୍ତି । ପୁଣି ଇଏ ଗୋଟେ । ଚନ୍ଦୁ ବିକଳରେ କ୍ୟାଉଁ କ୍ୟାଉଁ ହେଲା । ଫର୍ଜାନାକୁ ରହମ ଆସିଲା । ତାକୁ ପାଖକୁ ଟାଣି ଆଣିଲା ଓ ଛୁଆ ଭଳି ତାକୁ ଥାପୁଡେ଼ଇଲା । ତା ଆଖୀ ବୁଜି ହୋଇ ଆସୁଥିଲା । ହଠାତ ସେ ଶୋଇଥିବା ଜାଗାରୁ କିଛି ଫର୍ଲାଂଗ ଦୂରରେ କଣ ଗୋଟାଏ ଧସ୍ କିନା ପଡ଼ିଲା ଗୋଟିଏ ଟେମ୍ପୋ ଟ୍ରକରୁ । ଏଥର କିନ୍ତୁ ଚନ୍ଦୁ ଆଊ ସମ୍ଭାଳି ହୋଇ ରହିଲା ନାହିଁ । ଭୂକି ଭୁକି ଛୁଟିଲା ସେ ଜାଗାକୁ । ଆଉ ଗୋଟାଏ କଣ ଫୋପାଡ଼ି ଦେଇ ଟ୍ରକଟା ଖୁବ ଯୋରରେ ଚାଲିଗଲା ।
ଏ ଭିତରେ ସମସ୍ତେ ଉଠି ପଡ଼ି ଥିଲେ ।ସମସ୍ତେ ଅତର୍ଛିଆ ଧାଇଁଲେ ସେ ଜାଗାକୁ । ଦୁଇ ଟା ମୁହଁ ବନ୍ଧା ବୋରି ଫୋପଡ଼। ହୋଇଛି । ସମସ୍ତେ ତାକୁ ଘେରି ହୋ- ହଲ୍ଲା କରୁଥାଆନ୍ତି ।ଭୟରେ ପାଖକୁ ଯାଉ ନ ଥାଆନ୍ତି । କେଜାଣି କଣ ବୋଇଲେ କଣ ହେଇଥିବ । ଏବେ ତ ବମ ଫୂଟୁଛି ସବୁ ଜାଗାରେ । ପୋଲିସ ମାନେ ସବୁବେଳେ ତାଗଦା କରୁଛନ୍ତି , ଲାଵାରିସ ଜିନିଷକୁ ହାତ ନ ଲଗେଇବା ପାଇଁ । କେହି ଜଣେ ପୋଲିସକୁ ଫୋନ କରିଦେଲା ।
ଫର୍ଜାନା ଆସମାନକୁ ଅନଉ ଥାଏ । ଆଉ କିଛି ଦିନ ପରେ ରମଜାନର ମହିନା ଶୁରୁ ହେଇଯିବ । ଉପରେ ଈଦ୍ ର ଚାଁନ୍ଦ ଭଳି ଚାଁନ୍ଦ ଟିଏ , ଖାଲି ତା ଉପରେ ତାରାଟି ନାହିଁ । ଏସନ ପୁଅ ମଧ୍ୟ ରୋଜା ରଖିବ ବୋଲି କହୁଛି ।
ଆଉ ଶୋଇବାର ଯୋଗ ନାହିଁ । ସୁବହ ହେବାକୁ ଅଳ୍ପ ୱକ୍ତ ବାକି ଅଛି ।
ପୋଲିସ ଆସିଲା, ଖୁବ ସାବଧାନୀରେ ବୋରିର ମୁହଁ ଖୋଲାଗଲା । ସେଥିରୁ ବାହାରିଲା ଦୁଇଟି ଡ୍ରମ । ଡ୍ରମର ଢାଙ୍କୁଣି ଖୋଲିବା ମାତ୍ରକେ ଗୋଟିଏ ଉତ୍କଟ ଗନ୍ଧ ଖଣ୍ଡମଣ୍ଡଳରେ ବ୍ୟାପିଗଲା । ସମସ୍ତେ ଯେମିତି ଅଣନିଶ୍ଵାସି ହୋଇ ପଡ଼ିଲେ । ସଵାଲିଆ ଦୃଷ୍ଟିରେ ଏକ ଆରେକୁ ଦେଖୁଥାଆନ୍ତି । ନାକରେ ହାତ ଦେଇ କେହି ପାଖକୁ ଗଲେ ପୋଲିସ ଡାଁଟ ପକାଇ ତଡି଼ ଦେଲା । ମଲ୍ଲିକା ଚାଚିର ସାଥି ଜଣେ ଯବରଦସ୍ତି ପାଖକୁ ଯାଇ ଭୟରେ ଆଖି ତରାଟି ଵାପସ ଧାଇଁ ଆସିଲା । ଥରୁଥାଏ ଗୋଟାପଣେ ,ପିପଲ ପତ୍ର ପରି । ପାଟି ଖନି ମାରି ଯାଉଥାଏ । କିନ୍ତୁ ଯୋଉ ଲବ୍ଜ ଦୁଇଟା ତାର ପାଟିରୁ ବାହାରିଲା , ନାରଖାର କରିଦେଲା ଫର୍ଜାନାର ଜିନ୍ଦଗୀକୁ । ଫର୍ଜାନା ପାଇଁ ୱକ୍ତ ଗୋଟିଏ ଜାଗାରେ ସ୍ଥିର ହୋଇ ରହିଗଲା ।
ଡ୍ରମ ଭିତରୁ ବାହାରି ଥିଲା ରମଜାନ ଓ କାଲୁ ଭାଇଜାନ୍ ର ଲାଶ୍ । କରୁଣ ହୋଇଗଲା ବାତାବରଣ । ସମସ୍ତଙ୍କ ଆଖିରେ ଲୁହ ଭରି ଯାଇଥିଲା । ଫର୍ଜାନାର ଛୁଆମାନେ କାନ୍ଦୁଥିଲେ ରାହା ଧରି । ମଲ୍ଲିକା ଚାଚି ଛାତି ବାଡ଼ଉଥିଲା । ଫର୍ଜାନା କିନ୍ତୁ ବୁତ୍ ବନି ଯାଇଥିଲା ।
ପୋଲିସ ମାନେ କିଏ କୁଆଡେ ଫୋନ କରୁଥାଆନ୍ତି । ଅନେକ ପୋଲିସ ଜୀପ ଓ ଅନ୍ୟାନ୍ୟ ଗାଡ଼ିରେ ସଡ଼କ ଜାମ ହୋଇଗଲା ।ସମସ୍ତେ କଣ ସବୁ ଚର୍ଚ୍ଚା କରୁଥାଆନ୍ତି । ଫର୍ଜାନା କାନରେ ତୁହାକୁ ତୁହା ' ପତ୍ଥରବାଜ ' ଶବ୍ଦ ଟି ବାଜି ତାକୁ ବିଚଳିତ କରୁଥାଏ । ତାର ମନେ ପଡ଼ି ଯାଉଥିଲା ସେହି କଣ୍ଟ୍ରାକ୍ଟର ଜଣକର ଲାଲଚି ହବ୍ସି ଆଖି ,ଯିଏ ରମଜାନକୁ ରାମାନୁଜ ଡାକୁଥିଲା । ତାରି ମୁହଁରେ ଏହି ଶବ୍ବଟିକୁ ସେ ଶୂଣିଥିଲା ସେତେବେଳେ ।
ହେଇତ ! ସେ ମଧ୍ୟ ଆସିଛି ।ଫର୍ଜାନା ଆଗପଛ ନଭାବି କୁଦିଗଲା ତା ସାମନାକୁ । ଆଖି ଦୁଇଟା ଜଳୁଥାଏ । କେହି କିଛି ଜାଣିବା ପୂର୍ବରୁ ସେ କଣ୍ଟ୍ରାକ୍ଟର ଛାତିରେ ଵସାଇଦେଲା ଗୋଟାଏ ଶକ୍ତ ଘୁସି ଓ ଗଳା ଫାଡି଼ ଚିତ୍କାର କଲା ,
- ସା* ,ବୋଲ କହାଁ ହୈ ମେରା ରମଜାନ ?
ମହିଳା ପୋଲିସ ମାନେ ତାକୁ କାବୁ କରି ଧରିନେଲେ , ତା ପାଟିକୁ ଚାପି ଧରିଲେ ।
ସମସ୍ତଙ୍କ ମୁହଁରେ ଚାପା ଗୁଞ୍ଜରଣ !
- ବାୱଲି ହୋ ଗଈ ହୈ !
ମଲ୍ଲିକା ଚାଚି ଓ ଅନ୍ୟମାନେ ତାକୁ ନେଇଆସିଲେ ସେଠାରୁ । ତାକୁ ସାଷ୍ଟମ କରିବାକୁ ଚେଷ୍ଟା କଲେ । ତାକୁ ବୁଝାଇଲେ ।
- ପଗଲି , ରମଜାନକୋ ଭୂଲ ଯା । ୟେ ସବ ତୋ ୟହାଁ ହୋତେ ରହତା ହୈ । ଯ୍ୟାଦା ଚୁଁ ଚପଡ଼ କରନେ ସେ ୟେ ଲୋଗ ତେରେ ବଚ୍ଚୋଁ କୋ ଭି କୀଡେ଼ ମକୋଡୋଁ କି ତରହ ମସଲ ଦେଙ୍ଗେ । ବସ୍ ଥୋଡ଼। ରୋ ଲେ ପଗଲି । ୟେ ଲୋଗ ହୈଵାନ ହୈଁ , ଭେଡିଏ ହୈଁ ।
ଧୀରେ ଧୀରେ ସେ ଧୈର୍ଯ୍ୟ ଧରିଲା । ଛୁଆଙ୍କ ମୁହଁକୁ ଅନାଇଲା । ସେମାନଙ୍କୁ ତ ପୁଣି ଆଦମୀ ବନେଇ ଦୁନିଆରେ ଠିଆ କରେଇବ ।
ଥରେ ଥରେ ଭାବେ , ପିଲାଙ୍କୁ ନେଇ ଭଦ୍ରଖ ପଳାଇବ । କିନ୍ତୁ ରମଜାନ ବିନା ସେ ସେଠାରେ କି ମୁହଁ ଦେଖେଇବ । ତାର ଶରୀର ମନ ଶୀହରି ଉଠେ ।
ଏବେ ମେଶିନ ଭଳି ସେ କାମ କରି ଚାଲେ । ଜିଅନ୍ତା ଲାଶ୍ ପାଲଟି ଯାଇଥାଏ । ଭୋକ ନଥାଇ ଖାଏ ,ନିଦ ନଥାଇ ଶୁଏ । ଖୋଲା ଆଖିରେ ବି କିଛି ଦେଖି ପାରେନା । କାନରେ କୌଣସି ଶବ୍ଦ ବାଜେନା । ପାଟିରୁ ଶବ୍ଦ ବାହାରେନା । ବାସ୍ ,ସିଏ କାମ କରେ ,ପଇସା ନିଏ , ପିଲାଙ୍କ ମୁହଁରେ ଆଧାର ଦିଏ ।
ଭିତରେ କୁହୁଳୁଥାଏ ରମଜାନର ୟାଦର ଚିଙ୍ଗାରି । ମନ ଭିତରେ ହାତୁଡି଼ ମାରୁଥାଏ କେତୋଟି ଶବ୍ଦ ।
ରାମାନୁଜ , ରମଜାନ , ପତ୍ଥରବାଜ , କାଶ୍ମୀର
ଦିନେ କାମରୁ ହଠାତ ଦଉଡି ପଳାଏ ଉତ୍କ୍ଷିପ୍ତ ହୋଇ , ସାନ ଛୁଆ ଦୁଇଟିକୁ ସେମିତି ରାସ୍ତା କଡ଼ରେ ଛାଡ଼ି । ସାଥି ମଜଦୂର ଜଣେ ମଲ୍ଲିକା ଚାଚିକୁ ଖଵର କରେ ପିଲାଙ୍କୁ ତା ଜିମାରେ ଦେଇ ।
ମଲ୍ଲିକା ଚାଚି ଲୋକ ଲଗାଇ ଦିଏ । ଶେଷରେ ଫର୍ଜାନା ମିଳେ ଗୋଟିଏ ପୋଲିସ ଥାନାରେ । କୌଣସି ମତେ କୁହାବୋଲା କରି ମଲ୍ଲିକା ଚାଚି ତାକୁ ମୁକୁଳେଇ ନେଇ ଆସେ । ଥାନା ବାହାରେ ଲମ୍ବା ଗାଡ଼ିରେ ସେହି କଣ୍ଟ୍ରାକ୍ଟର । ମଲ୍ଲିକାର ହାତ ଗୋଡ଼ ପାଣି ହୋଇଯାଏ ।
ଗୁପ୍ତ ସୂତ୍ରରୁ ସେ ଜାଣି ସାରିଥାଏ ଯେ ରମଜାନକୁ କାଶ୍ମୀର ପଠାଇଥିଲା ଏଇ , ଷଡ଼ଯନ୍ତ୍ର ଚଳାଇ, ରାଜନୀତିରେ ନିଜର ଉଲ୍ଲୁ ସିଧା କରିବା ପାଇଁ । କାଲୁ ଓ ରମଜାନ ପୋଲିସ ଗୁଳିରେ ମଲେ ନା ଆତଙ୍କବାଦୀର ଶୀକାର ହେଲେ ଜଣା ନାହିଁ ।
ମଲ୍ଲିକା ଚାଚି ଫର୍ଜାନାକୁ ନେଇ ଆସି ବୁଝାଉଥିଲା , ରମଜାନକୁ ଭୂଲିବା ପାଇଁ । ସେହି ଲମ୍ବା ଗାଡ଼ିଟା ଆସି ହଠାତ ବ୍ରେକ ଦେଲା ଠିକ ଫର୍ଜାନା ପୁଅର ଦେହକୁ ଘସି । ଆର୍ତ୍ତନାଦ କରି ଉଠେଇ ସମସ୍ତେ ।
ଗାଡ଼ି ଭିତରୁ କଣ୍ଟ୍ରାକ୍ଟର ବାହାରି ଆସି ତା ପୁଅର ଖୁଆ ଧରି ସିଧା ଠିଆ ହେଲା ଫର୍ଜାନା ସାମନାରେ ଓ ଫୋପାଡ଼ି ଦେଲା ପୁରୁଷୋତ୍ତମ ଗାଡ଼ିର ରିଜର୍ବେସନ ଟିକଟ ଦୁଇଟା ଓ ଗୋଟାଏ ନୋଟ ଗଡି । ଆଙ୍ଗୁଠିରେ ଇସାରା କଲା ଏସବୁ ନେଇ ଚୁପଚାପ ଚାଲିଯିବା ପାଇଁ । ପୁଅକୁ ଅତି ବେରହମିରେ ପେଲିଦେଲା ଫର୍ଜାନା ଉପରକୁ ।
ଫର୍ଜାନାର କାନରେ ବାଜୁଥିଲା ହଜାର ହଜାର ରେଳଗାଡି଼ର ସମ୍ମିଳିତ ସିଟି ............. ,