The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Jyotiranjan Sahu

Tragedy Inspirational

3  

Jyotiranjan Sahu

Tragedy Inspirational

କାଳୀ

କାଳୀ

3 mins
363



ଦିନେ ଏକ ସୁନ୍ଦର ସକାଳରେ ପ୍ରାତଃଭ୍ରମଣ ରୁ ଫେରୁଥିବା ସମୟରେ ମାଈ କୁକୁର ଟିଏ ମୋ ପଛେପଛେ କାହିଁକି କେଜାଣି ମୋ ଘର ପର୍ଯନ୍ତ ଚାଲିଆସିଲା।କ୍ଷୁଧାତୁର ତାର କରୁଣ ଚାହାଁଣିରେ ସେ ମୋତେ ବଶୀଭୁତ କରି ବିବଶ କଲା ରୁଟି ଦୁଇ ପଟ ଦେବାପାଇଁ । ରୁଟି ଦୁଇପଟ ମହାଆନନ୍ଦରେ ଖାଇଦେଇ ତାର ଦୁର୍ବଳ ଲାଙ୍ଗୁଡ ଟିକୁ ହଲାଇ ହଲାଇ ମୋ ଦୃଶ୍ୟପଟ୍ଟରୁ ଅଦୃଶ୍ୟ ହୋଇଗଲା ।ପରଦିନ ପୁଣି ଏହି ଘଟଣାର ପୁନୋରାବୃତ୍ତି ହେଲା।ଏହିପରି କଟିଗଲା କିଛିମାସ । ସମୟର ବିବର୍ତ୍ତନରେ କେଉଁ ଏକ ଅଜଣା ଡୋରିରେ ବାନ୍ଧିହୋଇଗଲୁ ଆମେଦୁଇ ଜଣ । ମୋ ପୁଅ ବିଟୁ ତା ନାଁ ଦେଇଥିଲା କାଳୀ ।ବୋଧହୁଏ ତାର କଳାରଂଗ ପାଇଁ । କାଳୀ ପାଇଁ ବିଟୁ ଆଖିରେ ଦେଖିଛି ମୁଁ ଅନାବିଳ ମମତା । ଆଦ୍ୟ ଶୈଶବରେ ବୋଧହୁଏ ଏହା ଥିଲା ବିଟୁପାଇଁ ପ୍ରଥମ ଶିକ୍ଷା । ଗୋଟିଏ ଦିନ ଖରାବେଳେ ବିଟୁ ଚୁପ୍ଚାପ୍ ଆସି ମୋ କାନ ପାଖରେ ଧିରେ କହିଲା" ବାବା କାଳୀ ର ୫ଟା କୁନୁ ବେବି ଅଛି " । ମୁଁ ତୁରନ୍ତ ବାହାରକୁ ଆସି ଦେଖିଲି କାଳୀ ପାଇଛି ମାତୃତ୍ବର ସ୍ପର୍ଶ । ରାସ୍ତା କଡ ନାଳପାଖ ଏକ ହୋମପାଇପ ହୋଇଛି ତାର ଆଶ୍ରୟସ୍ଥଳୀ । କିଛି ସମୟ ମଧ୍ୟରେ ମୁଁ ଅନୁଭବ କଲି କାଳୀ କ୍ଷୁଧାରେ ଆତୁର କିନ୍ତୁ ମାତୃହୃଦୟ ତାକୁ ବାରଣ କରୁଛି ଛାଡିଯିବାପାଇଁ । ମୁଁ ତୁରନ୍ତ କିଛି ଖାଦ୍ୟ ନେଇ ଦେଲି ତା ପାଖରେ ।ମହାଆନନ୍ଦରେ ସେତକ ଖାଇ ପୁଣି ଚାଲିଗଲା ତା ପିଲାମାନଙ୍କ ପାଖକୁ। ବିଟୁ ପାଇଁ ସତେ ମିଳିଯାଇଥିଲା ଜୀବନ୍ତ କଣ୍ଢେଇ ସବୁ । ଏହିପରି ଚାଲିଗଲା କିଛିଦିନ।


ସେଦିନ ମୁଁ ଅଫିସରେ କାର୍ଯବ୍ୟସ୍ତ ଥାଏ। ହଠାତ୍..... ଫୋନ ଆସିଲା ବିଟୁର ଏକ୍ସିଡେଣ୍ଟ ହୋଇଯାଇଛି ।ଅବସ୍ଥା ଶୋଚନୀୟ । ଏହା ଶୁଣି ମୋ ମୁଣ୍ଡରେ ଯେପରି ବଜ୍ରପାତ ହେଲା । ପିତୃପ୍ରାଣ ମୋର ବ୍ୟାକୁଳ ହୋଇଉଠିଲା । ଚିତ୍କାର କରି କାନ୍ଦିବାକୁ ଇଚ୍ଛା କରୁଥିବା ପିତୃତ୍ବଟା ସେଦିନ ପୌରୁଷର ଶିକୁଳିରେ ସତେଅବା ବନ୍ଧାପଡିଗଲା । ବ୍ୟସ୍ତବିବ୍ରତ ଆଉ ଆଶଙ୍କା ଭିତରେ ଘରେ ପହଞ୍ଚି ଜାଣିଲି କୌଣସି ଏକ ଅଜଣା ବାଇକ୍ ଧକ୍କାରେ ବିଟୁର ଅବସ୍ଥା ସଂକଟାପର୍ଣ୍ଣ । ଖରାବେଳର ନିର୍ଜନତାର ସୁଯୋଗ ନେଇ ରାସ୍ତା ଉପରେ ନିରୀହ ପିଲାଟିକୁ ଧକ୍କାଦେଇ ସଂକଟାପର୍ଣ୍ଣ ଅବସ୍ଥାରେ ଛାଡି ଦେଇଗଲାପରେ ମଧ୍ୟ ସେ ପାଲଟିଯାଇଥାଏ ନିର୍ଦୋଷ । ଲାଗୁଥିଲା ସତେବା ମାନବିକତା ପାଲଟିଯାଇଛି ଅଭିଧାନର ଏକ ଶବ୍ଦ ମାତ୍ର । କାଳୀର କରାଳ ଶବ୍ଦରୁ ଘରଲୋକେ ଘଟଣା ବିଷୟରେ ଅବଗତ ହେଲେ। ଆଉ କାଳବିଳମ୍ବ ନକରି ମୁଁ ବିଟୁକୁ ନେଇ ଛୁଟିଗଲି ଡାକ୍ତରଖାନା।ଦୀର୍ଘ ଏକ ମାସର ଚିକିତ୍ସା ପରେ ବିଟୁ ହେଲା ବିପଦମୁକ୍ତ । ସଂପୂର୍ଣ୍ଣ ଏକ ମାସପରେ ଆମର ଘରକୁ ପ୍ରତ୍ୟାବର୍ତ୍ତନ ହେଲା। ଚିରାଚରିତ ଅଭ୍ୟାସପରି ମୁଁ ପରଦିନ ବାହାରିଲି ପ୍ରତଃଭ୍ରମଣରେ। କାହିଁକି କେଜାଣି ମୋ ମନ ବିବ୍ରତ ଥିଲାପରି ଲାଗୁଥିଲା । କିନ୍ତୁ ଏ କଣ ! କାଳୀର ରହଣି ସ୍ଥାନଟା ଏପରି ଶୂନ୍ଯ ! ସେ ଶୂନ୍ୟତା ମୋ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା ।


           ମନରେ ଅନେକ ପ୍ରଶ୍ନକୁ ସାଁଉଟି ମୁଁ ପାଦ ବଢାଇଲି ପାର୍କ ଆଡକୁ । ଭାବୁଥାଏ କୁକୁରଟା ତ ବୋଧହୁଏ ଚାଲିଯାଇଥିବ । ପାର୍କରେ ପହଞ୍ଚିବା କ୍ଷଣି ବନ୍ଧୁମାନେ ଘେରିଯାଇ ବିଟୁର ଅବସ୍ଥା କଥା ପଚାରିଲେ।ନିଜନିଜର ମତାମତ ଉପସ୍ଥାପନ କଲେ । ଏହା ଭିତରେ ଜଣେ ବନ୍ଧୁ ମୋତେ କହିଲେ"ଜାଣିଛୁ ତୁ ଡାକ୍ତରଖାନା ଗଲାପରେ ସେଇ କାଳୀ କାହାରିକୁ ସେ ରାସ୍ତାରେ ଆଉ ଯିବାକୁ ଦେଲାନାହିଁ । ରାତି ତ ଦୂରର କଥା ଦିନରେ ମଧ୍ୟ ସେ ରାସ୍ତାରେ ଯିବା ଅସମ୍ଭବ ହୋଇପଡିଲା । ଦୁର୍ଭାଗ୍ୟକୁ ଯଦି ବାଇକ ବାଲା ତୋ ଘର ଦେଇଗଲା ତା ଭାଗ୍ୟ ଖରାପ ବୋଲି ଜାଣ । କୌଣସି ବାଇକ ବାଲା ଆଉ ସେବାଟ ଦେଇ ଯିବାକୁ ନିରାପଦ ମଣିଲେ ନାହିଁ ।ବାଧ୍ୟହୋଇ ମ୍ୟୁନିସିପାଲଟିରେ ଅଭିଯୋଗ କରିବାରୁ ବହୁ କଷ୍ଟରେ କାଳୀକୁ ବିଷ ଦେଇମାରିଲେ । ଏବେ ଯାଇ ଟିକିଏ ଶାନ୍ତି" । ତାଙ୍କ ମୁହଁରୁ ଏତିକି ଶୁଣି ମୋ ହୃଦୟରେ ଖେଳିଗଲା ଏକ ଅଶାନ୍ତ ଝଡ । ବିଚଳିତ ମୋ ମନରେ ଖେଳିଗଲା ବିଦ୍ରୋହର ନିଁଆ । ସେଦିନ ପିତୃତ୍ବକୁ ପୌରୁଷର ଶିକୁଳି ବାନ୍ଧିପକାଇବା ପରି ଆଜି ମାନବିକତାକୁ କଥାକଥିତ ଭଦ୍ରମୁଖା ପିନ୍ଧା ସମାଜ ବାନ୍ଧିରଖିଥିଲା । ଆଖିରେ ନାଚିଯାଉଥିଲା କାଳୀ ଓ ତାର ନିଷ୍ପାପ ଶିଶୁ ଆଉ ତାଙ୍କ ସହ ମୋ ବିଟୁର ଅନାବିଳ ସ୍ନେହ । ଲାଗୁଥିଲା ଚତୁର୍ଦିଗ ଅନ୍ଧକାରମୟ । ଆଉ ମୋ ଅଜାଣତରେ କେତେବେଳେ ଅଶ୍ରୁର ଦୁଇଧାରା ମୋ ନେତ୍ରକୋଣ ଦେଇ ବହିଚାଲିଗଲା ଅଭିମାନ ଭରା ଉପମା ଦେଇ ।

 (ସମାପ୍ତ)



Rate this content
Log in

More oriya story from Jyotiranjan Sahu

Similar oriya story from Tragedy