STORYMIRROR

Kabiratna Nutan Kumar Behera

Tragedy

3  

Kabiratna Nutan Kumar Behera

Tragedy

କାଳବୈଶାଖୀ

କାଳବୈଶାଖୀ

4 mins
29

  ଯେଉଁ ପବନ ଟିକକ ନାକରେ ଯାଆ ଆସ କରୁଛି ସେ ତ ପ୍ରାଣବାୟୁ... ଜୀବନକୁ ଜିଆଁଇ ରଖିଛି। ପିଣ୍ଡରେ ପ୍ରାଣ ସଞ୍ଚାର କରି ...ତାର ଗତି ହେଲେ ଖର ଲାଗେ ହନ୍ତସନ୍ତ। ଶ୍ଵାସ ପ୍ରଶ୍ଵାସରେ ଦେଖା ଦିଏ ସଂକଟ। ଦେହକୁ ଛାଡ଼ି ବାହାରେ ସେ ପବନ ବୋହିଲେ ଜୋର ମାଡ଼ି ଆସେ ଝଡ଼ ତୋଫାନ...ଖେଳିଯାଏ ଆତଙ୍କ। ଜୀବନ ବଞ୍ଚାଇବାକୁ ଖୋଜା ହୁଏ ଅଭୟ ଆଶ୍ରୟସ୍ଥଳ।

  ସତରେ ଜୀବନଟା ଭାରି ଦୁ଼ଃଖଦ। ଚାପି ରଖିଥାଏ ମୁଣ୍ଡକୁ...ସିଧା ଉପର କରି ଚାଲିବା ହୁଏ କଷ୍ଟ। ସେ ଦିନ ସକାଳୁ ସିନ୍ଦୂରା ଫଟାଇ ଉଇଁ ଆସିଥିଲା ସୂରୁଜ...ବିଞ୍ଚି ଦେଇ ତାର ସୁନେଲି ମୁରୁଜ। ଚାରିଆଡେ ଖେଳୁଥିଲା ଆଲୁଅର ପର୍ବ। ଚଳ ଚଞ୍ଚଳ ହୋଇ ଯିଏ ଯାହାର କାମ ଧନ୍ଦାରେ ଥିଲେ ବ୍ୟସ୍ତ। ମଧ୍ୟାହ୍ନ ଢଳିଛି କି ନାହିଁ...କୁଆଡୁ ମାଡ଼ି ଆସିଲା ବୈଶାଖୀ ଝଡ଼... କୁଆପଥର ସହିତ ପ୍ରବଳ ବର୍ଷା ଆଉ ପ୍ରଖର ପବନ... ଘୂର୍ଣ୍ଣିବାତ୍ୟାର ରୂପ ନେଇ। ଅପ୍ରସ୍ତୁତ ଇତସ୍ତତଃ ହୋଇ ଯିଏ ଯେଉଁଠି ଥିଲେ ନିଜ ନିଜର ପ୍ରାଣ ବଞ୍ଚାଇବାକୁ ଏଣେ ତେଣେ ଛପି ରହିଲେ। ବିଜୁଳି ଘଡ଼ଘଡ଼ିରେ

ଆକାଶଟା ଭାଙ୍ଗି ପଡୁଥିଲା ଯେମିତି ଫାଳ ଫାଳ। ରାସ୍ତାଘାଟରେ ପବନ ବର୍ଷାର ଚାଲିଥିଲା ତାଣ୍ଡବ।

   କଲେଜରୁ କ୍ଲାସ୍ ସାରି ଫେରୁଥିଲା ଝିଅଟି । ଅଚାନକ ବର୍ଷା ଆଉ ଝଡ଼ର ସୂଚନା ପାଇ ଏଣେ ତେଣେ ଚାହୁଁଥାଏ... କେଉଁଠି ରହିବ ?

   କଲେଜରୁ ଦି କିଲୋମିଟର ବାଟ ତା ଘରକୁ। ଏଇ ବାଟରେ ଯିବା ଆସିବା କରେ ନିତି ସେ ତା' ସ୍କୁଟିରେ। ବାଟ ଯାକ ଏପଟ ସେପଟ ପକ୍କା କୋଠା ଘର ଦୋକାନ ସବୁ। ଘରକୁ ପହଞ୍ଚିବାର ଅଧ କିଲୋମିଟର ନିଛାଟିଆ। ପଡିଆ ଆଉ ଡାହି ଡୁଙ୍ଗୁରି ଦି ପଟ। ସେ ପାଖରେ ଏକ ପୁରୁଣା ସରକାରୀ ଘରଟିଏ ହୋଇଛି। ସେ ସଠିକ୍ ଜାଣେନି କି ଘର। କାଁ ଭାଁ ଜଣେ ଦି ଜଣ କେବେ କେମିତି ବସିଥାନ୍ତି ସେ ଦେଖିଛି କଲେଜ୍ ଗଲାବେଳେ। ସେଇ ଘରର ପିଣ୍ଡାରେ କେହି ନଥିଲେ। ସେ ତା' ସ୍କୁଟି ଷ୍ଟାର୍ଟ୍ ବନ୍ଦ କରି ଅଟକି ରହିଲା। ସଙ୍ଗେ ସଙ୍ଗେ ବର୍ଷା ପବନ ବି ଆରମ୍ଭ ହୋଇଗଲା। ଧୂଳି ଝଡ଼ରେ ଶୁଖିଲା ପତ୍ର ସବୁ ଉଡ଼ି ଆସିଲା। ସେ ତା' ମୁହଁକୁ ଘୋଡାଇ ପକାଇଲା କାନ୍ଧରେ ପକାଥିବା ଉତ୍ତରୀ ମେଲି। 

  ଚାହିଁ ସେ ଦେଖିଲା ଘର ଭିତରକୁ। କବାଟ ଫାଳେ ପିଟି ହେଉଥିଲା ଢଂ ଢାଂଙ୍ଗ୍ ଶବ୍ଦ କରି। ଟିଣରେ ଓଲ୍ଡିଂ କବାଟ। ଯା' ଦେଖିଲା ଭୟରେ ତାର କଲିଜା ଥରି ଉଠିଲା। ପ୍ରମାଦ ଗଣିଲା ମନେ ମନେ। ଭିତରେ ଦି ଜଣ ଯୁବକ...ମଦ ପିଉ ଥାନ୍ତି। ମଦର ଗନ୍ଧ ତା ନାକରେ ବାଜିଲା। ସେମାନେ ନମ୍ର କି ଭଦ୍ର ପରି ଜଣା ପଡୁ ନ ଥିଲେ। ସେଠାରେ ରହିବା ଯେ ବିପଦକୁ ଆମନ୍ତ୍ରଣ କରିବା। ବରଂ ବର୍ଷାରେ ଭିଜୁ.. କୌଣସି ପ୍ରକାରେ ସେଠାରୁ ପଳେଇ ଯିବାକୁ ସେ ବ୍ୟସ୍ତ ହୋଇ ପଡିଲା। ସ୍କୁଟି ଷ୍ଟାଟ୍ କରୁ କରୁ ସେ ଦି ଜଣ ଦୌଡ଼ି ଆସି ସେ ଝିଅଟିକୁ ଧରି ଘୋଷାରି ନେଲେ ଭିତରକୁ...ନିରୀହା ହରଣୀଟି ପଡ଼ିଗଲା କି ହିଂସ୍ର ବାଘ ହାବୁଡ଼ରେ...ମୁକୁଳିବାକୁ ସତ ଚେଷ୍ଟା କରି ପାରୁ ନଥାଏ ମୁକୁଳି।କ'ଣ କରିବ ନ କରିବ ସେ ଭାବି ପାରିଲା ନାହିଁ। ବାଧ୍ୟ ହୋଇ କାମୁଡି ପକାଇଲା ଜଣକର ହାତ, ସେ ଛାଡ଼ି ଦେବାରୁ ତାକୁ ଆଉ ଜଣକୁ ଗୋଇଁଠା ମାରି ମୁକୁଳି ଆସିଲା, ସେ ଦୁହେଁ ତାକୁ ପୁଣି ଧରିବା ପୂର୍ବରୁ ସେଇଠି ଏକ କାଠ ଫାଳିଆ ପଡିଥିଲା। ସେ କାଠ ଫାଳିଆଟିକୁ ଶକ୍ତ ଭାବରେ ଧରି ପକାଇ ଥାଏ ସେତେବେଳକୁ ସେ ଝିଅଟା। ଦୁଇଜଣ ଥିଲେ ପୁରା ମାତାଲ୍, ରାଗରେ ସେ ଛେଚି ପକାଇଲା ଦୁହିଁଙ୍କୁ ଖୁବ୍ ଜୋର୍। ମୁଣ୍ଡ ପିଠି କାନ୍ଧ ଯେଉଁଠି ବାଜୁ। ସେ କାଠ ଫାଳିଆର ମାଡ଼ ଖାଇ ଦୁହେଁ ଟଳମଳ ହୋଇ ଲୋଟି ପଡ଼ିଲେ ରକ୍ତାକ୍ତ ହୋଇ। ଯେମିତି ସେମାନେ ଗଡ଼ି ପଡିଲେ ଝିଅଟା ବଞ୍ଚି ସେଠୁ ପଳେଇ ଆସିଲା ଘରକୁ ତା' ସ୍କୁଟି ଚଲେଇ ସେଇ ଧୁମ୍ ବର୍ଷା ଝଡ଼ରେ। ସେମାନେ ମଲେ କି ବଞ୍ଚିଲେ ଦେଖିବାକୁ ବେଳ ନ ଥିଲା ତା' ପାଖରେ। 

  ଘରେ ପହଞ୍ଚିଲା ବେଳକୁ ଭିଜି ସାରିଥିବା ସେ ସମ୍ପୂର୍ଣ୍ଣ ଭାବରେ। ବୋଉ ତା'ର ଏ ଅବସ୍ଥା ଦେଖ ରାଗ ଗରଗର ହୋଇ କହୁଥାଏ ...ଆଲୋ ହେ ଝାନ୍ସି... ଏ ଭୟଙ୍କର ଝଡ଼ ବର୍ଷା ପୁଣି ଏତେ ବିଜୁଳି ଘଡ଼ଘଡ଼ିରେସ ଭିଜି ଭିଜି ଆସୁଛୁ।

  ସ୍କୁଟି ବାରଣ୍ଡାକୁ ଉଠାଇ ଷ୍ଟାଣ୍ଡ୍ କରୁ କରୁ ...ହଁ, କହି ଉତ୍ତର ଦେଲା ଝାନ୍ସି ତା' ବୋଉକୁ ଆଉ ପଶିଗଲା ଘର ଭିତରକୁ...

  ଝାନ୍ସିର ବୋଉ କିଛି ନ ବୁଝି ଏକ ଜିଜ୍ଞାସା ଚାହାଣିରେ ତା'ର ପଛେ ପଛେ ଗଲେ। ସେତେ ବେଳକୁ ସେ ଓଦା ସରସର ତା' ଦେହ ସାରା ପୋଛି ହେଉଥାଏ। ବୋଉ ପୁଣି ପଚାରିଲା...କ'ଣ ହୋଇଛି କହ.. ମୋ ଛାତି ଥରୁଛି। ଏମିତି ଭାବରେ ତୁ ଆସୁଛୁ। ଏ ରୂପ ତୋର ତ କେବେ ଦେଖିନି। କ'ଣ ହୋଇଛି କହ ମୋତେ...

  ଆଲୋ ବୋଉ...ତୋତେ ନ କହିବି ତ କାହାକୁ କହିବି ? ଟିକିଏ ଧୈର୍ଯ୍ୟ ଧର। ନାଁ ଦେଇଛୁ ଝାନ୍ସି... ଆଜି ଜୀବନ ଯୁଦ୍ଧ ମୁଁ ଜିତି ଆସିଛି।

   ବଲବଲ କରି ବୋଉ ଚାହିଁ ଥାଏ ଝିଅ ଝାନ୍ସିର ମୁହଁକୁ। 

 ଝାନ୍ସି ପୋଷାକ ବଦଳାଇ ତା' ବୋଉ ପାଖରେ ଆସି ବସିଲା। ଯା'ଯା' ସବୁ ଘଟିଥିଲା ସବୁ ଟିକିନିଖି କହିଲା। ବୋଉ...ତୁ କ'ଣ ପାଇଁ କାହିଁକି ମୋତେ ଏ ଝାନ୍ସି ନାଆଁ ଦେଇଛୁ ମୁଁ ଜାଣେନା... ବୋଧହୁଏ ସେଇ ନାଆଁର ପ୍ରେରଣାରେ ସାହସ ବାନ୍ଧି ଆଜି ବଞ୍ଚି ଆସିଛି ତୋ କୋଳକୁ...ଏକ କାଳ ବୈଶାଖୀକୁ ସାମ୍ନା କରି।

  ବୋଉ ତା' ଝିଅ ଝାନ୍ସିର ସାହସ ଆଉ ଜୁଝିଲାପଣକୁ ଜାଣି ମନେ ମନେ ପ୍ରଣାମ କଲା ଭଗବାନଙ୍କୁ ଧନ୍ୟବାଦ ଦେଇ। ଝିଅ ତାର ଭଲରେ ଭଲରେ ଫେରି ଆସିଛି ମରଣ ମୁହଁରୁ... ଜୀବନର କାଳ ବୈଶାଖୀ କବଳରୁ।

ତଥାପି ବାତ୍ସଲ୍ୟ ମମତା ତାର ଧୈର୍ଯ୍ୟର ପାହାଡ଼ ଭାଙ୍ଗି ଝରଣା ପରି ଝରି ଆସୁଥିଲା ଅମାନିଆଁ ଆଖି ଲୁହ...ଦୁଇ ପତାର ଧାରେ ଧାରେ...ଦୁଃଖରେ ନୁହେଁ...ଆନନ୍ଦରେ ଏକ ସୁନ୍ଦର ସମ୍ଭାବନାକୁ ସାମ୍ନାରେ ଦେଖିବାକୁ...

  ଝାନ୍ସି ଭାବୁଥିଲା...ସେ ଦୁହିଁଙ୍କୁ ଯଦି ମାରୁ ମାରୁ ମରି ଯାଇଥାନ୍ତେ କ'ଣ ହୁଅନ୍ତା ତାର ଭବିଷ୍ୟତ...ଆଉ ଯଦି ସେ ମୁକୁଳି ନ ଆସି ତାଙ୍କର ଶିକାର ହୋଇଥାନ୍ତା... ଆଗକୁ ଆଉ ଭାବି ପାରିଲା ନାହିଁ ସେ...ଏକ ଅଚାନକ କାଳ ବୈଶାଖୀ ଆସି ତା' ଜୀବନକୁ ବିଗାଡି ଦେବା ଆଗରୁ ସେ ସଜାଡ଼ି ରଖିପାରିଛି ନିଜକୁ...ତା' ହିଁ ତା'ର ଜୀବନର ମାଇଲଖୁଣ୍ଟ ହୋଇ ଆଗକୁ ବାଟ ଚାଲିବାକୁ ଦିଗଦର୍ଶକ ହୋଇ ରହିବ। ପୁନଃଶ୍ଚ କେବେ ଯଦି ମାଡ଼ି ଆସେ କାଳ ବୈଶାଖୀ...। 



Rate this content
Log in

Similar oriya story from Tragedy