କାହାଣୀ ଏକ ରାତିର
କାହାଣୀ ଏକ ରାତିର
ଭାଇମାନେ ତୁମେମାନେ ମୋତେ ଟିକେ ସାହାଯ୍ଯକରି ପାରିବ କି? ଆଜି ରାତିରେ ମୋର ଗାଁଆ ମଶାଣିରେ ଟିକେ ଜରୁରି କାମଅଛି। ରାତି ବାରଟା ବେଳକୁ ସେଠାକୁ ଯିବାକୁ ହେବ। ଯଦି ମୋ କାମ ହୋଇଗଲା ତୁମେମାନେ ଯାହା ମାଗିବ ଦେବି। ସମସ୍ତଙ୍କ ଉଦ୍ଦେଶ୍ଯ କହିଲା ଗଗନ।
ଗଗନ କଥାଶୁଣି ସାଙ୍ଗମାନେ ହସିହସି ଗଡିଗଲେ। ଜଣେ କହିଲା ଆରେ ସାଙ୍ଗ ବେଶି ପାଠପଢି ତୋ ମୁଣ୍ଡ ବୋଧେ ଖରାପ ହୋଇଗଲାଣି। ତୋତେ ଅନ୍ଯ କିଛି ବୁଦ୍ଧି ଜୁଟିଲାନି ଯେ ମଶାଣି ଯିବା କଥା କହୁଛୁ। ଭୁତୁଣୀ ପ୍ରେମିକା ଖୋଜୁଛୁ ନା କଣ? ଅନ୍ଯ ସାଙ୍ଗମାନେ ହୋଃ ହୋଃ ହୋଇ ହସି ଉଠିଲେ ଓ ଗଗନ ମନମାରି ବସିରହିଲା। ପିଲାଦିନରୁ ଗଗନ ସହ ଅତି ଘନିଷ୍ଠ ଭାବରେ ମିଶୁଥିବା ରାମକୁ ଅନ୍ଯ ସାଙ୍ଗ ମାନଙ୍କର ବ୍ଯବହାର ଆଦୌ ଭଲ ଲାଗିଲାନି। ସେ ଚିଡିଉଠି କହିଲା - - ଆରେ ତୁମେମାନେ ତ ଗାଁଆରେ ରହିଲ, ଦୁନିଆ ବିଷୟରେ କଣ ଜାଣିଛ କହିଲ ଭଲା। ଗଗନ ସହରରେ ପଢୁଛି। କେତେଲୋକଙ୍କ ସହ ମିଶୁଛି,କେତେ ବହି ପଢୁଛି ଓ କାହିଁକେତେ ଜାଗାରେ ବୁଲାବୁଲି ବି କରିଛି। ସେ ବେଶି ଜାଣିଛି ନା ତୁମେ ଜାଣିଛ? ତୁମେ ତ ସକାଳୁ ସଞ୍ଜଯାଏଁ ମନ୍ଦିର ବେଢାରେ ତାସ୍ ବାଡେଇବ, ଆଉ ଜାଣିବ ଲେମ୍ବୁ ଟା। ସେ ଯଦି କିଛି କହୁଛି ତା ପଛରେ କିଛି କାରଣ ଥିବ। କଥା ଟା ଭଲରେ ନ ଶୁଣି ଟାହିଟାପରା କରି ଉଡେଇ ଦେଇ କି ଖୁସି ପାଉଛ କେଜାଣି। ଏତେ ଦିନପରେ ସହରରୁ ଫେରି ସିଧା ଆମ ପାଖକୁ ଦେଖା କରିବାକୁ ଦୌଡିଛି କିନ୍ତୁ ତୁମେ ସବୁ ତା ସହ ଏମିତି ବ୍ଯବହାର କରୁଛ? ଲଜ୍ଜା ଲାଗୁନି ତୁମ ମାନଙ୍କୁ। ତୁ ମୋତେ କହ ଗଗନ ଯାହା କହିବାକୁ ଚାହୁଁଛୁ, ଏ ନିମକହାରାମ ମାନଙ୍କୁ କିଛି କହିବା ଦରକାର ନାହିଁ।
ରାମର ଯୁକ୍ତି ବଳିଷ୍ଠ ଥିଲା। ତେଣୁ ଅନ୍ଯ ପିଲାମାନେ ଗଗନ ପାଖକୁ ଲାଗି ଆସି କହିଲେ- - ଭୁଲ୍ ବୁଝିିବୁନି ସାଙ୍ଗ, ଏତେ ଦିନପରେ ତୋତେ ଦେଖିଲୁ ବୋଲି ଟିକେ ଖୁସି ଗମାତ କରିଦେଲୁ। ଆମ କଥା ମନକୁ ନ ନେଇ ମଞ୍ଜିକଥାଟା କହ। ଏଥର ଗଳାଝାଡି ଗଗନ କହିବା ଆରମ୍ଭ କଲା।
- - -ଦେଖ ଭାଇମାନେ, ଭୂତପ୍ରେତ କଥା ଶୁଣିବା ମାତ୍ରେ ତୁମେ ସବୁ ମୋ ସହ ଟାହିଟାପରା ଆରମ୍ଭ କରିଦେଲ। କିନ୍ତୁ ଗୋଟେ କଥା ଜାଣିରଖ, ଭୂତମାନେ ସଦାବେଳେ ଆମ ଚାରି ପାଖରେ ଥାଆନ୍ତି। ସେମାନଙ୍କୁ ଆମେ ଦେଖିପାରୁନେ ବୋଲି ବିଶ୍ବାସ କରୁନେ। ତୁମମାନେ ତ ଜାଣିଛ ପିଲାଦିନରୁ ମୋର ଭୂତମାନଙ୍କ ପ୍ରତି କେତେ ଦୁର୍ବଳତା ଅଛି। ଆମ କଲେଜର ଜଣେ ପିଲା ର ଏ ବିଷୟରେ ବହୁତ ଅଧିକ ଜ୍ଞାନଅଛି। ଦେଶବିଦେଶର ଅନେକ ଭୂତକଥା ସେ ମୋତେ ସବୁଦେଳେ କୁହେ ଓ ସତସତିକା ଭୂତଙ୍କ ଭିଡିଓ ମଧ୍ଯ ଦେଖେଇଛି। ପ୍ରଥମେ ମୋତେ ବହୁତ ଭୟ ଲାଗୁଥିଲା କିନ୍ତୁ ଏବେ ଆଉ ମନରେ ଡରଭୟ ନାହିଁ। ସେଇ ସାଙ୍ଗ ମୋତେ ଗୋଟେ ପ୍ରସ୍ତାବ ଦେଇଛି। ମଶାଣିରେ କୁଆଡେ ଭୂତପ୍ରେତଙ୍କୁ ଖାଲି ଆଖିରେ ଦେଖିହେବ। ସେ କହିଛି ଭୂତର ଗୋଟେ ଫଟୋ ଉଠାଇ ତାକୁ ଦେଇ ପାରିଲେ ମୋତେ ଦଶ ହଜାର ଟଙ୍କା ଦେବ। ଆମେମାନେ କଣ ଏତିକି କାମ କରିପାରିବାନି? ଏକା ନିଶ୍ବାସ ରେ କହି ଚାଲିଥିଲା ଗଗନ।
ସେତେବେଳକୁ ଆକାଶରୁ ସୂର୍ଯ୍ଯଙ୍କର ଅସ୍ତିତ୍ବ ଲିଭି ଆକାଶର ରକ୍ତିମ ରଙ୍ଗ ଧିରେଧିରେ କୃଷ୍ଣବର୍ଣ୍ଣ ଧାରଣ କରି ଚାଲିଥିଲା। ଗାଆଁ ଶେଷମୁଣ୍ଡରେ ଥିବା ବୁଢା ବରଗଛ ମୂଳରେ ଗଗନକୁ ଘେରି ବସିଥିବା ପିଲାମାନଙ୍କ ମନରେ ଭୟ ଓ ଆଶଙ୍କାର ମାତ୍ରା ଧିରେଧିରେ ବଢି ହସହସ ମୁହଁ ଗୁଡିକରେ ଗମ୍ଭୀରତାର ବାଦଲ ଜମାଟ ବାନ୍ଧିବାକୁ ଆରମ୍ଭ କରିସାରିଥିଲା। ଗଗନକୁ ଏତେଦିନ ପରେ ପାଖରେ ପାଇ ସାଙ୍ଗମାନେ ବହୁତ ଖୁସିଥିଲେ ଓ ସେମାନେ ଏତେ ଶୀଘ୍ର ଘରକୁ ଫେରିବାକୁ ଚାହୁଁ ନଥିଲେ। କାରଣ ମଧ୍ଯ ବେଶ୍ ଶକ୍ତିଶାଳୀ ଥିଲା। ସହରରୁ ଗାଆଁକୁ ଆସିବା ବେଳେ ଗଗନ ସାଙ୍ଗ ମାନଙ୍କ ପାଇଁ ବିଦେଶୀ ମଦ ଓ ନାନା ପ୍ରକାରର ସିଗାରେଟ୍ ପ୍ଯାକେଟ୍ ଆଣି ଆସିଥାଏ। ସେହି ପ୍ରସାଦରୁ ଟିକେ ପାଇବା ପାଇଁ ସେମାନେ ଗଗନର ଆସିବା ବାଟକୁ ଚାତକ ପରି ଚାହିଁ ରହିଥାନ୍ତି। କିଛି ସାଙ୍ଗଙ୍କ ମନରେ ଆଶଙ୍କା ଥାଏ ଯେ ସେମାନେ ଗଗନର କଥାକୁ ହସରେ ଉଡାଇଦେବାର ଫଳ କିଛି ବି ହୋଇପାରେ। ଅବକାରୀ ଚିଜ ସବୁ କାହାକୁ ନଦେଇ ଗଗନ ନିଜ ଘରକୁ ଫେରିଯିବାର ମଧ୍ଯ ସମ୍ଭାବନା ଥିଲା। ତେଣୁ ଅନ୍ଯ ଉପାୟ ନପାଇ ସେମାନେ ବାଧ୍ଯ ପିଲାଙ୍କ ପରି ଚୁପଚାପ ଗଗନର କଥା ଶୁଣିବାକୁ ବସି ରହିଥିଲେ। ଶ୍ରୋତାମଣ୍ଡଳୀଙ୍କ ଆଗ୍ରହ ବଢାଇବା ଲକ୍ଷ୍ୟରେ ଗଗନ ପକେଟରୁ ଏକ ଦାମୀକା ସିଗାରେଟ ପ୍ଯାକେଟ୍ କାଢି ସେମାନଙ୍କ ଉଦ୍ଦେଶ୍ଯରେ ବଢାଇଲା। ସମସ୍ତଙ୍କ ମୁହଁରେ ଖୁସିର ଚମକ ଖେଳିଗଲା।
ପାଟିରୁ ସିଗାରେଟ ଧୂଆଁର କୁଣ୍ଡଳୀ କାଢି ଆକାଶକୁ ଫିଙ୍ଗି ଚିନୁ କହିଲା- - ଆରେ ଭାଇ ଗଗନ, ତୋ କଥା ଆଉ କିଏ ବିଶ୍ବାସ କରୁ ବା ନ କରୁ ମୁଁ କିନ୍ତୁ କରୁଛି। ମୁଁ ଯେତେବେଳେ ମୋ କଥା କାହାକୁ କୁହେ ସମସ୍ତେ ହସନ୍ତି ବୋଲି ମୁଁ ବାଧ୍ଯରେ ଚୁପ୍ ରୁହେ। କିନ୍ତୁ ଆଜି ସମସ୍ତଙ୍କୁ ଶୁଣିବାକୁ ପଡିବ। ମୁଁ ନିଜ ଆଖିରେ ଭୂତ ଦେଖିଛି। ସେଦିନ ମୁଁ କାମରେ ପାଖ ଗାଁଆକୁ ଯାଇଥିଲି। ଫେରିଲା ବେଳକୁ ରାତି ହୋଇଗଲା। ଭାବୁଥିଲି ରାତିରେ ସେହି ଗାଁଆରେ ରହିଯାଇଥାନ୍ତି କିନ୍ତୁ ଘରକଥା ମନେ ପଡିବାରୁ ବାହାରି ଆସିଲି। ମନରେ କିନ୍ତୁ ଡରଥାଏ ଯେ ଗାଁଆକୁ ଫେରିବା ପାଇଁ ମୋତେ ଜଙ୍ଗଲ ରାସ୍ତା ଦେଇ ଆସିବାକୁ ହେବ। କିଛି ଅନ୍ଯ ଉପାୟ ନ ଥିଲା, ତେଣୁ ମୁଁ ଜୋରରେ ସାଇକେଲ ଚଲାଇବାକୁ ଲାଗିଲି ଯେମତି ଜଙ୍ଗଲରାସ୍ତା ଟା ଶୀଘ୍ର ପାର ହୋଇଯିବି। ସେଦିନ ଆକାଶରେ ଚାନ୍ଦ ନଥିଲା, କିଟିମିଟିଆ ଅନ୍ଧାର ରାତି। ମୁହଁକୁ ମୁହଁ ଦିଶୁନଥିଲା। ତା ସାଙ୍ଗକୁ ଜଙ୍ଗଲୀ ରାସ୍ତାରେ ବିଲୁଆଙ୍କ ହୁକେ ହୋ ଡାକ ମଝିରେ ମଝିରେ ଶୁଭି ଚାଲିଥିଲା। ଜଙ୍ଗଲ ଯେତିକି ଘଞ୍ଚ ହୋଇ ଚାଲିଥିଲା ମୋ ମନରୁ ସାହାସ ସେତିକି ସରିସରି ଆସୁଥିଲା। ଦୂର ଦୂର ଯାଏ ନା ଘରଥିଲା ନା କୌଣସି ଗାଡିମୋଟର। ମନେମନେ ଭାବୁଥିଲି ଯେ ମୋ ମୁଣ୍ଡକୁ କାହିଁକି ଦୁର୍ବୁଦ୍ଧି ଜୁଟିଲା କେଜାଣି ?! ରାତିରେ ରହି ସକାଳୁ ଆସିଥିଲେ କେତେ ଭଲ ହୋଇଥାଆନ୍ତା। ସେତିକି ବେଳେ ଗଛ ଉପରୁ କଣ ଗୋଟେ ଧଡ୍ କରି ପଡିବା ପରି ଶୁଭିଲା। ବିଶ୍ବାସ କର, ମୋ ଦେହରକ୍ତ ପାଣି ଫାଟିଯିବା ପରି ଲାଗିଲା। ଗୋଟେ ସେକେଣ୍ଡରେ ପାଦରୁ ଆରମ୍ଭ ମୁଣ୍ଡ ଯାଏଁ ବିଜୁଳି ଦୌଡିଯିବା ପରି ମନେହେଲା। ହାତଗୋଡ ଝିମଝିମ ହେବା ସହ ମୋ ତଣ୍ଟି ଶୁଖିଗଲା। ଏତେ ଶବ୍ଦକରି କଣ ପଡିଲା ବୋଲି ମୁଁ ଭାବି ପାରୁ ନ ଥାଏ। ନିଜକୁ ବୁଝାଇ କହିଲି, ମାଙ୍କଡ ବା ଅନ୍ଯ କୌଣସି ପଶୁ ଗଛରୁ ଡେଇଁ ପଡିଥିବ ବୋଧେ। ମନରେ ଦମ୍ଭଧରି ଠାକୁରଙ୍କୁ ଡାକି ଚଞ୍ଚଳ ସାଇକେଲ ପେଡାଲ ମାରିବାରେ ଲାଗିଲି। ଅନ୍ଧାର ରାତିରେ ରାସ୍ତା ଭଲରେ ଦିଶୁ ନ ଥିଲା, କୌଣସି ମତେ ସାଇକେଲକୁ ରାସ୍ତା ମଝିରେ ଚଳାଇଲେ ବିପଦ ନାହିଁ ବୋଲି ମୁଁ ରାସ୍ତା ଉପରୁ ନଜର ହଟାଉ ନ ଥିଲି । ମୋତେ ଲାଗୁଥିଲା ରାସ୍ତାର ଦୁଇପଟରେ ଗଛମାନେ ବିପରୀତ ଦିଗରେ ଦୌଡିବାକୁ ଆରମ୍ଭ କରିଦେଇଥିଲେ। କିଛି ଗଛର ବଡବଡ ଡାଳ ବ୍ରହ୍ମରାକ୍ଷାସର ଗୋଡ ପରି ତଳକୁ ଝୁଲି ରହିବା ପରି ମନେ ହେଉଥିଲା। କେଜାଣି କାହିଁକି, ପୂର୍ବରୁ ଶୁଣିଥିବା ଭୂତପ୍ରେତଙ୍କ କାହାଣୀ ସବୁ ମୋ ମନକୁ ବାରମ୍ବାର ଚାଲି ଆସୁଥିଲା। କେମିତି ଜଙ୍ଗଲ ଭିତରେ ହାଡବାଇ,ଡାହାଣୀ,ଚିରିଗୁଣୀ ମାନେ ବୁଲନ୍ତି ଓ ମଣିଷ ଦେଖିଲେ ତଣ୍ଟିକଣା କରି ରକ୍ତ ଚଁ ଚଁ କରି ପିଇଦିଅନ୍ତି ସେ କଥା ମନେ ପଡିଲା ମାତ୍ରକେ ମୋ ପାଦଦୁଇଟା ହିମଶୀତଳ ହୋଇଯିବା ପରି ଲାଗୁଥିଲା। ଜେଜେବାପା ସଦାବେଳେ କୁହନ୍ତି,ସେମାନେ କୁଆଡେ ଅନେକଥର ଜଙ୍ଗଲରାସ୍ତାରେ ବ୍ରହ୍ମରାକ୍ଷାସ ହାବୁଡରେ ପଡିଥିଲେ। ଗଛ ଉପରୁ ବ୍ରହ୍ମରାକ୍ଷାସ ଗୋଡ ଲମ୍ବାଇ ତଳକୁ ବସିଥାଏ। ଦେଖିବା ଲୋକ ଭାବିବ ଗଛରୁ ଡାଳଖଣ୍ଡେ ଭାଙ୍ଗି ପଡିଛି କି ଆଉ ।! ଯେମିତି ମଣିଷ ଗଛ ପାଖରେ ପହଞ୍ଚିଯାଏ,ବ୍ରହ୍ମ ରାକ୍ଷାସ ଗୋଟେ କ୍ଷେପାରେ ପାଟିରେ ପୁରେଇ ଚଳୁ କରିଦିଏ। ପିଲାଦିନେ ଜେଜେବାପାଙ୍କ ପାଖରୁ ଏକଥା ଶୁଣିବା ମାତ୍ରକେ ମୋ ପ୍ଯାଣ୍ଟ ଓଦା ହୋଇ ଯାଉଥିଲା। ମୋ ଭାଗ୍ଯ ଦେଖ,ସେଦିନ ମୁଁ ସେହି ଜଙ୍ଗଲରାସ୍ତାରେ ଯାଉଥିଲି ଯେଉଁଠି ଅତୀତରେ ବ୍ରହ୍ମରାକ୍ଷାସ ରହୁଥିଲା। ଭୟରେ ଜଡସଡ ହୋଇ ମୋ ଦେହରୁ ଝାଳ ଝରଣା ପରି ବୋହି ଚାଲିଥିଲା। ହଠାତ ମୋ କାନ ପାଖରେ କିଏ ଜଣେ ଫିସଫିସ କରି କହିଲା- - ଚିନୁ, ଚିନୁରେ-- ସେ ଡାକଟା ମୋର ସ୍ପଷ୍ଟ ମନେ ଅଛି, ଯେମିତି କାହାର ତଣ୍ଟି ଚିପିଦେଲେ ଗଁ ଗଁ ହୋଇ ଶବ୍ଦ ବାହାରିବ ଠିକ୍ ସେମିତି ଶୁଭୁଥିଲା ସେ ଡାକ। ସେତିକି ଶୁଣିବା ମାତ୍ରକେ ମୋତେ ରାତିର ଅନ୍ଧକାର ଆହୁରି ଘଞ୍ଚ ଲାଗିଲା। ମେରୁଦଣ୍ଡ ଭିତରେ କିଛି ଗୋଟେ ଝାଇଁ ଝାଇଁ କରି ଦୌଡିଗଲା। ହାତଗୋଡ ଏପରି ଥରିଲା ଯେ ମୁଁ ଦୁଲଦାଲ କରି ସାଇକେଲରୁ ତଳେ ଖସି ଖସିପଡିଲି। ମୋର ଭଲରେ ମନେ ଅଛି, ବରଫ ପରି ହିମଶୀତଳ ପବନ ହାବୁକାଏ ମୋ ଦେହର ସର୍ବାଙ୍ଗ ଛୁଇଁ ଚାଲିଗଲା। ମୋ ହାତଗୋଡରେ ପ୍ରାଣ ନଥିବା ପରି ମନେହେଲା। ସମସ୍ତ ବଳ ଲଗାଇ ଥରିଥରି ଉଠିଲି ଓ ସାଇକେଲ ପେଡାଲ ଜୋରରେ ମାରିବାରେ ଲାଗିଲି। କିନ୍ତୁ ସାଇକେଲର ହ୍ଯାଣ୍ଡଲ ସିଧା ରଖିବା ମୋ ପାଇଁ କଷ୍ଟକର ହୋଇଗଲା। ସାଇକେଲର ଓଜନ ହଠାତ ଏତେ ବଢିଯାଇଥିଲା ଯେ ଗୋଟିଏ ପଟକୁ ଢଳିଯିବା ପରି ଲାଗୁଥିଲା। ସତେକି ସାଇକେଲ ପଛରେ କିଏ ଜଣେ ବସି ପଡିଛି। ପଛକୁ ବୁଲି ଚାହିଁବାର ସାହାସ ମୋ ମନରେ ନଥିଲା। ମୁଁ ଅନୁଭବ କଲି ମୋ କାନ ପାଖରେ ହାଡ ଚୋବାଇବାର କଡମଡ ଶବ୍ଦ। ଭୟରେ ଚିତ୍କାର କରି ମୁଁ ପଛକୁ ବୁଲି ଚାହିଁଲି, କିନ୍ତୁ କେହି ନ ଥିଲେ। କେବଳ ଯାହା ରାସ୍ତାକୁ ଅକ୍ତିଆର କରି ରଖିଥିବା ଅନ୍ଧାର ରାତି ମୋତେ ପିଛା କରି ଚାଲିଥିଲା। ମୋ ସାଇକେଲ ଆଗରେ କେହିଜଣେ ଚାଲିଚାଲି ଯିବାର ଦେଖି ମନରେ ଟିକେ ସାହାସ ଆସିଲା। ବିକଳ ହୋଇ ମୁଁ ସେ ଲୋକ ପାଖକୁ ଯାଇ ମୋତେ ରକ୍ଷା କର ବୋଲି ପାଟି କରି କହିଲି।
- - ଆରେ ଚିନୁ ତୁ? ଲୋକଟି ପାଟିରୁ ଏତିକି ଶୁଣି ମୋ ଦେହରେ ଶତସିଂହର ବଳ ଚାଲିଆସିଲା।
- - ଆରେ ଦନେଇ ଅଜା, ତୁମେ ଏ ଅନ୍ଧାର ରାତିରେ କୁଆଡେ ଚାଲିଚାଲି ଯାଉଛ ଯେ? ମୁଁ ପଚାରିଲି। ସେ ଆମ ଗାଁଆର ଦନେଇ ଅଜାଥିଲେ। ସେ କହିଲେ ଯେ କାମଥିଲା ବୋଲି ପାଖ ଗାଁଆକୁ ଯାଇଥିଲେ। ଜଣେ ଲୋକ ସହ ମୋଟର ସାଇକେଲରେ ଫେରୁଥିଲେ। ଗାଡି ଖରାପ ହେଲା ବୋଲି ସେ ଲୋକ ତା ଗାଁଆକୁ ଫେରିଗଲା ଓ ତାଙ୍କୁ ଚାଲିଚାଲି ଫେରିବାକୁ ପଡିଲା। ମୁଁ ତାଙ୍କୁ ସାଇକେଲ ପଛରେ ବସାଇ ନିଶ୍ଚିନ୍ତ ହୋଇଗଲି। କିନ୍ତୁ ସେ ବସିବାପରେ ସାଇକେଲର ଓଜନ ଆହୁରି ବଢିଯିବା ପରି ଲାଗିଲା। ତାଙ୍କୁ ଥଟ୍ଟାରେ କହିଲି- - ଅଜା ତୁମକୁ ଆଈ କଣ ଗେଫଉଛି ଯେ ହାତୀ ପରି ଓଜନିଆ ପାଲଟି ଯାଇଛ ? ସେ ଖାଲି ହସିଲେ କିନ୍ତୁ କିଛି କହିଲେନି। ରାସ୍ତାସାରା ମୁଁ ତାଙ୍କ ସାଙ୍ଗରେ ଗପିଗପି ଆସିଲି କିନ୍ତୁ ସେ କେବଳ ହୁଁ ହାଁ କହି ଉତ୍ତର ଦେଇ ଚାଲିଥିଲେ। ଭଗବାନଙ୍କ ଦୟାରୁ ରାତି ଅଧରେ ଘର ପାଖରେ ପହଞ୍ଚିଲି। ସାଇକେଲ ରଖେଇ ପଛକୁ ବୁଲି ଦେଖିଲା ବେଳକୁ ଦନେଇ ଅଜା ସାଇକେଲ ପଛରେ ନାହାଁନ୍ତି। ମନେମନେ ଭାବିଲି ବୁଢା ମୋ ସହ ଗମାତ କରିବାକୁ ଗାଁଆମୁଣ୍ଡରେ ଡେଇଁ ପଡିଥିବ,କାଲି ସକାଳେ ତା ଚୋପା ଛଡେଇବି। ଘର ଭିତରକୁ ପଶିଲା ବେଳକୁ ବୋଉ ମୋତେ ଧରି କାନ୍ଦି ପକେଇ କହିଲା - - ପୁଅରେ ମାଆ ଦୁର୍ଗାଙ୍କ କୃପାରୁ ତୁ ଭଲରେ ଘରେ ପହଞ୍ଚିଗଲୁ। କାହିଁକି ବୋଉ ଏମିତି କହିଲା ବୁଝି ହେଲାନି। ବାପା କୁଆଡେ ଯାଇଛନ୍ତି ପଚାରିବାରୁ ବୋଉ କହିଲା- - ବାପା ମଢ ନେଇ ମଶାଣି ଯାଇଛନ୍ତି। ମୁଁ ଚମକି ପଡି ପଚାରିଲି କାହାର କଣ ହେଲା କି ବୋଉ?
ବୋଉ କହିଲା-- ଆମ ସାହିର ଦନେଇ ପାଖ ଗାଁଆକୁ ଯାଇଥିଲେ। ଜଣେ ଲୋକସାଙ୍ଗରେ ମୋଟର ସାଇକେଲରେ ଗାଁଆକୁ ଫେରିଲାବେଳେ ଜଙ୍ଗଲ ରାସ୍ତାରେ ମୋଟର ସାଇକେଲର ଦୁର୍ଘଟଣା ହୋଇଗଲା। ସେ ଲୋକଟି ଓ ଦନେଇ ସେହି ଯାଗାରେ ମରିଗଲେ। ଡେରି ହେବାରୁ ତାଙ୍କ ପୁଅ ଖୋଜିବାକୁ ଗଲାବେଳକୁ ଦେଖିଲା ଦନେଇ ରକ୍ତ ଜୁଡୁବୁଡୁ ହୋଇ ରାସ୍ତା ଉପରେ ମରି ପଡିଥିଲେ। ବୋଉ ପାଟିରୁ ଏ କଥା ଶୁଣି ମୋ ଛାତି ଭିତରଟା ଫାଟି ପଡିବା ପରି ଲାଗିଲା। ମୁଁ ଚିତ୍କାର କରି କହିଲି- - କଣ ଦନେଇ ଅଜା ?? ସେ ତ ମୋ ସାଙ୍ଗରେ ସାଇକେଲରେ ବସି ଆସିଲେ। ସେତିକି କହି ମୁଁ ଚେତା ବୁଡିଗଲି। ଢେରଦିନ ଯାଏଁ ଭୀଷଣ ଦେହ ଖରାପରେ ପଡିବା ପରେ ରାକା ଗୁଣିଆ ମୋ ଦେହରୁ ଭୂତ ଛଡାଇଲା। ସେ ଭୂତ କାହାରଥିଲା ମୁଁ ଆଜିଯାଏ ଜାଣି ପାରିଲିନି। ଦନେଇ ଅଜାର, ସେ ଲୋକର ନା ଅନ୍ଯ କାହାର।
ନିଜର ଭୌତିକ ଅନୁଭୁତିକୁ ପ୍ରାଞ୍ଜଳ ଭାବରେ କହିବା ସମୟରେ ଚିନୁ ଆଖି ସାମନାରେ ସେଦିନର ଘଟଣାବଳୀ ଜୀବନ୍ତ ହୋଇ ଉଠୁଥିଲା। ଶ୍ରୋତାମଣ୍ଡଳୀଙ୍କ ମଧ୍ଯରେ ଥିଲା ଅସମ୍ଭବ ନୀରବତା। ଚିନୁର କାହାଣୀ ଯେ ଏତେ ଭୟାବହ ହୋଇଥିବ ସେମାନେ କଳ୍ପନା କରି ପାରୁନଥିଲେ। ଗାଁଆ ପିଲାମାନେ ଦନେଇ ମରିବା ଓ ତା ପରେ ଚିନୁର ଦେହ ଖରାପ ହେବାର କଥା ଜାଣିଥିଲେ। କିନ୍ତୁ ସେମାନେ ଜାଣି ନଥିଲେ ମୃତ୍ଯୁପରେ ଦନେଇର ଭୌତିକକାଣ୍ଡ ବିଷୟରେ। ସେତେବେଳକୁ ରାତ୍ରିର ଗଭୀରତା ବେଶ୍ ବଢି ସାରିଥିଲା। ଅମାବାସ୍ଯା ରାତିର ଚନ୍ଦ୍ରବିହୀନ ଆକାଶରେ ମିଞ୍ଜିମିଞ୍ଜି ଦିଶୁଥିବା ତାରାମାନେ ବାଦଲ ପଛରେ ଲୁଚକାଳି ଖେଳିବାରେ ବ୍ଯସ୍ତଥିଲେ। କେବଳ ଗଗନ ବ୍ଯତୀତ ଅନ୍ଯ ସମସ୍ତେ ଭୟରେ ଶିହରି ଉଠୁଥିଲେ। ସାଇଁସାଇଁ ବହୁଥିବା ପବନ ସେହି ବୁଢା ବରଗଛର ପତ୍ର ମାନଙ୍କୁ ଏପରି ରୂପରେ ନଚାଇବାରେ ବ୍ଯସ୍ତ ଥିଲା ଯେ ଲାଗୁଥିଲା ଗଛ ଉପରୁ କେହିଜଣେ ଅସ୍ପଷ୍ଟ ସ୍ବରରେ ଗୀତ ଗାଉଛି। ଗଛରୁ ଇତଃସ୍ତତଃ ହୋଇ ଝୁଲି ରହିଥିବା ଓହଳ ମାନ ଦେଖିଲେ ଲାଗୁଥିଲା ଯେପରି ଗଛ ଉପରୁ କିଛି ଅଶରୀରୀ ଗୋଡ ଲମ୍ବାଇ ବସି ରହିଛନ୍ତି। ମଝିରେ ମଝିରେ ପେଚା ଓ ବାଦୁଡି ମାନଙ୍କର ରାବ ସହ ବିଲୁଆ ମାନଙ୍କର ବିକଟାଳ ଚିତ୍କାର ପରିବେଶକୁ ଆହୁରି ଭୟାନକ କରି ଗଢି ତୋଳୁଥିଲା। ଗାଆଁର ଅଧିକାଂଶ ଘରେ ତାଟି କବାଟ ପଡି ସାରିଥିଲା। ଲଣ୍ଠନ ଓ ଡିବିରି ମାନଙ୍କର ଫିତାଗଣ ଆକଣ୍ଠ କିରୋସିନ୍ ପିଇ ନିଦ ଟଳମଳ ହୋଇ ଆଲୋକ ଦେବାରେ ଆଳସ୍ଯପରାୟଣତା ଦେଖାଇବା ଆରମ୍ଭ କରି ସାରିଥିଲେ। ଅମାବାସ୍ଯାର ଅନ୍ଧକାର ଏକ ମୋଟା କଳାଚାଦର ବିସ୍ତାରିତ କରି ସମଗ୍ର ଅଞ୍ଚଳକୁ ଉଦରସ୍ଥ କରି ଅଖଣ୍ଡ ରାଜୁତି ଆରମ୍ଭ କରି ସାରିଥିଲା।
- - - ଗପସପରେ ଏତେ ସମୟ ବିତିଗଲାଣି ଜାଣି ହେଲାନି। ଦେଖିଲ, କେତେ ରାତି ହୋଇଗଲାଣି।ଜଲଦି ଘରକୁ ନ ଗଲେ ବହୁତ ଗାଳି ପଡିବ। ଗଗନ ,ଚାଲ ଏବେ ସମସ୍ତେ ଘରକୁ ଫେରିବା। ବ୍ଯସ୍ତ ହୋଇ କହି ଉଠିଲା ରାମ।
ଗଗନର କିନ୍ତୁ ଏତେ ଶୀଘ୍ର ଘରକୁ ଫେରିବାର ଇଚ୍ଛା ନ ଥିଲା। ସେ ଭାବି ନ ଥିଲା ଯେ ଚିନୁ ନିଜର କାହାଣୀ ଶୁଣାଇ ଏତେ ସମୟ ନଷ୍ଟ କରିଦେବ। ସେ ବ୍ଯାଗ୍ ରୁ ବିଦେଶୀ ମଦ ବୋତଲ କାଢି କହିଲା- -ଆରେ ଏତେ ଜଲଦି ଘରକୁ ଯାଇ କଣ କରିବ । ତୁମେ ମାନେ ଚାଲିଗଲେ ଏ ଜିନିଷର କଣ ହେବ ଯେ ?
ରାମ ଅନିଚ୍ଛା ପ୍ରକାଶ କରି କହିଲା- - ନାଇଁ ସାଙ୍ଗ, ଏବେ ଏ ଜିନିଷ ପିଇ ଘରକୁ ଗଲେ କଥା ସରିଲା ବୋଲି ଜାଣ। ମୋ ବାପା ଯେମିତି ଲୋକ ମୋତେ ଘରୁ ବାହାର କରିଦେବେ, କାଲି ଦେଖିବା। ଏତିକି କହି ରାମ କାନ୍ଧରେ ଗାମୁଛା କୁ ଚଉତାଇ ପକାଇ ଘରକୁ ଯିବାକୁ ବାହାରିଲା। ରାମ ପଛେପଛେ ଅନ୍ଯ ସାଙ୍ଗ ମାନେ ବି ବାହାରିଲେ। ଗଗନ କେମିତି ସେମାନଙ୍କୁ ରଖାଇବ ବୋଲି ଉପାୟ ପାଉ ନଥାଏ। କିନ୍ତୁ ଅସଲ କଥାଥିଲା , ଚିନୁର କାହାଣୀ ଶୁଣିବା ପରେ ଅନ୍ଯ ପିଲା ମାନଙ୍କ ମନରେ ଭୟର ମାତ୍ରା ଏତେ ବଢି ଯାଇଥିଲା ଯେ ସେମାନେ କେମିତି ଯାଇ ଘରେ ପହଞ୍ଚିବେ ସେହି କଥା ଭାବି ଚାଲିଥିଲେ। ଗଗନର ସାଙ୍ଗମାନେ ଭୂତର ଅସ୍ତିତ୍ବ ଅଛି ବୋଲି ବିଶ୍ବାସ କରୁଥିଲେ ଓ କୌଣସି ନା କୌଣସି ସୂତ୍ରରୁ ତାହାର ପ୍ରମାଣ ମଧ୍ଯ ପାଇ ସାରିଥିଲେ। କିନ୍ତୁ ମୁକ୍ତକଣ୍ଠରେ ତାହା ସ୍ବୀକାର କରିବାକୁ ରାଜି ନ ଥିଲେ।
ଅନ୍ଯପକ୍ଷରେ ଗଗନ ମନରେ ଅନ୍ଯକିଛି ଯୋଜନା ନେଇ ଆସିଥିଲା। ପ୍ରକୃତରେ ସେ ଭୂତପ୍ରେତଙ୍କ ଉପରେ ଅନ୍ତରରୁ ବିଶ୍ବାସ କରୁନଥିଲା। " ଯାହା ନ ଦେଖିବ ବେନି ନୟନେ ପରତେ ନ ଯିବ ଗୁରୁ ବଚନେ " ନ୍ଯାୟର ବିଶ୍ବାସୀ ଥିଲା ଗଗନ। ସାଙ୍ଗମାନଙ୍କୁ ରଖାଇବା ପଛରେ ଉଦ୍ଦେଶ୍ଯ ଥିଲା ମଶାଣିରେ କାଳେ ତାକୁ ଏକୁଟିଆ ଲାଗିବ। ପିଲାଦିନରୁ ଅନେକ ଭୂତପ୍ରେତଙ୍କ ଗପ ପଢି ସେ ଭାବୁଥିଲା ଭୂତପ୍ରେତ ମାନେ କେବଳ କାହାଣୀର ଚରିତ୍ର ଛଡା ଅନ୍ଯ କିଛି ନୁହଁ। ଅନ୍ଯପକ୍ଷରେ ସହରରେ ରହୁଥିବା ସାଙ୍ଗ ପାଖକୁ ମଶାଣିରୁ କୌଣସି ସାଙ୍ଗର ଫଟୋ ଉଠାଇ ପଠାଇଦେଲେ ସେ ଭୂତ ବୋଲି ବିଶ୍ବାସ ନ କରିବାର କିଛି କାରଣ ନ ଥିଲା। ମାତ୍ର ଦୁର୍ଯୋଗକୁ ତା'ର ସବୁ ଯୋଜନା ଫସର ଫାଟିଯାଇଥିଲା। ସାଙ୍ଗମାନଙ୍କ ସହ ଭୋଜି କରି ଆସିବାରେ ଡେରି ହେବ ବୋଲି ସେ ଘରେ କହି ଦେଇଥିଲା। ତେଣୁ ସେ ନିଶ୍ଚିନ୍ତ ଥିଲା। ଚିନୁର କାହାଣୀ ଶୁଣି ତାକୁ ଭୀଷଣ ହସ ଲାଗୁଥିଲା ମାତ୍ର କୌଣସି ମତେ ହସଚାପି ସେ କାହାଣୀ ଶୁଣି ଚାଲିଥିଲା। ମନେମନେ ଭାବୁଥିଲା ଯଦି ତା ସହ ଏମିତି ଘଟଣା ଘଟନ୍ତା କେତେ ଭଲ ହୁଅନ୍ତା।
ଚାରିଆଡକୁ ଚାହିଁଲା ଗଗନ, ସାଙ୍ଗମାନେ ସବୁ ଘରକୁ ଯାଇ ସାରିଥିଲେ। ସେହି ବୁଢା ବରଗଛର ଚଉତରା ଉପରେ ସେ ଏକୁଟିଆ ବସି କଣ କରିବ ଭାବୁଥିଲା। ପକେଟରୁ ମୋବାଇଲ କାଢି ଦେଖିଲା । ରାତି ଏଗାରଟା ବାଜିଲାଣି। ସିଗାରେଟରେ ଅଗ୍ନୀସଂଯୋଗ କରି ସେ କିଛି ଭାବିବାକୁ ଲାଗିଲା। ସିଗାରେଟ ସରିବା ସହିତ ଗୋଟିଏ ବିଦେଶୀ ମଦ ବୋତଲ ମଧ୍ଯ ତଳେ ଗଡିଲା। ଏଥର ଗଗନ ମନରେ ଆତ୍ମବିଶ୍ବାସ କାହିଁ କେତେ ଗୁଣ ବଢିଗଲା। ମୁଣ୍ଡକୁ ନିଶା ଚଢିବା ସହିତ ସେ ନିଜ ସହ ଗପସପ ଆରମ୍ଭ କରିଦେଲା। ଧିରେଧିରେ ରାତିର ଘନତା ବଢିବା ସହିତ ଓ ଚତୁର୍ଦ୍ଦିଗରେ ଅସମ୍ଭବ ନୀରବତା ରାଜୁତି କରିବା ଆରମ୍ଭ କଲା। ମଝିରେ ମଝିରେ ହାଲୁକା ପବନ ବୋହି ଗଛର ପତ୍ର ମାନଙ୍କୁ ଦୋଳାୟମାନ କରିବାରେ ଲାଗିଥିଲା। ଗଛର ଡାଳପତ୍ରରୁ ଖସଖସ ଶଦ୍ଦ ରହିରହି ଭାସି ଆସୁଥିଲା। ଶୀତଳ ପବନର କୋମଳ ସ୍ପର୍ଶ ଓ ମଦନିଶାର ପ୍ରକୋପ ଗଗନକୁ କିଛି ସମୟ ପାଇଁ ତନ୍ଦ୍ରାଭିଭୂତ କରିଦେଇଥିଲା। ହଠାତ୍ କାହା ଡାକରେ ସେ ଚମକି ଉଠିଲା। ଦେଖିଲା ବେଳକୁ ତା ସାମ୍ନାରେ ଜଣେ ଲୋକ ଛିଡା ହୋଇଛି। ଚୋର ବା ଡାକୁ ହୋଇଥିବ ଭାବି ଗଗନ ମୋବାଇଲକୁ ପକେଟରେ ପୁରାଇ ପଚାରିଲା - - କିଏ ତୁମେ, ଏଠି କଣ କରୁଛ? ସେ ଲୋକଟି ଅନୁରୂପ ପ୍ରଶ୍ନ ଗଗନକୁ ପଚାରିଲା। କଣ ଉତ୍ତର ଦେବ ଗଗନ ଭାବି ପାରିଲାନି। ସେତେବେଳ ଯାଏଁ ମଦନିଶାରେ ଚୁର୍ ଥିବା ଗଗନ କହିଲା - - ଆରେ ମୁଁ ଭୂତ ଦେଖିବାକୁ ବସିଛି। ଦେଖିବି, ତା ଫଟୋ ଉଠେଇ ପଇସା କମେଇବି। ତୁମର କିଛି କହିବାର ଅଛି କି ? ଯଦି ନାହିଁ ମୋ ପାଖରୁ ଗେଟ୍ ଆଉଟ୍ ହୋଇଯାଅ।
ଲୋକଟି ହସିହସି କହିଲା- - ଆରେ ବାବୁ ତୁମେ ଏତେ ରାଗିବାର କିଛି କାରଣ ନାହିଁ। ତୁମେ ଯାହାକଲେ ମୋର କିଛି ଯାଉନି କି ଆସୁନି। ମୁଁ ସବୁ ରାତିରେ ଏଇ ଗଛମୂଳକୁ ଆସି ଘେରାଏ ବୁଲି ଯାଏ। ଏତେ ରାତିରେ କେବେ କାହାକୁ ଦେଖେନି, ଆଜି ତୁମକୁ ଦେଖିଲି ବୋଲି ପଚାରିଦେଲି। ରାଗ ଶାନ୍ତ କର, କେହି ତ କୁଆଡେ ନାହାଁନ୍ତି। ମୋ ସହ ଟିକେ ଗପସପ କର। ମୋତେ ଭଲ ଲାଗିବ ଆଉ ତୁମକୁ ମଧ୍ଯ। ଏଥର ଗଗନକୁ ଲାଗିଲା ଲୋକଟା ସେମିତି ନୁହଁ ଯେମିତି ସେ ଭାବୁଥିଲା।
- - ଆଛା ତୁମେ ରୁହ କେଉଁଠି? ପଚାରିଲା ଗଗନ
- - ସେ ମଶାଣି ପାଖରେ ଘର ଖଣ୍ଡେ କରିଛି। ସେଇଠି ରହୁଛି।
- - ହାଃ ହାଃ ଆରେ ଦୁନିଆ ସାରା କୁଆଡେ ଜାଗା ମିଳିଲାନି ଯେ ଶେଷରେ ମଶାଣି ପାଖରେ ଘର କରି ରହିଲ। ତୁମ ମନରେ ଡରଭୟ ନାହିଁ ନା କଣ?
- - ନାଇଁ ଗଗନ। ଡରିବି କାହାକୁ। ଭୂତପ୍ରେତ ମାନେ ତ ସଦାବେଳେ ଆମ ଚାରି ପାଖରେ ରୁହନ୍ତି। ଆମ ତାଙ୍କୁ ସିନା ଦେଖି ପାରୁନେ। ଯିଏ ସଦାବେଳେ ଆମ ଚାରିପଟରେ ବୁଲୁଛନ୍ତି ତାଙ୍କୁ ବା କାହିଁକି ଡରିବି ଯେ?
ଲୋକଟିର କଥା ଶୁଣି ଗଗନର ପାଦ ତଳ ଥଣ୍ଡା ହୋଇଯିବା ପରି ଲାଗିଲା। ଏ ଲୋକଟା ତା ନାଁଆ କେମିତି ଜାଣିଲା ? ସେ ବ୍ଯସ୍ତ ହୋଇ ପଚାରିଲା ଆରେ ତୁମେ ମୋ ନାଁଆ କେମିତି ଜାଣିଲ। ସାଙ୍ଗ ମାନଙ୍କୁ ଭୂତପ୍ରେତଙ୍କ ବିଷୟରେ ମୁଁ ଯାହା ସବୁ କହୁଥିଲି ତୁମେ ମୋତେ ସେସବୁ କଥା କିପରି କହୁଛ?
- - ନାଇଁ ଗଗନ, ସେମିତି ଭାବନି। ତୁମେ ସାଙ୍ଗ ମାନଙ୍କ ସହ ଗପସପ କଲା ବେଳେ ମୁଁ ଗଛର ଆରପଟରେ ଶୋଇ ସବୁ ଶୁଣୁଥିଲି। ସୁଲୁସୁଲିଆ ପବନରେ ମୋତେ ଛାଇ ନିଦ ହୋଇଯାଇଥିଲା। ନିଦ ଭାଙ୍ଗିଲା ବେଳକୁ ଦେଖିଲି ତୁମେ ଶୋଇଛ। ତେଣୁ ଏଠି ଅପେକ୍ଷା କରିଥିଲି କେତେବେଳେ ଉଠିବ ବୋଲି।
ସେ ଲୋକର ରହସ୍ଯମୟ ଢଙ୍ଗରେ ଆବିର୍ଭାବ ଓ ବହୁଦିନର ଚିହ୍ନା ପରି କଥାବାର୍ତ୍ତା , ଗଗନ ମନରେ ଭୟ ସୃଷ୍ଟି କରାଇବା ପାଇଁ ଯଥେଷ୍ଟଥିଲା। ତରତର ହୋଇ ସେ ମୋବାଇଲ କାଢି ସମୟ ଦେଖିଲା । ରାତି ବାର ଟା ' କୋଡିଏ। ଅଜାଣତରେ ତା ପାଟିରୁ ବାହାରି ପଡିଲା- - ଆରେ ରାତି ବାରଟା ବାଜିଗଲା, ମୋତେ ଜଣା ବି ପଡିଲାନି। ଧେତ୍ ଏ ଲୋକଟା ସହ ଗପ କରୁକରୁ କେତେ ଡେରି ହୋଇଗଲା। ଚିଡି ଉଠି ଗଗନ କହିଲା- - ହଉ ହେଲା, ଏବେ ଗପସପ ସେତିକି ଥାଉ। ଚାଲ ଟିକେ ମଶାଣି ଆଡେ ଯିବା। ମଶାଣି ଭିତରେ ତୁମେ ଗୋଟେ ଗଛ ପଛରେ ଛିଡା ହୋଇଯିବ। ମୁଁ ଫଟୋଟେ ଉଠେଇବି। ଆରେ ତୁମକୁ ସେଥିପାଇଁ ପାଉଣା ବି ଦେବି। ଏତିକି କହି ଗଗନ ପକେଟରୁ ଖଣ୍ଡେ ଶହେ ଟଙ୍କିଆ ନୋଟ୍ କାଢି ସେ ଲୋକ ସାମ୍ନାରେ ହଲାଇ ନିଜ ପକେଟରେ ପୁରାଇଲା। ଲୋକଟି କିଛି ପ୍ରତିକ୍ରିୟା ନ ଦେଖାଇ କହିଲା- - କଣ ଭୂତ ଫଟୋ ଉଠାଇବା ନାମରେ ମୋ ଫଟୋ ଉଠାଇ ସାଙ୍ଗକୁ ଦେବ ଓ ପଇସା ବି ଝଡେଇବ ? ଏହା ତ ଜମା ଭଲ କଥା ନୁହଁ। ସତସତିକା ଭୂତ ଦେଖିଲେ ତୁମେ ଫଟୋ ଉଠାକଥା ଭୁଲିଯିବ ଗଗନ। ସେମାନଙ୍କ ସହ ଥଟ୍ଟାତାମସା କରିବା ବହୁତ ବିପଦପୂର୍ଣ୍ଣ ଅଟେ।
ଏଥର ଗଗନ ସତସତିକା ରାଗିଯାଇ କହିଲା- - ମୋର ସବୁ କଥା ତ ଶୁଣିଛ, ତେବେ ଏତେ ଭଦ୍ରଲୋକି ଦେଖେଇ ହେଉଛ କାହିଁକି। ତୁମେ ଯାହା ଭାବୁଛ ସେୟା କରି ଟଙ୍କା ଝଡେଇବି। ଏଥର ଖୁସି ତ? ହଁ ଆଉ ଗୋଟେ କଥା ଭଲରେ ମନେରଖ। ସେ ଭୂତପ୍ରେତଙ୍କ ଓକିଲ ସାଜି ମୋ ସହ ଯୁକ୍ତି କରିବାର ଆବଶ୍ଯକତା ନାହିଁ। ଭୂତ ଥିଲେ ତୁମେ ମଶାଣି ପାଖରେ ଘର କରି ରହି ନ ଥାନ୍ତ କି ରାତି ଅଧରେ ଭୂତଙ୍କ ପରି ବୁଲୁ ନ ଥାନ୍ତ। ଭୂତପ୍ରେତ ନାମ ନେଇ ବେକାରଟାରେ ଖାଲି ଲୋକଙ୍କ ମୁଣ୍ଡ ଖରାପ କରିବା କଥାଯାହା।
ଲୋକଟି ବଡ ଅଜବ ଶବ୍ଦରେ ହସିହସି କହିଲା - - ମାନିଲେ ଭୂତ ନ ମାନିଲେ କାଠ।
ଗଗନକୁ ତା ପଛରେ ଆସିବାକୁ ଇସାରା ଦେଇ ଲୋକଟି ଆଗରେ ଚାଲିବାକୁ ଲାଗିଲା। ସେ ପର୍ଯ୍ଯନ୍ତ ଗଗନ ଲୋକଟିର ମୁହଁକୁ ଭଲରେ ଦେଖି ପାରି ନ ଥିଲା। ଦେଖିବ ବା କେମିତି , ଅମାବାସ୍ଯାର ଘୋର ଅନ୍ଧକାର ରାତିରେ କାହାର ବା ମୁହଁ ଦିଶିବ ? ଆକାଶରେ ମିଞ୍ଜିମିଞ୍ଜି କରୁଥିବା ତାରାମାନେ ନିଜ କ୍ଷମତା ଅନୁସାରେ ପୃଥିବୀକୁ ଆଲୋକିତ କରିବାକୁ ଚେଷ୍ଟା ଚଳାଇଥିଲେ। ସେତିକି ଆଲୋକରେ ଅନ୍ତତଃ ରାସ୍ତାଘାଟ ସ୍ପଷ୍ଟ ଦେଖିହେଉଥିଲା। କିନ୍ତୁ କାହାର ମୁହଁ ଦେଖି ଚିହ୍ନିବା ସମ୍ଭବପର ନ ଥିଲା। ମୋବାଇଲ ଟର୍ଚ୍ଚ ବ୍ଯବହାର କରିବାକୁ ଗଗନ ଚାହୁଁନଥିଲା। ଦୈବାତ୍ ଚାର୍ଜ ସରିଗଲେ ଦରକାର ବେଳେ କାହାକୁ ଫୋନ ମଧ୍ଯ କରିହେବନି। ତେଣୁ ସେ ଅଧିକା କିଛି ନଭାବି ସେ ଲୋକକୁ ଅନୁସରଣ କରିବାକୁ ଲାଗିଲା। ଲୋକଟିର କ୍ଷୀପ୍ର ଗତିରେ ଚାଲି କେଉଁଆଡେ ଅଦୃଶ୍ଯ ହୋଇଗଲା। ବାଧ୍ଯହୋଇ ଗଗନ ମୋବାଇଲ ଟର୍ଚ୍ଚ ଲଗାଇ ଆଗକୁ ଦେଖିବାକୁ ଲାଗିଲା। ତା କାନ ପାଖରେ ହଠାତ୍ ଗୁଞ୍ଜରିତ ହେଲା- - ଗଗନ, କାହାକୁ ଖୋଜୁଛ? ମୁଁ ପରା ତୁମ ପଛରେ ଅଛି। ତୁମେ ଏତେ ଶୀଘ୍ର ଚାଲୁଛ ଯେ ମୁଁ ପଛେଇଗଲି।
ଭୟରେ ଶିହରି ଉଠିଲା ଗଗନ। ତା ହାତରୁ ମୋବାଇଲ ତଳେ ପଡିଗଲା ଓ ବ୍ଯାଟେରୀ, ଖୋଳ ଆଦି ଅଲଗା ହୋଇଗଲା। ଭୟ ମିଶ୍ରିତ କ୍ରୋଧରେ ଗଗନ ଚିତ୍କାର କରିଉଠିଲା- - ଆରେ ମୋତେ ଡରଉଛ ନା କଣ? ଭୂତଙ୍କ ପରି କାହିଁକି ହେଉଛ? ଭଦ୍ରଲୋକଙ୍କ ପରି ବ୍ଯବହାର କର। ନହେଲେ ମୁଁ ଘରକୁ ଫେରିଯିବି। ଦରକାର ନାହିଁ ମୋର ମଶାଣିକୁ ଯିବା। ତୁମ ଶହେଟଙ୍କା ବି ପାଣିରେ ପଡିବ ବୋଲି ଜାଣିରଖ।
- - ଏତିକି ରେ ଡରିଗଲ ଗଗନ ? ମଶାଣିକୁ ଯିବାକୁ ସାହାସ ଅଛି ତ? ମୋ ପଛେପଛେ ଆସ। ବିଚିତ୍ର ସ୍ବରରେ କହିଲା ସେ ଲୋକ।
ସେତେବେଳକୁ ଗଗନର ମଦନିଶା ସମ୍ପୂର୍ଣ୍ଣ ଉତୁରି ସାରିଥିଲା। ହୃଦୟ କମ୍ପନର ମାତ୍ରା ଏତେ ବଢି ଯାଇଥିଲା ଯେ ତାକୁ ଲାଗୁଥିଲା ଯେ କୌଣସି ସମୟରେ ଛାତିଚିରି ତା ହୃଦୟ ବାହାରକୁ ଚାଲିଆସିବ। ଦେହରୁ ବୋହୁଥିବା ଗମଗମ ଝାଳରେ ସେତେବେଳକୁ ସେ ତିନ୍ତି ସାରିଥିଲା। ଲୋକଟି ଉପରେ ଧ୍ଯାନ ନ ଦେଇ ସେ ଚାଲିବାକୁ ଲାଗିଲା। ଅଳ୍ପଦୂରରେ ଗାଁଆ ମଶାଣିର ଝାପସା ଆକୃତି ଦିଶିଯାଉଥିଲା। ବିଭିନ୍ନ ବିଶାଳ ଆକୃତି ବିଶିଷ୍ଟ ଗଛ ମାନଙ୍କ ଦ୍ବାରା ପରିବେଷ୍ଟିତ ହୋଇ ରହିଥିଲା ମଶାଣି। ବହୁବର୍ଷ ତଳେ ଜଣେ ସଂପର୍କୀୟଙ୍କୁ ଦାହ କରିବାକୁ ବାପାଙ୍କ ସାଙ୍ଗରେ ଗଗନ ଏହି ମଶାଣିକୁ ଆସିଥିଲା। ସେତେବେଳକୁ ମଶାଣିର ରୂପ ତାକୁ ଭୟାନକ ଲାଗୁଥିଲା ଓ ବାପାଙ୍କ ପଛରେ ଲୁଚିରହି ଶୀଘ୍ର ଘରକୁ ଫେରିଯିବା ପାଇଁ ଜିଦି କରି ସେ କାନ୍ଦିକାନ୍ଦି ନୟାନ୍ତ ହୋଇ ଯାଇଥିଲା। ଇତି ମଧ୍ଯରେ ବହୁବର୍ଷ ବିତି ସାରିଥିଲା ,ମାତ୍ର ମଶାଣିର ରୂପରେ ବିଶେଷ କିଛି ପରିବର୍ତ୍ତନ ଆସି ନଥିଲା। କେବଳ ସେହି ଗଛ ମାନଙ୍କର ଆକାର ବଢି ଯାଇଥିଲା ଯାହା। କିଛି ସମୟ ମଧ୍ଯରେ ସେ ମଶାଣି ପାଖରେ ପହଞ୍ଚି ଶାନ୍ତିରେ ନିଶ୍ବାସ ମାରିଲା। ସେ ସ୍ଥାନରୁ ଗାଁଆର ରୂପ ଦେଖି ଗଗନ ଆଶ୍ଚର୍ଯ୍ଯ ହୋଇଗଲା। ଆକାଶରେ ମିଞ୍ଜିମିଞ୍ଜି କରୁଥିବା ତାରା ଓ ଗାଁଆରେ ଜଳୁଥିବା କିଛି ଲାଇଟ୍ ମଧ୍ଯରେ ବିଶେଷ ପ୍ରଭେଦ ଥିବା ପରି ଦିଶୁ ନ ଥିଲା। ଲାଗୁଥିଲା ସତେକି ଆକାଶ ନିଜର କାୟା ବିସ୍ତାର କରି ତା ଗାଁଆକୁ ଆଲିଙ୍ଗନବଦ୍ଧ କରିନେଇଛି। ହଠାତ ତା କାନରେ ପଡିଲା କୁକୁର ମାନଙ୍କର ବିକଟାଳ ଚିତ୍କାର। ସେମାନେ କାହାକୁ ଗୋଡାଇ ଭୁକିବା ପରି ମନେ ହେଉଥିଲା। କିନ୍ତୁ ଏତେ ରାତିରେ ମଶାଣି ପାଖରେ ସେମାନେ କାହାକୁ ଭୁକୁଥାଇ ପାରନ୍ତି ବୋଲି ଗଗନ ଭାବିପାରିଲା ନାହିଁ। ତା ମନରେ ଭୟ ଧିରେଧିରେ କାୟା ବିସ୍ତାର କରି ଚାଲିଥିଲା। ମାତ୍ର ସେ କାହାକୁ ଡରୁଥିଲା ନିଜେ ମଧ୍ଯ ଜାଣି ପାରୁ ନ ଥିଲା। କିପରି ଶୀଘ୍ର ସେ ଘରକୁ ଯିବ ସେକଥା ଭାବି ବ୍ଯସ୍ତ ହୋଇ ଉଠିଲା। ଗଗନର ମାନସପଟ୍ଟଳରେ ଖେଳି ଚାଲିଥିଲା ଚିନୁ କହିଥିବା କାହାଣୀର ଦୃଶ୍ଯମାନ। ଏବେ ସେ ଅନୁଭବ କରି ପାରୁଥିଲା ରାତିର ନିର୍ଜନ ପ୍ରହରରେ ଏପରି ଏକ ଭୌତିକ ସ୍ଥାନରେ ଏକୁଟିଆ ରହିବାର ଅନୁଭୁତି।
ଚିତ୍କାର କରି ଗଗନ କହିଲା- - ଆରେ ତୁମେ ପୁଣି କୁଆଡେ ଚାଲିଗଲ ? ମୋ ସହ ଦୟାକରି ଲୁଚକାଳି ଖେଳିବା ବନ୍ଦକର। ଜଲଦି ଆସ ମୁଁ ଫଟୋ ଉଠାଇ ଘରକୁ ଫେରିଯିବି। ଏ ସ୍ଥାନରେ ରହିବାକୁ ମୋର ତିଳେ ମାତ୍ର ଇଚ୍ଛା ନାହିଁ। ଗୋଡ ପାଖରେ କିଛି କଠିନ ବସ୍ତୁର ସ୍ପର୍ଶରେ ଗଗନ ଚମକି ଉଠିଲା। ଟର୍ଚ୍ଚ ମାରିଦେଖିଲା ବେଳକୁ ଏକ ମଣିଷ ଖପୁରୀ ତା ପାଦତଳେ ପଡିଥିଲା। ଗଗନକୁ ଲାଗିଲା ସେ ଖପୁରୀଟି ତା ଆଡକୁ ଚାହିଁ ଅଟ୍ଟହାସ୍ଯ କରିବାକୁ ଯାଉଛି। ମୋବାଇଲ ଟର୍ଚ୍ଚର ଆଲୋକ କିଛି ଦୂରକୁ ପକାଇ ଗଗନ ଦେଖିଲା ଚାରିପଟର ବିଭତ୍ସ ଦୃଶ୍ଯ। ଚତୁର୍ଦ୍ଦିଗରେ ବିଛାଡି ହୋଇ ଦରପୋଡା କାଠ,ପାଉଁଶ,ମଣିଷ ଖପୁରୀ,ହାଡ, ଛିଣ୍ଡା କମଳ,ତକିଆ, ଚପଲ , ଭଙ୍ଗାହାଣ୍ଡି, ମାଠିଆ ଆଦି ପଡି ରହିଥିଲା। ଭୟ ଓ ଘୃଣାରେ ଗଗନର ଆଖି ବନ୍ଦ ହୋଇଗଲା। ତାକୁ ଲାଗିଲା କେହିଜଣେ ତା ସାମ୍ନାରେ ଦୌଡି ପଳାଇଲା। ପାଦ ଶବ୍ଦ ଓ ପବନର ହାଲୁକା ସ୍ପର୍ଶ ସେ ଭଲରେ ଅନୁଭବ କରି ପାରୁଥିଲା। ପୁଣି ଲାଇଟ୍ ମାରି ଦେଖିଲା, ଗଛ ପଛରେ କେହି ଜଣେ ଲୁଚି ଲୁଚି ତାକୁ ଦେଖୁଛି। ମୋବାଇଲ ଲାଇଟରେ ସେହି ଆକୃତିର ଅଧା ଅଂଶ ଦିଶୁଥିଲା ଓ ବାକି ଅଧା ଲୁଚି ରହିଥିଲା ଗଛ ପଛରେ। ହାଲୁକା ପବନରେ ଗଛର ପଛପଟରୁ ଉଡି ଚାଲିଥିଲା ଘନକଳା ରଙ୍ଗର ଲମ୍ବାଲମ୍ବା କେଶ। ଥରଥର ହାତରେ ଲାଇଟ ଅଳ୍ପ ଉପରକୁ ପକାଇ ଗଗନ ଯାହା ଦେଖିଲା ତା ପାଦ ତଳୁ ମାଟି ଖସି ଯିବାପରି ଲାଗିଲା। ରଡନିଆଁ ପରି ଜଳି ଚାଲିଥିବା ଦୁଇଟି ଆଖି ଗଗନ ଆଡକୁ ଗଛ ଉହାଡରୁ ଚାହିଁ ରହିଥିଲେ। ଭୟରେ ସେ ମୋବାଇଲର ଟର୍ଚ୍ଚ ବନ୍ଦ କରିଦେଇ ସେ ଲୋକକୁ ନିଜର ସମସ୍ତ ଶକ୍ତି ଖଟାଇ ଡାକିବାକୁ ଲାଗିଲା। ଏଥର ସେ ଲୋକର ଉତ୍ତର ଆସିଲା ଏକ ଉଚ୍ଚ ଗଛ ଉପରୁ- - ହଁ କୁହ ଗଗନ। କଣ ମଶାଣିକୁ ଆସି ଭଲ ଲାଗୁଛି ତ ? ମନଭରି ଫଟୋ ଉଠାଇଚାଲ। ତୁମେ ଖୋଜୁଥିବା ଜିନିଷ ଆଜି ମଶାଣିରେ ଭରପୁର ରହିଛନ୍ତି। ତୁମେ ବୋଧେ ଜାଣିଥିବ, ଆଜି ହେଲା ଅମାବାସ୍ଯା। ହାଃ ହାଃ ହାଃ।
ଗଗନର ପାଟି ଖନି ମାରି ଆସିଲା- - ସେ ନେହୁରା ହୋଇ ପଚାରିଲା- - କି କି କି କିଏ ତୁମେ। ତୁମେ ମଣିଷ ନାଁ ଅନ୍ଯକିଛି?
- - ହାଃ ହାଃ ହାଃ ତୁମେ ଏତେ ବୋକା ନୁହଁ ଗଗନ। ଏତିକି ସମୟ ଯାଏଁ ଜାଣି ପାରିଲନି ମୁଁ କଣ ବୋଲି? ଆହୁରି ପ୍ରମାଣ ଦରକାର? ଚିନୁ ଯାହାସବୁ କହୁଥିଲା ମନେ ଅଛି ତ ? ମୁଁ ପରା ଦନେଇ। ଚିନୁ ଦେହରେ ରହିଲି ବୋଲି ଗୁଣିଆ ଜୋରଜବରଦସ୍ତି କରି ମୋତେ ଆଣି ଏ ମଶାଣିରେ ବାନ୍ଧି ପକେଇଲା। ସେଦିନ ଠୁଁ ଗାଁଆକୁ ଯାଇନି। ଯାହାହେଉ ଏବେ ଯିବାରେ ଆଉ ଅସୁବିଧା ହେବନି। ଏତିକି କହିବା ସହିତ ଗଛ ଉପରୁ କିଛି ଓଜନଦାର ଜିନିଷ ଭୁଷଭାଷ ହୋଇ ପଡିବାର ଶବ୍ଦହେଲା। ସେହି ଶବ୍ଦ ସହିତ ତାଳଦେଇ ସମସ୍ତ ଗଛରୁ ବିକଟାଳ ଚିତ୍କାର କରି ଜିନିଷମାନ ପଡିବା ଆରମ୍ଭ ହୋଇଗଲା। ଏମିତି ଏକ ପରିସ୍ଥିତିରେ ପଡିବ ବୋଲି ଗଗନ ସ୍ବପ୍ନରେ ସୁଦ୍ଧା ଭାବିନଥିଲା। କଳ୍ପନା ଠାରୁ ବାସ୍ତବିକତାର ରୂପ ଯେ ଏତେ ଭୟଙ୍କର ହୋଇପାରେ ବୋଲି ସେ ଆଶା କରିନଥିଲା। ଭୂତପ୍ରେତଙ୍କ ଅସ୍ତିତ୍ବକୁ ନେଇ ସନ୍ଦିହାନ ଥିବା ଗଗନ ଭୟଙ୍କର ଅଶରୀରୀ ମାନଙ୍କର ହାବୁଡରେ ପଡି ସାରିଥିଲା। ପାଗଳଙ୍କ ପରି ଚିତ୍କାର କରି ସେ କହିଚାଲିଲା- - ତୁ ମସ୍ତବଡ ପାଜି,ଖଣ୍ଟ, ବଦମାସ ଲୋକ। ଆମମାନଙ୍କର ସବୁ କଥାଶୁଣିସାରି ସେଇ ସସବୁ କଥା କହି ମୋତେ ଡରାଇବାକୁ ଚେଷ୍ଟା କରୁଛୁ। ତୁ ଯେମିତି ତୋ ଘରଲୋକ ମାନେ ବି ସେମିତି। ତୁମେମାନେ ଯେତେ ଚେଷ୍ଟାକଲେ ମଧ୍ଯ ମୋତେ ଡରାଇ ପାରିବନି। କିଛି ଭୂତପ୍ରେତ ନାହାଁନ୍ତି ସବୁ ମିଛ। ଡାହା ମିଛ ସବୁ। ଏତିକି କହି ସେ ମୋବାଇଲ ଟର୍ଚ୍ଚକୁ ଚାରି ଆଡକୁ ବୁଲାଇବାକୁ ଲାଗିଲା। କିନ୍ତୁ ଏ କଣ, ! ପ୍ରତି ଗଛ ଉହାଡରୁ ଅସ୍ପଷ୍ଟ ଭାବରେ ଦିଶିଯାଉଥିଲା ବିକୃତ ଆକୃତି ବିଶିଷ୍ଟ ଭୟଙ୍କର ମୁହଁ ମାନ। କାହାର ମୁହଁ ଅଧା ପୋଡି ଯାଇଥିଲା ତ କାହାର ଆଖି ପଦାକୁ ବାହାରି ପଡିଥିଲା। କାହାର ଦେହସାରା ରକ୍ତରେ ଜୁଡୁବୁଡୁ ହୋଇଥିଲା ତ କାହାର ମୁଣ୍ଡ ପଛପଟକୁ ଢଳି ପଡିଥିଲା। ସେହିସବୁ ମୂର୍ତ୍ତି ଗୁଡିକ ଧିର ମନ୍ଥର ଗତିରେ ଗଗନ ଆଡକୁ ଅଗ୍ରସର ହେବାରେ ଲାଗିଥିଲେ। ଗଗନ ପାଟିକରିବାକୁ ଚାହିଁଲା ମାତ୍ର ତାର ପାଟିରେ ଜାବ ପଡି ଯାଇଥିଲା। ଦୌଡି ସେ ସ୍ଥାନରୁ ପଳାଇବାକୁ ଚେଷ୍ଟାକଲା , ମାତ୍ର ତା ହାତଗୋଡ ହଲୁ ନ ଥିଲା। ମୋବାଇଲରୁ ଚାର୍ଜ ସରିଗଲା କି କଣ, ଧପଧପ କରି ମୋବାଇଲ ଲାଇଟ ବନ୍ଦ ହୋଇଗଲା। କାନ ପାଖରେ କାହାର ବିକଟାଳ ଚିତ୍କାର ଶୁଣି ଗଗନ କାନର ପରଦା ଫାଟି ଯିବା ପରି ଲାଗିଲା। ସେ ଅନୁଭବ କଲା ତା ଦେହରେ ଅନେକ ହାଡମୟ ଶରୀରର ଉତପ୍ତ ସ୍ପର୍ଶ। ସତେକି ସେହି ହାଡ ଗୁଡିକ ପରଖି ଦେଖୁଥିଲେ ଗଗନର ଶରୀର, ଠିକ୍ ଯେପରି କାଟିବା ପୂର୍ବରୁ କଂସେଇ ଖାସିକୁ ପରୀକ୍ଷା କରେ। ଧିରେଧିରେ ଗଗନକୁ ଲାଗିଲା ତା ଆଖି ସାମ୍ନାରେ ଅନ୍ଧକାର ଘୋଟି ଯାଉଛି, ଦେହର ରକ୍ତ ପାଣି ଫାଟି ଚାଲିଛି। ଲାଗୁଥିଲା ସତେକି ଏହିକ୍ଷଣି ତା ଛାତି ଫାଟିଯିବ। ବେକ ପାଖରେ କାହାର ଶିରାଳ ହାତର ସ୍ପର୍ଶରେ ସେ ଶିହରି ଉଠିଲା। ନିଜକୁ ବଞ୍ଚାଇବାକୁ ଚେଷ୍ଟାକରି ବିଫଳ ହେଲା। ପ୍ରଚଣ୍ଡ ଧକ୍କାରେ ସେ ତଳେ ପଡିଗଲା ଓ ତା ଉପରେ ଅନୁଭବ କଲା ଅନେକ କଂକାଳମୟ ଶରୀର ମାନଙ୍କର ଆତଯାତ। ଗଗନର ଆଖି ବନ୍ଦ ହୋଇଗଲା।
କୋଳାହଳ ଶୁଣି ଗଗନ ଆଖି ଖୋଲି ଦେଖିଲା ତା ସାଙ୍ଗ ମାନଙ୍କ ମେଳରେ ତା ବାପା ମଶାଣି ଭିତରେ କାନ୍ଦୁଛନ୍ତି। ସକାଳ ହୋଇସାରିଥିଲା ଓ ରାତିର ସେହି ଭୟଙ୍କର ଦୃଶ୍ଯମାନ ଅପସରି ଯାଇଥିଲା। ସେ ଭାବିଲା କିଛି ସମୟ ଗଛ ପଛରେ ଲୁଚି ରହି ମଜା ଦେଖିବ। ବାପା ଓ ସାଙ୍ଗ ମାନେ ତାକୁ ଖୋଜିଖୋଜି ହାଲିଆ ହୋଇଯିବା ପରେ ସେ ବାହାରକୁ ଆସି ସମସ୍ତଙ୍କୁ ଚମକାଇ ଦେବ। ସାଙ୍ଗମାନଙ୍କୁ କହିବ- - ଆରେ ତୁମେମାନେ ମୋତେ ସିନା ଛାଡି ଚାଲିଗଲ, କିନ୍ତୁ ମୁଁ ମଶାଣିରେ ଭୂତ ଦେଖିଲି ଓ ଫଟୋ ବି ଉଠାଇଲି। ଯେଉଁ ଦଶହଜାର ଟଙ୍କା ମିଳିବ ସେଥିରେ କାହାର ଭାଗ ରହିବନି, ସବୁ ଟଙ୍କା ମୋର। ବହୁତ ସମୟ ଧରି ସେ ଅପେକ୍ଷା କଲା ମାତ୍ର ତାକୁ କେହି ଖୋଜିବା ପରି ଲାଗିଲାନି। ସମସ୍ତେ କାଠ ସଜାଇବାରେ ଲାଗିଥିଲେ। ଗଗନ ଚମକି ପଡିଲା- - ତାଙ୍କ ଘରେ କାହାର କିଛି ହୋଇ ଗଲା କି ଆଉ ? ! ବୋଉର ଦେହ ତ ଠିକ୍ ଥିଲା, ସାନଭାଇ ତ ତା ଚାକିରି ଜାଗାରେ ଅଛି। ତେବେ କିଏ ଆଉ ହୋଇଥାଇ ପାରେ ? ସାହିରେ କିଏ ମରିଗଲା କି ଆଉ ? ଏମିତି କେତେ କଣ ଭାବିଲା ବେଳକୁ ଧଳା ଚାଦରରେ ଘୋଡା ହୋଇଥିବା ଶବକୁ ସମସ୍ତେ ମିଶି ଜୁଇ ଉପରକୁ ଉଠାଇଲେ। ଗଗନ ପାଟିରୁ ବାହାରି ପଡିଲା- - ଆହା, ଶବଟି ରକ୍ତାକ୍ତ ହୋଇ ଯାଇଛି। କେମିତି ମୋଡିମାଡି ହେଲା ପରି ଲାଗୁଛି। ନିହାତି ଗାଡିମୋଟର ମାଡି ଯାଇଥିବ। ସେ ବିଳମ୍ବ ନକରି ବାପାଙ୍କ ପାଖକୁ ଯିବାକୁ ବାହାରିଲା। କିନ୍ତୁ ସେତିକି ବେଳେ କେହିଜଣେ ତାକୁ ପଛରୁ ଭିଡି ଧରିଲା। ନିଜକୁ ମୁକ୍ତ କରିବାକୁ ଗଗନ ଚେଷ୍ଟା କରି ବିଫଳ ହେଲା। ତା ବାପା ଧଳା ଚାଦରକୁ ଶବର ମୁହଁ ଉପରୁ ଉଠାଇ ବିକଳ ହୋଇ କାନ୍ଦିବାକୁ ଲାଗିଲେ। ସେ ମୁହଁ ଦେଖିବା ମାତ୍ରକେ ଗଗନ ସ୍ଥାଣୁ ପାଲଟିଗଲା। ସେ ନିଜ ଆଖିକୁ ବିଶ୍ବାସ କରି ପାରୁ ନ ଥାଏ। କାରଣ ଜୁଇ ଉପରେ ଜାକିମାଡି ହୋଇ ରକ୍ତାକ୍ତ ଅବସ୍ଥାରେ ଶୋଇ ରହିଥିଲା ନିଜେ ଗଗନ। ହଁ ତାହା ଗଗନର ଶବଥିଲା। ପୂର୍ବରାତିରେ ତାକୁ ଶବରେ ରୂପାନ୍ତରିତ କରିଦେଇଥିବା ଅଶରୀରୀ ମାନେ ଗଛ ଉପରୁ ଗଗନ ଆଡକୁ ଚାହିଁ ଅଟ୍ଟହାସ୍ଯ କରିବାରେ ଲାଗିଥିଲେ। ଯାହା ଶୁଣି ପାରୁଥିଲା କେବଳ ଗଗନର ଆତ୍ମା। ଭୂତପ୍ରେତଙ୍କର ଅସ୍ତିତ୍ବ ବିଷୟରେ ଗବେଷଣା କରୁକରୁ ଗଗନ ସେତେବେଳକୁ ନିଜେ ଭୂତ ପାଲଟି ସାରିଥିଲା । ଏତିକି ଥିଲା କାହାଣୀ ସେଇ ରାତିର।