କାବେରୀ
କାବେରୀ
ଦୁଇ ପରିବାର ପାଇଁ ଏକ ଅବୁଝା ଚିନ୍ତାର ବିଷୟ ପାଲଟି ଯାଇଥିଲେ କାବେରୀ ଏବଂ ମାଧବ । ବାହାଘରକୁ ବିତିଯାଇଥିଲା ଚାରି ବର୍ଷ । ହସ ଖୁସିରେ ସେମାନେ ଦେଉଥିଲେ କଏଦ କରିଥିବା କେତେ ରଂଗୀନ ଚିତ୍ର । ତାଙ୍କୁ ଖୁସିରେ ଏବଂ ଏତେ ଶାନ୍ତିରେ ଦେଖି ପେଟ ପୁରିଯାଉଥାଏ ସଭିଙ୍କ । ହେଲେ ସବୁବେଳେ ପେଟ ଗୋଟିଏ ହିଁ ଖାଦ୍ୟରେ ସନ୍ତୁଷ୍ଟ ନହେବା ପରି ସମୟ ସହ ଦୁଇ ପରିବାରର ଚାହିଦା ବଢେ । ମନ ଖୋଜେ କାବେରୀ ଏବଂ ମାଧବର ସନ୍ତକକୁ । ଆଖି ଦେଖେ ସ୍ବପ୍ନ କେତେ ମିଠା ଓ ମଧୁର ଶାନ୍ତିରେ । ହେଲେ ସ୍ବପ୍ନ କେବେ ବାସ୍ତବର ରୂପ ନେଉନଥାଏ । ଏତେ ବର୍ଷ ପରେ ମଧ୍ୟ ଘରେ ଗୋଟେ ନୂଆଁ ଅତିଥିର ଆଗମନ ହୋଇନଥାଏ ।
ବାଙ୍ଗାଲୋର ସହର । ଭାରତର ବିରାଟ ଚାକଚକ୍ୟ ଏବଂ ବିଳାସପୂର୍ଣ୍ଣ ସହରର ଧାଡିରେ ଥିବା ଅନ୍ୟ ଚଞ୍ଚଳମୟ ସହର । ଯେଉଁଠି ମଣିଷ ଠୁ ଆରମ୍ଭ କରି ସବୁକିଛି ଚଳଚଞ୍ଚଳ । ସକାଳ ରାତି ସବୁବେଳେ ଲାଗିଥାଏ ଭିଡ । କେତେବେଳେ ମଣିଷ ଥକିଯାଇ ଶୋଇପଡେ ସେକଥା ବି ଜଣାପଡୁନଥାଏ ସହଜରେ । ସେଭଳି ଏକ ସହରର ଏକ ବିଦେଶୀ କମ୍ପାନୀରେ କାର୍ଯ୍ୟରତ ମାଧବ ପାଇଁ କାବେରୀ ଭଳି ଉଚ୍ଚ ଶିକ୍ଷିତ, ସୁନ୍ଦରୀ ଝିଅକୁ ପସନ୍ଦ କରାଯାଏ । କାବେରୀର ଘରେ ମଧ୍ୟ ଏତେ ଭଲ ପ୍ରସ୍ତାବକୁ ମନା କରିବାକୁ ଚାହୁଁ ନଥିବାରୁ ଖୁବ୍ ଧୂମଧାମରେ ବିବାହ ସଂପୂର୍ଣ୍ଣ ହୋଇଥାଏ ।
ବିବାହ ପରେ କିଛି ଦିନ ଯାହା ଶାଶୁଘରେ ରହିବା ପରେ ବାପା ମାଆଙ୍କଠୁ ଶେଷ ବିଦାୟ ନେଇ ସେ ଦୁହେଁ ବାଙ୍ଗାଲୋର ଗଲା ଦିନରୁ ଆଉ କେବେ ଫେରିନାହାନ୍ତି ନିଜ ମାଟିକୁ । ଏମିତିକି କାବେରୀ ନିଜ ଭଉଣୀର ବାହାଘରକୁ ମଧ୍ୟ ଆସିନାହିଁ କିଛି ଗୋଟେ କାରଣ ଦର୍ଶାଇ । ମାଧବ ମଧ୍ୟ ଆସିନି ଘରର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ । ହେଲେ ଦେଖିବାକୁ ସବୁକିଛି ଭଲ ଦୁହିଁଙ୍କ ଭିତରେ । ଯେମିତି ସାଧାରଣ ମଣିଷ ଏକାଠି ରହେ ଖାଏ ବୁଲେ ଠିକ୍ ସେଭଳି ସେମାନେ ମଧ୍ୟ ଖୁସିରେ । ତଥାପି ନା କେବେ ଆସୁଛନ୍ତି ନା ତାଙ୍କ ସଂସାରରେ ନୂତନ ଖୁସି ଆସୁଥାଏ ।
ଏପଟେ ଶାଶୁ ଶ୍ବଶୁର ସହ ମା ବାପା ସଭିଙ୍କ ଚିନ୍ତା ଧିରେ ଧିରେ ବଢିବଢି ଚାଲୁଥାଏ । କାବେରୀକୁ ଯେତେ ଥର ପରିବାର ଆଗକୁ ବଢେଇବା କଥା କୁହାଯାଏ ସେ ସବୁବେଳେ ହଁ ଟିଏ କହି ତୁନି ରହିଯାଉଥାଏ । ତାଠୁ ନଛେ ବିବାହ କରି ତା ଭଉଣୀର ଖୁସି ଖବର ଆସିଯାଇଥିଲେ ମଧ୍ୟ ସେମାନଙ୍କ ନଥାଏ । ଏଭଳି ପରିସ୍ଥିତିରେ ପଡିବା ପଡେ ଥରେ ଦୁଇ ପରିବାର କଥା ହୋଇ ଏକାଠି କାବେରୀ ଏବଂ ମାଧବକୁ ନଜଣେଇ ବାହାରିଲେ ତାଙ୍କ ପାଖକୁ । ସେମାନଙ୍କୁ ହଠାତ୍ ଚକିତ କରି ଖୁସି ବାଣ୍ଟିବା ଉଦ୍ଦେଶ୍ୟରେ ଯାଇ ପହଞ୍ଚିଲେ ବାଙ୍ଗାଲୋରର ନିର୍ଦ୍ଦିଷ୍ଟ ଠିକଣାରେ ।
ସକାଳ ପ୍ରାୟ ନ'ଟା ପାଖାପାଖିର ସମୟ । ମାଧବର ଅଫିସ ଟାଇମ । କବାଟରେ ଶୁଭାଯାଏ ଓମ ଜୟ ଜଗଦୀଶ ହରେର ସ୍ବର । କବାଟ ଖୋଲେ କାବେରୀ । ହେଲେ ଏ କଣ । କାବେରୀ ସଭିଙ୍କୁ ଏକାଠି ଦେଖି ଖୁସି ହେବା ପରିବର୍ତ୍ତେ ଥାଏ ଚକିତ ଏବଂ ଯେମିତି ଭୟାତୁର । କଣ କରିବ କଣ ନାହିଁ ଭିତରେ ସେ ଥରୁଥାଏ ସାମାନ୍ୟ । ସେତେବେଳେ ହଠାତ୍ ଭିତର ରୁମରୁ ଶୁଭାଯାଏ - "କାବେରୀ ଏସା କୋନ ହେ ଯୋ ତୁମ ଏକଦମ ଚଲିଗଲି ହୋ । ଆଓ ଜଲଦି ରିକୁ କୋ ସମ୍ବାଲୋ ।"
ରିକୁ ! କିଏ ସେ ! ପୁଣି ଜଣେ ମହିଳାଙ୍କ ସ୍ବର ! ଘର ଭିତରକୁ ପଶି ଆସି କିଛି ପ୍ରଶ୍ନ କାବେରୀକୁ ନକରି ସିଧା ଚାଲିଯାନ୍ତି ଆବାଜ ଆସିଥିବା ରୁମକୁ । ମାଧବ ସହ ଜଣେ ଝିଅ । ଯାହାକୁ ସେମାନେ କେବେ ଦେଖି ନାହାନ୍ତି କି ଜାଣି ନାହାନ୍ତି । ସେ ପୁଣି ମାଧବର ଡ୍ରେସ ର ବଟମ ଲଗେଇ ଦେଉଛି । ଦୁହେଁ ସ୍ବାମୀ ସ୍ତ୍ରୀଙ୍କ ପରି ବାହୁରେ ଛନ୍ଦି ହୋଇ ଅଛନ୍ତି । ପାଦ ତଳୁ ଖସିପଡେ ମାଟି । ମାଧବ ମଧ୍ୟ ଆଶ୍ଚର୍ଯ୍ୟାନ୍ବିତ ହୋଇପଡେ ।
କାହାରିକୁ ଆଉ କିଛି ବୁଝେଇବାକୁ ଆବଶ୍ୟକତା ପଡେନାହିଁ । ମାଧବ ଯେ କାବେରୀ ସହ କେବଳ ନାମ ମାତ୍ର ସଂପର୍କରେ ବନ୍ଧା ରହି ବାଙ୍ଗାଲୋରର ଅନ୍ୟ ଏକ ଝିଅକୁ ଦେଇଛି ପତ୍ନୀର ମର୍ଯ୍ୟାଦା । ରିକୁ ତାଙ୍କର ହିଁ ସନ୍ତକ । ହେଲେ ଏତେ ସବୁ କଥାକୁ ହସି ହସି ବିଷ ପରି ସହିଛି କାବେରୀ କାହିଁକି ! କି ଲାଭ ପାଉଛି ସେ ! ପ୍ରେମ ପାଉନି ଓଲଟା ନିଜର ବୋଲି ଯିଏ ତାକୁ ସେ ଦେଖୁଛି ଆଉ କାହା କୋଳରେ । ମାଧବ ତ ପିତୃସୁଖ ପାଇ ଯାଇଛି ସତ ହେଲେ ମାତୃ ମମତାରୁ ଦୂରେଇ ରହିଛି କାବେରୀ ! କିନ୍ତୁ କାହିଁକି ! ଏତେ ବଳିଦାନ କାହିଁକି !
ସତ ସବୁ ସାମ୍ନାକୁ ଆସିବା ପରେ ମଧ୍ୟ କାବେରୀ ଚୁପ୍ ରହିଥାଏ । ତାକୁ ହଜାରେ ପ୍ରଶ୍ନ କଲେ ମଧ୍ୟ ସେ କେବଳ ଗୋଟିଏ କଥା କି ସେ ଖୁସିରେ ଅଛି । କାବେରୀର ବାପା ମାଆଙ୍କ ଆଖିରେ ଧାର ଧାର ଲୁହ । ତାଙ୍କ ଝିଅକୁ ସେମାନେ ଚୁପ୍ ରହିବା କଣ ଶିଖେଇ ଥିଲେ ଯେ ସେ ଏତେ ମାତ୍ରରେ ଚୁପ୍ ରହି ସବୁ ଦୁଃଖକୁ ଅନର୍ଗଳ ପିଇ ଦେଉଛି । ଏମିତିକି ସେ ଏଇ ବେରଙ୍ଗମୟ ଜୀବନକୁ ଚିରଦିନ ପାଇଁ ଆପଣେଇ ରହିବାକୁ ହିଁ ଚାହିଁଛି ।
ହେଲେ ଦ୍ୱିତୀୟ ଈଶ୍ବର ସମ ଶାଶୁ ଶ୍ବଶୁର ଆଉ କାବେରୀକୁ ସେଠି ନରଖି ମାଧବ ସହ ସମସ୍ତ ସଂପର୍କ ଛିଣ୍ଡାଇ ଫେରିଆସିଲେ ଓଡିଶା । ସବୁ ସମାପ୍ତି ଏକ ନୂଆଁ କିଛିର ଉତ୍ପତ୍ତି କରେ । କାବେରୀର ଜୀବନ ଏବେ ଠିକ୍ ସେଇ ଶେଷ ରୁ ପୁଣି ଆରମ୍ଭର ଆଶାରେ ଛନ୍ଦି ହୋଇପଡିଛି । ନୂତନ ଆଲୋକର ଅପେକ୍ଷାରେ କାବେରୀର ବାକିତକ ଜୀବନ ।
