Sriman Bapu

Tragedy Inspirational Others

4.5  

Sriman Bapu

Tragedy Inspirational Others

କିଏ ସେ ?

କିଏ ସେ ?

6 mins
524



ଆମ ମାନ୍ୟବର ପ୍ରଧାନମନ୍ତ୍ରୀ , ନରେନ୍ଦ୍ର ମୋଦୀଙ୍କ  ସ୍ୱଚ୍ଛ ଭାରତ ଅଭିଯାନର ବହୁ ପୂର୍ବରୁ ଏ କାହାଣୀ , ଯେତେବେଳେ ସେ ଗୁଜୁରାଟର ମୂଖ୍ୟମନ୍ତ୍ରୀ ଥିଲେ ସେବେକାର ଏ ଘଟଣା । ସେ‌ହି ଗୁଜୁରାଟର ବରୋଦା ସହରର , ଫତୈଗଂଜ ନାମକ ଅଞ୍ଚଳର ଜଣେ ପିଲା କି ଯୁବକ ତାହା ଦେଖି ଅନୁମାନ ଲଗାଇବା କଷ୍ଟକର କାରଣ ସେ ଆମ ଭଳି ଶାରିରୀକ ଆଉ କର୍ମ ଦୃଷ୍ଟିରୁ ସାଧାରଣ ନଥିଲା । ଏବେକାର ଭାଷାରେ ତାକୁ ଜଣେ ଦିବ୍ଯାଙ୍ଗ କୁହାଯିବ । ମୋର ବରୋଦା ଛାଡ଼ିବାର ଆଠ ବର୍ଷରୁ ଉର୍ଦ୍ଧ୍ବ ବିତିଗଲାଣି । ସ୍ୱାର୍ଥ କେନ୍ଦ୍ରିକ ବ୍ୟସ୍ତବହୁଳ ଜୀବନରେ ସେ ପିଲାଟି ବା ଲୋକଟି କଥା ମୋର କେବେ ଆଉ ମନେ ପଡ଼ିନି‌ ବା ମନେ ପଡ଼ିବା ଅନାବଶ୍ୟକ ଥିଲା କାରଣ କିଛି ତ ପାଇବାର ନଥିଲା । 

ପ୍ରଥମ ଲକଡାଉନ୍ ସମୟରେ ମୋର ବଡ଼ଭାଇ ତୂଲ୍ଯ ଦୀପକ ମହାକୁଳ ନାମକ ଘନିଷ୍ଠ ବନ୍ଧୁଙ୍କୁ ଏ କରୋନା ମହାବିପତ୍ତି ସମୟରେ ତାଙ୍କ ସହ ତାଙ୍କର ପରିବାର ଆଉ ମୋର ଅତିବ ପ୍ରୀୟା ବରୋଦାର ହାଲଚାଲ୍ ପଚାରିବା ଉଦେଶ୍ୟରେ ଫୋନ୍ କରି କଥା ହେଉଥିବା ସମୟରେ ,  ପୁରୁଣା ସ୍ମୃତିକୁ କୋରୁ କୋରୁ  ଆଉ ସେ ଅଞ୍ଚଳର ପୁରୁଣା ସ୍ମୃତି ସବୁକୁ ଆଲୋଚନା କରୁ କରୁ ବନ୍ଧୁ ଜଣକ ଅଚାନକ୍ ସେ ପିଲାଟି କଥା କହିଲେ । ମୁଁ ସେହି ଇଲାକାର ଦୀର୍ଘ ପାଞ୍ଚବର୍ଷ ବାସିନ୍ଦା ଥିଲି ହେଲେ ମୋ ସ୍ମୃତି ଶକ୍ତିକୁ ଧିକ୍ ! ମୋର ଜମା ମନେ ପଡ଼ିଲାନି, ବନ୍ଧୁ ଜଣକ ଟିକେ ବିସ୍ତାର କରି କହିବାରୁ ଅଚାନକ୍ ବିଜୁଳି ପରି ଗୋଟିଏ ଝଲକରେ ସବୁ ପରିଷ୍କାର ଦେଖାଗଲା। ସବୁ କଥା ଆଖି ଆଗରେ‌ ଜଳଜଳ କରି ନାଚିଗଲା । ଦୀପକ ଭାଇ ପିଲାଟି ‌ସମ୍ଭନ୍ଦ୍ୱରେ ଯେଉଁ ଚମତ୍କାର ଦିଗଟି ପ୍ରତି ମୋର ଦୃଷ୍ଟି ଆକର୍ଷଣ କଲେ ସେ ଦିଗରେ ମୁଁ ଆଗରୁ କେବେ ବି ଚିନ୍ତା କରି ନଥିଲି । ଏଥି ପାଇଁ ତାଙ୍କୁ ଧନ୍ୟବାଦ ଦେଇ ତାଙ୍କର ମୋ ପ୍ରତି ଥିବା ସ୍ନେହକୁ ଅବଜ୍ଞା କରିବା ହେବ । ତାଙ୍କରି ପ୍ରେରଣାରୁ ଏ ଲେଖାଟି ଆରମ୍ଭ ହେଲା ।


ପ୍ରଥମରୁ କହିଛି କି ସେ ଅନାମ ଚରିତ୍ରଟି ପିଲା କି ଯୁବକ ବାହାରୁ ଦେଖି କହିବା ମୁସ୍କିଲ ଅନ୍ତତଃ ମୋ ପକ୍ଷେ । ଯେବେ ପ୍ରଥମେ ଭେଟିଥିଲି , ସେବେ ଠୁଁ ଶେଷ ଭେଟ ଯାଏ , ଏହାର କୌଣସି ନିର୍ଦ୍ଦିଷ୍ଟ ଦିନ ମାସ କି ବର୍ଷ ମୋର ମନେ ନାହିଁ । ବାସ୍ ! ବରୋଦା ରହଣି କାଳରେ ମୋତେ ଲାଗେ , ସେ ମୋର ସମ ବୟସ୍କ ହେବ କିମ୍ବା ମୋ ଠାରୁ ଦୁଇ କି ଚାରି ବର୍ଷ ସାନ ବଡ଼ । ମୁଁ ତେଇଶି ବର୍ଷରୁ ଅଠେଇଶ ବର୍ଷ ଯାଏଁ ବରୋଦାରେ ସେହି ଗୋଟିଏ ଜାଗାରେ ଥିଲି , ତେଣୁ ପାଠକେ ନିଜେ ଅନୁମାନ କରିନିଅନ୍ତୁ ସେ ଅନାମ ପିଲାଟିର ବୟସ କେତେ ହୋଇଥିବ ।


ପିଲାଟିର ହାତ ଗୋଡ଼ ଆଉ ମୁଁହ  କୌଣସିଟି ବି ବାହ୍ଯ ଅଙ୍ଗ ସୂଚାରୁ ରୂପେ କାମ କରୁ ନଥିଲା । କଥା କହି ପାରୁ ନଥିଲା , ମୁହଁ ସବୁବେଳେ ଡାହାଣ ପଟକୁ ମୋଡ଼ି ହୋଇ ରହିଥାଏ , ଡାହାଣ ହାତଟି ଛାତି ପାଖରେ ସବୁବେଳେ ଲାଗିକି ଥାଏ ଆଉ ପାପୁଲିଟି ଡାହାଣ ଦିଗକୁ ମୋଡ଼ି ହୋଇ ଥାଏ। ବାମ ହାତଟି ତା'ର ଅଳ୍ପ କାମ କରେ , ସବୁ ଆଙ୍ଗୁଳି ଠିକ୍ ଭାବେ ବୋଲ ମାନନ୍ତି ନାହିଁ ସେଇଥିରେ ସେ ତା'ର ସବୁ କାମ ବଡ଼ କଷ୍ଟରେ ସମ୍ପାଦନ କରେ । ଦୁଇ ଗୋଡ଼ର ଅବସ୍ଥା ବି ତଦୃପ । ଯେମିତି କ୍ରିକେଟ୍ ରେ ବ୍ୟାଟ୍ସମ୍ୟାନ୍ ଜଣକ ବ୍ୟାଟିଙ୍ଗ କରିଲା ବେଳେ ବ୍ଯାଟ୍ କୁ ଧରି ଠିଆ ହୁଅନ୍ତି ଠିକ୍ ସେହି ଭଙ୍ଗିରେ ସେ ଠିଆ ହୁଏ । ବାମ ଗୋଡ଼ଟିକୁ ଟିକେ ଆଗକୁ ପକାଇ ଡାହାଣ ଗୋଡଟିକୁ ଏକ ପ୍ରକାର ଘୋଷାରି ଘୋଷାରି ନେଇ ଚାଲେ । ଏଇ ଭଳି ଲୋକଙ୍କୁ ଆମ ଭାଷାରେ କେଁପା , ହଣ୍ଡପା ଆଉ ଆଢ଼ବାଇଆ ,ପାଗଳା ଆଉ ଶୁଦ୍ଧ ସାହିତ୍ୟିକ ଭାଷାରେ ଅଷ୍ଟାବକ୍ର କୁହନ୍ତି । ଏ ସବୁ ଶବ୍ଦ ମୋତେ ସମାନ ଲାଗନ୍ତି । 

ଆମ ଭେଦଭାବ ପୂର୍ଣ୍ଣ ସମାଜରେ ଦୂର୍ବଳ ପରିଲକ୍ଷିତ ହେଉଥିବା ଲୋକମାନଙ୍କ ପ୍ରତି ଏ କଞ୍ଚା ପାଚିଲା ଶବ୍ଦ ସବୁ ତାଛଲ୍ଯ ,ହେଟାଦାର ଆଉ ଗାଳି । ଯେମିତି ମନେପକାଇ ଦେବାକୁ ଚାହାନ୍ତି କି ତୁମ ଭଳି ଅଦରକାରୀ ପ୍ରାଣୀର ଆମ ଆର୍ଦଶ ସମାଜରେ ସ୍ଥାନ ନାହିଁ । ଆଉ କିଛି ଥାଆନ୍ତି ନିଜ ନିଜ ମାନସିକ ପଙ୍ଗୁତାକୁ ଲୁଚାଇବାକୁ ଯାଇ ଏମାନଙ୍କୁ ଦୟା ଦେଖେଇ ଆହୁରି ସେମାନଙ୍କ ଆଖିରୁ ନିଜକୁ ତୁଛ କରାଇଦିଅନ୍ତି । ନିଶ୍ଚିନ୍ତ ଭାବେ କିଛି ଭଲ ମଣିଷ ଆମ ସମାଜରେ ଅଛନ୍ତି ଯେଉଁମାନେ ପ୍ରକୃତରେ ଏମାନଙ୍କୁ ବୁଝନ୍ତି ଆଉ ବାକି ମଣିଷ ଭଳି ଏମାନଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି ।


ବେଳେବେଳେ ଏହି ଦିବ୍ଯାଙ୍କ ନାମକ ଲୋକମାନଙ୍କୁ ମଧ୍ୟରୁ କେହି କେହି ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ଏମିତି କିଛି କାମ କରିଥାଆନ୍ତି ଯାହା କେବେ ବି ଆମ ତଥାକଥିତ ଶିକ୍ଷିତ,ସଭ୍ୟ ସମାଜର ସୁସ୍ଥ ଲୋକ ଜୀବନରେ କେବେ ବି ଚିନ୍ତା  କରି ନଥିବେ । ସେ ଅନାମ ବ୍ୟକ୍ତିଟି ଏମିତି ଜଣେ ବ୍ୟକ୍ତିତ୍ୱ ଯାହାକୁ ଆମ ସମାଜ କେବେ ବି  ଉଚିତ୍ ସମ୍ମାନ ଦେବ ବୋଲି ମୋର ତିଳେ ମାତ୍ର ଆଶା ନାହିଁ । ଯଦି ବା କେବେ ସମ୍ମାନିତ କରିବ ତେବେ ତାହା ସେଇ ଛୋଟା , କେମ୍ପା, ଆଢବାଇଆ , ଅଷ୍ଟାବକ୍ର କି ଦିବ୍ଯାଙ୍ଗ ଭଳି ଆଉ ଏକ ନୂଆ ନାମ ଦେବା ସହ ସମାନ ହେବ । ମୁଁ ଆଜି ନିଜେ ଲଜ୍ଜିତ ଆଉ ଭୀଷଣ ଅପରାଧବୋଧ କରୁଛି କି ଏତେ ବର୍ଷ ପରେ ଜଣେ କହିବା ପରେ ଯାଇ ତା'ର ମହାନତାକୁ ମୁଁ ଉପଲବ୍ଧୀ କରି ପାରିଲି ।  ଏ ଲେଖା , ଏ ପ୍ରୟାସ କେବଳ ସେହି ଅପରାଧବୋଧରୁ ମୁକ୍ତି ପାଇବା ପାଇଁ ଆଉ ମିଛ ସମ୍ମାନ, ଗୌରବ ହାସଲ କରିବାର ଲାଳସାରେ ବୋଧହୁଏ ପ୍ରତିପାଦନ କରୁଛି ।


ପାଠକମାନେ ବିରକ୍ତ ହୋଇଯିବେଣି , କି କ'ଣ ଏମିତି ସେ ପିଲାଟି କରିଗଲା ଯେ ସିଧା ନ କହି ସେତେବେଳୁ ଖାଲି ନିଜ କଥା ବଖାଣି ଚାଲିଛି । ସେମିତି ଦେଖିଲେ କିଛି ମହାନ୍ କାମ ନୁହେଁ , ମହାନ୍ କାମ ତ ଆମ ବଡ଼ ବଡ଼ ନେତା ଆଉ ଅଭିନେତା ମାନେ କରନ୍ତି । କ୍ଷମା କରିବେ ନେତ୍ରୀ ଆଉ ଅଭିନେତ୍ରୀ ମାନଙ୍କ କଥା ପାଶୋରି ଦେଲି । ପ୍ରଥମରୁ ଏ ବିଷୟରେ ଇଙ୍ଗିତ କରିଛି , ଭାରତ ସ୍ୱଚ୍ଛତା ଅଭିଯାନ କଥା । ସମସ୍ତେ ଦେଖିଥିବେ ଜାଣିଥିବେ କିପରି ଆମର ମହାନ ନେତା ,ନେତ୍ରୀ‌, ଅଭିନେତା ଆଉ ଅଭିନେତ୍ରୀ ଗଣ ହାତରେ ଝାଡୁ଼ପହଁରା ଧରି ଅଣ୍ଟା ଭିଡ଼ି ଲାଗିଯାଆନ୍ତି ! ଗୋଟିଏ ଦିନର କିଛି ମୂହୁର୍ତ୍ତ ମଧ୍ୟରେ ଦେଶର ବାହ୍ୟ ଆଉ ଅନ୍ତରର ସବୁ ଆବର୍ଜନାକୁ ସବୁଦିନ ପାଇଁ ସଫା କରିଦେବାର ପ୍ରାଣମୂର୍ଛା ପ୍ରୟାସ କରନ୍ତି । ଭକ୍ତ ହନୁମାନ ଯେପରି ପ୍ରଭୁ ରାମଙ୍କ କାର୍ଯ୍ୟ କରିବାକୁ ସର୍ବଦା ତତ୍ପର ଆଉ ଆତୁର ଆମର ମିଡ଼ିଆବାଲା ବି ତାଙ୍କ ପ୍ରଭୂଙ୍କର ମହାନତା ଆଉ ମହିମାର ଗୁଣଗାନ କରିବାକୁ କେବେ ଥକନ୍ତି ନାହିଁ । ସମସ୍ତେ ହୁଏତ ଗୋଟିଏ ଲାଉର ମଂଜି ନୁହନ୍ତି କିଛି ଧାନ ବି ଅଛନ୍ତି ଏ ବାଳୁଙ୍ଗା କିଆରିରେ । 


କଥାକୁ ଆଗକୁ ଅଧିକ ନ ଲମ୍ବାଇ ମୂଖ୍ୟ ବିନ୍ଦୁକୁ ଆସୁଛି । ଯେତେବେଳେ ଭାରତରେ ସ୍ୱଚ୍ଛତା ଅଭିଯାନ ବିଷୟରେ ଏତେ ଆଲୋଚନା ନଥିଲା , ଯାହାର ଗୁରୁତ୍ୱ କେବଳ କିଛି ଲୋକଙ୍କ ପାଇଁ ଆନ୍ତରିକ ଆଉ ଭକ୍ତି ଭଳି ଜୀବନର ଏକ ଅଭିନ୍ନ ଅଙ୍ଗ ଥିଲା । ସେହି ଭଳି ଲୋକମାନଙ୍କ ମଧ୍ୟରୁ ସେ ଅନାମ ବ୍ୟକ୍ତି ଜଣକ ବୋଧହୁଏ ଥିଲା । ବର୍ଷର ବାର ମାସ , ସେ ଘୁରି ବୁଲେ ଦିନ ତମାମ୍ ଫତୈଗଂଜର ରାସ୍ତା ଆଉ ଗଳିକନ୍ଦିରେ । ଅତି କଷ୍ଟରେ ପାହୁଣ୍ଡେ ପାହୁଣ୍ଡେ ପକାଇ , ତଳକୁ ନଇଁ ,ବୋଲ ମାନୁ ନଥିବା ଆଙ୍ଗୁଳିରେ ଗୋଟେଇ ଚାଲେ ପ୍ଲାଷ୍ଟିକ ପଲିଥିନ ଆଉ ଜରି । ସମସ୍ତେ କୁହନ୍ତି ଜରିଗୋଟାଳି , ହେଲେ ବାକି ଜରି ଗୋଟାଳି ପରି ତା'ର ପୋଷାକ ଛିଣ୍ଡା ମଇଳା ନଥିଲା କି କାନ୍ଧରେ ମୁଣା ନଥିଲା । 

ତେବେ କିଏ ସେ ? କେତେ ପଇସା ମିଳୁଥିବ ଏହାକୁ ଜରି ଗୋଟାଇ ? କିଏ ତା'ର ବାପା ମାଁ ? ସେମାନେ କ'ଣ ଏତେ ଗରିବ କି ଏ ପିଲାଟିକୁ ଏ ଅବସ୍ଥାରରେ କାମ କରିବା ପାଇଁ ଛାଡ଼ି ଦେଇଛନ୍ତି ? ପୁଣି ଫତୈଗଂଜ ଭଳି ଜାଗାରେ , ଯେଉଁଠି ସବୁବେଳେ ଗହଳି ଆଉ ପ୍ରବଳ ଟ୍ରାଫିକ୍ ? ଏଇମିତି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରେ ।  ହେଲେ ଉତ୍ତର ଖୋଜି ପାଇବାକୁ କେବେ ପ୍ରୟାସ କରିନି । 


ତାକୁ ଅଧିକାଂଶ ସମୟରେ ଦେଖେ ଏସ୍.ବି. ଆଇ ଛକ ପାଖରେ ଏକ ପଂଜାବୀ ସାଇକେଲ ଦୋକାନ ପାଖରେ । ସେଇଠୁ ସେ ବାହାରେ ଜରି ଗୋଟାଇ ଗୋଟାଇ । କେବେ କେବେ ରାସ୍ତା ମଝିରେ ସେ ଫଶି ଯାଏ ଉଡ଼ିଯାଉଥିବା ପଲିଥିନର ପିଛା କରୁ କରୁ । ଗାଡ଼ିର ହର୍ଣ୍ଣ ପେଁ ପେଁ କରି ରାସ୍ତାରୁ ହଟି ଯିବାକୁ କିଏ ସଚେତନ କରାଏ ତ କିଏ ଧମକ୍ ଦିଏ ହେଲେ ସେ ଅନାସକ୍ତ ଆଉ ଅବିଚଳିତ ! ଧ୍ୟାନ ତା'ର କେନ୍ଦ୍ରିତ ଥାଏ କେବଳ ସେ ଆଗକୁ ଆଗକୁ ଉଡ଼  ଯାଉଥିବା ପ୍ଲାଷ୍ଟିକ ପଲିଥିନ୍ ଉପରେ । କେବେ କେବେ ଖରାଦିନିଆ କାଳ ବୈଶାଖୀ ପବନରେ ସେ ହାତରେ ଜାକିଥିବା ଜରିସବୁ ଖସି ଉଡ଼ିଯାଏ , ସେ ହତାଶ୍ ନହୋଇ , ଆଗକୁ ମାଡ଼ି ଚାଲେ.... ତା'ର ପ୍ରୟାସ ନିରନ୍ତର ଜାରି ରଖିଥାଏ । କେହି ତାକୁ ଗୁରୁତ୍ୱ ଦିଅନ୍ତିନି କି ସାହାଯ୍ୟର ହାତ ବଢାନ୍ତି ନାହିଁ , ନାଁ ସେ କେବେ ବି କାହାରିକୁ ସାହାଯ୍ୟ ମାଗେ ।


ଦିନେ ଭାରି ଇଚ୍ଛା ହେଲା ଜାଣିବାକୁ ସେ ଜରିଗୁଡ଼ାକୁ ନେଇ କାହାକୁ ଦେଉଛି , କ'ଣ କରୁଛି ??? ସେ ଏତେ ଧିରେ ଚାଲେ ଯେ ଅପେକ୍ଷା କରିବାକୁ ଧର୍ଯ୍ୟ ପାଏନି ମୋର । ପରେ କେବେ ଦେଖିବା ଭାବି ପଳେଇ ଯାଏ । ଭାବେ , ଦୂରରେ ଠିଆ ହୋଇ ତାକୁ ନିରୀକ୍ଷଣ କରିବା ଯେମିତି ତା'ର ଅପମାନ କରିବା ହେବ ତେଣୁ ନିଜ ଜିଜ୍ଞାସା ପୂରଣ କରିପାରେନି । 

ଦିନେ ଖରାବେଳେ କେଉଁ ଗୋଟିଏ କାମରେ ଯାଉଥିଲି ତାକୁ ବାଟରେ ଦେଖିଲି । ହାତରେ ଜାକିଥିବା ଜରିସବୁ ନେଇ ବଡ଼ କଷ୍ଟରେ ରାସ୍ତା କଡ଼ରେ ଥିବା ଏକ ଡଷ୍ଟବିନ୍ ପାଖକୁ ଯାଉଛି । ମୁଁ ଭାବିନେଇଥିଲି କି ସେ ପକ୍କା ଡଷ୍ଟବିନରୁ ପଲିଥିନ ଗୋଟେଇବ । ହେଲେ ନାଁ ଓଲଟା ଯାହା ସେ ଧରିଥିଲା ସେଥିରେ ପକାଇବାକୁ ଚେଷ୍ଟା କଲା । ଡଷ୍ଟବିନରେ ନ ପଡ଼ି ସବୁ ତଳେ ପଡ଼ିଗଲା । ସେ ତଳକୁ ଚାହିଁଲା ହେଲେ ଉଠେଇବା ଅସମ୍ଭବ ଥିଲା ତା ପାଇଁ କାରଣ ନଇଁଲେ ଲୁହା ଡଷ୍ଟବିନରେ ତା'ର ମୁଣ୍ଡ ବାଜିବ । ଇଚ୍ଛା ହେଇଥିଲା ଦୌଡ଼ିଯାଇ ସାହାଯ୍ୟ କରିବି ହେଲେ ଆଖ ପାଖରେ ଲୋକ ଥିଲେ । ଲଜ୍ୟା ବଶତଃ ଯାଇପାରିଲିନି , ବହୁତ୍ ଖରାପ ଲାଗିଲା ! ପରେ ଚିନ୍ତା କଲି ନା ଠିକ୍ ହେଲା କାରଣ ମୋର ଏମିତି ସାହାଯ୍ୟ କରିବାଟା ଠିକ୍ ହୋଇ ନଥାନ୍ତା । ଠିକ୍ କ'ଣ ଏବେ ବି ମୋ ପାଇଁ ପ୍ରଶ୍ନ ?


ଏଇମିତି ବହୁବାର ତା'କୁ ଦେଖିଛି ଗୋଟେଇଥିବା ପଲିଥିନ୍ ଡଷ୍ଟବିନ୍ ରେ ପକାଇବାର ତେଣୁ ଏ ତ ପରିଷ୍କାର ହୋଇଗଲା ଯେ ସେ ପଇସା ପାଇଁ ଜରି ଗୋଟାଏ ନାହିଁ । ତା'ର ନିଶ୍ଚୟ କିଏ  ଅଛନ୍ତି ଯେଉଁଠି ସେ ମୁଣ୍ଡ ଗୁଞ୍ଜେ , ଖାଏ  ଆଉ ପିନ୍ଧିବା ପାଇଁ କପଡ଼ା ମିଳିଯାଏ । ତା'ହେଲେ କାହିଁକି ସେ ଏମିତି ଜୀବନକୁ ବିପନ୍ନ କରି ବୁଲି ବୁଲି ରାସ୍ତାଘାଟରୁ ପଲିଥିନ୍ ଗୋଟାଇ ଡଷ୍ଟବିନରେ ପକାଇବାକୁ ଚେଷ୍ଟା କରେ ? ତା'ର ଘର ଲୋକେ ତା'କୁ କାହିଁକି ଘରେ ଅଟକ ରଖନ୍ତି ନାହିଁ ? ହୁଏତ ପରିବାରର ଲୋକେ ଛାଡ଼ି ଦେଇଥିବେ ବିରକ୍ତ ହୋଇ , ମଲା କେତେ ଗଲା କେତେ ଭାବି । ନ ହେଲେ ବୁଝିଥିବେ କି ତାଙ୍କ ପିଲାଟି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରି ଆତ୍ମସନ୍ତୋଷ ପାଉଛି , କାହିଁ ତାକୁ ଅଟକାଇବା ? ପ୍ରଥମେ ପ୍ରଥମେ ଚେଷ୍ଟା କରିଥିବେ ପରେ ଏ ବିଷୟର ଗୁରୁତ୍ୱଟିକୁ ଉପଲବ୍ଧ କରି ଛାଡ଼ି ଦେଇଥିବେ । ହେଲେ ପ୍ରକୃତ ସତଟି କ'ଣ ? 


ବହୁ ପରେ ଜାଣିବାକୁ ପାଇଲି କି ସେହି ଯେଉଁ ସର୍ଦ୍ଦାର ସାଇକେଲ ଦୋକାନ ପାଖରେ ସବୁବେଳେ ତାକୁ ଦେଖେ ବାସ୍ତବରେ ସେହି ତା'ର ବାପା ଆଉ ସେଇଠି ତା'ର ଘର । ଆଜି ବନ୍ଧୁଙ୍କ ଠାରୁ ଜାଣିବାକୁ ପାଇଲି ଯେ ବୟସ ତା'ର ପଇଁଚାଳିଶ ଉପରେ ହେବ । ଏବେ ବି ତା' କାର୍ଯ୍ୟରେ ସେ ନିରନ୍ତର ସାଧନାରତ । ଏହି କରୋନା କାଳରେ ଲକଡାଉନ୍ ରେ ବୁଲୁଛି କି ନାହିଁ କେଜାଣି ?  ପୁଣି ଯେବେ ଭାରତ ସ୍ୱଚ୍ଛତା ଅଭିଯାନରେ ସମସ୍ତେ ଗଭୀର ଆନ୍ତରିକତାର ସହ ଝାଡ଼ୁ ଧରି ସେଲଫି୍ ନେବାରେ ବ୍ୟସ୍ତ ଥିବେ ସେ ସେତେବେଳେ କ'ଣ କରୁଥିବ ଆଉ କ'ଣ ସବୁ ଚିନ୍ତା କରୁଥିବ ଏମାନଙ୍କୁ ଦେଖି ? 


Rate this content
Log in

Similar oriya story from Tragedy