ଜ୍ଞାନୋଦୟ
ଜ୍ଞାନୋଦୟ
ସଞ୍ଜ ଗଡି ରାତି ଘଡିଏ ହେଲାଣି ଯଦୁଆ ସକାଳ ପହରୁ ସହରକୁ ଯାଇଛି ଯେ ଏଯାଏଁ ଫେରି ନାହିଁ । ତା’ର ଆସିବା ବାଟକୁ ଚାହିଁ ଚାହିଁ ଯଦୁଆ ମା ଦାଣ୍ଡ ପିଣ୍ଢାର ବସି ମନକୁ ମନ କ’ଣ ସବୁ ବିଡ୍ ବିଡ୍ ହୋଇ ଗପି ଚାଲିଥିଲା । ତିନି ବର୍ଷ ତଳେ “ମୋ କୁଡିଆ” ଯୋଜନାରେ ମିଳିଥିବା ଘରଟି ଆଜି ଯାଏଁ ପଲସ୍ତରା ହୋଇ ପାରିଲାନି, ଘର ଭିତରେ ଇଟା ପଞରା ଦିଶୁଛି, କବାଟ ବୋଲି ଯାହା ଲାଗିଛି, ସେଇଟା ଗୋଟାଏ ଗୋଇଠାରେ ଭାଙ୍ଗି ଚୁରମାର୍ ହୋଇଯିବ , ହେଲେ ଯଦୁଆର ସେଥିକୁ ନିଘା ନାହିଁ । ସେ ତା’ କାମରେ ସବୁବେଳେ ବ୍ୟସ୍ତ । ତା’ ସ୍ତ୍ରୀ ରେଣୁଟି ଖାଲି ଭଲ ଝିଅଟିଏ ବୋଲି ଦୁଃଖେ ସୁଖେ ଯଦୁଆର ସଂସାରକୁ ଚଳେଇଛି ନହେଲେ କ’ଣ ଯେ ହୁଅନ୍ତା ତା’ ମା’ ଭୁଆଷୁଣୀଙ୍କୁ ଜଣା। ଗୋଟିଏ ବୋଲି ଛୁଆ ସେମାନଙ୍କର ଟୁକୁନା, ପାଞ୍ଚ ବର୍ଷର ପୁଅ, ତା’ ପାଇଁ ମଧ୍ୟ ଚିନ୍ତା କରିବାକୁ ବେଳନାହିଁ ଯଦୁଆ ପାଖରେ । ଖାଲି ତ ଧାଇଁଛି କାମରେ , ଯେତେବେଳେ ନାଇଁ ସେତେବେଳେ ଖାଲି କାମ ଆଉ କାମ, ଯିଏ ବାବୁ ହୋଇ ଅଫିସରେ ଚାକିରୀ କରିଥିବ ତା’ର ହେଲେ ନିଜ ପରିବାର ପାଇଁ ବେଳ ଟିକିଏ ଥିବ ହେଲେ ଯଦୁଆ ! ସେ କୁଆଡେ ଦେଶ ସେବାରେ ଲାଗିଛି , ଲୋକମାନଙ୍କ କାମ କରୁଛି ,ସରକାରଙ୍କ କାମ କରୁଛି। ଗାଆଁରେ ଶାସକ ଦଳର କୁଜି ନେତା ହେଲେ ବଟବାବୁ, ସେ କୁଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖ ଲୋକ ଆଉ ତାଙ୍କରି ପାଖ ଲୋକ ସାଜିଛି ଯଦୁଆ।
ପିଲାଦିନୁ ବାପ ଛେଉଣ୍ଡ ଯଦୁଆ ନିଜ ଗୋଡରେ ନିଜେ ଠିଆ ହେବ, ମାଆକୁ କେତେ ସୁଖ ଦେବ ବୋଲି ପନ୍ଦର ବର୍ଷରୁ ମୂଲ ମଜୁରି କରିବା ଆରମ୍ଭ କରିଥିଲା। ଘର ଛପରଠୁ ଆରମ୍ଭ କରି କଳା ଲିପି ଯାଏ କେତେ ଆଗ୍ରହରେ କରୁଥିଲା । ବୟସ ବଢିଲାରୁ ଧୀରେ ଧୀରେ ଘର ତିଆରି, ରାସ୍ତା ତିଆରି କାମରେ ଦିନ ମଜୁରିଆ ଭାବରେ କାମ କରୁଥିଲା, ଭଲ ଦୁଇ ପଇସା ରୋଜଗାର ମଧ୍ୟ ହେଉଥିଲା ସେଥିରୁ । ସେଇଥିରେ ମାଆ ପୁଅ ଦିହେଁ ମିଶି ଚଳୁଥିଲେ ଖୁବ୍ ଖୁସିରେ । ଯଦୁଆ ତେଇଶି ବର୍ଷର ହେଲା ବେଳକୁ ସେଇ ଗାଆଁର ସୁନ୍ଦରୀ ସୁଗୁଣବତୀ ରେଣୁବାଳାକୁ ତା’ପାଇଁ ବୋହୁ କରି ଆଣିଥିଲା ଯଦୁଆ ମା’। ଗାଆଁ ଭୁଆଷୁଣୀ ମନ୍ଦିରରେ ବାହାଘର ଆଉ ଭୋଜିଭାତ ହୋଇଥିଲା । ବରଷ ଗୋଟାଏ ଭିତରେ ସେମାନଙ୍କ କୋଳକୁ ଆସିଥିଲା ଟୁକୁନା। ଯଦୁଆ ସେତେବେଳେ ବଇଁଶୀ ବାବୁ କଣ୍ଟ୍ରାକ୍ଟରର ମୂଲିଆଙ୍କ ସରଦାର।ମାସକ ତିରିଶି ଦିନ ମଜୁରୀ, ଦିନେ ବନ୍ଦ ନାହିଁ । ଯଦୁଆ ମା’କୁ ଲାଗୁଥିଲା ରେଣୁ ଗୋଡରେ ଲକ୍ଷ୍ମୀ ଆସିଛନ୍ତି ତା’ ଘରକୁ। ବୋହୁକୁ ସେଥିପାଇଁ ମୁଣ୍ଡରେ ବସେଇ ରଖିଥିଲେ ସେ। ସେତିକିବେଳେ ପରିଚୟ ହୋଇଥିଲା ଯଦୁଆର ପାଖ ଗାଆଁର କୁଜିନେତା ନେତା ବଟ ମାହାନ୍ତିଙ୍କ ସାଙ୍ଗରେ ।ଯଦୁଆର ପାରିଲାପଣିଆ ଦେଖି ତା’କୁ ପାଖକୁ ଟାଣିଲେ , ସରକାରଙ୍କ ବିଭିନ୍ନ ଯୋଜନା ସବୁ ଲୋକ ମାନଙ୍କ ପାଖରେ କେମିତି ପହଞ୍ଚି ପାରିବ, ସେଇ କାମରେ ଲଗାଇଲେ ତା’କୁ, ଯଦୁଆକୁ ଯଦୁମଣି କରି ଭଲ ଜାମାପେଣ୍ଟ ପିନ୍ଧେଇ ନିଜ ମଟରସାଇକଲରରେ ବସେଇ ପଞ୍ଚାୟତ ଅଫିସ୍, ତହସିଲଦାରଙ୍କ ଅଫିସ୍ ବୁଝେଇଲେ, ଭଲ ମନ୍ଦ ଖୁଆଇଲେ ହୋଟେଲ୍ ରେ, ହାତରେ ଦି’ ପଇସା ହାତଗୁଞା ଦେଲେ । ସେଇ କାମ ଭାରି ଭଲ ଲାଗିଲା ଯଦୁଆ କୁ। ଯଦୁଆ ଦିନ ମଜୁରୀ ଛାଡି ଧାଇଁଲା ବଟବାବୁଙ୍କ ପଛରେ।
ଯଦୁଆ ମା’କୁ କିନ୍ତୁ ମୋଟେ ପସନ୍ଦ ହେଉ ନଥିଲା ଏସବୁ। ସେ ବୁଝେଇଲା ପୁଅକୁ “ ଆରେ ବାପା! ଆମେ ହେଲୁ ଖଟିଖିଆ ଲୋକ , ଆମ ମଜୁରି ଗଣ୍ଡାକ ଭଲ ତ ଆମେ ଭଲ , ହକ୍ ମେହେନତ କରିବା, ହାଡ ବଜେଇ ପଇସା ନେବା, ଏ ଟାଉଟରି କାମ କରିବା କାହିଁକି? ସେ ବଟବାବୁଟା ପ୍ରଖ୍ୟାତ ଟାଉଟର ବୋଲି ଲୋକେ କହୁଛନ୍ତି ପରା, ସେ ସରକାରଙ୍କ ସହିତ ସଲାସୁତର କରି ଗରିବ ଗୁରୁବାଙ୍କ ତଣ୍ଟି କାଟି ପଇସା ରୋଜଗାର କରେରେ ବାପ, ତୁ ଆମର ତା’ ପାଲରେ ପଅଡନାହିଁ, ଆଗ ଭଳିଆ କାମଧନ୍ଦା କର, ଆମ ପେଟ ଅପୋଷା ରହିବନି “। ଯଦୁଆକୁ ମାଆର କଥା ଗୁଡିକ ଜମାରୁ ଭଲ ଲାଗୁନଥିଲା, ବଟବାବୁଙ୍କ ରଙ୍ଗ ଚଢି ସାରିଥିଲା ତା’ ଆଖିରେ । ସେ ଆଗେଇ ଚାଲିଲା। ଗାଆଁରେ ଆଗ ଭତ୍ତା ଉଠିଲା ଯଦୁଆ ମା’ ନାଆଁ ରେ, ଯେଉଁଦିନ ଯଦୁଆ କହିଲା ଦେଖିଲୁ ତ ବୋଉ! କେମିତି ବଟବାବୁ ତତେ ଘରେ ବସି ବିନା ପରିଶ୍ରମରେ ତିନିଶହ ଟଙ୍କା ଦେବାର ବନ୍ଦୋବସ୍ତ କରି ଦେଇ ଗଲେ ଟି, ଏବେ ପାନଗୁଆ ଟିକିଏ ପାଇଁ ତୁ ମୋ ହାତକୁ ଆଉ ଅନେଇବୁ ନାହିଁ । ଆଲୋ, ଆମ ଟୁକୁନା ପାଇଁ ଛତୁଆ, ତା’ ପଢା ବହି, ଇସ୍କୁଲରେ ଖାଇବା, ରେଣୁ ପାଇଁ ଅଣ୍ଡା, ଆମକୁ ଟଙ୍କିକିଆ ଚାଉଳ, କିରୋସିନି ସବୁ ଦଉଚି କିଏ ସେଇ ସରକାରଟି, ତା’ର କାମ କରିବାନି ତ ଆଉ କାହାର କାମ କରିବା କହିଲୁ ? ତୁ ଖାଲି ମିଛରେ ସେ ବଟବାବୁଟା ଉପରେ ରାଗୁଛୁ ନା, ତାଙ୍କର ଭାରି ଶରଧା ମୋ ଉପରେ, ଏବେ ପରା କହିଛନ୍ତି ଆମର ଏ ଭଙ୍ଗା ଚାଳିଆଟିକୁ ଛାତଟିଏ କରେଇ ଦେବେ “ ମୋ କୁଡିଆ “ ଯୋଜନାରେ । ତୁ ଦେଖିବୁ ଆହୁରି କେତେ କ’ଣ କରିବେ ସେ ଆମ ପାଇଁ ।ଯଦୁଆ ମା’ ଭାବିଲା ଲୋକମାନେ ବୋଧହୁଏ ବଟବାବୁକୁ ଅସହଣୀ ହୋଇ ଏତେ କଥା କହୁଛନ୍ତି, କେତେ ସାହାଯ୍ୟ ସେ କରୁଛି ଯଦୁଆକୁ, ପର ଲୋକ କାହାପାଇଁ କିଏ କରେ। ଦିନ ଗଡି ଚାଲିଲା, ତାଙ୍କର ଚାଳଘର ଛାତ ଘରର ରୂପ ନେଲା, ରେଣୁ ମହିଳା ସମିତିରେ ମିଶି ସିଲେଇ ଶିଖି ମାଗଣାରେ ସିଲେଇ ମେସିନ୍ ପାଇଲା, ଉଜ୍ୱଳା ଯୋଜନାରେ ଗ୍ୟାସ୍ ଚୁଲା, ସିଲିଣ୍ଡର ପାଇଲା, ମାଗଣା ମୋବାଇଲ୍ ମିଳିଲା ,ବୁଢୀକୁ କମ୍ବଳ, ଛତା ସବୁ ମାଗଣାରେ ମିଳିଲା। ରୋଗ ବଇରାଗକୁ ମାଗଣା ଓଷଦ ମିଳିଲା । ସବୁ ଜିନିଷ ମାଗଣାରେ ପାଇ ଯିବାରୁ ଯଦୁଆ ଆଉ ପରିଶ୍ରମ କରିବାକୁ ଚାହିଁଲା ନାହିଁ । ବସି ବସି ଅଳସୁଆ ହେଲା । ଘର କଥା କିଛି ବୁଝାଶୁଝା ନକରି ସବୁବେଳେ ପଡି ରହିଲା ବଟବାବୁ ପାଖରେ, ତା’ରି ବୋଲକରା
ହୋଇ। ସବୁ ଜିନିଷ ସହିତ ପ୍ରଚୁର ମଦ ବି ମାଗଣାରେ ମିଳିଥିଲା ଯଦୁଆକୁ। ଏବେ ସେ ସବୁଦିନ ରାତିରେ ଆକଣ୍ଠ ମଦ ପିଇ ଫେରୁଥିଲା ଘରକୁ । ରେଣୁ ପ୍ରଥମେ ପ୍ରଥମେ କଥାଟା ଲୁଚାଉଥିଲା ଯଦୁଆ ମା’ ପାଖରୁ , ହେଲେ ବେଶୀ ଦିନ ଲୁଚାଇ ରଖି ପାରି ନଥିଲା। ଯଦୁଆ ମା‘ ସନ୍ତାପି ହେଲା ପୁଅର ଅବାଟରେ ଯିବା ଦେଖି, ବହୁତ ସାଉଁଳେଇ, କାକୁତିମିନତି କରି ବୁଝେଇବାକୁ ଚେଷ୍ଟା କଲା ପୁଅକୁ, ହେଲେ ପାରିଲାନି। ଯଦୁଆ ଧୀରେ ଧୀରେ ପକ୍କା ମଦୁଆ ପାଲଟିଗଲା ସେତିକିବେଳେ ଯଦୁଆର ଦ୍ୱିତୀୟ ସନ୍ତାନ ରେଣୁ ଗର୍ଭରେ ରହିଲା। ଛୁଆ ରହିବା ଖବର ପାଇ ଆଶା ଦିଦି ଆସି ପହଞ୍ଚିଲେ ଘରେ, କ’ଣ ସବୁ ଲେଖାପଢି କରି ନେଇଗଲେ ଯେ ସେଇ ଦିନଠାରୁ ଝିଅଟିଏ ଜନ୍ମ ହେଲା ଯାଏଁ ରେଣୁର ସବୁ ଖର୍ଚ୍ଚ ସରକାର କଲେ , ପୁଣି ଝିଅ ଜନ୍ମ ହେଲା ପରେ ଦଶ ହଜାର ଟଙ୍କା ଝିଅ ନାଆଁରେ ବ୍ୟାଙ୍କରେ ବାନ୍ଧି ଦେଲେ।ମନେ ମନେ ସରକାରଙ୍କୁ ବହୁତ କଲ୍ୟାଣ କରୁଥିଲା ଯଦୁଆ ମା’ । ଯାହାହେଉ, କେହି ଜଣେ ଅଛି ଯିଏ ସେମାନଙ୍କ ଭଳି ଦରିଦ୍ର ଲୋକମାନଙ୍କର ସବୁ ଦୁଃଖ ସୁଖ ବୁଝୁଛି, ତା’ର ଖୁବ୍ ଇଚ୍ଛା ହେଲା ସେଇ ସରକାରଙ୍କୁ ଟିକିଏ ଆଖିରେ ଦେଖନ୍ତା କି? ଥରୁଟିଏ ତାଙ୍କ ସାହାଯ୍ୟ ପାଇଁ କୃତଜ୍ଞତା ଟିକିଏ ଜଣାଇ ପାରନ୍ତା କି? ଦିନେ ଏମିତି ରାତିରେ ଖାଇ ବସିଲା ବେଳେ ଯଦୁଆକୁ ନିଜର ମନକଥା ଜଣାଇଲା ସେ। ହୋ, ହୋ ହୋଇ ହସି ଉଠିଲା ଯଦୁଆ , କହିଲା “ ସରକାର ଆଉ କିଏ କି ଲୋ ବୋଉ ! ଆମ ନବୀନ ବାବୁ ପରା , ଯାହାଙ୍କୁ ତୁ ନିତି ନିତି ଦେଖୁଛୁ ଆମ ଘର ଟିଭିରେ । ସେଇ ହେଉଛନ୍ତି ଆମ ସରକାର, ଆମ ଦେବତା, ଆମର ହର୍ତ୍ତା କର୍ତ୍ତା, ଦଇବ ବିଧାତା, ସବୁ ସେଇ, ତାଙ୍କରି ଦୟାରୁ ଆଜି ଆମେ ମଣିଷ ହୋଇ ସୁଖରେ ଅଛୁ, ନହେଲେ ମୁଁ ସେମିତି ଇଟା ସିମେଣ୍ଟ ବୋହି ବୋହି କୁର୍ମ ହୋଇ ଯାଇଥାନ୍ତି, ଆଉ ତମେ ମାନେ ସେଇ ଭଙ୍ଗା ଚାଳିଆ ଘରେ ପଡି ପଡି ସଢୁ ଥାଆନ୍ତ । ଆଲୋ ବୋଉ , ସେ ଆହୁରି କେତେ ନୂଆ ଯୋଜନା କରୁଛନ୍ତି ଆମ ପାଇଁ, ଗୋଟାଏ “ କାଳିଆ “ ଯୋଜନା କରୁଛନ୍ତି ଯେ ସବୁ ଚାଷୀ ମାନେ ପରା ପାନ୍ଚ କିସ୍ତିରେ ବର୍ଷକୁ ପଚିଶି ହଜାର ଟଙ୍କା ଲେଖାଏଁ ପାଇବେ, ଆଉ ସ୍ତ୍ରୀ ଲୋକ ମାନଙ୍କ ରୋଗବ୍ୟାଧି ହେଲେ ସାତ ଲକ୍ଷ ଟଙ୍କା ଯାଏଁ ସରକାର ଖର୍ଚ୍ଚ କରିବେ ତାଙ୍କ ଚିକିତ୍ସା ପାଇଁ” । ଯଦୁଆ ମା’ ଖୁବ୍ ଖୁସି ହେଲା ,କହିଲା “ ମାଆ ଭୁଆଷୁଣୀ ସେ ନବୀନ ବାବୁଙ୍କୁ ଭଲରେ ରଖନ୍ତୁ, ତାଙ୍କର ପିଲାଛୁଆ ମାନଙ୍କୁ ଆଇଷ ଦିଅନ୍ତୁ, ସେମାନେ ଭଲ ମଣିଷ ହୁଅନ୍ତୁ, ତାଙ୍କ ସ୍ତ୍ରୀ ପାଚିଲାବାଳରେ ସିନ୍ଦୁର ନାଉ “। ପୁଣି ହୋ ହୋ ହେଇ ହସିଲା ଯଦୁଆ , କହିଲା “ ଆଲୋ ତୁ ଜାଣିନୁ କି ବୋଉ ! ଆମ ନବୀନ ବାବୁ ପରା ମୂଳରୁ ବିଭା ହୋଇ ନାହାଁନ୍ତି , ଆଉ ତାଙ୍କ ସ୍ତ୍ରୀ, ପିଲା ଛୁଆ ସବୁ ଆସିବେ କୁଆଡୁ? ସିଏ କହନ୍ତି ଆମେ ଯେତେ ସବୁ ଓଡିଶାବାସୀ , ଆମେ ତାଙ୍କ ପରିବାର , ଆମେ ତାଙ୍କର ପିଲାଛୁଆ , ଏ ସବୁ ଭଲ କାମ ସେ ଆମରି ପାଇଁ କରୁଛନ୍ତି ପରା “। ଯଦୁଆର କଥା ଶୁଣି କାବା ହେଲା ଯଦୁଆ ମା ‘ , ତା’ ହାତ ଦୁଇଟି ଆପେ ଆପେ ଯୋଡି ହୋଇ ଯାଇଥିଲା, ସେ ଜଗନ୍ନାଥଙ୍କୁ ପ୍ରାର୍ଥନା କଲା “ ଏମିତି ମହାନ୍ ଆତ୍ମା ପୁଣି ଏଇ କଳିଯୁଗରେ ରଖିଛ ପ୍ରଭୁ ! ନବୀନ ବାବୁଙ୍କୁ ତୁମ ଛତ୍ର ଛାୟା ତଳେ ରଖ ପ୍ରଭୁ! ତାଙ୍କୁ ସୁସ୍ଥ ନିରାମୟ କରି ରଖିଥାଅ, ସେ ଗରିବ ଲୋକଙ୍କ ବାପମାଆ, ତାଙ୍କର ଅଗଗୋଡରେ କଣ୍ଟା ନ ବାଜୁ ହେ ମହାପ୍ରଭୁ! “ ।
ଏଇଥରକ ଭୋଟ ଆସିଲା ବେଳକୁ ନବୀନ ବାବୁ ସହରରେ ଗୋଟାଏ ସଭାକୁ ଆସିଥିଲେ । ଯଦୁଆ ମା’ ଆଉ ତା’ ଭଳିଆ ହଜାର ହଜାର ସଂଖ୍ୟାରେ ଲୋକ ବସରେ ବୁହା ହୋଇ ଯାଇଥିଲେ ସେ ସଭାକୁ। ଯଦୁଆ ଦାୟିତ୍ଵରେ ଥାଏ ସବୁ । ସମସ୍ତଙ୍କୁ ଅରଆ ହାତ ଡାଲମା ଖଟା ସହିତ ପାଉଁଶ ଟଙ୍କିଆ ଖଡଖଡିଆ ନୋଟ୍ ଖଣ୍ଡିଏ ଲେଖାଏଁ ମିଳିଲା। ଗାଆଁ ଲୋକେ ସମସ୍ତେ ଏକଜୁଟ ହୋଇ ଠିକଣା କଲେ ନବୀନ ବାବୁଙ୍କୁ ଭୋଟ ଦେଇ ପୁଣି ଜିତେଇ ଦେଇ ମୁଖ୍ୟମନ୍ତ୍ରୀ କରେଇ ଦେବାଲାଗି । ସେଇଆ ହେଲା, ବହୁତ ଅଧିକ ଭୋଟରେ ଜିତି ନବୀନ ବାବୁ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ।ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଦି’କିସ୍ତି ର” କାଳିଆ “ ଯୋଜନା ଟଙ୍କା ଆସିଗଲା ଚାଷୀ ମାନଙ୍କ ବ୍ୟାଙ୍କ ଖାତାକୁ । ସେଇ ଟଙ୍କା କେମିତି ସୁବିଧାରେ ପାଇବେ ଲୋକମାନେ, ସେଇକଥା ବୁଝିବା ଲାଗି ବଡିଆ ଭୋରରୁ ବଟବାବୁଙ୍କ ସାଥିରେ ସହରକୁ ଯାଇଛି ଯଦୁଆ । ଗାଆଁ ମୁଣ୍ଡ ଆଡୁ କ’ଣ ଗୋଟାଏ କୋଳାହଳ ଶୁଣି ସିଆଡେ ଉହୁଁକି ଚାହିଁଲା ଯଦୁଆ ମା’, ଦଳେ ଲୋକ ହୋ ହଲ୍ଲା କରି ମାଡି ଆସୁଛନ୍ତି, କ’ଣ କହୁଛନ୍ତି କିଛି ଶୁଣି ପାରିଲା ନାହିଁ ସେ, ତେଣୁ ବାରଣ୍ଡାରୁ ତଳକୁ ଓହ୍ଲାଇ ସିଆଡେ କାନେଇଲା। “ ଯଦୁଆ, ଯଦୁଆ ... ନାଆଁଟା ଶୁଣି ଆହୁରି ଦି’ ଚାରି ପାହୁଣ୍ଡ ଆଗେଇ ଗଲା, ଭିଡ ଭିତରୁ ଟର୍ଚ୍ଚ ଲାଇଟଟିଏ କିଏ ପକେଇଥିଲା ତା’ ମୁହଁକୁ “ ହେଇ ତ ନୁଖୁରୀ ଆଈ ଆସୁଛି ଇଆଡେ “ କହି ତା’ ଆଗରେ ଆସି ଛିଡା ହୋଇ ପଡିଲା ଗାଁର ନାତି ଲେଖା ହେବ ବଇନ । ଯଦୁଆ ମା‘କୁ ଧରି ପକେଇ କହିଲା “ ଆଈ ଲୋ ! ଯଦୁଆ ମାମୁଁକୁ ଗାଡି ଧକ୍କା ହୋଇଛି , ସେ ବଡ ମେଡିକାଲରେ ଅଛି, ଆମେ ସମସ୍ତେ ପରା ସେଇଠି ଥିଲୁ, ଅବସ୍ଥା ସଙ୍କଟାପନ୍ନ ହେବାରୁ ବଟବାବୁ ଆମକୁ ପଠାଇଛନ୍ତି ତୁମକୁ ଆଉ ମାଇଁଙ୍କୁ ସାଙ୍ଗରେ ନେଇ ମେଡିକାଲ ଯିବାକୁ, ଆମେ ଗାଡି ଆଣି ଆସିଛୁ, ତମେ ଆଉ ଡେରି ନକରି ଆମ ସାଥୀରେ ଆସ”।
ଯଦୁଆ ମା ‘ ପଥର ମୂର୍ତ୍ତି ପରି ଠିଆ ହୋଇଥିଲା, ଆଖି ଦୁଇଟା ବିସ୍ଫାରିତ ହୋଇ ଯାଇଥିଲା, ତା’ର ପାଦ ଦୁଇଟିକୁ ଭୂଇଁ ଜାବୁଡି ଧରିଥିଲା, ତା’ କାନକୁ କିଛି ଶୁଭୁ ନଥିଲା । ସେଇ ଅବସ୍ଥାରେ ସେମିତି ଚଳି ପଡିଲା ସିଏ । ଗାଆଁ ଲୋକେ ତା’କୁ ଟେକାଟେକି କରି ନେଇ ପାଣି ଛିଞ୍ଚି ଚେତା ଆଣି ଯଦୁଆର ସ୍ତ୍ରୀ ସହିତ ପିଲାମାନଙ୍କୁ ଗାଡିରେ ବସେଇ ନେଇଥିଲେ ବଡ ମେଡିକାଲକୁ । ମୋଟର ଦୁର୍ଘଟଣାରେ ଯଦୁଆ ଗୁରୁତର ଆହତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥାଏ ସେଠି । ସାରାରାତି କାନ୍ଦି କାନ୍ଦି ସେଇ ମେଡିକାଲ ବାରଣ୍ଡାରେ ବସି ରହିଥିଲେ ଯଦୁଆ ମାଆ ଆଉ ତା’ର ସ୍ତ୍ରୀ ପିଲା ହେଲେ ଡାକ୍ତର ବଞ୍ଚେଇ ପାରିନଥିଲେ ଯଦୁଆକୁ। ଭୋରରୁ ସେଇ ଦାରୁଣ ଦୁଃସମ୍ବାଦଟି ଶୁଣେଇ ଥିଲେ ଡାକ୍ତର , ଛାତି ଫଟେଇ କାନ୍ଦି ଉଠିଥିଲା ଯଦୁଆ ମାଆ । ଖବର ପାଇ ଧାଇଁ ଆସିଥିଲେ ବଟବାବୁ ତାଙ୍କର ଚେଲା ଚାମୁଣ୍ଡାଙ୍କୁ ସାଙ୍ଗରେ ଧରି , ଯଦୁଆର ଶେଷକୃତ୍ୟ କରିବା ପାଇଁ । ଫୁଲ ମାଳରେ ସଜେଇ ହୋଇଥିବା କୋକେଇଟିରେ ଯଦୁଆର ଶବକୁ ନେଇ ରଖିବା ବେଳକୁ ପାଗଳୀ ଭଳିଆ ବଟବାବୁ ଙ୍କର ବାଟ ଓଗାଳି ଠିଆ ହେଲା ଯଦୁଆ ମା’ , ହାତ ଯୋଡି ଆଖି ଛଳ ଛଳ କରି କହିଲେ ବଟବାବୁ “ ମନ ଦୁଃଖ କର ନାହିଁ ମାଆ , ତମ ପୁଅ ଜଣେ ବିଶିଷ୍ଟ ସମାଜସେବୀ ଥିଲା, ଦୁର୍ଭାଗ୍ୟକୁ ଏତେ ବଡ ଦୁର୍ଘଟଣାଟି ତା’କୁ ଆମ ପାଖରୁ ଛଡେଇ ନେଲା ସିନା, ତା’ର ସବୁ କାମ ଆମେ ନିଜ ଦାୟିତ୍ୱରେ କରିବୁ, ସରକାର ମଧ୍ୟ “ ହରିଶ୍ଚନ୍ଦ୍ର “ ଯୋଜନାରେ ଦଶ ହଜାର ଟଙ୍କା ଦେବେ ତୁମକୁ, ତାହା ତୁମର କାମରେ ଆସିବ “।
ଏଥର ଦୃପ୍ତ ସିଂହୀ ଭଳି ଗର୍ଜନ କରି ଉଠିଲା ଯଦୁଆ ମା’ “ ପୋଡି ଯାଉ ତୁମ ସରକାର ନିଆଁ ଲାଗି ଯାଉ ତୁମ ଟଙ୍କା ଆଉ ତୁମ ଯୋଜନାମାନଙ୍କରେ ।ଖବରଦାର୍ କହୁଛି , ମୋ ପୁଅ ଠାରୁ ଦୂରରେ ରହ ,ତା’ ଦେହରେ ହାତ ଲଗାନା ଭଲରେ କହୁଛି । ହଇହୋ, ମୋର ଖଟିଖିଆ ପୁଅଟାକୁ ତମ ସରକାର ଯୋଜନା ପରେ ଯୋଜନା କରି କରି , ମାଗଣା ଦେଇ ଦେଇ ମାଗଣା ଖିଆ କରେଇ ଭିକାରୀ ସଜେଇ ଦେଲା, ସଳଖ ସୁନ୍ଦର ଭେଣ୍ଡିଆ ପୁଅଟା ମୋର ବୟସ ଥାଉଁ ଥାଉଁ କାମକୋଢିଆ କରିଦେଲା, କାଳିଆ, ନେଳିଆ, ପିଠା,ମିଠା ଯୋଜନା କରି ତା’କୁ କାମ ନକରି କେମିତି ଅଏସ୍ କରିହେବ ସେଇ ବାଟ ଦେଖାଇଦେଲା, ସୁଧାର ପୁଅଟା ମୋର ଅବାଟରେ ଯାଇ ମଦ ପିଇ ମାତାଲ୍ ହୋଇ ଶେଷରେ ଆଜି ଅକାଳରେ ଯମଘରକୁ ଗଲା , ଆହୁରି ତା’ ପିଛା ଛାଡୁନ? କହୁଛ କ’ଣ ନା “ହରିଶ୍ଚନ୍ଦ୍ର ଯୋଜନା”ରେ ପୋଡିବ ତା’କୁ । ଆରେ ଅଳପେଇସେ ! ତମ ସରକାର ଏ ପରିଶ୍ରମୀ ଜାତିଟାକୁ କାମଚୋର ସଜେଇ ଦେଇ କୋଉ ମଙ୍ଗଳ କରୁଛି କାହାର ? ଆରେ ମୂର୍ଖ ଦଳ ! ଆମ ଗରିବଗୁରୁବାଙ୍କ ବଳ ହେଲା ପରିଶ୍ରମ, ସେଇ ଶ୍ରମବଳରେ ଆମେ ଇଜ୍ଜତରେ ଖାଉ , ଇଜ୍ଜତରେ ରହୁ , ତମ ସରକାର ଯଦି ଆମର ଭଲ କରିବାକୁ ଚାହୁଁଥିଲା, ଆମ ପିଲାମାନଙ୍କୁ କାମ ଦେଇଥାନ୍ତା, କାମ ବଦଳରେ ପଇସା ଦେଇଥାଆନ୍ତା, ତା’ ପରିଶ୍ରମର ମୂଲ୍ୟ ବାବଦରେ, ତା’ ନକରି ଏ ଟଙ୍କିକିଆ ଚାଉଳ , ପାଞ୍ଚ ଟଙ୍କିଆ ଡାଲମା ଭାତ, ଛତା, ଯୋତା, ସାଇକେଲ୍ ଭିକରେ ଦେଇ ଏମାନଙ୍କୁ ଭିକାରୀ ସଜେଇ ଦେଲା। ସଉକିନିଆ କରି ମୋବାଇଲ୍, ଗ୍ୟାସ୍ ଚୁଲି ଦେଇ ମାଇପି ମାନଙ୍କୁ ଅଳସୁଆ ପଣ ଶିଖେଇଲା, ସିଏ ଉନ୍ନତି ନାଆଁରେ ଅବନତି ହିଁ ଶିଖିଲେ, ଥାଉ, ଥାଉ , ଆଉ ଲୋଡା ନାହିଁ ତମ ସରକାରର ଦୟା , ଆମ ପୁଅର ଅନ୍ତ୍ୟେଷ୍ଟି କ୍ରିୟା ଆମେ ନିଜେ କରି ପାରିବୁ”। ବେଳହୁଁ ସତର୍କ ହୋଇଥିଲେ ଆଜି ଅକାଳରେ ମୋ ଭେଣ୍ଡିଆ ପୁଅକୁ ହରେଇ ନଥାନ୍ତି । ଆସରେ ହରିଆ, ଦାମା, ଶିରିଆ, ନକୁଳି, ଫଗୁଆ ଆସ , ଆମ ପୁଅକୁ ଆମେ ଗାଡି ଭଡା କରି ଗାଆଁକୁ ନେଇକି ଯିବା । ସେଇଠି ମୋ ଘରୁ ମୁଁ କାଠ ଦେବି, ସବୁ ବ୍ୟବସ୍ଥା କରିବି, ମୋ ପୁଅର ସଂସ୍କାର କରିବି । ଆ’ ଲୋ ରେଣୁ ! ଆ’ ଘରକୁ ଯିବା , ଯାହା ହେବାର ତ ହେଲାଣି, ମୁଁ ଥିବା ଯାଏଁ ତୋ’ର କିଛି ଅସୁବିଧା ହେବନି, ଏବେ ବି ଏ ହାଡ ଦି’ ଖଣ୍ଡରେ ଯେତିକି ବଳ ଅଛି , ସେଇ ମେହେନତ କରିବ, ଆଉ ତମେ ମାଆ ଛୁଆଙ୍କୁ ଚଳେଇ ପାରିବ, ଆମେ ବଡିଆ ପାରିବା, ମୁଢି ବାଜିବା, ବିରି ଫାଟିବା, ଗୁଆ ଭାଙ୍ଗିବା, କାମର ଅଭାବ ନାଇଁ ମ ଏ ଗାଆଁ ରେ। ଯଦୁଆ ତ ଗଲାଣି ହେଲେ ମୋତେ କଥା ଦେ, ତୋ’ ପୁଅକୁ ତୁ ଏଇ ପୋଡାମୁହାଁ ରାଜନୀତିଆଙ୍କ ପଶାପାଲିର ଗୋଟି ହେବାକୁ ଦେବୁନି । ଖଟିକି ଖାଇବା ଶିଖେଇବୁ, ମାଗଣାରେ ମିଳୁଥିବା କିଛି ବି ଜିନିଷ ଆଣିବା ପାପ ବୋଲି ବୁଝେଇ ଦେବୁ । ଆମ ଦୁଃଖୀ ଲୋକମାନଙ୍କ ପାଇଁ ମହତଟା ଜୀବନଠାରୁ ବଡ ଲୋ ରେଣୁ । ସେଇ ମହତ୍ ରଖି ଚଳିବୁ । ଅଣ୍ଟାରେ ଲୁଗା ଭିଡି ଲୁହ ପୋଛି ଠିଆ ହେଲା ଯଦୁଆ ମା’ , ତା’ ପଛରେ ମୁଣ୍ଡ ପୋତି ଛୁଆ ଦୁହିଁଙ୍କୁ ଧରି ଚାଲିବାକୁ ଆରମ୍ଭ କଲା ରେଣୁ । ଗାଆଁର ଅନ୍ୟ ଯୁବକ ମାନେ ସେତେବେଳକୁ ଯଦୁଆର ଶବକୁ ଲଦି ସାରିଥିଲେ ତାଙ୍କରି ଗାଆଁର ଧନିଆଁଭାଇର ଅଟୋରିକ୍ସା ରେ। ସମସ୍ତଙ୍କ ଆଖିରୁ ଲୁହ ଝରୁଥିଲା । ଯଦୁଆ ମା’ର କଥା ଗୁଡିକ ସିଧା ସଳଖ ତୀର ଭଳି ବିନ୍ଧି ପକାଉଥିଲା ସେମାନଙ୍କ ହୃଦୟକୁ । ଯଦୁଆ ମାଆର ଶେଷ ନିଷ୍ପତ୍ତି ସମସ୍ତଙ୍କର ଆଖି ଖୋଲି ଦେଇଥିଲା ।
