Pallabi Das

Tragedy

3  

Pallabi Das

Tragedy

ଜ୍ଞାନ ର ଜ୍ୟୋତ୍ସ୍ନା

ଜ୍ଞାନ ର ଜ୍ୟୋତ୍ସ୍ନା

6 mins
651


 

 ନଦୀ ସମୁଦ୍ର ସାଥିରେ ମିଶିବାକୁ ଉଦ୍ୟତ ହଉଥାଏ । ସୂର୍ଯ୍ୟ ପ୍ରାୟ ଲୁଚିବାକୁ ବସିଲେଣି । ଗାଁ ମୁଣ୍ଡରେ ଥିବା ଜଗନ୍ନାଥ ମନ୍ଦିରରୁ ସନ୍ଧ୍ୟା ଆଳତି ସାଥିରେ ଘଣ୍ଟର ସ୍ଵର ଶୁଣିବାକୁ ମିଳୁଥିଲା । ମନ୍ଦିର ପାଖକୁ ଲାଗିଥିବା ଗାଁ ସରପଞ୍ଚଙ୍କ ବାଡ଼ିରୁ ମଲ୍ଲୀ ଫୁଲ , ମଧୁମାଳତୀ ଆଉ ଗଙ୍ଗଶିଉଳୀର ବାସନାରେ ପୁରା ମନ୍ଦିରର ପରିବେଶ ମହକି ଉଠୁଥିଲା । ଠିକ୍ ଏତିକି ବେଳେ ଗାଁ ର ଅନ୍ଧାର ରାସ୍ତାରେ ଧୂଳି ଉଡେଇ ଗୋଟେ କାର ଧିମା ଗତିରେ ଆସି ଅଟକିଥିଲା ସରପଞ୍ଚଙ୍କ ଘର ଆଗରେ ଆଉ ସେଥିରୁ ବାହାରି ଆସିଥିଲା ସରପଞ୍ଚଙ୍କ ପୁଅ ଜ୍ଞାନ । ଜ୍ଞାନ, ଜଣେ ଉତ୍ତମ ସ୍ଵଭାବର ବଳିଷ୍ଠ ଯୁବ ନେତା , ଏଇ କିଛି ଦିନ ତଳେ ସେ ବିଜୁ ଜନତା ଦଳରେ ସାମିଲ୍ ହୋଇ କିଛି ଦିନ ଭିତରେ ତାଙ୍କ ସେବା ଭାବ ପାଇଁ ବେଶ୍ ସୁନାମ ଅର୍ଜନ କରିଛନ୍ତି । ପ୍ରାୟ ଚୋଉଦ ପୁରୁଷରୁ ଅଧିକ ହବ ତାଙ୍କ ପରିବାରରୁ କେହି ନା କେହି ରାଜନୀତିରେ ବଳିଷ୍ଠ ନେତା ହୋଇ ବହୁତ୍ ସୁନାମ ଅର୍ଜନ କରି ଆସୁଛନ୍ତି ଆଉ ଏବେ ଜ୍ଞାନର ପାଳି ପଡ଼ିଛି । ରାତି ପାହିଲେ ଜ୍ଞାନର ସ୍ତ୍ରୀ, ଜ୍ୟୋତ୍ସ୍ନାର ମୃତ୍ୟୁକୁ ପଞ୍ଚମତମ ବର୍ଷ ପୁରାଣି ହବ । ସେଥିପାଇଁ ଘରେ କୋଳାହଳ , ସବୁ ବର୍ଷ ପରି ଏ ବର୍ଷ ବି ଜ୍ଞାନ ଗାଁ ଲୋକଙ୍କୁ ଖାଇବାକୁ ଦବ । ଆଉ ସରପଞ୍ଚଙ୍କ ବୋହୂର ମୃତ୍ଯୁ ପାଇଁ ଗାଁ ର କିଛି ମାଇପି ଆଉ ବୃଦ୍ଧ ଲୋକ ପୁଣି ତା ଫଟୋ ଆଗରେ ଲୁହ ଝରାଇବେ । ଜ୍ଞାନ ପୁଣି କାଲି ହସି ହସି ସମସ୍ତଙ୍କୁ ଖାଇବା ପରଷିବ, ଠିକ୍ ଯେମିତି ଜ୍ୟୋତ୍ସ୍ନା ସାଥିରେ ବିବାହ ପରର ପ୍ରୀତି ଭୋଜନ ବାଢ଼ିବା ପରି । ମାଆ ଆଉ ଭଉଣୀ ପୁଣି କହିବେ ଦ୍ଵିତୀୟ ବିବାହ କରିବାକୁ କିନ୍ତୁ "ଜ୍ଞାନ ଯେ ଜ୍ୟୋତ୍ସ୍ନା ସାଥିରେ ଏକାକାର" , ସେଟା ପୁଣି ଥରେ କାଲି ବୁଝେଇ ଦବ ଜ୍ଞାନ ସବୁ ଘର ଲୋକଙ୍କୁ । 


ଘରେ ପହଁଞ୍ଚିବା ପରେ ମାଆ ହାତ ରନ୍ଧା କ'ଣ ଟିକେ ଖାଇଦେଇ , ମନ୍ଦିର ପାହାଚରେ ବାପାଙ୍କ ସାଥିରେ ବସି ଗାଁ ର କିଛି ପୁରୁଖା ଲୋକଙ୍କ ସାଥିରେ କଥା ହଉଥାଏ । ଠିକ୍ ଏତିକି ବେଳେ ଗାଁ ର ଗୋଟେ ଘରୁ ବହୁତ୍ ଜୋରେ ପାଟି ତୁଣ୍ଡ ଶୁଣିବାକୁ ମିଳୁଥିଲା , ଧୀରେ ଧୀରେ ପାଟି ବଢ଼ିବାରୁ ଜ୍ଞାନ ଆଉ ତା ବାପା ସମେତ ଗାଁ ର ବାକି ଲୋକ ପାଟିତୁଣ୍ଡର କାରଣ ଜାଣିବାକୁ ସେଇ ଦିଗକୁ ବଡ ବଡ ପାହୁଣ୍ଡ ପକେଇ ଆଗେଇ ଗଲେ । ଯୋଉ ଘରୁ ପାଟି ଶୁଣିବାକୁ ମିଳୁଥିଲା ସେଟା ଥିଲା ଜ୍ଞାନର ଦାଇମାଆ ସୁକି ଆଈର ଘର ଯିଏକି ଜ୍ଞାନକୁ ଛୁଆ ଦିନେ ତେଲ ମାଲିସ୍ କରିଥିଲା ଆଉ ଜ୍ୟୋତ୍ସ୍ନାର ମୃତ୍ୟୁ ସମୟରେ ପୁରା ତା ପାଖେ ପାଖେ ଥିଲା । 

ସେଠି ଯାଇ ଯାହା ଦେଖିଲେ ସମସ୍ତେ ହସି ହସି କିଛି ସମୟ ପାଇଁ ବସି ଗଲେ ସୁକି ଆଈ ଘରେ । ଘଟଣା ଟା ଏମିତି ଥିଲା କି ସୁକି ଆଈର ନାତି ନାତୁଣୀ ସବୁ କ୍ରିକେଟ୍ ଦେଖୁଥିଲେ ଆଉ ନିଜ ନିଜ ଭିତରେ ମନ ପସନ୍ଦର ଦେଶ ଆଉ ଖେଳାଳି ପାଇଁ ଝଗଡ଼ା କରୁଥିଲେ । ସୁକି ଆଈ ବାଡ଼ି ଖଣ୍ଡେ ଧରି ସେମାନଙ୍କୁ ତାଗିଦ୍ କରୁଥିଲା କିନ୍ତୁ ବୟସ ବଢ଼ିବା ସାଥିରେ ଆଈର ସ୍ଵରରେ ଆଉ ସେ ପୁରୁଣା ଦିନର କଠୋରତା ଆଉ ଟାଣ ପଣିଆର ଆଭାସ ନଥିଲା । ସେଥିପାଇଁ କେହି ତାକୁ ମାନୁ ନଥିଲେ । ଘରେ ଗାଁ ର ବଡ ଲୋକମାନଙ୍କୁ ଦେଖି, ଟିକେ ଚୁପ୍ ରହି ଖେଳ ଦେଖିବାକୁ ଲାଗିଲେ ଆଉ ଆଈ ଖୁସିରେ ସମସ୍ତଙ୍କୁ ଧନ୍ୟବାଦ୍ ଦଉଥିଲା ତା ଘରକୁ ଆସିଥିବାରୁ । ଜ୍ଞାନର ବାପା ଆଉ କିଛି ବୃଦ୍ଧ ଲୋକ ରାତ୍ରି ଅଧିକା ହେବାରୁ ଶୋଇବାକୁ ନିଜ ନିଜ ଘରକୁ ଫେରି ଯାଇଥିଲେ । କିନ୍ତୁ ଜ୍ଞାନ ଫେରିଥିଲା ଖେଳ ପୁରା ସରିବା ପରେ । ଘରକୁ ଯିବା ରାସ୍ତାରେ ତାର ମନେ ପଡୁଥିଲା ଜ୍ୟୋତ୍ସ୍ନାର କଥା , ସେ ବି ଠିକ୍ ଏମିତି ଛୁଆଙ୍କ ପରି କ୍ରିକେଟ ଦେଖିବା ବେଳେ ଝଗଡା କରେ, ଜ୍ଞାନର ମନ ପସନ୍ଦ ଦଳର ବିପକ୍ଷ ଦଳକୁ ସମର୍ଥନ କରେ ଆଉ ତାଙ୍କ ପାଇଁ ପ୍ରାର୍ଥନା ବି କରେ । ବେଳେ ବେଳେ ଏମିତି ବି ହୁଏ ଜ୍ୟୋତ୍ସ୍ନା ପସନ୍ଦ କରିଥିବା ଦଳକୁ ଜ୍ଞାନ ଯଦି ସମର୍ଥନ କରେ ତେବେ ସାଙ୍ଗେ ସାଙ୍ଗେ ଜ୍ୟୋତ୍ସ୍ନା ତା ଦଳ ବଦଳେଇ ଦେଇ ଜ୍ଞାନକୁ ଚିଡ଼େଇବାକୁ ତା ସାଥିରେ ମିଛୁ ମିଛିକା ଝଗଡା କରେ । ତାଙ୍କ ଝଗଡାରେ ଘରର ବାକି ଲୋକ ବି ସାମିଲ୍ ହୋଇ ବୋହୂକୁ ପୁରା ସାହସ ଦିଅନ୍ତି ଆଉ ପୁଅକୁ ଏକା କରି ଦିଅନ୍ତି । ସତରେ ସେ ଥିଲା ସମର୍ଥନର ଯୋଗ୍ୟ ସେଥିପାଇଁ ତ ବିପୁଳ ପରିମାଣରେ ଭୋଟ ପାଇ M. L. A ହୋଇଥିଲା ।

ସେତେବେଳେ ଜ୍ଞାନ ଏକ ବେସରକାରି ସଂସ୍ଥା ରେ କାର୍ଯ୍ୟରତ ଥିଲା, ତାକୁ ରାଜନୀତିର ରଣନୀତିରେ ବିଶେଷ କିଛି ଇଛା ନଥିଲା କି ସେ ଚାହୁଁ ନଥିଲା ଜ୍ୟୋତ୍ସ୍ନା ବି ରାଜନୀତି କରୁ ବୋଲି । କିନ୍ତୁ ଜ୍ଞାନର ବାପାଙ୍କ ଇଛା ଥିଲା ପୁଅ ରାଜନୀତି କରୁ ବୋଲି କିନ୍ତୁ ଜ୍ଞାନର ରାଜନୀତି ପ୍ରତି ବିତୃଷ୍ଣା ଭାବ ତାହା କେବଳ ତା ମାଆ ଆଉ ଭଉଣୀ ଛଡା ସ୍ତ୍ରୀ ଜ୍ୟୋତ୍ସ୍ନାକୁ ଜଣାଥିଲା । ବାପା ପୁଅ ଭିତରେ ମତଭେଦ ହବା ଦେଖି , ରାଜନୀତି ବିଷୟରେ କିଛି ନଜାଣିଥିବା ଜ୍ୟୋତ୍ସ୍ନା, ଡେଇଁ ପଡ଼ିଥିଲା ରାଜନୀତି ଭିତରକୁ ।ତାକୁ ସହଯୋଗ କରିବାକୁ ଘରର ବହୁତ୍ ଲୋକ ଅଣ୍ଟା ଭିଡ଼ି ଦେଇଥିଲେ ଆଉ ସେଥିରେ ଜ୍ଞାନ ସାମିଲ୍ ନଥିଲା । ଜ୍ଞାନ ସବୁବେଳେ ବିରକ୍ତ ପ୍ରକାଶ କରୁଥିଲା ସ୍ତ୍ରୀ ର ରାଜନୀତିରେ ପ୍ରବେଶକୁ ନେଇ । ଜ୍ୟୋତ୍ସ୍ନା ସବୁ ସହି ଯାଉଥିଲା ହସି ହସି , ଜ୍ଞାନର ବିରକ୍ତ ଭାବ ଆଉ ଜନତାଙ୍କ ଅପନିନ୍ଦା ତା ପାଇଁ ଦେହ ସୁହା ହୋଇ ଯାଇଥିଲା । ଅହ ରହ ଖଟୁ ଥିଲା ସେ , କେବେ ଜ୍ଞାନକୁ ଖୁସି କରିବାକୁ ପ୍ରଚେଷ୍ଟା ତ କେବେ ପରିବାରକୁ ଯୋଡ଼ି ରଖିବାର ପ୍ରୟାସ ସେଥିରେ ପୁଣି ଦଳ ମିଟିଂ ଆଉ ଜନତାଙ୍କ ପାଇଁ ସେବା ମୂଳକ ପଦକ୍ଷେପ ମାନ ଆଉ ସେଥିରେ ଆସୁଥିବା ପ୍ରତିରୋଧକୁ ମୁକାବିଲା କରିବାର ପ୍ରୟାସ । ଗାଁ ଠାରୁ ସହର ଯାଏ ସବୁ ଠାରେ ଜ୍ୟୋତ୍ସ୍ନାର ଖ୍ୟାତି ବଢ଼ିବାରେ ଲାଗିଥିଲା , କିନ୍ତୁ ଜ୍ଞାନ ଭିତରେ ତା ପାଇଁ ଘୃଣା ଆଉ ବିଦ୍ୱେଷ ବଢିବାରେ ଲାଗିଥିଲା । ଜ୍ଞାନ ମନ ସବୁ ବେଳେ ଜ୍ୟୋତ୍ସ୍ନାର ସୁରକ୍ଷା ପାଇଁ ବ୍ୟସ୍ତ ବିବ୍ରତ ହଉଥିଲା ଆଉ ସେ ତାକୁ ରାଜନୀତି ଠାରୁ ଦୁରେଇ ରଖିବାକୁ ବୋହୁତ୍ ଚେଷ୍ଟା କରୁଥିଲା । ତାର ବହୁତ୍ ପ୍ରତିବାଦ ସତ୍ତ୍ଵେ ବି ଜ୍ୟୋତ୍ସ୍ନା ତା ଘରର ନେତା ହବା ପରମ୍ପରାକୁ ବଜାଇ ରଖିଥିଲା , ଆଉ ସବୁ ଅସୁବିଧାକୁ ପଛରେ ପକେଇ ଆଗକୁ ବଢ଼ି ଚାଲିଥିଲା । ଜ୍ୟୋତ୍ସ୍ନାର ଅହ ରହ ଖଟଣି ଆଉ ତା ଭିତରେ ବଢ଼ୁଥିବା ଟିୟୁମର୍ ଟା ଯ ତା ଜୀବନ ନେଇଯିବ କେହି କେବେ ଭାବି ନଥିଲେ । ହଠାତ୍ ଦିନେ ମିଟିଂ ସାରି ଘରେ ଆସି ରୋଷେଇ କଲା ବେଳେ ଦୁଲ୍ କିନା ତଳେ ପଡ଼ିଥିଲା , ଜ୍ଞାନ ତାକୁ ଦୁଇ ହାତରେ କୋଳେଇ ନେଇ ଦୌଡ଼ି ଯାଇଥିଲା ଘର ପାଖ ଡ଼ାକ୍ତରଖାନାକୁ ତା ପରେ ବଡ଼ ସହରର ବଡ ଡ଼ାକ୍ତର ଖାନା ସେଠି ରୋଗ ଠାବ କରିବାରେ ଅସମର୍ଥ ହାବରୁ ଆଉ ଗୋଟେ ରାଜ୍ୟର ସବୁଠୁ ବଡ଼ ଡ଼ାକ୍ତରଖାନାକୁ ନେଇଯାଇଥିଲା ,ସେଠି ଜଣା ପଡ଼ିଥିଲା ଜ୍ୟୋତ୍ସ୍ନା ବ୍ରେନ୍ ଟିୟୁମର୍ ର ଶେଷ ଅବସ୍ତାରେ ଅଛି । ଆଖି ପିଛୁଳାକେ ଜ୍ଞାନର ଦୁନିଆ ଉଜୁଡ଼ି ଯାଇଥିଲା , ଦୁନିଆର କୋଣ ଅନୁକୋଣରେ ଥିବା ଡ଼ାକ୍ତରଖାନା ବିଷୟରେ ଆଉ ଜ୍ୟୋତ୍ସ୍ନାର ରୋଗ ବିଷୟରେ ପତା କରିବାରେ ତାର ସମୟ ବିତୁଥିଲା ।


ଜ୍ୟୋତ୍ସ୍ନା ବେଶ୍ କିଛି ଦିନ ଡ଼ାକ୍ତରଖାନାରେ ରହି ଘରକୁ ଫେରିଥିଲା ଆଉ ଜ୍ଞାନର କଥା ମାନି ରାଜନୀତି ଛାଡିଥିଲା ସତ କିନ୍ତୁ ସେଥିରେ ଯୋଗ ଦବାକୁ ଜ୍ଞାନକୁ ଅନୁରୋଧ କରିଥିଲା । ଦିନ କେଇଟାରେ ବୋହୁତ୍ ଦୁର୍ବଳ

ହୋଇ ପଡ଼ିଥିଲା ଜ୍ୟୋତ୍ସ୍ନା , ଜ୍ଞାନ ଆଉ ସୁକି ଆଈ ତା ପାଖେ ପାଖେ ରହି ତାର ଦେଖା ଶୁଣା କରୁଥିଲେ । କିଛି ମାସ ଧରି ରୋଗ ସାଥିରେ ଯୁଦ୍ଧ କରି କରି ଜ୍ୟୋତ୍ସ୍ନା ନିଜକୁ ବଞ୍ଚେଇ ରଖି ପାରିଥିଲା ବାସ୍ ଟିକେ ସମୟ ବିତାଇବାକୁ ତା ପରିବାର ଆଉ ତା ଜ୍ଞାନ ସାଥିରେ । ଜ୍ୟୋତ୍ସ୍ନା ,ଜ୍ଞାନକୁ ନୀତି କହୁଥିଲା ସେ ଚାଲି ଗଲା ପରେ କେମିତି କ'ଣ କରିବ ବୋଲି ଆଉ ଜ୍ଞାନ ବିରକ୍ତ ହୋଇ ଜ୍ୟୋତ୍ସ୍ନା ଉପରକୁ ଥୁ ଥୁ କରି ଛାପ ମେଞ୍ଚାଏ ପକେଇ ଦଉଥିବା ନଜର ନ ଲାଗୁ ବୋଲି । ସେଇ ଶେଷ କିଛି ମାସ ବହୁତ୍ ଖୁସି ଆଉ ଦୁଃଖ ଦେଇ ଜ୍ୟୋତ୍ସ୍ନା ଚାଲି ଯାଇଥିଲା ଆରପାରିକୁ । ଜ୍ୟୋତ୍ସ୍ନାର ମୃତ୍ୟୁ ପରେ ତା' ର ଶେଷ ଦର୍ଶନ ପାଇଁ ଦୌଡ଼ି ଆସିଥିଲେ କାହିଁ କେତେ ଦୂରରୁ ଲୋକ ସବୁ । ଯୋଉ ମାନଙ୍କ ପାଇଁ ଜ୍ୟୋତ୍ସ୍ନା କିଛି ଭଲ କାମ କରିଥିଲା ସେ ସମସ୍ତଙ୍କ ଆଖିରେ ଲୁହ ଥିଲା , ଯୋଉମାନଙ୍କ ପାଇଁ କିଛି କରିନଥିଲା ସେମାନଙ୍କ ମୁହଁରୁ ବି ତା ପାଇଁ ସମବେଦନା ଥିଲା । ବିପକ୍ଷ ନେତା ଆଉ ମନ୍ତ୍ରୀ ମାନେ ତା ମହୀୟସୀ ଗୁଣର ଗାନ କରୁଥାନ୍ତି । ଜ୍ଞାନ ନିଜକୁ ଧିକ୍କାର କରୁଥିଲା ଜ୍ୟୋତ୍ସ୍ନାର ସେବା ମନ ବୃତ୍ତିକୁ ବୁଝି ନ ପାରି । ସେ ଯେ ଖାଲି ତା ବଂଶର ନେତା ହବା ପରମ୍ପରାକୁ ବଞ୍ଚେଇ ରଖିଥିଲା ସେଟା କହିଲେ ଯଥେଷ୍ଟ ହବନି ସେ ନିଜକୁ ସତରେ ଜନତାଙ୍କ ସେବା ସାଥିରେ ଘର ବୋହୂର ସବୁ କର୍ତ୍ତବ୍ୟ ମନ ପ୍ରାଣ ଦେଇ କରି ଚାଲିଥିଲା । ଜ୍ୟୋତ୍ସ୍ନାର ଚାଲି ଯିବା ପରଠାରୁ ତା ମନ ମୁତାବକ ସବୁ ବର୍ଷ ତା ମୃତ୍ୟୁ ବାର୍ଷିକରେ ଜ୍ଞାନ ନିଜ ହାତରେ ଗାଁ ର ପୁରା ଲୋକଙ୍କୁ ଖାଦ୍ୟ ପରଷେ ଆଉ ଖୁସି ବାସୀର ଲହରି ଖେଳାଇବାକୁ ଚେଷ୍ଟା କରେ । ଠିକ୍ ଏମିତି ତ ଇଚ୍ଛା କରିଥିଲା ଜ୍ୟୋତ୍ସ୍ନା ସମସ୍ତେ ତା ମୃତ୍ୟୁ ପରେ ହସି ଖେଳି ତା ବର୍ଷ ପୁରାଣିକୁ ଉପଭୋଗ କରନ୍ତୁ ବୋଲି । ଜ୍ୟୋତ୍ସ୍ନା ଛାଡ଼ି ଯାଇଥିବା ରାଜନୀତିର ଅଧା ରାସ୍ତାରେ ଜ୍ଞାନ ଯୋଗ ଦେଇ ସାରିଥିଲା । ପଥ ପଦର୍ଶନ ପାଇଁ ନୀତି ଜ୍ୟୋତ୍ସ୍ନାକୁ ତା ପାଖରେ ଅନୁଭବ କରି ପାରୁଥିଲା । ଜ୍ଞାନ ଆଜି ପୁଣି ଥରେ ଆନନ୍ଦରେ ଗାଁ ଲୋକଙ୍କୁ ଖାଇବା ପରଶୁ ଥିଲା ଆଉ ଜ୍ୟୋତ୍ସ୍ନାର ମୃତ୍ୟୁ ଶୋକରେ ବୁଡ଼ି ଥିବା କିଛି ଲୋକଙ୍କୁ ସାହସ ଦଉଥିଲା । ମଝିରେ ମଝିରେ ଜ୍ୟୋତ୍ସ୍ନାର ଅବିକଳ ଚିତ୍ରକୁ ଚାହିଁ ମନେ ମନେ କହୁଥିଲ, ତୁମ ଚଲା ପଥେ ଚାଲୁଛି ମୁଁ, ତୁମେ ଆଉ ଏକା ନାହଁ, ମୁଁ ତୁମ ସାଥିରେ ଅଛି, କ'ଣ ତମେ ଏବେ ଖୁସି ତ !



Rate this content
Log in

Similar oriya story from Tragedy