Bimala Sankar Dash

Tragedy

3  

Bimala Sankar Dash

Tragedy

ଜଣେ ପ୍ରବାସୀର ଅଶ୍ରୁଭିଜା କାହାଣୀ

ଜଣେ ପ୍ରବାସୀର ଅଶ୍ରୁଭିଜା କାହାଣୀ

9 mins
212


ଚାରିଆଡେ ମହାମାରୀ କୋରନା ଭୂତାଣୁର ପ୍ରଳାପ । ମଣିଷକୁ ମଣିଷ ଠାରୁ ଦୂରେଇ ଦେଇଛି ଏଇ ସାମାନ୍ୟ ଭୂତାଣୁ । ଗୋଷ୍ଠୀ ସଂକ୍ରମଣ କାରଣରୁ କରୋନା ରୋଗୀଙ୍କ ସଂଖ୍ୟା ଧିରେ ଧିରେ ବଢୁଥିଲା । ସେଇଥିପାଇଁ ତ ସବୁ ମଣିଷ ଗୃହବନ୍ଦୀ । ବାହାର ରାଜ୍ୟରୁ ଫେରୁଥିଲେ ଦାଦନ ଶ୍ରମିକ । ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ଠାରେ ରୋଗ ସଂକ୍ରମଣର ମାତ୍ରା ଟିକେ ଅଧିକ । ସେମାନଙ୍କୁ ଆଣି ରଖା ଯାଉଥିଲା ଏକ ଆଇସୋଲେସନ୍ ସେଣ୍ଟରରେ । ସେମାନଙ୍କ ରହିବା ଖାଇବା ସବୁ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା । କିଛି ଦିନ ସେମାନଙ୍କୁ ସଂଘରୋଧ କରି ନିରୀକ୍ଷଣ କଲାପରେ ସମ୍ପୂର୍ଣ୍ଣ ସୁସ୍ଥ ଜଣାପଡିଲେ ହିଁ ଘରକୁ ଯିବାକୁ ଅନୁମତି ଦିଆ ଯାଉଥିଲା ।


       ଆଇସୋଲେସନ୍ ସେଣ୍ଟରର ପ୍ରମୁଖ ଦାୟିତ୍ୱରେ ଥିବା ମଦନ ଦୁଇମାସ ହେଲା ଯୋଦ୍ଧା ପରି କରୋନା ସହ ଲଢୁଥିଲେ । କିଛି ଦିନ ହେଲା ମଦନ ସଙ୍ଗରୋଧ କେନ୍ଦ୍ରରେ ହିଁ ଘର କରି ଦେଇଛନ୍ତି କହିଲେ ଚଳେ । ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ସେବାରେ ଦିନରାତି ଏକ କରିଦେଇଛି । ପ୍ରବାସୀ ଶ୍ରମିକମାନେ ତା ଆଖ ପାଖ ଗାଆଁର । ଉଣା ଅଧିକେ ସମସ୍ତେ ଜଣାଶୁଣା । ଖୁବ୍ ଆନ୍ତରିକତାର ସହ ସେମାନଙ୍କ ସୁବିଧା-ଅସୁବିଧା ସବୁ ଖବର ବୁଝନ୍ତି । କେବଳ ସରକାରୀ ନିର୍ଦ୍ଦେଶ ବୋଲି ଯେ ସେ ଏତକ କରୁଛି ତା ନୁହଁ, ପ୍ରବାସୀ ଶ୍ରମିକମାନେ ସେଣ୍ଟରରେ ରହିବା ଦିନଠୁ ତା ମନରେ କାହିଁକି କେଜାଣି ଏକ ଅହେତୁକ ମାୟା ଜନ୍ମିଛି ରତନ ପାଇଁ ।


    ରତନର ବୟସ ପାଖାପାଖି ପଚିଶ କି ଛବିଶ ହେବ । ସେ ବି ଦେଶରୁ ଫେରିଛି । ପ୍ରବାସୀ ଶ୍ରମିକମାନଙ୍କ ସହ ରହୁଛି ଆଇସୋଲେସନ୍ ସେଣ୍ଟରରେ ଗୃହବନ୍ଦୀ ହୋଇ । ରତନକୁ ଦେଖିବା ଦିନଠୁ ମଦନ ମନରେ ଅଜଣା ଶିହରଣ ଖେଳି ଯାଉଛି । ଅତି ଆପଣାର ପରି ଲାଗୁଛି । ଖୁବ୍ ଚିହ୍ନା ଚିହ୍ନା ଲାଗୁଛି । ସତେ ଯେମିତି ତା ପୁଅ ରତନକର । ରତନର ଘର ପରିବାର ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କରୁଥିଲା । ହେଲେ ରତନ କାହା ସହ ନା ବେଶି କଥା ହେଉ ଥିଲା ନା ବେଶି ମିଶୁ ଥିଲା । ପଡି ରହୁଥିଲା କୌଣସି ଏକ କୋଠରୀରେ । ସେ ଗୋଟେ ରକମରେ ସଙ୍ଗରୋଧ ଜୀବନ ହିଁ ଜିଉଁଥିଲା କେଉଁ କାଳରୁ । ତା' ପାଇଁ ଯେମିତି ଏଇ ଆଇସୋଲେସନର ଆବଶ୍ୟକତା ହିଁ ନ ଥିଲା । ହୁଏତ ବହୁ ଆଗରୁ ସେ ଗୃହବନ୍ଦୀର ଜୀବନ ହିଁ ଜିଉଁ ଥିଲା, ଏକାନ୍ତ ବାସରେ ହିଁ ରହି ଆସିଥିଲା !!


     ମଦନ ପୁଣି ଚିନ୍ତା କରୁଥିଲା ରତନ ତା' ପୁଅ ହୋଇ ପାରେନା । ଏ କଥା କେବେ ସମ୍ଭବ ନୁହଁ । ରତନକୁ ଦେଖିଲେ ଖାଲି ଯାହା ନିଜ ପୁଅ କଥା ମନକୁ ଆସି ଯାଉଥିଲା । ପୁଅ ବଞ୍ଚିଥିଲେ ଠିକ୍ ଏମିତି ହିଁ ଦେଖା ଯାଆନ୍ତା । ସେଇ ରୂପ ...ସେଇ ଚାଲି... ସେଇ ଠାଣି ...ଅବିକଳ ତା' ପୁଅ ରତନକର ପରି .... । 


     ପନ୍ଦର ବର୍ଷ ତଳର ସେଇ ପାଶୋରା ଭଙ୍ଗାରୁଜା କାହାଣୀ ପୁଣିଥରେ ମନେ ପଡିଯାଉଥିଲା ମଦନକୁ । ହୃଦୟର ପୁରୁଣା କ୍ଷତ ପୁଣିଥରେ ତାଜା ହୋଇଗଲା । ଆବେଗିକ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ମଦନ ।

     

      ଆଜକୁ ଠିକ୍ ପନ୍ଦର ବର୍ଷ ତଳେ ମଦନରର ପୁଅଟିଏ ଥିଲା ରତନକର । ସେତେବେଳେ ତା' ବୟସ ଦଶ କି ବାର ବର୍ଷ ହେବ । ପୁଅକୁ ବଡ ମଣିଷଟିଏ କରିବାର ଚିନ୍ତାରେ ମଦନ ଦିନ ରାତି ଖଟୁ ଥିଲା ଜମିରେ ଲୁହା ଲଙ୍ଗଳକୁ ଖେଳନା କରି । ଦେହର ରକତକୁ ଝାଳ କରି ବୁହାଉଥିଲା । ରୀତିମତ ପୁଅକୁ ସ୍ନେହ ଯେତିକି ଦେଉଥିଲା ଟିକିଏ ଭୁଲ ପାଇଁ ଶାସନ ବି ସେମିତି କରୁଥିଲା ଦୁନିଆର ସବୁ ବାପାଙ୍କ ପରି ।


      ସେଦିନ ମଦନ ଖଳାରେ ଧାନ ଗଦା କରୁଥାଏ । ଆଗରେ ରତନା ଖେଳୁଥାଏ । ଶୀତ ସକାଳ । ଦେହକୁ ସେକି ହେବାକୁ ଖଳା ପାଖରେ ନିଆ କରୁଥିଲା ରତନ । ମଦନ ମନାକରୁଥିଲା ନିଆଁ ଜାଳିବାକୁ । ସତର୍କ କରାଇ ଦେଇଥିଲା ରତନକୁ । କିନ୍ତୁ ରତନ ଅମାନିଆ ହୋଇ ନିଆଁ କଲା । ପାଳ କୁଟା ପଡି ଧୀରେ ଧୀରେ ନିଆ ପ୍ରଖର ହେଉଥିଲା । ହୁଏତ ମଦନର ସବୁତକ ସ୍ୱପ୍ନକୁ ଜାଳି ଦେବା ପାଇଁ । ମଦନ ପାଟି କଲା । ବୁକୁଫଟା ଚିତ୍କାର କଲା ।

ସେତେବେଳକୁ ଧାନ ଖଳାରେ ନିଆଁ ଲାଗି ସାରି ଥିଲା । ଚାହୁଁ ଚାହୁଁ ଏତବଡ ଧାନଖଳାଟା ଜଳି ପୋଡି ପାଉଁଶ ହୋଇଗଲା । ମଦନ ଯେତେ ଚେଷ୍ଟା କଲେ ବି ନିଆଁ ପାଖରେ ହାରିଗଲା । ବରଷ ଯାକର ପରିଶ୍ରମ ମାଟିରେ ମିଶିଗଲା । ଦୁଃଖ ଓ ରାଗରେ ରତନ ଆଡକୁ ଦଉଡିଲା । ହାତରେ ଧରିଥିବା କଣ୍ଟିରେ ଗୋଟାଏ ପ୍ରହାର ମାରିଲା । ପ୍ରାଣ ବିକଳରେ ରତନ ଆଗରେ ଆଗରେ ଦଉଡିବାକୁ ଲାଗିଲା । ମଦନ ଧରି ପାରିଲାନି ରତନକୁ ।


କିଛି ସମୟ ଧାଁ ଧପଡ ପରେ ମଦନ ଶାନ୍ତ ହୋଇ ବସି ପଡିଲା । ହେଲେ ସେଇ ଦିନ ଠୁ ରତନ ଯାଇଛି ଯେ ଯାଇଛି....ଘରକୁ ଆଉ ଜମା ଫେରିନି ।


  ଆଖ ପାଖ ସବୁ ଗାଆଁ, ନଈ ନାଳ, ପାହାଡ, ଝୋଲା, ବଣ ବୁଦା ଚାରିଆଡେ ଖୋଜିଲା । ହେଲେ ମଦନ ତା ପୁଅର ସନ୍ଧାନ କେଉଁଠାରେ ବି ପାଇଲା ନାହିଁ । ଗାଆଁ ଲୋକ ପୋଲିସ୍ ସମସ୍ତେ ମିଶି କେତେ ଖୋଜିଲେ । କେହି ରତନର ଖୋଜ୍ ଖବର ପାଇଲେନି । ଶେଷରେ ପୋଲିସ୍ ଜଙ୍ଗଲରେ ଠାବ କରିଥିବା କିଛି ମଣିଷ ହାଡ କଙ୍କାଳ ମଦନକୁ ଧରାଇ ଦେଇ ରତନ ମରିଗଲା ବୋଲି ଘୋଷଣା କରିଦେଲେ । ମଦନ ପୁଅର ଦଶାହ କର୍ମ ସବୁ ସାରି ଦେଇ ସବୁ ରୀତି ନୀତି ଅନୁଯାୟୀ ଶୁଦ୍ଧି ହୋଇପଡିଲା ... ସବୁଦିନ ପାଇଁ ପୁତ୍ରହରା ବାପର ଶୁଖିଲା ଜୀବନ ଜିଇଁବାକୁ ଲାଗିଲା ।

ଶରୀର ଥିଲା ହେଲେ ଆଉ ଆତ୍ମା ନ ଥିଲା । ଅକୁହା କୋହରେ ଜଳୁଥିଲା ।

ସେଇଥିପାଇଁ ସଂଗରୋଧ କେନ୍ଦ୍ରରେ ରତନକୁ ପ୍ରଥମେ ଯେବେ ଦେଖିଲା ତା' ମନରେ ମାୟା ଜନ୍ମିଥିଲା ।


      ଏମିତି କିଛି ଦିନ କଟିଗଲା । କେନ୍ଦ୍ରର ସବୁ ଅନ୍ତେବାସୀଙ୍କ ରିପୋର୍ଟ ନେଗେଟିଭ ଆସିଲା । ସବୁ ସୁସ୍ଥ ଥିଲେ । ସେଦିନ ଧୀରେ ଧୀରେ ପ୍ରବାସୀ ଶ୍ରମିକ ସଂଘରୋଧ କେନ୍ଦ୍ରରୁ ନିଜ ନିଜ ଘରକୁ ଫେରୁଥିଲେ !


ମଦନ ହଠାତ୍ ଶୁଣିଲା କେହି ଜଣେ ପଛରୁ ଡାକୁଛି-- ବାପା !!!


ଚମକି ପଡିଲା ମଦନ । ବହୁଦିନରୁ ଏ ଡାକ ଶୁଣି ନଥିଲା ସେ । ଏଇ ବାପା ଡାକଟା ତା ମନକୁ ଚହଲେଇ ଦେଲା । ପଛକୁ ବୁଲି ଦେଖିଲା ତରଳୁଥିବା ବରଫ ଖଣ୍ଡ ପରି ସାମ୍ନାରେ ଛିଡା ହୋଇଛି ରତନ । ଆଖି କୋଣରୁ ବହୁଦିନରୁ ଜକେଇ ଥିବା ଲୁହ ଝରିଗଲା । ତା' ସନ୍ଦେହଟି ସତ ହେଇଛି ଏକଥା ବୁଝିବାକୁ ମଦନକୁ ବେଶି ସମୟ ଲାଗିଲାନି ।


ରତନ ମୁଣ୍ଡିଆ ମାରି କରୁଣ କଣ୍ଠରେ କହୁଥାଏ ତା ପନ୍ଦର ବର୍ଷର ଭଙ୍ଗା ଗଢା ଇତିହାସ, ଶୁଣାଉ ଥାଏ ପନ୍ଦର ବର୍ଷର ପ୍ରବାସୀ ଜୀବନର କାହାଣୀ, କାହାଣୀ ତ ନୁହେଁ କହୁଥିଲା ନିଜ ଅତୀତର ଅଙ୍ଗେ ନିଭା ଘଟଣା ଓ ଆବେଗକୁ ...

---ପ୍ରସ୍ତର ମୂର୍ତ୍ତି ପରି ନିଶ୍ଚଳ ହୋଇ ଶୁଣୁଥିଲା ମଦନ ।


ରତନ ଆବେଗ ଭରା କଣ୍ଠରେ ଶୁଣାଉଥାଏ ତା' ଆତ୍ମ କାହାଣୀ.....ତା' ଭଙ୍ଗା ହୃଦୟର ଭିଜା କାହାଣୀ......

    

    --"ମୋତେ କ୍ଷମା କରିଦିଅ ବାପା । ରାଗ ଓ ଅଭିମାନ ମୋତେ ଏତେଦିନ ଆପଣଙ୍କଠୁ ଦୂରେଇ ରଖିଥିଲା । ସେଦିନ ସେଇ ନିଆଁ, ସେଇ ଜଳୁଥିବା ଧାନଗଦା ଆଉ ତମର ରାଗ, ଦେଖିକି ଖୁବ୍ ଡରି ଯାଇଥିଲି । ମୁଁ ବି ନିଆଁ ଲିଭାଇବାକୁ ସେଦିନ ବହୁତ ଚେଷ୍ଟା କରିଥିଲି । ହାତ ବି ଜଳିଗଲା । ରାଗରେ ତୁମେ ମୋ ଉପରକୁ କଣ୍ଟି ଫିଙ୍ଗିଦେଲ । ସେ କଣ୍ଟି ମୁନଟା ପେଟରେ ଗଳି ଯାଇ ଥାଆନ୍ତା, ଅଳ୍ପକେ ବଞ୍ଚିଗଲି । କଣ୍ଟିଟା ଆଣ୍ଠୁ ତଳେ ବାଜିଲା । କଅଁଳ ହାଡଟା ବହୁତ କଷ୍ଟ ହେଉଥିଲା । ତୁମ ସେଦିନ ନିଆଁଠୁ ବି ଅଧିକ ଭୟଙ୍କର ଦିଶୁଥିଲ । ବହୁତ ଡରିଗଲି ।


ଏଇ ଡର ଆଗରେ ଯନ୍ତ୍ରଣାଟା କମ୍ ଲାଗିଲା । ଦୌଡିଲି ..ଖୁବ୍ ଜୋର୍ରେ .. ଆଗକୁ ଆଗକୁ....ଯେଉଁ ଆଡକୁ ଆଖି ନେଇ ଯାଉ ଥିଲା । ଶେଷରେ ଚଢିଗଲି ଟ୍ରେନ ଉପରକୁ । ସେଦିନ ହାତ ଜଳି ଯାଇଥିଲା । ଯନ୍ତ୍ରଣାରେ ବହୁତ ଛଟପଟହେଉଥିଲି । ଅଚେତ ହୋଇ ପଡିରହିଲି ଟ୍ରେନରେ । ଯେତେବେଳେ ଚେତା ଫେରିପାଇଲି, ସେତେବେଳକୁ ପହଞ୍ଚି ଯାଇଥିଲି ଏକ ବଡ ସହରରେ । ମନରେ ତୁମ ପ୍ରତି ରାଗ ଓ ଅଭିମାନ ଜମାଟ ବାନ୍ଧି ହୋଇଗଲା । ନିଶ୍ଚିତ କଲି କେବେ ଗାଆଁକୁ ଫେରିବିନି । ସେଇଠୁ ଆରମ୍ଭ ହୋଇଗଲା ଭୋକ ସହ ଲଢ଼େଇ, ନିଜ ସହ ଲଢ଼େଇ । ନିଜ ମାନ ଅଭିମାନ ରାଗକୁ ଅସ୍ତ୍ର କଲି। ଯେଉଁଠି ଯାହା ମିଳିଲା ଖାଇ ଦିଏ । ଯେଉଁ ଛାତ ମିଳିଲା ସେଇଠି ଶୋଇପଡେ । ଟ୍ରେନ ପ୍ଲାଟଫର୍ମ, ବସ୍ ଷ୍ଟାଣ୍ଡ, ସଡକ ଫୁଟ୍ ପାଥ୍ ସବୁ ମୋର ଘର ପାଲଟିଗଲା । ମୋ ପରି ଜୀଉଁଥିବା ମଣିଷଙ୍କ ଅଭାବ ନଥିଲା ସହରରେ । ସାଥି ହୋଇଗଲି ବାରବୁଲା ଯାଯାବରଙ୍କ ମେଳରେ । ପରିବାର ଓ ପରିଚୟ ମିଳିଗଲା । ମୁଁ ବି ସେମାନଙ୍କ ପରି ଅନାଥ ଜୀବନ ବାଛି ନେଲି । ମୋ ଅତୀତକୁ ଭୁଲିଗଲି ରାଗ ଆଉ ଅଭିମାନରେ । ସେମାନେ ଯାହା କଲେ ମୁଁ ବି ତାହା କଲି । ହୋଇଗଲି ଭିନ୍ନ ପଥର ପଥିକ !!


     ଥରେ ଜଣେ ବଡ ବାବୁ ମୋ ପରି ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବାର ବାହାନାରେ ଆମକୁ ନେଇଗଲେ । ବଡ ଘରେ ନେଇ ରଖିଲେ । ଭଲ ଖାଇବାକୁ ଦେଲେ । ଭଲ ପୋଷାକ ସାଙ୍ଗକୁ ଭଲ ପିନ୍ଧିବାକୁ ବି ଦେଲେ ।ଆମେ ରହିଲୁ ଗୃହବନ୍ଦୀ ହୋଇ । ସବୁ ସୁବିଧା ସିନା ମିଳିଲା କିନ୍ତୁ ହରେଇ ବସିଲୁ ସ୍ୱାଧୀନତା । ବାବୁ ଆମକୁ ଭିନ୍ନ ମଣିଷ କରି ଗଢୁଥିଲେ । ମଦ ଠୁ ଆରମ୍ଭ କରି ସବୁ ପ୍ରକାର ନିଶା ସହ ବାବୁ ଅଭ୍ୟସ୍ତ କରିଦେଲେ । ପକେଟମାରଠୁ ଆରମ୍ଭ କରି ସବୁତକ କୁତ୍ସିତ କାମରେ ଆମେ ସବୁ ହୋଇଗଲୁ ସିଦ୍ଧହସ୍ତ । ଧିରେ ଧିରେ ପାଲଟିଗଲି ନଷ୍ଟ ଚରିତ୍ର । ରତ୍ନାକରରୁ ହୋଇଗଲି ରତନ !! ନିଜକୁ ଧିକ୍କାର କଲି । ନିଜକୁ ନିଜେ ଘୃଣା କରିବାକୁ ଲାଗିଲି । ଅନୁତୁପ୍ତର ଜ୍ୱ୍ୱଳନରେ କୁରୁଳି ଉଠିଲି । ସେତେବେଳେ ଗାଆଁ ଘର କଥା ବହୁତ ମନେ ପଡୁଥିଲା । ମଣିଷ ଅସହାୟ ହେଲେ ଏମିତି ହିଁ ନିଜ ଲୋକଙ୍କ କଥା ମନେପକାନ୍ତି । ତମ କଥା ଭାବି ବହୁତ କାନ୍ଦିଲି । ଘରକୁ ଫେରି ଆସିବାକୁ ବହୁତ ଇଚ୍ଛା ବି ହେଉଥିଲା । ହେଲେ ସାହସ ନ ଥିଲା ଫେରିବାକୁ । ମନକୁ ପୁଣି ବଦଳେଇ ଦେଲି ।


     ସହରଟା ବି ଖୁବ୍ ପରିଚିତ ହୋଇ ଯାଇଥିଲା । ଛକ ବଜାର ଗଳିକନ୍ଦି ଆଉ ନୂଆ ଲାଗୁ ନ ଥିଲା । ସହର ଯେମିତି ବଢୁଥିଲା ମୁଁ ବି ତା ସହ ତାଳ ଦେଇ ବଢିବାକୁ ଲାଗିଲି । ସହରଟା ମୋତେ ଫେରିବାକୁ ଦେଉ ନ ଥିଲା । ଦିନେ ମୋ ଚେତନା ଉଦୟ ହେଲା । ନିଜକୁ ସୁଧାରିବା ପାଇଁ ଚେଷ୍ଟା କଲି । ଦୂରେଇଗଲି ସବୁ ଅପ କର୍ମରୁ । ବାବୁଙ୍କ ପାଖରେ କାମ କରିବା ଛାଡି ଦେଲି । ସେଉଠୁ ଏକ ଗ୍ୟାରେଜରେ କାମ କଲି । ମେହନତ କରି ପେଟ ଭରୁ ଥିଲି । ପୁଣି ଥରେ ଜୀଉଁ ଥିଲି । ସବୁ ଠିକ୍ ଥିଲା । ରତନରୁ ଧିରେ ଧିରେ ରତନ ପାଲଟୁଥିଲି । ଏଇ ସମୟରେ ଦେଖାହେଲା ରଞ୍ଜିତା ସହ । 

ରଞ୍ଜିତା ଦିନେ ଗ୍ୟାରେଜ୍ ଆସିଥାଆନ୍ତି ନିଜ ସ୍କୁଟି ରିପାୟର୍ ପାଇଁ । ସ୍କୁଟିଟିକୁ ସଜାଡୁ ସଜାଡୁ ଜାଣିବାକୁ ପାଇଲି ସେ ବି ସେଇ ସହରରେ ଏକୁଟିଆ । ବାପା ମାଆ ଚାଲି ଯିବା ପରେ ନିଜ ଗୋଡରେ ଛିଡା ହୋଇଛି । ଏକ ପ୍ରାଇଭେଟ କମ୍ପାନୀରେ ସାମାନ୍ୟ ଚାକିରୀ ଖଣ୍ଡକ କରେ । ସେଥିରୁ ଯାହା ମିଳେ ଏକୁଟିଆ ପ୍ରାଣୀ ଚଳିଯାଏ ... ତା'ର ବି ସ୍ୱପ୍ନ ବୋଲି କିଛି ନାହିଁ । କେଇ ପଦ କଥାବାର୍ତ୍ତା ଭିତରେ ଆମ ଭିତରେ ନିବିଡତା ବଢିଯାଇଥିଲା ...

କିଛି ନା କିଛି ବାହାନା କରି ସେ ସବୁଦିନ ଅଟକିଯାଏ ଗ୍ୟାରେଜ୍ ଆଗରେ । କିଛି ସମୟ ଦୁହେଁ କଥା ହେଉ ..

ଅନୁଭବ ହେଲା ଏତେ ବଡ ସହରରେ ତା'ର ଜଣେ ସାଥିର ଆବଶ୍ୟକ ଥିଲା । ମୁହଁ ଖୋଲି କହିନଥିଲେ ବି ବୁଝି ପାରୁଥିଲି ତା ମନରେ ମୁଁ ଘର କରି ସାରିଛି .... ରଞ୍ଜିତା ପାଇଁ ମୁଁ ବି ଧିରେ ଧିରେ ଭଲ ମଣିଷଟିଏ ହୋଇ ନିଜକୁ ସୁଧାରିବାକୁ ଲାଗିଲି ... ମଲା ମନଟି ମୋର ଖୁସିରେ ନାଚିବାକୁ ଲାଗିଲା ।


ସ୍ୱପ୍ନ ରାଇଜରେ ଏମିତି ଭାସି ବୁଲି ନୂଆ ଦୁନିଆଟେ ଗଢିବାକୁ ପ୍ରସ୍ତୁତ ହେଲା ବେଳେ ହଠାତ୍ ଆସିଗଲା ମହାମାରୀ କୋରନା । ସହର ପୁରା ଲକ୍ ଡାଉନ୍ । ଚାରିଆଡେ ହାହାକାର । କାମ ଦାମ ସବୁ ବନ୍ଦ । ଗ୍ଯାରେଜ୍ ମାଲିକ ବି ଚାକିରୀରୁ ବାହାର କରିଦେଲେ । ସହରରେ କିଏ କାହାକୁ ସାହାଯ୍ୟ କରିବା ପରିସ୍ଥିତିରେ ନ ଥିଲେ । ସବୁ ଦି' ଗୁଣା ଦାମରେ ଜିନିଷ କିଣିବାକୁ ପଡୁ ଥିଲା । ପାଖରେ ଥିବା ସବୁତକ ପଇସା ସରିବାକୁ ଲାଗିଲା । କାହା ପାଖରେ ହାତ ପତେଇବାକୁ ଇଚ୍ଛା ହେଲାନି । ପୁଣି ଡରେଇଲା ଭୋକ । 

କିଛି ଦିନ ହେବ ରଞ୍ଜିତା ସହ ଦେଖା ସାକ୍ଷାତ ବି ହୋଇ ପାରୁନଥାଏ.... ସେ ଦେଇଥିବା ଠିକଣା ପଚାରି ରଞ୍ଜିତାର ଖବର ନେଲି... ଯେତେବେଳେ ଶୁଣିବାକୁ ପାଇଲି କରୋନା ଆକ୍ରାନ୍ତ ହୋଇ ରଞ୍ଜିତା ଆରପାରିକୁ ଚାଲି ଯାଇଛି ସେତେବେଳେ ମୁଁ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଲି.... କ୍ଷଣିକରେ ସବୁ ସ୍ୱପ୍ନ ଧୂଳିସାତ୍ ହୋଇଗଲା । ପୁଣିଥରେ ନିଜକୁ ସେଇ ସହରରେ ଏକୁଟିଆ ଅନୁଭବ କଲି । 

ଏଥର ସହରଟି ଖୁବ୍ ଡରେଇବାକୁ ଲାଗିଲା ... ପୁଣି ଖୋଜିଲି ଫୁଟ୍ ପାଥ୍, ବସ୍ ଷ୍ଟପ୍, ପ୍ଲାଟଫର୍ମ...ଯୋଡି ହୋଇଗଲି ରାସ୍ତାକଡର ମୋ ପରି ଅନାଥ ହୋଇ ବୁଲୁଥିବା ଲୋକମାନଙ୍କ ସହ .....


    ପୁଣି ସଂଘର୍ଷ କଲି ଭୋକ ସହ, ନିଜ ସହ । ଭୋକ ଯେତେ ବଢୁଥିଲା ମନରୁ ଧିରେ ଧିରେ ରାଗ ଓ ଅଭିମାନ ସେତେ ତରଳୁଥିଲା । ନିଜ ଗାଆଁ କଥା ଘର କଥା ଆଉ ତମ କଥା ଖୁବ୍ ମନେ ପଡୁଥିଲା । ଖୁବ୍ ଅସହାୟ ହୋଇଗଲି । ଗାଆଁକୁ ଫେରିବାର ବାଟ ଖୋଜୁଥିଲି ସବୁ ଫେରନ୍ତା ପ୍ରବାସୀ ଶ୍ରମିକ ପରି ! ମୁଁ ଚାଲିବାକୁ ଲାଗିଲି ଗାଆଁ ଆଡକୁ ..…...

'ଚାଲୁଥିଲି ... କାହିଁ କେତେବେଳଠୁ । ସକାଳରୁ ସଞ୍ଜ,ଛାଇ ଲେଉଟିବା ଯାଏ । ଆହୁରି ଚାଲି ବାର ବାକି ଥାଏ । ରାସ୍ତା ସରୁନଥାଏ । ପାଦରେ ଫଟା ଫଟା ବିଣ୍ଡା । ଆଗରେ ଛିଡା ହୋଇ ରହିଛି ସୁଦୀର୍ଘ ଉତ୍ତପ୍ତ ପିଚୁର କଳା ଦାନବ । ତା' ଛାତିରେ ଚାଲୁଥିଲି ଦିଗବଳୟକୁ ଛୁଇଁ ଯିବା ପାଇଁ । ଆର ପାରିରେ ଶୀତଳ ନଈ । ସବୁଜ ଘାସ ଗାଲିଚା । ଛାଇ ଦେଉଥିବା ଡେଂଗା ଡେଂଗା ଗଛ । ସ୍ଥିର ପ୍ରଶାନ୍ତ ପାହାଡ ।ଗାଆଁ ମାଟିର ମହମହ ଗନ୍ଧ, ଘର,ପରିବାର । ଅପୂର୍ବ ଆକର୍ଷଣ । ଶୀତଳ ସମ୍ମୋହନ । ଏସବୁ କେନ୍ଦ୍ରୀଭୂତ ହୋଇ ପାଦରେ କାକର ଭରି ଦେଉଥିଲା କଳା ପିଚୁଟାକୁ ଥଣ୍ଡା କରିବାଦେବା ପାଇଁ । ସେଇଥିପାଇଁ ତ ମୁଁ ଚାଲି ପାରୁ ଥିଲି । ଥକି ଯାଉଥିଲି ସତ, ତଥାପି ସେଇ ସମ୍ମୋହନ ମୋତେ ହାତ ଧରି ଚଲାଉଥିଲା ଅସରା ନିର୍ଦ୍ଦୟ ବାଟରେ । ସତେ ଯେମିତି ହାତ ହଲାଇ କହୁଥିଲା ଫେରିଆ ମାଟି ମାଆ କୋଳକୁ । ଏ ଯାତ୍ରା ଥିଲା ଲେଉଟା ଯାତ୍ରା । ଜନ୍ମରୁ ମୃତ୍ୟୁକୁ ପୁଣି ମୃତ୍ୟୁର ସହରରୁ ଜନମ ବେଦୀକୁ... ସୁଦୀର୍ଘ ଯାତ୍ରା । ଆଉ ଏଇ ଯାତ୍ରାର ମୁଁ ହୋଇ ଯାଇ ଥିଲି ପଥଭ୍ରଷ୍ଟ ପଥିକ !!!


ଚାଲୁଛି ବୋଲି ତ ମୁଁ ଜିଇଁଛି । ଚାଲିବା ବନ୍ଦ ହୋଇଗଲେ ଏ ଯାତ୍ରା ବି ସରି ଯାଆନ୍ତା କେଉଁ ଦିନରୁ । ଜୀବନ ବି !!! ଏ କଥା ବୁଝିଛି । ସେଇଥିପାଇଁ ତ ମୁଁ ଚାଲୁଥିଲି ନିର୍ଧୂମ ଖରାର ଛାତ ତଳେ-- ଚାଖଣ୍ଡେ ପେଟର ଭୋକ ସହ........ ଓଦା ଆଖିର ହଜିଲା ସ୍ୱପ୍ନ ସହ ..... ଭଙ୍ଗା ହୃଦୟର ହୁଗୁଳା ହାଡ ସହ !!! ଏ ଯାତ୍ରା କେବେ ସରିବନି । ଏ ଯାତ୍ରାର ଅନ୍ତ ନାହିଁ । ଜୀବନ ସରିବା ଯାଏ ଏ ଯାତ୍ରା । '"

     

     ---ଆଉ ଏଇ ଲେଉଟା ଯାତ୍ରାର ପଥିକ ଥିଲି ମୁଁ, ତୁମ ପଳାତକ ସନ୍ତାନ,ଫେରୁଥିଲି ସର୍ବସ୍ୱାନ୍ତ ହୋଇ ନିଜ ଭିଟାମାଟିକୁ ସମୟ ଓ ଶ୍ରମର ବଳିଦାନରେ । ନିର୍ଜୀବ ଦିଲ୍ଲୀରୁ ପଲ୍ଲୀକୁ ... ।


ପୁଣି ଦେଖିଲି ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଟ୍ରେନ ଗଡୁଛି । ତମ ପାଖକୁ ଫେରି ଆସିବାକୁ ସାହସ ଜୁଟାଇଲି । ପୁଣି ଭାବୁଥିଲି ଏ ନଷ୍ଟ ଜୀବନ ନେଇ କେମିତି ମୁଁହ ଦେଖାଇବି । ଏମିତି ହଁ... ନାଁ... ର ଉତ୍ତର ଖୋଜିଲା ବେଳକୁ ଟ୍ରେନ ଛାଡିଦେବା ଉପରେ ଦୁଇଥର ସାଇରନ୍ ବାଜି ଉଠିଲାଣି । ମୁଁ ଅଣାୟତ୍ତ ହୋଇଗଲି । ତମ ସ୍ୱର ମୋ କାନରେ ବାରମ୍ବାର ପ୍ରତିଧ୍ୱନିତ ହେବାକୁ ଲାଗିଲା । ଅନୁଭବ କଲି ଯେମିତି ତମେ ମୋ ଫେରିବା ବାଟକୁ ଅନାଇ ବସିଛ କାହିଁ କେତେ କାଳରୁ । 


      ସେଇ ନିଆଁ !, ସେଇ ଧାନ ଖଳା ! ସେଇ ପାଉଁଶ ! ଆଖି ଆଗରେ ନାଚି ଉଠିଲା । ମୁଁ ଚାଲି ଆସିବା ପରେ ଆପଣ କେମିତି ଜିଉଁ ଥିବେ । ବିଚଳିତ ହୋଇଗଲି । ମୁଁ ହୋଇଗଲି ଅଣନିଃଶ୍ୱାସୀ । ଏତେଦିନ ପରେ ଗାଆଁକୁ ଫେରି ଆସିବାକୁ ପ୍ରଲୁବ୍ଧ ହେଲି । ପାଗଳ ପରି ଦଉଡିଲି ...ଖୁବ୍ ଜୋର୍ରେ, ସେ ଦିନ ପରି ....ବସିଗଲି ଟ୍ରେନରେ ଧପ୍ କରି......!!!""


     ଗୋଟିଏ ନିଃଶ୍ୱାସରେ ଏତକ କହୁଥିଲା ବେଳେ ରତନର ମୁଖମଣ୍ଡଳ ସକାଳର କାକର ପରି ଓଦାଳିଆ ହୋଇ ଯାଉଥିଲା । ପନ୍ଦର ବର୍ଷର ଏ କରୁଣ କାହାଣୀକୁ ମଦନ ଶୁଣୁଥିଲା ନିର୍ଜୀବ ମୂର୍ତ୍ତି ପରି । ମଦନର ଆଖିରୁ ବି ଦୁଃଖ ଆଉ ସୁଖର ଫେଣ୍ଟା ଫେଣ୍ଟି ଲୁହଟା ଝରି ଗଲା ।


     ରତନକୁ କୁଣ୍ଢେଇ ଧରି ପାଗଳ ପରି ପ୍ରଳାପ କଲା ରତନ!!! ରତନ !! ମୋ ରତନ !! ରତନ ବି ଦଶ ବର୍ଷର ରତନ ପରି ଆଉଜି ହୋଇଗଲା ବାପାଙ୍କ ଛାତିରେ, ଏକ ଚିର ପ୍ରଶାନ୍ତିରେ ।

ସଙ୍ଗରୋଧ କେନ୍ଦ୍ରରେ ନୂଆ ସକାଳଟା ସେଦିନ ବହୁତ ଫର୍ଚ୍ଚା ଦିଶିଲା ମଦନକୁ ।


ଗୋଟିଏ ନଈର ଦୁଇଟି ଧାର ପୁଣି ମିଶୁଥିଲା ମୁହାଣରେ । ବାପ ପୁଅଙ୍କ ପୁନଃର୍ମିଳନର ଆବେଗାଶ୍ରୁରେ ଭିଜି ଯାଉଥାଏ ଦୁଇଟି ଶୁଷ୍କ ହୃଦୟ .......



Rate this content
Log in

Similar oriya story from Tragedy