Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Kanan Bala Nayak

Tragedy Inspirational


3  

Kanan Bala Nayak

Tragedy Inspirational


ଜନ୍ମଦିନ ଶୁଭେଚ୍ଛା

ଜନ୍ମଦିନ ଶୁଭେଚ୍ଛା

7 mins 439 7 mins 439


  ଆଜି ପୁଷ୍ପାଞ୍ଜଳିର ଜନ୍ମଦିନ l ସକାଳ ପାଖରୁ ତା ଫୋନ୍କୁ ଜମାରୁ ଫୁରୁସତ୍ ନାହିଁ l ବନ୍ଧୁ ବାନ୍ଧବ ସାଙ୍ଗ ସାଥି ସମସ୍ତେ ଜଣେ ପରେ ଜଣେ ଫୋନ୍ କରୁଛନ୍ତି l ହେଲେ ପୁଷ୍ପାଞ୍ଜଳି ଜଣକ ଫୋନ୍କୁ ଅପେକ୍ଷା ‌କରିଛି l ‌ତାର ପ୍ରତ୍ୟେକ ଜନ୍ମଦିନ ଦିନ ସକାଳୁ ଉଠିବା ଆଗରୁ ତାର ଫୋନ୍ ଆସେ l ଆଉ ଗୋଟିଏ ମିଠା ସ୍ବରରେ ସେ କହିଉଠେ ‌" ମୁଁ ତୋର ଭାରୀ ଖରାପ୍ ‌ସାଙ୍ଗଟେ ନାଁ ? ତୋତେ ଜମାରୁ ‌ଫୋନ୍‌ କରୁନି l ଆଜି ତୋର ଜନ୍ମଦିନ ନାଁ?ହଉ Happy Birthday" l ତାର ଏଇ ପଦକ କଥାରେ ପୁଷ୍ପାଞ୍ଜଳିର ସବୁ ଅଭିମାନ କୁଆଡେ ଉଭେଇ ‌ଯାଏ l ସେ ଆଉ କେହି ନୁହଁ ସେ ହେଉଛି ପୁଷ୍ପାଞ୍ଜଳିର ଅତି ପ୍ରିୟ ସାଙ୍ଗ ‌ଲୋପା l 


  ଲୋପା ଯେତେ ବ୍ୟସ୍ତ ‌ଥିଲେ‌ ମଧ୍ୟ ପୁଷ୍ପାଞ୍ଜଳିକୁ ତା ଜନ୍ମଦିନରେ ‌ଫୋନ୍‌ କରିବାକୁ କେବେବି ‌ଭୁଲେନି l ବର୍ଷର ଅନ୍ୟ ଦିନରେ ନ ହେଲା ନାହିଁ କିନ୍ତୁ ପୁଷ୍ପାଞ୍ଜଳିର ଜନ୍ମଦିନରେ ସେ ତାକୁ ନିଶ୍ଚିତ ‌ଭାବରେ ଫୋନ୍ କରେ l ପୁଷ୍ପାଞ୍ଜଳି ସହ ଲୋପାର ପରିଚୟ ହେବା ଠାରୁ କୈାଣସି ଜନ୍ମଦିନରେ ବ୍ୟତିକ୍ରମ ହୋଇନି l ହେଲେ ଆଜି ଏ ବ୍ୟତିକ୍ରମ କାହିଁକି? ସକାଳ ଯାଇ ଏତେ ରାତି ହେଲାଣି l ହେଲେ‌ ଲୋପାର ଫୋନ୍ କାହିଁକି ଆସୁନି l ପୁଷ୍ପାଞ୍ଜଳି ମନେ ମନେ ବ୍ୟସ୍ତ ହେଉଥାଏ l ପୁଷ୍ପାଞ୍ଜଳିର ମନ‌ର କଥାକୁ ତା ସ୍ବାମୀ ଠିକ୍ ଭାବରେ ବୁଝି‌‌ ପାରୁଥିଲେ l ସେ‌ କହିଲେ ତୁମେ ଲୋପାର ଫୋନ୍କୁ ଅପେକ୍ଷା କରିଛ ନାଁ?ଆଉ ଫୋନ୍ ‌ଆସୁନି ବୋଲି ବ୍ୟସ୍ତ ହେଉଛ? ହେଲେ ତୁମେ କଣ ଭୁଲି ଗଲଣି ଲୋପା ତୁମକୁ ଆଉ କେବେ ବି ‌ଫୋନ୍‌ କରିବନି ବୋଲି l ସାତ ମାସ ତଳୁ ‌ପରା ସେ‌ ଆମ ସମସ୍ତଙ୍କୁ ଛାଡି ପଞ୍ଚ ମହାଭୂତରେ ଲୀନ ‌ହୋଇଗଲାଣି l  ତୁମେ ସବୁ ବୁଝି ଏମିତି ଅବୁଝା ହେଲେ ହେବ?  


  ତା ସ୍ବାମୀର କଥା ଶୁଣି ପୁଷ୍ପାଞ୍ଜଳି ଆଖି ରୁ ଅମାନିଆ ଲୁହ ଗୁଡିକ ଧାର ଧାର ହୋଇ ବହି ବାକୁ ଲାଗିଲା l  ପୁଷ୍ପାଞ୍ଜଳି ସହ ଲୋପାର ପ୍ରଥମ ଦେଖାହୁଏ ରେଭେନ୍ସା ‌ଲେଡିଜ୍ ହଷ୍ଟେଲରେ l ତା ବଡ଼ ଭଉଣୀ ଗୋପା ଅପା ଙ୍କ ମାଧ୍ୟମରେ l ପୁଷ୍ପାଞ୍ଜଳି ଉଭୟ +୨ ଓ +୩ ରେଭେନ୍ସା କଲେଜରେ ପଡ଼ିଥିଲା ଓ ଲେଡିଜ୍ ହଷ୍ଟେଲରେ ‌ରହୁଥିଲା l  ପୁଷ୍ପାଞ୍ଜଳିର ଯେତେବେଳେ +୨ ସେକେଣ୍ଡ ଇଅର୍, ଗୋପା ଅପାଙ୍କର ସେତେବେଳେ +୩ ସେକେଣ୍ଡ ଇଅର୍ l ଗୋପା‌ ଅପା ମଧ୍ୟ ରେଭେନ୍ସା ଲେଡିଜ୍ ହଷ୍ଟେଲରେ ରହୁଥିଲେ l ପୁଷ୍ପାଞ୍ଜଳି ରହୁଥିବା ରୁମ୍ରେ ଗୋପା ଅପାଙ୍କର ଜଣେ ସାଙ୍ଗ ‌ରହୁଥିଲେ l ତେଣୁ ସେ ପ୍ରାୟ ପୁଷ୍ପାଞ୍ଜଳି ରୁମ୍କୁ ଆସନ୍ତି l ଆଉ ପୁଷ୍ପାଞ୍ଜଳି ଯେହେତୁ ତାଙ୍କ ସାନ ଭଉଣୀର ସମବୟସ୍କ ଥିଲା ଓ ତାଙ୍କ ସାନ ଭଉଣୀ ଲୋପା ମଧ୍ୟ +୨ ସେକେଣ୍ଡ ଇଅର୍ ପଢୁଥିଲା (କଲେଜ ଅଲଗା ଥିଲା)ସେ ପୁଷ୍ପାଞ୍ଜଳିକୁ ନିଜର ସାନ‌ ଭଉଣୀ ଭଳି ସ୍ନେହ କରୁଥିଲେ l 


  +୨ ପାସ୍ କରି ସାରିବା ପରେ +୩ରେ ମଧ୍ୟ ପୁଷ୍ପାଞ୍ଜଳି ରେଭେନ୍ସା କଲେଜରେ ପଲିଟିକାଲ ‌ସାଇନ୍ସ ଅନର୍ସ ନେଇ ଆଡ଼ମିଶନ ହେଲା ଓ‌ ଲେଡିଜ୍ ହଷ୍ଟେଲରେ ରହିଲା l ସେଇ ସମୟରେ ଗୋପା ଅପା ଆସି ଦିନେ ପୁଷ୍ପାଞ୍ଜଳିକୁ କହିଲେ ଝୁନୁ (ପୁଷ୍ପାଞ୍ଜଳିର ଡାକ ନାଁ)ମୋ ସାନ ଭଉଣୀ ଲୋପା ରେଭେନ୍ସାରେ ଆଡ଼ମିଶନ ହୋଇଛି l ତାର ମଧ୍ୟ ପଲିଟିକାଲ ‌ସାଇନ୍ସ ଅନର୍ସ l ତାକୁ ତୋ ରୁମ୍ରେ ରଖିଦେଲେ ଭଲ ହେବ ବୋଲି ଭାବୁଛି l ତୋର କିଛି ଆପତ୍ତି ନାହିଁ ତ? ସେ ଆଗରୁ କେବେ ହଷ୍ଟେଲରେ ରହିନି ତ? ପୁଷ୍ପାଞ୍ଜଳି ଖୁସିରେ ଖୁସିରେ ଲୋପାକୁ ତା ରୁମରେ ରଖିବା ପାଇଁ ରାଜି ହୋଇଗଲା l ହେଲେ ପୁଷ୍ପାଞ୍ଜଳି ‌ଲୋପାର ସ୍ବଭାବ ବିଷୟରେ ଯାହା ‌ଭାବିଥିଲା ଲୋପା ତାର ବିଲକୁଲ୍ ‌ଓଲଟା ସ୍ବଭାବର ଥିଲା l  


  ପୁଷ୍ପାଞ୍ଜଳି ଭାବିଥିଲା ଲୋପା ମଧ୍ୟ ଗୋପା ଅପା ଙ୍କ ଭଳି ସହଜରେ ଅନ୍ୟ ମାନଙ୍କ ‌ସହ ମିଶି ଯାଉଥିବ ଓ‌ ସେ ତାକୁ ସହଜରେ ନିଜର ବନ୍ଧୁ‌ ଭାବରେ ଆପଣାଇ ‌ନେଵ l ହେଲେ ଲୋପା‌‌ ସହଜରେ ‌ମିଶିବା ତ ଦୂରର କଥା, ଭଲରେ କଥା ପଦେ ମଧ୍ୟ ହୁଏନି l ସବୁବେଳେ ଚୁପ୍ ଚାପ୍ ରହେ l ତାକୁ ଯେଉଁ କଥା ଭଲ ଲାଗେନି ସେ କଥା କେହି କହି ଦେଲେ, ତାକୁ ମୁହଁ ଉପରେ ରୋକ୍ ଠୋକ୍ ଜବାବ ଦେଇ ଦିଏ l ତେଣୁ ତା ସହପାଠୀ ମାନେ‌ ତାକୁ ଗର୍ବୀ ଓ ଅହଂକାରୀ ବୋଲି ଭାବି ତା ସହ ମିଶନ୍ତି ନାହିଁ l ହେଲେ ପୁଷ୍ପାଞ୍ଜଳି ତ ନିଜର ସ୍ନେହ ଓ ଭଲପାଇବା ଦ୍ଵାରା ସମସ୍ତଙ୍କୁ ଆପଣାର କରିବାରେ ଓସ୍ତାଦ ‌ଥିଲା l ଫଳରେ ଲୋପା ଭଳି ଏକୁଟିଆ ରହିବାକୁ ଭଲ ପାଉଥିବା ଝିଅ ଟିକୁ ମଧ୍ୟ କିଛି ‌ଦିନ‌ ମଧ୍ୟରେ ତା ସ୍ନେହ ପ୍ରେମରେ ‌ଆପଣାର କରି‌ ନେଇଥିଲା l 


  ରେଭେନ୍ସା ଲେଡିଜ୍ ହଷ୍ଟେଲରେ ତିନି ‌ବର୍ଷର ରହଣୀ ଭିତରେ ଦୁହେଁ ଦୁହିଁଙ୍କର ଅନେକ ସୁଖ ଦୁଃଖକୁ ବାଣ୍ଟିଥିଲେ l ଗ୍ରାଜୁଏସନ୍ ସାରିବା ପରେ ଉଭୟେ ରାଜ୍ୟର ସର୍ବବୃହତ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ପି l ଜି l କରିବା ପାଇଁ ଆଡ଼ମିଶନ ହେଲେ l ସେଠାରେ ମଧ୍ୟ ଦୁହେଁ ଗୋଟିଏ ରୁମ୍ରେ ରହିଲେ l ଲୋପା ଖାଲି ନାମକୁ ମାତ୍ର ହଷ୍ଟେଲରେ ରୁମ୍ଟେ ରଖି ଥିଲା କିନ୍ତୁ ଅଧିକାଂଶ ସମୟ ସେ ତା ବାପା ମାଆଙ୍କ ସହିତ ଘରେ ରହୁଥିଲା l (କାରଣ ଭୁବନେଶ୍ୱର ବାହାରେ ଚାକିରୀ କରିଥିବା ତା ମାଆ ଓ ବାପା ସେତେବେଳକୁ ଭୁବନେଶ୍ୱର ଆସି ସାରି ଥାଆନ୍ତି) l କେବଳ କୌଣସି ଫଙ୍କସନ୍ ହେଲେ ହଷ୍ଟେଲରେ ରହେ l ଆଉ ସେ କେବେବି ଠିକ୍ ସମୟରେ କ୍ଲାସ୍ ଆସୁ ନଥିଲା l ତେଣୁ ଅଧିକାଂଶ ଦିନ ପୁଷ୍ପାଞ୍ଜଳି ତା ପାଇଁ ପ୍ରକ୍ସି ପକାଇ ସାର୍ ଙ୍କ ଠାରୁ ଗାଳି ଶୁଣୁଥିଲା l 


  ଯେହେତୁ ଲୋପାର ବାପା ମାଆ ଭୁବନେଶ୍ୱର ଆସି ଯାଇଥିଲେ,ଯେ କୌଣସି ପର୍ବ ପର୍ବାଣୀ ଓ‌ ଛୁଟି ଦିନରେ ସେ ପୁଷ୍ପାଞ୍ଜଳିକୁ ତାଙ୍କ ଘରକୁ ଡ଼ାକି ନେଉଥିଲା l ଲୋପାର ବାପା ମାଆ ମଧ୍ୟ ଖୁବ୍ ଅଳ୍ପ ଦିନରେ ପୁଷ୍ପାଞ୍ଜଳିକୁ ନିଜର ଝିଅ ପରି‌ ସ୍ନେହ କଲେ l ଫଳରେ ଯେବେ ବି ବିଶ୍ବବିଦ୍ୟାଳୟରେ ଅଳ୍ପ ଦିନ ପାଇଁ ଛୁଟି ହୁଏ ପୁଷ୍ପାଞ୍ଜଳି ଏତେ ଦୂର ନିଜ ଘର କଳାହାଣ୍ଡି ନ ଯାଇ ଲୋପା ଘରେ ରହିଯାଏ l ଏ଼ହିପରି ଭାବରେ ପୁଷ୍ପାଞ୍ଜଳିର ଲୋପା ସହିତ ଗୋଟିଏ ଘରୋଇ ସମ୍ପର୍କ ଗଢ଼ି ଉଠିଥିଲା l ପି . ଜି .ପାସ୍ କଲାପରେ କିନ୍ତୁ ଉଭୟ ଙ୍କ ରାସ୍ତା ଅଲଗା ହୋଇ ଗଲା l ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ପୁଷ୍ପାଞ୍ଜଳି ଓଡ଼ିଶା ପୋଲିସରେ ଏସ୍ l ଆଇ l ଭାବରେ ଯୋଗ ଦେଲା ଓ ଲୋପା ମାସକମ୍ଯୁନିକେସନ୍ କରିବା ପାଇଁ ଢେଙ୍କାନାଳ ଗଲା l 


  ଜୀବନର ରାସ୍ତା ସିନା ଅଲଗା ହୋଇଗଲା କିନ୍ତୁ ହୃଦୟର ଜାଗା ସେମିତି ପଡ଼ିଥିଲା l ପୁଷ୍ପାଞ୍ଜଳି ଯେବେ ବି ଭୁବନେଶ୍ବର ଆସେ ଲୋପାକୁ ଦେଖା କରିଥାଏ l ଆଉ ଯଦି କେବେ ରହିବାକୁ ପଡ଼େ ତେବେ ଲୋପା ଘରେ ରହିଯାଏ l ଏହି ପରି ଭାବେ ଉଭୟ ଙ୍କ ବନ୍ଧୁତା କ୍ରମେ ଦୃଢ଼ ରୁ ସୁଦୃଢ଼ ହୁଏ l ଏଣେ ସମୟ ମଧ୍ୟ ତା ବାଟରେ ଆଗେଇ ଚାଲିଲା l ସମୟ କ୍ରମେ ପୁଷ୍ପାଞ୍ଜଳି ମଧ୍ୟ ‌ପୋଲିସ୍ ଚାକିରୀ ଛାଡ଼ି ଓଡ଼ିଶା ଅର୍ଥ ସେବାରେ ‌ଯୋଗ ଦେଲା l ଉଭୟ ଲୋପା ଓ ପୁଷ୍ପାଞ୍ଜଳି ବିବାହ କରି ନିଜ ନିଜର ‌ଘର ସଂସାର ମଧ୍ୟ କଲେ l ପୁଷ୍ପାଞ୍ଜଳିର ସ୍ବାମୀ ମଧ୍ୟ ଓଡ଼ିଶା ଅର୍ଥ ସେବା ଅଧିକାରୀ ‌ଥିଲେ l ଆଉ ଲୋପା ଜଣେ ଆୟୁର୍ବେଦିକ ଡକ୍ଟରଙ୍କୁ ବିବାହ କରିଥିଲା l ଯାହାଙ୍କର ନିଜର ଗୋଟିଏ ଆୟୁର୍ବେଦିକ ହସ୍ପିଟାଲ ଥିଲା l 


  ବିବାହ ପରେ ଲୋପା ‌ପୁରା‌ପୁରି ବଦଳି ଯାଇଥିଲା l ଯେଉଁ ଲୋପା କାହା ସହ ସହଜରେ ମିଶି ପାରୁ ନଥିଲା , ସେଇ ଲୋପା ନିଜ ଶାଶୁ ଘର ଲୋକଙ୍କ ସହ, ନିଜ ବାପ ଘର ଲୋକଙ୍କର ସବୁ ଦାଇତ୍ୱ ମଧ୍ୟ ନିଜେ ବୁଝିବାରେ ଲାଗିଲା l ତା ସହ ହସ୍ପିଟାଲର ଦାୟିତ୍ୱ ମଧ୍ୟ ନେଲା l ହସ୍ପିଟାଲ୍କୁ ଆସୁଥିବା ସମସ୍ତ ‌ରୋଗୀ କେମିତି ଉପଯୁକ୍ତ ସେବା ପାଇବେ ସେ କଥା ନିଜେ ତଦାରଖ କଲା l ପୁଷ୍ପାଞ୍ଜଳି ଯେବେ ବି ଲୋପା ଘରକୁ ଯାଏ ତା ମାଆ କହନ୍ତି ଦେଖୁଛୁ ତ ଝୁନୁ ତୋ ସାଙ୍ଗ କେତେ ବଦଳି ଯାଇଛି l ପୁଷ୍ପାଞ୍ଜଳି ତାଙ୍କ କଥା ଶୁଣି ହସିଦେଇ କହେ ସତରେ ମାଉସୀ ଏ ଲୋପାକୁ ଦେଖି ଜମାରୁ ଲାଗୁନି‌ ଇଏ କଲେଜ ବେଳର ସେଇ ଲୋପା,ଯିଏ ସବୁବେଳେ ଗୋଟିଏ କୋଣରେ ପଡି ରହୁଥିଲା l ଏଇ ଭଳି ଭାବରେ ଉଭୟ ଙ୍କ ସଂସାରର ଗାଡ଼ି ଆଗକୁ ଆଗେଇ ଚାଲିଲା l  


  ପୁଷ୍ପାଞ୍ଜଳି ଗୋଟେ ପୁଅ ଓ ଲୋପା ଗୋଟେ ଝିଅର ମାଆ ମଧ୍ୟ ହେଲେ l ଚାହୁଁ ଚାହୁଁ ଦଶ ବର୍ଷ ବିତିଗଲା l ଉଭୟେ ବେଳେ ବେଳେ କାର୍ଯ୍ୟ ବ୍ୟସ୍ତ ରହି ଉଭୟଙ୍କୁ ଦୀର୍ଘ ଦିନ ଧରି ଦେଖା‌ କରି ପାରନ୍ତି ନାହିଁ କି ଫୋନରେ ମଧ୍ୟ କଥା ହୋଇ ପାରନ୍ତି ନାହିଁ l କିନ୍ତୁ ଯେତେ ବ୍ୟସ୍ତ ଥିଲେ ବି ଲୋପା ପୁଷ୍ପାଞ୍ଜଳିକୁ ତା ଜନ୍ମଦିନରେ ଫୋନ୍ କରିବା ପାଇଁ କେବେ ବି ଭୁଲେନି l କାର୍ଯ୍ୟ ବ୍ୟସ୍ତତା ହେତୁ ପୁଷ୍ପାଞ୍ଜଳି ଓ ଲୋପା ମଝିରେ ଦୀର୍ଘ ଦିନ ଧରି ପରସ୍ପରକୁ ଭେଟି ପାରି ନଥିଲେ l ସେଇ ସମୟରେ ହଠାତ୍ ଦିନେ ପୁଷ୍ପାଞ୍ଜଳି ପ୍ରାତଃ ଭ୍ରମଣରୁ ଫେରି ଦେଖିଲା ଯେ ଲୋପାର ସାଙ୍ଗ ସ୍ପନ୍ଦିତାର ସାତ ଆଠଟା ମିସ୍ କଲ୍ l ହେଲେ ସ୍ପନ୍ଦିତାର ଏ ଅସମୟରେ ଏତେ ଗୁଡା ଫୋନ୍ କାହିଁକି?ତା ମନ‌ ବ୍ୟସ୍ତ ହୋଇ ପଡ଼ିଲା l ସେ ତୁରନ୍ତ ସ୍ପନ୍ଦିତାକୁ ଫୋନ୍ ଲଗାଇଲା l ସେ ପଟୁ ସ୍ପନ୍ଦିତା କାନ୍ଦି କାନ୍ଦି କହୁଥାଏ ତୁ ତୁରନ୍ତ ଆସି କିମ୍ସ ହସ୍ପିଟାଲରେ ପହଞ୍ଚ l କଣ ହେଲା ପଚାରିବା ପୂର୍ବରୁ ସ୍ପନ୍ଦିତାର ଫୋନ୍ କଟି ଯାଇଥିଲା l 


  ସେ କାଳ ବିଳମ୍ବ ନ କରି ତା ସ୍ବାମୀକୁ ଧରି କିମ୍ସ ହସ୍ପିଟାଲରେ ପହଞ୍ଚିଲା l ହସ୍ପିଟାଲ୍ ପହଞ୍ଚି ପୁଷ୍ପାଞ୍ଜଳି ଦେଖିଲା ଲୋପାର ବାପା ମାଆ ଓ ଶାଶୂ ଘର ଲୋକ ଯୋରରେ କାନ୍ଦୁଛନ୍ତି l ଆଉ ତା ସ୍ବାମୀ ତ କାନ୍ଦି କାନ୍ଦି ପାଗଳ ପ୍ରାୟ ହେଉ ଥାଆନ୍ତି l ଏ ସବୁ ଦେଖି ସେ କିଛି ବୁଝି ପାରୁ ନ ଥାଏ l ସ୍ପନ୍ଦିତା ତ ତାକୁ ଶୀଘ୍ର ହସ୍ପିଟାଲ ପହଞ୍ଚିବା ପାଇଁ କହିଥିଲା l ହେଲେ ଲୋପାର ପରିବାର ଏଠି ଏମିତି ଏ ଅବସ୍ଥାରେ l ?ସେ ଆଶ୍ଚର୍ଯ୍ୟ ଭାବରେ ଏଣେ ତେଣେ ଅନାଉ ଥାଏ l ସେଇ ସମୟରେ ସ୍ପନ୍ଦିତା ଆଇ l ସି l ୟୁ ରୁ କାନ୍ଦି କାନ୍ଦି ବାହାରି ଆସି କହିଲା ଝୁନୁ ସବୁ ସରିଗଲାରେ l ଆମ ଲୋପା ଆମ ସମସ୍ତଙ୍କୁ ଛାଡି ଚାଲିଗଲା l ଯାଆ ‌ତାର ଶେଷ ଦର୍ଶନ ଟିକେ କରିନେ l ତୁ ତାକୁ ବହୁତ ଭଲ ପାଉଥିଲୁ ନାଁ l ଆଉ ତାକୁ ଦେଖି ପାରିବୁନିରେ l ତା କଥା ଶୁଣି ପୁଷ୍ପାଞ୍ଜଳି ବାକ୍ ହୀନ ହୋଇଗଲା l କହିଲା କଣ ହୋଇଥିଲା ? ମୋତେ ଆଗରୁ କେହି କିଛି ଖବର ଦେଲା ନାହିଁ କାହିଁକି? 


  ସ୍ପନ୍ଦିତା କହିଲା କିଛି ହୋଇଥିଲେ ତ ଖବର ଦେଇ ଥାଆନ୍ତୁ l ତେବେ ଏ ସବୁ ଘଟିଲା କେମିତି? ଲୋପାର ମାଆ କାନ୍ଦି କାନ୍ଦି କହିଲେ ତୁ ତ ଜାଣିଛୁ ଲୋପା ଦ୍ବିତୀୟ ଥର ମାଆ ହେବାକୁ ଯାଉଥିଲା l ପାଞ୍ଚ ଦିନ ପୂର୍ବରୁ ହଠାତ୍ ଦିନେ ଲୋପା ପେଟରେ ଯନ୍ତ୍ରଣା ଅନୁଭବ କଲା l ହେଲେ ସେତେବେଳକୁ ଜମା ସାତ ମାସ ହୋଇଥିଲା l ତେଣୁ ତାକୁ ଏଇ ହସ୍ପିଟାଲରେ ଆଡ଼ମିଶନ କରାଗଲା l ହସ୍ପିଟାଲର ଡକ୍ଟର କହିଲେ ସିଜରିଆନ୍ କରି ପିଲାଟିକୁ ବାହାର କରିବା ପାଇଁ ପଡ଼ିବ l ହେଲେ ଆଜି କାଲି କରି ଚାରି ଦିନ ଗଡ଼ାଇ ଦେଲେ l ଆଉ ଗତ କାଲି ସନ୍ଧ୍ୟା ବେଳେ ହଠାତ୍ ସିଜରିଆନ୍ କଲେ l ତା ପୁଣି ବିନା ପ୍ରସ୍ତୁତିରେ l ରକ୍ତ ମଧ୍ୟ ଯୋଗାଡ଼ କରି ନଥିଲେ l ଫଳରେ ସିଜରିଆନ୍ କରିବା ସମୟରେ ବହୁତ ବ୍ଲିଡିଂ ହେଲା ଓ ମୋ ଲୋପା ଆମ ସମସ୍ତଙ୍କୁ ଛାଡି ଚାଲିଗଲା l 


  ଜାଣିଛୁ ଝୁନୁ ଲୋପାକୁ ଯେତେବେଳେ ଅପରେସନ୍ ପାଇଁ ନେଲେ ସେ ମୋତେ କହିଲା ବୋଉ ମୁଁ ଆଉ ଫେରିବିନି ବୋଧେ l ଆଉ ସତରେ ସିଏ ଆଉ ଫେରିଲା ନାହିଁ l ଲୋପାକୁ ଆମେ ଯେଉଁ ଦିନ ହସ୍ପିଟାଲ ଆଣିଲୁ ସେ ପୁଣି ଥରେ ମାଆ ହେବ ବୋଲି କେତେ ଖୁସି ଥିଲା l ହେଲେ ଆମ ସମସ୍ତଙ୍କ ଖୁସିରେ ଗ୍ରହଣ ଲଗାଇ ଦେଇ ଗୋଟାଏ କମ୍ ଓଜନର ଝିଅକୁ ଜନ୍ମଦେଇ ଆମକୁ ଛାଡ଼ି ଚାଲିଗଲା l ଆମ କଥା ତ ସେ ବୁଝୁଥିଲା l ଏବେ ଆମ କଥା କିଏ ବୁଝିବ?ତା ଛଡ଼ା ଏ ନିରୀହ ମାତୃହରା ପିଲାଟିର କଣ ହେବ? ସବୁ ଶୁଣି ପୁଷ୍ପାଞ୍ଜଳି ପୁରାପୁରି ମୂକ ପାଲଟି ଯାଇଥିଲା l ପୁଷ୍ପାଞ୍ଜଳି ଦେଖୁଥିଲା ଗୋଟିଏ ଜୀବନକୁ ନୂତନ ଆଲୋକ ଦେଖାଇବାକୁ ଯାଇ ତା ଲୋପା ନିଜେ ଶବ ପାଲଟି ଯାଇଥିଲା l ସବୁ ବେଳେ ଚୁପ୍ ଚାପ୍ ରହିବାକୁ ଭଲ ପାଉଥିବା ତାର ପ୍ରିୟ ଲୋପା ପୁଣି ଥରେ ସବୁଦିନ ପାଇଁ ଚୁପ୍ ହୋଇ ଯାଇଥିଲା l 


  ସବୁବେଳେ ଏକୁଟିଆ ରହିବାକୁ ଭଲ ପାଉଥିବା ଲୋପା ଯେତେବେଳେ ଏକୁଟିଆ ରହିବା ଛାଡି ସାରା ଦୁନିଆକୁ ଭଲ ପାଇ ବସିଲା,କାହା ସହ ମିଶି ପାରୁ ନଥିବା ଝିଅଟେ ସମସ୍ତ ଙ୍କର ଆପଣାର ହୋଇଗଲା, ସେତେବେଳେ ମୃତ୍ୟୁ ଦେବତା ଙ୍କ ନଜର ମଧ୍ୟ ତା ଉପରେ ପଡ଼ିଲା l ସେ ମଧ୍ୟ ତାକୁ ଭଲ ପାଇ ବସିଲେ l ଆଉ ପରିଶେଷରେ ଦିନେ ସମସ୍ତଙ୍କ ଠାରୁ ସବୁଦିନ ପାଇଁ ଛଡ଼ାଇ ନେଇ ନିଜ ବାହୁବନ୍ଧନରେ ଆଲିଙ୍ଗନ କରିନେଲେ l ଲୋପାକୁ ଯିବାର ଆଜି ସାତ ମାସ ହେଲାଣି l ତଥାପି ପୁଷ୍ପାଞ୍ଜଳି ଭାବୁଛି ସବୁ ଜନ୍ମ ଦିନ ପରି ଏଇ ଜନ୍ମ ଦିନରେ ମଧ୍ୟ ଲୋପା ତାକୁ ଫୋନ୍ କରିବ ଓ କହିବ "ସତରେ ମୁଁ ତୋର ଭାରୀ ଖରାପ୍ ସାଙ୍ଗଟିଏ ନାଁ l ତୋତେ କେବେ ଫୋନ୍ କରୁନି l ଆଜି ତୋର ଜନ୍ମଦିନ ନାଁ l ହଉ Happy Birthday" l 



Rate this content
Log in

More oriya story from Kanan Bala Nayak

Similar oriya story from Tragedy